ଆମେରିକାରେ ପୁଣି ବନ୍ଧୁକ ଗର୍ଜି ଉଠିଲା। ଯିଏ ଶୁଣିବ, ସିଏ ବୁଲି ବୁଲି ପଚାରିବ କି କେବେ? କାରଣ ସେଠାରେ ବିନା କାରଣରେ, ଅବେଳରେ ଓ ଅଧିକାଂଶ ଅପ୍ରତ୍ୟାଶିତ ସ୍ଥାନରେ ଗୁଳି ବର୍ଷା କରି ଦୁଇ-ପାଞ୍ଚ-ଦଶ ପୁରୁଷ, ମହିଳା କି ଶିଶୁଙ୍କୁ ମାରିଦେବାଟା ସତେ ଯେମିତି ଏକ ସାଧାରଣ ଖବର। ଏହି ଆମେରିକୀୟ ସମାଜରେ ପାଗଳାମି ଯେମିତି ସ୍ବାଭାବିକ ଘଟଣା ପାଲଟିଛି। କିନ୍ତୁ ଏଥର ଯାହା ଘଟିଲା, ସେଥିରେ ପ୍ରାକ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହିଁ ନିଶାଣରେ ଥିଲେ। ଅଳ୍ପ କିଛି ଦୂରତାରୁ ମୃତ୍ୟୁ ତାଙ୍କୁ ଛୁଇଁଦେଇ ଚାଲିଗଲା। ତାଙ୍କ କାନଟି ଯାହା ମୃତ୍ୟୁପଥରେ ଆସିଥିବାରୁ ବିଚରା ସାମାନ୍ୟ ଆଘାତ ପାଇଲା। ଉକ୍ତ ଘଟଣାକୁ ଦେଖିଥିବା ଓ ଜାଣିଥିବା ଏବଂ ତହିଁରୁ ବର୍ତ୍ତିଯାଇଥିବା ସ୍ବୟଂ ଟ୍ରମ୍ପ୍ ବି କହୁଛନ୍ତି ଯେ ଈଶ୍ବର ହିଁ ତାଙ୍କୁ ବଞ୍ଚାଇଦେଲେ। ଏହା ଦୁଃଖଦାୟକ ଯେ, ଆମ ଜୀବନ ଯେତେବେଳେ ବଞ୍ଚିଯାଏ, ସେତେବେଳେ ଆମେ ସାକ୍ଷାତ ଈଶ୍ବରଙ୍କ ଉପସ୍ଥିତି ଅନୁଭବ କରୁ। ଆଉ ଯେତେବେଳେ ଆମେ ଅନ୍ୟର ଜୀବନ ନେଇଥାଉ, ସେତେବେଳେ ଈଶ୍ବର କି ତାଙ୍କ ଉପସ୍ଥିତି କେଉଁଠି ଥାଏ କେଜାଣି? କବୀର କହି ନ ଥିଲେ କି ଦୁଃଖରେ ପଡ଼ିଲେ ସଭିଏଁ ଭଗବାନଙ୍କୁ ସ୍ମରଣ କରନ୍ତି, ସୁଖ ବେଳେ କାହାର ମନେ ପଡ଼େ ନାହିଁ, ଆଉ ଯିଏ ସୁଖରେ ବି ଈଶ୍ବରଙ୍କୁ ସୁମରଣା କରେ, ସେ କାହିଁକି ଦୁଃଖ ଅନୁଭବ କରିବ? ତେଣୁ ଟ୍ରମ୍ପଙ୍କ ଉପରକୁ ହୋଇଥିବା ଗୁଳିମାଡ଼କୁ ସମର୍ଥନ କି ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ। ପ୍ରଶ୍ନ ହେଉଛି ସେଇ ଗୁଳିର ପରିଭାଷାକୁ ବୁଝିବା ଓ ବୁଝାଇବା।
