କହିବାର ଅଛି, ପୁନଶ୍ଚ କଟକ

ଦାଶ ବେନହୁର

କଟକକୁ ନେଇ ସାରା ଓଡ଼ିଶାରେ ଏତେ ଉଦ୍‌ବେଗ ରହିଛି ବୋଲି ଜାଣିବା ପରେ ପୁଣି ଥରେ କଟକ କଥା ଲେଖିବା ଅବଶ୍ୟମ୍ଭାବୀ ହୋଇପଡ଼ିଲା। ‘କଟକ’ ପ୍ରକୃତରେ ଖାଲି ଓଡ଼ିଶାର ନୁହେଁ, ସାରା ଭାରତର। କଟକ ସହିତ ସମ୍ବଲପୁର, ବ୍ରହ୍ମପୁର ଓ ପୁରୀ, ଭାରତ ଇତିହାସ ସହିତ ଏତେ ମାର୍ମିକ ଭାବରେ ଯୋଡ଼ା ଯେ ଏ ସହରଗୁଡ଼ିକ କଥା ଆଲୋଚନା କଲେ ଜଣେ ଓଡ଼ିଆ ଭାବରେ ମାନସିକ ଭାବେ ଗର୍ବ ଆସେ। ବର୍ଷ ବର୍ଷ ଧରି ମନରେ ଜମାଟ ବାନ୍ଧିଥିବା ନିଉଛୁଣାଭାବ ହେଇଲାଗୁ ତରଳି ଯାଏ। ଆମେ ସତରେ ଏମିତି ଥିଲେ ବୋଲି ଭାବିଲେ ଯେଉଁ ମାନସିକ ପୁଷ୍ଟି ଅନ୍ତର ଭିତରେ ସ˚ଗଠିତ ହୁଏ, ତାହା ବୋଧହୁଏ ଗୋଟାଏ ଜାତିକୁ ଦୀର୍ଘ ଜଡ଼ତାରୁ ଉଠାଇ ଠିଆ କରାଇବାରେ ଯଥେଷ୍ଟ ସହାୟକ ହୋଇପାରେ। ସେଇଥିଲାଗି ଏ ଲେଖା। ଦଳେ ତ କହିବେ, ଏ ଗଲା କଥାରୁ କି ମିଳେ? ଅତୀତକୁ ଚାଟିଲେ କି ସୁଆଦ? ପଛକଥାକୁ ମନେ ପକାଇ ମୋ ପଣ-ଜେଜେଙ୍କର ନିଶ ଥିଲାବୋଲି କହି ଛାତି ଫୁଲାଇବାରେ କି ଲାଭ ଅଛି? ଅଛି। କହିବାର ଅଛି, ମଣିଷମାତ୍ରେ ଜୀବନକାମୀ। ସଚରାଚର ପ୍ରାଣୀସମୂହ ସେମିତି। ପେଟ ସକାଶେ ଦାନା ଓ ଶରୀର ସକାଶେ ସୁରକ୍ଷିତ ଆଶ୍ରୟ କିଏ ନ ଚାହେ? ଏହା ତ ଆତ୍ମରକ୍ଷା ସହିତ ଯୋଡ଼ା। ଅତଏବ ଜୀବନ-ସୁରକ୍ଷା ଲାଗି ପ୍ରାଣୀର ସକଳ ଅକର୍ମକୁ ମଧୢ ଶାସ୍ତ୍ରରେ କ୍ଷମାଭୁକ୍ତ କରାଯାଇଛି। ଭାଗବତରେ ବ୍ୟାସ କହିଛନ୍ତି- ‘‘ବ୍ରହ୍ମା ଯେ ସୃଷ୍ଟି ଭିଆଇଲା, ଜୀବକୁ ଜୀବରେ ଖଞ୍ଜିଲା।’’ ପହିଲେ ଜୀବନ ରକ୍ଷା, ତେଣିକି ଅନ୍ୟ ବିଷୟ। ‘‘ଶରୀର˚ ଆଦ୍ୟମ୍‌, ଖଳୁ ଧର୍ମ ସାଧନମ୍‌’’।

