ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍‍ର ବାସିନ୍ଦା ସୋନାଧର ଗୋଣ୍ଡଙ୍କ ଜୀବନରେ ଘଟିଛି ଏକ ଅଭାବନୀୟ ଘଟଣା। ଦିନ ମଜୁରିଆ ଭାବେ ଜୀବନ ଅତିବାହିତ କରୁଥିବା ସୋନାଧରଙ୍କ ନାମରେ ଆସିଛି ଆୟକର ବିଭାଗର ନୋଟିସ୍‌। ତହିଁରେ କୁହାଯାଇଛି ଯେ ସେ ୧.୪୭ କୋଟି ଟଙ୍କାର କାରବାର କରିଥିବାରୁ ତାଙ୍କ ଉପରେ ୨.୫୯ ଲକ୍ଷ ଟଙ୍କାର ଆୟ କର ବକେୟା ଅଛି। ତେବେ, ଏତେ ବିପୁଳ ଅର୍ଥର କାରବାର ତାଙ୍କ ଦ୍ବାରା କରାଯାଇଥିବା ଏକ ଅତ୍ୟନ୍ତ ଉଦ୍ଭଟ ବିଷୟ। ଏଣେ କିନ୍ତୁ ଆୟକର ବିଭାଗର କହିବା କଥା ୨୦୧୩-୧୪ ସମୟ କାଳ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରେ ଏହି ବିପୁଳ ଅର୍ଥର କାରବାର ହୋଇଥିଲା, ଯାହା ସମ୍ପର୍କରେ ସୋନାଧର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଏବେ ସୋନାଧର କହନ୍ତି ଯେ ଜନୈକ ବ୍ୟବସାୟୀ ତାଙ୍କର ଅଶିକ୍ଷା ଓ ଅସଚେତନତାକୁ ଲକ୍ଷ୍ୟ କରି ତାଙ୍କ ସହିତ ଏଭଳି ଚଞ୍ଚକତା କରିଛନ୍ତି। ତାଙ୍କ ବ୍ୟାଙ୍କ ଖାତାରେ ଏତେ ବିପୁଳ ପରିମାଣର ଅର୍ଥ ନେଣଦେଣ କରିଛନ୍ତି। ତେବେ ଜଣେ ଦିନ ମଜୁରିଆ ହୋଇ ଆୟକର ନୋଟିସ ପାଇଥିବାରୁ ଅନେକ ଥଟ୍ଟାରେ ସୋନାଧରଙ୍କୁ ‘ଭାଗ୍ୟବାନ’ ବୋଲି କହିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି।

Advertisment

ଏଠାରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଖୋଲା ଯାଇଥିବା କୋଟି କୋଟି ବ୍ୟାଙ୍କ ଆକାଉଣ୍ଟରେ ‘ବିମୁଦ୍ରୀକରଣ’ କାଳରେ ଜମା ହୋଇଥିବା ଅପରିମେୟ ଅର୍ଥ ବିଷୟ ମନକୁ ଆସେ। ‘ବିମୁଦ୍ରୀକରଣ’ ସମୟରେ ପାଞ୍ଚ ଶହ ଓ ଏକ ହଜାର ଟଙ୍କିଆ ନୋଟ୍‌କୁ ହଠାତ୍‌ ଅଚଳ କରିଦିଆଯିବାରୁ ନିଜ ପାଖରେ ଅଜସ୍ର ନଗଦ ଟଙ୍କା ମହଜୁଦ କରି ରଖିଥିବା ଲୋକେ ଜନଧନ ବ୍ୟାଙ୍କ ଖାତାସବୁରେ ତାକୁ ଜମା କରି ବ୍ୟାଙ୍କ ସ୍ରୋତକୁ ଟଙ୍କା ଫେରାଇବାରେ ଲାଗିଥିଲେ। ସେଥିଲାଗି ସେମାନେ ଆକାଉଣ୍ଟଧାରୀମାନଙ୍କୁ ଲାଞ୍ଚ ଦେଇଥିବାର କଥା ମଧ୍ୟ ଶୁଣାଯାଇଥିଲା। ପ୍ରକୃତରେ ଦେଶର କୋଟି କୋଟି ଦରିଦ୍ର ଓ ଅଶିକ୍ଷିତମାନଙ୍କ ଲାଗି ବ୍ୟାଙ୍କ ଜମାଖାତା ଖୋଲିବା ସକାଶେ ପ୍ରାରମ୍ଭ କରାଯାଇଥିବା ‘ଜନଧନ ଯୋଜନା’ ଥିଲା ଏକ ଅତ୍ୟନ୍ତ ପ୍ରଗତିମୂଳକ ପଦକ୍ଷେପ। ଏହା ଦ୍ବାରା ଦେଶର ଏକ ବୃହତ୍‌ ବଞ୍ଚିତ ବର୍ଗକୁ ବ୍ୟାଙ୍କ କାରବାରରେ ସାମିଲ କରି ସଶକ୍ତ କରାଯାଇପାରିଛି। ସରକାରୀ ଅନୁଦାନ ଏବେ ସିଧା ସେମାନଙ୍କ ବ୍ୟାଙ୍କ ଖାତାରେ ପଶୁଥିବାରୁ ବାଟ ମାରଣା ବନ୍ଦ ହୋଇଯାଇଛି। କିନ୍ତୁ ସେମାନଙ୍କ ଭିତରୁ ଅନେକ ଏ ବାବଦରେ ସଚେତନ ନ ଥିବାରୁ ଧୂର୍ତ୍ତ ଲୋକଙ୍କ ଦ୍ବାରା ପ୍ରବଞ୍ଚନାର ଶିକାର ମଧ୍ୟ ହେଉଛନ୍ତି। ତେଣୁ ଯାହା ଜରୁରୀ, ତାହା ହେଲା ଏଭଳି ବଞ୍ଚିତ ବର୍ଗଙ୍କୁ ବ୍ୟାଙ୍କ-ସଶକ୍ତ କରାଯିବା ସହିତ ସେମାନଙ୍କୁ ବ୍ୟାଙ୍କ-ସାକ୍ଷର କରାଯିବା ଜରୁରୀ।