ନବ ନିର୍ମିତ ପୋଲ ଉଦ୍ଘାଟନ ସମୟରେ ନେତାଜଣକ ନଡ଼ିଆଟିକୁ ଯେତେ ବାଡ଼େଇଲେ ବି ସେଇଟା ଭାଙ୍ଗିଲା ନାହିଁ। ଉପସ୍ଥିତ ଲୋକମାନେ ତେଣୁ ମୁରୁକି ମୁରୁକି ହସିବାକୁ ଲାଗିଲେ। ନେତା ଏହା ତାଙ୍କର ଅକ୍ଷମତା ପ୍ରତି ଉପହାସ ଭାବି ନିଜର ସବୁ ଶକ୍ତି ପ୍ରୟୋଗ କରି ନଡ଼ିଆଟିକୁ ପୋଲ ଉପରେ ଖୁବ୍ ଜୋରରେ ପିଟିଦେଲେ। ନଡ଼ିଆ ଭାଙ୍ଗିଲା କି ନାହିଁ ଜଣାପଡ଼ିଲା ନାହିଁ କିନ୍ତୁ ନଡ଼ିଆ ମାଡ଼ରେ ପୋଲଟି ଭାଙ୍ଗିଗଲା। ଅନେକ ଲୋକ ଖଣ୍ଡିଆଖାବରା ହୋଇଗଲେ। ନେତା ମରୁ ମରୁ ବଞ୍ଚିଗଲେ। ତଦନ୍ତରୁ ନଡ଼ିଆଟିର ଦୋଷ ବାହାରିଲା। ତେଣୁ ନଡ଼ିଆ ଦୋକାନୀକୁ ପୋଲ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇ ହାଜତକୁ ପଠେଇ ଦିଆଗଲା।
ବନ୍ଧୁଗଣ, ଏହା ବର୍ତ୍ତମାନ ଦିଲ୍ଲୀର ଏକ କୋଚିଙ୍ଗ ସେଣ୍ଟର୍ର ଭୂତଳ ଲାଇବ୍ରେରିରେ ବର୍ଷା ଜଳରେ ବୁଡ଼ି ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପାଇଁ ରାସ୍ତାରେ ଯାଉଥିବା ଏକ ଗାଡ଼ିର ଚାଳକକୁ ଗିରଫ କରି ହାଜତକୁ ପଠେଇ ଦେବା ସହିତ ସମାନ ନୁହେଁ କି? ଗାଡ଼ି ଚାଳକର ଦୋଷ ଏତିକି ଥିଲା ଯେ ସେ ପ୍ରବଳ ବର୍ଷାରେ ଜୋରରେ ଗାଡ଼ି ଚଳାଉଥିବାରୁ ଚକରୁ ଉଚ୍ଛୁଳା ପାଣି କୋଚିଂ ସେଣ୍ଟର୍ ସାମନାରେ ଥିବା ଏକ ବନ୍ଧକୁ ଭାଙ୍ଗିଦେଲା। ଏହା ଫଳରେ ସଡ଼କର ପାଣି ସବୁ କୋଚିଂ ସେଣ୍ଟର୍ ଭିତରକୁ ପଶିଗଲା, ଯେଉଁଥିରେ ଉବୁଟୁବୁ ହୋଇ ତିନି ଜଣ ଛାତ୍ରଛାତ୍ରୀ ମରିଗଲେ। ସିସିଟିଭି କ୍ୟାମେରାରୁ ଚାଳକକୁ ଚିହ୍ନଟ କରାଗଲା ଓ ତୁରନ୍ତ ତାକୁ ଗିରଫ କରାଯାଇ ହାଜତକୁ ପଠେଇ ଦିଆଗଲା। ଏହାଠାରୁ ଉଦ୍ଭଟ କଥା ଆଉ କ’ଣ ଥାଇପାରେ?
ଚାଳକଜଣକ ସହିତ ଅନ୍ୟ ଅଭିଯୁକ୍ତ ହେଲେ ଉକ୍ତ କୋଚିଂ ସେଣ୍ଟର୍ର ମାଲିକ ଯିଏ କି ବର୍ଷ ବର୍ଷ ଧରି ବେସ୍ମେଣ୍ଟ ଭିତରେ ଲାଇବ୍ରେରି ଚଳାଉଥିଲେ। ବେସ୍ମେଣ୍ଟ ଭିତରେ ଲାଇବ୍ରେରି ଥିବାରୁ ଛାତ୍ରଛାତ୍ରୀମାନେ ସେଠାରେ ରହି ପଢ଼ାପଢ଼ି କରୁଥିଲେ ଆଉ ପାଣିରେ ବୁଡ଼ି ମରିଗଲେ। ତେଣୁ ସିଏ ମଧ୍ୟ ଗିରଫ ହୋଇ ହାଜତକୁ ଗଲେ। ଦୁର୍ଭାଗ୍ୟକୁ ଏହି କୋଚିଂ ସେଣ୍ଟର୍ ଦିଲ୍ଲୀର ଏକ ନାମୀଦାମୀ ଘରୋଇ ସଂସ୍ଥା। ଥରେ ଭାବନ୍ତୁ ତ ଏହା ଯଦି ଘରୋଇ ସଂସ୍ଥା ନ ହୋଇ ଏକ ସରକାରୀ ସଂସ୍ଥା ହୋଇଥାନ୍ତା, ତେବେ ଏହାର ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ଗିରଫ ହୋଇ ହାଜତକୁ ଯାଇଥାନ୍ତେ କି?
ଆପଣମାନଙ୍କର ମନେ ଥିବ ନିକଟରେ ଭୁବନେଶ୍ୱର ସହରର ଏକ ମୁକୁଳା ଡ୍ରେନ୍ରେ ତାରଜାଲି ଲାଗି ନ ଥିବାରୁ ପିଲାଟିଏ ଖେଳୁ ଖେଳୁ ଗଳି ପଡ଼ିଲା ଆଉ ନଳା ପାଣିରେ ଭାସି ଯାଇ ମରିଗଲା। ଏଥିପାଇଁ ମ୍ୟୁନିସିପାଲିଟିର କୌଣସି ପଦସ୍ଥ ଅଧିକାରୀ ଗିରଫ ହେଲେ କି? ବିଭାଗୀୟ ଯନ୍ତ୍ରୀଙ୍କୁ ହାଜତ ପଠେଇ ଦିଆଗଲା କି? ପ୍ରତି ବର୍ଷ ବର୍ଷା ଦିନେ ରାସ୍ତା ଉପରେ ଥିବା ଅଜଣା ମ୍ୟାନ୍ହୋଲ୍ଗୁଡ଼ିକରେ ଲୋକମାନେ ଗଳି ପଡୁଛନ୍ତି। ଏହାର ଦାୟିତ୍ୱରେ ଥିବା କୌଣସି ଅଧିକାରୀ ଗିରଫ ହୋଇଛନ୍ତି କି? ଗଁାର ବିିଲବାଡ଼ି ଭିତରେ ଥିବା ଅବ୍ୟବହୃତ ନଳକୂପ ଭିତରେ ଛୋଟ ଛୋଟ ପିଲାମାନେ ଗଳି ପଡ଼ି ମୃତ୍ୟୁବରଣ କରୁଛନ୍ତି। ପ୍ରତି ବର୍ଷ ଥରେ କି ଦି’ଥର ଆପଣମାନେ ଟିଭିରେ ଓ ଖବରକାଗଜମାନଙ୍କରେ ଏମାନଙ୍କର ଉଦ୍ଧାର କାର୍ଯ୍ୟର ଧାରା ବିବରଣୀ ଦେଖିଥିବେ କିମ୍ବା ପଢ଼ିଥିବେ। ଏ ନେଇ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି କି?
ଏ ପର୍ଯ୍ୟନ୍ତ ବି ପିଲାମାନେ ନଳା ପାଣିରେ ବୁଡ଼ି ମରୁଛନ୍ତି, ଖୋଲା ମ୍ୟାନ୍ହୋଲ୍ରେ ଗଳି ପଡୁଛନ୍ତି ଓ ନଳକୂପ ଭିତରେ ପଡ଼ି ମୃତ୍ୟୁବରଣ କରୁଛନ୍ତି; ଆଉ ଯେହେତୁ ଏ ସବୁ ସରକାରୀ, ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଗୋଟିଏ ନଗଦ ଉଦାହରଣ ଦେଉଛି। ନିର୍ଦ୍ଧାରିତ ଦର ଠାରୁ ଅଧିକ ଦାମରେ ଆଳୁ ବିକିଲେ ହାଟରେ ବସିଥିବା ବେପାରୀମାନେ ଗିରଫ ହେଉଛନ୍ତି କିନ୍ତୁ ଏଥିପାଇଁ ଦାୟୀ କିଏ? ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ଆଳୁ ମିସନ ଫେଲ୍ ହୋଇଗଲା ଓ କାହିଁକି ଫେଲ୍ ହୋଇଗଲା ଏହା ଉପରେ ଅନୁସନ୍ଧାନ କରି କୌଣସି ବିଭାଗୀୟ ଅଧିକାରୀ ଗିରଫ ହୋଇଛନ୍ତି କି? ଯଦି ହୋଇ ନାହାନ୍ତି, ତେବେ ରାସ୍ତା କଡ଼ରେ ବସି ବିକୁଥିବା ଏ ଛୋଟମୋଟ ଆଳୁ ଦୋକାନୀଗୁଡ଼ାଙ୍କୁ କାହିଁକି ବାନ୍ଧି ପକଉଛନ୍ତି?
