ଅଳ୍ପ କିଛିଦିନ ତଳେ ଏକ ରୋଚକ ଖବର ସାମାଜିକ ଗଣମାଧ୍ୟମରେ ଦ୍ରୁତ ସଂଚାରିତ େହାଇ ଏକ କ୍ଷୁଦ୍ର ତରଙ୍ଗ ସୃଷ୍ଟି କରିଥିବା କଥା ପ୍ରାୟ ସମସ୍ତଙ୍କ ମନେ ଥିବ। ଖବରଟି ଏହିପରି: ସମ୍ମାନଜନକ ଆଇ.ଆଇ.ଟି.ରୁ ଶିକ୍ଷାପ୍ରାପ୍ତ ଓ ଆମେରିକାର ନାମୀଦାମୀ କଂପାନିରେ ଉଚ୍ଚ ବେତନ ସହ କାର୍ଯ୍ୟରତ ଯୁବ ସ୍ବାମୀ-ସ୍ତ୍ରୀ ଯୁଗଳ ଭାରତ ଫେରି ଆସିଛନ୍ତି ଏବଂ ବେଙ୍ଗାଲୁରୁକୁ କର୍ମଭୂମି ହିସାବରେ ଗ୍ରହଣ କରିଛନ୍ତି। ଖାଲି ସେତିକି ନୁହେଁ; ସ୍ବାମୀ-ସ୍ତ୍ରୀ ଯୁଗଳ ଏହି ଅବସରରେ ଆମେରିକା ଓ ଭାରତରେ ଜୀବନଶୈଳୀ ଉପରେ ତାଙ୍କର ମୂଲ୍ୟବାନ ଟିପ୍ପଣୀ ମଧ୍ୟ ରଖିଛନ୍ତି। କହିବା ବାହୁଲ୍ୟ, ଏକବିଂଶ ଶତାବ୍ଦୀର ଦ୍ବିତୀୟ ଦଶକର ମଧ୍ୟଭାଗରେ ଭାରତରେ ରହଣି ବା ଜୀବନଯାପନ ଏହି ଯୁଗଳଙ୍କ ପାଇଁ ଅଧିକ ପସନ୍ଦଯୋଗ୍ୟ ସାବ୍ୟସ୍ତ ହୋଇଛି। ଏହା ଅତ୍ୟନ୍ତ ଉତ୍ସାହପ୍ରଦ। ଭାରତ ଯେ ବିକଶିତ ହୋଇ ସାରିଲାଣି, ତା’ର ନିଶ୍ଚିତ ସଂକେତ ଏଥିରେ ନିହିତ।
ଏହି ଶତାବ୍ଦୀର ପ୍ରାରମ୍ଭରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚମକପ୍ରଦ ଅଭ୍ୟୁଦୟ ଘଟିବା ସଙ୍ଗେ ସଙ୍ଗେ ଭାରତର ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହାର ମୂଳଦୁଆ ସ୍ଥାପନ ତଥା ଏହି ଶିଳ୍ପର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଗତ୍କରଣକୁ ସମ୍ଭବ କରାଇଥିବା ଏହି ସୂକ୍ଷ୍ମ, କୋମଳ ଶିଳ୍ପରେ ଭାରତୀୟମାନଙ୍କର ପାରଦର୍ଶିତା ଏମାନଙ୍କୁ ତ ସଫଳତାର ଶୀର୍ଷକୁ ନେଇପାରିଥିଲା; ତାହା ସାଙ୍ଗେ ସାଙ୍ଗେ ବିକଶିତ ଭାରତ ପାଇଁ ଏକ ପ୍ରକାର ପଥ ପରିଷ୍କାର କରିଥିଲା। କିନ୍ତୁ ସାଂସାରିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହି ଉଚ୍ଚ ଶିକ୍ଷିତ ଗୋଷ୍ଠୀର ନାଟକୀୟ ପ୍ରଗତି ସତ୍ତ୍ବେ ସାମାଜିକ ଅଗ୍ରହଣୀୟତା ଏମାନଙ୍କ ପାଇଁ ଏକ ପ୍ରତିବନ୍ଧକ ରୂପେ ଦେଖା ଦେଇଥିଲା। ସେମାନେ ଆମେରିକାମନା