ଏ ସବୁ ଯୁକ୍ତି ସାଧାରଣ ପ୍ରାଣୀମାନଙ୍କ ପାଇଁ। ହେଲେ ମଣିଷ? ମଣିଷ କ’ଣ ସାଧାରଣ ପ୍ରାଣୀ ନା ଯାହିତାହି ପଶୁ? ମଣିଷ ସହିତ ଦୁଇଟି ବିବେଚନା ଖୁବ୍‌ ନିବିଡ଼ ଭାବରେ ଯୋଡ଼ା। ଗୋଟିଏ ହେଲା ତା’ର ଶରୀର ଓ ଅନ୍ୟଟି ହେଲା ତା’ର ମନ। ଶରୀର ତା’ର ପଶୁଭଳି। ଅତଏବ ଶରୀର ରକ୍ଷାପାଇଁ ସେ ଯାହାସବୁ କରେ ସେଥିରେ ପଶୁପଣିଆ ଅଧିକ। କେବଳ ସାଧୁ ଓ ମହାତ୍ମାମାନେ ଶରୀରକୁ ଆପଣା କବଳରେ ରଖନ୍ତି। ଇତର ମଣିଷ ଲାଗି ସେ ତତ୍ତ୍ବ ଦୁରୂହ। ହେଲେ ମନ? ଏଇ ମନ ହିଁ ମଣିଷକୁ ସବୁ ପଶୁଙ୍କଠାରୁ ଅଲଗା କରିଛି। ମନ ମାଧୢମରେ ସେ ମନନଶୀଳ ହୁଏ, ହିତ ଅହିତ ବାଛେ, ଆଗାମୀ ସମ୍ପର୍କରେ ବିବେଚନା କରେ। ମଣିଷ ଭଳି କିଛି ଉତ୍ତରିତ ପଶୁ ମଧୢ କିଛିମାତ୍ରାରେ ମନବୋଧୀ ହୋଇଥାଆନ୍ତି, ହେଲେ ତାହା ନଗନ୍ୟ। ମନ ହିଁ ମଣିଷକୁ ପଶୁଠାରୁ ଭିନ୍ନ କରେ। ମନ ଆଧାରରେ ହିଁ ମଣିଷ ବଡ଼ ସାନ ହୁଏ। ଆମେ ଯେ ଧନ, କୌଶଳ, ବର୍ଣ୍ଣ, କାୟା, ବ˚ଶ, ପାଠ ଆଧାରରେ ସାମାଜିକ ସ୍ତରରେ ବଡ଼ ସାନ ଭେଦ କରୁ, ତାହା ପ୍ରକୃତରେ ଠିକ୍‌ ନୁହେଁ। ନୀଚମନା ବ୍ୟକ୍ତିଟିଏ ଧନୀ ହୋଇପାରେ, କୁଶଳୀ ହୋଇପାରେ, ଏପରି କି ଉଚ୍ଚ ଜାତିର ଦାୟାଦ ବା ବ˚ଶଜ, ବପୁବନ୍ତ ଅବା ପାଠୁଆ ହୋଇପାରେ ହେଲେ ସେ କେବେ ବି ଭଲ ମଣିଷ ପଦବାଚ୍ୟ ହେବନାହିଁ। ଉଚ୍ଚମନା ମଣିଷ ହିଁ ସେଥିପାଇଁ ସବୁବେଳେ କାମ୍ୟ। ଆମେ ଯେ ଭଲ ସମାଜର କଥା କହୁ ତାହା ଏଇ ଉଚ୍ଚମନା ମଣିଷଙ୍କ ସମଷ୍ଟି ଆଧାରରେ କହୁ। ପାଠକେ ବିଚାର କରୁଥିବେ କଟକ କଥା କହିବାକୁ ଯାଇ ଏ ଉଚ୍ଚମନା ମଣିଷଙ୍କ ଆଲୋଚନା କାହିଁକି? କଟକ ଏମିତି କ’ଣ କି? ଅପମିଶ୍ରଣକାରୀଙ୍କ ଭୂସ୍ବର୍ଗ, ମଇଳା ଆବର୍ଜନାର ସ୍ବାଭାବିକ କ୍ଷେତ୍ର, ଗଳିକନ୍ଦି ନାଳନର୍ଦ୍ଦମାରେ ଭରା ଗୋଟାଏ ମଶାମାଛିଭରା ସଙ୍କୁଚିତ କ୍ଷେତ୍ରକୁ ନେଇ ଗର୍ବ ଗୌରବ ସହିତ ଯୋଡ଼ିବା ଅବିମୃଶ୍ୟକାରିତା ନୁହେଁ ତ ଆଉ କ’ଣ?

ଏ ଭଳି ଯୁକ୍ତି ସ୍ବାଭାବିକ। କାରଣ ଗୋଟିଏ ଭଲ କଥାକୁ ଆମେ ନିଜେ ଓଡ଼ିଆମାନେ ହିଁ ଏ ଭଳି ଭେଲ କରି ଥୋଇଛେ। କପାଳର କୁଙ୍କୁମ ଟିକାକୁ ଇଲିବିଲି କଲେ ତାହା ନା କୁଙ୍କୁମର ଦୋଷ ନା କପାଳର ଦୋଷ। ସବୁ ଦୋଷ ସେଇ ମନର ଯିଏ ହାତ ଉଠେଇ ଏମିତି କଦର୍ଯ୍ୟ କରିଛି ସେ ସୁନ୍ଦର ଶୋଭାକୁ। ମଣିଷ ମନକୁ ପଶୁ ମନରେ ପରିଣତ କରିଛି। ‘କଟକ’ ପ୍ରକୃତରେ ଏକ ସହର ନୁହେଁ, ଏକ ଇତିହାସ। କଟକକୁ ଛାଡ଼ି ଓଡ଼ିଶାର ଇତିହାସ ନାହିଁ। ଏବ˚ ମନେ ରଖିବା ଦରକାର ଯେ ଗୋଟାଏ ଗୌରବାବହ ଇତିହାସ ହିଁ ଏକ ନଇଁପଡୁଥିବା ଜାତିକୁ ସବଳ କରି ଠିଆ କରାଇବାରେ ସହାୟକ ହୁଏ। ତା’ର ମେରୁଦଣ୍ତକୁ ସଜାଡ଼େ। ଅତୀତକୁ ଚାଟିଲେ ସତରେ ସୁଆଦ ମିଳେ। ମାତ୍ର ସେ ଅମୃତକୁ ଚାଟି ଜାଣିଲେ ହେଲା। ଠିକଣା ସ୍ଥାନରୁ ସ˚ଗ୍ରହ କରି ଠିକ୍‌ ପାତ୍ରରେ ପୂରାଇ ଆବଶ୍ୟକତା ଅନୁସାରେ ସେବନ ନ କଲେ ଅମୃତ ବି ବିଷ ପାଲଟେ। ‘କଟକ’ରେ ଅମୃତ ଅଛି, ବିଷପଣ ବି ଅଛି। ଓଡ଼ିଆମାନେ କଟକକୁ ଆବିଷ୍କାର କଲେ ନିଜକୁ ଯେ ନୂଆଭାବରେ ଆବିଷ୍କାର କରିବେ ଏଥିରେ ସନ୍ଦେହ ନାହିଁ। ‘ଶାଲେ କଟକୀ’ କହି ଅମୃତ ଭାଣ୍ତଟିକୁ ଫୋପାଡ଼ି ଦେଲେ ସାରା ଓଡ଼ିଶା-ଭୂଗୋଳର କ୍ଷତି। ତହିଁରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସବୁ ସମାହିତ।

ପନ୍ଦରଦିନ ତଳେ ‘‘କଟକ ନଗର ଧବଳ ଟଗର’’ ଶୀର୍ଷକ ଲେଖାଟିଏ ବାହାରିଥିଲା। ପ୍ରଥିତଯଶା ପ୍ରଫେସର ନୀଳକଣ୍ଠ ରଥ ସେ ଲେଖାଟିକୁ ପଢ଼ି ସୁଦୂର ପୁଣେରୁ ଯେଉଁ ସ୍ବଗତୋକ୍ତି କରିଛନ୍ତି ତାହା ପ୍ରତିଟି ଓଡ଼ିଆଙ୍କ ଲାଗି ପ୍ରଣିଧାନଯୋଗ୍ୟ। ଆପଣେ ଲେଖିଛନ୍ତି- ‘‘ଲେଖା ପଢ଼ି ବହୁକାଳର କଥା ମନକୁ ଆସିଲା, ଆଖିଆଗରେ ନାଚିଲା। x x x କଟକର ବିଶେଷତ୍ବ ଏହାର ଦୀର୍ଘ ଇତିହାସ।’’ ପୁରୀ ଛଡ଼ା ଓଡ଼ିଶାର ଅନ୍ୟ କୌଣସି ସହରର ଏତେ ଦୀର୍ଘ ଇତିହାସ ଅଛି ବୋଲି ମତେ ଲାଗୁନି। କଟକ, କେଶରୀ ବ˚ଶର ରାଜାଙ୍କ ରାଜଧାନୀ। ଖାଲି ମର୍କତ କେଶରୀ ନୁହନ୍ତି, ତାହା ବାଇମୁଣ୍ତି ଓ ନନ୍ଦିକେଶରୀଙ୍କର ଜନ୍ମ ଓ ମୃତ୍ୟୁ ସ୍ଥାନ ମଧୢ। ଏହାର ଗଡ଼ଗଡ଼ିଆ ଘାଟରେ ଶ୍ରୀଚୈତନ୍ୟ ପ୍ରଥମ ହୋଇ କଟକରେ ପାଦ ଦେଲେ, ଏଇଠି ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କ ରାଣୀ ଯବନ ନବାବଙ୍କୁ ‘‘ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ’’, ଏଇଠି ନାଗପୁର ମରାଠା ପଚାଶ ବର୍ଷର ରାଜତ୍ବ କାଳରେ କାଠଯୋଡ଼ିର ପଥରବନ୍ଧକୁ ସୁଦୃଢ଼ କଲେ ଓ ତହିଁରେ ବୁରୁଜ ବାନ୍ଧି ସେ ଶବ୍ଦ ଓଡ଼ିଆରେ ପ୍ରଚଳିତ କରାଇଲେ ଏବ˚ କଟକରେ ତାଙ୍କ ରହିବା ସ୍ଥାନର ନାଆଁ ଲାଲବାଗ ଦେଲେ, ଏଇଠି ଇ˚ରେଜ ସରକାରଙ୍କ ରେଭେନ୍‌ସା ସାହେବ ଓ ବୀମ୍‌ସ ସାହେବ ଓଡ଼ିଶାର ଉନ୍ନତିରେ ହାତ ଲଗାଇଲେ, ଏଇଠି ଦରବାରରେ ଇ˚ରେଜ ସରକାର ସାମନ୍ତ ଚନ୍ଦ୍ରଶେଖରଙ୍କୁ ମହାମହୋପାଧୢାୟ ଉପାଧି ଦେଲାରୁ ରାଧାନାଥ ରାଗରେ ଦରବାର କାବ୍ୟ ଲେଖିଲେ, ଏଇଠି ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଆରମ୍ଭ ହେଲା, ଏଇଠି ବିଶ୍ବନାଥ କର ଉତ୍କଳ ସାହିତ୍ୟ ପ୍ରକାଶ କଲେ, ଏଇଠି ଗୋପାଳ ପ୍ରହରାଜ ଭାଷାକୋଷ ରଚନା କଲେ, ଏଇଠି ସ୍କୁଲ-କଲେଜରେ ପଢ଼ି ମାୟାଧର ମାନସି˚ହ ଓ ସଚ୍ଚିଦାନନ୍ଦ ରାଉତରାୟ ଓଡ଼ିଆ ସାହିତ୍ୟ, ଭାଷା ଓ ସମାଜକୁ ସମୃଦ୍ଧ କରିବାର କବିତା ଲେଖିଲେ – ଆଉ କେତେ କଅଣ। ସତ କହିଲେ, କଲିକତାର ବି ଏତେ ବିରାଟ ଇତିହାସ ନାହିଁ।’’

ପ୍ରଫେସର ରଥଙ୍କର କଟକ ସମ୍ପର୍କିତ ଆବେଗ ଓ ବିବରଣୀ ବେଶ୍‌ ଦୀର୍ଘ। ଏଠାରେ ମାତ୍ର କେଇ ଧାଡ଼ି ସେଥିରୁ ଉଦ୍ଧୃତ। ପାଠପଢ଼ିବା କଥାରୁ ମନେପଡୁଛି ରେଭେନ୍‌ସା କଲେଜିଏଟ୍‌ ସ୍କୁଲ୍‌ ଓ ରେଭେନ୍‌ସା କଲେଜର କଥା। ବେଳକେ କୁହାଯାଉଥିଲା, ଆଜି ଯିଏ ଓଡ଼ିଶାରେ ଯାହା କିଛି ହୋଇଛି, ସେ ରେଭେନ୍‌ସା କଲେଜର ଅଳିନ୍ଦ ବାଟେ ହୋଇଛି। କଟକର ଏଇ ସ୍କୁଲ୍‌ଟି ଦିନେ ଗଢ଼ିଥିଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ। ସୁଭାଷଙ୍କର କଟକରେ ଜନ୍ମ, ମାଟ୍ରିକ୍‌ ପାସ୍‌ ଯାଏ କଟକରେ ପାଠ ପଢ଼ା। ଆମେ ସମସ୍ତେ ଘର କେଉଁଠି କହିଲେ ଜନ୍ମ ହୋଇ ସ୍କୁଲ୍‌ ପାଠପଢ଼ା ସ୍ଥାନର ନାମଟିକୁ କହୁ। ତାହା ଜନ୍ମମାଟି, ପାଠମାଟି, ଜୀବନ-ଗଠନର ମାଟି। ମାଟ୍ରିକ୍‌ ପରେ କେତେ ଜଣ ଶିକ୍ଷିତ, ପଦସ୍ଥ ଲୋକ ଆଉ ସେ ସ୍ଥାନ ବା ମାଟିକୁ ଫେରିଛନ୍ତି? ଅଥଚ ଘର କେଉଁଠି କହିଲେ ପାଟିରୁ ବାହାରେ ସେଇ ଭୂମିର ନାମ। ହେଲେ ସୁଭାଷଙ୍କୁ ଖାସ୍‌ ପ୍ରଚାର ଯୋଗୁଁ ଲୋକେ କଲିକତୀ ବୋଲି ଜାଣନ୍ତି, କଟକୀ ବୋଲି ଜାଣନ୍ତି ନାହିଁ। ମାତ୍ର ଦେଢ଼ ବର୍ଷ ପାଠ ପଢ଼ାଇଥିବା ବେଣୀମାଧବ ଦାସ କୁଆଡ଼େ ତାଙ୍କ ଜୀବନ ଗଠନ କରିଥିଲେ। ଅଥଚ ନବମ, ଦଶମ, ଏକାଦଶ ଏ ତିନିବର୍ଷର ଶିକ୍ଷାଗୁରୁ ଅଢ଼େଇ ବର୍ଷ କାଳ ନିଜ ତତ୍ତ୍ବାବଧାନରେ ପାଠପଢ଼ାର ଜୀବନ ଗଠନ କରିଥିବା ଆଳିପିଙ୍ଗଳବାସୀ ଅନୁପମ ଶିକ୍ଷକ ନାରାୟଣ ମହାନ୍ତିଙ୍କର ନାମ କୌଣସି ସୁଭାଷ-ଜୀବନୀକାର ବା ଚଳଚ୍ଚିତ୍ର, ଦୂରଦର୍ଶନ ଧାରାବାହିକ ତିଆରି କରୁଥିବା ବ୍ୟକ୍ତି ନିଅନ୍ତି ନାହିଁ। କଟକର ଅବଦାନ ସୁଭାଷଙ୍କ ଜୀବନରେ ଯେ ମୌଳିକ ଥିଲା ସେ କଥା ଓଡ଼ିଆ କହିବେ ନା ଏ ସମ୍ପର୍କରେ ଅନଭିଜ୍ଞ ଅନ୍ୟମାନେ କହିବେ? ଗୋଟିଏ ଭୂମିକୁ ଗୌରବାବହ କରନ୍ତି ସେଥିରେ ଜନ୍ମ ନେଇଥିବା ମନୀଷୀମାନେ ଓ ତହିଁରେ ଗଢ଼ି ଉଠିଥିବା ଆଦର୍ଶ ଅନୁଷ୍ଠାନ ସମୂହ। ତା’ ସଙ୍ଗକୁ ସେ ଭୂମି ସହିତ ଯୋଡ଼ି ହୋଇଥିବା ଘଟଣାବଳୀ। ମନୀଷୀ, ଅନୁଷ୍ଠାନ ଓ ଘଟଣା ଆଧାରରେ କଟକ ଯେ ଦିନେ ସ˚ସ୍କୃତିବନ୍ତ, ପ୍ରାଣବନ୍ତ ଓ ସମୃଦ୍ଧ ଥିଲା ସେ କଥା ଜାଣିବା ମଧୢ ଆଜିର ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଜରୁରି।

ଏ ସ˚କ୍ରାନ୍ତରେ ଲାଲା ନଗେନ୍ଦ୍ରକୁମାର ରାୟ ଲେଖିଥିବା ‘‘ଭାରତ ସେବକ ଲକ୍ଷ୍ମୀନାରାୟଣ’’ ପୁସ୍ତକର ଏକ ଘଟଣା ଖୁବ୍‌ ପ୍ରଣିଧାନଯୋଗ୍ୟ। ଶ୍ରୀ ରାୟ ଲେଖିଛନ୍ତି- ‘‘୧୯୧୫ ଖ୍ରୀଷ୍ଟାବ୍ଦର ଜୁନ୍‌ ମାସ। ଲକ୍ଷ୍ମୀନାରାୟଣ ବାବୁ ମୋତେ ଓ କାଜିବଜାରସ୍ଥ ନିତ୍ୟାନନ୍ଦ ହାତୀ (ପୁଲିସ୍‌ ଇନ୍‌ସପେକ୍ଟର ହୋଇ ମୃତ) ବାବୁଙ୍କୁ ନେଇ ମହାନଦୀ ଗଡ଼ଗଡ଼ିଆ କୂଳେ କୂଳେ ଫାସିଦିଆକୁ ଯାଉ ଯାଉ ମଧୢ ପଥରେ ଚାରିଖୁଣ୍ଟ ଉପରେ ଏକ କ୍ଷୁଦ୍ର ସମାଧି ମନ୍ଦିର ପାଖେ ବସି ପଡିଲୁ। ସେହି ସମାଧି ମନ୍ଦିରରେ ଚୂନ ତିଆରି ଗୋଟିଏ ଶିବଲିଙ୍ଗ କେହି କରିଦେଇଥାଏ। ସମ୍ବଲପୁରିଆ ଡଙ୍ଗାମାନ ସେ ଖୁଣ୍ଟରେ ରାତିରେ ବନ୍ଧାହୁଏ। ଶିବଲିଙ୍ଗକୁ କିଏ ଭାଙ୍ଗି ଫିଙ୍ଗି ଦେଇଥାଏ। ଏତିକିବେଳେ ମଧୁବାବୁ ସେ ବାଟେ ଚାଲିଚାଲି ଗଲେ। ତଳ ରାସ୍ତାରେ ତାଙ୍କ ଗାଡ଼ି ଯାଉଥାଏ। ଆମେ ତିନିଜଣ ଧଡ଼ପଡ଼ ଠିଆହୋଇ ତାଙ୍କୁ ନମସ୍କାର କଲୁ। ମଧୁବାବୁ ଟିକେ ରହି କହିଲେ, ଲକ୍ଷ୍ମୀ ନାରାୟଣ, ତୁମେ କାହା ଉପରେ ବସିଛ ଜାଣ? ମୁଁ କହିଲି ଆଜ୍ଞା, ଗୋଟିଏ ପୁରୁଣା ସମାଧି ମନ୍ଦିର। ମଧୁବାବୁ କହିଲେ, ନାହିଁ, ନାହିଁ ଖାଲି ମନ୍ଦିର ନୁହେଁ। ଏହା ଉତ୍କଳର ଶ୍ରେଷ୍ଠ ଗଜପତି ପ୍ରତାରୁଦ୍ରଦେବଙ୍କ ସମାଧି। ତାଙ୍କ ପାଖକୁ ଅଛି ରାୟ ରାମାନନ୍ଦଙ୍କ ସମାଧି। ଏଇଠି ଗଜପତି ଧବଳେଶ୍ବରରେ ମଲା ପରେ ନୌକା ଯୋଗେ ଅଣାଯାଇ ଦାହ କରାଯାଇଥିଲେ। କାରଣ ତାଙ୍କର ଇଚ୍ଛା ଥିଲା ରାୟ ରାମାନନ୍ଦଙ୍କ ପାଖରେ ଚିତାଗ୍ନିରେ ଶୋଇବାକୁ। ଏ ସମ୍ବାଦ ସ˚ଗ୍ରହ କରି ମୁଁ ଏଇ ଜୀର୍ଣ୍ଣ ସମାଧିକୁ ୨୦ ବର୍ଷ ପୂର୍ବେ ସ˚ସ୍କାର କରିଥିଲି।’’

ମଧୁବାବୁ ମହାନଦୀ କୂଳରେ ପ୍ରତାପରୁଦ୍ରଦେବଙ୍କ ସମାଧିକୁ ୧୮୯୫ ମସିହାରେ ସ˚ସ୍କାର କରିଥିଲେ। ସେଇ ପାଖରେ ଥିଲା ପରମ ବୈଷ୍ଣବ ରାୟ ରାମାନନ୍ଦଙ୍କ ସମାଧି। ଶ୍ରୀଚୈତନ୍ୟଙ୍କୁ ଦୁନିଆ ଜାଣେ ମାତ୍ର ଯାହାଙ୍କ ପାଇଁ ସେ ଶ୍ରୀଚୈତନ୍ୟ ସେ କଥା କେତେ ଓଡ଼ିଆ ବା ଭାରତୀୟ ଜାଣନ୍ତି? ଖ୍ରୀଷ୍ଟିଆନ୍‌ ହୋଇଯାଇଥିବା କୁଳବୃଦ୍ଧ କାହିଁକି ଓଡ଼ିଆଙ୍କୁ ଅପାରଗ କରିଛନ୍ତି ବୋଲି ଗାଳି ଶୁଣୁଥିବା ପ୍ରତାପରୁଦ୍ରଦେବଙ୍କୁ ଉତ୍କଳର ଶ୍ରେଷ୍ଠ ଗଜପତି ବୋଲି କହିଥିଲେ ତା’ର ପ୍ରକୃତ ତର୍ଜମା କେଉଁ ଇତିହାସକାର କରିଛନ୍ତି? କାହିଁ ସେ ସମାଧି ଦୁଇ?

