ବର୍ତ୍ତମାନର ଘଟଣାରେ ଯୁବତୀଜଣକ ଅବଶ୍ୟ ତାଙ୍କ ପ୍ରେମିକକୁ ‘ଅଣବ୍ୟକ୍ତି’ରେ ପରିଣତ କରିବା ପାଇଁ ହତ୍ୟା ଭଳି ଚରମ ପଦକ୍ଷେପ ନେଇ ନାହାନ୍ତି। ସେ ଯୁବକଙ୍କର କୋଠରି ଖାନ୍ତଲାସୀ କରି ଶେଷରେ ଏପରି ଏକ ପଦାର୍ଥ ଆବିଷ୍କାର କରିଛନ୍ତି ଯାହା ତାଙ୍କର ଉଦ୍ଦେଶ୍ୟ ପୂରଣ ପାଇଁ ଯଥେଷ୍ଟ ହୋଇଛି- ପ୍ରତୀକାତ୍ମକ ଭାବରେ। ତାହା ହେଉଛି ଯୁବକଙ୍କର ଜନ୍ମ ପ୍ରମାଣପତ୍ର। ଏହାକୁ ସେ ଟିକି ଟିକି କରି ଚିରି ଦେଇ ଆତ୍ମସନ୍ତୋଷ ଲାଭ କରିଛନ୍ତି ଯେ ଏହାଦ୍ବାରା ସେ ଯୁବକଙ୍କର ଅସ୍ତିତ୍ବ ଲୋପ କରି ଦେଇଛନ୍ତି। ଏ ସମସ୍ତ ଘଟଣା ସେଠାରେ ଉପସ୍ଥିତ ଅନ୍ୟ ତରୁଣୀ ଜଣକ ସୋସିଆଲ୍ ନେଟ୍ୱାର୍କରେ ପ୍ରସାରିତ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି, ଜନ୍ମ ପ୍ରମାଣପତ୍ର ଚିରା ଯାଉଥିବା ବେଳେ ଯୁବକ ଜଣକ କିଛି କହିବାକୁ ଚେଷ୍ଟା କରିବାରୁ ଚିରିବାରେ ବ୍ୟାପୃତ ପ୍ରେମିକା ଚିତ୍କାର କରି ତାଙ୍କୁ କହିଲେ: ‘‘ଚୁପ୍ କର, ଏବେ ତୁମର ଅସ୍ତିତ୍ବ ମଧ୍ୟ ନାହିଁ।’’ ସାର୍ତ୍ରଙ୍କ କାନକୁ ଏହା ସଂଗୀତ ଭଳି ମଧୁର ଶୁଭନ୍ତା ନାହିଁ କି?
Sambad is now on WhatsApp
Join and get latest news updates delivered to you via WhatsApp
‘‘ଘୁଷୁରି ପ୍ରକୃତି ପଙ୍କରେ ଲୋଟେ/ ମଣିଷ ପ୍ରକୃତି ମଲେ ତୁଟେ।’’ ଏହି ପ୍ରାଚୀନ ଓଡ଼ିଆ ଢଗଟିର ପରିକଳ୍ପନା ଯିଏ କରିଥିବେ, ତାଙ୍କର ଏହି ଜୀବନ ଦର୍ଶନ ଯେ ପାଶ୍ଚାତ୍ୟ ଅସ୍ତିତ୍ବବାଦୀ ଦର୍ଶନର ସମ୍ପୂର୍ଣ୍ଣ ବିରୋଧାଚରଣ କରିଥାଏ, ଏହା ତାଙ୍କର କଳ୍ପନାର ବାହାରେ ଥିବ। ଏ ଢଗର ମର୍ମ ହେଉଛି, ପ୍ରାଣୀଟି ଘୁଷୁରି ହୋଇଥାଉ କି ମଣିଷ ହୋଇଥାଉ, ସେ ତା’ର