ଧର୍ମ ତରାଜୁର କଣ୍ଟା

ଶ୍ୟାମସୁନ୍ଦର ଅଗ୍ରଵାଲା

‘‘ ଇଦ୍‌ ବି ତୋ’ର, କୁମାର ପୂର୍ଣ୍ଣିମା ବି ତୋ’ର, ଏ ଜହ୍ନ ତୁ କେଉଁ ଧର୍ମର?’’ କବିଙ୍କର ଏ ପ୍ରଶ୍ନର ଉତ୍ତର ଜହ୍ନ ଦେଉ ନାହିଁ କାରଣ ଅନନ୍ତ କାଳରୁ ଆକାଶରେ ଶୋଭା ପାଉଥିବା ଅସୀମ ପ୍ରେମ ଓ ସୌନ୍ଦର୍ଯ୍ୟର ଅଧିକାରୀ ଜହ୍ନର କୌଣସି ଧର୍ମ ନାହିଁ। ଅସୀମ ସୌନ୍ଦର୍ଯ୍ୟ ପରି ଅସହ୍ୟ ଭୋକର ଜ୍ବାଳାର ମଧୢ କୌଣସି ଧର୍ମ ନ ଥାଏ। ସାତ ଦିନର ଭୋକିଲା ଭିକାରିକୁ ଜଣେ ଦାତା ଯେତେବେଳେ ପ୍ରଶ୍ନ କରୁଛନ୍ତି, ‘‘ତୁ ହିନ୍ଦୁ ନା ମୁସଲମାନ? ତୋ’ର ଧର୍ମ କ’ଣ?’’ ଅଶ୍ରୁପୂର୍ଣ୍ଣ ନୟନରେ ଭିକାରି ଦାତାଙ୍କୁ ଉତ୍ତର ଦେଉଛି, ‘‘ବାବୁ, ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ। ମୁଁ ସାତ ଦିନର ଜଣେ ଭୋକିଲା ଭିକାରି। ମୋ’ର ଧର୍ମ କ’ଣ ମୁଁ ଜାଣିନି, କେବଳ ମୋ’ର ଭୋକ କ’ଣ ମୁଁ ଜାଣିଛି।’’ ବନ୍ଧୁଗଣ, ଆଦିମ ଯୁଗରୁ ପ୍ରକୃତିର ସୃଷ୍ଟିରେ କୌଣସି ଧର୍ମ ନ ଥିଲା ବେଳେ ଆଜି ଧର୍ମର ଠିକାଦାରମାନେ ଧର୍ମ ନାମରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି କରି ଚାଲିଛନ୍ତି। ଏହି ଧର୍ମ ଅନୁଯାୟୀ ଆମେ ପ୍ରକୃତିକୁ ଖଣ୍ତ ଖଣ୍ତ କରି ବାଣ୍ଟି ଦେଇଛୁ। ପଶୁପକ୍ଷୀମାନଙ୍କୁ ବାଣ୍ଟି ଦେଇଛୁ। ଗାଈକୁ ହିନ୍ଦୁ କରି ଦେଇଛୁ ତ ଛେଳିକୁ ମୁସଲମାନ କରିଦେଇଛୁ। ଫଳ ଓ ଫୁଲମାନଙ୍କୁ ବାଣ୍ଟି ଦେଇଛୁ। ନଡ଼ିଆକୁ ହିନ୍ଦୁ ତ ଖଜୁରକୁ ମୁସଲମାନ କରିଦେଇଛୁ। ଏପରିକି ପ୍ରକୃତିର ରଙ୍ଗମାନଙ୍କୁ ମଧୢ ବାଣ୍ଟି ଦେଇଛୁ। ନାରଙ୍ଗୀ ରଙ୍ଗକୁ ହିନ୍ଦୁ କହୁଛୁ ତ ସବୁଜ ରଙ୍ଗକୁ ମୁସଲମାନ କହୁଛୁ। ସୂର୍ଯ୍ୟ କିରଣର ସାତଟି ରଙ୍ଗ ଏକାଠି ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି କରୁଥିବା ବେଳେ ଆମ୍ଭେମାନେ ଏଠି ରଙ୍ଗମାନଙ୍କୁ ଏକାଠି ମିଶ୍ରଣ କରି ଧୋବ ଫର ଫର କରିବା ପରିବର୍ତ୍ତେ କଳା ମଚମଚ ଅଙ୍ଗାର କରିଦେଇଛୁ।

ପରିସ୍ଥିତି ବର୍ତ୍ତମାନ ଏତେ ଗମ୍ଭୀର ହୋଇଯାଇଛି ଯେ ଆଜି ଧର୍ମ ବିଷୟରେ ଆଲୋଚନା ସମୟରେ ହାତେ ମାପି ଚାଖଣ୍ତେ ଚାଲିବାକୁ ପଡ଼ୁଛି। ସମସ୍ତେ ଧର୍ମକୁ ମାନୁଛନ୍ତି କିନ୍ତୁ ଧର୍ମର କଥାକୁ କେହି ମାନୁନାହାନ୍ତି। ଟାଟାର ପ୍ରସିଦ୍ଧ ଗହଣା କମ୍ପାନି ତନିଷ୍କ ତାହାର ‘ଏକାତ୍ମ’ ନାମକ ଏକ ବିଜ୍ଞାପନରେ ମୁସଲମାନ ପରିବାରରେ ହିନ୍ଦୁ ବୋହୂଟିଏ କିପରି ସମସ୍ତଙ୍କ ଦ୍ବାରା ଆଦୃତ ହୋଇ ଏକାତ୍ମ ହୋଇପାରିଛି ତାହା ଦର୍ଶାଯାଇଛି। ଏହାର ପ୍ରତିବାଦ କରାଗଲା। ହାତେ ମାପି ଚାଖଣ୍ତେ ଚାଲିବା ନୀତିରେ ଟାଟା କମ୍ପାନି ଏହାର ଏକାତ୍ମ ତତ୍ତ୍ବକୁ ଆହୁରି ବୃହତ୍ତର କରିବାକୁ ଯାଇ ଯଦି ଏହିପରି ଦୁଇଟି ବିଜ୍ଞାପନ କରି ହିନ୍ଦୁ ପରିବାରରେ ମଧୢ ମୁସଲିମ ବୋହୂ କିପରି ସମସ୍ତଙ୍କ ଦ୍ବାରା ଆଦୃତ ହୋଇ ଏକାତ୍ମ ହୋଇଯାଇଛି ଦର୍ଶାଇଥାନ୍ତା, ତା’ହେଲେ ହୁଏତ ବିରୋଧ କରୁଥିବା ଲୋକେ ଧର୍ମ ସ˚କଟରେ ପଡ଼ିଯାଇଥାନ୍ତେ। ଏହା ହେଉଛି ଧର୍ମ ନିକିତିରେ କଣ୍ଟା ମଝିରେ ରହିବା ଭଳି କଥା। କିନ୍ତୁ ଅନେକ ସମୟରେ ଧର୍ମ ନିକିତିରେ କଣ୍ଟା ମଝିରେ ନ ରହି ତଳକୁ ଉପରକୁ ହୋଇ ଯାଉଥିବାରୁ ସବୁ ବିିଭ୍ରାଟ ହୋଇଯାଉଛି। ଯଦି ଧର୍ମର କଣ୍ଟାକୁ ମଝିରେ ରଖି ଆପଣ ଦେବଦେବୀମାନଙ୍କୁ ପ୍ରତୀକାତ୍ମକ ଭାବେ ବିଜ୍ଞାପନରେ ଦେବାକୁ ନିହାତି ଆବଶ୍ୟକ ମନେ କରନ୍ତି ତେବେ ଭାରତର ଅନ୍ୟ ଏକ ପ୍ରତିଷ୍ଠିତ ଅଳଙ୍କାର ବ୍ୟବସାୟୀଙ୍କ ବିଜ୍ଞାପନରୁ ଅନୁପ୍ରାଣିତ ହୁଅନ୍ତୁ। ଏହି ବିଜ୍ଞାପନରେ ଲାଲ ରଙ୍ଗର ସାଲଵାର କମିଜ ପିନ୍ଧିଥିବା ଜଣେ ଝିଅ ନିଜକୁ ଧର୍ଷଣକାରୀର ଲୋଲୁପ ଦୃଷ୍ଟିରୁ ସୁରକ୍ଷା ଦେବାକୁ ଯାଇ ରାସ୍ତା ଉପରେ ଛିଡ଼ା ହୋଇଥିବା ଜଣେ ବୃଦ୍ଧାଙ୍କ ହାତରୁ ତା’ ବାଡ଼ି ଖଣ୍ତିକ ଛଡ଼େଇ ଆଣି ଏପରି ଘୂର୍ଣ୍ଣନ କଲେ ସତେ ଯେପରି ସେ ମା’ ଦୁର୍ଗାଙ୍କ ଅବତାର ଗ୍ରହଣ କରିବାକୁ ଯାଉଛି। ସମ୍ପୂର୍ଣ୍ଣ ଶାନ୍ତ ବିଜ୍ଞାପନଟିରେ ଶେଷକୁ ଦୁର୍ଗାପୂଜାର ବାଦ୍ୟ ସଙ୍ଗୀତ ଭିତରୁ ଶୁଣାଯାଉଛି ‘‘ଅନ୍ୟାୟ ବିରୋଧରେ ପ୍ରତିଟି ଶ୍ବାସ ପ୍ରଶ୍ବାସରେ ତୁମର ତୋଫାନ ବୋହୂ, ଘାସ ଖଣ୍ତିଏ ବି ତୁମର ଶସ୍ତ୍ର ହେଉ। ନିଜର ସମ୍ମାନ ନିଜକୁ ରଖିବାକୁ ପଡ଼ିବ। ଆଜି ପ୍ରତିଟି ଝିଅକୁ ଦୁର୍ଗା ହେବାକୁ ପଡ଼ିବ।’’

ବନ୍ଧୁଗଣ, ଭାରତବର୍ଷ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମର କଣ୍ଟା ସର୍ବଦା ତରାଜୁର ମଝିରେ ରହୁ। କୌଣସି ରାଜନୈତିକ ଦୁରଭିସନ୍ଧି ରଖି ତରାଜୁର କୌଣସି ପଲାକୁ ଉପରକୁ ତଳ କିମ୍ବା ତଳକୁ ଉପରକୁ କରା ନ ଯାଉ। କେଉଁ ପଟ ପଲାରେ କିଏ ଅଛି ତାକୁ ନ ଦେଖି ଆମ ଶାସ୍ତ୍ରରେ ଉଲ୍ଲିଖିତ ବନାରସ ସହରର ତୁଳଧର ନାମକ ଜଣେ ବ୍ୟବସାୟୀଙ୍କ ପରି ଆଖି ଦୁଇଟି ପଲା ଉପରକୁ ନ ଯାଇ ସର୍ବଦା ତରାଜୁର କଣ୍ଟା ଉପରେ ରହିଥାଉ। ଯଯାଳି ନାମକ ଜଣେ ସିଦ୍ଧପ୍ରାପ୍ତ ଋଷି ଯେତେବେଳେ ଦୈବୀବାଣୀ ଶୁଣି ତୁଳଧର ପରି ଏକ ସାମାନ୍ୟ ବୈଶ୍ୟଙ୍କଠାରୁ ଗୁରୁଜ୍ଞାନ ଲାଭ କରିବାକୁ ଆସିଲେ ସେତେବେଳେ ସେ ନିରବରେ ଲକ୍ଷ୍ୟ କଲେ ଯେ ତୁଳଧର ଏକ ଲୟରେ ତରାଜୁର କଣ୍ଟାକୁ ଚାହିଁ ବସିଛନ୍ତି। ତରାଜୁର କେଉଁ ପଲାରେ କ’ଣ ରଖାଯାଇଛି ସେ ଦେଖୁ ନ ଥିଲେ। କେବଳ ସେ କଣ୍ଟାକୁ ଲକ୍ଷ୍ୟ କରୁଥିଲେ ଯେମିତି ସାମାନ୍ୟ ଏପଟ ସେପଟ ନ ହୋଇଯାଏ। ଦ୍ରବ୍ୟ ଶସ୍ତା ହେଉ କି ମହର୍ଗ ହେଉ, କଣ୍ଟା ସର୍ବାଦ ମଝିରେ ରହୁ। ଲାଭ କ୍ଷତି, ଉଚ୍ଚ ନୀଚ, ଶସ୍ତା ମହର୍ଗ, ଜାତି ଧର୍ମ ସମସ୍ତଙ୍କ ପ୍ରତି ଏହି ସନ୍ତୁଳିତ ମନୋଭାବ ହିଁ ଋଷି ଯଯାଳିଙ୍କୁ ବୈଶ୍ୟ ତୁଳଧରଙ୍କ ପ୍ରତି ଆକର୍ଷିତ କରିଥିଲା। ବନ୍ଧୁଗଣ, ଧର୍ମକୁ ନେଇ ଆମ ରାଷ୍ଟ୍ର ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ତେଣୁ ରାଷ୍ଟ୍ରର ଦାୟିତ୍ବ ହେଉଛି ତରାଜୁର ପଲାରେ ଯିଏ ବି ଥାଆନ୍ତୁ, ହିନ୍ଦୁ ଥାଆନ୍ତୁ କି ମୁସଲମାନ ଥାଆନ୍ତୁ, ଶିଖ ଥାଆନ୍ତୁ କି ଖ୍ରୀଷ୍ଟିଆନ ଥାଆନ୍ତୁ ତାଙ୍କୁ ନ ଦେଖି ଦୃଷ୍ଟି ସର୍ବଦା ତୁଳଧରଙ୍କ ଆଖି ସଦୃଶ ତରାଜୁର ମଝି କଣ୍ଟାରେ ରହୁ।
୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର