ବେଳେବେଳେ ଗୋଟିଏ ଗୋଟିଏ ପ୍ରତିଯୋଗିତାର ସମଗ୍ର ସଂସ୍କରଣଟିର ପରିସମାପ୍ତି ପୂର୍ବରୁ ଫଳାଫଳଗତ ଉପସଂହାର ଉପଲବ୍‌ଧ ହୋଇସାରିଥାଏ। ଏଇ ‌େଯମିତି ପାଞ୍ଚଟିକିଆ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଭାରତ-ଇଂଲଣ୍ଡ୍‌ କ୍ରିକେଟ୍‌ ସିରିଜ୍‌ର ଭାଗ୍ୟ ନିର୍ଦ୍ଧାରିତ କରିବା ନିମନ୍ତେ ଶେଷ ମ୍ୟାଚ୍‌ର ଭୂମିକା ପାଇଁ ଅପେକ୍ଷା କରିବାକୁ ପଡ଼ିଲା ନାହିଁ। ଭାରତ ସିରିଜ୍‌ ଜିତିନେଲା; ଯଦିଓ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା ଇଂଲଣ୍ଡ୍‌। ସିରିଜ୍‌ ଆରମ୍ଭ ହେବା ଆଗରୁ ଜଣା ଥିଲା ଉଭୟ ଭାରତ ଓ ଇଂଲଣ୍ଡ୍‌ ବେଶ୍ ଶକ୍ତିଶାଳୀ ଦଳ ବୋଲି। ଇଂଲଣ୍ଡ୍‌ ସପକ୍ଷରେ ଯୁକ୍ତି ବଢ଼ାଯାଉଥିଲା ଯେ ତା’ର ବାଜବଲ୍ ଶୈଳୀ ଓ ରଣକୌଶଳର ଖେଳ ଆଗରେ ଭାରତ କେମିତି ଖେଳି ପାରିବ କେଜାଣି? ପ୍ରତିପକ୍ଷର କୌଶଳରେ ସେ ଦଳକୁ ଭାରତ ହରେଇଲା ବୋଲି ଅନେକ କହିଲେଣି- ତାହା ପୁଣି ଅନେକ ଆଗଧାଡ଼ିର ଖେଳାଳିଙ୍କ ଭିନ୍ନ ଭିନ୍ନ କାରଣଜନିତ ଅନୁପସ୍ଥିତି ସତ୍ତ୍ବେ। ନିଜ ଦେଶ ଭଲ ଖେଳି ଜିତିଲେ ଗର୍ବ, ଗୌରବ ଓ ଆନନ୍ଦର ମାତ୍ରା ଅଧିକ ଅନୁଭୂତ ହୁଏ। ଆଲୋଚ୍ୟ ସିରିଜ୍‌ରେ ଭାଗ ନେଇଥିବା ଦୁଇ ଦେଶ ପ୍ରମାଣିତ କରିଦେଲେ ଯେ ଦିନିକିଆ, ଟି-୨୦ ଓ ଆଇ.ପି.ଏଲ୍. ଖେଳର ଅତିଦୃଶ୍ୟମାନ ତଥା ଅଧିକ ଅମଳକ୍ଷମ ଆବେଦନ ସତ୍ତ୍ବେ ଟେଷ୍ଟ କ୍ରିକେଟ୍‌ ତା’ର ଶାସ୍ତ୍ରୀୟ ସ୍ବଭାବ ବଜାୟ ରଖିବା ସାଙ୍ଗକୁ ମାନ୍ଦା, ମନ୍ଥର ଓ କ୍ଳାନ୍ତିଜନକ ହୋଇଯାଉଥିବା ପାରଂପରିକ ଅପବାଦରୁ ନିଜକୁ ମୁକ୍ତ କରିବାରେ ଚମତ୍କାର ଭାବେ ସକ୍ଷମ।
ସଭିଏଁ ଜାଣନ୍ତି ଭାରତବର୍ଷରେ କ୍ରିକେଟ୍‌ର ମାନ୍ୟତା ଧର୍ମସମ। କେତେଜଣ କ୍ରିକେଟ୍‌ ଖେଳାଳି ଭଗବାନତୁଲ୍ୟ। ଏଇ ଖେଳଟିକୁ ନେଇ ଚର୍ଚ୍ଚା ଓ ଜନମାନସର ମୋଟାମୋଟି ଆଭିମୁଖ୍ୟ ସେଇଆ ଯାହା ସାଧାରଣତଃ ରାଜନୀତି ତଥା ଚଳଚ୍ଚିତ୍ର ନେଇ ହୋଇଥାଏ। ଅନେକ ଯାତ୍ରା, ଗମନ, ସ୍ଥାନାନ୍ତର, ଅନ୍ୟତ୍ର ବସବାସ, ଅନ୍ବେଷଣ, ସ୍ବପ୍ନଦେଖା ଓ ସଂଘର୍ଷର କାହାଣୀ ଗର୍ଭିତ କ୍ରିକେଟ୍‌ ଖେଳରେ; କ୍ରିକେଟ୍‌ ଖେଳର ପ୍ରକ୍ରିୟାରେ। ଗାଭାସ୍କର, କପିଳ ଦେବ, ତେନ୍ଦୁଲକର, ଧୋନି ଓ ବିରାଟ କୋହଲି ଆଦି କ୍ରିକେଟ୍‌ ଖେଳାଳିଙ୍କ ନାଁ କହିଲେ ସେମାନେ କିଏ ବୋଲି ସହଜରେ ଚିହ୍ନି ପାରନ୍ତି ନବପ୍ରଜନ୍ମର ବହୁସଂଖ୍ୟକ ସଦସ୍ୟ-ସଦସ୍ୟା। ସେମାନେ ସମ୍ଭବତଃ ସେଇଭଳି ଚିହ୍ନଟ କରିପାରିବେନି ଅନ୍ୟ ଅନେକ ଅଲଗା କ୍ଷେତ୍ରର ଲୋକପ୍ରତିମାଙ୍କୁ, ଆଇକନ୍‌ଙ୍କୁ! ଠିକ୍ କିମ୍ବା ଠିକ୍ ଛଡ଼ା ଭିନ୍ନ କାରଣରୁ କ୍ରିକେଟ୍‌ ସାଂପ୍ରତିକ ସମୟର ଏକ ପ୍ରଭାବଶାଳୀ ସଂକେତ, ଭାଷା, ପରିଭାଷା ଓ ମାଧ୍ୟମ।
ନିଜେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଏବଂ ନିଜ ଦେଶକୁ ଥରକୁ ଥର ବିଜୟୀ କରେଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଯଶସ୍ବୀ ଜୟସ୍ବାଲ୍‌ଙ୍କ ଯଶର ଜୟଗାନ କୁଆଡ଼େ କେତେ। କ୍ରମାଗତ ଦୁଇଟି ଟେଷ୍ଟରେ ଦ୍ବିଶତକ କରିବାରେ ସିଏ ବିନୋଦ କାମ୍ବଲି ଓ ବିରାଟ କୋହଲିଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍। ପୁଣି ଟେଷ୍ଟ କ୍ରିକେଟ୍‌ର ଇତିହାସରେ ବ୍ରଡ୍‌ମ୍ୟାନ୍ ଓ କାମ୍ବଲିଙ୍କ ପରେ ଦୁଇ ଦୁଇଟି ଦ୍ବିଶତକ ହାସଲ କରିବାରେ ତୃତୀୟ ତରୁଣତମ ଖେଳାଳି। ଏ ସବୁ ସାଙ୍ଗକୁ ଗୋଟିଏ‌ ଟେଷ୍ଟ ଇନିଂସ୍‌ରେ ସିଏ ଛକା ମାରିବାରେ ବିଶ୍ବ ରେକର୍ଡର ସମକକ୍ଷ ହୋଇସାରିଲେଣି। ବାମହାତୀ ବ୍ୟାଟ୍‌ସମ୍ୟାନ୍। ବୟସ ମାତ୍ର ବାଇଶି। ବେଶ୍ ଗୁରୁତ୍ବପୂର୍ଣ୍ଣ‌ ହେଲା ତାଙ୍କ ପୃଷ୍ଠଭୂମି ଓ କାହାଣୀ। ମୂଳ ଘର ତାଙ୍କର ଉତ୍ତରପ୍ରଦେଶର ଭଦୋହୀ ଅଞ୍ଚଳରେ। ବାପାଙ୍କର ଅତି ଛୋଟମୋଟ ହାର୍ଡୱେୟାର୍ ବ୍ୟବସାୟ। କ୍ରିକେଟ୍‌ ନିଶାରେ ଟାଣିହୋଇ ‌ଆସିଲେ ବମ୍ବେ ଉଚିତ ତାଲିମ ଓ ସୁବିଧା ସୁଯୋଗ ଆଶାରେ। ସେଥିପାଇଁ ବମ୍ବେର ଆଜାଦ୍ ମୈଦାନକୁ ବାଛିଥିଲେ। ଆରମ୍ଭରୁ ମୁଣ୍ଡ ଗୁଞ୍ଜିଥିଲେ ଏକ କ୍ଷୀର ଦୋକାନରେ। ମନ ଲାଖିଥିଲା କ୍ରିକେଟ୍‌ରେ। କ୍ଷୀର ଦୋକାନର ଅସ୍ଥାୟୀ ଆଶ୍ରୟ ଛାଡ଼ି ରହିବାକୁ ପଡ଼ିଲା ମୈଦାନର ତମ୍ବୁରେ। ପେଟପାଟଣା ପାଇଁ ପାଣିପୁରୀ/ଗୁପ୍‌ଚୁପ୍ ବିକିବାକୁ ପଡ଼ିଥିଲା ତାଙ୍କୁ। ମହମବତୀ ଜଳେଇ ରୁଟି ତିଆରି କରୁଥିଲେ ସିଏ। ବମ୍ବେ ଆସିଥିଲେ ସିଏ ମାତ୍ର ଏଗାର ବର୍ଷ ବୟସରେ। ତାଙ୍କ ଜୀବନରେ ବର୍ତ୍ତମାନ ସୁଦ୍ଧା ଯାହା ସମ୍ଭବ ହୋଇସାରିଲାଣି ତାହା କ୍ବଚିତ ଅନେକ ବଲିଉଡ୍ ସିନେମାରେ ସମ୍ଭବ ହୋଇଥାଏ।
ଜୟସ୍ବାଲ୍‌ଙ୍କ ସାଙ୍ଗକୁ ବି ଚର୍ଚ୍ଚାରେ ଏବେ ଜୁରେଲ୍, ଧ୍ରୁବ ଜୁରେଲ୍। ଉଇକେଟ୍ ରକ୍ଷକ ଓ ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍। ତେଇଶି ବର୍ଷ ବୟସ୍କ। ମୂଳ ଘର ଆଗ୍ରାରେ। ସ୍କୁଲର ଗ୍ରୀଷ୍ମ ଶିବିରରେ ଭାଗ ନେଉଥିଲା ବେଳେ କ୍ରିକେଟ୍‌ ପ୍ରତି ତାଙ୍କ ଆକର୍ଷଣ ଜନ୍ମିଥିଲା। ଦେଖିଲେ କିଛି ପିଲା କ୍ରିକେଟ୍‌ ଖେଳୁଛନ୍ତି। ତାଙ୍କୁ ଲାଗିଲା- ଅତି ବଢ଼ିଆ ଖେଳ ତ? ମୁଁ କାହିଁକି ଖେଳିବିନି? ମାତ୍ର ଚଉଦ ବର୍ଷରେ କ୍ରିକେଟ୍‌ର ଦୁର୍ବାର ମୋହରେ ସିଏ ଏକୁଟିଆ ଟ୍ରେନ୍‌ରେ ଯାଇଥିଲେ ଦିଲ୍ଲୀ ସଂଲଗ୍ନ ନଏଡ଼ାକୁ। ସେଠି ଭେଟିଥିଲେ କୋଚ୍ ଫୁଲ୍‌ଚାନ୍ଦଙ୍କୁ। ସାଙ୍ଗରେ କେହି ମୁରବି ଯାଇ ନ ଥିଲେ। ପ୍ରଶିକ୍ଷକଙ୍କ ସହ ପ୍ରଥମ ସାକ୍ଷାତ ସମୟରେ କହ‌ିଥିଲେ- ମୋ ନା ଧ୍ରୁବ ଜୁରେଲ୍। ମତେ ଦୟାକରି ଆପଣଙ୍କ ଏକାଡେମୀରେ ନିଅନ୍ତୁ। ଧ୍ରୁବଙ୍କ ଶାନ୍ତ ଓ ଗଭୀର ଆତ୍ମବିଶ୍ବାସ ଫୁଲ୍‌ଚାନ୍ଦଙ୍କୁ ବିମୋହିତ କରିଥିଲା। ସିଏ କେବଳ ଜାଣିବାକୁ ଚାହିଁଥିଲେ- ଧ୍ରୁବ ନ କହି ଘରୁ ଲୁଚି ପଳେଇ ଆସି ନାହାନ୍ତି ତ? ଧ୍ରୁବଙ୍କ ବାପାଙ୍କ ଠାରୁ ଜାଣିଲେ ତାଙ୍କ ପରିବାରରେ ଏକ ଶୋକପାଳନ ଓ ଅନ୍ତ୍ୟେଷ୍ଟି କଥା। ପୁଅର ସ୍ବପ୍ନକୁ ସଂପୂର୍ଣ୍ଣ ସମର୍ଥନ କରୁଥିବା ଧ୍ରୁବଙ୍କ ମା’ ନିଜର ଗହଣା ମଧ୍ୟ ବନ୍ଧକ ପକେଇଥିଲେ। କିଂବଦନ୍ତି ପୁରୁଷ ଗାଭାସ୍କରଙ୍କ ଅନୁମାନ ମୁତାବକ- ସିଏ ଜୁରେଲ୍‌ଙ୍କ ଭିତରେ ଆଗାମୀ ଦିନର ଆଉ ଏକ ଧୋନି ଦେଖୁଛନ୍ତି। ଆନ୍ତରିକ ଶୁଭେଚ୍ଛା ଜଣାଇ ଧ୍ରୁବଙ୍କୁ ଧୋନି କହିଥିଲେ- ଖେଳ ଓ ବଲ୍ ଉପରେ ଧ୍ୟାନ ଦେଉଥିବ। କିଏ ବୋଲର ବା ବ୍ୟାଟ୍‌ସମ୍ୟାନ୍ ତାହା ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ। ଏଇଠି ପ୍ରାଚୁର୍ଯ୍ୟର ସମସ୍ୟା ପ୍ରସଙ୍ଗଟି ମନକୁ ଢୁକିବା ସ୍ବାଭାବିକ। ପ୍ରତିଭାବାନ ଋଷଭ ପନ୍ଥ ଫେରିଲେ କିଏ ରହିବେ, କିଏ ଯିବେ ଏବେଠୁଁ କହି ହେବନି।
ଆଉ ଜଣେ ଉତ୍ତରପ୍ରଦେଶ ମୂଳ ଠିକଣାର ଖେଳାଳି ହେଲେ ସର୍ଫରାଜ ଖାଁ। ତାଙ୍କୁ ବି ଗଢ଼ିବାରେ ସହାୟକ ହୋଇଥିଲା ବମ୍ବେର ଆଜାଦ୍ ମୈଦାନ। ନିଜ ଜୀବନର ପ୍ରାରମ୍ଭିକ ଅନେକ ବର୍ଷ କଟେଇଥିଲେ ସହରତଳି ବସ୍ତିରେ। କ୍ରିକେଟ୍‌ ପାଇଁ ଚାରି ବର୍ଷ ସ୍କୁଲ ଯିବା ତାଙ୍କର ବ୍ୟାହତ ହୋଇଥିଲା। ହାରିସ୍ ସିଲ୍‌ଡ କ୍ରିକେଟ୍‌ ମ୍ୟାଚରେ ସିଏ ସଚ୍ଚିନ ତେନ୍ଦୁଲକରଙ୍କ ପୂର୍ବ ରେକର୍ଡ ଭାଙ୍ଗିଥିଲେ ଯେତେବେଳେ ସିଏ ୪୨୧ ବଲ୍‌ରୁ ୪୩୯ ରନ୍ କରିଥିଲେ। ହାରିସ୍ ସିଲ୍‌ଡ ଟୁର୍ନାମେଣ୍ଟ୍ ବମ୍ବେର ଏକ ଆନ୍ତଃ-ବିଦ୍ୟାଳୟ କ୍ରିକେଟ୍‌ ମ୍ୟାଚ ଯାହା ୧୮୯୭ରୁ ଅନୁଷ୍ଠିତ ହୋଇଆସୁଛି। ଏକଦା ବମ୍ବେର ଗଭର୍ନର ଥିବା ହାରିସ୍ ବି ଇଂଲଣ୍ଡ୍‌ର ପ୍ରାକ୍ତନ କ୍ରିକେଟ୍‌ ଅଧିନାୟକ। ଦୁଇ ବନ୍ଧୁ କାମ୍ବଲି ଓ ତେନ୍ଦୁଲକର ମିଶି ଯେତେବେଳେ ୧୯୮୮ ମସିହାରେ ପ୍ରୋକ୍ତ ଟୁର୍ନାମେଣ୍ଟ୍‌ରେ ୬୬୪ ରନ୍ କରିଥିଲେ ସେତେବେଳେ ଟୁର୍ନାମେଣ୍ଟ୍‌ଟି ଲୋକଲୋଚନକୁ ଆସିଥିଲା ଅଧିକ ମୂଲ୍ୟଯୁକ୍ତ ହୋଇ। କୁଆଡ଼େ ଉଠିଗଲେ ଜଣେ ମିତ୍ର ତେନ୍ଦୁଲକର। ହେଲେ ଏକାଧିକ କାରଣରୁ କାହିଁ କେତେ ପଛରେ(!) ରହିଗଲେ କାମ୍ବଲି।
କେବଳ ପ୍ରତିଭା, ଦକ୍ଷତା ଓ ନୈପୁଣ୍ୟ ବଳରେ ଜଣେ କ୍ରିକେଟ୍‌ ଖେଳାଳି - ଯେ କୌଣସି କ୍ରୀଡ଼ାବିତ୍ - ହୁଏତ ଅତି ଆଗକୁ ଓ ଉପରକୁ ଯାଇପାରିବେନି ଯଦି ତାଙ୍କଠି ଏକାଗ୍ରତା, ଅନୁଶାସନ ଓ କ୍ଷୁଧା ଭଳି ଗୁଣ ସମୁଚିତ ଅନୁପାତରେ ପରିଲକ୍ଷିତ ନ ହୁଏ। ଅନ୍ୟ ଦେଶ ତୁଳନାରେ ଭାରତୀୟ କ୍ରିକେଟ୍‌ର ଅନନ୍ୟ ଲକ୍ଷଣ ହେଲା ଏହାର ତୃଣମୂଳ ଅତ୍ୟନ୍ତ ମଜବୁତ୍ ଏବଂ ସେହି ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ବିଦ୍ୟାଳୟ, ସ୍ଥାନୀୟ କ୍ଲବ୍, ନିର୍ଦ୍ଦିଷ୍ଟ ବୟସବର୍ଗ, ସି.କେ. ନାଇଡୁ ଓ ରଣଜୀ ଭଳି ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାର। ନିକଟରେ କେତେଜଣ ଖେଳାଳି ରଣଜୀ ନ ଖେଳି ବସି ରହୁଥିଲେ। ସେମାନଙ୍କୁ ପ୍ରକାରାନ୍ତର କହି ଦିଆଗଲା- କ୍ରିକେଟ୍‌ କ୍ଷୁଧା ନ ଥିଲେ ଟେଷ୍ଟକୁ ପୁଣିଥରେ ଡକରା ପାଇବ କେମିତି? ଏବେ ଅଧିକରୁ ଅଧିକ ଅତି ଭଲ ଖେଳାଳି ବମ୍ବେ, ଦିଲ୍ଲୀ, ବାଙ୍ଗାଲୋର୍, ମାନ୍ଦ୍ରାଜ୍ ଓ କଲିକତା ବାହାରୁ ବାହାରୁଛନ୍ତି। ଅନେକ ଜଣାଶୁଣା ଖେଳାଳି ଦଳରେ ନ ଥାଇ ବି ଭାରତୀୟ ଦଳ ଜିଣିପାରୁଛି। ସବୁ ଖେଳାଳି ଜାଣିଛନ୍ତି ଯେ ସେମାନେ ନିରବଚ୍ଛିନ୍ନ ଭାବେ ଖରାପ ଖେଳିଲେ ତାଙ୍କ ଜାଗା ନେବା ପାଇଁ ଅସଂଖ୍ୟ ଭଲ ଖେଳାଳି ବାହାରେ ପ୍ରସ୍ତୁତ ହୋଇ ରହିଛନ୍ତି।
ଅନେକ ସମୟରେ ଲାଗେ କ୍ରିକେଟ୍‌ ଖାଲି ଏକ ଖେଳ ନୁହେଁ। ଏହା ଏକ ଦର୍ପଣ ମଧ୍ୟ। ମାତ୍ରାଧିକ କ୍ରିକେଟ୍‌ ମନସ୍କତା ଫଳରେ ଅନ୍ୟ କେତେକ ଖେଳ ଅବହେଳିତ ହୋଇ ଯାଉନାହାନ୍ତି ତ? ହକି କ’ଣ କ୍ରିକେଟ୍‌ର ଗ୍ଲାମର୍ ଓ ବୈଭବଯୁକ୍ତ? ସେମିତି ଅସାଧାରଣ ଚେସ୍ ତାରକା ବିଶ୍ବନାଥନ୍ ଆନନ୍ଦଙ୍କ ସହ ଅନେକ ମହାନ୍ କ୍ରିକେଟ୍‌ ଖେଳାଳି ତୁଳନୀୟ ଲାଗନ୍ତି ନାହିଁ। ହେଲେ? ଅବଶ୍ୟ ଆମ୍ବ ଓ କମଳାର ତୁଳନା କହି ତର୍କର ପାଟିକୁ ବନ୍ଦ କରିଦେଇ ହେବ। ଭାରତ ଭଳି ଏକ କ୍ରିକେଟ୍‌ ବୃହତ୍‌ଶକ୍ତିର କାହାଣୀମୟତା ସମ୍ବନ୍ଧରେ ଆଳାପ ଓ ଆଲୋଚନା କଲାବେଳେ ଭୁଲିଯିବା ଭୁଲ୍ ହେବ କ୍ରିକେଟ୍‌ ଜଗତର ଏକଦା ବ୍ରାଜିଲ୍ ବିବେଚିତ ୱେଷ୍ଟ୍‌ଇଣ୍ଡିଜ୍‌ର ସାଂପ୍ରତିକ ଅଧୋଗତିର କାରଣ ସବୁ କ’ଣ।
ମୋ: ୯୪୩୭୩୦୭୦୭୯