ରାଜାଙ୍କ ଆତିଥ୍ୟ ଗ୍ରହଣ କରୁଥିବା ପ୍ରତ୍ୟେକ ସାଧୁ, ସନ୍ଥ ଓ ଜ୍ଞାନୀମାନଙ୍କୁ ରାଜାଙ୍କର ଥିଲା ସେହି ଏକ ମାତ୍ର ପ୍ରଶ୍ନ: ‘ମୋର ଶାସ୍ତ୍ରାର୍ଥ କି ନୀତିବାଣୀ ଶୁଣିବାର ଅଭିଳାଷ ନାହିଁ। ମୋର ଗୋଟିଏ ମାତ୍ର ଅନୁରୋଧ; ମୋତେ ଈଶ୍ୱର ଦର୍ଶନ କରାଇ ଦେଇପାରିବେ କି?’
ରାଜାଙ୍କ ସେହି ଅଭିଳାଷଟି କିନ୍ତୁ ଅପୂର୍ଣ୍ଣ ରହୁଥାଏ। ଦିନେ ଜଣେ ଯୁବ ସନ୍ନ୍ୟାସୀ ପହଞ୍ଚିଲେ ରାଜାଙ୍କ ନିକଟରେ। ରାଜା ତାଙ୍କୁ ସେହି ପ୍ରଶ୍ନ କଲେ।
କିଛି କ୍ଷଣ ନିରବ ରହି ସନ୍ନ୍ୟାସୀ କହିଲେ: ‘ମହାରାଜ! ଆପଣଙ୍କୁ ସାକ୍ଷାତାଭିଳାଷୀ କୌଣସି ଅଗାନ୍ତୁକଙ୍କ ପରିଚୟକୁ ଯେପରି ପ୍ରହରୀ ଆପଣଙ୍କୁ ଅବଗତ କଲା ପରେ ଯାଇ ଆପଣ ଅନୁମତି ପ୍ରଦାନ କରନ୍ତି, ସେମିତି ମୁଁ ଈଶ୍ୱରଙ୍କ ଠାରେ ଆପଣଙ୍କ ପରିଚୟ ଦେବା ପରେ ଯାଇ ସାକ୍ଷାତ ଲାଗି ଅନୁମତି ମିଳିବ। ତେଣୁ ଆପଣ ନିଜ ପରିଚୟ ପ୍ରଦାନ କରନ୍ତୁ।’
ରାଜା କହିଲେ: ଓଃ ଏଇ କଥା! ମୁଁ ହେଲି ବିଶାଳ ମାଲ୍ୟବନ୍ତ ସାମ୍ରାଜ୍ୟର ମହାରାଜା। ଏହି ପରିଚୟରେ ମୁଁ ଏ ଖଣ୍ଡମଣ୍ଡଳ ଖ୍ୟାତ।
ସନ୍ନ୍ୟାସୀ କହିଲେ: କିନ୍ତୁ ଏହା ଆପଣଙ୍କ ସ୍ଥାୟୀ ପରିଚୟ ନୁହେଁ। ଆପଣଙ୍କ ରାଜପଦ ଯଦି ଦୈବାତ୍ ଚାଲିଯାଏ, ତେବେ ଆପଣଙ୍କ ପରିଚୟ କ’ଣ ହେବ? ରାଜପଦ, ଧନସଂପଦ, ଐଶ୍ବର୍ଯ୍ୟ, ଯଶ ଇତ୍ୟାଦି ସବୁ କିଛି କ୍ଷଣ ଭଙ୍ଗୁର ଓ ନଶ୍ବର। ଈଶ୍ବର ଏଭଳି ପରିଚୟ ଚାହାନ୍ତି ନାହିଁ। ଆପଣଙ୍କ ପ୍ରକୃତ ପରିଚୟ ଆବଶ୍ୟକ!
ରାଜା ହଡ଼ବଡ଼େଇ ଗଲେ ଓ କହିଲେ- ତେବେ, ମୋ ପରିଚୟ ଦେଇ ଆପଣ ଈଶ୍ବରଙ୍କୁ ଏତିକି କହି ପାରନ୍ତି ଯେ ମୁଁ ଜଣେ ସାଧାରଣ ମନୁଷ୍ୟ।
ସନ୍ନ୍ୟାସୀ କହିଲେ: ତାହା ମଧ୍ୟ ଚଳିବ ନାହିଁ। ମନୁଷ୍ୟ ଭାବେ ମଧ୍ୟ ଆପଣ ନଶ୍ବର। ଆପଣଙ୍କ କିଛି ଶାଶ୍ବତ ପରିଚୟ ଅଛି କି?
ରାଜା ଏବେ ବିକଳ ଦିଶିଲେ। ସେହି ମୁହୂର୍ତ୍ତଟି ସମ୍ଭବତଃ ଥିଲା ଚୈତନ୍ୟ ଉଦୟର କ୍ଷଣ। ସନ୍ନ୍ୟାସୀଙ୍କ କଣ୍ଠ ସ୍ବର ମଧ୍ୟ ଥିଲା ଗମ୍ଭୀର ଓ ଅନ୍ତର୍ଭେଦୀ। ତେଣୁ ସନ୍ନ୍ୟାସୀଙ୍କ ଦ୍ବାରା ଉଚ୍ଚାରିତ ପ୍ରତ୍ୟେକ ଶବ୍ଦ ତାଙ୍କ ହୃଦୟ କନ୍ଦରରେ ପ୍ରତିଧ୍ବନି ସୃଷ୍ଟି କରୁଥିଲା।
ସନ୍ନ୍ୟାସୀ କହିଲେ: ପରମେଶ୍ବର ଯେଉଁ ପରିଚୟ ଚାହାନ୍ତି, ତାହା ସଂସାରରେ ଚଳୁଥିବା ଆମ ପରିଚୟ ନୁହେଁ। ଯେଉଁ ପରିଚୟରେ ‘ମୁଁ’ ବା ‘ମୋର’ ଭଳି ଭାବ ନ ଥିବ, ତାହା ହିଁ ଈଶ୍ବର ଲୋଡୁଥିବା ପ୍ରକୃତ ପରିଚୟ।
ରାଜା କହିଲେ: କିନ୍ତୁ, ‘ମୁଁ’ ବା ‘ମୋର’ ବୋଲି ଭାବ ଓ ଅଭିବ୍ୟକ୍ତି ନ ରହିଲେ ପରିଚୟ ଯେ ମୂଲ୍ୟହୀନ! ତାକୁ ବାଦ୍ ଦେଇ ଆଉ ବା କି ପରିଚୟ ଥାଇପାରେ!
ସନ୍ନ୍ୟାସୀ କହିଲେ: ମନୁଷ୍ୟର କ୍ଷଣଭଙ୍ଗୁର ପରିଚୟ ଏକ ଅସ୍ଥାୟୀ ଠିକଣା ମାତ୍ର, ଯାହା ଆମ ସମସ୍ତଙ୍କୁ ଜଣା। କିନ୍ତୁ ଏହା ତଳେ ଏକ ଶାଶ୍ବତ ପରିଚୟ ମଧ୍ୟ ଥାଏ, ଯାହାର ସନ୍ଧାନ ପାଇବାକୁ ହେଲେ ପ୍ରତ୍ୟେକ ମନୁଷ୍ୟକୁ ତା’ର ଅଭ୍ୟନ୍ତର ପ୍ରଦେଶକୁ ଓହ୍ଲାଇବାକୁ ପଡ଼େ। ଯେଉଁ ମନୁଷ୍ୟ ସେହି ଶାଶ୍ବତ ପରିଚୟର ସନ୍ଧାନ ପାଏ, ସେ ନଶ୍ବର ପରିଚୟରୁ ଊର୍ଦ୍ଧ୍ବକୁ ଉଠିଯାଏ। ତାକୁ ସଂସାର ସ୍ପର୍ଶ କରେନାହିଁ। ତା’ ଚେତନାରେ ସାକ୍ଷୀ ଭାବର ଉଦ୍ରେକ ହୋଇଯାଏ। ଏବଂ ଥରେ ସେହି ଭାବ ଜାତ ହୋଇଗଲେ ପ୍ରକୃତ ପରିଚୟର ଅନ୍ବେଷଣ ସମାପ୍ତ ହୁଏ। ମନୁଷ୍ୟ ନିଜେ ନିଜର ଗୁହ୍ୟ ପରିଚୟଟିକୁ ପାଇଯାଏ, ଯାହା ଈଶ୍ବର ଜାଣିବାକୁ ଚାହାନ୍ତି।
ରାଜାଙ୍କ ମନରେ ଉତ୍ସୁକତା ବଢ଼ି ଯାଇଥିଲା। ସନ୍ନ୍ୟାସୀଙ୍କ ଉପସ୍ଥାପନା ଶୈଳୀ ମଧ୍ୟ ଥିଲା ଐନ୍ଦ୍ରଜାଲିକ ଭାବେ ଆକର୍ଷଣୀୟ।
