ସତ୍ୟ ଓ ତଥ୍ୟର ଦର୍ପଣରେ

ଅଭିରାମ ବିଶ୍ବାଳ

ଉଭୟ ସାହିତ୍ୟ ଓ ସାମ୍ବାଦିକତା ବାଟେ ସାଧାରଣତଃ ସତ୍ୟ ଓ ତଥ୍ୟର ପରିପ୍ରକାଶ ଘଟିଥାଏ ଏବ˚ ସେ ଭଳି ପରିପ୍ରକାଶ କେତେକ ନ୍ୟସ୍ତ ସ୍ବାର୍ଥଙ୍କୁ ବାଦ୍‌ ଦେଲେ ଅନ୍ୟ ସଭିଁଙ୍କ ଦ୍ବାରା ଆଦୃତ ହୋଇଥାଏ। ଅବଶ୍ୟ ସାହିତ୍ୟ କ୍ଷେତ୍ରରେ କଳ୍ପନାର ପୁଟ ଓ ଭାଗ ସାହିତ୍ୟକୁ ସର୍ଜନାତ୍ମକ ବା ସୃଜନଶୀଳ ପ୍ରକରଣରେ ପରିଣତ କରି ଦେଇଥାଏ। ଏହାର ମାନେ ନୁହେଁ ସାମ୍ବାଦିକତା ସର୍ଜନାତ୍ମକ ହୋଇପାରିବ ନାହିଁ; କୁହାଯାଏ ସାମ୍ବାଦିକତା ତରବରରେ ଥିବା ସାହିତ୍ୟ। ଚଳିତ ବର୍ଷ ପାଇଁ ସାହିତ୍ୟ ସକାଶେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଔପନ୍ୟାସିକ ଅବଦୁଲ୍‌ ରଜାକ୍‌ ଗୁର‌୍‌ନାହଙ୍କ ଠିଁ ଅନେକ ଅସ୍ମିତାର ଏକାୟନ ପରିଲକ୍ଷିତ ହୁଏ ଏବ˚ ତାଙ୍କ ସୃଷ୍ଟି ସେସବୁ ଅସ୍ମିତା ଆଧାରିତ ହୋଇଥିବାରୁ କାଳ୍ପନିକ ଓ କପୋଳକଳ୍ପିତ ଲାଗେ ନାହିଁ; ବର˚ ସେଗୁଡ଼ିକରେ ସୁନ୍ଦର ଦୃଶ୍ୟ ଜଗତ୍‌ର ଆକର୍ଷଣ, ବିଶ୍ବାସଯୋଗ୍ୟତା, କୋହ, କାରୁଣ୍ୟ ଓ ଅତୀତଚାରୀ ମମତା ଭରି ରହିଥାଏ। ଇତିହାସ, ପରିଚିତି ଓ ସ୍ମୃତିକୁ ନେଇ ତାଙ୍କ ଲେଖାମାନ ଏବ˚ ସିଏ ନିଜେ ଆଫ୍ରିକୀୟ, ଆରବ, ମୁସଲମାନ, ବହିରାଗତ, ଶରଣାର୍ଥୀ, କୃଷ୍ଣକାୟ, ଇ˚ଲଣ୍ତର ନାଗରିକ, ବିସ୍ଥାପିତ, ଲେଖକ, ଅଧୢାପକ ଓ ବିଦ୍ବାନ ଭଳି ନାନା ପରିଚିତିର ଉପାଦାନରେ ଗଢ଼ା। ନୋବେଲ କମିଟି ତରଫରୁ ପ୍ରାୟ ଏଇଭଳି କୁହାଯାଇଛି- ଗୁର‌୍‌ନାହଙ୍କ ସାହିତ୍ୟ ହେଉଛି ଉପନିବେଶବାଦର ପ୍ରଭାବ ସ˚ପର୍କିତ ବେସାଲିସ୍‌ ଓ କରୁଣାସିକ୍ତ ପ୍ରତିବେଦନ ଯେଉଁଥିରେ କି ସ˚ସ୍କୃତି ଓ ମହାଦେଶର ଖାଇରେ ଠିଆ ହୋଇଥିବା ଶରଣାର୍ଥୀର ଭାଗ୍ୟର ଚିତ୍ରଣ ମଣିଷର କଲିଜାରେ କଣା କଲା ଭଳି ସାମର୍ଥ୍ୟ ବହନ କରେ।

ବର୍ତ୍ତମାନର ତାଞ୍ଜାନିଆର ଅ˚ଶ ବିଶେଷ ପାଲଟି ଯାଇଥିବା ଜାଞ୍ଜିବାର‌୍‌ରେ ଜନ୍ମଗ୍ରହଣ କରିଥିଲେ ଗୁର‌୍‌ନାହ ୧୯୪୮ ମସିହା ଡିସେମ୍ବର ୨୦ ତାରିଖରେ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା ବେଳକୁ ଅବଦୁଲ୍‌ ରଜାକ୍‌ଙ୍କୁ ଜାଞ୍ଜିବାର‌୍‌ ଛାଡ଼ି ଇ˚ଲଣ୍ତ ପଳେଇ ଆସିବାକୁ ପଡ଼ିଥିଲା ଶରଣାର୍ଥୀଟିଏ ଭାବେ ତଥାକଥିତ ଜାଞ୍ଜିବାର ବିପ୍ଳବ ଭିଆଇଥିବା ଦମନ ଓ ଉତ୍ପୀଡ଼ନ କାରଣରୁ। ଯଦିଓ ସ୍ବାହିଲି ତାଙ୍କ ପ୍ରଥମ ଭାଷା, ସିଏ ନିଜ ଲେଖାଲେଖିର ଭାଷା ଭାବେ ଇ˚ରେଜୀକୁ ଆଦରି ନେଇଛନ୍ତି ଏବ˚ ଇ˚ରେଜୀରେ ଲେଖିଲାବେଳେ ସିଏ ସେଥିରେ ସ୍ବାହିଲି, ଆରବୀ ଓ ଜର୍ମାନ ଭାଷାରୁ କିଛି କିଛି ସମ୍ମିଶ୍ରିତ କରିଥା’ନ୍ତି। ସିଏ ବିଶ୍ବାସ କରନ୍ତି ଯେ ଅଣ ଇ˚ରେଜୀ ଶବ୍ଦର ଇ˚ରେଜୀ ଅନୁବାଦ ପୃଥକ୍‌ ଭାବେ କରି ପୁସ୍ତକର ଶେଷ ଆଡ଼କୁ ଅଲଗା ଉଲ୍ଲେଖ କଲେ ସେସବୁ ଶବ୍ଦ ଆହୁରି ବାହାରିଆ ହୋଇଯାଆନ୍ତି, ସେ ସବୁକୁ ଦୂରେଇ ଦିଆଯାଏ ଔପନିବେଶିକ ପ୍ରଜା ସମ। ଯାହା ବାସ୍ତବ ଜୀବନରେ ଚଳେ, ତାହା ସାହିତ୍ୟ ପାଇଁ ଅଚଳ ହେବ କି ଭଳି?

