ଗଲା ଅଗଷ୍ଟ ମାସ ୮ ତାରିଖରେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମହମ୍ମଦ ୟୁନୁସ ଦାୟିତ୍ବ ଗ୍ରହଣ କଲେ। ଏ ଯାବତ୍‌ ସେ ସେହି ପଦରେ ରହିଛନ୍ତି। ବାଂଲାଦେଶରେ ବିରାଟ ଜନଅନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରାଣ ବଞ୍ଚାଇ ଭାରତକୁ ପଳାୟନ କରିବା ପରେ ଶାସନର ମଙ୍ଗରେ ଅଛନ୍ତି ୟୁନୁସ ଏବଂ ବସ୍ତୁତଃ ଏବେ ସେ ହିଁ ବାଂଲାଦେଶର ପ୍ରଧାନମନ୍ତ୍ରୀ। ମହମ୍ମଦ ୟୁନୁସ୍ ୧୯୮୩ ମସିହାରେ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ। ‘ମାଇକ୍ରୋ ଫାଇନାନ୍‌ସିଂ’ ଜରିଆରେ ଗ୍ରାମାଞ୍ଚଳର ଦରିଦ୍ର ମହିଳାମାନଙ୍କ ଭାଗ୍ୟରେ ବିପୁଳ ଉନ୍ନତି ଘଟାଇବାରେ ତାଙ୍କର ଅବଦାନ ହେତୁ ସେ ଏହି ସର୍ବଶ୍ରେଷ୍ଠ ସମ୍ମାନ ଲାଭ କରିଥି‌େଲ। ତେବେ, କଥା ହେଲା ନୋବେଲ ପୁରସ୍କାର ବିଜେତାମାନେ ରାଷ୍ଟ୍ର-ମୁଖ୍ୟ ହେବାରେ ମହମ୍ମଦ ୟୁନୁସ୍‌ ଏକୁଟିଆ ନୁହନ୍ତି। ପୂର୍ବରୁ ଏଭଳି କେତେକ ଉଦାହରଣ ରହିଛି।
କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଲେଷ୍ଟର୍‌ ବାଉଲ ପିଅର୍‌ସନ୍‌ (୧୯୬୩-୧୯୬୮) ମଧ୍ୟ ୧୯୫୭ ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିଲେ। ଏହାର କାରଣ ତାଙ୍କ ଯୋଗୁଁ ଏକ ସମ୍ଭାବ୍ୟ ଯୁଦ୍ଧ ଅଗତ୍ୟା ଟଳି ଯାଇଥିଲା। ୧୯୫୬ ମସିହାର କଥା। ଇଜିପ୍‌ଟର ରାଷ୍ଟ୍ର ମୁଖ୍ୟ ନାସେର୍‌ଙ୍କ ଉପରେ ବିଗିଡ଼ିଯାଇ ଗ୍ରେଟ୍‌ ବ୍ରିଟେନ୍‌ ସରକାର ଅସ୍ୱାନ ବନ୍ଧ ନିର୍ମାଣ ସକାଶେ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିଦେଲେ। କ୍ରୁଦ୍ଧ ନାସେର୍‌ ଏହାର ପ୍ରତିକ୍ରିୟା ସ୍ବରୂପ ସୁଏଜ କେନାଲ ଦେଇ ଜାହାଜ ଚଳାଚଳକୁ ବନ୍ଦ କରିଦେଲେ। ଏହା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟ ବାଧାପ୍ରାପ୍ତ ହୋଇଗଲା। ଗ୍ରେଟ୍‌ ବ୍ରିଟେନ୍‌ ଓ ଫ୍ରାନ୍‌ସର ମିଳିତ ସେନା ଇଜିପ୍‌ଟ ଉପରେ ଆକ୍ରମଣ କରିବାକୁ ସଜବାଜ ହେଲେ। ଯୁଦ୍ଧର ବାଦଲ ଘୋଟି ଆସିଲା। ଏତିକି ବେଳେ ପିଅର୍‌ସନ୍‌ ଥାଆନ୍ତି କାନାଡାର ବୈଦେଶିକ ମନ୍ତ୍ରୀ। ତାଙ୍କର ମଧ୍ୟସ୍ଥିତାରେ ତଥା ଆମେରିକା ଓ ସୋଭିଏତ ରୁଷିଆର ହସ୍ତକ୍ଷେପ ଫଳରେ ଯୁଦ୍ଧ ଟଳିଗଲା। ଲେଷ୍ଟର୍‌ ପିଅର୍‌ସନ୍‌ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଲେ। 
ସେମିତି ଥିଲେ ଲେକ୍‌ ୱାଲେସା। ସପ୍ତମ-ଅଷ୍ଟମ ଦଶକରେ ପୋଲାଣ୍ଡର ଏହି ଶ୍ରମିକ ନେତାଙ୍କ ନାମ ପୃଥିବୀର ଘରେ ଘରେ ପରିଚିତ ଥିଲା। କାରଣ, ଶ୍ରମିକ ନିର୍ଯାତନା ଓ ‌େଶାଷଣ ବିରୋଧରେ ତାଙ୍କର ଆନ୍ଦୋଳନ ଓ ସଂଗ୍ରାମର କାହାଣୀ ଓ ସମ୍ବାଦ ପୃଥିବୀ ସାରା ଖବରକାଗଜର ଶିିରୋନାମା ମଣ୍ଡନ କରୁଥିଲା। ୧୯୮୩ ମସିହାରେ ସେ ମଧ୍ୟ ଶାନ୍ତି ଲାଗି ନୋବେଲ ପୁରସ୍କାର ପାଇଥିଲେ। ଅବଲୀଳା କ୍ରମେ ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ହୋଇଥିଲେ ପୋଲାଣ୍ଡର ରାଷ୍ଟ୍ରପତି। 