ପୂର୍ବନିର୍ଦ୍ଧାରିତ ପ୍ରକୃତି ଧରି ଜନ୍ମ ହୋଇଥାଏ, ଯାହା ଶେଷ ପର୍ଯ୍ୟନ୍ତ ତା’ର ପରିଚୟର ଅଂଶ ହୋଇ ରହିଥାଏ। ଅସ୍ତିତ୍ବବାଦ ଅନୁସାରେ କିନ୍ତୁ ଯାହାକୁ ବ୍ୟକ୍ତିର ଅନ୍ତର୍ନିହିତ ପ୍ରକୃତି (ଏସେନ୍ସ) ରୂପେ ବିଚାର କରାଯାଇଥାଏ, ବ୍ୟକ୍ତିର ଅସ୍ତିତ୍ବର ଆବିର୍ଭାବ ପରେ ହିଁ ସେ ନିଜର ପସନ୍ଦ ଅନୁସାରେ ସେଇ ପ୍ରକୃତିକୁ ଧାରଣ କରିଥାଏ। ଏହି ଚିନ୍ତାଧାରା ଅନୁସାରେ ତେଣୁ: ପ୍ରଥମେ ଅସ୍ତିତ୍ବ, ପରେ ପ୍ରକୃତି। ଏହାକୁ ସମ୍ପ୍ରସାରିତ କରି କୁହାଯାଇପାରେ- ଅସ୍ତିତ୍ବ ନାହିଁ ତ ପ୍ରକୃତି ବା ସ୍ବଭାବ ନାହିଁ। ଓଡ଼ିଆ ଢଗଟିରେ ଯେଉଁ ଅଣ-ଅସ୍ତିତ୍ବବାଦୀ ଚିତ୍ର ପ୍ରଦାନ କରାଯାଇଛି, ତାହା ଅନୁସାରେ ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ପ୍ରକୃତି ପ୍ରଦାନ କରାଯାଇ ତା’ର ପରିଚୟକୁ ଏକ ସଂକୀର୍ଣ୍ଣ ପରିସୀମା ମଧ୍ୟରେ ସୀମିତ କରି ଦିଆଯାଇଥାଏ, ସତେ ଯେମିତି ତା’ର ଆଉ କିଛି ବୃହତ୍ତର ପରିଚୟ ନ ଥାଏ: କାହାର ପରିଚୟ ହୋଇଥାଏ କ୍ରୋଧୀ; କାହାର ପରିଚୟ ହୋଇଥାଏ ବଦାନ୍ୟ; କାହାର ପରିଚୟ ହୋଇଥାଏ କୃପଣ; କାହାର ପରିଚୟ ହୋଇଥାଏ ସାଧୁ; କାହାର ପରିଚୟ ହୋଇଥାଏ ଲମ୍ପଟ…। ଅସ୍ତିତ୍ବବାଦୀମାନଙ୍କ ମତରେ ବ୍ୟକ୍ତିକୁ ଅନ୍ୟମାନେ ଏପରି ଏକ ସଂକୀର୍ଣ୍ଣ ପରିଚୟ ମଧ୍ୟରେ ଆବଦ୍ଧ କରିବା ଦ୍ବାରା ବ୍ୟକ୍ତି ପାଇଁ ଯେଉଁ ଅନୁଭବ ସୃଷ୍ଟି ହୋଇଥାଏ, ତାହା ତା’ ପାଇଁ ନର୍କ ସଦୃଶ ହୋଇଥାଏ। ଏହି କାରଣରୁ ପ୍ରସିଦ୍ଧ ଫରାସୀ ଅସ୍ତିତ୍ବବାଦୀ ଦାର୍ଶନିକ ଜାଁ ପଲ୍ ସାର୍ତ୍ର କହିଥିଲେ: ‘‘ନର୍କ ହେଉଛି ଅନ୍ୟମାନେ।’’
