ସାମ୍ପ୍ରତିକ ଚାଷୀ ଆନ୍ଦୋଳନର ଲୋକପ୍ରିୟ ନାରା ହେଲା ‘ଆମର ଏ ଲଢ଼େଇ ଆମ ବଂଶ ଓ ଶସ୍ୟ ପାଇଁ।’ ଏହା କେତେ ସତ ତାହା ମଧ୍ୟ ଚାଷୀମାନଙ୍କ ସ୍ଥିତି ସମ୍ପର୍କରେ ହୋଇଥିବା ସଦ୍ୟତମ ସରକାରୀ ସର୍ବେକ୍ଷଣ ଦର୍ଶାଉଛି। ଗତ ୧୦ ତାରିଖରେ ପ୍ରକାଶିତ ଏହି ପ୍ରମୁଖ ସରକାରୀ ରିପୋର୍ଟ କେବଳ ରାଜନେତା କି ଯୋଜନା ପ୍ରଣୟନକାରୀଙ୍କ ପାଇଁ ନୁହେଁ, ବରଂ ଚାଷୀ ଓ ଚାଷୀ ଆନ୍ଦୋଳନ ପାଇଁ ମଧ୍ୟ ଏକ ଚେତାବନୀ ସଦୃଶ ହୋଇଛି। ‘ଭାରତର ଗ୍ରାମାଞ୍ଚଳରେ ଚାଷୀ ପରିବାର ଏବଂ ସେମାନଙ୍କର ଜମି ଓ ଗୃହପାଳିତ ପଶୁ ସଂକ୍ରାନ୍ତ ସ୍ଥିତି ଆକଳନ-୨୦୧୯’ ନାମକ ଏହି ବହୁ ପ୍ରତୀକ୍ଷିତ ଜାତୀୟ ନମୁନା ସର୍ବେକ୍ଷଣର ୭୭ତମ ସଂସ୍କରଣ‌େର ଚାଷୀ ପରିବାରର ହାରାହାରି ଋଣ ୪୭,୦୦୦ ଟଙ୍କାରୁ ୭୪,୦୦୦ ଟଙ୍କାକୁ ବଢ଼ିଯିବା ଉପରେ ଦୃଷ୍ଟି ନିବଦ୍ଧ କରିଛି। ଋଣ ଯେତେ ବଢ଼ି ବଢ଼ି ଯାଉଥିବ, ଦେଶ ବା ଚାଷୀର ମଙ୍ଗଳ ସେତେ ହେଉଥିବ ବୋଲି ରହି ଆସିଥିବା ଅନ୍ତର୍ନିହିତ ଧାରଣା ହିଁ ଚିନ୍ତାର କାରଣ। ଚାଷୀ ଅଧିକ ଋଣ କରିବା ଏକ ଲକ୍ଷଣ ମାତ୍ର, ରୋଗ ନୁହେଁ। ପ୍ରକୃତ ପ୍ରସଙ୍ଗ ହେଉଛି ଚାଷୀର ଆୟରେ ଅଭାବ।
ଚାଷୀମାନଙ୍କ ଆୟ ସମ୍ପର୍କରେ ଏହି ସର୍ବେକ୍ଷଣ ଯାହା କହୁଛି, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ଗୋଟିଏ ଚାଷୀ ପରିବାର ମାସକୁ ୧୦,୦୦୦ ଟଙ୍କା ଯାଏ ରୋଜଗାର କରୁଛି, ଯାହା କୌଣସି ବଡ଼ ସହରରେ ଜଣେ ଘରୋଇ ସହାୟକର ଆୟ ଠାରୁ ବି କମ୍। ଏପରି କି ୨୦୧୩ ସର୍ବେକ୍ଷଣ ଅନୁସାରେ ଚାଷୀ ପରିବାରର ହାରାହାରି ଆୟ ୬,୪୪୨ ଟଙ୍କା ଥିବା ବେଳେ ଏହି ଛଅ ବର୍ଷ ଭିତରେ ତାହା ୧୦,୨୧୮ ଟଙ୍କା ହୋଇଛି। ଏହି ସଂଖ୍ୟା ତ ଉଦ୍‌ବେଗଜନକ; କିନ୍ତୁ କଥା ହେଲା ଏଥିରେ ଯାହା ପ୍ରକାଶ ପାଇଛି, ତାହା ଅପେକ୍ଷା ଅଧିକ ଲୁଚାଯାଇଛି। ଏହା ଦ୍ବାରା ଜଣେ ଚାଷୀ ମାସକୁ ଦଶ ହଜାର ଟଙ୍କାରୁ ଅଧିକ ଉପାର୍ଜନ କରିପାରୁଛି ବୋଲି ଏକ ଧାରଣା ଆମ ମନରେ ସୃଷ୍ଟି ହେଉଛି। କିନ୍ତୁ ଏହା ଠାରୁ ଅଧିକ ବିଭ୍ରାନ୍ତକର ଆଉ କିଛି ହୋଇ ନ ପାରେ।

Advertisment

ଏହାର କାରଣ, ପ୍ରଥମତଃ ପ୍ରଦର୍ଶିତ ତଥ୍ୟ ଅନୁସାରେ ଚାଷୀଙ୍କ ଆୟ ଏକ ହାରାହାରି ଆକଳନ ହୋଇଥିବାରୁ ଏହା ଭ୍ରମାତ୍ମକ। ଏହି ହାରାହାରି ହିସାବରେ ୧୦ ଏକର ଜମି ଥାଇ ମାସକୁ ୩୦,୦୦୦ ଟଙ୍କାରୁ ଅଧିକ ଆୟ କରୁଥିବା ବଡ଼ ବଡ଼ ଚାଷୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଅବଶ୍ୟ ସେମାନଙ୍କ ଆୟ ବି ସରକାରଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆୟ ଠାରୁ ଯଥେଷ୍ଟ କମ୍। ଅପର ପକ୍ଷେ, ଗୋଟିଏ ଏକରରୁ ଅଢ଼େଇ ଏକର ଯାଏ ଚାଷ ଜମି ଥିବା ମଧ୍ୟମ ଧରଣର ଚାଷୀ ପରିବାରର ମାସିକ ଆୟ ମାତ୍ର ୮,୫୭୧ ଟଙ୍କା। ଦ୍ବିତୀୟତଃ, ଏହି ଆୟ କେବଳ ଚାଷରୁ ନୁହେଁ, ତାହା ଚାଷୀ ପରିବାରର ଆୟ। ଏହି ତଫାତ୍ ହୃଦୟଙ୍ଗମ କରିବାକୁ ହେବ। ଗୋଟିଏ ଚାଷୀ ପରିବାରର ପ୍ରତ୍ୟେକ ସଦସ୍ୟ କେବେ ଚାଷୀ ନୁହନ୍ତି। ପୁଣି ଜଣେଚାଷୀ ଯାହା ରୋଜଗାର କରୁଛି, ତାହା କେବଳ ଚାଷରୁ ନୁହେଁ। ଏହି ସର୍ବେକ୍ଷଣ ‘ଚାଷୀ ପରିବାର’କୁ ଆଧାର କରି କରାଯାଇଛି। ଗ୍ରାମାଞ୍ଚଳରେ ଯେ କୌଣସି ପରିବାର ଖାଦ୍ୟାନ୍ନ ଚାଷରୁ ହେଉ ବା ପଶୁପାଳନରୁ ହେଉ କିଛି ନା କିଛି ରୋଜଗାର କରିଥାଏ। ତେଣୁ ଚାଷୀ ପରିବାରରେ ବାପା ଯେଉଁଠି କ୍ଷେତବାଡ଼ି କଥା ବୁଝୁଥା’ନ୍ତି, ମାଆ ଗାଈ-ମଇଁଷି ସମ୍ଭାଳିଥା’ନ୍ତି, ଝିଅ ହୁଏ’ତ ସ୍ଥାନୀୟ ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ପୁଅ ଗାଁରେ ଦୋକାନଟିଏ ଚଳାଉଥାଏ। ଏହି ଚାରି ପ୍ରକାରର ରୋଜଗାର ମିଶି ଯାଇ ଚାଷୀ ପରିବାରର ଆୟ ଭାବେ ପରିଗଣିତ ହେଉଛି। ସୁତରାଂ ଶସ୍ୟାଦି ଚାଷରୁ ହେଉଥିବା ଆୟ ମୋଟ ଚାଷୀ ପରିବାର ଆୟର କିଛି ଅଂଶ ମାତ୍ର।

ଏହା କୌଣସି କାଳ୍ପନିକ ଉଦାହରଣ ନୁହେଁ। ସଦ୍ୟ ସର୍ବେକ୍ଷଣ ଅନୁଯାୟୀ, କେବଳ ଚାଷରୁ ଆୟ ଏକ ଚାଷୀ ପରିବାର ଆୟର ଏକ ତୃତୀୟାଂଶଠୁ ଅଳ୍ପ ଅଧିକ। ଗୋଟିଏ ମାସରେ ଚାଷୀ ପରିବାରଟିଏ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରି ୩,୭୯୮ ଟଙ୍କା, ପଶୁସମ୍ପଦରୁ ୧,୫୮୨ ଟଙ୍କା, ବେପାରରୁ ୬୪୧ ଟଙ୍କା ଏବଂ ପାରିଶ୍ରମିକ ଓ ଦରମାରୁ ୪,୦୬୩ ଟଙ୍କା ହାରାହାରି ରୋଜଗାର କରିଥାଏ। ଅପର ପକ୍ଷେ, ଏକ ଚାଷୀ ପରିବାର ନିଜ କ୍ଷେତରେ ଚାଷ କରିବା ଅପେକ୍ଷା ଅନ୍ୟତ୍ର ଶ୍ରମ ଦାନ କରି ଅଧିକ ରୋଜଗାର କରିଥାଏ। ତେଣୁ କେବଳ ଚାଷରୁ ମାସିକ ୩,୭୯୮ ରୋଜଗାର ହୁଏ ବୋଲି ମନେ ରଖିବାକୁ ହେବ। ତେଣୁ ସମସ୍ତେ କାହିଁକି ସହରାଭିମୁଖୀ ହେଉଛନ୍ତି ଓ ସରକାରୀ ଚାକିରିଟିଏ ପାଇଁ ଲାଳାୟିତ ଅଛନ୍ତି; ତାହା ଏଥିରୁ ସହଜରେ ଅନୁମାନ କରି ହୋଇଥାଏ।

ତୃତୀୟତଃ, କୃଷି ରୋଜଗାରର ଏହି ସ୍ବଳ୍ପତା ଏପରି ପରିବର୍ଦ୍ଧିତ ହୋଇ ଦୃଶ୍ୟମାନ ହେଉଛି। ଏହି ଗଣନାରେ ଜଣେ ଚାଷୀ ତା’ର ସମସ୍ତ କୃଷି ଉତ୍ପାଦ ବିକି ସେଥିରୁ ପାଉଥିବା ମୂଲ୍ୟରୁ ଶସ୍ୟ ଉତ୍ପାଦନ ପାଇଁ ସେ ସିଧାସଳଖ ଖର୍ଚ୍ଚ କରିଥିବା ମୂଲ୍ୟକୁ ବାଦ୍ ଦିଆଯାଇଛି। ମାତ୍ର ଏଥିରେ ପରିବାରର ନିଜସ୍ବ ପରିଶ୍ରମ ଓ ଅନ୍ୟାନ୍ୟ ନିବେଶକୁ ବିଚାରକୁ ନିଆ ଯାଇନାହିଁ। ତେଣୁ ଯଦି ସିଧାସଳଖ ଟଙ୍କା ଖର୍ଚ୍ଚ କରାଯାଇ ନ ଥିବା ଏହି