ମୃଣାଳ ସେନଙ୍କ ନିର୍ଦ୍ଦେଶିତ ‘ମୃଗୟା’ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଶ୍ରେଷ୍ଠ ଅଭିନେତା ପୁରସ୍କାରପ୍ରାପ୍ତ ହେବାର ଗୌରବ ଲାଭ କରିଥିଲେ ମିଥୁନ ଚକ୍ରବର୍ତ୍ତୀ। ଅବଶ୍ୟ ସରଳ ଆଦିବାସୀ ଯୁବକ ଘିନୁଆର ଚରିତ୍ର ନିଖୁଣ ଭାବରେ ପ୍ରସ୍ଫୁଟିତ ହୋଇଥିଲା ତାଙ୍କ ଅଭିନୟରେ। ତେବେ ଏହି ଚଳଚ୍ଚିତ୍ରର କାହାଣୀକାର କିଏ? ଦେଶବ୍ୟାପୀ ଏହାର ମୁଗ୍ଧ ଦର୍ଶକମାନେ ଝୁଣ୍ଟି ପଡ଼ନ୍ତି ଏପରି ପ୍ରଶ୍ନରେ। ବିଶିଷ୍ଟ କଥାଶିଳ୍ପୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପ ଏହି ଚଳଚ୍ଚିତ୍ରର ଆଧାର ବୋଲି ଅଧିକାଂଶ ଓଡ଼ିଶାବାସୀଙ୍କୁ ଅଗୋଚର, ଭାରତର ଦର୍ଶକମଣ୍ଡଳୀଙ୍କ କଥା ପଚାରେ କିଏ? ‘ଦେବଦାସ’ ଚଳଚ୍ଚିତ୍ର କଥା ଭାବିଲା କ୍ଷଣି ଧୋତି ପଞ୍ଜାବୀ ପରିହିତ ମଦିରାସକ୍ତ ଶାହରୁଖ ଖାଁଙ୍କ ଛବି ପ୍ରାୟ ସଭିଙ୍କ ଆଖି ଆଗରେ ଭାସିଉଠେ। ଶରତଚନ୍ଦ୍ରଙ୍କ ଚେହେରା କେତେଜଣଙ୍କୁ ଦିଶେ? ଉହାଡ଼ରେ ରହିବା କ’ଣ ସ୍ରଷ୍ଟାର ଲଲାଟ ଲିଖନ?
ଓଡ଼ିଆରେ କେବଳ ନୁହେଁ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ ତାମିଲ ଆଦି ଭାଷାରେ ଅନେକ ସୁପ୍ରତିଷ୍ଠ ଲେଖକଙ୍କ ଗଳ୍ପ, ଉପନ୍ୟାସ ଓ ନାଟକ ଭିତ୍ତିରେ ଚଳଚ୍ଚିତ୍ର ନିର୍ମିତ ହୋଇଛି। କିନ୍ତୁ ନାୟକ, ନାୟିକା ଓ ନିର୍ଦ୍ଦେଶକଙ୍କ ଆଭିଜାତ୍ୟ ଭିତରେ ଗୌଣ ହୋଇଯା’ନ୍ତି ଲେଖକମାନେ। ‘ଛମାଣ ଆଠ ଗୁଣ୍ଠ’ ଚଳଚ୍ଚିତ୍ର ଦେଖି କେହି କେମିତି ଫକୀରମୋହନଙ୍କୁ ହୁଏତ ମନେ ପକାଇଥିବେ। ସେମାନଙ୍କର ସଂଖ୍ୟା କେତେ? କାହ୍ନୁଚରଣଙ୍କ ‘କା’, ‘ଶାସ୍ତି’ ଓ ‘ତୁଣ୍ଡ ବାଇଦ’ ଉପନ୍ୟାସ ଆଧାରରେ ସିନେମା ପ୍ରସ୍ତୁତ ହୋଇଛି ଓଡ଼ିଆରେ। ଉପେନ୍ଦ୍ର