ଜୀବନ ଓ ଅନ୍ତରଙ୍ଗ ମୃତ୍ୟୁ

ଜିତେନ୍ଦ୍ରନାଥ ଗୁରୁ

ମହାଭାରତର ଧର୍ମବକ ପ୍ରସଙ୍ଗରେ ଯେତେବେଳେ ଧର୍ମବକ ଯୁଧିଷ୍ଠିରଙ୍କୁ ସଂସାରର ସବୁଠାରୁ ବିସ୍ମୟକର କଥାଟି କ’ଣ ବୋଲି ପ୍ରଶ୍ନ କରିଥିଲେ, ସେତେବେଳେ ଧର୍ମରାଜ ଯୁଧିଷ୍ଠିର କହିଥିଲେ- “ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଲୟମ୍, ଶେଷାଃ ସ୍ଥାବରମିଚ୍ଛନ୍ତି କିମାଶ୍ଚର୍ଯ୍ୟମ୍ ଅତଃ ପରମ୍”। ଏହାର ଅର୍ଥ ‘ପ୍ରତ୍ୟହ ଏଇ ସଂସାରରୁ ଅହରହ ମନୁଷ୍ୟ ଓ ପ୍ରାଣୀ ଜୀବନ ତ୍ୟାଗ କରି ପରଲୋକ ଗମନ କରୁଥିବା ନିରୀକ୍ଷଣ କରି ସୁଦ୍ଧା ସମସ୍ତେ ଭାବିଥାନ୍ତି ଯେ ସତେ ଯେପରି ସେମାନେ ଚିର ଦିନ ଜୀବନ ଧରି ରହିଥିବେ। ଏହାଠାରୁ ବୋଲି ଆଶ୍ଚର୍ଯ୍ୟ କଥା ଆଉ କ’ଣ ବା ହୋଇପାରେ!’ ସତ କଥା। ଏ ସଂସାରରେ ଏକ ମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ବି ଏଇଠି ଜନ୍ମ ଲାଭ କରିବ, ନିଶ୍ଚିତ ଭାବେ ସେ ମୃତ୍ୟୁବରଣ ମଧ୍ୟ କରିବ। କିନ୍ତୁ ମନୁଷ୍ୟ ଏହି ଚିରନ୍ତନ ସତ୍ୟଟିକୁ ପାଶୋରି ଯାଉଥିବାରୁ ଏବଂ ନିଜକୁ ଅମର ବୋଲି ବିବେଚନା କରୁଥିବାରୁ ନାନା ପ୍ରକାର ଅହମିକା ଓ ବିଭ୍ରାନ୍ତିର ଶିକାର ହୋଇଥାଏ; ଲୋଭ, ଘୃଣା, ବିଦ୍ବେ‌ଷ ଓ ପ୍ରତିଶୋଧକୁ ନିଜ ସାଙ୍ଗରେ ନେଇ ଚାଲେ। ଯଦି ମନୁ‌ଷ୍ୟ ତାର ଜୀବନର କ୍ଷଣ ଭଙ୍ଗୁରତାକୁ ନେଇ ସର୍ବଦା ସଚେତନ ରହନ୍ତା, ତେବେ କ’ଣ ସେ ନିଜ ଜୀବନକୁ ଅଧିକ ମଧୁମୟ କରିବାକୁ ଚାହାନ୍ତା ନାହିଁ କି?