ଥିଲେ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା-ପ୍ରଣୋଦିତ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ (କଲ୍ ସେଣ୍ଟର୍ମାନଙ୍କରେ) ଆମେରିକୀୟ ଛଦ୍ମନାମ ଧାରଣ କରି ‘ସାଇବର୍ କୁଲି’ର ଅପବାଦ ମୁଣ୍ଡାଇଥିଲେ। କିନ୍ତୁ ଏହା ଥିଲା ଏକବିଂଶ ଶତାବ୍ଦୀର ପ୍ରଥମ ଦଶକର କଥା।
ଶତାବ୍ଦୀର ଦ୍ବିତୀୟ ଦଶକରେ କିନ୍ତୁ ଚିତ୍ର ବଦଳିଯାଇଛି ବୋଲି କହିବାକୁ ହେବ। ଭାରତର ଆଖିଦୃଶିଆ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଏହାର ଫଳ ସ୍ବରୂପ ଭାରତର ପ୍ରମୁଖ ସହରମାନଙ୍କର ନିଯୁକ୍ତି ସ୍ଥାନରେ ଆମେରିକା ଭଳି ପର୍ଯ୍ୟାପ୍ତ ସୁଯୋଗ ଓ ସୁବିଧା ଉପଲବ୍ଧ ହୋଇଛି। ଉଚ୍ଚ ବେତନ ମଧ୍ୟ ସମ୍ଭବ ହେଉଛି। ତେଣୁ ‘ବ୍ରେନ୍ ଡ୍ରେନ୍’ ଉପରେ ଲଗାମ ଲାଗିବା ସାଙ୍ଗେ ସାଙ୍ଗେ ବିଦେଶରେ ଅବସ୍ଥାପିତ ସଫଳ ବିଜ୍ଞାନୀ, ଯନ୍ତ୍ରୀ, ବ୍ୟବସାୟୀ ଓ ଉଦ୍ୟୋକ୍ତା ଭାରତମୁହଁା ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ତେବେ, ଆମ ଆଇ.ଆଇ.ଟି. ତାଲିମପ୍ରାପ୍ତ ସ୍ବାମୀ-ସ୍ତ୍ରୀ ଯୋଡ଼ି ସ୍ବଦେଶ ବାହୁଡ଼ିଲେ କାହିଁକି? କାରଣ ସ୍ବରୂପ ସେମାନେ ସାଂପ୍ରତିକ ଭାରତୀୟ ଜୀବନଶୈଳୀର ଉପାଦେୟତାକୁ ହିଁ ପ୍ରଥମ ଶ୍ରେୟ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଭାରତର ଛୋଟବଡ଼ ସହରମାନଙ୍କରେ ସହଜରେ ଓ ଅଳ୍ପ ପଇସାରେ କାମବାଲୀମାନେ ଉପଲବ୍ଧ। ଆମେରିକାରେ ଏପରି କାମବାଲୀ ଦୁଷ୍ପ୍ରାପ୍ୟ! ଅବଶ୍ୟ, ଉଚ୍ଚ ଓ ମଧ୍ୟମ ବର୍ଗର ଆମେ ସମସ୍ତେ ଏହି କାମବାଲୀ ସୁବିଧା ଉପଭୋଗ କରୁଛେ, କିନ୍ତୁ ଏହି ସହଜ ଉପଲବ୍ଧତା ଯେ ଦାରିଦ୍ର୍ୟ ଓ ଅର୍ଥନୈତିକ ଶୋଷଣର ପରିଣତି ଓ ପ୍ରତୀକ; ଏଥିରେ ସନ୍ଦେହ ନାହିଁ। ତେଣୁ, ଭାରତକୁ ଫେରି ଆସିବା ନେଇ ସାର୍ବଜନୀନ ଭାବେ ଏହାକୁ କାରଣ ଭାବେ ଦର୍ଶାଇବା ଦୁର୍ଭାଗ୍ୟଜନକ ନୁହେଁ କି? ଏହା ଆମର ଶ୍ରେଣୀ ଚରିତ୍ରକୁ ପରିସ୍ଫୁଟ କରେ ନାହିଁ କି?
ବିକଶିତ ଭାରତ କହିଲେ ଆମେ ଯଦି କେବଳ ଭିତ୍ତିଭୂମିଗତ ପ୍ରଗତି ଓ ବ୍ୟାବହାରିକ ସୁଖ ସ୍ବାଚ୍ଛନ୍ଦ୍ୟ ବୃଦ୍ଧିକୁ ବୁଝିବା ଏବଂ ସାଂସ୍କୃତିକ ଓ ସାମାଜିକ ଚେତନାର ସଂବୃଦ୍ଧିକୁ ହେୟଜ୍ଞାନ କରିବା, ତେବେ ପ୍ରକୃତ ତଥା ସଂପୂର୍ଣ୍ଣ ବିକାଶ ଠାରୁ ଦୂରରେ ରହିବା। ମନୋବୃତ୍ତିରେ ପରିବର୍ତ୍ତନ ମଧ୍ୟ କାମ୍ୟ। ଯେତେ ଉଚ୍ଚଶିକ୍ଷିତ ହେଲେ ସୁଦ୍ଧା ଅେନକ ସମୟରେ ସଂକୀର୍ଣ୍ଣ ବିଚାର ଉଚ୍ଚତାକୁ ଖର୍ବ କରିଦିଏ। ଏହି କାମବାଲୀ ପରିପ୍ରେକ୍ଷୀରେ ଚାଳିଶ ବର୍ଷ ତଳର କଥା ମନକୁ ଆସୁଛି। ଉଚ୍ଚ ଶିକ୍ଷା ପାଇଁ ଇଂଲାଣ୍ଡ୍ ଯାଇଥିବା ବେଳେ ସେଠାକାର ରାସ୍ତାଘାଟର ଚାକଚକ୍ୟ, ସାମାଜିକ ଚଳଣିରେ ଶୃଙ୍ଖଳା ଓ ନୀତିନିୟମର ପ୍ରାଧାନ୍ୟ ବିଷୟରେ ପଞ୍ଚ ମୁଖ ହେଉଥିଲି। ସେତେବେେଳ ବ୍ରହ୍ମପୁରରୁ ଇଂଲାଣ୍ଡ୍ ଯାତ୍ରା କାନ୍ତାରରୁ ପ୍ରାଚୁର୍ଯ୍ୟକୁ ଯାତ୍ରା ଭଳି ଥିଲା। ସେତିକି ବେଳେ ମୋ ଉତ୍ତେଜନାରେ ଥଣ୍ଡା ପାଣି ଢାଳି ଦେଇଥିଲେ ମୋ ପଡ଼ୋଶୀ, ଯିଏ ସେଠାକାର କାମବାଲୀବିହୀନ ଦୁର୍ବିଷହ ଜୀବନ ବିଷୟରେ ଚେତାଇ ଦେଇଥିଲେ। କିନ୍ତୁ ତାହା ଥିଲା ଚାଳିଶ ବର୍ଷ ତଳର ଏକ ଅନଗ୍ରସର ସହରର କଥା ଏବଂ ତତ୍କାଳୀନ ସ୍ବାଭାବିକ ମାନସିକତା। କିନ୍ତୁ ଆଜି ୨୦୨୪ ମସିହାରେ ଭାରତର ବିକାଶକୁ ତ୍ବରାନ୍ବିତ କରୁଥିବା ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଯଦି ସେହି ମାନସିକତା ପ୍ରଦର୍ଶନ କରନ୍ତି, ତା’ହେଲେ କ’ଣ କହିବା? କବି ଏଲିଅଟ୍ କହିଥିବା ଭଳି, ‘ଏଭଳି ଜ୍ଞାନ ଦାନ ପରେ, କ୍ଷମାର ଅବକାଶ କେଉଁଠି?’
ମୋ: ୭୩୭୭୭୭୭୭୦୮