ଯେଉଁ ପୁରୁଷମାନେ ନାରୀର ଦେହକୁ ବଜାର ବୋଲି ଭାବନ୍ତି ଓ ପିଶାଚର ପ୍ରବୃତ୍ତି ନେଇ ହତ୍ୟା, ଧର୍ଷଣ, ପାଶବିକତାରେ ଲିପ୍ତ ରହି ମାନବିକତାର ସମସ୍ତ ବାଡ଼ ଡେଇଁଯାଆନ୍ତି, ସେମାନଙ୍କ ବିରୋଧରେ ଆଜି ଉଠିଛି ନାରୀମାନଙ୍କ ମିଳିତ ତୀବ୍ର ସ୍ବର, ‘ଏ ବଚ୍ଛର ଆମରା ଦବନା ସୋନାଗାଛିର ମାଟି, ମାଆର ପୂଜା ଜନ୍ୟ’; ଅର୍ଥାତ୍‌ ଏ ବର୍ଷ ମା’ଙ୍କ ପୂଜା ଲାଗି ଆମେ ଦେବୁ ନାହିଁ ସୋନାଗାଛିର ମାଟି।’ ସୋନାଗାଛିର ମାଟି କ’ଣ? କେଉଁ ମା’ର ପୂଜା? କେଉଁମାନେ ଦେବେନି ମାଟି? 
କୋଲକତାର ନିଷିଦ୍ଧାଞ୍ଚଳ ସୋନାଗାଛି। ଏଠି ରୂପଜୀବୀମାନେ ଦେହ ବ୍ୟବସାୟ କରନ୍ତି। ସମାଜ ଦୃଷ୍ଟିରେ ସେମାନେ ଘୃଣ୍ୟା, କଳଙ୍କିନୀ, ପତିତା। ଅଥଚ ସେମାନଙ୍କ ପାଦ ପଡ଼ିଥିବା, ଲୁହ ଓ ବେଦନାରେ ସିକ୍ତ ହୋଇଥିବା, ଅସହାୟତାର ଦୀର୍ଘଶ୍ବାସରେ ତପ୍ତ ହୋଇଥିବା ଏହି ସ୍ଥାନର ମାଟି ମୁଠାଏ ପାରଂପରିକ ଭାବେ ଅନିବାର୍ଯ୍ୟ ହୋଇଥାଏ ମା’ ଦୁର୍ଗାଙ୍କ ପୂଜା ସକାଶେ। ଏହି ବର୍ଷ ସୋନାଗାଛିର ଦେହଜୀବୀମାନଙ୍କ ଏକା ଜିଦ୍‌ ଯେ ସେମାନେ ମା’ଙ୍କ ପୂଜା ଲାଗି ସୋନାଗାଛିର ମାଟି ଦେବେ ନାହିଁ! ଏହାର କାରଣ କୋଲକାତାର ଆର୍.ଜି. କର ମେଡିକାଲ କଲେଜ ହସ୍‌ପିଟାଲରେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କ ସହିତ ହୋଇଥିବା ଅତ୍ୟନ୍ତ ଅମାନୁଷିକ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏଭଳି ପୈଶାଚିକତା ସେମାନଙ୍କୁ ଦୋହଲାଇ ଦେଇଛି, ଯେଉଁମାନେ ପ୍ରତ୍ୟହ ଦିବା-ରାତ୍ର ପୁରୁଷର ଜାନ୍ତବ କାମନାର ଝଡ଼ରେ ବିଧ୍ବସ୍ତ ହୋଇ ଚାଲିଥାଆନ୍ତି!