ସନ୍ନ୍ୟାସୀ ଏବେ ରାଜାଙ୍କୁ କହିଲେ: ଚାଲନ୍ତୁ ଯିବା ଆପଣଙ୍କ ପ୍ରସାଦ ଧାର ଦେଇ ବହି ଯାଉଥିବା ହୀରକବର୍ଣ୍ଣା ନଦୀ କୂଳକୁ। ସେହି ଠାରେ ବୁଝାଇ ଦେବି ସାକ୍ଷୀ ଭାବର ପ୍ରକୃତ ଅର୍ଥ।
ରାଜା ଓ ସନ୍ନ୍ୟାସୀ ନଈ କୂଳରେ ଛିଡ଼ା ହେଲେ। କାଚ କେନ୍ଦୁ ଭଳି ସ୍ବଚ୍ଛ ଜଳରାଶି ସହିତ ମନ୍ଦ ମନ୍ଥର ଗତିରେ ବହି ଚାଲିଥିଲା ହୀରକବର୍ଣ୍ଣା। ଏହା ମାଲ୍ୟାବନ୍ତର ସଂପଦ। ଦୂରରେ ଭାସି ଯାଉଥିଲା ଏକ ସୁଦୃଶ୍ୟ ବର୍ଣ୍ଣାଢ଼୍ୟ ବୋଇତ। କୌଣସି ବିତ୍ତଶାଳୀ ବଣିକଙ୍କ ହୋଇଥିବ ଅବା! ବୋଇତରୁ ଭାସି ଆସୁଥିଲା ଅସ୍ପଷ୍ଟ ସଂଗୀତ। ରାଜାଙ୍କ ମନରେ ଖେଳି ଗଲା ମୃଦୁ ଈର୍ଷା; କାହାର ଏ ବୋଇତ! ପୁଣି ତାଙ୍କ ରାଜ୍ୟରେ? ତାଙ୍କ ନିଜ ବୋଇତ ବି ଏହା ଆଗରେ ମଳିନ ଦିଶିବ!
ସନ୍ନ୍ୟାସୀଙ୍କୁ ମଧ୍ୟ ମିଳିଗଲା ଏକ ଉପଯୁକ୍ତ କ୍ଷଣ। ସେ କହିଲେ: ମହାରାଜ, ଏ ବୋଇତର ପ୍ରତିବିମ୍ବ ଯେମିତି ନଦୀ ଜଳ ଉପରେ ପଡ଼ିଛି, ସେମିତି ଆପଣଙ୍କ ଚକ୍ଷୁ ମଧ୍ୟ ଦେଇ ଆପଣଙ୍କ ମନ ପଟଳ ଉପରେ ମଧ୍ୟ ପଡ଼ିଛି। କିନ୍ତୁ ଆପଣଙ୍କ ଛାତିରେ ଈର୍ଷାର ଜ୍ବଳନଟିଏ ଥିଲା ବେଳେ ନଦୀର ଛାତି ଶୀତଳ। ପ୍ରତିବିମ୍ବଟି ତାକୁ ଆନମନା କରି ଦେଉନାହିଁ। ଏହା ହିଁ ସାକ୍ଷୀ ଭାବ। ସଂପୂର୍ଣ୍ଣ ନିର୍ଲିପ୍ତ ଓ ନିରାସକ୍ତ ଭାବେ ଜୀବନକୁ ଦେଖିବାର କଳା ହେଉଛି ସାକ୍ଷୀ ଭାବ। ଜଣେ ମନୁଷ୍ୟ ଯେତେବେଳେ ଏହି ଭାବର ଅଧିକାରୀ ହୁଏ, ସେତିକି ବେଳେ ସେ ତା’ର ପ୍ରକୃତ ବା ସତ୍ୟ ପରିଚୟର ନିକଟବର୍ତ୍ତୀ ହୋଇଯାଏ।
ରାଜା କଳ୍ପନା ସୁଦ୍ଧା କରି ନ ଥିଲେ ଯେ ତାଙ୍କ ଏକ ପ୍ରଶ୍ନର ଉତ୍ତର ଜୀବନ ଅନୁସନ୍ଧିତ୍ସାର ଦୂଢ଼ତମ ପ୍ରଦେଶକୁ ଘେନିଯିବ! ଅଧିକ ଉତ୍ସୁକତାର ସହିତ ସେ ପଚାରିଲେ: ଏହି ସାକ୍ଷୀ ଭାବ କିଭଳି ଉଦୟ ହୋଇଥାଏ?
ସନ୍ନ୍ୟାସୀ କହିଲେ: ନିଜକୁ ଚିହ୍ନିଲେ ବା ନିଜକୁ ଜାଣିଲେ! କିନ୍ତୁ ସେ ବିଷୟ ମଧ୍ୟ ସଂଶୟମୁକ୍ତ ନୁହେଁ। ନିଜକୁ ଜାଣିବାର ଅର୍ଥ ଅହଂ ଜ୍ଞାନ। କିନ୍ତୁ ତାହା ଅହଙ୍କାର ନୁହେଁ। ବରଂ, ତାହା ଅହଂ ଶୂନ୍ୟତା। ନିଜକୁ ସଂପୂର୍ଣ୍ଣ ଖାଲି ବା ନିଃସ୍ବ କରିଦେଲା ପରେ ହିଁ ପ୍ରକୃତ ଅହଂ ଜ୍ଞାନର ଉଦୟ ହୋଇଥାଏ। ସେତିକିବେଳେ ହିଁ ଜଣେ ପ୍ରକୃତ ପରିଚୟ ସହିତ ମୁହାଁମୁହିଁ ହୋଇଥାଏ।
ରାଜା ଅନେକ ସମୟ ନିରବ ରହିଲେ। ତା’ ପରେ ଧୀରେ କହିଲେ: ତାହା ହେଲେ ମନ ଭିତରେ ସେଭଳି ଭାବ ଫୁଟି ଉଠିଲେ ହିଁ ପ୍ରକୃତ ପରିଚୟ ଉପଲବ୍ଧ ହୋଇଥାଏ। ସେହି ସମୟରେ ରାଜପଦ, ଯଶ ଓ ଐଶ୍ବର୍ଯ୍ୟ ଇତ୍ୟାଦି ସବୁ କିଛି ଆପଣା ଛାଏଁ ପରିତ୍ୟକ୍ତ ହୋଇଯାଆନ୍ତି। ଆମକୁ କିଛି ହେଲେ ପରିତ୍ୟାଗ କରିବାକୁ ପଡ଼େନାହିଁ। ସେଭଳି ସ୍ଥିତିରେ କେବଳ ଈଶ୍ବରଙ୍କ ସାକ୍ଷାତ ସମ୍ଭବ। କାରଣ ସେଭଳି ସ୍ଥିତିରେ ମନୁଷ୍ୟ ତା’ର ସତ୍ୟ ପରିଚୟ ଦ୍ବାରା ପରିଚିତ ହେଉଥାଏ।
ମୋ: ୯୨୩୮୬୧୫୪୭୮
ସତ୍ୟ ପରିଚୟର ସନ୍ଧାନ
ରାଜାଙ୍କ ଆତିଥ୍ୟ ଗ୍ରହଣ କରୁଥିବା ପ୍ରତ୍ୟେକ ସାଧୁ, ସନ୍ଥ ଓ ଜ୍ଞାନୀମାନଙ୍କୁ ରାଜାଙ୍କର ଥିଲା ସେହି ଏକ ମାତ୍ର ପ୍ରଶ୍ନ: ‘ମୋର ଶାସ୍ତ୍ରାର୍ଥ କି ନୀତିବାଣୀ ଶୁଣିବାର ଅଭିଳାଷ ନାହିଁ। ମୋର ଗୋଟିଏ ମାତ୍ର ଅନୁରୋଧ; ମୋତେ ଈଶ୍ୱର ଦର୍ଶନ କରାଇ ଦେଇପାରିବେ କି?’