ଆମେ ଓଡ଼ିଆ ଗାଳି କରି ଜାଣୁ; ପ୍ରଶ˚ସା ଖୋଜି ଜାଣୁନା। ମଧୁସୂଦନଙ୍କ ଭଳି ଜଣେ ମହାବୃକ୍ଷଙ୍କୁ ପାଇ ମଧୢ ଓଡ଼ିଶା ଉଠିପାରିଲା ନାହିଁ। ତା’ର କାରଣ ଅଛି ଏଇ କଟକକୁ ଆବିଷ୍କାର ନ କରିପାରିବାର ଅପାରଗତାରେ। କଟକକୁ ଗାଳି କଲେ ଯେ ଓଡ଼ିଆ ଗାଳି ଶୁଣେ, କଟକକୁ ଅସୁନ୍ଦର କରିଦେଲେ ଯେ ଓଡ଼ିଶା ଅସୁନ୍ଦର ପାଲଟେ ବା କଟକକୁ ଅପମିଶ୍ରଣରେ ଭରିଦେଲେ ଯେ ଓଡ଼ିଶା ବିଷଭୂଇଁ ହୋଇଯାଏ ସେ କଥା କିଏ କାହାକୁ ବୁଝାଇବ? ଗୋରା କବରରେ ମଧୁସୂଦନ ଶୋଇଛନ୍ତି। ତାଙ୍କରି ପଇସାରେ ରାଧାନାଥ ରାୟଙ୍କ ସମାଧି ଠିଆ ହୋଇଛି ସତୀ ଚଉରାରେ। ମଧୁସୂଦନ ହିଁ ଉତ୍କଳର ମୁଖ ଉଜ୍ଜ୍ବଳ କରିବା ପାଇଁ ଲହୁ ଲୁହ ଢାଳି ୧୮୯୫ରେ ଉତ୍କଳ ଅଳଙ୍କାର କାରଖାନା ଓ ୧୯୦୫ରେ ଉତ୍କଳ ଟ୍ୟାନେରି ଗଢ଼ିଥିଲେ ଓ ଖାସ୍‌ ସେଇଥିପାଇଁ ଦେବାଳିଆ ହୋଇ ଶେଷବେଳକୁ ନିସ୍ବ ଜୀବନ ଯାପନ କଲେ। ସେ କଥା କଟକ ଠାରୁ ଅଧିକ କିଏ ଅବା ଜାଣେ? ମାତ୍ର ଆଜି ଓଡ଼ିଆ ପିଲାଙ୍କୁ ସମଗ୍ର ଏସିଆରେ ଯୌଥ ଶିଳ୍ପାନୁଷ୍ଠାନ ଭାବରେ ଆଦ୍ୟ ବୈଜୟନ୍ତୀ ଉଡ଼ାଇଥିବା ସେ ଅନୁଷ୍ଠାନର ସମାଧିଟିଏ ଦେଖାଇବାକୁ ବି ଗଣତନ୍ତ୍ରୀ ସରକାରଙ୍କ ପାଖରେ ସେ ଭଳି ଉଚ୍ଚ ମନ ନାହିଁ କି କୌଣସି ଓଡ଼ିଆ ପ୍ରାଣରେ ନିଜର ସେ ଗୌରବାବହ ଅତୀତକୁ ମନେପକାଇବାର ମନଃଶକ୍ତି ନାହିଁ।

ସ୍ବତନ୍ତ୍ର ଭିକମଗା ପ୍ରଦେଶର ପରିଚୟ ଲୋଡ଼ୁଥିବା ଓଡ଼ିଆ ଜାତି ଯେ ଏଇ କଟକରେ ଦିନେ ମଧୁସୂଦନଙ୍କ ଉତ୍କଳ ସମ୍ମିଳନୀ ମାଧୢମରେ ଗୋଟାଏ ନ ଥିବା ଓଡ଼ିଶାକୁ ଭାଷା ସୂତ୍ରରେ ଆଣି କଳିଙ୍ଗ, କଙ୍ଗୋଦ, ତୋଷଳ, ଉତ୍କଳ ଆଦି ଖଣ୍ତକୁ ଏକାଠି କରିଥିଲା ସେ କଥା କହିବାକୁ ଆଜି କିଏ ଅଛି? କଟକ ସହର ଆପେ ମଣିଷ-ମନ୍ଦିର। କିଏ ବାହାରୁ ଆସିଲେ ଆଜିର ଓଡ଼ିଆ ତାଙ୍କୁ ଗାଡ଼ିରେ ବସାଇ ସ୍ବର୍ଣ୍ଣ ତ୍ରିଭୂଜ ଦେଖେଇ ଆଣୁଛି, ଲିଙ୍ଗରାଜ ମନ୍ଦିର, ଶ୍ରୀମନ୍ଦିର, କୋଣାର୍କ ଦେଖାଉଛି। ସତେ ଯେମିତି ଆଜିର ଓଡ଼ିଶା ତାକୁ ଗଢ଼ିଛି! କଟକର କିଛି ଦେଖାଇବା ଲାଗି ତା’ ପାଖରେ ଅଛି କି?
କହିବାର ଅଛି ଯେ ଓଡ଼ିଶା ଆବିଷ୍କାର ହିଁ ଆଜିର ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆବଶ୍ୟକତା। ଏଇ ଓଡ଼ିଶା ଆବିଷ୍କାର ପ୍ରକ୍ରିୟାରେ ଯେଉଁ ଆତ୍ମ ସନ୍ଧାନର ଚରମ ଆବଶ୍ୟକତା ଅଛି ତାହା ଯୋଡ଼ା ହୋଇ ଚାଲିଛି କଟକ ସହିତ, କଟକର ଇତିହାସ ସହିତ। କଟକ, ଅନେକ ଦିଗରୁ ଆଧୁନିକ ଓଡ଼ିଶାର ଦର୍ପଣ। ତା’କୁ ନିରେଖିଲେ ସେ ଖୋଜିପାଇବ ନିଜକୁ। ଥରେ ନିଜକୁ ପାଇବାର ମନଃସ୍ଥିତି ଉପୁଜିଲେ ତେଣିକି ଓଡ଼ିଶା-ବିକାଶର ଧାରା ଆପେ ଗଢ଼ି ହୋଇଯିବ। ଧର୍ମାନୁଷ୍ଠାନଗୁଡ଼ିକର ନୂତନ ରୂପରେଖ, ପରିଚ୍ଛନ୍ନତା ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ ମାତ୍ର ସାମାଜିକ ଅନୁଷ୍ଠାନ ଓ ଐତିହ୍ୟର ରକ୍ଷଣାବେକ୍ଷଣ ଯେ ଅନୁରୂପ ଭାବେ ମହତ୍ତ୍ବ ରଖେ ତାହା ହୃଦୟଙ୍ଗମ କରିବା ଆବଶ୍ୟକ। ମଧୁସୂଦନଙ୍କ ଦ୍ବାରା ଗଠିତ ଉତ୍କଳ ଟ୍ୟାନେରି ଉତ୍କଳୀୟ ଶିଳ୍ପ-ଉଦ୍ୟୋଗର ଏକ ମହତୀ ଅନୁଷ୍ଠାନ କେବଳ ନ ଥିଲା, ଓଡ଼ିଶାରେ କମ୍ପାନି ବା ଯୌଥ ଉଦ୍ୟମରେ କାରଖାନା ବା ଶିଳ୍ପ ଚଳାଇବାର ତାହା ଥିଲା ସର୍ବ ପ୍ରଥମ ପ୍ରଚେଷ୍ଟା। ଓଡ଼ିଶାରେ ନିଜ-ପ୍ରଚେଷ୍ଟାରେ ଗଠିତ ଶିଳ୍ପ ନାହିଁ କହିଲେ ଚଳେ। ଶିଳ୍ପ ଆଜି ସଭ୍ୟତାର ମାପକାଠି ପାଲଟିଛି ହେଲେ ଶିଳ୍ପର ଯେଉଁ ପ୍ରଣବ ଧ୍ବନି ମଧୁସୂଦନ କଟକ ଭୂଇଁରେ ଆରମ୍ଭ କରି ବିଶ୍ବ ଦରବାରରେ ସୁଦ୍ଧା ସୁନାମ ଅର୍ଜନ କରିଥିଲେ ତା’ର ଇତିହାସ ଓ କୀର୍ତ୍ତିଫଳକ ସମ୍ପର୍କରେ ଇତିହାସ ନିରବ। ସମଗ୍ର ଓଡ଼ିଶା ଅଜ୍ଞ। ଆଜିର କଟକ ବା ଓଡ଼ିଶା କ’ଣ ଜାଣେ ଯେ ତା’ର ଛାତି ଉପରେ ଚାଉଳିଆଗଞ୍ଜଠାରେ ୩୯ ଏକର ପରିମିତ ଏକ ସ୍ଥାନରେ ଉତ୍କଳ-ଟ୍ୟାନେରି ନାମକ କୀର୍ତ୍ତିମନ୍ଦିର ଠିଆ ହୋଇ ଦିନେ ଓଡ଼ିଶାର ପରିଚୟକୁ ବିଶ୍ବବିଦିତ କରିଥିଲା? ଆଜି କେଉଁ ଶିଳ୍ପକୁ ଓଡ଼ିଶା ବାହାରର ଲୋକ ସୁଦ୍ଧା ଜାଣନ୍ତି?
ଓଡ଼ିଶା-ଆବିଷ୍କାର ପାଇଁ ପହିଲେ କଟକ-ମନସ୍କ ହେବା ଆବଶ୍ୟକ ନିଶ୍ଚୟ।
[email protected]

ସମ୍ବନ୍ଧିତ ଖବର