ନିଜ ନିଜ ଦେଶରେ ଗୁଳିର ଭାଷାରେ କଥାବାର୍ତ୍ତା କରୁଥିବା ସମସ୍ତ କ୍ଷମତାଧାରୀ ଏବେ ଆମେରିକାର ଏହି ଗୁଳିର ପରିଭାଷାରେ ବିବ୍ରତ ହୋଇପଡ଼ିଛନ୍ତି- ଅନ୍ତତଃ ଏପରି ମନେ ହେଉଛି। ଦୁନିଆର କିଛି ରାଷ୍ଟ୍ରନେତା ଗୁଳିର ଏହି ପରିଭାଷା ଉପରେ ଆପତ୍ତି ଉଠାଇଛନ୍ତି। ସେମାନଙ୍କ ଭିତରେ ଇସ୍ରାଏଲର ବେଞ୍ଜାମିନ ନେତନ୍ୟାହୁ ଓ ଫ୍ରାନ୍ସର ମାକ୍ରନ୍ ମଧ୍ୟ ରହିଛନ୍ତି। ସେମାନଙ୍କ ସମେତ ଅନ୍ୟମାନେ ମଧ୍ୟ କହିଛନ୍ତି କି, ଆମର ସଭ୍ୟ ସମାଜରେ ଏପରି ହିଂସାର କୌଣସି ସ୍ଥାନ ନାହିଁ। କେହି କେହି ଏ କଥା ମଧ୍ୟ କହିଛନ୍ତି କି, ଲୋକତନ୍ତ୍ରରେ ହିଂସା ଚାଲିପାରିବ ନାହିଁ। ପ୍ରକୃତରେ ସେମାନେ ଏଥିରେ ବିଶ୍ବାସ କରନ୍ତି ବୋଲି ଏପରି କହୁଛନ୍ତି ନା ସେମାନଙ୍କ କହିବା ଅନୁସାରେ ଅନ୍ୟମାନେ ତାହା ବିଶ୍ବାସ କରିବେ ବୋଲି ଏପରି କହୁଛନ୍ତି? ମାମଲା ଭୀଷଣ ଜଟିଳ ଜଣାପଡୁଛି। କାରଣ ମିଛକୁ ସତରେ ପରିଣତ କରିବା ଏବଂ ତାହାକୁ ସତ ଭାବରେ ଗ୍ରହଣ କରିବା ହେଉଛି ସବୁଠୁ ବଡ଼ ବିଡ଼ମ୍ବନା।
ହିଂସା କୌଣସି ଘଟଣା ନୁହେଁ, ଏହା ଏକ ମନୋବୃତ୍ତି। ଯଦି ହିଂସାକୁ ଏକ ପରିଣାମକାରୀ ରାସ୍ତା ବୋଲି କେହି ଅନୁସରଣ କରେ, ତେବେ ସେ ଗାନ୍ଧୀଙ୍କ ହତ୍ୟା ପାଇଁ ସୁଦୀର୍ଘ ଷଡ୍ଯନ୍ତ୍ର କରେ ଏବଂ ଜଣେ ୮୦ ବର୍ଷୀୟ ବ୍ୟକ୍ତି ପ୍ରାର୍ଥନା ସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଭଗବାନଙ୍କ ପାଖକୁ ପଠାଇଦିଏ। ସେଥିପାଇଁ କାହାର ହାତ ଥରେ ନାହିଁ କି ଏତେ ବର୍ଷ ଭିତରେ ମଧ୍ୟ କାହାଠାରେ କେବେ ପ୍ରାୟଶ୍ଚିତ୍ତ କରିବାର ଭାବନା ଦେଖାଯାଇନାହଁ। ଆମେ ଏତେ କାପୁରୁଷ ଯେ ସେହି ହତ୍ୟାର ୭୬ ବର୍ଷ ପରେ ବି ସୁଯୋଗ ମିଳିଲେ ଯଥାସମ୍ଭବ ଗାନ୍ଧୀଙ୍କ ବିରୋଧରେ ଆମେ ଗାଇ ଚାଲିଛନ୍ତି, ଅଥଚ ସେ ହତ୍ୟା ଆମେ କରିଛନ୍ତି ବୋଲି କେହି କହୁନାହାନ୍ତି। ଯିଏ ହିଂସାକାରୀ, ସେ ମଧ୍ୟ କାପୁରୁଷ ହୋଇଥାଏ। ଅର୍ଥାତ୍ କହିବାକୁ ହେଲେ ଯିଏ କାପୁରୁଷ ସିଏ ହିଂସାକାରୀ ହୋଇଥାଏ।
ମୁଁ ମଣିପୁର ହିଂସା ବିଷୟରେ ନ କହିଲେ ବି ମୋତେ ଏକଥା କହିବାକୁ ପଡ଼ିବ ଯେ ମୋଦୀଙ୍କ ନେତୃତ୍ବାଧୀନ ଭାରତ ସରକାର, ନା ୟୁକ୍ରେନ୍ ହିଂସା ସମ୍ପର୍କରେ କହିଛନ୍ତି ନା ଗାଜା ପଟି ହିଂସାକୁ ନିନ୍ଦା କରିଛନ୍ତି। ମିତ୍ରଙ୍କ ହିଂସାଚରଣ ହିଂସା ନୁହେଁ, ଅଥଚ ମିତ୍ର ଉପରେ ହିଂସାକୁ ହିଂସା କୁହାଯିବ। ନୈତିକତାର ଏହି ପରିଭାଷା କେତେ ହିଂସାତ୍ମକ ହୋଇପାରେ, ତାହାର ଆକଳନ କୌଣସି ଗାନ୍ଧୀ ହିଁ କରିପାରିବେ! ୟୁକ୍ରେନ୍ ଓ ଗାଜା ବାବଦରେ ଭାରତର ଏଭଳି ନିରବତା ଓ ଟ୍ରମ୍ପଙ୍କ ଘଟଣାରେ ଏପରି ମୁହଁ ଖୋଲିବା, ଲଜ୍ଜାର କାରଣ ହୋଇପାରେ। ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ଉପରେ ମଧ୍ୟ ବେଞ୍ଜାମିନ ନେତନ୍ୟାହୁ ଆପତ୍ତି ଉଠାଇଥିବା ବେଳେ ତେଣେ ଗାଜାରେ ଜାରି ରହିଥିବା ଅମାନୁଷିକ ଗୁଳି ବର୍ଷଣକୁ ସେ କେବେ ଅଗ୍ରାହ୍ୟ କରିନାହାନ୍ତି। ବିଗତ ଦିନରେ ଫ୍ରାନ୍ସରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ମାକ୍ରନ୍ ଗୁଳିର ଭାଷାରେ ଚୁପ୍ କରାଇଦେଇଥିଲେ। ନିକଟରେ ଯେଉଁ ଆମେରିକାରେ ଏଭଳି ଗୁଳି ଗର୍ଜିଲା, ତାହାର ରାଷ୍ଟ୍ରପତି ଜୋ ବାଇଡେନ୍ ଅଧିକାଂଶ ବିଶ୍ବବିଦ୍ୟାଳୟରେ ପାଲେଷ୍ଟିନୀୟଙ୍କ ନ୍ୟାୟ ପାଇଁ ସମବେତ ହୋଇ ସ୍ବର ଉତ୍ତୋଳନ କରିଥିବା ଛାତ୍ରମାନଙ୍କ ସହ କ’ଣ କରିଥିଲେ?
ନିଜେ ହିଂସାକୁ ପ୍ରବର୍ତ୍ତାଉଥିବା ଓ ନାଗରିକମାନଙ୍କୁ ଆକ୍ରମଣକାରୀ ଗୁଣ୍ଡାରେ ପରିଣତ କରିଥିବା ଡୋନାଲ୍ଡ ଟ୍ରମ୍ପ୍ ହେଉଛନ୍ତି ସ୍ବୟଂ ହିଂସାକୁ ଉତ୍ପ୍ରେରିତ କରୁଥିବା ସବୁଠୁ ବଡ଼ ଅପରାଧୀ। ସେ ଜଣେ ମିଥ୍ୟାବାଦୀ ଓ ଦୁର୍ଘଟଣାବଶତଃ ରାଷ୍ଟ୍ରପତି ହୋଇଥିଲେ ବୋଲି ଆମେରିକାର ଗଣମାଧ୍ୟମ ଲେଖି ଚାଲିଛନ୍ତି। ଏହି ପ୍ରାକ୍ତନ ରାଷ୍ଟ୍ରପତିଙ୍କୁ ମିଳୁଥିବା ବିଶେଷାଧିକାର ସବୁକୁ ପ୍ରତ୍ୟାହାର କରିନେବାକୁ ତାଙ୍କ ବିରୋଧରେ ଅଦାଲତରେ ମାମଲା ମଧ୍ୟ ଜାରି ରହିଛି। ଗତ ରାଷ୍ଟ୍ରପତି ନିର୍ବାଚନରେ ହାରିଲା ପରେ ବି ସେ ଯେଉଁଭଳି ଭାବରେ ଗାଦି ଛାଡ଼ିବାକୁ ପ୍ରସ୍ତୁତ ନଥିଲେ ଏବଂ ଯେଭଳି ଭାବରେ ସେ ନିଜ ସମର୍ଥକମାନଙ୍କୁ କ୍ୟାପିଟଲ ହିଲ୍ସରେ ଧସେଇ ପଶିବା ଲାଗି ଓ ସେଠାରେ ହିଂସା, ଲୁଟପାଟ ଓ ଗଣ୍ଡଗୋଳ ସୃଷ୍ଟି କରିବାକୁ ପ୍ରବର୍ତ୍ତାଇଥିଲେ, ତାହା ଆମେରିକାର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି। ଟ୍ରମ୍ପ୍ ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ, ସେ ପର୍ଯ୍ୟନ୍ତ ହ୍ବାଇଟ୍ ହାଉସ୍ରେ ଶ୍ବେତାଙ୍ଗ ଅହଂକାର, କ୍ଷମତାର ଦୁର୍ଗନ୍ଧ ଓ ଧନଶାଳୀ ଭାବନା ଆଦି କୁସଂସ୍କାର ଆମେରିକାର ପରିଚୟ ହୋଇ ରହିଥିଲା। ଯେପରି ନିର୍ବାଚନରେ ଜିତିବା ଓ ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବାଟା ଭାରତରେ କୌଣସି ନୈତିକ ଶ୍ରେଷ୍ଠତାର ପ୍ରମାଣ ନୁହେଁ, ଆମେରିକାରେ ଠିକ୍ ତାହାର ଓଲଟା ହୋଇଥାଏ। ମୁଁ କହିବି, କେବଳ ଭାରତ କି ଆମେରିକା କାହିଁକି, ସମଗ୍ର ବିଶ୍ବ ପାଇଁ ଏହା ପ୍ରଯୁଜ୍ୟ।