ସବୁ ଉପାଦାନକୁ ହିସାବ କରାଯାଏ, ତେବେ କୃଷି ବା ପଶୁପାଳନର ଖର୍ଚ୍ଚ ବହୁତ ବଢ଼ିଯିବ ଏବଂ ଚାଷୀର ଲାଭ ଯଥେଷ୍ଟ କମିଯିବ। ଏପରି ଭାବେ ଚାଷୀ ଦ୍ବାରା ପ୍ରକୃତ ଉପାର୍ଜନର ହିସାବରେ ଶସ୍ୟରୁ ଜଣଙ୍କର ହାରାହାରି ମାସିକ ରୋଜଗାର ୩,୦୫୮ ଟଙ୍କାକୁ ଓ ପଶୁପାଳନ ରୋଜଗାର ୪୪୧ ଟଙ୍କାକୁ ଖସି ଆସିବ। ସେ କ୍ଷେତ୍ରରେ ଜଣେ ଚାଷୀ ପରିବାରର ହାରାହାରି ମାସିକ ଆୟ ୮,୩୩୭ ଟଙ୍କା ହେବ।

ଚତୁର୍ଥତଃ, ଚାଷୀ ପରିବାରର ଆୟ ହିସାବ କଲା ବେଳେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆ ଯାଇ ନ ଥିବାରୁ ସେଥିରେ ଦର୍ଶାଯାଇଥିବା ଅଭିବୃଦ୍ଧି କଥାଟି ସମ୍ପୂର୍ଣ୍ଣ ଭୁଲ୍। ଗତ ୨୦୧୩ ସର୍ବେକ୍ଷଣ ଓ ସଦ୍ୟ ୨୦୧୯ ସର୍ବେକ୍ଷଣକୁ ତୁଳନା କଲେ ଚାଷୀ ପରିବାରର ମାସିକ ଆୟରେ ୫୯ ପ୍ରତିଶତ ବୃଦ୍ଧି ଘଟିଛି। ମାତ୍ର ଏହି ସମୟ ଭିତରେ ମୁଦ୍ରାସ୍ଫୀତିକୁ ସାମିଲ କଲେ ଏହି ବୃଦ୍ଧି ୨୨ ପ୍ରତିଶତ ହେବ; ତାହା ପୁଣି ସମସ୍ତ ପ୍ରକାର ରୋଜଗାର ମିଶି। ଯଦି କେବଳ ଶସ୍ୟ ଉତ୍ପାଦନକୁ ଧରାଯାଏ, ତେବେ ବିଗତ ୬ ବର୍ଷ ଭିତରେ ପ୍ରକୃତରେ ଏହା କମି କମି ଆସିଛି। କାରଣ ୨୦୧୩ରେ ଜଣେ ଚାଷୀ ନିଜ କୃଷିରୁ ମାସିକ ୩,୦୮୧ ଟଙ୍କା ରୋଜଗାର କରୁଥିବା ବେଳେ ତାହା ୨୦୧୨ର ମୂଲ୍ୟ ସୂଚି ଅନୁସାରେ ପାଖାପାଖି ୨,୭୭୦ ଟଙ୍କା ହେବ। ତଦନୁସାରେ ଚାଷୀର ସଦ୍ୟତମ ୩,୭୯୮ ଟଙ୍କାର ରୋଜଗାର ସେହି ୨୦୧୨ ମସିହାର ମୂଳ ମୂଲ୍ୟ ଅନୁସାରେ ୨,୬୪୫ ଟଙ୍କା ହେବ। ସୁତରାଂ ଏହି ୬ ବର୍ଷ ଭିତରେ ପ୍ରକୃତରେ ଚାଷୀର ଆୟରେ ୫ ପ୍ରତିଶତ ହ୍ରାସ ଘଟିଛି। ତେଣୁ ଏ ସର୍ବେକ୍ଷଣର ପ୍ରକୃତ ଶୀର୍ଷକ ‘ଚାଷୀ ରୋଜଗାରର ଐତିହାସିକ ଦ୍ବିଗୁଣୀକରଣ ଅଭିଯାନ ଏକ ଐତିହାସିକ ପଶ୍ଚାତ୍ ଗତି’ ହେବା ଉଚିତ।

