ନିର୍ବାଚନ ଫଳାଫଳ ଦିନ ‘ଲଲ୍ଲନ୍ଟପ୍’ରେ ଏକ ସାକ୍ଷାତକାର ଚାଲିଥିଲା। ହଠାତ୍ ସୌରଭ ଦ୍ବିବେଦୀ ନିର୍ବାଚନ ଆଲୋଚନା ବନ୍ଦ କରି ମୋତେ ପଚାରିଲେ, ‘‘ଆଚ୍ଛା, ଆପଣ ଅନେକ ସମୟରେ ଆପଣଙ୍କ ଗୁରୁ କିଶନ ପଟ୍ଟନାୟକଙ୍କ କଥା କହନ୍ତି। ଆମ ଦର୍ଶକଙ୍କୁ ତାଙ୍କ ବିଷୟରେ କିଛି କୁହନ୍ତୁ।’’ ମୁଁ ଏଭଳି ପ୍ରଶ୍ନ ପାଇଁ ପ୍ରସ୍ତୁତ ନଥିଲି। ସେହି ସମୟରେ ଯାହା ହୋଇପାରିଲା, ତାହା କହିଦେଲି। କିନ୍ତୁ ସେବେଠାରୁ ମୋ’ ଭିତରେ ଲଗାତାର ସେହି ପ୍ରଶ୍ନ ଘାରିଚାଲିଛି- ମୁଁ କିଶନଜୀଙ୍କ ପରିଚୟ କେମିତି ଦେବି? ତାହାର କୌଣସି ସ୍ପଷ୍ଟ ଉତ୍ତର ଆସୁନଥିଲା। କିନ୍ତୁ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କ ବିଂଶ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ଦିଗରେ ଏକ ପ୍ରୟାସ କରିବାକୁ ତ ପଡ଼ିବ!
କିଶନ ପଟ୍ଟନାୟକ (୧୯୩୦-୨୦୦୪)ଙ୍କର ସବୁଠୁ ସହଜ ପରିଚୟ ହେବ- ସେ ଜଣେ ରାଜନେତା ଥିଲେ, ସମାଜବାଦୀ ନେତା ଥିଲେ, ପୂର୍ବତନ ସାଂସଦ ତଥା ବିକଳ୍ପ ରାଜନୀତିର ସୂତ୍ରଧର ଥିଲେ। ଯୁବାବସ୍ଥାରେ ସେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ମାତ୍ର ୩୨ ବର୍ଷ ବୟସରେ ଓଡ଼ିଶାର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସମାଜବାଦୀ ଆନ୍ଦୋଳନ ବିକ୍ଷିପ୍ତ ହୋଇଯିବା ପରେ ସେ ଲୋହିଆ ବିଚାର ମଞ୍ଚ ସ୍ଥାପନ କରିଥିଲେ। ତା’ପରେ ୧୯୮୦ ମସିହାରେ ଅଣ-ରାଜନୈତିକ ଅସ୍ତ୍ର ରୂପେ ‘ସମତା ସଂଗଠନ’ ଗଢ଼ିଥିଲେ ଏବଂ ତା’ପରେ ୧୯୯୫ରେ ବିକଳ୍ପ ରାଜନୀତିର ବାହକ ରୂପରେ ‘ସମାଜବାଦୀ ଜନ ପରିଷଦ’ ନାମରେ ଏକ ରାଜନୈତିକ ଦଳ ସ୍ଥାପନ କରିଥିଲେ। ଯୁବାବସ୍ଥାରେ ସାଂସଦ ହେବା ସତ୍ତ୍ବେ ସେ ଜୀବନକାଳ ଭିତରେ କୌଣସି ସମ୍ପତ୍ତି ଠୁଳ କରିନଥିଲେ। ଆର୍ଥିକ ସମସ୍ୟା ସତ୍ତ୍ବେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ପୂର୍ବ ସାଂସଦ ଭାବେ ପେନ୍ସନ୍ ମଧ୍ୟ ଗ୍ରହଣ କରିନଥିଲେ। ଦିଲ୍ଲୀରେ ଅନ୍ୟ ସାଂସଦଙ୍କ ଚପରାସୀ କ୍ବାର୍ଟରରେ ସେ ରହୁଥିଲେ। ନିଜର ଜୀବନସଙ୍ଗିନୀ ତଥା ଅଧ୍ୟାପିକା ବାଣୀ ମଞ୍ଜରୀ ଦାସଙ୍କ ଦରମାରେ ଚଳୁଥିଲେ। ସେ ପରିବାର ବିସ୍ତାର କରି ନ ଥିଲେ କି ତାଙ୍କର ବ୍ୟାଙ୍କ୍ ବାଲାନ୍ସ ନଥିଲା। ରାଜନୀତିର ଦୁନିଆ ତାଙ୍କୁ ଏଭଳି ଆଦର୍ଶବାଦୀ ସନ୍ଥ ଭାବରେ ଦେଖୁଥିଲା ଯିଏ ମୁଖ୍ୟଧାରା ରାଜନୀତିରେ ଅସଫଳ ହୋଇଥିଲେ। ନା ସେ ପରବର୍ତ୍ତୀ ସମୟରେ କୌଣସି ନିର୍ବାଚନ ଜିତିଥିଲେ ନା ତାଙ୍କ ଦ୍ବାରା ଗଠିତ ଦଳକୁ ନିର୍ବାଚନୀ ସଫଳତା ମିଳିଥିଲା।
ଯଦି ରାଜନୀତି ଜଗତ କିଶନଜୀଙ୍କର କୌଣସି ସଫଳତାକୁ ମନେ ରଖିବ, ତେବେ ତାହା ଗୁରୁ ଭାବରେ। ବିହାରରେ ଜେପି ଆନ୍ଦୋଳନ ସମୟରୁ କିଶନଜୀଙ୍କ ନେତୃତ୍ବରେ ନୀତୀଶ କୁମାର, ଶିବାନନ୍ଦ ତିଵାରୀ ଓ ରଘୁପତିଙ୍କ ପରି ଅନେକ ଯୁବକ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କାଳକ୍ରମେ ସେମାନେ ମୁଖ୍ୟଧାରା ରାଜନୀତିରେ ଯୋଡ଼ି ହୋଇଥିଲେ। ସମତା ସଂଗଠନ ମାଧ୍ୟମରେ ରାକେଶ ସିହ୍ନା, ସୁନୀଲ, ସ୍ବାତୀ, ସୋମନାଥ ତ୍ରିପାଠୀ, ଯଶବୀର ସିଂହ ଓ ବିଜୟପ୍ରତାପଙ୍କ ଭଳି ଆଦର୍ଶବାଦୀ ରାଜନୈତିକ କାର୍ଯ୍ୟକର୍ତ୍ତାମାନେ ଜନ ଆନ୍ଦୋଳନକୁ ମଜଭୁତ କରିବା ସହ ରାଜନୀତୀକରଣ ଅଭିଯାନରେ ସାମିଲ ହୋଇଥିଲେ। ଏମାନଙ୍କ ବ୍ୟତୀତ ସାରା ଦେଶରେ ଅନେକ କର୍ମକର୍ତ୍ତା, ଆନ୍ଦୋଳନକାରୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ପତ୍ରକାର ଓ ସରକାରୀ କର୍ମଚାରୀ ରହିଛନ୍ତି, ଯେଉଁମାନଙ୍କ ଜୀବନର ମୋଡ଼ କିଶନଜୀଙ୍କ ସଂସ୍ପର୍ଶରେ ଆସିଲା ପରେ ବଦଳିଯାଇଥିଲା। ସେହି ଲମ୍ବା ତାଲିକାରେ ଏହି ଲେଖକ ମଧ୍ୟ ଅନ୍ତର୍ଭୁକ୍ତ।
ଆଜି ଦେଶ ବୋଧହୁଏ ତାଙ୍କୁ ଜଣେ ରାଜନୈତିକ ଚିନ୍ତକ ରୂପରେ ମନେ ପକାଇବ। କିଶନ ପଟ୍ଟନାୟକ ବୋଧହୁଏ ଆଧୁନିକ ଭାରତୀୟ ରାଜନୈତିକ ଚିନ୍ତନ ପରମ୍ପରାର ଶେଷ କଡ଼ି ଥିଲେ। ଏହା ନିଃସନ୍ଦେହ ଯେ, ତାଙ୍କ ଚିନ୍ତାଧାରାର ପ୍ରାରମ୍ଭ ବିନ୍ଦୁ ଥିଲେ ଲୋହିଆ। ତେବେ ତାଙ୍କୁ କେବଳ ଲୋହିଆବାଦୀ କି ସମାଜବାଦୀ ଚିନ୍ତକ କହିବା ଠିକ୍ ହେବନାହିଁ। ବାସ୍ତବରେ, ବିଂଶ ଶତାବ୍ଦୀରେ ଭାରତୀୟ ରାଜନୈତିକ ଦର୍ଶନର ଦୁଇଟି ଭିନ୍ନ ଧାରା ରହିଥିଲା। ଗୋଟିଏ ହେଲା ସମାନ୍ତରାଳ ଧାରା ଓ ଅନ୍ୟଟି ସ୍ବଦେଶୀ ଚିନ୍ତାଧାରା। କିଶନ ପଟ୍ଟନାୟକ ଏହି ଦୁଇଟି ଧାରା ମଧ୍ୟରେ ସେତୁର ଭୂମିକା ନିର୍ବାହ କରି ସେହି ବିଚାରଧାରାକୁ ଏକବିଂଶ ଶତାବ୍ଦୀ ପାଇଁ ପ୍ରାସଙ୍ଗିକ କରାଇଥିଲେ। ସେ ଜୀବନସାରା, ଲେଖାକୁ ନିଜର ରାଜନୈତିକ କର୍ମର ଏକ ଅଂଶ ଭାବେ ବିବେଚନା କରୁଥିଲେ। ପ୍ରଥମେ ରାମ ମନୋହର ଲୋହିଆଙ୍କ ପତ୍ରିକା ‘ମ୍ୟାନ୍କାଇଣ୍ଡ୍’ରୁ ସମ୍ପାଦନା ଆରମ୍ଭ କରିଥିବା କିଶନଜୀ ପରେ ‘ଚୌରଙ୍ଗୀ ବାର୍ତ୍ତା’ ଓ ‘ସାମୟିକ ବାର୍ତ୍ତା’ ପରି ପତ୍ରିକାର ସମ୍ପାଦନା ଭାର ସମ୍ଭାଳିଥିଲେ। ତାଙ୍କ ଆଲେଖ୍ୟଗୁଡ଼ିକ ‘ବିକଳ୍ପ ନେହିଁ ହୈ ଦୁନିଆ’, ‘ଭାରତ ଶୁଦ୍ରୋ କା ହୋଗା’, ‘କିଷାନ ଆନ୍ଦୋଳନ ଦଶା ଔର ଦିଶା’ ଓ ‘ବଦଲାଵ କି ଚୁନୌତି’ ଆଦି ପୁସ୍ତକରେ ସଂକଳିତ ହୋଇଛି। ନିଜର ଲେଖା, ଭାଷଣ ଓ ସମ୍ବାଦ ମାଧ୍ୟମରେ କିଶନଜୀ ସମତାମୂଳକ ବୈଚାରିକ ପରମ୍ପରାରେ ପରିବେଶର ପ୍ରଶ୍ନ ଓ ବିସ୍ଥାପନ ଚିନ୍ତା ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସେ ଆସାମ ଓ ଉତ୍ତର ବେଙ୍ଗଲ ଭଳି ସୀମାନ୍ତରିତ ଅଞ୍ଚଳର ମୂଳନିବାସୀଙ୍କ ଚିନ୍ତାକୁ ହୃଦୟଙ୍ଗମ କରିଥିଲେ, ଜାତି ଓ ଆରକ୍ଷଣର ପ୍ରଶ୍ନ ଉପରେ ସମାଜବାଦୀ ଆଗ୍ରହକୁ ଶାଣିତ କରିଥିଲେ, ରାଷ୍ଟ୍ରବାଦର ସକାରାତ୍ମକ ଶକ୍ତିକୁ ରେଖାଙ୍କିତ କରିଥିଲେ ଏବଂ ଲୋହିଆଙ୍କ ବୈଚାରିକ ପରମ୍ପରା ସହିତ ଗାନ୍ଧୀ ଓ ଆମ୍ବେଦକରଙ୍କ ଐତିହ୍ୟ ମଧ୍ୟରେ ସଂଯୋଗ ସ୍ଥାପନ କରିଥିଲେ।
ଯେଉଁମାନେ ତାଙ୍କୁ ଜାଣିଥିଲେ, ସେମାନେ କିଶନଜୀଙ୍କୁ ଜଣେ ଅସାଧାରଣ ମଣିଷ ଭାବରେ ମନେ ରଖିବେ। ନା ସେ ଦୁଃଖରେ ଭାଙ୍ଗି ପଡୁଥିଲେ ନା ସୁଖରେ ବିଭୋର ହେଉଥିଲେ! ସେ ସଫଳତା ଓ ବିଫଳତା ପ୍ରତି ନିରପେକ୍ଷ ଥିଲେ। ଆତ୍ମପ୍ରଶଂସାଠାରୁ ବହୁ ଦୂରରେ ଥାଇ ଆଖପାଖରେ ଚାଟୁକାରିତାର ପରିବେଶକୁ କଠୋର ଭାବେ ବିରୋଧ କରୁଥିଲେ। ତାଙ୍କର ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧା, ପ୍ରତ୍ୟେକ ଶିଶୁ ପ୍ରତି ଆଗ୍ରହ, ପ୍ରତ୍ୟେକ ମହିଳାଙ୍କ ପ୍ରତି ସମ୍ମାନ ରହିଥିଲା। ନିଜର ସମାଲୋଚନାକୁ ଶୁଣି ସେଥିରୁ ଶିଖିବାର ଦକ୍ଷତା ତାଙ୍କର ଥିଲା। ରାଜନୀତିରେ ରହିବା ସତ୍ତ୍ବେ ତାଙ୍କର ସ୍ବାଭାବିକ ଶାଳୀନତା ଓ ଗଭୀର ସଂକୋଚବୋଧ ରହିଥିଲା। େସ ନିଜ ପାଇଁ ସର୍ବନିମ୍ନ ସ୍ଥାନ ଦଖଲ କରିବାରେ ଆଗ୍ରହୀ ଥିଲେ। ସତ୍ୟ ତାଙ୍କ ଜୀବନର ପ୍ରତ୍ୟେକ ଦିଗକୁ ପରିଭାଷିତ କରୁଥିଲା। ତାଙ୍କ ଉପସ୍ଥିତିରେ ସତ ନ କହିବା କଷ୍ଟକର ବ୍ୟାପାର ଥିଲା। ତାଙ୍କ ସହିତ ରହିବା ହିଁ ବାସ୍ତବରେ ଏକପ୍ରକାର ସତ୍ସଙ୍ଗ ଥିଲା, ସତ୍ୟର ସଙ୍ଗ ଥିଲା। ଆଗାମୀ ପିଢ଼ି କଥା ଛାଡ଼ନ୍ତୁ, ଆଜି ବି ନୂଆ ଲୋକମାନେ ବିଶ୍ବାସ କରନ୍ତି ନାହିଁ ଯେ କୋଡ଼ିଏ ବର୍ଷ ତଳେ ଏଭଳି ଜଣେ ମହାନ ଆଦର୍ଶ ଭାରତୀୟ ରାଜନୀତିରେ ବିଦ୍ୟମାନ ଥିଲେ।
ଏସବୁ ପରିଚୟ ଜରୁରି। କିନ୍ତୁ ଏସବୁ ଅଧାପନ୍ତରିଆ କାରଣ ଏଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ଛାଞ୍ଚରେ ସୀମିତ- ନେତା ବନାମ ସାଧୁ, କାର୍ଯ୍ୟକର୍ତ୍ତା ବନାମ ଚିନ୍ତକ, କ୍ଷମତା ବନାମ ସମାଜ। କିଶନ ପଟ୍ଟନାୟକ ଆମକୁ ଭାରତର ସାର୍ବଜନୀନ ଜୀବନର ସେହି ଯୁଗକୁ ସ୍ମରଣ କରାନ୍ତି, ଯେଉଁଥିରେ ଏକ ରାଜନେତା ଓ ଚିନ୍ତକ ମଧ୍ୟରେ କୌଣସି ପ୍ରଭେଦ ନଥିଲା। ବିଚାର ପ୍ରଦର୍ଶିତ ଦିଗରେ ରାଜନୀତି ଗତିଶୀଳ ହେଉଥିଲା ଏବଂ ରାଜନୀତି ବିଚାରକୁ ବଳ ଦେଉଥିଲେ। କିଶନଜୀଙ୍କୁ ମନେ ରଖିବା ହେଉଛି ଆମ ସଭ୍ୟତାରେ ଜଣେ ସାଧୁଙ୍କର ଭୂମିକାକୁ ମନେ ରଖିବା ସଙ୍ଗେ ସମାନ, ଯାହାଙ୍କର କାମ ଥିଲା ଶାସକଙ୍କୁ ସତ୍ୟର ଦର୍ପଣ ଦେଖାଇବା। କିଶନଜୀ ଆମକୁ ସେହି ମର୍ଯ୍ୟାଦାର କୀଳକ କଥା ମନେ ପକେଇ ଦିଅନ୍ତି, ଯାହା ଆମ ନଜରରୁ ଲୁଚି ରହିଥାଏ, କିନ୍ତୁ ତାହା କାଳକାଳ ଧରି ଆମ ସଭ୍ୟତାର ଆଧାରକୁ ଯୋଡ଼ି ରଖିଛି। କିଶନ ପଟ୍ଟନାୟକଙ୍କୁ ମନେ ରଖିବା ହେଉଛି ସେହି ଭବିଷ୍ୟତକୁ ଜୀବନ୍ତ ରଖିବା ଯେଉଁଠି ରାଜନୀତି ହେଉଛି ଶୁଭକୁ ସତ୍ୟରେ ପରିଣତ କରିବାର କର୍ମଯୋଗ।
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଅଭିଯାନ
କିଶନ ପଟ୍ଟନାୟକ ହେବାର ମାନେ
ନିର୍ବାଚନ ଫଳାଫଳ ଦିନ ‘ଲଲ୍ଲନ୍ଟପ୍’ରେ ଏକ ସାକ୍ଷାତକାର ଚାଲିଥିଲା। ହଠାତ୍ ସୌରଭ ଦ୍ବିବେଦୀ ନିର୍ବାଚନ ଆଲୋଚନା ବନ୍ଦ କରି ମୋତେ ପଚାରିଲେ, ‘‘ଆଚ୍ଛା, ଆପଣ ଅନେକ ସମୟରେ ଆପଣଙ୍କ ଗୁରୁ କିଶନ ପଟ୍ଟନାୟକଙ୍କ କଥା କହନ୍ତି।
/sambad/media/media_files/pzBKtnPNA2jnjyqA8xMP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)