୨୦୦୪ ମସିହାରେ ରଚିତ ନିଜର ଏକ ପ୍ରବନ୍ଧ ‘‘ରାଇଟି˚ ଆଣ୍ତ୍‌ ପ୍ଲେସ୍‌’’ରେ ଅବଦୁଲ ରଜାକ୍‌ କହିଥିଲେ ପଢ଼ିବା ଯୋଗୁଁ ହିଁ ଜଣେ ଲେଖିବା କଥା ଭାବେ, ଲେଖାଲେଖି ଆଡ଼େ ମନ ବଳାଏ। କାରଣ ପଢ଼ିବା ଏକପ୍ରକାରର ସ˚ଚୟ ଓ ଜମାଟ ବାନ୍ଧିବା, ପ୍ରତିଧ୍ବନି ଓ ପୁନରାବୃତ୍ତିର ପ୍ରକ୍ରିୟା ଯାହା ଭିତରୁ ଜଣେ ନିଜ ପାଇଁ ଦରକାରୀ ପନ୍ଥା ତଥା ପଞ୍ଜିକାଟେ ପାଇଯାଏ। ଅନ୍ୟ ଏକ ଅବସରରେ ସିଏ ମତ ଦେଇଥିଲେ ଯେ ଇ˚ରେଜୀରେ ଲେଖିବା ଓ କ୍ରିକେଟ୍‌ ଖେଳିବା ଭିତରେ ଅନେକ ସାମଞ୍ଜସ୍ୟ ଅଛି। ଦୁଇଟିର ଆରମ୍ଭ ଇ˚ଲଣ୍ତରୁ। କିନ୍ତୁ କ୍ରିକେଟ୍‌ ଯେମିତି ଇ˚ଲଣ୍ତ ବାହାରକୁ ସମୟକ୍ରମେ ବ୍ୟାପିଗଲା, ଇ˚ରେଜୀ ଭାଷାର ବ୍ୟବହାର ସେମିତି ବିଭିନ୍ନ କାରଣରୁ ଇ˚ଲଣ୍ତ ସମେତ ଅନ୍ୟ ଦେଶମାନଙ୍କରେ ହେଲା। ପରିଣାମ ସ୍ବରୂପ ଏବେ ଇ˚ରେଜୀରେ ଅନେକ ଅତି ଭଲ ଲେଖା ହେଉଛି ଇ˚ଲଣ୍ତ ବାହାରେ, ଅଣ ବ୍ରିଟିସ୍‌ଙ୍କ ଦ୍ବାରା; ଏବ˚ ବେଶ୍‌ ବଢ଼ିଆ କ୍ରିକେଟ୍‌ ଖେଳୁଛନ୍ତି ଅନେକ ଅଣ ବ୍ରିଟିସ୍‌ ଦେଶ।

ଲେଖାଲେଖି ଗୁର୍‌ନାହଙ୍କ ପାଇଁ ସେଇ ଉପକରଣ ଯାହା ବଳରେ ସିଏ ଜଣେ ଶରଣାର୍ଥୀ ହେବାର, ଅନ୍ୟ ଏକ ଭୂଖଣ୍ତରେ ଏକାକୀ ଓ ନିଃସ˚ଗ ବସବାସ କରିବାର ଓ ବିସ୍ଥାପିତ ଭାବନା ନେଇ ବ˚ଚିବାର ଅନୁଭବ-ଅନୁଭୂତି ବୁଝି ସେସବୁକୁ ରେକର୍ଡ କରିବାକୁ ଚେଷ୍ଟା କରନ୍ତି। ମେମୋରି ଅଫ୍‌ ଡିପାର‌୍‌ଚର‌୍‌, ପାରାଡାଇଜ୍‌, ଡଟ୍ଟି, ଗ୍ରାଭେଲ୍‌ ହାର୍ଟ, ଡିଜର୍ସନ, ଆଡ୍‌ମାୟାରି˚ ସାଇଲେନ୍‌ସ୍‌, ବାଇ ଦି ସି, ଦି ଲାଷ୍ଟ ଗିଫ୍‌ଟ, ପିଲ୍‌ଗ୍ରିମ୍‌ସ୍‌ େଵ ଓ ଆଫ୍‌ଟର‌୍‌ ଲାଇଭସ୍‌ ପୁସ୍ତକମାନ ଲେଖକଙ୍କର ଗୁରୁତ୍ବପୂର୍ଣ୍ଣ କୃତି। ସିଏ ବି ମୋଟାମୋଟି ସମଧର୍ମା ନାଇପଲ୍‌ ଓ ରସ୍‌ଦିଙ୍କ ଉପରେ ଆଲୋଚନା ଲେଖିଛନ୍ତି। ତାଙ୍କର ଗୋଟିଏ ବାକ୍ୟ ତାଙ୍କ ସାହିତ୍ୟର ମୂଳପିଣ୍ତ କ’ଣ ତାହା ସ୍ପଷ୍ଟ କରିଦିଏ। ତାହା ହେଲା- ‘‘ମୋ ଦେହ ଇ˚ଲଣ୍ତରେ, ହେଲେ ମୋ ମନ ଯାଇ ମୋ ଜନ୍ମଭୂମି ଜାଞ୍ଜିବାର‌୍‌ରେ। ତାଙ୍କ ଲେଖା ପଢ଼ିଲେ ଲାଗିବ ସତେ ଯେମିତି ଜଣେ ପୁରୁଣା ଚିଠି ପଢ଼ୁଛନ୍ତି ଏବ˚ ପୁରୁଣା ଫଟୋ ଆଲବମ୍‌ ଆଡ଼ଉଛନ୍ତି ଯେଉଁଥିରେ ଖୁନ୍ଦି ହୋଇ ରହିଛି ନିଜ ମାତୃଭୂମି, ମେଲାଣି, ଯାତ୍ରା ଓ ବହିରାଗମନର ପରସ୍ତ ପରସ୍ତ କାହାଣୀ। ସ୍ମୃତିର ଛୁଞ୍ଚି (ଭିନ୍ନ ଏକ ପ୍ରସଙ୍ଗରେ ବିଶିଷ୍ଟ ଲେଖିକା ଭର୍ଜିନିଆ ଉଲ୍‌ଫ କହିଲା ଭଳି) ଗୁର‌୍‌ନାହଙ୍କ ଭିତରେ ଉପରତଳ, ଏପଟସେପଟ ହୋଇ ଫୋଡ଼ି ଦେଇ ମନେ ପକାଇ ଦେଉଥାଏ।
ରୁଷିଆର ଡିମିଟ୍ରି ମୁରାଟୋଭ୍‌ ଓ ଫିଲିପାଇନ୍‌ସର ମାରିଆ ରେଜାଙ୍କୁ ମିଳିବ ଏ ବର୍ଷ ପାଇଁ ନୋବେଲ୍‌ ଶାନ୍ତି ପୁରସ୍କାର। ସେ ଦୁହେଁ ମଧୢ ନିଜର ଲେଖନୀ ମୁନ, କମ୍ପ୍ୟୁଟର‌୍‌ ବୋତାମ ବଳରେ ନିଜ ଦେଶ ପ୍ରତି ପ୍ରଗାଢ଼ ଭଲ ପାଇବା ପ୍ରକଟ କରୁଛନ୍ତି; ନିଜ ନିଜ ଦେଶରେ ସତ୍ତାସୀନ ରାଷ୍ଟ୍ରପତି ଯଥାକ୍ରମେ ଭ୍ଲାଡିମିର‌୍‌ ପୁଟିନ୍‌ ଓ ରୋଡ଼ରିଗ୍‌ ଡୁଟେର୍ଟେଙ୍କ ହି˚ସାତ୍ମକ କାର୍ଯ୍ୟକଳାପ, ଦୁର୍ନୀତି, ସ୍ବେଚ୍ଛାଚାରୀ ଶାସନ, କ୍ଷମତାର ଅପବ୍ୟବହର ଓ ମାନବିକ ଅଧିକାରକୁ ପଦାରେ ପକାଇ ତଥ୍ୟାଶ୍ରୟୀ ଅନୁସନ୍ଧାନଧର୍ମୀ ସାମ୍ବାଦିକତାର ଶକ୍ତି, ସାହସ, ବିବେକ ଓ ସ୍ବାଧୀନ ଅଭିବ୍ୟକ୍ତି ଦ୍ବାରା। ମାରିଆ ରେଜାଙ୍କ ଏକ ବକ୍ତବ୍ୟ ମୁତାବକ- ତଥ୍ୟ ନାହିଁ ତ ଆସ୍ଥା କି ବିଶ୍ବାସ ନାହିଁ; ଆସ୍ଥା ବା ବିଶ୍ବାସ ନାହିଁ ତ ସତ୍ୟ ନାହିଁ, ତଥ୍ୟ, ଆସ୍ଥା ଓ ସତ୍ୟ ନାହିଁ ମାନେ ଗଣତନ୍ତ୍ର ନାହିଁ। ତଥ୍ୟ ହିଁ ଏକ ସର୍ବେସାମିଲ୍‌ ସହଭାଗୀ ବାସ୍ତବତା କଥା କହେ ଯାହା ସଠିକ୍‌ ବାଟ ବାଛିବାରେ ସହାୟକ ହୋଇଥାଏ। ଯେତେବେଳେ କେହି କେହି ସାମ୍ବାଦିକ (ନିଜର) ଜାଗ୍ରତ ପ୍ରହରୀ କର୍ତ୍ତବ୍ୟ ପ୍ରଯୁକ୍ତି ହାତରେ ସମର୍ପି ଦିଅନ୍ତି, ସେତେବେଳେ ଅତିରିକ୍ତ ବିପଦମାନ ଉପୁଜେ। କାରଣ ପ୍ରଯୁକ୍ତିର ସହଜ, ଆରାମ ଓ ସଅଳ ସୁବିଧା ସୁଯୋଗ ପ୍ରୟୋଗ କରି ଅନେକ ସାମାଜିକ ମାଧୢମ ବିଭିନ୍ନ ସମୟରେ ଅସତ୍ୟ, ଅର୍ଦ୍ଧସତ୍ୟ, ଘୃଣା, କ୍ରୋଧ ଓ ଧମକଚମକ ଭିତ୍ତିକ ଖବର ପରିବେଷଣ କରନ୍ତି।

ଡିମିଟ୍ରି ମୁରାଟୋଭ୍‌ଙ୍କ ପତ୍ରକାରିତା ରୁଷିଆର ସବୁଠୁ ଆସ୍ପର୍ଦ୍ଧାଯୁକ୍ତ ଓ ସ୍ବାଧୀନଚେତା ପତ୍ରକାରିତା ଭାବେ ପରିଗଣିତ; କାରଣ ସିଏ ସବୁ ପ୍ରକାରର ଚାପ, ଆକ୍ରମଣ ଓ ମାରାତ୍ମକ ଆଶଙ୍କା ସତ୍ତ୍ବେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନାହାନ୍ତି। ମୁରାଟୋଭ୍‌ ଜାଣନ୍ତି ଯେ- ହୀରାର ଜନ୍ମ ଚାପ ଯୋଗୁଁ। ଥରେ ତାଙ୍କ ଅଫିସ୍‌କୁ ପାର୍ସଲ୍‌ ଆକାରରେ ଆସିଥିଲା ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଉଦ୍ଦିଷ୍ଟ ଫୁଲମାଳ, ଆଉ ଥରେ ମେଣ୍ଢାର କଟା ମୁଣ୍ତ; ପୁଣି ଥରେ ତାଙ୍କ ମସ୍କୋ ଅଫିସ୍‌ ଉପରେ ରାସାୟନିକ ଆକ୍ରମଣ କରାଯାଇଥିଲା। ସେହିଭଳି ମାରିଆଙ୍କ ପାଖରେ ଆସି ବେଳେବେଳେ ପହଞ୍ଚେ ଘଣ୍ଟାକୁ ନବେଟି ଘୃଣା ସନ୍ଦେଶ, ପୁଣି କେତେବେଳେ ଘଣ୍ଟାକୁ ନବେ ଥର ଦୁଷ୍କର୍ମ ଡରାଣ ସନ୍ଦେଶ। ସେତେବେଳେ ରେଜା ଭାବନ୍ତି ଯେ ଯୁଦ୍ଧ କ୍ଷେତ୍ରରୁ ବିବରଣୀ ପ୍ରେରଣ ହୁଏ’ତ ଅଧିକ ସହଜ ଥିଲା। ହେଲେ ଏସବୁ ଭିତରେ ଦୁହେଁ ସତ୍ୟ ଓ ତଥ୍ୟର ପଥରୁ ଓହରି ଯାଇନଥିଲେ କି ଡରିଯାଇ ବୁଝାମଣା କରିନଥିଲେ। ଦୁହିଁଙ୍କର ଗଭୀର ଆତ୍ମପ୍ରତ୍ୟୟ ଏଇଆ ଯେ- ଖବରକାଗଜର ସ୍ବଧର୍ମ ହେଲା ଏକ ଭ୍ରଷ୍ଟ ଓ ଜନବିରୋଧୀ ରାଷ୍ଟ୍ରସତ୍ତାର ବଚସ୍କର ନ ହୋଇ ବୃହତ୍ତର, ସମଗ୍ର ଜନସମାଜର ବଶମ୍ବଦ ହେବା। ପୁଣି ଦୁହେଁ ଅନବରତ ଯେଉଁ ମହତ୍‌ ପ୍ରୟାସରେ ନିୟୋଜିତ ତାହା ହେଲା ଅଭିବ୍ୟକ୍ତିର ସ୍ବାଧୀନତାକୁ ଗଣତନ୍ତ୍ର ଓ ସ୍ଥାୟୀ ଶାନ୍ତି ନିମନ୍ତେ ପ୍ରାକ୍‌-ସର୍ତ୍ତ ଭାବେ ଉପସ୍ଥାପନ କରେଇବା। ସେମାନେ ବିଶ୍ବାସ କରନ୍ତି ଶାନ୍ତି ଖାଲି ଅଶାନ୍ତି, ହି˚ସା ଓ ଯୁଦ୍ଧର ଅନୁପସ୍ଥିତି ନୁହେଁ; ଶାନ୍ତି ସେଇ ଅଭୟ ପ୍ରଦାନକାରୀ ପରିବେଶ ଯେଉଁଠି ଭୟର ଜାଗା ନ ଥାଏ ଏବ˚ ଯାହାଦ୍ବାରା ଅନୁପ୍ରାଣିତ ହୋଇ ଜଣେ ପରିଣାମ ପ୍ରତି ଭ୍ରୂକ୍ଷେପ ନ କରି ଯାହା ଚାହୁଁଥାଏ ତାହା ଅଭିବ୍ୟକ୍ତ କରିପାରେ। ଶାନ୍ତି ମାନେ ପୁଟିନ୍‌ ଓ ଡୁଟେର୍ଟେମାନଙ୍କୁ ଆଦୌ ନ ଡରିବା। ଅବଶ୍ୟ ପୁଟିନ୍ ନିକଟରେ ଡରେଇଲା ଭଳି କହିଲେଣି: ଯଦି ମୁରାଟୋଭ୍ ନୋବେଲ୍ ପୁରସ୍କାରକୁ ଢାଲ ଭାବେ ବ୍ୟବହାର କରି ଦେଶର ଆଇନ ଫାଙ୍କନ୍ତି ତେବେ ତାଙ୍କ କଥା ସିଏ ଜାଣନ୍ତି ଓ ସିଏ ବୁଝିବେ। ଉତ୍ତରରେ ମୁରାଟୋଭ୍ ରୋକ୍‌ଠୋକ୍ ବ୍ୟକ୍ତ କରିଛନ୍ତି ଏଇଆ- ବରିସ୍ ପାସ୍ତରନାକ୍‌ଙ୍କୁ ବାଧ୍ୟ କଲା ଭଳି ନୋବେଲ୍ ପୁରସ୍କାର ଗ୍ରହଣ ନ କରିବା ପାଇଁ ଘୋଷଣା କରିବାକୁ ମୋତେ ବାଧ୍ୟ କରାଯାଇ ପାରିବନି।

ସ˚ପ୍ରତି ରୁଷୀୟ ଖବରକାଗଜ ନୋଭାୟା ଗେଜେଟାର ମୁଖ୍ୟ ସ˚ପାଦକ ଅଛନ୍ତି ଡିମିଟ୍ରି ମୁରାଟୋଭ୍‌। ସେ କାଗଜଟିର ଅର୍ଥ ନୂଆ ସମ୍ବାଦପତ୍ର। ୧୯୮୭ ମସିହାରେ ଡିମିଟ୍ରି ମସ୍କୋ ଆସିଥିଲେ ପତ୍ରକାରିତାର ମୋହରେ ପଡ଼ି ଓ ଯୋଗ ଦେଇଥିଲେ ‘‘କମସୋମୋଲସ୍କାୟା ପ୍ରଭଦା’’ ଖବରକାଗଜରେ ଯାହାକି ତରୁଣ ତରୁଣୀ କମ୍ୟୁନିଷ୍ଟ ସ୍ବରକୁ ଜାଗା ଦେଉଥିଲା। ପୁଣି ସେ ସମୟଟି ଥିଲା ମିଖାଇଲ ଗୋର୍ବାଚୋଭଙ୍କ ‘ଗ୍ଲାସ୍‌ନସ୍ତ୍’ (ରାଜନୀତିକ ଖୋଲାପଣ) ଓ ‘‘ପେରେସ୍ତ୍ରୋଇକା’’ (ଅର୍ଥନୀତିକ ପୁନଃ ବିନ୍ୟାସ)ର ସମୟ। ୧୯୯୨ରେ ମୁରାଟୋଭ୍‌ ସେ କାଗଜ ଛାଡ଼ିଲେ; କାଗଜଟିର ଭବିଷ୍ୟତ ନେଇ ମତ ପାର୍ଥକ୍ୟ ଯୋଗୁ। ସିଏ ଚାହୁଁନଥିଲେ ତାହା ଏକ ଟାବ୍ଲଏଡ୍‌ ହେଉ ବୋଲି। ୧୯୯୩ରେ ଡିମିଟ୍ରି ଆରମ୍ଭ କଲେ ଏବେକାର ଖବରକାଗଜ। ଦୁଇଟି କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର, ଦୁଇଗୋଟି ବଖରା ଓ ବିନା ଦରମାରେ ନୋଭାୟା ଗେଜେଟା ପ୍ରଥମ ପଦକ୍ଷେପ ଗ୍ରହଣ କରିଥିଲା। କାଗଜଟିର ଅନ୍ୟତମ ଶୁଭେଚ୍ଛୁ ଗୋର୍ବାଚୋଭ ତାଙ୍କ ନୋବେଲ୍‌ ରାଶିରୁ କିଛି ଦେଲେ ବୋଲି ସେସବୁ- ଦରମା ବି- ସମ୍ଭବ ହୋଇପାରିଥିଲା। ଶ୍ରୀମତୀ ଗୋର୍ବାଚୋଭଙ୍କ ସୌଜନ୍ୟରୁ ଡିମିଟ୍ରିଙ୍କୁ ଉପହାର ସ୍ବରୂପ ମିଳିଥିଲା ଜୀବନର ପ୍ରଥମ ମୋବାଇଲ ସେଟ୍‌। ଅବଶ୍ୟ ଗୋର୍ବାଚୋଭ୍‌ କାଗଜଟିରେ କିଛି ଅ˚ଶଧନ ଖଟେଇଥିଲେ। ହେଲେ ସିଏ ସେ ସମ୍ବାଦପତ୍ରଟିର ଖବର, ମତାମତ ଓ ସ˚ପାଦକୀୟ ଆଦିରେ ଆଦୌ ହସ୍ତକ୍ଷେପ କରୁନଥିଲେ। କାଗଜଟିର ନୀତି ହେଲା- ସାମ୍ବାଦିକମାନେ ଯାହା ଚାହିଁବେ ତାହା ଲେଖିପାରିବେ ଯଦି ତାହା ବୃତ୍ତି ଓ ନୈତିକତାର ବିରୋଧାଚରଣ କରୁନଥାଏ। ସପ୍ତାହକୁ ତିନିଥର- ସୋମ, ବୁଧ ଓ ଶୁକ୍ରବାର- କାଗଜଟି ବାହାରେ। ୨୦୦୦ ମସିହାରୁ ଅଦ୍ୟାବଧି ସମ୍ବାଦପତ୍ରଟିର ଛଅ (ସାତ) ଜଣ ଅତି ପ୍ରତିଭାବାନ ଓ ବିଦ୍ବାନ ପତ୍ରକାରଙ୍କୁ ହତ୍ୟା କରାଯାଇଛି- କେତେବେଳେ ହାତୁଡ଼ିରେ ପିଟି ପିଟି ତ ଆଉ କେତେବେଳେ ଆପାର୍ଟମେଣ୍ଟ୍‌ର ଲିଫ୍‌ଟ ଭିତରେ ଗୁଳି ମାରି। ସେଇମାନଙ୍କୁ ଡିମିଟ୍ରି ନିଜ ପୁରସ୍କାର ଉତ୍ସର୍ଗ କରିଛନ୍ତି। ଅନୁରାଗୀ ଓ ଭୀତତ୍ରସ୍ତ ପାଠକପାଠିକାମାନେ ସବୁବେଳେ ଭାବନ୍ତି- ଆଜିର ନୋଭାୟା ଗେଜେଟା ଶେଷ ନୋଭାୟା ଗେଜେଟା। କାଗଜଟି କିନ୍ତୁ ଚାଲିଛି ନିଜ ଆଭିମୁଖ୍ୟ ବଜାୟ ରଖି।