ଚାଷୀ ଆୟର ଦ୍ବିଗୁଣୀକରଣ ବା ‘ଡବ୍ଲିଂ ଅଫ୍ ଫାର୍ମର୍ସ ଇନ୍‌କମ୍‌’(ଡିଏଫ୍ଆଇ) ଉପରେ ଏହି ଜାତୀୟ ନମୁନା ସର୍ବେକ୍ଷଣ ହେଉଛି ପ୍ରଥମ ଛଅ ବର୍ଷୀୟା ପ୍ରକଳ୍ପ ଯାହା ୨୦୧୬ ଫେବ୍ରୁଆରିରେ ବହ୍ବାଡ଼ମ୍ବରରେ ଘୋଷିତ ହୋଇଥିଲା। ଏହି ରିପୋର୍ଟରେ ସାମିଲ ହୋଇଥିବା ଛଅ ବର୍ଷ (୨୦୧୩ରୁ ୨୦୧୯) ପ୍ରକୃତରେ ଚାଷୀ ଆୟ ଦ୍ବିଗୁଣୀକରଣର ଛଅ ବର୍ଷ (୨୦୧୬ରୁ ୨୦୨୨)ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଫଳାଫଳ କିଛି ଅଲଗା ଆସିବ ନାହିଁ। କାରଣ ୨୦୧୯ ପର ଠାରୁ ମହାମାରୀ ଓ ଲକ୍‌ଡାଉନ୍ ପରି ଆୟର ବିପରୀତ ପ୍ରକ୍ରିୟାମାନ ଦେଖିବାକୁ ମିଳିଛି। ତେଣୁ ମୁଦ୍ରାସ୍ଫୀତିକୁ ବିଚାର କରି ଚାଷୀ ପରିବାରର ମାସିକ ଆୟ କୌଣସି ପରିସ୍ଥିତିରେ ବି ୨୨ ପ୍ରତିଶତରୁ ଅଧିକ ବୃଦ୍ଧି ହେବନାହିଁ। ମୁଁ ଆଗରୁ ମଧ୍ୟ ଏହି ତର୍କ ରଖିଛି ଯେ ଏହି ବୃଦ୍ଧି ଶହେ ପ୍ରତିଶତ ବୃଦ୍ଧି ପରି ବୃଥା ଗର୍ବ ଠାରୁ ଯଥେଷ୍ଟ ଦୂରରେ। ଏପରି କି ଏହି ବୃଦ୍ଧି ବିଗତ ୧୦ ବର୍ଷରେ ହାସଲ ହୋଇଥିବା କୃଷି ଅଭିବୃଦ୍ଧି ଠାରୁ ମଧ୍ୟ ଯଥେଷ୍ଟ ତଳେ।

ଏହି ସର୍ବେକ୍ଷଣକୁ ଆମେ ଏକ ଅନ୍ତରୀଣ ରିପୋର୍ଟ ଭାବରେ ବିଚାର କରୁଥିଲେ ହେଁ ଏଥିରେ ଯେହେତୁ ତଥାକଥିତ ‘ଏଫ୍‌.ଡି.ଆଇ.’ର ପ୍ରଥମ ତିନି ବର୍ଷ ରହିଛି; ନରେନ୍ଦ୍ର ମୋଦୀ ସରକାରଙ୍କ ‘ଏଫ୍‌.ଡି.ଆଇ.’ କମିଟି ଏହି ସମୟ ତକ ୩୫ ପ୍ରତିଶତରୁ ଅଧିକ ବୃଦ୍ଧି ଆକଳନ କରିନାହିଁ। ଚାଷୀ ପରିବାର ସାମଗ୍ରିକ ଆୟରେ କୃଷିଭିତ୍ତିକ ଆୟ କମିବାରେ ଲାଗିଛି ଏବଂ ତାହା ମଧ୍ୟ ‘ଏଫ୍‌.ଡି.ଆଇ.’ କମିଟିର ଆକଳନ ଅନୁଯାୟୀ ବଢ଼ୁନାହିଁ। ତେଣୁ ଏଭଳି ଅନ୍ତରୀଣ ରିପୋର୍ଟରେ ସାରା ବିଫଳତାର ଛାପ ହିଁ ରହିଛି।
ତେବେ ଏହି ସର୍ବେକ୍ଷଣକୁ ଯଦି ଆମେ ମୋଦୀ ସରକାରଙ୍କ ବୃଥା ଆସ୍ଫାଳନର ପର୍ଦ୍ଦାଫାସ ଭାବେ ବ୍ୟବହାର କରିବା; ପ୍ରକାରାନ୍ତେ ତାହା ଅକୁଳାଣ ହେବ। ଅପରପକ୍ଷେ, ଏହି ସର୍ବେକ୍ଷଣଟି କ୍ଷୁଦ୍ର କୃଷିକ୍ଷେତ୍ର, ଭୂମିହୀନ ଚାଷୀଙ୍କ ବୃହତ୍‌ ଅବଦାନ, କୃଷି ବୀମାର ବିଫଳତା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରକ୍ରିୟାର ନିଷ୍କ୍ରିୟତା ଏବଂ ଚାଷୀଙ୍କ ଠାରୁ ସରକାରୀ ପ୍ରୋତ୍ସାହନ ଜନିତ ଅସନ୍ତୋଷ ପରି ଆଧୁନିକ କୃଷିର ଢାଞ୍ଚାଗତ ସଂକଟକୁ ପଦାରେ ପକାଇଛି।

ବହୁ ଚର୍ଚ୍ଚିତ ‘ସବୁଜ ବିପ୍ଳବ’ କୃଷି ଢାଞ୍ଚାର ପ୍ରାୟ ଅନ୍ତ ଘଟିଛି। ଭାରତୀୟ କୃଷି ଏବେ ବ୍ୟାପକ ରିହାତି ଓ ସରକାରୀ ନିବେଶର ଆବଶ୍ୟକତାକୁ ଅପେକ୍ଷା ରଖୁଛି। ଯଦି ଆମେ ଆମର ‘ବଂଶ ଓ ଶସ୍ୟ’ ବଞ୍ଚାଇ ରଖିବା ଲାଗି ଚିନ୍ତିତ, ଆମକୁ ବର୍ତ୍ତମାନର କୃଷି ଢାଞ୍ଚା ସମ୍ପର୍କରେ ପୁନର୍ବିଚାର କରିବାକୁ ହେବ। ଚାଷୀମାନେ ଯେପରି କୃଷି ଶ୍ରମିକରେ ପରିଣତ ନ ହୁଅନ୍ତି ଏବଂ କ୍ଷୁଦ୍ର କୃଷିକ୍ଷେତ୍ରଗୁଡ଼ିକ ଯେପରି ଲାଭଜନକ ହୋଇପାରିବ, ସେଥିପାଇଁ ଚିନ୍ତା କରିବାକୁ ହେବ। ତେବେ ଅଧିକ ସୁରକ୍ଷିତ କୃଷି ଉତ୍ପାଦ ମୂଲ୍ୟ ଧାର୍ଯ୍ୟ ସହ ଅବାଞ୍ଛିତ କୃଷି ଆଇନ ହଟିଯିବାର ଲକ୍ଷ୍ୟ ପୂରଣ ହୋଇ ପାରିଲେ, ଚାଷୀମାନଙ୍କର ଏହି ଐତିହାସିକ ଆନ୍ଦୋଳନର ଲକ୍ଷ୍ୟ ସେହି କୃଷି ଢାଞ୍ଚା ଉପରେ ନିଶ୍ଚିତ ନିବଦ୍ଧ ହେବ। ଚାଷୀମାନଙ୍କର ଏହି ଆନ୍ଦୋଳନ ଯେ ଏକ ତରବରିଆ ନିଷ୍ପତ୍ତିରୁ ସୃଷ୍ଟି ହୋଇନାହିଁ, ତାହା ଚାଷୀମାନଙ୍କ ସ୍ଥିତି ସମ୍ପର୍କିତ ସର୍ବେକ୍ଷଣ ଆମକୁ କହି ଦେଉଛି।
ଜୟ କିଷାନ ଆନ୍ଦୋଳନର ସହପ୍ରତିଷ୍ଠାତା ତଥା ସ୍ବରାଜ ଇଣ୍ଡିଆର ସଦସ୍ୟ