ଦଖିଣ ଆଫ୍ରିକାର ନେଲ୍‌ସନ୍‌ ମାଣ୍ଡେଲାଙ୍କୁ କିଏ ଅବା ନ ଜାଣେ! ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ପରିସମାପ୍ତିି ପରେ ଯେଉଁ ନୂତନ ସରକାର ପ୍ରତିଷ୍ଠିତ ହେଲା, ତହିଁରେ ସେ ୧୯୯୪ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ହୋଇଥିଲେ। ବର୍ଣ୍ଣ ବୈଷମ୍ୟବାଦୀ ଅତ୍ୟାଚାରୀ ଶ୍ବେତାଙ୍ଗ ଶାସନର ପତନ ଲାଗି ମାଣ୍ଡେଲା ଦୀର୍ଘ ୨୭ ବର୍ଷ କାଳ କାରାଦଣ୍ଡ ଭୋଗିଥିଲେ। ମାଣ୍ଡେଲାଙ୍କୁ ୧୯୯୩ ମସିହାରେ ଶାନ୍ତି ଲାଗି ନୋବେଲ ପୁରସ୍କାର ମିଳିଥିଲା। 
ଏବେ ଆସିବା ଆମ ପଡ଼ୋଶୀ ରାଷ୍ଟ୍ର ମ୍ୟାନ୍‌ମାର୍‌କୁ, ଯେଉଁଠାରେ ଆଙ୍ଗ ସୁ କି ୨୦୧୬ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୯୧ ମସିହାରେ ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ମ୍ୟାନ୍‌ମାର୍‌ର ଏକଛତ୍ରବାଦୀ ସାମରିକ ଶାସକଙ୍କ ବିରୋଧରେ ତାଙ୍କ ଆନ୍ଦୋଳନ ହେତୁ ତାଙ୍କୁ ଅନେକ ବର୍ଷ ଜେଲ୍‌ ଭିତରେ କାଟିବାକୁ ପଡ଼ିଥିଲା। 
ଇଣ୍ଡୋନେସିଆ ନିକଟବର୍ତ୍ତୀ ଏକ କ୍ଷୁଦ୍ର ଦ୍ବୀପ ଯାହାର ନାମ ପୂର୍ବ ତିମୋର। ୨୦୨୨ ମସିହାରୁ ଏହାର ରାଷ୍ଟ୍ରପତି ଭାବରେ ଅଧିଷ୍ଠିତ ଅଛନ୍ତି ଜୋସ ରାମୋସ୍‌ ହୋର୍ଟା। ୧୯୭୫ ମସିହାରେ ଏହି କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେଲା। କିନ୍ତୁ ତତ୍‌କ୍ଷଣାତ୍‌ ଇଣ୍ଡୋନେସିଆ ତାକୁ ଅଧିକାର କରି ନେଲା। ନିଜ ଦେଶକୁ ମୁକ୍ତି କରିବାକୁ ହୋର୍ଟା ଦେଶ ପରେ ଦେଶ ବୁଲି ସମର୍ଥନ ସଂଗ୍ରହ କଲେ। ତାଙ୍କର ଏଭଳି ପ୍ରୟାସ ଫଳରେ ପୂର୍ବ ତିମୋର ୨୦୦୨ ମସିହାରେ ସ୍ବାଧୀନ ହେଲା। ହୋର୍ଟାଙ୍କୁ ୧୯୯୬ ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ରାମୋସ୍‌ ହୋର୍ଟାଙ୍କର ଜୀବନକୁ ଆଧାର କରି ‘ଦ ଡିପ୍ଲୋମାଟ୍‌’ ନାମକ ସିନେମା ମଧ୍ୟ ନିର୍ମିତ ହୋଇଛି। 
ଶାନ୍ତି ଲାଗି ନୋବେଲ ପୁରସ୍କାର ଜିଣିଥିବା ବ୍ୟକ୍ତିବିଶେଷ ବିଭିନ୍ନ ସମୟରେ କେତେକ ଦେଶର ରାଷ୍ଟ୍ରମୁଖ୍ୟ ହୋଇଛନ୍ତି; କାରଣ ସାଧାରଣ ଜନତା ସେମାନଙ୍କ ଠାରୁ ମାର୍ଗଦର୍ଶନ ଚାହିଥାଆନ୍ତି। ଏହି ପରିପ୍ରେକ୍ଷୀରେ ମାଣ୍ଡେଲାଙ୍କ ନାମ ସଦା ସ୍ମରଣୀୟ ହୋଇରହିବ; କାରଣ ବର୍ଣ୍ଣ ବୈଷମ୍ୟବାଦୀ ଶାସନର ଅବସାନ ପରେ ଦକ୍ଷିଣ ଆଫ୍ରିକା ପ୍ରତିଶୋଧ ଓ ହିଂସାର ଆବର୍ତ୍ତ ଭିତରକୁ ନିକ୍ଷେପିତ ହେବାକୁ ଯାଉଥିବା ବେଳେ ନେଲ୍‌ସନ୍‌ ମାଣ୍ଡେଲାଙ୍କ ଦିଗ୍‌ଦର୍ଶନ ସେ ଦେଶକୁ ତହିଁରୁ ରକ୍ଷା କରିବାରେ ସମର୍ଥ ହେଲା। ଫଳରେ ଦକ୍ଷିଣ ଆଫ୍ରିକା ଏକ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇଲା। 
ମୋ: ୯୯୩୭୮୬୩୫୨୮