ସନ୍ଦୀପ ସାହୁ
୧୯୮୦ ଦଶକରେ ‘ରାଜନୈତିକ ସ୍ଥିରତା’ ଥିଲା ତତ୍କାଳୀନ କଂଗ୍ରେସ ସରକାରଙ୍କର ସବୁଠାରୁ ବଡ଼ ସ୍ଲୋଗାନ। ସେତେବେଳେ ଓଡ଼ିଶାବାସୀ ଏହାକୁ କେବଳ ଏକ ରାଜନୈତିକ ସ୍ଲୋଗାନ ଭାବେ ଗ୍ରହଣ ନ କରି ରାଜ୍ୟପାଇଁ ଏହା ଏକାନ୍ତ ଆବଶ୍ୟକ ବୋଲି ବିଚାର କରୁଥିଲେ ଓ ସେଇଥିପାଇଁ କ୍ରମାଗତ ଦୁଇ ଥର କଂଗ୍ରେସ ଦଳକୁ ବିପୁଳ ସଂଖ୍ୟାଗରିଷ୍ଠତା ସହ ନିର୍ବାଚିତ କରିଥିଲେ; ପ୍ରଥମେ ୧୯୮୦ରେ ଓ ପୁନର୍ବାର ୧୯୮୫ରେ। ଲୋକଙ୍କର ଏ ଧାରଣା ପଛରେ ଏକ ବଳିଷ୍ଠ ପୃଷ୍ଠଭୂମି ଥିଲା। ସ୍ୱାଧୀନତା ପରଠାରୁ ରାଜ୍ୟରେ ଯେତେ ସରକାର ଗଢ଼ା ହୋଇଥିଲା, ସେଥିମଧ୍ୟରୁ କୌଣସି ଗୋଟିଏ ବି ସରକାର ନିଜର ପାଞ୍ଚ ବର୍ଷର ମିଆଦ ପୂରା କରିପାରି ନ ଥିଲେ। ୧୯୮୦ ମସିହାରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ କଂଗ୍ରେସ ସରକାର ଥିଲା ଓଡ଼ିଶା ଇତିହାସରେ ନିଜର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବା ପ୍ରଥମ ସରକାର। ସେହି ‘ସ୍ଥିରତା’କୁ ପାଥେୟ କରି କଂଗ୍ରେସ ଦଳ ଜାନକୀ ବାବୁଙ୍କ ନେତୃତ୍ବରେ ୧୯୮୫ ନିର୍ବାଚନ ଲଢ଼ିଥିଲା ଓ ଲଗାତାର ଦ୍ୱିତୀୟ ଥର ସରକାର ଗଢ଼ିଥିଲା।
କିନ୍ତୁ ୧୯୮୯ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବାବୁଙ୍କ ଦ୍ବିତୀୟ ପାଳି ଶେଷ ହେଲା ବେଳକୁ କଂଗ୍ରେସ ସରକାର ଓ ଦଳ ସହିତ ଲୋକଙ୍କର ମୋହଭଙ୍ଗ ଘଟି ସରିଥିଲା। ଲୋକେ କଂଗ୍ରେସ ପ୍ରତି ଏତେ ବୀତସ୍ପୃହ ହୋଇ ପଡ଼ିଥିଲେ ଯେ ଦ୍ବିତୀୟ ପାଳିରେ ବିଧାନସଭାରେ ୧୧୭ ସଭ୍ୟଙ୍କ ସହ ନିରଙ୍କୁଶ ଶାସନ କରୁଥିବା କଂଗ୍ରେସ ଦଳ ୧୯୯୦ ନିର୍ବାଚନରେ ମାତ୍ର ୯କୁ ଖସି ଆସିଥିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଜନତା ଦଳକୁ ମିଳିଥିଲା ୧୨୩ ଆସନ ସହ ରେକର୍ଡ ସଂଖ୍ୟାଗରିଷ୍ଠତା। (କ୍ରମାଗତ ପାଞ୍ଚ ଥର ନିର୍ବାଚନ ଜିତିଲା ପରେ ମଧ୍ୟ ବିଜୁ ବାବୁଙ୍କ ପୁତ୍ର ବା ତାଙ୍କ ନାମରେ ନାମିତ ଦଳ ଏପର୍ଯ୍ୟନ୍ତ ସେ ରେକର୍ଡ ଭାଙ୍ଗିପାରି ନାହାନ୍ତି)। ସ୍ଥିରତାର ସ୍ଲୋଗାନ ଆଉ କାମ ଦେଲା ନାହିଁ। ବରଂ ସ୍ଥିରତାରେ ଲୋକେ ଏତେ ଅତିଷ୍ଠ ହୋଇପଡ଼ିଲେ ଯେ କଂଗ୍ରେସ ସରକାରକୁ ସମୂଳେ ଉପାଡ଼ି ଫୋପାଡ଼ି ଦେଲେ।
ବିଜୁ ବାବୁ ପାଞ୍ଚ ବର୍ଷ କ୍ଷମତାରେ ରହିଲେ। ସେ ଥିଲେ ଜନତା ଦଳର ସର୍ବମାନ୍ୟ, ଅବିସମ୍ବାଦିତ ନେତା। ଏହା ସତ୍ତ୍ୱେ ସ୍ଥିରତାର ପ୍ରତିଶ୍ରୁତି ତାଙ୍କୁ ଓ ତାଙ୍କ ଦଳକୁ ପରାଜୟରୁ ରକ୍ଷା କରି ପାରିଲା ନାହିଁ। ୧୯୯୦ରେ ୧୨୩ ଆସନ ଲାଭ କରିଥିବା ତାଙ୍କ ଦଳ ୧୯୯୫ରେ ମାତ୍ର ୪୬କୁ ଖସି ଆସିଲା। ୮୦ ଆସନ ଦଖଲ କରି କଂଗ୍ରେସ କ୍ଷମତାକୁ ଫେରିଲା ଓ ପୁଣି ପାଞ୍ଚ ବର୍ଷ ଶାସନ କଲା।
କିନ୍ତୁ ସହସ୍ରାବ୍ଦୀର ପ୍ରଥମ ନିର୍ବାଚନ (୨୦୦୦)ରେ ଓଡ଼ିଶାର ରାଜନୈତିକ ଆକାଶରେ ଏକ ନୂତନ ସୂର୍ଯ୍ୟର ଅଭ୍ୟୁଦୟ ହେଲା ଯାହା ଦୀର୍ଘ ୨୩ ବର୍ଷ ଧରି ଦାଉଦାଉ ହୋଇ ଜଳୁଛି। ଏତେ ତେଜୋମୟ ଥିଲା ଏ ସୂର୍ଯ୍ୟର ରଶ୍ମି ଯେ ଜାନକୀ ବାବୁଙ୍କ ସମେତ ରାଜ୍ୟର ଅନ୍ୟ ସବୁ ତାରକା ଏହାର ତେଜରେ ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇ ପଡ଼ିଲେ। ଏ ସୂର୍ଯ୍ୟର ନାମ ହେଲା ନବୀନ ପଟ୍ଟନାୟକ! ୨୩ ବର୍ଷ ଧରି ନବୀନଙ୍କ ନିରଙ୍କୁଶ ଶାସନରେ ଓଡ଼ିଶା ସ୍ଥିରତାର ଏକ ଅତ୍ୟନ୍ତ ବିରଳ ଦୃଷ୍ଟାନ୍ତ ପାଲଟି ଯାଇଛି।
ଓଡ଼ିଶା ଆକାଶରେ ନୂତନ ସୂର୍ଯ୍ୟର ଅଭ୍ୟୁଦୟ ହେବାର ୧୪ ବର୍ଷ ପରେ ଭାରତରେ ମଧ୍ୟ ଏକ ନୂତନ ସୂର୍ଯ୍ୟ ଉଇଁଲା ଓ ଏଯାବତ ଏହା ନିଜର ତେଜସ୍କ୍ରିୟ କିରଣ ବୁଣି ଚାଲିଛି। ଆପଣମାନେ ନିଶ୍ଚୟ ବୁଝି ସାରିବେଣି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା କହୁଚି। ୨୦୧୪ରେ ଉଦୟ ହୋଇଥିବା ଏ ସୂର୍ଯ୍ୟ ୨୦୧୯ରେ ଆହୁରି ତେଜୋଦୀପ୍ତ ହେଲା। ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଏକକ ସଂଖ୍ୟାଗରିଷ୍ଠତା ଲାଭ କଲା ଓ ବିରୋଧୀ ଦଳଙ୍କ ପ୍ରଭାବର ପରିସରକୁ ଆହୁରି ସଙ୍କୁଚିତ କଲା।
ଅଧିକାଂଶ ରାଜନୈତିକ ପାଣିପାଗ ବିଶେଷଜ୍ଞଙ୍କ ମତ ହେଲା ୨୦୨୪ ନିର୍ବାଚନରେ ମଧ୍ୟ ଏ ଦୁଇ ସୂର୍ଯ୍ୟ ନିଜ ନିଜ ନଭ ମଣ୍ଡଳରେ ଉଜ୍ଜ୍ୱଳ ଆଲୋକ ବିକିରଣ କରିବେ ଓ ଅନ୍ୟ ସବୁ ଗ୍ରହ, ନକ୍ଷତ୍ରଙ୍କୁ ଧରାଶାୟୀ କରିବେ। ଅନ୍ୟ ଭାବରେ କହିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ‘ସ୍ଥିରତା’ ବଜାୟ ରହିବ। କିନ୍ତୁ ନବୀନ ଓ ମୋଦୀ ୨୦୨୪ ରେ ଜିତିବେ କି ନାହିଁ, ତାହା ଏଠି ପ୍ରସଙ୍ଗ ନୁହେଁ। ପ୍ରସଙ୍ଗ ହେଉଛି ରାଜ୍ୟ ଓ ଦେଶ ପାଇଁ ଏ ସ୍ଥିରତା ଶୁଭଙ୍କର କି ନୁହେଁ? ଏ ପ୍ରଶ୍ନର ଉତ୍ତର ପାଇଁ ଆମକୁ ଅତୀତର ସ୍ଥିର ସରକାର ମାନଙ୍କର ଏକ ନିରପେକ୍ଷ, ଯୁକ୍ତିସଙ୍ଗତ ଆକଳନ କରିବାକୁ ପଡ଼ିବ। ଏଥିପାଇଁ ଦୁଇଟି ‘ସ୍ଥିର’ ସରକାରକୁ ଉଦାହରଣ ଭାବେ ଗ୍ରହଣ କରାଯାଉ; ଗୋଟିଏ ରାଜ୍ୟ ସରକାର ଓ ଅନ୍ୟଟି କେନ୍ଦ୍ର ସରକାର।
ନବୀନଙ୍କ ପୂର୍ବରୁ ସ୍ବର୍ଗତ ଜ୍ୟୋତି ବସୁ ଏକାଦିକ୍ରମେ ୨୩ ବର୍ଷ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ବାମ ମେଣ୍ଟର ୨୩ ବର୍ଷ ଶାସନରେ ପଶ୍ଚିମବଙ୍ଗ କ’ଣ ହାସଲ କଲା? ଏକଦା ଦେଶର ସବୁଠାରୁ ଅଧିକ ଶିଳ୍ପସମୃଦ୍ଧ ରାଜ୍ୟର ମାନ୍ୟତା ଲାଭ କରିଥିବା ପଶ୍ଚିମବଙ୍ଗ ଶିଳ୍ପର କବର ପାଲଟିଗଲା। ବାମପନ୍ଥୀ ସରକାରଙ୍କ ଶିଳ୍ପ ବିରୋଧୀ ନୀତି ଓ ଆଭିମୁଖ୍ୟରେ ଅତିଷ୍ଠ ହୋଇ ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଶିଳ୍ପ ଅନ୍ୟ ରାଜ୍ୟକୁ ପଳାୟନ କଲେ। ପୃଥିବୀ ଓ ଦେଶର ବଡ଼ ବଡ଼ ଶିଳ୍ପ ସମୂହ ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ କରିବା ନିରାପଦ ମନେ କଲେ ନାହିଁ। ଫଳରେ ସବୁଠାରୁ ଶିଳ୍ପସମୃଦ୍ଧ ରାଜ୍ୟମାନଙ୍କର ସୂଚୀରେ ପଶ୍ଚିମବଙ୍ଗର ସ୍ଥାନ କ୍ରମାଗତ ଭାବେ ନିମ୍ନମୁଖୀ ହେଲା। ୨୦୧୧ ପରଠାରୁ ସେଠାରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆଉ ଏକ ସ୍ଥିର ସରକାର ଚାଲିଛି। କିନ୍ତୁ ଏ ସରକାର ମଧ୍ୟ ପଶ୍ଚିମବଙ୍ଗର ପୂର୍ବ ଗୌରବ ଫେରାଇ ଆଣି ପାରିନାହିଁ।
୨୦୦୪ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ପରାଜିତ କରି କେନ୍ଦ୍ରରେ କ୍ଷମତା ହାସଲ କଲା କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ। ଦଶ ବର୍ଷ ଧରି ଦେଶକୁ ଏକ ସ୍ଥିର ସରକାର ଦେଲେ ଡକ୍ଟର ମନମୋହନ ସିଂହ। କିନ୍ତୁ ଏ ଦଶନ୍ଧିବ୍ୟାପୀ ସ୍ଥିର ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଦୁର୍ନୀତି ଓ ନୀତିଭ୍ରଷ୍ଟ ଶାସନରେ ଲୋକେ ଏତେ କ୍ଷୁବ୍ଧ, ବୀତସ୍ପୃହ ହୋଇପଡ଼ିଲେ ଯେ ୨୦୧୪ ନିର୍ବାଚନରେ ୟୁପିଏ ସରକାରକୁ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା। ଲୋକସଭାରେ ୨୦୯ ଆସନ ସହ କେନ୍ଦ୍ରରେ ଶାସନର ମଙ୍ଗ ଧରିଥିବା କଂଗ୍ରେସ ମାତ୍ର ୪୬କୁ ଖସି ଆସିଲା; ବିରୋଧୀ ଦଳ ନେତା ପଦ ପାଇଁ ଆବଶ୍ୟକ ସର୍ବନିମ୍ନ ସଂଖ୍ୟା ମଧ୍ୟ ପାଇ ପାରିଲା ନାହିଁ। ଦଳ ଗଠନ ହେବା ପରଠାରୁ ଏହା ଥିଲା କଂଗ୍ରେସର ସବୁଠାରୁ ଶୋଚନୀୟ ପରାଜୟ।
ଲକ୍ଷ୍ୟ କରିବାର କଥା ଯେ ୨ଜି ସ୍ପେକ୍ଟ୍ରମ୍, କୋଇଲା ପରି ଯେଉଁ ସବୁ ଅତିକାୟ ଦୁର୍ନୀତି ପାଇଁ ୟୁପିଏ ଓ ବିଶେଷ କରି କଂଗ୍ରେସର ଏ ଚରମ ବିପର୍ଯ୍ୟୟ ଘଟିଲା, ପ୍ରାୟ ସବୁ ଦୁର୍ନୀତି ମନମୋହନ ସରକାରଙ୍କ ଦ୍ବିତୀୟ ପାଳିରେ ଘଟିଲା। ଅପର ପକ୍ଷରେ ୟୁପିଏ ସରକାର ସମୟରେ ଯାହା କିଛି ଭଲ କାମ ହୋଇଥିଲା- ଯଥା ନରେଗା ଯୋଜନା, ଖାଦ୍ୟ ଅଧିକାର ଆଇନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ- ପ୍ରାୟ ସବୁ ହୋଇଥିଲା ମନମୋହନ ସରକାରଙ୍କର ପ୍ରଥମ ପାଳିରେ। ଏଥିରୁ ଏହା ହିଁ ପ୍ରମାଣିତ ହୁଏ ଯେ ଗୋଟିଏ ନିର୍ଦ୍ଦିଷ୍ଟ ସରକାର କ୍ଷମତାକୁ ଆସିଲା ପରେ ଲୋକହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରେ। କିନ୍ତୁ ସରକାରର ବୟସ ଯେତେ ବଢ଼େ, ଲୋକେ ସେତେ ଗୌଣ ହୋଇ ପଡ଼ନ୍ତି; ସରକାର ଅଧିକ ଦୁର୍ନୀତିଗ୍ରସ୍ତ, ସ୍ୱେଚ୍ଛାଚାରୀ ଓ ଜନବିରୋଧୀ ହୋଇପଡ଼େ।
ମୋଦୀ ସରକାରଙ୍କର ଦୁଇଟି ପାଳିକୁ ଲକ୍ଷ୍ୟ କଲେ ମଧ୍ୟ ଏହି ରାଜନୈତିକ ସତ୍ୟତା ପ୍ରତିପାଦିତ ହୁଏ। ଅବଶ୍ୟ ଏକଥା ସତ ଯେ ଏ ସରକାରର ପ୍ରଥମ ପାଳିରେ ବି ଦେଶ କ୍ଷୀର, ମହୁରେ ଭାସୁ ନ ଥିଲା। କିନ୍ତୁ ପ୍ରଣିଧାନଯୋଗ୍ୟ ବିଷୟ ହେଲା ମୋଦୀ ସରକାରର ଦ୍ବିତୀୟ ପାଳିରେ ହିଁ ଅଧିକାଂଶ ବିବାଦୀୟ ଓ ଜନ ବିରୋଧୀ ବିଲ୍ ମାନ ପାରିତ ହୋଇଛି ଓ ନିଷ୍ପତ୍ତି ମାନ ନିଆଯାଇଛି। ଯଥା: ଧାରା ୩୭୦ ଉଚ୍ଛେଦ, ନାଗରିକ ସଂଶୋଧନ ଆଇନ, ସୂଚନା ଅଧିକାର ଆଇନର ସଙ୍କୋଚନ, ସୁପ୍ରିମ୍ କୋର୍ଟଙ୍କ କ୍ଷମତା ପରିସରକୁ ହ୍ରାସ କରିବାର ଉଦ୍ୟମ, ଗଣମାଧ୍ୟମ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କର କଣ୍ଠରୋଧ, ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ କ୍ଷମତା ହ୍ରାସ ଓ ରାଜନୈତିକ ଉଦ୍ଦେଶ୍ୟସାଧନ ପାଇଁ ସିବିଆଇ, ସେବି ଓ ଆୟକର ବିଭାଗ ପରି କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକର ଅପବ୍ୟବହାର। ଏଥିରୁ ଏହା ହିଁ ପ୍ରମାଣିତ ହେଉଛି ଯେ ସ୍ଥିରତା ସରକାରଙ୍କୁ ଅଧିକ ଉତ୍ତରଦାୟୀ କରିବା ବଦଳରେ ଅଧିକ ସ୍ବେଚ୍ଛାଚାରୀ, ମନମୁଖୀ ଓ ଜନବିରୋଧୀ କରେ।