ଏଠାରେ ଅଲଫ୍ରେଡ ହେନେରୀ ମିଲ୍‌ସଙ୍କର ଗୋଟିଏ କବିତାର କିଛି ଅଂଶ ମନେପଡ଼େ। ତହିଁରେ ସେ ଯାହା କହିଛନ୍ତି, ତାର ଭାବାର୍ଥ ହେଲା, ‘ମୁଁ ଯେଉଁ ମହତ୍ କାମ କରିବାକୁ ଚାହୁଁଛି, ତାହା ହୁଏ’ତ ସର୍ବଦା ଫଳବତୀ ହୋଇ ନ ପାରେ- ଯେପରି ପୃଥିବୀକୁ ସର୍ବଦା ନିର୍ମଳ କରି ରଖିବା ବା ସବୁବେଳେ ଆକାଶକୁ ନୀଳ ରଙ୍ଗରେ ଆଚ୍ଛାଦିତ ଥିବା ଦେଖିବା; ହେଲେ ମୁଁ ଛୋଟ ଜିନିଷଟିଏ ତ କରିପାରିବି ଯାହା ଜୀବନକୁ ମଧୁମୟ କରିବାରେ ସହାୟକ ହେବ। ଆକାଶରୁ ଖସି ପଡୁଥିବା ବୁନ୍ଦା ବୁନ୍ଦା ଜଳକୁ ଅବଶ୍ୟ ମୁଁ ରୋକିବାରେ ସକ୍ଷମ ନୁହେଁ। ହେଲେ କ୍ରନ୍ଦନରତ ଶିଶୁର ଚକ୍ଷୁ ଯୁଗଳରୁ ବହି ଯାଉଥିବା ଅଶ୍ରୁ ଧାରାକୁ ତ ପୋଛି ପାରିବି!’ ଏହା ହିଁ ହେଉଛି ଜୀବନକୁ ସାର୍ଥକତା ପ୍ରଦାନ କରିବାର ମୂଳ ସୂତ୍ର। ଯେତେବେଳେ ମୃତ୍ୟୁ ଚେତନା ସକାରାତ୍ମକ ରୂପ ପରିଗ୍ରହଣ କରେ, ସେତିକି ‌େବଳେ ଜୀବନ ଅସାର ବୋଲି ମନେ ନ ହୋଇ ଏକ ମହତ୍ତର ଲକ୍ଷ୍ୟ ବା ଆଦର୍ଶ ଲାଗି ଅଭିପ୍ରେତ ଭଳି ମନେ ହୋଇଥା‌ଏ। ସେତିକି ବେ‌େଳ ମଣିଷ ନିଜ ଜୀବନକୁ ଋଦ୍ଧିମନ୍ତ କରିବା ଲାଗି ଆଗଭର ‌ହୋଇପଡ଼େ ଏବଂ ନିଜ କାମ ଦ୍ବାରା ଅନ୍ୟର ଉପକାର କରିବାକୁ ଆଗ୍ରହୀ ହୁଏ; ତଦ୍ଦ୍ବାରା ସଂସାରର ମଙ୍ଗଳ ହେଉ ବୋଲି ଇଚ୍ଛା କରେ।

ଯେଉଁ ବ୍ୟକ୍ତି ଜୀବନ ଓ ମୃତ୍ୟୁର ଅସଲ ସ୍ବରୂପକୁ ବୁଝିଥାଏ, ସେ ମୃତ୍ୟୁକୁ ଅତ୍ୟନ୍ତ ଅନ୍ତରଙ୍ଗ ବୋଲି ବିଚାର କରି ତାକୁ ହସହସ ହୋଇ ସ୍ବୀକାର କରିପାରେ; ଏପରିକି ସ୍ବାଗତ କରିପାରେ ଯେମିତି କରିଥିଲେ ସକ୍ରେଟିସ୍‌। ଜାତିର ଜନକ ମହାତ୍ମା ଗାନ୍ଧୀ ଆତତାୟୀ ଗୁଳିରେ ମୃତ୍ୟୁ ବରଣ କରିବାର କିଛି ଦିନ ପୂର୍ବରୁ କହିଥିଲେ, ‘ମୁଁ ଯଦି କେବେ କାହାରି ଗୁଳିରେ ମରେ, ତେବେ ତାକୁ ମୋତେ ସହର୍ଷ ସ୍ବୀକାର କରିବାକୁ ହେବ। ଯେତେ ଯାହା ହୋଇଯାଉ ପଛେ ମୋ ଭିତରେ କ୍ରୋଧ ଜାତ ହେବା ଅନୁଚିତ। ସେହି ସମୟରେ ମୋ ହୃଦୟରେ ଆଉ ମୋ ମୁହଁରେ ଈଶ୍ୱର ହିଁ ଅଧିଷ୍ଠିତ ହେବେ।’ ପ୍ରକୃତରେ ତାହା ହିଁ ଘଟିଥିଲା। କ୍ଷୀଣ କଣ୍ଠରେ ‘ହେ ରାମ’ ବୋଲି ଉଚ୍ଚାରଣ କରି ସେ ଟଳି ପଡ଼ିଲେ ସିନା, ସାରା ଜଗତ୍‌କୁ ଦେଖାଇ ଦେଇ ଗଲେ କିଭଳି ମୃତ୍ୟୁକୁ ସହୃଦୟତାର ସହିତ ସ୍ବୀକାର କରି ତା’ ଉପରେ ବିଜୟ ଲାଭ କରି ହୁଏ।