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନ୍ ଦଖଲରୁ ମୁକୁଳିବା ପରେ ପରେ ପ୍ୟାରିସ୍ରେ ସର୍ବପ୍ରଥମେ ଅଭିନୀତ ସାର୍ତ୍ରଙ୍କର ଯେଉଁ ନାଟକରୁ ତାଙ୍କର ଏହି ପ୍ରସିଦ୍ଧ ଉକ୍ତି ଉଦ୍ଧାର କରାଯାଇଥାଏ, ତାହାର ନାମ ହେଉଛି: ‘ନୋ ଏଗ୍ଜିଟ୍’ (‘ପ୍ରସ୍ଥାନ ନାହିଁ’)। ମାତ୍ର ତିନିଜଣ ଚରିତ୍ର- ଜଣେ ପୁରୁଷ, ଦୁଇଜଣ ନାରୀ-ଙ୍କୁ ନେଇ ରଚିତ ସେଇ ନାଟକକୁ ନକଲ କଲା ଭଳି ଏବେ ଯେଉଁ ଏକ ସତସତିକା ଘଟଣା ପ୍ରଥମେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମୁଖ୍ୟସ୍ରୋତ ଗଣମାଧ୍ୟମରେ ଅନୁପ୍ରବେଶ କରି ଆସ୍ଥାନ ଜମାଇବା ଦେଖାଯାଇଛି, ଅସ୍ତିତ୍ବବାଦୀ ଦର୍ଶନକୁ ବୁଝିବାରେ ତାହା ଯେପରି ସହାୟକ ହୋଇଥାଏ, ତାହା ସାର୍ତ୍ରଙ୍କୁ ତଥା ତାଙ୍କର ଜୀବନସଙ୍ଗିନୀ ଦାର୍ଶନିକା ସିମନ୍ ଡି ବିଭାଙ୍କୁ ଗଭୀର ସନ୍ତୋଷ ପ୍ରଦାନ କରନ୍ତା।
ଆମେରିକାରେ ଜଣେ ପ୍ରେମିକ, ତାଙ୍କର ପ୍ରେମିକା ଓ ତାଙ୍କର (ପ୍ରେମିକାଙ୍କର) ଜଣେ ବାନ୍ଧବୀଙ୍କୁ କେନ୍ଦ୍ର କରି ଘଟିଥିବା ଏହି ଘଟଣା ସମ୍ବନ୍ଧରେ ଅଧିକ ସୂଚନା ପ୍ରଦାନ ପୂର୍ବରୁ ପ୍ରଥମେ ସାର୍ତ୍ରଙ୍କର ସେଇ ନାଟକ ଉପରେ ଅଧିକ ଆଲୋକପାତ କରିବା ବୋଧହୁଏ ଉଚିତ ହେବ। ମାତ୍ର େଗାଟିଏ ଅପରିବର୍ତ୍ତିତ ଦୃଶ୍ୟକୁ ନେଇ ମଞ୍ଚସ୍ଥ ହୋଇଥିବା ନାଟକରେ ସେଇ ଚରିତ୍ର ତିନି ଜଣ ମୃତ୍ୟୁ ପରେ ଦଣ୍ଡ ପାଇ ଯନ୍ତ୍ରଣା ଭୋଗ କରିବା ପାଇଁ ଯାଇ ପହଞ୍ଚିଛନ୍ତି ନର୍କରେ। ମଞ୍ଚରେ ପ୍ରଦର୍ଶିତ ନର୍କର ଦୃଶ୍ୟ ହେଉଛି ତିନି ଗୋଟି ଛୋଟ ଛୋଟ ସୋଫା ପଡ଼ିଥିବା, ଉଜ୍ଜ୍ବଳ ଆଲୋକ ଦ୍ବାରା ଆଲୋକିତ ଏକ କୋଠରି। ଉପରୋକ୍ତ ତିନିଜଣ ଚରିତ୍ର ଅଲଗା ଅଲଗା ସେଇ ନର୍କ ରୂପକ କୋଠରିରେ ପ୍ରବେଶ କରନ୍ତି। ସେ ନର୍କରେ କିନ୍ତୁ ସେମାନଙ୍କୁ ଯନ୍ତ୍ରଣା ପ୍ରଦାନ କରିବା ପାଇଁ କୌଣସି ବନ୍ଦୋବସ୍ତ ଦର୍ଶକମାନଙ୍କର ଦୃଷ୍ଟିଗୋଚର ହୁଏ ନାହିଁ। ସେଠାରେ ନା ଥା’ନ୍ତି କୌଣସି ଯମଦୂତ, ନା ନର୍କର ଅଗ୍ନିକୁଣ୍ଡ, ନା ଯନ୍ତ୍ରଣା ପ୍ରଦାନର ଅନ୍ୟ କୌଣସି ସାଧନ। ସେଇ ତଥାକଥିତ ନର୍କରେ ପ୍ରତିଟି ଚରିତ୍ର ଯାହା ସମ୍ମୁଖୀନ ହୋଇଥାଏ, ତାହା ହେଲା କେବଳ ଅନ୍ୟ ଦୁଇ ଚରିତ୍ରଙ୍କର ଉପସ୍ଥିତି। ଧୀରେ ଧୀରେ ସେମାନେ ଏହି ଭୟଙ୍କର ସତ୍ୟ ହୃଦୟଙ୍ଗମ କରିଥା’ନ୍ତି: ସେମାନେ ପ୍ରତ୍ୟେକ ହେଉଛନ୍ତି ଅନ୍ୟର ନିର୍ଯାତନାକାରୀ; ଅନନ୍ତ କାଳ ପାଇଁ ସେଇ କୋଠରିରେ ଆବଦ୍ଧ ଥାଇ ସେମାନେ ପରସ୍ପରକୁ ନିର୍ଯାତନା ଦେଇ ଚାଲିଥିବେ। ନର୍କର ଏହି ନିଷ୍ଠୁର ରହସ୍ୟ ବୁଝାପଡ଼ିବା ପରେ ନାଟକରେ ସେ ପୁରୁଷ ଚରିତ୍ର ଜଣକ ଏକ ସମୟରେ କହି ପକାଇଛନ୍ତି: ‘‘ନର୍କ ହେଉଛି ଅନ୍ୟମାନେ।’’
ଆମେରିକାରେ ଘଟିଥିବା ଉପରୋକ୍ତ ଘଟଣାରେ କୋଠରିରେ ଉପସ୍ଥିତ ଥିବା ତିନିଜଣଙ୍କ ମଧ୍ୟରୁ ପ୍ରେମିକା ଜଣକ ପ୍ରେମିକ ତାଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି ଅଭିଯୋଗ କରି ଭୀଷଣ ଉତ୍କ୍ଷିପ୍ତ ହୋଇ ପଡ଼ିଛନ୍ତି। ବିଶ୍ବାସଘାତକତାର ଅର୍ଥ, ପ୍ରେମିକ ଜଣକ ଅନ୍ୟ ଜଣେ ନାରୀଙ୍କ ସହିତ ସମ୍ପର୍କ ରଖି ପ୍ରେମିକାଙ୍କ ପାଖରେ ଧରାପଡ଼ି ଯାଇଛନ୍ତି। ଏଭଳି ବିଶ୍ବାସଘାତକତାର ଶିକାର ହୋଇଥିବା ନାରୀ ଯେଉଁଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ, ସେଭଳି ଦୃଶ୍ୟ ନର୍କରେ ମଧ୍ୟ ଯେ ଦେଖିବାକୁ ମିଳି ନ ଥାଏ, ତାହା ସଚରାଚର ସୁବିଦିତ। ପ୍ରବଞ୍ଚିତା ନାରୀର କ୍ରୋଧ କିପରି ନର୍କ ଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ, ତାହା ସପ୍ତଦଶ ଶତାବ୍ଦୀର ଇଂରେଜ୍ ନାଟ୍ୟକାର ୱିଲିଅମ୍ କଙ୍ଗ୍ରିଭ୍ଙ୍କର ନାଟକ, ‘ଦି ମୋର୍ନିଙ୍ଗ୍ ବ୍ରାଇଡ୍’ (‘ଶୋକାତୁରା କନିଆଁ’)ରୁ ବହୁଳ ଉଦ୍ଧୃତ ଏହି ଆପ୍ତବାକ୍ୟରୁ ସ୍ପଷ୍ଟ ହୋଇଥାଏ: ‘‘ହେଲ୍ ହାଥ୍ ନୋ ଫ୍ୟୁରୀ ଲାଇକ୍ ଏ ଉମ୍ୟାନ୍ ସ୍କର୍ନ୍ଡ’’। ଉପରୋକ୍ତ ଘଟଣାରେ ପ୍ରବଞ୍ଚିତା ପ୍ରେମିକାଙ୍କ କ୍ରୋଧର ଶିକାର ହୋଇଥିବା ଧୋକାବାଜ୍ ପ୍ରେମିକଜଣକ ନିଜର ସଫେଇ ଦେବାକୁ ଯେତେ ଚେଷ୍ଟା କଲେ ମଧ୍ୟ କ୍ରୋଧ ଜର୍ଜରିତା ପ୍ରେମିକାଜଣକ ତାଙ୍କର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଅପର ପକ୍ଷେ ସେ ପ୍ରେମିକଙ୍କର ବିଶ୍ବାସଘାତକତାର ଏପରି ଏକ ପ୍ରତିଶୋଧ ନେବାକୁ ଚାହୁଁଥିଲେ ଯାହା ପ୍ରେମିକ ଜଣକର କଳ୍ପନାର ବାହାରେ ହୋଇଥିବ। ଯାହା ସାର୍ତ୍ର ଓ ସିମନ୍ଙ୍କୁ ହୃଷ୍ଟ କରନ୍ତା, ତାହା ହେଲା, ସେ ଯୁବତୀଜଣକ ଶେଷରେ ପ୍ରତିଶୋଧ ନେବାର ଯେଉଁ
ଉପାୟ ଅବଲମ୍ବନ କଲେ, ତାହା ତାଙ୍କର ଜାଣତରେ ହେଉ କି ଅଜାଣତରେ ହେଉ, ସିଧାସଳଖ ଉପରେ ବର୍ଣ୍ଣିତ ଅସ୍ତିତ୍ବବାଦର ସେଇ ଗୁରୁତ୍ବପୂର୍ଣ୍ଣ ନିୟମକୁ ଅନୁସରଣ କରିଛି: ‘ପ୍ରଥମେ ଅସ୍ତିତ୍ବ, ପରେ ପ୍ରକୃତି’। ନାଗରସୁଲଭ ଲମ୍ପଟତା ହେଉଛି ଉକ୍ତ ଯୁବକଙ୍କ ପ୍ରକୃତି, କିନ୍ତୁ ଏହି ପ୍ରକୃତି ଗ୍ରହଣ କରିବା ପାଇଁ ପ୍ରଥମେ ତାଙ୍କର ଅସ୍ତିତ୍ବ ଥିବା ଆବଶ୍ୟକ। ଯୁବତୀ ତେଣୁ ତାଙ୍କର ଧୋକାବାଜ୍ ପ୍ରେମିକଙ୍କ ଅସ୍ତିତ୍ବ ଲୋପ କରିଦେବାକୁ ନିଷ୍ପତ୍ତି ନେଲେ।
ଏହା ଯଦି ଜର୍ଜ ଅର୍ୱେଲ୍ଙ୍କର କିମ୍ବଦନ୍ତି ଉପନ୍ୟାସ ‘୧୯୮୪’ର କାହାଣୀ ହୋଇଥା’ନ୍ତା, ତା’ହେଲେ ଏକ ଚରିତ୍ରର ଅସ୍ତିତ୍ବ ଲୋପ କରିବା ଅର୍ଥ ହୁଅନ୍ତା ତାକୁ ଏକ ‘ଅଣବ୍ୟକ୍ତି’ (‘ଅନ୍ପର୍ସନ୍’)ରେ ପରିଣତ କରିଦେବା। ଅର୍ୱେଲ୍ଙ୍କ ବର୍ଣ୍ଣନା ଅନୁସାରେ ଜଣେ ବ୍ୟକ୍ତି ‘ବାଷ୍ପୀଭୂତ’ ହୋଇ ‘ଅଣବ୍ୟକ୍ତି’ରେ ପରିଣତ ହୋଇଯାଏ। ବାଷ୍ପୀଭୂତ ହେବା ଅର୍ଥ ହେଲା- ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିକୁ ହତ୍ୟା କରିଦିଆଯାଏ, ଓ ସେଥି ସଙ୍ଗେ ସଙ୍ଗେ ରାଷ୍ଟ୍ରରେ ଥିବା ଯେଉଁ ସବୁ ନଥିପତ୍ରରେ ତା’ର ନାମ ଲିପିବଦ୍ଧ ଥାଏ (ଯେମିତି ଜନ୍ମ ପ୍ରମାଣପତ୍ର, ସ୍କୁଲ୍ ସାର୍ଟିଫିକେଟ୍, ପାସ୍ପୋର୍ଟ…) ସେ ସମସ୍ତରୁ ତା’ର ନାମ ନିଶ୍ଚିହ୍ନ କରିଦିଆଯାଏ; ସତେ ଯେମିତି ଏ ବ୍ୟକ୍ତିଜଣକର ଅସ୍ତିତ୍ବ କେବେହେଲେ ନ ଥିଲା।
ବର୍ତ୍ତମାନର ଘଟଣାରେ ଯୁବତୀଜଣକ ଅବଶ୍ୟ ତାଙ୍କ ପ୍ରେମିକକୁ ‘ଅଣବ୍ୟକ୍ତି’ରେ ପରିଣତ କରିବା ପାଇଁ ହତ୍ୟା ଭଳି ଚରମ ପଦକ୍ଷେପ ନେଇ ନାହାନ୍ତି। ସେ ଯୁବକଙ୍କର କୋଠରି ଖାନ୍ତଲାସୀ କରି ଶେଷରେ ଏପରି ଏକ ପଦାର୍ଥ ଆବିଷ୍କାର କରିଛନ୍ତି ଯାହା ତାଙ୍କର ଉଦ୍ଦେଶ୍ୟ ପୂରଣ ପାଇଁ ଯଥେଷ୍ଟ ହୋଇଛି- ପ୍ରତୀକାତ୍ମକ ଭାବରେ। ତାହା ହେଉଛି ଯୁବକଙ୍କର ଜନ୍ମ ପ୍ରମାଣପତ୍ର। ଏହାକୁ ସେ ଟିକି ଟିକି କରି ଚିରି ଦେଇ ଆତ୍ମସନ୍ତୋଷ ଲାଭ କରିଛନ୍ତି ଯେ ଏହାଦ୍ବାରା ସେ ଯୁବକଙ୍କର ଅସ୍ତିତ୍ବ ଲୋପ କରି ଦେଇଛନ୍ତି। ଏ ସମସ୍ତ ଘଟଣା ସେଠାରେ ଉପସ୍ଥିତ ଅନ୍ୟ ତରୁଣୀ ଜଣକ ସୋସିଆଲ୍ ନେଟ୍ୱାର୍କରେ ପ୍ରସାରିତ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି, ଜନ୍ମ ପ୍ରମାଣପତ୍ର ଚିରା ଯାଉଥିବା ବେଳେ ଯୁବକ ଜଣକ କିଛି କହିବାକୁ ଚେଷ୍ଟା କରିବାରୁ ଚିରିବାରେ ବ୍ୟାପୃତ ପ୍ରେମିକା ଚିତ୍କାର କରି ତାଙ୍କୁ କହିଲେ: ‘‘ଚୁପ୍ କର, ଏବେ ତୁମର ଅସ୍ତିତ୍ବ ମଧ୍ୟ ନାହିଁ।’’ ସାର୍ତ୍ରଙ୍କ କାନକୁ ଏହା ସଂଗୀତ ଭଳି ମଧୁର ଶୁଭନ୍ତା ନାହିଁ କି?