ଯେ କୌଣସିମତେ କ୍ଷମତାରୂଢ଼ ହେବାର ଲାଳସା କିଭଳି ତୀବ୍ର ହୋଇପାରେ, ତାହା ଆମେ ବାଇଡେନ୍ଙ୍କ ଠାରେ ଦେଖିଲେ। ବାଇଡେନ୍ ପୁଣି ଥରେ ରାଷ୍ଟ୍ରପତି ହେବାକୁ କି ପ୍ରୟାସ ନ କଲେ। ନା ତାଙ୍କ ଦଳ ତାଙ୍କୁ ଚାହୁଁଥିଲା ନା ଅଧିକାଂଶ ଆମେରିକୀୟ ଚାହୁଁଥିଲେ! ତାଙ୍କର ଅନ୍ୟ ଯୋଗ୍ୟତାଗୁଡ଼ିକ ବାବଦରେ କୁହା ନ ଗଲେ ମଧ୍ୟ ସମସ୍ତେ ଜାଣୁଥିଲେ ଯେ ଶାରୀରିକ ଦୃଷ୍ଟିରୁ ରାଷ୍ଟ୍ରପତି ହେବା ଲାଗି ବାଇଡେନ୍ ଅନୁପଯୁକ୍ତ। ମାତ୍ର ରାଷ୍ଟ୍ରପତି ହେବା ପାଇଁ ସେ ସବୁ ଦୃଷ୍ଟିରୁ ପାରଙ୍ଗମ ବୋଲି ନିଜକୁ ନିଜେ ବାରମ୍ବାର ପ୍ରମାଣ ଜୁଟାଇବାରେ ଲାଗିଥିଲେ। ଏହାକୁ ତ ଗଣତାନ୍ତ୍ରିକ ହିଂସା ବୋଲି କୁହାଯିବ! ତେବେ, ଯାହା ହେଉ ପରିସ୍ଥିତି ଏମିତି ବାଧ୍ୟ କଲା ଯେ ସେ ରାଷ୍ଟ୍ରପତି ଦୌଡ଼ରୁ ଓହରି ଗଲେ।
ଅସହିଷ୍ଣୁତା, ଘୃଣା, ଅନ୍ଧ ଆସ୍ପର୍ଦ୍ଧା, ମିଥ୍ୟା ଓ ହିଂସା ଆଦି ଅଲଗା ପ୍ରକୃତି ନୁହେଁ, ବରଂ ସମସ୍ତେ ପରସ୍ପରର ସନ୍ତାନ। ସମାଜରେ ଆପଣ ଯେଉଁ ପ୍ରବୃତ୍ତିକୁ ଚଳାଇବେ ବା ଯେଉଁ ମନୋଭାବ ରଖିବେ, ସେଭଳି ତରଙ୍ଗ ହିଁ ଉଠିବ। ଆମେରିକାରେ ନିର୍ବାଚନ ଜ୍ବର ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ଏକ ଉନ୍ମାଦ ଓ ଉତ୍ତେଜନାରେ ପରିଣତ କରିବାକୁ ଡୋନାଲ୍ଡ ଟ୍ରମ୍ପ୍ ପ୍ରୟାସ ଚଳାଇଛନ୍ତି। ସେ ଜାଣିଛନ୍ତି କି, ଆମେରିକୀୟ ସମାଜର ଅନ୍ୟ ଗୋଷ୍ଠୀ ବିରୋଧରେ ଉନ୍ମାଦ ଓ ଅସହିଷ୍ଣୁତା ବିସ୍ତାର କରି ସେ ହ୍ବାଇଟ୍ ହାଉସ୍ରେ ଦ୍ବିତୀୟ ଥର ଲାଗି ପ୍ରବେଶ କରିପାରିବେ। ସେ ତାଙ୍କ ମିତ୍ରମାନଙ୍କ ଠାରୁ ଶିଖିଛନ୍ତି ଯେ ଏପରି କରି କ୍ଷମତା ହାସଲ କରିହେଉଛି। ତେଣୁ ସେ ଦ୍ବିତୀୟ ଥର କ୍ଷମତା ହାସଲ କରିପାରିବେନି କାହିଁକି?
କ୍ଷମତା ଯଦି ସବୁଠୁ ବଡ଼ ସତ୍ୟ, ତେବେ ହିଂସା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ସେଥିପାଇଁ ସମସ୍ତ କ୍ଷମତାଧାରୀ ଏହି ଶକ୍ତିଶାଳୀ ଅସ୍ତ୍ର ଉପରେ ନିଜର ଏକାଧିକାର ଚାହିଁଥାନ୍ତି।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ
ଗୁଳିର ପରିଭାଷା
କୁମାର ପ୍ରଶାନ୍ତ