ଶ୍ରୀମଦ୍‌ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନର ଗୂଢ଼ ଜ୍ଞାନ ସମ୍ବନ୍ଧରେ ଉପଦେଶ ଦେଇ ଯାହା କହିଥିଲେ ତାହା ଥିଲା ଏହିଭଳି: ଜୀବନ ପରିଗ୍ରହଣ କରିଥିବା ବସ୍ତ୍ର ହେଉଛି ଏହି ଶରୀର। ମୃତ୍ୟୁରେ ଶରୀରର ବିଲୁପ୍ତି ଅର୍ଥ ପୁରୁଣା ବସ୍ତ୍ରର ବିଲୁପ୍ତି। ପ୍ରକୃତରେ ଜୀବନର ଅନ୍ତ ନାହିଁ, କେବଳ ଶରୀରର ଅନ୍ତ ଅଛି। ଆମେ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ଭଳି ଜୀବନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଆହରଣ କରେ। ତେଣୁ ଜୀବନ ତାର ଚିରନ୍ତନ ପ୍ରବାହ ଜାରି ରଖିଥାଏ। ଭକ୍ତକବି ମଧୁସୂଦନ ରାଓ ତାଙ୍କ କବିତାରେ ସମସ୍ତଙ୍କୁ ଚେତାଇ ଦେଇ କହିଥିଲେ ଯେ ନିଦ୍ରାରତ ମନୁଷ୍ୟମାନେ ନିଦ୍ରା ତ୍ୟାଗ କରି ଦେଖ, କିଭଳି ଜୀବନ ସ୍ରୋତ ନିଃଶବ୍ଦରେ ମୃତ୍ୟୁ ସିନ୍ଧୁକୁ ଭେଟିବାକୁ ଧାଉଁଛି। ଭକ୍ତ କବି ଯେଉଁ ନିଦ୍ରା ପରିହାର କରିବାକୁ କହିଥିଲେ ମନୁଷ୍ୟ ସେହି ନିଦ୍ରା ଦ୍ବାରା ଅଚେତନ ଥିବା କଥା ମହାଭାରତ କାଳରେ ଧର୍ମରାଜ ଯୁଧିଷ୍ଠିର ମଧ୍ୟ କହିଥିଲେ। ସେହି ନିଦ୍ରାକୁ ତ୍ୟାଗ ନ କଲା ପର୍ଯ୍ୟନ୍ତ ମନୁଷ୍ୟ ଘୋର ତମସା ମଧ୍ୟରେ ରହିବ ଏବଂ ଜୀବନର ଅର୍ଥକୁ ଠିକଣା ଭାବେ ହୃଦୟଙ୍ଗମ କରି ତାକୁ ସାର୍ଥକତା ପ୍ରଦାନ କରିବାକୁ ଆଗ୍ରହୀ ହେବ ନାହିଁ। ଏବେ ପ୍ରାୟତଃ ତାହା ହିଁ ହେଉଛି। ନିଜକୁ ଅମର ବୋଲି ବିଚାର କରୁଥିବା ମନୁଷ୍ୟ ଯେତେ ଉଚ୍ଚ ସ୍ଥାନକୁ ଉଠିଲେ ମଧ୍ୟ ଏବଂ ଏ ଜାଗତିକ ବ୍ୟାପାରରେ ଯେତେ ଉନ୍ନତି ହାସଲ କଲେ ମଧ୍ୟ ସୁଶୁପ୍ତି ମଧ୍ୟରେ ରହିଥିବ। ମୃତ୍ୟୁ ଚେତନାକୁ ହୃଦୟଙ୍ଗମ କରିଥିବା ଜାଗ୍ରତ ମନୁ‌‌ଷ୍ୟମାନଙ୍କ ତୁଲ୍ୟ ଜୀବନ ଆଲୋକର ସନ୍ଧାନ ପାଇବ ନାହିଁ।
ମୋ- ୯୪୩୭୧୧୪୮୮୦

ସମ୍ବନ୍ଧିତ ଖବର