ଏଥର ଫେରିବା ଓଡ଼ିଶାକୁ। ୨୩ ବର୍ଷର ନବୀନ ସରକାରଙ୍କ ଅମଳରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଉନ୍ନତି ସାଧନ କରିଛି। ଦାରିଦ୍ର୍ୟ, ଅନାହାର, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ତଥା ଜୀବନ ଧାରଣର ସାମଗ୍ରିକ ମାନ ବୃଦ୍ଧି ହୋଇଛି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟ ଯାହା ସବୁ ହରାଇଛି, ତାହାର ସୂଚୀ ବେଶ ଦୀର୍ଘ ଓ ସେସବୁର ପ୍ରଭାବ ସୁଦୂରପ୍ରସାରୀ। ସ୍ବେଚ୍ଛାଚାରିତା ବଢ଼ିଛି; ଗଣତନ୍ତ୍ର ଦୁର୍ବଳ ହୋଇଛି; ବିଧାନସଭାର ମର୍ଯ୍ୟାଦା ହ୍ରାସ ଘଟିଛି; ରାଜ୍ୟରେ ଅମଲା ଶାସନ ପ୍ରତିଷ୍ଠିତ ହୋଇଛି; ମନ୍ତ୍ରୀ ଓ ବିଧାୟକ ସମ୍ପୂର୍ଣ୍ଣ ଭାବେ କ୍ଷମତାଶୂନ୍ୟ, ଅପ୍ରାସଙ୍ଗିକ ହୋଇ ପଡ଼ିଛନ୍ତି; ବୁଦ୍ଧିଜୀବୀଙ୍କର ଗୁଣ ହରଣ ହୋଇଛି; ଗଣମାଧ୍ୟମ ସଙ୍କୁଚିତ ହୋଇଛି; ମୁକ୍ତ ବିଚାର ବ୍ୟକ୍ତ କରିବାର ଅଧିକାର କ୍ଷୁଣ୍ଣ ହୋଇଛି। କହିବା ବାହୁଲ୍ୟ, ଏଥିମଧ୍ୟରୁ କୌଣସିଟି ଗଣତନ୍ତ୍ରର ସ୍ବାସ୍ଥ୍ୟ ପାଇଁ ଆଦୌ ହିତକର ନୁହେଁ। ଉଲ୍ଲେଖନୀୟ କଥାଟି ହେଉଛି ନବୀନ ସରକାରର ବୟସ ଯେତେ ବଢୁଛି, ଏହାର ଗଣତନ୍ତ୍ର ବିରୋଧୀ ଆଭିମୁଖ୍ୟ ସେତେ ଅଧିକ ଦୃଢ଼ ହେଉଛି।
ଅବଶ୍ୟ ଗଣତନ୍ତ୍ରରେ ‘ଗଣ’ ହିଁ ସର୍ବେସର୍ବା। ଏବଂ ‘ଗଣ’ଙ୍କ ବିଚାରରେ ଯଦି ସ୍ଥିରତା ହିଁ ଏକମାତ୍ର କାମ୍ୟ, ଉପରବର୍ଣ୍ଣିତ ବିସଙ୍ଗତିଗୁଡ଼ିକ ଯଦି ସମ୍ପୂର୍ଣ୍ଣ ଭାବେ ଅପ୍ରାସଙ୍ଗିକ, ତେବେ ସେଥିରେ କାହାରି କିଛି କହିବାର ନାହିଁ। କିନ୍ତୁ ଇତିହାସ ସାକ୍ଷୀ ଅଛି ଯେ ଲର୍ଡ ଆକ୍ଟନଙ୍କର ସେ ବହୁଳ ବ୍ୟବହୃତ ଆପ୍ତବାକ୍ୟଟି ବାରମ୍ବାର ସତ୍ୟ ପ୍ରମାଣିତ ହୋଇଛି, ଯାହା କହିଥାଏ- ‘କ୍ଷମତା ନୈତିକ ଅଧୋପତନ ଘଟାଏ ଓ ନିରଙ୍କୁଶ କ୍ଷମତା ସମ୍ପୂର୍ଣ୍ଣ ଭାବେ ଅନୈତିକ କରି ପକାଏ।’
ମୋ: ୯୯୩୭୨୨୮୧୨୨