୨୦୧୨ ମସିହାରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ପାଇଁ ଦିଲ୍ଲୀ ସମେତ ସାରା ଦେଶରେ ଜଳି ଉଠିଥିଲା ପ୍ରତିବାଦର ବହ୍ନି। ଏବେ କୋଲକାତା ଜଳୁଛି ‘ଅଭୟା’ଙ୍କ ପାଇଁ ନ୍ୟାୟ ଦାବିରେ; ସମଗ୍ର ଦେଶ ମଧ୍ୟ ଏହି ଘଟଣାରେ ମର୍ମାହତ ଓ କ୍ରୁଦ୍ଧ। ଲଗାତର ଛତିଶ ଘଣ୍ଟାର ଡ୍ୟୁଟି ସାରି ନିଜ ପରିଚିତ ହସ୍‌ପିଟାଲର ସେମିନାର ହଲରେ କ୍ଳାନ୍ତି ମେଣ୍ଟାଇବା ଲାଗି ସାମାନ୍ୟ ବିଶ୍ରାମ ନେଇଥିବା ଏହି ଡାକ୍ତରୀ ଛାତ୍ରୀ କେବେ ହେଲେ ଭାବି ନ ଥିବେ ଯେ ଏଭଳି ଏକ ନିରାପଦ ସ୍ଥାନରେ ମଧ୍ୟ ସୈତାନର ହାତ ଲମ୍ବି ଆସିପାରେ! କିନ୍ତୁ ସତରେ ନାରୀ ସକାଶେ ପୂର୍ଣ୍ଣ ନିରାପଦ ସ୍ଥାନ ଅବା କେଉଁଠି? କାହା ପାଖରେ ସେ ସଂପୂର୍ଣ୍ଣ ସୁରକ୍ଷିତ? ନାରୀ ନିର୍ଯାତନା ଘଟଣାମାନର ଅନୁଶୀଳନ ରିପୋର୍ଟ କହେ ଯେ ନାରୀମାନେ ନିଜ ଘରେ ଓ ଅତ୍ୟନ୍ତ ନିକଟ ସଂପର୍କୀୟମାନଙ୍କ ଭିତରେ ମଧ୍ୟ ନିରାପଦ ନୁହନ୍ତି। ସାରା ପୃଥିବୀରେ ଜହ୍ଲାଦ କାମୁକ ପୁରୁଷମାନେ ଏହା ବାରମ୍ବାର ପ୍ରମାଣିତ କରି ଚାଲିଛନ୍ତି। ‘ନାରୀ ଏକ ଭୋଗ୍ୟ ବସ୍ତୁ; ଦେହ ବ୍ୟତୀତ ଦେବା ଲାଗି ନାରୀ ନିକଟରେ ଆଉ କିଛି ନ ଥାଏ’ ଭଳି ଉକ୍ତିଟି ସତେ ଯେମିତି ଏକ ପ୍ରତିପାଦ୍ୟରେ ପରିଣତ ହୋଇଛି, ଯାହାକୁ କାମୁକ ପୁରୁଷ ନିରନ୍ତର ପ୍ରତିପାଦନ କରିବାରେ ବ୍ୟସ୍ତ!
ଅଭୟାଙ୍କ ଭଳି ସମଗ୍ର ଦେଶର ବିବେକ ଦଂଶନ କରିଥିବା ନିର୍ଭୟା ଘଟଣାର ପୀଡ଼ିତା ଜଣକ ଥିଲେ ଜଣେ ପାରା ମେଡିକାଲ ଛାତ୍ରୀ। ଏହି ଘଟଣା ଘଟିବାର ସାତ ବର୍ଷ ପରେ ଯାଇ ଏଥିରେ ସଂପୃକ୍ତ ଚାରି ପାପାତ୍ମା ଫାଶୀ ପାଇଥିଲେ। କିନ୍ତୁ, ଆଜିକୁ ପଚାଶ ବର୍ଷ ପୂର୍ବରୁ ଘଟିଥିବା ଆଉ ଏକ ଜଘନ୍ୟ ଦୁଷ୍କର୍ମ ଘଟଣାରେ ହତଭାଗିନୀ ଅରୁଣା ଶାନବାଗଙ୍କୁ ନ୍ୟାୟ ମିଳି ନ ଥିଲା। ମୁମ୍ବାଇର କିଙ୍ଗ୍‌ ଏଡ୍‌ୱାର୍ଡ ହସ୍‌ପିଟାଲରେ ଜଣେ ନର୍ସ ଭାବେ କାର୍ଯ୍ୟ କରୁଥିବା ତେଇଶ ବର୍ଷ ବୟସ୍କା ଅରୁଣାଙ୍କୁ ସେହି ହାସପାତାଲର ଏକ ପ୍ରକୋଷ୍ଠରେ ଅତି ନୃଶଂସ ଭାବରେ ଧର୍ଷଣ କରିଥିଲା ସୋହନଲାଲ ଭରତ ବାଲ୍ମିକୀ। ସେ ଥିଲା ହାସପାତାଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଏହି ଆକ୍ରମଶ ଏଭଳି ମରଣାନ୍ତକ ଥିଲା ଯେ ଅରୁଣା ‘କୋମା’ ଅବସ୍ଥାକୁ ଚାଲି ଯାଇଥିଲେ ଏବଂ ଦୀର୍ଘ ବୟାଳିଶ ବର୍ଷ କାଳ ଜୀବନ ମୃତ୍ୟୁର ସେହି ଅନାଲୋକିତ ଦୋଛକିରେ ପଡ଼ିରହି ୨୦୧୫ ମସିହା ମେ’ ୧୮ ତାରିଖରେ ସେ ଆଖି ବୁଜି ଦେଇଥିଲେ। କିନ୍ତୁ ଦୋଷୀ ସେହାନଲାଲ ମାତ୍ର ସାତ ବର୍ଷ ଜେଲ ଭୋଗିବା ପରେ ଏବେ ମୁକ୍ତ ନାଗରିକର ଜୀବନ ଅତିବାହିତ କରୁଛି। 
ଯେତେବେଳେ ସମାଜରେ ନାରୀମାନଙ୍କ ସମ୍ମାନ ବିଷୟ ଉଠେ, ଆମ ଦେଶରେ ସେହି ସଂସ୍କୃତ ଶ୍ଳୋକର ଆବୃତ୍ତି ଶୁଣାଯାଏ, ଯାହାର ଅର୍ଥ ‘ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତାମାନେ ବିଚରଣ କରନ୍ତି।’ ‌େତଣୁ ନାରୀ ପୂଜ୍ୟା। ଆଉ ମାସକ ପରେ ମହାମାୟା କାତ୍ୟାୟିନୀ ଦେବୀ ଦୁର୍ଗାଙ୍କ ପୂଜା ଅବସରରେ ସମଗ୍ର ଦେଶ ତାଙ୍କ ସମକ୍ଷରେ ନତମସ୍ତକ ଓ ନତଜାନୁ ହୋଇ ପ୍ରାର୍ଥନା କରିବ ଏବଂ ଆଶିଷ ଭିକ୍ଷା କରିବ! କିନ୍ତୁ ପ୍ରଶ୍ନ ଉଠେ କେତେ ଦିନ ଯାଏ ଚାଲିବ ପୂଜାସ୍ପଦା ନାରୀକୁ ନେଇ ଏଭଳି ପ୍ରତିକଧର୍ମୀ ପ୍ରହସନ? କେତେ ଦିନ ଯାଏ ପୁରୁଷମାନେ ଦେବୀ ମା’ଙ୍କୁ ପୂଜା କରି ନିଜ ଘରେ ଓ ବାହାରେ ସାଧାରଣ ନାରୀମାନଙ୍କ ସହିତ ପଣ୍ୟ ଦ୍ରବ୍ୟ ଭଳି ବ୍ୟବହାର କରି ଚାଲିଥିବେ? ନିର୍ଭୟା ମାମଲା ଘଟିଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଶୀଲା ଦୀକ୍ଷିତ ଏବଂ କୋଲକାତାରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦେଶର ରାଷ୍ଟ୍ରପତି ମଧ୍ୟ ଜଣେ ମହିଳା। ଆମ ଦେଶରେ ମହିଳାମାନେ ସର୍ବତ୍ର ଉଚ୍ଚ ପଦାସୀନ ବୋଲି କହି ଆମେ ଗର୍ବ ଅନୁଭବ କରୁ! କିନ୍ତୁ ଏଭଳି ପ୍ରତୀକାତ୍ମକ ପ୍ରହସନର ମୂଲ୍ୟ କ’ଣ ଯଦି ଜଣେ ସାଧାରଣ ନାରୀ କେଉଁଠାରେ ହେଲେ ନିରାପଦ ଓ ନିର୍ଭୟ ଆଶ୍ରୟ ପାଇ ନ ଥାଏ?
ଯେଉଁଠି ନାରୀକୁ ଅସମ୍ମାନିତ କରାଯାଏ, ‌େସଠି ମା’ଙ୍କ ପୂଜା ମଧ୍ୟ ନିରର୍ଥକ ଭଳି ମନେ ହୁଏ। ମା’ ଦୁର୍ଗାଙ୍କ ଏକ ସ୍ତୋତ୍ର କହିଥାଏ; ‘ଯା, ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା’। ସେହି ଶକ୍ତିକୁ ନିଜ ମଧ୍ୟ‌େର ଆବିଷ୍କାର କରିବାର ସମୟ ଏବେ ଉପନୀତ। ସେନାଗାଛିରୁ ଆସିଥିବା ପ୍ରତିବାଦର ସ୍ବର ହେଉଛି ସେହି ଶକ୍ତିର ଆବିଷ୍କାର। ମାଟି ମଧ୍ୟ ହେଉଛି ମା’। ଯେଉଁଠି ମା’ର ଅସମ୍ମାନ କରାଯାଏ, ସେଠି କେବଳ ପରଂପରା ରକ୍ଷା କରିବା ଲାଗି ସେମାନେ ସୋନାଗାଛିର ମାଟି ‌ଦିଅନ୍ତେ ବା କାହିଁକି?
ମୋ: ୯୪୩୭୧୧୭୬୨୭