କିଶୋରଙ୍କ ‘ମଲାଜହ୍ନ’, ବସନ୍ତ କୁମାରୀ ପଟ୍ଟନାୟକଙ୍କ ‘ଅମଡ଼ା ବାଟ’, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, ବିଭୂତି ପଟ୍ଟନାୟକଙ୍କ ‘ବଧୂନିରୁପମା’ ଆଦି ଉପନ୍ୟାସ ସିନେମାର ରୂପ ନେଇଥିବା ବେଳେ ରାମଚନ୍ଦ୍ର ମିଶ୍ରଙ୍କ ନାଟକ ‘ଘର ସଂସାର’ ଓ ‘ଭାଇ ଭାଉଜ’, ବିଜୟ ମିଶ୍ରଙ୍କ ନାଟକ ‘ଯାଯାବର’ ଓ ବସନ୍ତ କୁମାର ମହାପାତ୍ରଙ୍କ ନାଟକ ‘ଶେଷ ଶ୍ରାବଣ’ ଚଳଚ୍ଚିତ୍ର ଭାବରେ ବେଶ୍ ସମାଦୃତ। ମନୋଜ ଦାସଙ୍କ ଗଳ୍ପ ‘ଲକ୍ଷ୍ମୀର ଅଭିସାର’ ଓ ପ୍ରତିଭା ରାୟଙ୍କ ଗଳ୍ପ ‘ମୋକ୍ଷ’ ଚଳଚ୍ଚିତ୍ରରେ ରୂପାୟିତ ହୋଇ ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଦର୍ଶକମାନେ ଏହି ସବୁ କାଳୋତ୍ତୀର୍ଣ୍ଣ କୃତିର ମୂର୍ଦ୍ଧନ୍ୟ ଲେଖକମାନଙ୍କ ବିଷୟରେ ଅଜ୍ଞ। ମନେହୁଏ, ଚଳଚ୍ଚିତ୍ର ଜଗତର ଚିତ୍ତାକର୍ଷକ ଆଭାରେ ସ୍ରଷ୍ଟାମାନେ ମ୍ଳାନ।
ଗୀତ ସେମିତି ଗାୟକ ଓ ଗାୟିକାଙ୍କୁ ନେଇ ପରିଚୟ ପାଏ। ଗୀତିକାର ହଜିଯାଆନ୍ତି ବିସ୍ମୃତିର କେଉଁ ଘନ କୁହୁଡ଼ିରେ। ଅନେକ ନୂଆପୁରୁଣା ସିନେମା ଗୀତ ଓ ରେକର୍ଡ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟରେ ଉଦ୍ବେଳନ ସୃଷ୍ଟି କରେ। କିନ୍ତୁ କେତେଜଣ କହିପାରିବେ କିଏ ଲେଖିଛନ୍ତି ‘ମୋ ମନ ବୀଣାର ତାରେ ଏ ଅବୁଝା ମୂରୁଛନା’? କିଏ ଲେଖିଛନ୍ତି ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି’? ‘ନଦୀର ନାମ ଅଳସ କନ୍ୟା’ର ଗୀତିକାର କିଏ? କାହା ଲେଖନୀ ନିଃସୃତ ‘ସାଗରେ ଅଧୀର ନୀଳ ତରଙ୍ଗ’ ବା ‘ରକତ ଟଳମଳ ଖଇର ପାଞ୍ଚପଳ’? ଏସବୁ ଗୀତର କଣ୍ଠଶିଳ୍ପୀମାନଙ୍କୁ ଆମେ ଜାଣୁ। କିନ୍ତୁ ଜାଣୁନା