ସୁଲଭ ଆନ୍ଦୋଳନର ଦୁର୍ଲଭ ପ୍ରବର୍ତ୍ତକ

ପଦ୍ମଚରଣ ନାୟକ

ଗତ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ଦିବସ ପାଳନରେ ସମସ୍ତେ ମଜ୍ଜି ରହିଥିବା ବେଳେ ଆମ ଠାରୁ ବିଦାୟ ନେଇଛନ୍ତି ମହାନ ଗାନ୍ଧୀଜନ ବିନ୍ଦେଶ୍ୱର ପାଠକ। ଓଡ଼ିଆ ସମ୍ବାଦପତ୍ରରେ ଏଭଳି ଖବର ଠିକଣା ଭାବରେ ପ୍ରକାଶିତ ହୋଇନାହିଁ; କିନ୍ତୁ ମୂଲ୍ୟବୋଧ ଭିତ୍ତିକ ସମ୍ବାଦପତ୍ର ଭାବେ ବିଖ୍ୟାତ ଇଂରେଜୀ ସମ୍ବାଦପତ୍ର ‘ଦ ହିନ୍ଦୁ’ ମଧ୍ୟ ତାଙ୍କ ଉପରେ ଶୋକବାର୍ତ୍ତାଟିଏ ଦେଇ ନ ଥିବା ବିସ୍ମୟ ସୃଷ୍ଟି କରେ। ବିନ୍ଦେଶ୍ବର ଥିଲେ ‘ସୁଲଭ ଆନ୍ଦୋଳନ’ର ପ୍ରବର୍ତ୍ତକ। ଉତ୍କଟ ଜାତିଆଣ ଭାବ ଭରି ରହିଥିବା ବିହାରର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ନିଜ ଘର ବାଡ଼ି ଆଡ଼ ପଛ ପଟେ ଥିବା ବାଉଁଶ କବାଟଟିକୁ କଡ଼େଇ ଦେଇ କିଛି ଲୋକ ଅତି ସନ୍ତର୍ପଣରେ କିଛି ପଦାର୍ଥ ମୁଣ୍ଡରେ ମୁଣ୍ଡାଇ ନେବା ଆଣିବା କରୁଥିବା ଦେଖି ସେମାନେ କ’ଣ କରୁଛନ୍ତି ବା ସେମାନେ ଗଲା ପରେ ସେମାନଙ୍କ ଯିବାଆସିବା ବାଟରେ ତାଙ୍କ ଜେଜେମା’ କାହିଁକି ଗଙ୍ଗାଜଳ ଢାଳୁଛନ୍ତି ବୋଲି ବୁଝି ପାରୁ ନ ଥିଲେ ଶିଶୁ ବିନ୍ଦେଶ୍ବର। ତେଣୁ ଯେତେବେଳେ ସେ ପଚାରି ବୁଝି ଜାଣିଲେ ଯେ ସେମାନେ ଅସ୍ପୃଶ୍ୟ, ତାଙ୍କ ମନ ବିଚଳିତ ହେବା ଆରମ୍ଭ କରିଥିଲା। ଦିନେ ଏଭଳି ଜଣେ ଅସ୍ପୃଶ୍ୟ ବୁଢ଼ୀର ଶାଢ଼ିକୁ ସେ ଛୁଇଁ ଦେଇ ଜାଣିବାକୁ ଚାହିଁଥିଲେ ଯେ ଏହା ଫଳରେ ତାଙ୍କ ଦେହର କିଛି କ୍ଷତି ଘଟୁଛି କି? ତାଙ୍କ ଦେହରେ ତ କିଛି କ୍ଷତି ଦେଖାଗଲା ନାହିଁ, କିନ୍ତୁ ଏହା ଜଣା ପଡ଼ିଯାଇ ଚହଳ ସୃଷ୍ଟି କଲା। ଘର ଲୋକେ ଜଣେ ପଣ୍ଡିତକୁ ଡକାଇଲେ, ଯିଏ ଏ କଥା ଶୁଣି ଘୋଷଣା କଲେ ଯେ ବିନ୍ଦେଶ୍ୱରକୁ ଜାତିରୁ ବାସନ୍ଦ କରିବାକୁ ହେବ। ତାଙ୍କ ମା’ ଏହାର ତୀବ୍ର ବିରୋଧ କରିବାରୁ ବିନ୍ଦେଶ୍ବର ଅବଶ୍ୟ ରକ୍ଷା ପାଇଗଲେ, କିନ୍ତୁ ତାଙ୍କୁ ଥଣ୍ଡା ଗଙ୍ଗା ଜଳରେ ବୁଡ଼ିବାକୁ ପଡ଼ିଥିଲା। ତା’ ପରେ ଜେଜେମା’ ବଳପୂର୍ବକ ତାଙ୍କୁ ପଞ୍ଚଗବ୍ୟ (ଦଧି-ଦୁଗ୍‌ଧ-ଘୃତ-ଗୋମୟ ଓ ଗୋମୂତ୍ର) ପିଆଇ ଶୁଦ୍ଧ କରିଥିଲେ। ଏବେ ସେ ଜାଣି ପାରିଥିଲେ ଯେ ସେହି ବୃଦ୍ଧା ମହିଳା ଥିଲା ଅସ୍ପୃଶ୍ୟଙ୍କ ମଧ୍ୟରେ ସବୁଠାରୁ ନିମ୍ନ ସୋପାନର; ଯେଉଁମାନେ ପାଇଖାନାରୁ ମଇଳା କାଢ଼ି ମୁଣ୍ଡରେ ମୁଣ୍ଡାଇ ଗାଁ ଠାରୁ ଦୂରରେ ପକାଇ ପେଟ ପୋଷୁଥିଲେ। ମଇଳା କାଢ଼ି ପକାଇବା ପରେ ଗାଧୋଇ ପାଧୋଇ ସେମାନେ ପରିଷ୍କୃତ ହେଲା ପରେ ମଧ୍ୟ ଅସ୍ପୃଶ୍ୟ ହୋଇ ରହିବା ଥିଲା ବିନ୍ଦେଶ୍ବରଙ୍କ ଲାଗି ଦୁର୍ବୋଧ୍ୟ।

ଅସ୍ପୃଶ୍ୟତାର ଅନେକ ଚିତ୍ର ସେ ବଡ଼ ହେଲା ପରେ ଦେଖିଲେ। ଗାଁର କୂଅରୁ ସେମାନଙ୍କୁ ପାଣି କାଢ଼ିବା ମନା ଥିଲା; ଦୋକାନରୁ କିଣୁଥିବା ଜିନିଷକୁ ତାଙ୍କ ହାତରେ ନ ଦେଇ ତାଙ୍କ ଉପରକୁ ଫୋପଡ଼ି ଦିଆ ଯାଉଥିଲା; ସେମାନେ ଦେଉଥିବା ପଇସାକୁ ଧୋଇ ଗ୍ରହଣ କରାଯାଉଥିଲା। କିଶୋର ବିନ୍ଦେଶ୍ୱରଙ୍କୁ ଏ ସବୁ ବିବ୍ରତ କରୁଥିଲା। ଟିକିଏ ବଡ଼ ହେଲା ପରେ ସେ ଚିନ୍ତା କଲେ ଯେ ଏ ସ୍ଥିତି କିଭଳି ଦୂର ହେବ; ସହଜରେ କିଭଳି ପାଇଖାନାରୁ ମଇଳା ସଫା କରାଯାଇପାରିବ! ବିଶ୍ୱବିଦ୍ୟାଳୟ ଶିକ୍ଷା ସମାପ୍ତି ପରେ ବିନ୍ଦେଶ୍ୱର ତିନି ମାସ କାଳ ବେଟ୍ଟୀହା ସହରର ମେହେନ୍ତର କଲୋନିରେ ରହି ସେଠାକାର ଅପରିଚ୍ଛନ୍ନ ଓ ଦୁର୍ଗନ୍ଧପୂର୍ଣ୍ଣ ବାତାବରଣର ଅନୁଭୂତି ଲାଭ କଲେ। ଏହା ଥିଲା ସୁଲଭ ଆନ୍ଦୋଳନ ପ୍ରାରମ୍ଭ କରିବା ପୂର୍ବର ପ୍ରସ୍ତୁତି ପର୍ବ। ଦିନକର କଥା। ସେ ଦେଖିଲେ ଯେ ଏକ ଛୋଟ ପିଲା ଷଣ୍ଢ ଆକ୍ରମଣରେ ମରି ପଡ଼ିଥିବା ସତ୍ତ୍ବେ କେହି ତାକୁ ଉଠାଉ ନାହାନ୍ତି; କାରଣ ସେ ଅସ୍ପୃଶ୍ୟ। ଅସ୍ପୃଶ୍ୟତା ବିରୋଧରେ ତାଙ୍କ ମନ ଏବେ ଅଧିକ ବିଦ୍ରୋହୀ ହୋଇ ଉଠିଲା। କିନ୍ତୁ ସେ କାଳରେ ଏ ଦିଗରେ ତାଙ୍କୁ କିଏ ଅବା ସହଯୋଗ କରନ୍ତା? ଏପରି କି ତାଙ୍କ ଶ୍ବଶୁର ଓ ବନ୍ଧୁବାନ୍ଧବମାନେ ତାଙ୍କ ଠାରୁ ସମ୍ପର୍କ ତୁଟାଇ ଦେଲେ, ଯାହା ଫଳରେ ସୁଲଭ ଶୌଚାଳୟ ଲାଗି ଅର୍ଥର ଘୋର ଅଭାବ ଦେଖା ଦେଇଥିଲା। ସେହି ସମୟରେ ତାଙ୍କ ସହଧର୍ମିଣୀ ତାଙ୍କ ଅଳଙ୍କାର ବିକି ତାଙ୍କୁ ସାହାଯ୍ୟ କରିଥିଲେ। ସୁଲଭ ଶୌଚାଳୟ ସଂଗଠନ ଗଢ଼ିଲା ବେଳକୁ ତାଙ୍କ ବୟସ ହୋଇଥିଲା ମାତ୍ର ୨୭ ବର୍ଷ।
ତେବେ, ଏ ସବୁ କାମ ସହିତ ସେ ଅସ୍ପୃଶ୍ୟମାନଙ୍କୁ ପାଠ ପଢ଼ାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା ଦିଗରେ ଶିକ୍ଷା ଦେଉଥିଲେ। ଏହା ଫଳରେ ଏହି ବର୍ଗର ଲୋକେ ସାହସ ପାଇଲେ, ଅନ୍ୟ ଲୋକଙ୍କ ସହିତ ମିଳାମିଶା କରିବାକୁ ବାହାରିଲେ, ବ୍ୟାଙ୍କ ଆକାଉଣ୍ଟ ଖୋଲି ନିଜର ରୋଜଗାର ଜମା କଲେ। ବିନ୍ଦେଶ୍ୱରଙ୍କ ଏହି ପ୍ରଚେଷ୍ଟା ବଳରେ ପ୍ରାୟ ୨ ଲକ୍ଷ ଅସ୍ପୃଶ୍ୟ ମହିଳା ଜାତିଭେଦର ପ୍ରାଚୀର ଅତିକ୍ରମ କରି ପାରିଥିଲେ।

ସ୍ବାଧୀନତା ପୂର୍ବରୁ ଓଡ଼ିଶାର ବରପାଲୀ ଅଞ୍ଚଳରେ ବିଦେଶରୁ ଆସିଥିବା କ୍ୱେକର୍‌ମାନେ ଗ୍ରାମ ଉନ୍ନୟନ କାମ କଲା ବେଳେ ଏଭଳି ପାଇଖାନାମାନ କରାଇଥିଲେ, ଯାହା ବରପାଲୀ ଲାଟ୍ରିନ ନାମରେ ଜଣାଶୁଣା ଥିଲା। ସେଗୁଡ଼ିକର ପ୍ୟାନ୍ ସିମେଣ୍ଟରେ ହୋଇ ଥିବାରୁ ‘ପ୍ୟାନ୍‌’ଟି ଭଲ ଭାବରେ ପରିଷ୍କୃତ ହୋଇ ପାରୁ ନ ଥିଲା। ଏହା ଛଡ଼ା ପାଖରେ ବାଲଟିଏ ପାଣି ରଖିବାକୁ ପଡୁଥିଲା। ପ୍ରାୟ ଦୁଇ ବର୍ଷ ଧରି ଉଦ୍ୟମ କରି ବିନ୍ଦେଶ୍ବର ଗୋଟିଏ ଲିଟର ପାଣିରେ ମଇଳା ସଫା ହୋଇଯିବା ଭଳି ‘ପ୍ୟାନ୍’ ଓ ମଇଳା ଆଦି ଯାଇ ଜମା ହେବା ସକାଶେ ‘ପିଟ୍’ ଆଦିର ଡିଜାଇନ କରିଥିଲେ। ୧୯୭୩ ମସିହାରେ ପ୍ରଥମ ସୁଲଭ ଶୌଚାଳୟ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା। ସେଥିରେ କିଛି ପରିସ୍ରାଗାର ଛଡ଼ା ୪୮ଟି ପାଇଖାନା ଘର ଓ ୨୦ଟି ଗାଧୁଆ ଘର ଥିଲା। ସେଦିନ ୫୦୦ ଲୋକ ଏହାର ବ୍ୟବହାର କରିଥିଲେ। କ୍ରମେ ସୁଲଭ ଶୌଚାଳୟର ଚାହିଦା ବଢ଼ିବାରେ ଲାଗିଥିଲା; ଏବେ ତ ସାରା ଭାରତରେ ଜନଗହଳି ଦେଖାଯାଉଥିବା ପ୍ରାୟ ପ୍ରତ୍ୟେକ ସ୍ଥାନରେ ସୁଲଭ ଶୌଚାଳୟ ଥିବା ପ୍ରାୟ ନିଶ୍ଚିତ। ସୁଲଭ ଶୌଚାଳୟ ହେବା ଫଳରେ ଯେଉଁ ମେହେନ୍ତରମାନେ ବେକାର ହେଲେ, ବିନ୍ଦେଶ୍ୱର ସେମାନଙ୍କ ଲାଗି ବିକଳ୍ପ ଧନ୍ଦା ସୃଷ୍ଟି କରିଥିଲେ। ଆଜି ଯେଉଁ ସ୍ବଚ୍ଛ ଭାରତ ଅଭିଯାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଆଗ୍ରହର କେନ୍ଦ୍ରବିନ୍ଦୁ ହୋଇଛି ଏବଂ ଭାରତକୁ ପରିଚ୍ଛନ୍ନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି, ତାହାର ମୂଳଦୁଆ ଆଜିକୁ ପାଞ୍ଚ ଦଶନ୍ଧି ତଳେ ପକାଇଥିଲେ ବିନ୍ଦେଶ୍ବର ପାଠକ, ଯିଏ ନିରବତାର ସହିତ ଆମ ଭିତରୁ ଅନ୍ତର୍ହିତ ହୋଇଗଲେ!
ମୋ: ୯୯୩୮୮୯୩୪୪୫

ସମ୍ବନ୍ଧିତ ଖବର