ଏଥିରେ ଦ୍ୱିମତ ନାହିଁ ଯେ ଦିଲ୍ଲୀ ଦୁର୍ଘଟଣା ପାଇଁ କୋଚିଂ ସେଣ୍ଟର୍ର ମାଲିକ ହିଁ ଦାୟୀ, କିନ୍ତୁ ପ୍ରଶ୍ନ ଉଠେ ଦୀର୍ଘ ପଚିଶ ବର୍ଷ ଧରି ଏହିପରି ଏକ କୋଚିଂ ସେଣ୍ଟର୍ ଦିଲ୍ଲୀର ଏକ ପେଣ୍ଠସ୍ଥଳୀରେ ଚାଲିଥିଲା କେମିତି? ଦୁର୍ଘଟଣା ଘଟିବାରୁ କେବଳ ଏହି କୋଚିଂ ସେଣ୍ଟର୍ ନୁହେଁ, ଦିଲ୍ଲୀଯାକ ଯେତେ କୋଚିଂ ସେଣ୍ଟର୍ ସମସ୍ତଙ୍କର ତନାଘନା ଚାଲିଛି; କିନ୍ତୁ କିଛି ଲାଭ ହେବନାହିଁ। ଅସଲ ମୂଳଟିକୁ ନ କାଟି କେବଳ ଡାଳଗୁଡ଼ିକ କାଟିଦେଲେ କ’ଣ ହେବ? ଏ ବର୍ଷ ସିନା କାଟିଦେବେ, ହେଲେ ଆର ବର୍ଷକୁ ଏଗୁଡ଼ିକ ପୁଣି କଅଁଳି ଉଠିବନି କି?
ମୂଳ ହେଉଛି ଦିଲ୍ଲୀ ନଗର ନିଗମ, ଯାହା ଯୋଗୁଁ ଏ ସମସ୍ତ କେଳେଙ୍କେରି ଚାଲିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ନଗର ନିଗମର କୌଣସି ଅଧିକାରୀ ଗରିଫ ହେବା ତ ଦୂରର କଥା, ବରଖାସ୍ତ ମଧ୍ୟ ହୋଇନାହାନ୍ତି। କୋଚିଂ ସେଣ୍ଟର୍ ଓ ନଗର ନିଗମ, ଦୁହେଁ ମିଳିମିଶି କେଳେଙ୍କେରି କଲେ, ବନ୍ଧା ହେଲା ବେଳକୁ କେବଳ କୋଚିଂ ସେଣ୍ଟର୍ ମାଲିକ କାହିଁକି? ପଣସ ଦୁହେଁ ମଳିମିଶି ଖାଇଲେ, କିନ୍ତୁ ଅଠା ବୋଳିଲା ବେଳକୁ କେବଳ କୋଚିଂ ସେଣ୍ଟର୍ ମାଲିକ ହିଁ ମୁହଁ ଦେଖେଇବାକୁ ବାଧ୍ୟ ହେଲେ।
ଏ ସବୁ କଥା ଦେଖିଲେ ଆମ ପିଲା ଦିନର ଢଗଢମାଳିରୁ କଥାଟିଏ ମନେ ପଡ଼ିଯାଏ। କଥାଟି ହେଉଛି ଫୁଲ ଗଛଟିଏ ମରିଗଲା। ଗଛଟିର ଦାୟିତ୍ୱ ନୂଆବୋହୂ ହାତରେ ଥିଲା। ନୂଆବୋହୂ ପାଣି ନ ଦେବାରୁ ହିଁ ଗଛଟି ମରିଗଲା, କିନ୍ତୁ ନୂଆବୋହୂ ସଫେଇ ଦେଲା ଯେ ସେ ପାଣି ଦେଇପାରିଲା ନାହିଁ, କାରଣ ସେଇ ସମୟରେ ତା’ର ପିଲାଟି କାନ୍ଦିଲା ଆଉ ପିଲାଟି ସଫେଇ ଦେଲା ଯେ ତାକୁ ଗୋଟେ ଧୂଳିଆ ଜନ୍ଦା କାମୁଡ଼ି ଦେଲା। ବର୍ତ୍ତମାନ ଆମେ ସମସ୍ତେ ଏହି ଧୂଳିଆ ଜନ୍ଦା ଓ ତା’ ପିଲାମାନଙ୍କୁ ଗିରଫ କରିବାକୁ ଲାଗିଛୁ। ନୂଆବୋହୂକୁ କିଛି କହିବାକୁ କେହି ସାହସ କରୁନାହାନ୍ତି।
ମୋ: ୯୪୩୭୦୬୭୫୬୭
ସତ କହୁଛି: ଦାୟୀ କିଏ?
ଶ୍ୟାମସୁନ୍ଦର ଅଗ୍ରୱାଲା