ଶବ୍ଦଶିଳ୍ପୀମାନଙ୍କୁ। ଶବ୍ଦବ୍ରହ୍ମ, ସ୍ବରବ୍ରହ୍ମ ଓ ନାଦବ୍ରହ୍ମ ସମନ୍ୱୟରେ ସଙ୍ଗୀତ ଉତ୍କର୍ଷ ଲାଭ କରେ। ଏ କ୍ଷେତ୍ରରେ ନିର୍ମଳା ମିଶ୍ର, ମହମ୍ମଦ ରଫି, ଅକ୍ଷୟ ମହାନ୍ତି, ସିକନ୍ଦର ଆଲାମ୍ ପ୍ରମୁଖ ଯେତିକି ସ୍ମରଣୀୟ, ତତୋଽଧିକ ସ୍ମରଣୀୟ ଜୀବନାନନ୍ଦ ପାଣି, ନାରାୟଣ ପ୍ରସାଦ ସିଂ, ବିନୋଦିନୀ ଦେବୀ ଓ ଶିବବ୍ରତ ଦାସ। ଗାୟକଙ୍କର ସ୍ୱର ଲାଲିତ୍ୟ ଓ ବାଦ୍ୟ ବିଚିତ୍ରା ଭିତରେ ଗୀତିକାରଙ୍କ ପରିଚୟ ହଜିଯାଏ।
ଅନେକ ଭଜନର ଭଣିତାରେ ସାଲବେଗ ବା ବନମାଳୀଙ୍କ ନାମ ଶୁଣି ଶ୍ରୋତାମାନେ ଅବଶ୍ୟ ପୁଲକିତ ହୁଅନ୍ତି। କିନ୍ତୁ ‘ଥକାମନ ଚାଲଯିବା’ ଗୀତର ସେ ଶାରିଆ ଭିକ କିଏ କାହାକୁ ବା ଜଣା? କେତେଜଣ ଜାଣନ୍ତି ମାଧବୀ ଦାସୀଙ୍କ ନାଁ, ଗାଁ, ଠିକଣା? ଶ୍ରୀଚୈତନ୍ୟ ବେଳେବେଳେ ଶ୍ରୀମନ୍ଦିରରେ ଭାବବିହ୍ୱଳ ହୋଇ ଓଡ଼ିଆ ଗୀତ ଗାଉଥିଲେ, “ମନ ମାତିଲାରେ କଳା ଚନ୍ଦ୍ରମାକୁ ଦେଖି”। ଏହାର ଗୀତିକାର ମାଧବୀ ଦାସୀ, ଖୋର୍ଦ୍ଧାର ଏକ ସମ୍ଭ୍ରାନ୍ତ ପରିବାରର କୁଳବଧୂ, ଶ୍ରୀଜଗନ୍ନାଥଙ୍କ ଭକ୍ତ ତଥା ପଞ୍ଚସଖାଯୁଗୀୟ ଓଡ଼ିଆ ଗୀତିସାହିତ୍ୟର ପ୍ରାଣବନ୍ତ ନାରୀ ନିନାଦ! ସେ ଯେମିତି ସଦା ଅଜ୍ଞାତବାସରେ।
ସେନା ବା ଆରକ୍ଷୀ ବାହିନୀର ବାଦ୍ୟର ତାଳେ ତାଳେ ‘ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାଁ ହମାରା’, ‘କଦମ କଦମ ବଢ଼ାଏ ଯା, ଖୁସି କା ଗୀତ ଗାଏ ଯା’ ଆଦି ସ୍ବରଝଙ୍କାର କାହାକୁ ବା ସ୍ପନ୍ଦିତ ନକରେ! କିନ୍ତୁ ଏହି ଅତ୍ୟନ୍ତ ଲୋକାଦୃତ ଦୁଇ ଗୀତର ରଚୟିତାଙ୍କୁ କେତେଜଣ ଜାଣନ୍ତି? ଅବଶ୍ୟ ‘ସାରେ ଜହାଁ ସେ ଅଛା’ ଗୀତର ଗୀତିକାର ମହମ୍ମଦ ଇକବାଲ ବୁଦ୍ଧିଜୀବୀ ମହଲରେ ଜଣାଶୁଣା, ଗୀତ ପାଇଁ ଯେତେ ନୁହନ୍ତି, ତା’ ଠାରୁ ଅଧିକ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଆକସ୍ମିକ ପଟ ପରିବର୍ତ୍ତନ ପାଇଁ। କିନ୍ତୁ ନେତାଜୀଙ୍କ ‘ଆଜାଦ୍ ହିନ୍ଦ୍ ଫୌଜ’ର ସମର ସଙ୍ଗୀତ ବିଷୟରେ ପ୍ରାୟ ସମସ୍ତେ ଅଜ୍ଞ। କୋଟି ହୃଦୟରେ ଦେଶପ୍ରୀତିର ଶିହରଣ ସୃଷ୍ଟି କରୁଥିବା ଏହି କବିତାର ସ୍ରଷ୍ଟା କିଏ? ହିନ୍ଦୀ ସାହିତ୍ୟର ଜଣେ ଯଶସ୍ୱୀ କବି ବଂଶୀଧର ଶୁକ୍ଳ। କେବେ କେହି ତାଙ୍କୁ ସ୍ମରଣ କରନ୍ତି କି? ଏମିତି ଅନେକ ଗୀତର ଝଙ୍କାର ଶ୍ରୋତାମାନଙ୍କ ହୃଦୟରେ ସ୍ପନ୍ଦନ ସୃଷ୍ଟି କରେ। କିନ୍ତୁ ଏହି ସ୍ପନ୍ଦନ ପଛର ବିଶ୍ୱକର୍ମାଙ୍କୁ ଶ୍ରୋତାମାନେ କେବେ ଲୋଡ଼ନ୍ତି ନାହିଁ।
ଶିକ୍ଷା-ସମୃଦ୍ଧ ଭୂଖଣ୍ଡ ଇଂଲାଣ୍ଡର ଅବସ୍ଥା ଏହି ପରିପ୍ରେକ୍ଷୀରେ ଭିନ୍ନ ନୁହେଁ। ‘ଦ ଡିଜାର୍ଟେଟ୍ ଭିଲେଜ୍’ ପରି ପ୍ରସିଦ୍ଧ କବିତାର ସୁପ୍ରସିଦ୍ଧ କବି ଓଲିଭର ଗୋଲ୍ଡସ୍ମିଥ୍ ଲଣ୍ଡନ ଗଳିରେ ଏକ ଅଶ୍ରୁତ ଓ ବିସ୍ମୃତ ଉଚ୍ଚାରଣ। ତାଙ୍କ ସମାଧି ଅନ୍ବେଷଣରେ ଏକଦା ବାହାରିଥିଲେ ବରେଣ୍ୟ କଥାକାର ମନୋଜ ଦାସ। ଅନେକଙ୍କୁ ପଚାରିଲେ କବିଙ୍କ ସମାଧି ପୀଠରେ ଅବସ୍ଥିତି ବିଷୟରେ। ଉତ୍ତରରେ ପାଇଲେ ଏକ ବିକଳ ସ୍ମିତହାସ୍ୟ। ବିଜନ ପଲ୍ଲୀର କବିଙ୍କ ଠିକଣା ବହୁ କସରତ ପରେ ଅବଶ୍ୟ ପାଇଲେ ମନୋଜ ଦାସ, ଯାହା ତାଙ୍କ ‘ଦୂର ଦୂରାନ୍ତର’ ଭ୍ରମଣ ବୃତ୍ତାନ୍ତର ଏକ ମନୋଜ୍ଞ ଅଧ୍ୟାୟ।
ପ୍ରାୟ ସବୁକାଳରେ ସବୁଠି କବିମାନେ ଏମିତି ଖାଲି ‘ନେପଥ୍ୟ-ସଙ୍ଗୀତ’!
ମୋ: ୯୪୩୭୧୪୩୮୯୬
ବହୁବଚନ: ନେପଥ୍ୟ ସଙ୍ଗୀତ
ବିଜୟ ନାୟକ
/sambad/media/post_attachments/wp-content/uploads/2024/08/shsfhsfhsfhsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)