ଜୀବନ ଏକ ଚିରନ୍ତନ ପ୍ରବାହ

ପବିତ୍ର ମୋହନ କର

ସାରା ପୃଥିବୀ ଏବେ ଚଳିତ ଖ୍ରୀଷ୍ଟାବ୍ଦର ଶେଷ ମାସରେ। ଦଶ ମାସରୁ ଅଧିକ ଅବଧିର ‘କରୋନା’ ନାମକ ଅଶ୍ରୁତପୂର୍ବ ଆତଙ୍କ କବଳରୁ ଆମେ ମୁକୁଳି ପାରିନାହୁଁ। ଅନେକ ପ୍ରିୟ ପରିଜନଙ୍କୁ ଅକାଳରେ ହରେଇଛୁ, ଅଥଚ ଆହା ପଦେ କହିବାକୁ ଶୋକସନ୍ତପ୍ତ ପରିବାର ନିକଟରେ ଠିଆ ହୋଇପାରିନୁ। ଦଶ ମାସ ତଳେ ହଠାତ୍‌ ଗାଡ଼ିଘୋଡ଼ା, ହାଟବଜାର, ମନ୍ଦିର ମସ୍‌ଜିଦ, କଳକାରଖାନା, ସଭାସମିତି, ଖବରକାଗଜ, ମୂଲମଜୁରି ବନ୍ଦ ହେଇଗଲା। ଶୂନଶାନ ରାସ୍ତାରୁ କେବଳ ଶୁଭୁଥିଲା ଘର ବାହୁଡ଼ା ନିରେଖ ମଣିଷମାନଙ୍କର ଦୁଃଖର ଦୋହା। ‘ସତୀ ଅନସୂୟା’ ନାଟକର ପାହୁନଥିବା କାଳରାତି ଯେମିତି ଓହ୍ଲେଇ ଆସିଥିଲା ଏକବିଂଶ ଶତାବ୍ଦୀର ପୃଥିବୀକୁ। ରାଜ୍ୟରେ, ଦେଶରେ; ଏପରିକି ସମଗ୍ର ବିଶ୍ବରେ ଶୁଭିଲା କରୋନା ଆତଙ୍କର ଅଟ୍ଟହାସ୍ୟ। ଅସହାୟ ମଣିଷ। ପାଞ୍ଜି, ପୋଥି, ଜ୍ୟୋତିଷ, ଧର୍ମଯାଜକ, ମୌଲବୀ, ପଣ୍ଡିତ ସମେତ ଆଧୁନିକ ଚିକିତ୍ସା ବିଜ୍ଞାନ ଓ ଦକ୍ଷ ପ୍ରଶାସନ ମଧ୍ୟ ଉପାୟହୀନ। ‘କରୋନା’ର କ୍ରୂର କାରସାଦିରେ ସମସ୍ତେ ପରାସ୍ତ। ବିଶ୍ବ ଇତିହାସରେ ଏଭଳି ଦୀର୍ଘ ଓ ଭୟଙ୍କର ପରିସ୍ଥିତି କେବେ ସୃଷ୍ଟି ହୋଇନଥିଲା।

ଗଲା ମାର୍ଚ୍ଚ ମାସ ମଧ୍ୟଭାଗର ସେହି ସ୍ଥିତି ମନେ ପଡ଼ିଲେ ବିସ୍ମିତ ଲାଗେ। ଗୋଟେ ଭୂତାଣୁ ଭୟରେ ସାରା ସଂସାର ଥରହର। ମଣିଷ ମଣିଷକୁ ଛୁଇଁବ ନାହିଁ, ଆଲିଙ୍ଗନ କରିବ ନାହିଁ, ଭେଟିବ ନାହିଁ, ସୁଖଦୁଃଖ ବାଣ୍ଟିବ ନାହିଁ। ଏମିତିରେ ମଣିଷ ଜାତି ତିଷ୍ଠିବ କେମିତି? ଜୀବନ ତ ଏକ ଚିରନ୍ତନ ପ୍ରବହମାନତା। ଅପ୍ରତିହତ ଜୀବନର ଜୟଯାତ୍ରା ତ ପୃଥିବୀ ଗ୍ରହର ସ୍ବାତନ୍ତ୍ରୢ। ଏଇଠି ହିଁ ଜୀବନ ସମ୍ଭବ, ଜୀବନର ମହୋତ୍ସବ ସମ୍ଭବ। ପୌରାଣିକ କିଂବଦନ୍ତି ଠାରୁ ଆରମ୍ଭ କରି ପ୍ରାଗୈତିହାସିକ ଯୁଗରୁ ଏହା ବାରମ୍ବାର ପ୍ରମାଣିତ। ବାତ୍ୟାବିଧ୍ୱସ୍ତ ବିଶାଳ ଗଛଟିରେ ଦିନ କେଇଟା ଭିତରେ ସବୁଜ ପତ୍ର କଅଁଳିଲା ପରି ବିପର୍ଯ୍ୟୟ ସତ୍ତ୍ୱେ ମଣିଷ ମନରେ ଆଶା ଉଙ୍କି ମାରେ। ସରୁ ନଥିବା ସ୍ବପ୍ନ ଓ ପୂରୁ ନଥିବା ଅଭିଳାଷକୁ ଚରିତାର୍ଥ କରିବା ପାଇଁ ସିଏ ଅଣ୍ଟା ଭିଡ଼େ। ପଦାକୁ ଗୋଡ଼ କାଢ଼େ। ସଂକଟ ପରାଜିତ ହୁଏ। ଜୀବନ ପୁଣି ଜୟଯୁକ୍ତ ହୁଏ।

ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ସର୍ବନିମ୍ନ ଥିଲାବେଳେ ଯେଉଁ ମାସ୍କ ଭୟର ପ୍ରତୀକ ଥିଲା, ଏବେ ତାହା ସୌଖୀନ ପରିଚ୍ଛଦର ଅଂଶ। ‘କୋଭିଡ ଟେଷ୍ଟ’ ବଦଳରେ ଏବେ ‘କୋଭିଡ ଟିକା’ ଚର୍ଚ୍ଚାର ବିଷୟ। ହାଟ ବଜାର ଖୋଲିଲାଣି। ବସ୍‌, ଟ୍ରକ୍‌, ରେଳ ଓ ବିମାନସେବା ଆରମ୍ଭ ହେଲାଣି। କୃଷି, ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଜୋର ଧରିଲାଣି। ହାତ ବଢ଼େଇବା ବଦଳରେ ହାତ ଯୋଡ଼ିବା ଅଭ୍ୟାସରେ ପଡ଼ିଲାଣି। କୋଭିଡ କଟକଣା ମଧ୍ୟରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଦୀପାବଳି ଓ ଇଦ୍‌ ପାଳିତ ହେଲା। ଜୀବନ ପୁଣି ମୁଖର ହେବାକୁ ଲାଗିଲାଣି; କିନ୍ତୁ କିଛି ପୂର୍ବବତ୍‌ ନୁହେଁ। କରୋନା ଭୟାବହତା ସତ୍ତ୍ୱେ ନ୍ୟୁଜିଲାଣ୍ଡ, ଆମେରିକା, ଇଜିପ୍ଟ, ଶ୍ରୀଲଙ୍କା, ଇରାନ, ଇସ୍ରାଏଲ ଆଦି ଅନେକ ଦେଶ ସମେତ ଭାରତର ବିହାର ରାଜ୍ୟରେ ବିଧିବଦ୍ଧ ନିର୍ବାଚନ କରାଯାଇ ପାରିଛି। ଦୀର୍ଘ ଅନିଶ୍ଚିତତାର ସମାପ୍ତି ଘଟାଇ ସର୍ବଭାରତୀୟ ଇଂଜିନିୟରିଂ ଓ ମେଡିକାଲ ଯୁଗ୍ମ ପ୍ରବେଶିକା ପରୀକ୍ଷା କରାଯାଇ ଏ ବର୍ଷ ପାଇଁ ଆଡମିସନ ମଧ୍ୟ ସରିଲାଣି। ପାଠପଢ଼ା ଯଦିଓ ଅନଲାଇନରେ ହେଉଛି, ଅନ୍ତତଃ ଶିକ୍ଷାବର୍ଷଟିକୁ ସଂପୂର୍ଣ୍ଣ ବ୍ୟର୍ଥ ହେବାକୁ ଦିଆ ଯାଇନାହିଁ। ବିବାହ ଆଦି ସାମାଜିକ ଉତ୍ସବଗୁଡ଼ିକୁ କୋଭିଡ କଟକଣା ମଧ୍ୟରେ ସଂପନ୍ନ କରାଯାଉଛି। ବହୁ ବିଚାର-ବିମର୍ଶ ପରେ ଭାରତୀୟ କ୍ରିକେଟ୍‌ର ବାଲିଯାତ୍ରା ଆଇ.ପି.ଏଲ୍‌କୁ ବିନା ଦର୍ଶକରେ ୟୁ.ଏ.ଇ. ଠାରେ ଆୟୋଜିତ କରାଯାଇଛି। ଏବେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। କୋଟି କୋଟି ଦର୍ଶକ ଟିଭି ପରଦାରେ କ୍ରିକେଟ୍‌ ମ୍ୟାଚ୍‌ର ଆନନ୍ଦ ପାଉଛନ୍ତି। କରୋନା ନାମକ କଳା ବାଦଲଟି ଧୀରେ ଧୀରେ ଅପସରି ଗଲା ପରି ପ୍ରତ୍ୟୟ ହେଲାଣି।

କଳା, ସାହିତ୍ୟ ଓ ନାଟକ ଦୁନିଆ ଅବଶ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ କ୍ରିୟାଶୀଳ ହୋଇନାହିଁ। ସୃଜନର ଅଙ୍କୁରୋଦ୍‌ଗମକୁ ସଂକଟ କେବେ ରୋକି ପାରିନାହିଁ। ଚଳିତବର୍ଷ ପ୍ରକାଶିତ ପୂଜାପତ୍ରିକା ଗୁଡ଼ିକର ସଂଖ୍ୟା ସନ୍ତୋଷଜନକ। ସାମୟିକ ସ୍ଥଗିତ ହେବା ପରେ ଖବରକାଗଜ ଗୁଡ଼ିକର ପ୍ରକାଶନ ଓ ବଣ୍ଟନ ପୂର୍ବବତ୍‌ ବାହାଲ ହୋଇଛି। ଅଧିକନ୍ତୁ ନୂଆ ଓଡ଼ିଆ ଖବରକାଗଜଟିଏ ଇତି ମଧ୍ୟରେ ଜନ୍ମ ନେଇଛି। ସଂଖ୍ୟା କମ୍‌ ହେଲେ ବି ଅନେକ ନୂଆ ବହିର ପ୍ରକାଶନ ଓ ଅନ୍‌ଲାଇନ୍ ଉନ୍ମୋଚନ ଚାଲିଛି।

ଅନଲାଇନରେ ଗପ-କବିତା ଆସର ଜାରି ଅଛି। ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପୁରସ୍କାର ଘୋଷଣା ଓ ପ୍ରଦାନ ଆରମ୍ଭ ହେଲାଣି। ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନେଇ ସାରିଲେଣି। କେବଳ ମଞ୍ଚ ନାଟକ ଓ ସିନେମା ପ୍ରଦର୍ଶନ ଏ ଯାଏ ବନ୍ଦ ରହିଛି। ଥିଏଟର ଖୋଲିବା ଦାବିରେ ମଞ୍ଚ କଳାକାରମାନେ ରାଜଧାନୀର ରବୀନ୍ଦ୍ର ମଣ୍ଡପ ସାମ୍ନାରେ ଆନ୍ଦୋଳନ କରିଥିବାର ସୂଚନା ମିଳିଛି। କୋଣାର୍କ ଉତ୍ସବକୁ ସରକାରୀ ଅନୁମତି ପ୍ରଦାନ ଓ ନିକଟରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ପାଳନ ପ୍ରେକ୍ଷାଳୟ ଖୋଲିବା ପ୍ରକ୍ରିୟାକୁ ନିଶ୍ଚୟ ତ୍ବରାନ୍ବିତ କରିବ। ସମ୍ପ୍ରତି ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନରେ ହଜାର ହଜାର କୃଷକଙ୍କ ଯୋଗଦାନ ଜନଜୀବନ ସ୍ବାଭାବିକ ହେଉଥିବାର ପ୍ରମାଣ। ବିଂଶ ଶତାବ୍ଦୀରେ ସଂଘଟିତ ଦି’ଦି’ଟା ବିଶ୍ବଯୁଦ୍ଧ, ସ୍ବାଇନ-ଫ୍ଲୁ ମହାମାରୀ, ଆର୍ଥିକ ମାନ୍ଦାବସ୍ଥା ଭଳି ଅଘଟଣ ଆଜି ଇତିହାସ। ଓଡ଼ିଶାରେ ମଧ୍ୟ ୧୮୬୬ର ଦୁର୍ଭିକ୍ଷ ପରି ୧୯୯୯ ମସିହାର ବାତ୍ୟା-ବିଭୀଷିକା ଆଜି କେବଳ ସ୍ମୃତି ଚିହ୍ନଟିଏ। ମଣିଷ ଅକଳନ୍ତି ଶକ୍ତି ଓ ସମ୍ଭାବନାର ଉତ୍ସ। ସଂକଟ ସମୟରେ ଏହି ଶକ୍ତି ବହୁଗୁଣିତ ହୋଇ ମୁକ୍ତିର ମାର୍ଗ ଉନ୍ମୋଚିତ କରେ। ମଣିଷ ଆହ୍ବାନର ମୁକାବିଲା କରେ। ଧନଜୀବନ ହାନି ସତ୍ତ୍ୱେ ବିପତ୍ତି ଉପରେ ବିଜୟ ଲାଭ କରେ। କାଳ ରାତିର ରାଜୁତି ଭୟଙ୍କର ହେଲେ ବି ତାହା ସ୍ବଳ୍ପାୟୁ। ନୂଆ ଏକ ସକାଳର ଅନ୍ୟ ନାମ ଜୀବନ। କରୋନା ପାଇଁ ୨୦୨୦ ମସିହା ବିଶ୍ୱ ଇତିହାସରେ ଅଲିଭା ଗାର ହୋଇ ରହିଯିବ। କିନ୍ତୁ ମଣିଷର ଆଶା, ଅଭିଳାଷ ଓ ସଂକଳ୍ପ ଯେ ଏଭଳି ସଂକଟକୁ ଜୟ କରି ଜୀବନକୁ ଏକ ଚିରନ୍ତନ ମହୋତ୍ସବରେ ରୂପାନ୍ତର କରିବାର କ୍ଷମତା ରଖେ, ଏ କଥା ମଧ୍ୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ।
‘କଳ୍ପବଟ’
ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର