ସରସ ରସ: ଜୀବନର ଘଣ୍ଟନାଦ

ସୁଭାଷ ପଟ୍ଟନାୟକ

ମନୁଷ୍ୟ ସହିତ ଇଏ କେବେଠାରୁ ଯୋଡ଼ି ହୋଇ ରହିଛି ତାର କିଛି ଠୋସ୍ ପ୍ରମାଣ ଯଦିଓ ନାହିଁ, ମନୁଷ୍ୟର ଜୀବନ ସହିତ ଘଣ୍ଟିର ସମ୍ପର୍କ ଖୁବ୍ ନିବିଡ଼। ଘଣ୍ଟ, ଘଣ୍ଟା, ଘଣ୍ଟି ଏବଂ ତାର ସାନ ଭଉଣୀ ଘାଗୁଡ଼ି ଓ ଘୁଙ୍ଗୁର, ଏସବୁ ଗୋଟିଏ ପରିବାରର ସଦସ୍ୟ। ପିଲାଦିନେ ମା’ ଅଣ୍ଟାରେ ବାନ୍ଧି ଦେଇଥାଏ ଗୋଟିଏ ଘାଗୁଡ଼ି। ରୁଣୁଝୁଣୁ ଶବ୍ଦ ସୂଚାଇଦିଏ ପିଲାଟି ତାର କେଉଁଠି ଅଛି। ଘଣ୍ଟି ସହିତ ପ୍ରଥମ ସମ୍ପର୍କ ଏହିଠାରୁ। ଅଘଟଣର ଆଶଙ୍କା କଲେ ମା’ ଦୌଡ଼ିଯାଏ ମନ୍ଦିର। ଘଣ୍ଟ ବଜାଇ ପ୍ରାର୍ଥନା କରେ ‘ମହାଭାରତ ଯୁଦ୍ଧରେ ଭରତିଆ ପକ୍ଷୀକୁ ଘଣ୍ଟ ଘୋଡ଼ାଇ ରକ୍ଷା କଲାପରି ପରିବାରକୁ ମୋର ଘଣ୍ଟ ଘୋଡ଼ାଇ ରଖିଥାଅ ପ୍ରଭୁ’! ଠାକୁର ଘରେ ସକାଳ ସଞ୍ଜରେ ଗରୁଡ଼ଘଣ୍ଟି ବାଜିଉଠେ। ଗୋଧୂଳି ବେଳାରେ ଘର ଫେରନ୍ତା ଗାଈଗୋଠ ବେକର ସମୂହ ଘଣ୍ଟି ଶବ୍ଦ ଅଜଣା ଗୀତର ସଙ୍ଗୀତ ଶୁଣାଏ। ସନ୍ଧ୍ୟାରେ ଗ୍ରାମ ଦେବାଳୟରୁ ଭାସିଆସେ ସନ୍ଧ୍ୟା ଆରତିର ଘଣ୍ଟନାଦ। ଜଙ୍ଘରେ ଘଣ୍ଟିଟିଏ ବାନ୍ଧି ଗାଁ ଦାଣ୍ଡରେ ଚାଲିଯାଉଥାଏ ଜାନୁଘଣ୍ଟିଆ। ଟଂ ଟଂ ଶବ୍ଦ ଶୁଣି ଗ୍ରାମ୍ୟବଧୂ ଝୁଲାରେ ତାର ପକାଇଦିଏ ଭିକ୍ଷା ତଣ୍ଡୁଳ। ଚୈତ୍ରମାସରେ ମୁଣ୍ଡରେ ଜଳକୁମ୍ଭ ଓ ଅଣ୍ଟାରେ ଘଣ୍ଟିମାଳ ବାନ୍ଧି ଗାଆଁକୁ ଆସେ ଘଣ୍ଟପାଟୁଆ। ସେମାନଙ୍କ ଘଣ୍ଟନାଦରେ ଗାଁ ଦାଣ୍ଡ ପ୍ରକମ୍ପିତ ହୁଏ। ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା ‘ଜିଙ୍ଗଲ ବେଲ୍’ ଓ ‘ଡିଂ ଡଂ ବେଲ୍’ ଶୁଣି ଶୁଣି। ଶିକ୍ଷକ କାହାଣୀ କହୁଥିଲେ, ରାଜାଙ୍କ ଦ୍ବାର ଦେଶରେ ଗୁହାରି ଶୁଣିବାକୁ ବନ୍ଧାହୋଇଥିଲା ଘଣ୍ଟି। ଭୋକିଲା ବୃଦ୍ଧ ଘୋଡ଼ାଟି ଘଣ୍ଟିର ଦଉଡ଼ିକୁ ଖାଦ୍ୟ ଭାବି ଖାଇବାକୁ ଟାଣିଦେଲା। ବାଜିଉଠିଲା ଘଣ୍ଟି। ଅଭିଯୋଗ ଶୁଣିଲେ ରାଜା। ଭୋକିଲା ପେଟ ତାର ଆଉ ଖାଲି ରହିଲାନି।

ବାପାଙ୍କ ସାଇକେଲ ଘଣ୍ଟି ଶୁଣିଲେ ଛୋଟବେଳେ କେଡ଼େ ଆନନ୍ଦ ଲାଗେ! ଟିକିଏ ବଡ଼ ହୋଇଯିବା ପରେ ସେଇ ସାଇକେଲ ଘଣ୍ଟି ଶୁଣି ଡରରେ ବହି ମେଲାଇ ବସିଯିବାକୁ ହୁଏ। ବାପାଙ୍କୁ ହାତଖର୍ଚ୍ଚ ମାଗିବାକୁ ଥିଲେ ମନେପଡ଼ିଯାଏ ବିଲେଇ ବେକରେ ଘଣ୍ଟି ବାନ୍ଧିବା କଥା। ସ୍କୁଲରେ ସକାଳର ଘଣ୍ଟା ବାଜିଗଲେ ଓଃ, କି ବିରକ୍ତ ଲାଗେ! ସେଇ ଘଣ୍ଟା ଚାରିଟାବେଳେ ପୁଣି ବାଜିଲେ ମନ ଖୁସିରେ କୁରୁଳି ଉଠେ। ଘଣ୍ଟିର ଶବ୍ଦ ଶୁଣି ଶୁଣି ଜୀବନ ଆଗକୁ ବଢ଼େ, ଘଣ୍ଟି ସହିତ ସମ୍ପର୍କ ନିବିଡ଼ ହୁଏ। ଷ୍ଟେସନରେ ଗାଡ଼ି ଛାଡ଼ି ଦେବାର ଘଣ୍ଟି, ପରୀକ୍ଷା ଆରମ୍ଭ ଓ ଶେଷ ହେବାର ଘଣ୍ଟି, ଆଉ ବାପାଙ୍କ ଶେଷ ଶଯ୍ୟା ନିକଟରେ କାନ୍ଥ ଘଣ୍ଟାର ଘଣ୍ଟି ଶବ୍ଦ, ଏସବୁ ଥିଲା ଜୀବନ ନାଟକର ଏକ ଏକ ଦୃଶ୍ୟାନ୍ତର ପରି। ଗଭୀର ରାତ୍ରିରେ କେବେ ଟେଲିଫୋନର ଘଣ୍ଟି ବାଜିଲେ ଅଜଣା ଆତଙ୍କରେ ଦେହ ଶିହରି ଉଠେ। ବୟସ ବଢ଼ିବା ସହିତ ଘଣ୍ଟି ଆହୁରି ନିକଟତର ହୁଏ। ଦୁଆର ମୁହଁର ଘଣ୍ଟି, ଉପରିସ୍ଥଙ୍କ ଦପ୍ତର ଘଣ୍ଟି, ଆମ୍ବୁଲାନ୍ସର ଘଣ୍ଟି, ନିଆଁ ଲିଭାଳି ଗାଡ଼ିର ଘଣ୍ଟି, ଟେବୁଲ ଘଣ୍ଟାର ଘଣ୍ଟି ଓ କେବେ କେମିତି ପ୍ରେକ୍ଷାଳୟରେ ନର୍ତ୍ତକୀ ଅଣ୍ଟାର ଘଣ୍ଟିମାଳ, ଜୀବନର ଏସବୁ ଘଣ୍ଟନାଦ ମଧ୍ୟରେ ଶରୀର ପୁରୁଣା ହୋଇଆସେ। ବିପଦର ଘଣ୍ଟି, ସତର୍କତାର ଘଣ୍ଟି ଓ ମୃତ୍ୟୁର ଘଣ୍ଟି ବାଜୁ କି ନବାଜୁ ଶବ୍ଦ ତାର ସର୍ବଦା କାନରେ ଗୁଞ୍ଜରିତ ହେଉଥାଏ।

ଘଣ୍ଟିକୁ ନେଇ କେତେ ସାହିତ୍ୟ ସର୍ଜନା। ବ୍ରିଟିସ୍ ସନ୍ଥକବି ଜନ୍ ଡନଙ୍କର ‘ଫର ହୁମ୍ ଦ ବେଲ୍ ଟୋଲସ୍’, ଜର୍ମାନ କବି ଫ୍ରିଡରିକ୍ ସିଲାରଙ୍କ ‘ଦ ସଙ୍ଗ୍ ଅଫ୍ ଦ ବେଲ୍’, ଟେନିସନଙ୍କର ‘ରିଙ୍ଗ ଆଉଟ୍ ଵାଇଲଡ୍ ବେଲ୍‌ସ’ ଅଥବା ଟମସ୍ ମୁରଙ୍କର ‘ଦୋଜ୍ ଇଭନିଙ୍ଗ୍ ବେଲ୍‌ସ’ ଘଣ୍ଟିର ଜୟଗାନ କରି ଲିଖିତ। କବି କୁଅଁର ନାରାୟଣଙ୍କ ‘ଘଣ୍ଟି’ କବିତା କିଏବା ନଜାଣେ! “ଫୋନର ଘଣ୍ଟି ବାଜିଲା, ମୁଁ କହିଦେଲି, ମୁଁ ନାହିଁ, ଆଉ କଡ଼ ଲେଉଟାଇ ଶୋଇପଡ଼ିଲି/ ଦୁଆର ମୁହଁର ଘଣ୍ଟି ବାଜିଲା, ମୁଁ କହିଲି, ମୁଁ ନାହିଁ, କଡ଼ ଲେଉଟାଇ ଶୋଇପଡ଼ିଲି/ ଆଲାର୍ମ ଘଣ୍ଟି ବାଜିଲା, ମୁଁ କହିଲି, ମୁଁ ନାହିଁ, କଡ଼ ଲେଉଟାଇ ଶୋଇପଡ଼ିଲି/ ଦିନେ ମୃତ୍ୟୁର ଘଣ୍ଟି ବାଜିଲା, ଧଡ଼ପଡ଼ ହୋଇ ଉଠିବସିଲି, କହିଲି, ମୁଁ ଅଛି… ମୁଁ ଅଛି/ ମୃତ୍ୟୁ କହିଲା, କଡ଼ ଲେଉଟାଇ ଶୋଇଯା”। (ନହେଲେ ତତେ ମୁଁ ନେବି କେମିତି?) ସମୟର କ୍ରମ ପ୍ରବାହରେ ଘଣ୍ଟି ତାର ପୂର୍ବ ରୂପ ଓ ଛନ୍ଦ ହୁଏତ ହରାଇ ବସିଲାଣି, କିନ୍ତୁ ଏବେବି ଘଣ୍ଟି ବିଭିନ୍ନ ରୂପରେ ଜୀବନକୁ ନିୟନ୍ତ୍ରଣ କରିବାରେ ଲାଗିଛି। ଏକବିଂଶ ଶତାବ୍ଦୀରେ ଶବ୍ଦର ପ୍ରଚଣ୍ଡ କୋଳାହଳ ମଧ୍ୟରେ ଘଣ୍ଟି ତାର ନିଜସ୍ବ ସ୍ବର ଶୁଣି ପାରୁନି ସିନା, ମନୁଷ୍ୟକୁ ସଚେତନ କରାଇବାରେ ଘଣ୍ଟିର ଅବଦାନ ଚିର ସ୍ବୀକାର୍ଯ୍ୟ। ଜନ୍ ଡନ୍ ଲେଖିଛନ୍ତି, “ମନୁଷ୍ୟ ଏକ ମହାଦେଶର ଅଂଶ ସଦୃଶ। ଗୋଟିଏ ଦେଶ ଜଳମଗ୍ନ ହେଲେ ଯେମିତି ମହାଦେଶଟି ଖଣ୍ଡିତ ହୋଇଯାଏ, ସମାଜରୁ କେହି ଜଣେ ବି ଚାଲିଗଲେ ମାନବ ସମାଜ କର୍ତ୍ତିତ ହୁଏ। ତେଣୁ କାହାର ମୃତ୍ୟୁ ଘଣ୍ଟି ବାଜିଲା ଅନୁସନ୍ଧାନ କରନି। ଯାହାର ବି ଅନ୍ତ ଘଟୁ, ଏ ଘଣ୍ଟି ତୁମପାଇଁ ହିଁ ବାଜୁଛି”।

ଠାକୁର ଘରେ ଥାଇ ପତ୍ନୀ କହିଲେଣି, ‘ଘଣ୍ଟିର ଜିଭଟା ଛିଣ୍ଡିଗଲା, ସଜାଡ଼ି ଦେଲ’! ଏ ଜିଭ କଥାରୁ ମନେପଡ଼ିଲା, ମନୁଷ୍ୟର ଜିଭ ମୂଳରେ ମଧ୍ୟ ଗୋଟିଏ ଘଣ୍ଟି ଝୁଲୁଛି। ଘଣ୍ଟିକା। ଏ ଘଣ୍ଟିଟି ପାଇଁ କେବେ ବେକରେ ଫୁଲମାଳ ତ କେବେ ଖଣ୍ଡାଚୋଟ ପଡ଼ି ଯାଉଛି। ସବୁ ସ୍ଥାନରେ, ସବୁ କ୍ଷଣରେ ଘଣ୍ଟିଟିଏ ନିଶ୍ଚୟ ଆମପାଇଁ ସଜାଗ ହୋଇ ରହିଛି। ଜିଭ ମୂଳରେ, ଛାତି ଭିତରେ ଆଉ ଖୋଦ୍ ସମୟ ସୂଚକ ଘଣ୍ଟାର ପେଟ ଭିତରେ। କବି ଜୀବନାନନ୍ଦ ପାଣିଙ୍କ କହିବାପରି, ମନୁଷ୍ୟ କେବଳ “ଗୋଟିଏ ଦମ୍ ଦିଆ ଘଡ଼ିର ଛାତିରେ କାନ ରଖି କୁମ୍ଭକର୍ଣ୍ଣ ପରି ଶୁଣିଚାଲିଛି ‘ଶୂନ-କ’ ପଣିକିଆ- ଟିକ୍… ଟିକ୍… ଟିକ୍… ଟିକ୍।’’
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର