ମନରେ ପ୍ରଶ୍ନ ଉଠିପାରେ, ବିଶ୍ବାସ ମୂଳ ନା ନୀତି ନିୟମ ମୂଳ? ଏହାର ଉତ୍ତର ମୋଟେ ସହଜ ନୁହେଁ। ଲାଗୁଥାଇପାରେ ବିଶ୍ବାସ ନ ଥିଲେ ନୀତି ନିୟମ ପ୍ରୟୋଗ ହେବ କେମିତି? ତେଣୁ ନୀତି ନିୟମର କାର୍ଯ୍ୟକାରିତା ବିଶ୍ବାସ ଉପରେ ଠିଆ ବୋଲି ଯୁକ୍ତି କରିବାରେ କିଛି ଅସ୍ବାଭାବିକତା ନାହିଁ। ତେବେ ଏ ନୀତି ନିୟମ ଆସିଲା କେଉଁଠୁ? ତାହା ହିଁ ଅସଲ ପ୍ରଶ୍ନ!
‘ବିଧି’ର ଅର୍ଥକୁ ଆମେ ଆଇନ ଭାବରେ ଗ୍ରହଣ କରୁ ମାତ୍ର ବିଧି କହିଲେ ନୀତି ନିୟମ। ଏ ନୀତି ନିୟମର ସୂତ୍ର, ପ୍ରଣୟନ ସହ ଯୋଡ଼ା। ଯେ କୌଣସି ନୀତି ପ୍ରଣୟିତ ହେଲେ ଆଇନରେ ପରିଣତ ହୁଏ। ଏ କଥାରୁ ଆଉ ଗୋଟିଏ ବିଚାର ମନକୁ ଆନ୍ଦୋଳିତ କରିବା ସ୍ବାଭାବିକ। ମଣିଷର ଆରମ୍ଭ-ଜୀବନ ହେଉଛି ଅସାମାଜିକ ଜଙ୍ଗଲ-ଜୀବନ। ସେତେବେଳେ କ’ଣ କିଛି ନୀତି ନିୟମ ଥିଲା? ବିଶ୍ବାସ ଥିଲା? ଲୋକେ ଚଳୁଥିଲେ କେମିତି?
ନୀତି ନିୟମର ଯେତେ ଉତ୍ସ ଅଛି ସେ ଭିତରେ ସବୁଠାରୁ ବଡ଼ ଉତ୍ସଟି ହେଉଛି ପ୍ରକୃତି। ପ୍ରକୃତି ଏ ସଂସାରର ଅସଲ ନିୟାମକ। ସୂର୍ଯ୍ୟ ପୂର୍ବରେ ଉଅଁନ୍ତି, ପଶ୍ଚିମରେ ଅସ୍ତ ଯାଆନ୍ତି। ଚନ୍ଦ୍ରର ଆବିର୍ଭାବ ଅନୁସାରେ କୃଷ୍ଣପକ୍ଷ, ଶୁକ୍ଳପକ୍ଷ, ପୂର୍ଣ୍ଣିମା, ଅମାବାସ୍ୟା ହୁଏ। ଖରା ଆସେ, ବର୍ଷା ଆସେ, ଶୀତ ଆସେ। ନାରୀ ପାଖରେ ଡିମ୍ବାଣୁ, ପୁରୁଷ ପାଖରେ ଶୁକ୍ରାଣୁ। ପବନ ବହେ, ପାଣି ଗଡ଼େ, ବାଷ୍ପ ହୁଏ ପୁଣି ଜମାଟ ବାନ୍ଧେ। ବୟସ ସବୁ କଥାର କ୍ଷୟ ସାଧନ କରେ। ଯିଏ ବୟସ୍କ ତା’ ପାଖରେ ଅନୁଭବା ଯେ ସାନ ସେ ଅନୁଭବହୀନ। ଏସବୁ ସାଧାରଣରେ ଅନେକ ନିୟମ ସହିତ ଯୋଡ଼ା। କଥାରେ କୁହାଯାଏ ‘‘ବଡ଼ ଥିଲେ ପଚାରି, ସାନ ଥିଲେ ବିଚାରି।’’ ଏହା ଆସିଛି ପ୍ରାକୃତିକ ନିୟମରୁ। ବଡ଼ ଯେହେତୁ ଅଭିଜ୍ଞ, ତାକୁ ପଚାରି ପରାମର୍ଶ ନେବ। ସାନର ଅନୁଭବ ନ ଥିବାରୁ ତା’ଉପରେ କିଛି ଲଦି ଦେବା ପୂର୍ବରୁ ବିଚାର କରିବ। ପ୍ରାକୃତିକ ନିୟମରେ ସମସ୍ତେ ବନ୍ଧା। ପଶୁପକ୍ଷୀ, କୀଟପତଙ୍ଗ, ଗଛଲତା, ବସ୍ତୁଅବସ୍ତୁ, ସବୁକଥା। ‘ସବୁକଥା ମାଟିରେ ମିଶେ’, ‘ଗଡ଼ି ଗଲା ପାଣି ତଳକୁ’ ଭଳି କଥାଗୁଡ଼ିକ ପ୍ରାକୃତିକ ନିୟମରୁ ହିଁ ଆହରିତ। ମାତ୍ର ନୀତି ନିୟମ ସେତିକି କଥାରେ ବନ୍ଧା ନୁହେଁ।
ମଣିଷ ସମାଜଜୀବନକୁ ଆସିଛି ନିଜର ସୁବିଧା ପାଇଁ। ତହିଁ ନିମନ୍ତେ ସେ ନୀତିନିୟମ ଗଢ଼ିଛି, ଆଇନ କାନୁନ ତିଆରିଛି। କେତେ ପ୍ରକାରର ବିଧି ନିର୍ମାଣିଛି। କେଉଁଟା ପରିବାରକୁ ନେଇ, କେଉଁଟା ସମାଜକୁ ନେଇ, ପୁଣି ଶାସନକୁ ନେଇ, ସମ୍ପତ୍ତିକୁ ନେଇ, ସମ୍ପର୍କକୁ ନେଇ। ପ୍ରଥମେ ତ ମୁହଁର କଥା ଥିଲା ଆଇନ। ସ୍ମୃତି ଥିଲା ତା’ର ଲେଖପଟା। ଲେଖାଲେଖି ଅାସିବା ପରଠାରୁ କେତେ କେତେ ବିଧି ବ୍ୟବସ୍ଥା ଲିଖିତ ସ୍ବରୂପକୁ ଆସିଛି, ମାତ୍ର ତଥାପି ଅନେକ ନୀତି ନିୟମ ଏବେ ବି ଅଲିଖିତ ହୋଇରହିଛି। କେଉଁ ଆଇନ ନୀତିଗତ ତ କେଉଁଟା ପରମ୍ପରାଗତ। କେଉଁଟା ଧାର୍ମିକ ତ ପୁଣି କେଉଁ ନୀତି ସାମାଜିକ। ଜାତୀୟ ନୀତି, ଅନ୍ତର୍ଜାତୀୟ ନୀତି, ଜମିଜମା ସଂକ୍ରାନ୍ତୀୟ ନୀତି, ମାଡ଼ ଫୌଜଦାରୀ ନୀତି ଭଳି ଆମ ଆଗରେ ଆଜି ଅସଂଖ୍ୟ ନୀତି ନିୟମର ଗ୍ରନ୍ଥମାଳା। ସେ ସବୁକୁ ଯେ ଜାଣିବା ସାଧାରଣ ମଣିଷ ପାଇଁ ଜରୁରି ସେ କଥା ନୁହେଁ। ତେବେ ଅନେକ ଏଭଳି ବିଧି ଅଛି ଯାହା ଆମର ଦୈନନ୍ଦିନ ଜୀବନକୁ ନିୟନ୍ତ୍ରଣ କେର।
ନୀତି ମାତ୍ରେ ଗତିଶୀଳ। ପ୍ରକୃତି ମଧ୍ୟ କେତେକ ସମୟରେ ତା’ର ନୀତିରେ ପରିବର୍ତ୍ତନ ଆଣେ। ଆମେ େସ ସବୁକୁ ବୁଝିବା ଯେମିତି ଆବଶ୍ୟକ ସେମିତି ସଭିଏଁ ସାମାଜିକ ଜୀବନଧାରା ସହ ଯୋଡ଼ା ନୀତି ବା ଆଇନର ପରିବର୍ତ୍ତିତ ସ୍ବରୂପ ସହ ଯୋଡ଼ି ହେବା ମଧ୍ୟ ଜରୁରି।
ଅଦିନରେ ବର୍ଷା, ବାତ୍ୟା, ଝଡ଼, ବଢ଼ି ଆଦି ପ୍ରାକୃତିକ ନିୟମରେ ପରିବର୍ତ୍ତନର କଥା କେହ। ସେ ସମ୍ପର୍କରେ ମଣିଷ ନ ଜାଣିଲେ ତା’ର କ୍ଷତି। ଗମନାଗମନ ପାଇଁ ମଣିଷ ଯାନବାହନ ଆଦି ଉପରେ ନିର୍ଭରଶୀଳ। ସେଥିରେ ଯେ ମୁହୁର୍ମୁହୁଃ ଆଇନର ପରିବର୍ତ୍ତନ ଆମର ଅଜ୍ଞତା କାରଣରୁ ତାହା ଅନେକ ସମୟରେ ହଇରାଣରେ ପକାଏ। ଦୁଇଚକିଆ, ଚାରିଚକିଆ ସଙ୍ଗକୁ ରେଳଯାନ ଓ େବ୍ୟାମଯାନକୁ ନେଇ ଦିନକୁ ଦିନ ଅନେକ ନୂଆ ନୂଆ ବିଧି ପ୍ରଣୟିତ ହେଉଛି। େସ ସବୁ ଜାଣିବା ସମସ୍ତଙ୍କ ପାଇଁ ଏକାନ୍ତ ଗୁରୁତ୍ବପୂର୍ଣ୍ଣ। ଆଇନ କ’ଣ ଶିକ୍ଷିତ ଅଶିକ୍ଷିତ ଭେଦ କରେ? ଅତଏବ ‘‘ମୁଁ ଏ ନୀତି ବିଷୟରେ ଜାଣି ନ ଥିଲି’’ କହି କେହି ବର୍ତ୍ତିପାରିବେ ନାହିଁ।
ଜରୁରୀ ବିଧିଗୁଡ଼ିକ ସମ୍ପର୍କରେ ଜ୍ଞାନ ବା ସଚେତନତା ହିଁ ସାମାଜିକ ସଫଳ-ଜୀବନର ଅସଲ ଚାବିକାଠି। ବୟସ୍କ ନାଗରିକଙ୍କ ପାଇଁ ଯେଉଁ ନୀତି ସେ ସବୁକୁ ନ ଜାଣିଲେ ଦେଶର କିଛି କ୍ଷତି ହେବାର ନାହିଁ, ଓଲଟି ଅଜ୍ଞ ବୟସ୍କ ମଣିଷଟିର କ୍ଷତି। ଜୀବନ ସହ ଯୋଡ଼ା ଯେତେ କ୍ଷେତ୍ର ଅଛି ତା’ ଭିତରେ ବିଧିକ୍ଷେତ୍ର ହିଁ ବ୍ୟାପକ, ଗତିଶୀଳ, ପରିବର୍ତ୍ତନମୁଖୀ ଓ ଅତ୍ୟନ୍ତ ଜରୁରି ବୋଲି ବୁଝିବାକୁ ହେବ।
ଏବେ ପ୍ରବନ୍ଧର ଶୀର୍ଷକ ଉପରେ ନଜର ପକାଇବା। ବିଶ୍ବାସ ହିଁ ନୀତି ନିୟମର ଆରମ୍ଭ ବିନ୍ଦୁ। ଏହା କେମିତି?
ଦିନ ଦିନ ପ୍ରକୃତିକୁ ଅନୁଧ୍ୟାନ କରି ମଣିଷ ଜାଣିଲା ଯେ ସୂର୍ଯ୍ୟ ଥିବା ଯାଏଁ ଆଲୁଅ, ସୂର୍ଯ୍ୟ ଚାଲିଗଲେ ଅନ୍ଧାର। ସେଇ ଅନୁସାରେ ସେ ଗୋଟାଏ ଜୀବନ-ନୀତି ଉପରେ ଆଶ୍ରୟ କଲା। ଦିନରେ କାମ କରିବ, ରାତିରେ ଶୋଇବ। ଖରା ପରେ ବର୍ଷା, ବର୍ଷା ପରେ ଶୀତ। ଶୀତ ପରେ ପୁଣି ଖରା। ଭାରତର ପୂର୍ବାଞ୍ଚଳରେ ଏହା ଚିରାଚରିତ। ସେଇ ଅନୁସାରେ ଉକ୍ତ ଭୂମିର ଲୋକେ ଜୀବନ-ଖସଡ଼ା ତିଆରି କଲେ। ଚାଷ, ବାସ, ବେଉସା, ବେପାର, ବଣିଜ, ମଜା, ମଜଲିସ୍, ପର୍ବପର୍ବାଣିର ଅଲିଖିତ ବିଧିଗୁଡ଼ିକ ତିଆରି ହୋଇଗଲା। ବର୍ଷା ଯେହେତୁ ଗମନାଗମନ, କାର୍ଯ୍ୟକୁଶଳତାରେ ବାଧକ ହୁଏ ସେଥିପାଇଁ ବର୍ଷା ଚାରିମାସ ବାହା, ବ୍ରତ ପାଇଁ ଅଶୁଭ ବୋଲି ଘୋଷିତ ହୋଇଗଲା। ଲୋକ ଚତୁର୍ମାସ୍ୟା ବ୍ରତ ପାଳନ କଲେ। ଏ ସବୁ ଆସିଛି ପ୍ରକୃତି ସହ ଗୁନ୍ଥା ମଣିଷର ବିଶ୍ବାସ ବଳୟରୁ। ସେଇଥିପାଇଁ ଖରାପ୍ରଧାନ ଓ ଶୀତପ୍ରଧାନ ଦେଶଗୁଡ଼ିକ ଭେଦରେ ନୀତି ନିୟମରେ ଅନେକ ପ୍ରଭେଦ ଦେଖାଯାଏ। ତା’ ଭିତରେ ପୁଣି ଖରାର ମାତ୍ରା ଓ ଶୀତର ପ୍ରାବଲ୍ୟ ଆଧାରରେ ସାମାଜିକ ତଥା ଅନ୍ୟ ସମସ୍ତ ବିଧିରେ ପରିବର୍ତ୍ତନ ଦେଖା ଦେଇଥାଏ। ତେଣୁ ପ୍ରକୃତିର ଗତିରେ ବିଶ୍ବାସ ରଖି ମଣିଷ ଗଢ଼ିଲା ତା’ର ଜୀବନ ନୀତି, ବଞ୍ଚିବାର ଆଇନ କାନୁନ ଓ ସଭ୍ୟତାର ଭିତ୍ତିଭୂମି। ଏଇ ବିଶ୍ବାସ ଆଧାରରେ ମଧ୍ୟ ସେ ତିଆରି କଲା ଧର୍ମନୀତି।
ଧର୍ମନୀତି କ’ଣ କି? ଧର୍ମର ମୂଳ ହେଉଛି ବିଶ୍ବାସ। ବିଶ୍ବାସ ଆଧାରିତ ଆଚରଣ ଓ ଜୀବନ-ନୀତି ହିଁ ‘‘ଧର୍ମ’’ ବା ‘ରେଲିଜିଅନ୍’’। ଆମେ ଓଡ଼ିଅା ଭାଷାରେ ଧର୍ମକୁ ଚିରନ୍ତନ ଜୀବନ-ବୋଧ ସହ ଯୋଡୁ। ଯାହା ସତ୍ୟ, ଯାହା ଚିରାଚରିତ ତାହାକୁ ଧର୍ମ କରି ଆଚରଣ ସହ ଯୋଡ଼ି ଦିଆଯାଏ। ରାଧାନାଥ ରାୟ ଲେଖିଛନ୍ତି- ‘‘ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି/ ତରିବାକୁ ଏହି ସଂସାର ବାରିଧି।’’ ବିଧି ଏଠାରେ ଈଶ୍ବର। ଈଶ୍ବର ହିଁ ପ୍ରକୃତି। ପ୍ରକୃତିର ଚିରନ୍ତନ ବିଭବଗୁଡ଼ିକ ଈଶ୍ବରଙ୍କ ସ୍ବରୂପର ଗୋଟିଏ ଗୋଟିଏ ଅଂଶ ମାତ୍ର। ତେଣୁ ପ୍ରାକୃତିକ ନିୟମସମୂହ ହିଁ ଧର୍ମ, ଐଶ୍ବରୀୟ ଆଚରଣ। ଏ ଯେ ସଂସାରରୂପକ ବାରିଧି, ତା’କୁ ପାର ହେବା ପାଇଁ ଈଶ୍ବର ହିଁ ନୌକା ସଦୃଶ ପ୍ରକୃତି-ଆଧାରିତ ଆଚରଣ-ନୀତି ତିଆରି କରିଛନ୍ତି।
ଧର୍ମ ବା ଶୁଭ-ଆଚରଣର ନିୟାମକ-ସମୂହ କ’ଣ କେଉଁଠି ପ୍ରଥମେ ଲିଖିତ ହୋଇ ଆରମ୍ଭ ହୋଇଛି? ଧର୍ମ କାଳେ କାଳେ ଜଣକର ବିଶ୍ବାସ ଓ ଆଚରଣରୁ ଗଣକୁ ବିସ୍ତାରିତ ହୋଇଛି। ସନାତନ ଧର୍ମରେ ଏ ଜଣ କିନ୍ତୁ ଅସଂଖ୍ୟ। ସେ ଆଚରଣରେ ବିଶ୍ବାସଗତ ସହବଦ୍ଧତା ହିଁ ଧର୍ମକୁ ଗ୍ରହଣୀୟ କରିଛି, ବହୁଜନାଶ୍ରିତ କରିଛି। ତେଣୁ ଧର୍ମକୁ ବିଶ୍ବାସର ଚରମ ଓ ପରମ କ୍ଷେତ୍ର ଭାବରେ ଗ୍ରହଣ କରାଯାଇଛି। ଏ ଗ୍ରହଣୀୟତା ଏତେ ସାନ୍ଦ୍ର ଯେ ଅନେକ ସମୟରେ ଏହା ସାମାଜିକ ବିଧିବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ବିସ୍ତାର କରିବା ସହ ତାହାକୁ ପଦାନତ କରି ରଖିଥାଏ। ମଧ୍ୟଯୁଗୀୟ ଇଉରୋପରେ ଏକଦା ‘‘ଦୁଇ ଖଡ୍ଗର କ୍ଷମତା’’ ସିଦ୍ଧାନ୍ତ ବହୁ ଚର୍ଚ୍ଚିତ ହୋଇଥିଲା। ଗୋଟେ ପଟେ ବିଶ୍ବାସକ୍ଷେତ୍ରର ଧର୍ମୀୟ ଶାସନ ଓ ଅନ୍ୟ ପଟେ ରାଜା ହାତରେ ଥିବା ସାଧାରଣ ଶାସନ। ଧର୍ମଗୁରୁ କହୁଥିଲେ ମୁଁ ବଡ଼, ତେଣୁ ମୁଁ ଶାସନର ଶେଷ କଥା। ତେଣେ ରାଜା କହୁଥିଲେ ସାଧାରଣ ଶାସନ କ୍ଷମତା ମୋର। ଅନେକ ବର୍ଷ ଧରି ଧର୍ମଗୁରୁମାନେ ଯେ ରାଜାମାନଙ୍କୁ ତଳୁଆ କରି ରଖିଥିଲେ ସେ କଥାର ଉଦାହରଣ ଅନେକ। ପରବର୍ତ୍ତୀ କାଳରେ କିନ୍ତୁ ସାଧାରଣର କ୍ଷମତା, ଧର୍ମୀୟ କ୍ଷମତା ଠାରୁ ଉପରକୁ ଉଠିଛି। ରୁଷିଆ ଓ ଚୀନ୍ ଭଳି ଦେଶଗୁଡ଼ିକରେ ଧର୍ମୀୟ କ୍ଷମତା ଅାଉ ନାହିଁ କହିଲେ ଚଳେ। ଅପରପକ୍ଷରେ ଏବେ ବି ଦେଖାଯାଏ ଯେ ରାଷ୍ଟ୍ରର ସର୍ବୋଚ୍ଚ ଶାସକ ଧର୍ମଗୁରୁଙ୍କ ପାଦତଳେ ଯାଇ ବସିଛନ୍ତି। ପୋପ୍ଙ୍କ ଆଗରେ ଆଣ୍ଠେଇଛନ୍ତି ଅମୁକ ଦେଶର ପ୍ରଧାନମନ୍ତ୍ରୀ ବା ଶାସକ। ୟା’ର ଅର୍ଥ ଏବେ ବି ବିଶ୍ବାସକ୍ଷେତ୍ରର ପ୍ରଭାବ ସାଧାରଣ ବିଧିକ୍ଷେତ୍ରକୁ କିଛି କିଛି କବଳିତ କରି ରଖିଛି ଓ ରହିଛି।
ସମ୍ପ୍ରତି ସବୁଆଡ଼େ ବିଧିକ୍ଷେତ୍ରର ସର୍ବୋଚ୍ଚ ନିୟାମକ ହେଉଛନ୍ତି ସେ ଦେଶର ଶାସକ। ସେ ପ୍ରେସିଡେଣ୍ଟ୍, ପ୍ରାଧାନମନ୍ତ୍ରୀ ବା ଅନ୍ୟ କିଛି ହୋଇପାରନ୍ତି। ଗଣତନ୍ତ୍ରଗୁଡ଼ିକରେ ବିଧିକ୍ଷେତ୍ରର ନିୟମତନ୍ତ୍ରଟି କିନ୍ତୁ ସେ ଦେଶର ନିର୍ବାଚିତ ପ୍ରତିନିଧି ମଣ୍ଡଳଙ୍କ ହାତରେ ରହିବା କଥା। ହେଲେ ତାହା ସେପରି ହେଉନାହିଁ। ଆମେ ପାଠରେ କହୁଛୁ ଦେଶରେ ‘‘ଆଇନର ଶାସନ’’ ଆସିଲେ ଗଣତନ୍ତ୍ର ସୁରକ୍ଷିତ ରହିବ। ଅର୍ଥାତ୍ ସବୁ କ୍ଷେତ୍ରଠାରୁ ଊର୍ଦ୍ଧ୍ବରେ ରହିବ ବିଧିକ୍ଷେତ୍ର। ପ୍ରଧାନମନ୍ତ୍ରୀୟ ଶାସନ କହି ଆମେ ସକଳ ବିଧି ବ୍ୟବସ୍ଥାର ନିୟାମକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଓ ରାଷ୍ଟ୍ରପତୀୟ ଶାସନରେ ରାଷ୍ଟ୍ରପତିଙ୍କୁ ଗ୍ରହଣ କରିପାରୁ ମାତ୍ର ତାଙ୍କୁ ବିଧିକ୍ଷେତ୍ରର ଶେଷ ନିୟନ୍ତ୍ରକ କରିଦେଲେ ସରିଗଲା କଥା। ନିୟାମକ ଓ ନିୟନ୍ତ୍ରକ ଭିତରେ ରହିଛି ଏକ ବିଶାଳ ପ୍ରଭେଦ। ପ୍ରକୃତ ଗଣତନ୍ତ୍ରରେ ବିଧି ବ୍ୟବସ୍ଥାର ଲୋକନାଥ ହେଉଛନ୍ତି ନ୍ୟାୟପାଳିକା। ଆମ କ୍ଷେତ୍ରରେ ସୁପ୍ରିମ୍ କୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟ।
ଭାରତୀୟ ବିଧିକ୍ଷେତ୍ରର ଯେ ଶ୍ରୀ ମନ୍ଦିର ତାହା ହେଉଛି ଆମ ସମ୍ବିଧାନ। ତା’ର ସୁରକ୍ଷା ସମସ୍ତ ସାମ୍ବିଧାନିକ ଅଧିକାରୀଙ୍କ ଦାୟିତ୍ବ। ମାତ୍ର ଏ ଦାୟିତ୍ବର ଶେଷ ବିଚାରକ ହେଉଛନ୍ତି ସୁପ୍ରିମ୍ କୋର୍ଟ। ସୁପ୍ରିମ୍ କୋର୍ଟ ଚାହିଁଲେ ସମସ୍ତ ସାମ୍ବିଧାନିକ ପଦର ଅପବ୍ୟବହାରକୁ ବିଧି-ବିଶ୍ଳେଷଣ ମାଧ୍ୟମରେ ବିଚାର ଦ୍ବାରା ବାଟକୁ ଆଣିପାରିବେ। କଥା ଉଠିଥିଲା ବିଧି ଓ ବିଶ୍ବାସ ଭିତରେ। ବିଶ୍ବାସର ଚରମ କ୍ଷେତ୍ର ଭାବରେ ଧର୍ମକୁ ଅଭିହିତ କରାଯାଏ। ଯେଉଁମାନେ ହେତୁବାଦୀ ସେମାନଙ୍କ ସକାଶେ ଏ ବିଶ୍ଳେଷଣ ଠିକ୍ ନୁହେଁ। ମାତ୍ର ଅଧିକଙ୍କ ପାଇଁ ବିଶ୍ବାସ-କ୍ଷେତ୍ର ହିଁ ଧର୍ମକ୍ଷେତ୍ର। ସେମିତି ବିଧି ବ୍ୟବସ୍ଥାର ଚରମ କ୍ଷେତ୍ରଟି ହେଉଛି ସେ ଦେଶର ସମ୍ବିଧାନ। କାରଣ ସମ୍ବିଧାନର ବିଧି ସମୂହ ଶରୀରର ମସ୍ତକ ଭଳି। ସବୁ ସ୍ନାୟୁ ସେଇଠାରେ କେନ୍ଦ୍ରୀଭୂତ ଓ ସେଇଠାରୁ ନିୟନ୍ତ୍ରିତ। ପ୍ରାଚୀନ କାଳରେ ବିଶ୍ବାସକ୍ଷେତ୍ର ବା ଧର୍ମ ଥିଲା ସକଳ ବିଧି ବ୍ୟବସ୍ଥାର ଊର୍ଦ୍ଧ୍ବରେ ମାତ୍ର ଏବେ ପ୍ରତିଟି ଗଣତନ୍ତ୍ରରେ ବିଶ୍ବାସକ୍ଷେତ୍ର, ବିଧିକ୍ଷେତ୍ର ଅଧୀନରେ ରହିବାକୁ ବାଧ୍ୟ। ନଚେତ୍ ପୁଣି ସେଇ ‘‘ଦୁଇଖଣ୍ଡାର କ୍ଷମତା-କନ୍ଦଳ କାହାଣୀ’’ ଆରମ୍ଭ ହୋଇଯିବ। ଦେଶରେ ପ୍ରଚଳିତ ସମସ୍ତ ବିଧି ଭିତରେ ଦେଶର ସମ୍ବିଧାନ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ମହୀୟାନ୍। ସ୍ମରଣ ରହିବା ଆବଶ୍ୟକ ଯେ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ପ୍ରଥମେ ଏହି ବିଧିକ୍ଷେତ୍ର ସମ୍ପର୍କରେ ଜ୍ଞାନ ହାସଲ ଜରୁରି। ନଚେତ୍ ଗଣତନ୍ତ୍ର ଆପେ ଧାର୍ମିକ ଚାପରେ ଅଗଣତାନ୍ତ୍ରିକ ପାଲଟିଯିବ। ତେଣିକି ବିଶ୍ବାସକ୍ଷେତ୍ର ବା ଧର୍ମ ସମଗ୍ର ବିଧିକ୍ଷେତ୍ରଟିକୁ କବଳିତ କରିନେବ।
[email protected]