ଏଇ ଅଳ୍ପ କିଛି ଦିନ ତଳେ ‘ସମ୍ବାଦ’ର ଦୈନିକ ସାଂସ୍କୃତିକ ସୂଚିଟି ଦେଖି ମୁଁ ଛୁଟିଗଲି ଭାରତୀୟ ବିଦ୍ୟାଭବନ। ସେଠି ସନ୍ଧ୍ୟା ସାତଟା ସମୟରେ ପ୍ରହ୍ଲାଦ ନାଟକ ମଞ୍ଚସ୍ଥ ହେବାର ଘୋଷଣା ହୋଇଥିଲା। ବିଦ୍ୟାଭବନ ଏବଂ ଇନଫୋସିସ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଲୁପ୍ତପ୍ରାୟ ଲୋକନାଟକ, ଲୋକନୃତ୍ୟ ଆଦିକୁ ସଂରକ୍ଷଣ ନିମନ୍ତେ ଏହି ନାଟକଟିର ମଞ୍ଚାୟନ ଆୟୋଜିତ କରାଯାଇଥିଲା। ସେଠି ପହଞ୍ଚି ଦେଖିଲି ଯେ ମଞ୍ଚ ନିକଟସ୍ଥ ସମସ୍ତ ଚେୟାର ଖାଲି, ଜଣେ ମଧ୍ୟ ଦର୍ଶକ ଉପସ୍ଥିତ ନାହାନ୍ତି। କେବଳ ଦୁଇ ଜଣ ଆୟୋଜକ ଗୋଟିଏ ଖାତା ଧରି ଆଗନ୍ତୁକମାନଙ୍କ ଫୋନ, ଠିକଣା ସଂଗ୍ରହ କରି ନାଟକ ସମ୍ବନ୍ଧିତ କାଗଜ ଖଣ୍ଡିଏ ବଢ଼ାଇ ଦେଉଥାନ୍ତି। ପ୍ରାୟ ଏକ ଘଣ୍ଟା ପରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହେଲା। ଅତି ଉଚ୍ଚକୋଟୀର ଅଭିନୟ, ମୁକ୍ତ ଆକାଶ ତଳେ ରଙ୍ଗମଞ୍ଚ, ମନୋରମ ପରିବେଶ, କିନ୍ତୁ ମୋଟାମୋଟି ଦର୍ଶକ ଶୂନ୍ୟ। ଯଦିଓ ଅନ୍ତତଃ ଶହେ ଜଣ ଦର୍ଶକ ବସିବାର ବନ୍ଦୋବସ୍ତ ଥିଲା, ମାତ୍ର କୋଡ଼ିଏ କି ତିରିଶି ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣ ଅତିଥି, ଛଅ ଜଣ ସମ୍ବାଦଦାତା, ତିନି ଜଣ ଫଟୋଗ୍ରାଫର, ପାଞ୍ଚ ଜଣ ବିଦ୍ୟାଭବନ ପାଠାଗାରର ନିୟମିତ ସଭ୍ୟ, ଯେଉଁମାନେ ମାଇକ ଶବ୍ଦରେ ବ୍ୟସ୍ତ ହୋଇ ପଢ଼ା ଛାଡ଼ି ପଡ଼ିଆକୁ ଆସିଯାଇଥିଲେ। ଅର୍ଥାତ୍ ନିଚ୍ଛକ୍ ନାଟକ ପ୍ରେମୀ, ପ୍ରକୃତ ଦର୍ଶକ ସଂଖ୍ୟା ଦଶରୁ କମ୍, ଭାବି ଦେଖନ୍ତୁ କେତେ ଦୁଃଖର କଥା! ମୁଁ ଦୃଢ଼ ନିଶ୍ଚିତ ଯେ ଯଦି ଏହିପରି ସାଂସ୍କୃତିକ କାର୍ଯ୍ୟକ୍ରମ କୋଲକାତାରେ ହେଉଥାନ୍ତା, ତେବେ ଏତାଦୃଶ ଦର୍ଶକ-ମରୁଡ଼ି ପଡ଼ିନଥାନ୍ତା।
ଆମେ ଓଡ଼ିଆମାନେ ଏତେ ପରିମାଣରେ ବେରସିକ ବା ସଂସ୍କୃତି ପ୍ରତି ବୀତସ୍ପୃହ ଯେ ଆମ ପୁରାତନ କଳା, ପରମ୍ପରା ଐତିହ୍ୟର ଭବିଷ୍ୟତ ଘୋର ଅନ୍ଧକାରମୟ ହୋଇ ପଡ଼ିଛି। ଭୁବନେଶ୍ୱର ପରି ଶିକ୍ଷିତ ସହରରେ ଯଦି ଏପରି ଅବସ୍ଥା, ରାଜ୍ୟର ଅନ୍ୟ ଅଂଚଳରୁ ବା କ’ଣ ଆଶା କରିବା? ଆମ ଓଡ଼ିଆ ଦର୍ଶକ କେବଳ ଯେ ବେରସିକ, ତାହା ନୁହେଁ, ଅଭଦ୍ର ମଧ୍ୟ! ଲେଖକ ପ୍ରାୟ ପ୍ରତି ସପ୍ତାହରେ ରବୀନ୍ଦ୍ର ମଣ୍ଡପ ତଥା ଭଞ୍ଜ କଳା ମଣ୍ଡପରେ ନାଟକ, ସଂଗୀତ ସଭା ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିୟମିତ ରୂପେ ଯୋଗ ଦିଏ। ଦର୍ଶକ ମଣ୍ଡଳୀରେ ବସି ଲକ୍ଷ୍ୟ କରେ ଯେ ଆୟୋଜକମାନଙ୍କ ନିବେଦନ ସତ୍ତ୍ବେ ଅନେକ ଦର୍ଶକ ନିଜର ମୋବାଇଲ ଫୋନଟି ବନ୍ଦ କିମ୍ବା ନିରବ କରନ୍ତି ନାହିଁ। ନାଟକର ଆକର୍ଷକ ମୁହୂର୍ତ୍ତରେ ସେମାନଙ୍କ ମୋବାଇଲ ଫୋନର ରିଂ ବିକଟ ନାଦ କରି ଉଜ୍ଜୀବିତ ହୋଇଯାଏ ଏବଂ ଫୋନର ମାଲିକ ତା’ ଠାରୁ ଅଧିକ ବିକଟାଳ ସ୍ୱରରେ ନିଜର ଭୋଗୌଳିକ ଅବସ୍ଥିତି, ଦିନଚର୍ଯ୍ୟା ତଥା ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଦୀର୍ଘ ବକ୍ତବ୍ୟ ପ୍ରଦାନ କରି ଚାଲନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟ ଯେ ସମ୍ପୂର୍ଣ୍ଣ ଗର୍ହିତ; ଏ କଥା ତାଙ୍କ ମଗଜରେ ଭୁଲ୍ରେ ମଧ୍ୟ ପ୍ରବେଶ କରେ ନାହିଁ। ଆଶ୍ଚର୍ଯ୍ୟର କଥା ଯେ ନିକଟରେ ବସିଥିବା ଅନ୍ୟ ଦର୍ଶକ ମଧ୍ୟ ତାଙ୍କୁ ଏହି ସ୍ୱାର୍ଥପର କାର୍ଯ୍ୟରୁ ନିବୃତ୍ତ କରନ୍ତି ନାହିଁ କି ତହିଁରୁ ବିରତ ରହିବାକୁ ପରାମର୍ଶ ଦିଅନ୍ତି ନାହିଁ। ଫଳତଃ ନାଟକ ପ୍ରେମୀମାନେ ନିରବରେ ଏହି ରସ ଭଙ୍ଗ ସହ୍ୟ କରିବାକୁ ବାଧ୍ୟ ହୁଅନ୍ତି।
ଆଉ କେତେକ ଦର୍ଶକ ନିଜର ନିରୀହ ଶିଶୁ ସନ୍ତାନ ଅଥବା ନାତିନାତୁଣୀମାନଙ୍କୁ ସାଙ୍ଗରେ ନେଇ କାର୍ଯ୍ୟକ୍ରମରେ ପଦାର୍ପଣ କରନ୍ତି। ଏହି କୋମଳମତି ଶିଶୁମାନେ କାର୍ଯ୍ୟକ୍ରମ ମଧ୍ୟରେ ଶାଳୀନତା ରକ୍ଷା କରି ଯେ ନିରବ ରହିବେ, ତାହା ଆଶା କରିବା ମୂର୍ଖତା! କିନ୍ତୁ, ସେମାନଙ୍କ ଅଭିଭାବକମାନେ ସାମାନ୍ୟତମ ସଂକୋଚବୋଧ ନ କରି ଏହି ପିଲାଗୁଡ଼ିକୁ ପ୍ରେକ୍ଷାଳୟରେ ଉଦ୍ଦଣ୍ଡ ହେବାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥାନ୍ତି।
ଲକ୍ଷ୍ୟ କରାଯାଏ ଯେ ଏହି ଶ୍ରେଣୀର ଅଭଦ୍ର ଦର୍ଶକ ସାଧାରଣତଃ ଉଚ୍ଚ ଶିକ୍ଷିତ ଅଥବା ଉଚ୍ଚ ପଦଯୁକ୍ତ ହୋଇଥାନ୍ତି, ଯାହା ସେମାନଙ୍କୁ ହୁଏତ ଅନ୍ୟମାନଙ୍କ ମାନସିକ ବେଦନା ପ୍ରତି ଉଦାସୀନ କରି ଦେଇଥାଏ। ଏହି ସଂପ୍ରଦାୟର ଦର୍ଶକ, ଯାହାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାନ୍ୟତମ ଆଗ୍ରହ ନଥାଏ, କାହିଁକି ଯେ ପ୍ରେକ୍ଷାଳୟ ଆସନ୍ତି ତାହା ସଂପୂର୍ଣ୍ଣ ଅବୋଧ୍ୟ। ମୁଁ ନିଶ୍ଚିତ ଯେ ଆମ ପଡ଼ୋଶୀ ରାଜ୍ୟରେ ଅର୍ଥାତ୍ ବଙ୍ଗ ପ୍ରଦେଶରେ ଏ ପ୍ରଜାତିର ଦର୍ଶକମାନଙ୍କୁ ଧିକ୍କାର କରି ତୁରନ୍ତ ପ୍ରେକ୍ଷାଳୟରୁ ବିତାଡ଼ିତ କରାଇ ଦେଇଥାନ୍ତେ। କିନ୍ତୁ ଆମେ ଓଡ଼ିଆ ଶାନ୍ତିପ୍ରିୟ ଓ ସହନଶୀଳ! ପୁଣି ଲାଗୁଛି ଯେ କଳିଙ୍ଗ ଯୁଦ୍ଧ ପରାଜୟ ପରେ ହୁଏତ କ୍ଳୀବ ହୋଇଯାଇଛୁ!
କେବଳ ଯେ ଆମ ଦର୍ଶକ ସମ୍ବେଦନବିହୀନ ତାହା ନୁହେଁ, କେତେକ ଆୟୋଜକ ମଧ୍ୟ କାର୍ଯ୍ୟକ୍ରମଟିକୁ ନିର୍ଦ୍ଧାରିତ ସମୟରେ ଆରମ୍ଭ ନ କରି, ଦର୍ଶକମାନଙ୍କ ଧୈର୍ଯ୍ୟ ପରୀକ୍ଷା କରିବାରେ ଅଦ୍ଭୁତ ଆନନ୍ଦ ପାଇଥାନ୍ତି। ଯେଉଁ କାର୍ଯ୍ୟକ୍ରମରେ କେବଳ ଜଣେ ଦୁଇ ଜଣ ମଞ୍ଚ ଯୋଗ୍ୟ ଅତିଥି ଯଥେଷ୍ଟ, ସେଠାରେ ଅଗଣିତ ଅତିଥିଙ୍କୁ ଆମନ୍ତ୍ରଣ କରି, ସେମାନଙ୍କ ଅଯାଚିତ ଗୁଣଗାନ କରି ପ୍ରତିବଦଳରେ ପେଟ ଭରି ପ୍ରଶଂସା ଆତ୍ମସାତ୍ କରିବା ଅୟୋଜକମାନଙ୍କ ଏକମାତ୍ର ଲକ୍ଷ୍ୟ ମନେହୁଏ।
ଭିଆଇପି ଅତିଥିଗଣ ମଧ୍ୟ ନିଜ କଣ୍ଠ ସ୍ୱରରେ ସମ୍ମୋହିତ ହୋଇ ଦୀର୍ଘ ଭାଷଣରେ ଶ୍ରୋତାମାନଙ୍କୁ ଅତିଷ୍ଠ କରିପକାନ୍ତି। ବାରମ୍ବାର ଏ ପ୍ରକାର ସାମୂହିକ ଅତ୍ୟାଚାର ସହ୍ୟ କରିବା ପରେ ଦର୍ଶକମାନେ ଏ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ବୀତସ୍ପୃହ ହୋଇପଡ଼ନ୍ତି। ଏ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଚୟନର ଆଧାର ମଧ୍ୟ ବିଚିତ୍ର। ଉଚ୍ଚ ପଦରେ ଥିବା ପ୍ରଶାସନିକ ଅଧିକାରୀ ବା ରାଜନୈତିକ ନେତାମାନେ ଯେ କଳାପ୍ରେମୀ ହେବେ, ସେଥିରେ କୌଣସି ଗ୍ୟାରେଣ୍ଟି ନାହିଁ। ଅଥଚ ସେହିମାନଙ୍କୁ ବାରମ୍ବାର ଅତିଥି କରାଯାଏ। ଏହା କଳାର ଅପମାନ।
ଅନ୍ୟ ଏକ ରସଭଙ୍ଗକାରୀ ଦଳ ହେଲେ ଫଟୋଗ୍ରାଫର। କାର୍ଯ୍ୟକ୍ରମର ସବୁଠାରୁ ରୋଚକ ମୁହୂର୍ତ୍ତରେ ସେମାନେ ସିଧା ମଞ୍ଚ ନିକଟକୁ ଚାଲିଯାଇ ଦର୍ଶକମାନଙ୍କ ଦୃଷ୍ଟିପଥ ଅବରୋଧ କରି ଫଟୋ ଉଠାନ୍ତି। ବିଚରା ଦର୍ଶକମାନେ ନାଟକ ମଞ୍ଚ ଦେଖିବାରୁ ବଞ୍ଚିତ ହୋଇ ଫଟୋଗ୍ରାଫରମାନଙ୍କ ପଶ୍ଚାତ୍ ଭାଗ ଦର୍ଶନ କରି ସନ୍ତୁଷ୍ଟ ରହନ୍ତି।
ଆଉ ଏକ ବେରସିକ ପ୍ରଜାତି ହେଉଛନ୍ତି ଘୋଷକ ଅଥବା ଘୋଷିକା। ନାଟକଟି ଆରମ୍ଭ ହେବା ପୂର୍ବରୁ ନାଟକଟିର ସମ୍ପୂର୍ଣ୍ଣ କାହାଣୀଟି ବିସ୍ତାରରେ ବର୍ଣ୍ଣନା କରି ସେମାନେ ଦର୍ଶକମାନଙ୍କର ଉତ୍କଣ୍ଠା ଉପରେ ଥଣ୍ଡା ପାଣି ଢାଳିଦିଅନ୍ତି। କାରଣ ନାଟକାନ୍ତ ‘କ୍ଲାଇମାକ୍ସ’ ଦେଖିବା ଲାଗି ଦର୍ଶକ ମୂଳରୁ ଆଗ୍ରହୀ ଥାଆନ୍ତି।
ଶେଷରେ ଏତିକି କହିବି ଯେ ଓଡ଼ିଆ ଦର୍ଶକ ବେରସିକ ହେବାର କାରଣ ହିଁ ଆମେ ସମସ୍ତେ। ସମୟାନୁବର୍ତ୍ତିତା, ସଂକ୍ଷିପ୍ତ ବକ୍ତବ୍ୟ, ନିରାଡ଼ମ୍ବର କାର୍ଯ୍ୟକ୍ରମ ତଥା ଉଚ୍ଚକୋଟୀର କଳା ପ୍ରଦର୍ଶନ ହିଁ ଦର୍ଶକମାନଙ୍କୁ ବାନ୍ଧି ରଖିପାରିବ। ବେଳ ଥାଉ ଥାଉ ଏ ସମସ୍ତ ଅବ୍ୟବସ୍ଥାର ସୁଧାର ହେଉ। ତାହା ନ ହେଲେ ସେହି ଲୋକପ୍ରିୟ ଓଡ଼ିଆ ଗୀତ ଅନୁକରଣରେ ଲେଖାଯିବ, ‘ପ୍ରେକ୍ଷାଳୟର ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ!’
ମୋ: ୭୮୬୭୦୦୨୦୨୪
ବେରସିକ ଓଡ଼ିଆ
ମନୋଜ ପରିଡ଼ା
/sambad/media/post_attachments/wp-content/uploads/2024/03/gdjgdgjgjgj-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)