ମାରିଆ ରେଜା ଏବେ ‘‘ରାପ୍‌ଲର‌୍‌’’ େଵବ୍‌ ବା ଅନ୍‌ଲାଇନ୍‌ ପତ୍ରିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ସିଏ ବି ରାପ୍‌ଲର‌୍‌ର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା। ଏ ଡିଜିଟାଲ କାଗଜଟି ଆରମ୍ଭ ହୋଇଥିଲା ୨୦୧୨ ମସିହାରେ। ରାପ୍‌+ରିପଲ୍‌କୁ ନେଇ ରାପ୍‌ଲର‌୍‌। ମାନେ, ଆଳାପର ତରଙ୍ଗ ଓ ତଡ଼ିତ୍‌। ରାପ୍‌ଲର‌୍‌ ଓ ମାରିଆ ରାଷ୍ଟ୍ରପତି ଡୁଟେର୍ଟେଙ୍କ ଶସ୍ତା ଲୋକପ୍ରିୟତାଧର୍ମୀ-କିନ୍ତୁ- ଅସଲରେ ଜନବିରୋଧୀ ନୀତି ନିଷ୍ପତ୍ତିର ଘୋର ସମାଲୋଚନା କରନ୍ତି ଯେଉଁଥିପାଇଁ କି ରାପ୍‌ଲର‌୍‌ ଓ ମାରିଆଙ୍କ ନାଁରେ ଅନେକ ସାଇବର ମକଦ୍ଦମା ରୁଜୁ କରାଯାଇଛି। ୨୦୧୮ ମସିହାରେ ଟାଇମ୍‌ ପତ୍ରିକାର ସେ ବର୍ଷ ପାଇଁ ଶ୍ରେଷ୍ଠ ବ୍ୟକ୍ତିତ୍ବ ବିବେଚିତ ହୋଇଥିବା ରେଜା ଆଗରୁ ସି.ଏନ୍‌.ଏନ୍‌ ସହ କାମ କରିଥିଲେ। ଆମେରିକାରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ମାରିଆ ମଧୢ ଜଣେ ଲେଖିକା ଯିଏ ‘‘ସିଡ୍‌ସ୍‌ ଅଫ୍‌ ଟେରର୍‌’’ ଓ ‘‘ଫ୍ରମ୍‌ ବିନ୍‌ ଲାଡେନ୍‌ ଟୁ ଫେସ୍‌ବୁକ୍‌’’ ଲେଖିଛନ୍ତି। ସିଏ ତଥ୍ୟ ଅଣଦେଖା କରୁଥିବା ଗଣ ଓ ସାମାଜିକ ମାଧ୍ୟମର କଡ଼ା ବିରୋଧ କରନ୍ତି। ସାମ୍ବାଦିକ ଭାବେ ନିଜ ସ୍ବାଧୀନତାକୁ ବ˚ଚେଇ ଡିମିଟ୍ରି ଓ ମାରିଆ ଅନ୍ୟ ସମସ୍ତଙ୍କର ସ୍ବାଧୀନତାର ପରିସରକୁ ସ˚ପ୍ରସାରିତ କରନ୍ତି। ଏ ଦୁହେଁ ଜୀବନ୍ତ ଦର୍ପଣ ସଦୃଶ; ସମସ୍ତଙ୍କ ପାଇଁ ବିଶେଷ କରି ସେଇମାନଙ୍କ ପାଇଁ ଯିଏ କି ତଥ୍ୟ ଓ ସତ୍ୟ ସହ ଆଖି ମିଳେଇ ସାମ୍ନା କରିପାରନ୍ତିନି।
ମୋ- ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର