ସୃଜନ ସମ୍ଭାର: ବାର୍ଦ୍ଧକ୍ୟର ଥର୍ମୋମିଟର

ସ୍ଥାୟୀ ସରକାରୀ ଚାକିରିର ସୁନିଶ୍ଚିତ ବେତନ ଓ ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟବସ୍ଥାର ପ୍ରଲୋଭନରୁ ନିଜକୁ ମୁକୁଳାଇ ମୁଁ ଯେତେବେଳେ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଯୋଜନା କଲି, ସେତେବେଳେ ସ୍ୱାଭାବିକ ଭାବରେ ମୋର ଅନେକ ଶୁଭେଚ୍ଛୁ ଏଭଳି ଏକ ଆତ୍ମଘାତୀ ନିଷ୍ପତ୍ତିରୁ ଓହରି ଯିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲେ। ସୁଦୂର ମଧ୍ୟ-ଆଫ୍ରିକାର ଗେବନ ସହରରେ ରହୁଥିବା ଜଣେ ହିତାକାଂକ୍ଷୀ ମୋତେ ବୋଧହୁଏ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ଗ୍ରାସ କରିଛି ବୋଲି ଚିନ୍ତା କରି ମୋ ମୋବାଇଲ ଫୋନରେ ଗୋଟିଏ ଭିଡିଓ ପଠାଇଥିଲେ। ଭିଡିଓଟିରେ ବକ୍ତାଙ୍କର ନାଁ କିମ୍ବା ପରିଚୟ ଜଣା ନ ଥିଲା। ତେବେ, ତାଙ୍କର କହିବାର ଶୈଳୀ ଥିଲା ବେଶ ଆକର୍ଷଣୀୟ। ସେହି ବ୍ୟକ୍ତି ଜଣକ କହୁଥିଲେ ଯେ ବାର୍ଦ୍ଧକ୍ୟ ଏକ ଗାଣିତିକ ସଂଖ୍ୟା କେବଳ ନୁହଁ‌; ଏହା ଏକ ମାନସିକ ଅବସ୍ଥା। ସୁତରାଂ, ଖାଲି ଷାଠିଏ ଛୁଇଁଗଲେ ମଣିଷ ବୃଦ୍ଧାବସ୍ଥାରେ ପହଞ୍ଚିଯାଏ ନାହିଁ; ଯଦିଓ ଶାସ୍ତ୍ର ମତ ଅନୁଯାୟୀ ଏହା ବାନପ୍ରସ୍ଥର ସମୟ, ମାତ୍ର, ଯୁଗ ବଦଳିବା ସହିତ ଚିନ୍ତାଧାରା ବଦଳି ଯାଇଛି। ସାମୁଏଲ ଉଲମାନ (୧୮୪୦-୧୯୨୪)ଙ୍କ ଭାଷାରେ ଯୌବନ ହେଉଛି ଏକ ମାନସିକ ଅବସ୍ଥା। ସେମିତି ବାର୍ଦ୍ଧକ୍ୟ! ସେହି ଭିଡିଓରେ ବକ୍ତା ଜଣକ କହୁଥିଲେ- ଆପଣଙ୍କର ବୟସ ଯାହା ବି ହେଇଥାଉ, ଆପଣଙ୍କୁ ବାର୍ଦ୍ଧକ୍ୟ ଛୁଇଁଲାଣି କି ନାହିଁ- ତାହା ଜାଣିବା ପାଇଁ ଏକ ଥର୍ମୋମିଟର ବ୍ୟବହାର କରନ୍ତୁ। ତାହା ଏହି ଭଳି: ବନ୍ଧୁମାନେ ଗପସପ କରିବା ପାଇଁ ଡାକିଲେ ଆପଣ ଯାଉ ନାହାନ୍ତି, ହୋହାଲ୍ଲା କରୁଥିବା ପିଲାମାନଙ୍କ ଉପରେ ବିନା କାରଣରେ ଚିଡୁଛନ୍ତି, ଧମାଲ ମଚେଇଥିବା ସିନେମା ଉପରେ ଆପଣ କଡ଼ା ଟିପ୍ପଣୀ ଦେଉଛନ୍ତି, ମେହଫିଲ ଜମିଥିବା ବେ‌ଳେ ଆପଣ ଗୁରୁ ଗମ୍ଭୀର ଉପଦେଶମାନ ଦେବା ଆରମ୍ଭ କରୁଛନ୍ତି, ନୂଆ ଲୁଗାପଟା କିଣିବାର ଇଚ୍ଛାକୁ ବୃଥା ବୋଲି ମନେ କରୁଛନ୍ତି, ପ୍ରତି କଥାରେ ଯଦି ଆପଣ ଯୁବ ଗୋଷ୍ଠୀର ସମାଲୋଚନା କରିବା ପାଇଁ ଅଣ୍ଟା ଭିଡୁଛନ୍ତି, ଦାମୀ ରେସ୍ତୋରାଁରେ ବସି ଖାଇବା ବେଳେ ଯଦି ଆପଣ ଘର ଖାଦ୍ୟର ପ୍ରଶଂସା କରୁଛନ୍ତି, ରିମ୍‌ଝିମ୍‌ ବର୍ଷା ସମୟରେ ଗରମାଗରମ ପକୁଡ଼ି ବଦଳରେ ଆପଣଙ୍କୁ ଯଦି ଛତା କଥା ମନେ ପଡୁଛି ଇତ୍ୟାଦି।

ବୋଧହୁଏ ମୋର ସେହି ଶୁଭାକାଂକ୍ଷୀ ମୋର ସରକାରୀ ଚାକିରିରୁ ସମୟ ପୂର୍ବରୁ ଅବସର ନେବାର ନିଷ୍ପତ୍ତିକୁ ସେହି ଭଳି ଏକ ବାର୍ଦ୍ଧକ୍ୟ ଲକ୍ଷଣ ଭାବେ ଦେଖିଥିଲେ। ହୁଏତ ମୁଁ ମଧ୍ୟ ତାଙ୍କୁ ବୁଝାଇବାରେ ବିଫଳ ହୋଇଥିଲି ଯେ ସରକାରୀ ଚାକିରିର ଗତାନୁଗତିକ ରୁଟିନବନ୍ଧା ଜୀବନ ବ୍ୟତିରେକ ମଧ୍ୟ ଜୀବନ ଅଛି। ଦୀର୍ଘ ଚାକିରି କାଳ ପରେ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ଥିବା ରୁଚିର ବିନିଯୋଗ ଏବଂ ଉପଯୋଗ କରାଯାଇପାରେ। ଫୁଲ ବଗିଚା ମଧ୍ୟରେ ବା ଗଳ୍ପ, କବିତା, ସ୍ତମ୍ଭ ଲେଖିବା ମାଧ୍ୟମରେ ବା କୌଣସି ବାଦ୍ୟ ଯନ୍ତ୍ର ଶିଖିବା ଜରିଆରେ ଜୀବନକୁ ରସମୟ କରି ଦିଆଯାଇପାରେ। ନୂଆ ନୂଆ ରେସିପି ଶିଖି ରୋଷେଇଶାଳରେ ତା’ର ପ୍ରୟୋଗ କରିବାରେ ମଧ୍ୟ ଏକ ଆନନ୍ଦ ରହିଛି। ଆଜି ଯାଏ ଅଦେଖା ହୋଇ ରହି ଯାଇଥିବା ଦେଶ ଓ ଦେଶାନ୍ତରର ବହୁ ଆକର୍ଷଣୀୟ ସ୍ଥାନ ପରିଭ୍ରମଣ ମଧ୍ୟ କରାଯାଇପାରେ। ସୁତରାଂ, ମୋ ଶୁଭାକାଂକ୍ଷୀ ପଠାଇଥିବା ଭିଡିଓର ସେହି ବକ୍ତା ଜଣଙ୍କୁ ଯଦି ମୋର ଏହି ଯୋଜନା ବାବଦରେ କୁହାଯାଆନ୍ତା, ତେବେ ସେ ତାଙ୍କ ଥର୍ମୋମିଟରରେ ମାପି ନିଶ୍ଚୟ କହନ୍ତେ ଯେ ଏହା ବାର୍ଦ୍ଧକ୍ୟ ନୁହେଁ ବରଂ ଷାଠିଏ ବର୍ଷରେ ଯୌବନ ଉଦୟ ହେବାର ଲକ୍ଷଣ! ତେଣୁ ମୋ ମତରେ ଏବେ ଦୁଇଟି ଥର୍ମୋମିଟର ରଖିବାକୁ ହେବ, ଯହିଁରୁ ଜାଣି ହେବ କେଉଁମାନେ ବାର୍ଦ୍ଧକ୍ୟରେ ତରୁଣାବସ୍ଥାର ଆବିଷ୍କାର କରିବାକୁ ମନସ୍ଥ କରିଛନ୍ତି।
ମୋ: ୯୪୩୮୧ ୪୯୭୬୧

ସମ୍ବନ୍ଧିତ ଖବର