ଅଶୋକ ଚୌହାନ ଜଣେ ଛାତ୍ର ଭାବେ ଭାରତରୁ ବିମାନରେ ୟୁରୋପ ଯାତ୍ରା କରୁଥିବାବେଳେ ପ୍ୟାରିସର ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇ ଥିଲେ ଯେଉଁଠି ତାଙ୍କ ପାଖରେ କିଛି ସମୟ ଥିଲା। ସେ ଏକ ବୁକ୍ ଷ୍ଟଲ୍କୁ ଯାଇ ଏକ ପୁସ୍ତକ କିଣିଲେ, ଯାହାର ନାମ ଥିଲା - ‘ଦ ୟୁଜ ଅଫ ଲାଟେରାଲ ଥିଂକିଙ୍ଗ’। ସେତେବେଳେ ତାଙ୍କ ପକେଟରେ ମାତ୍ର ୩ ଡଲାର ଥିଲା। ଆଜି ସେ ୩ ବିଲିୟନ ଡଲାରର ମାଲିକ। ସେ କହନ୍ତି ବହିଟି ସେଦିନ ତାଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିଲା। ସେ ହେଉଛନ୍ତି ଆମିଟି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା।
ମଧ୍ୟଯୁଗୀୟ ୟୁରୋପରେ ଚର୍ଚ୍ଚଗୁଡ଼ିକରେ ପୁସ୍ତକ ଓ ଲେଖକମାନଙ୍କ ପ୍ରତି ବିଦ୍ବେଷ ଓ ଘୃଣାଭାବ ଥିବାର ନଜିର ଅଛି। ଏକଛତ୍ରବାଦୀ ଶାସକମାନଙ୍କର ରାଜତ୍ବ କାଳରେ ନୂଆ ଚିନ୍ତନ ଉଦ୍ରେକକାରୀ ବହି ପ୍ରତି ଘୃଣା ପରିଲକ୍ଷିତ ହେଉଥିଲା। ତ୍ରୟୋଦଶ ଶତାବ୍ଦୀ ପ୍ରାରମ୍ଭରେ ତୁର୍କୀ ଶାସକ ଉଲାଗୁ ଖାଁ ଦେଶ ଜୟ କରିବା ସମୟରେ ବିଭିନ୍ନ ଲାଇବ୍ରେରିଗୁଡ଼ିକରେ ସାଇତା ହୋଇ ରହିଥିବା ପର୍ବତାକାରର ବହିଗୁଡ଼ିକୁ ପୋଡ଼ି ଟାଇଗ୍ରିସ ନଦୀରେ ଭସାଇ ଦେଇଥିଲେ। ଏହି କାରଣରୁ ସପ୍ତାହ ସପ୍ତାହ ଧରି ଟାଇଗ୍ରିସର ପାଣି କଳା ଦେଖାଯାଇଥିଲା। ଆମେ ନିଜ ସମୟ କାଳରେ ଦେଖିଛେ କିଭଳି ସଲମନ ରସିଦଙ୍କ ପୁସ୍ତକ ‘ଦି ସାଟାନିକ ଭର୍ସେସ’ ସକାଶେ ଇରାନର ଶାସକ ଆୟୋତୋଲ୍ଲା ଖୋମିନି ତାଙ୍କ ମୁଣ୍ତ କାଟ ପାଇଁ ଫତୱା ଜାରି କରିଥିଲେ। କିନ୍ତୁ ଅନେକ ବହିରେ ଥିବା ଚିନ୍ତନ ଜୀବନ ବଦଳାଇ ଦେଇଥାଏ, ସମାଜରେ ସଂସ୍କାର ଆଣିଥାଏ, ଯେମିତି ଆଣିଥିଲା ଫକୀରମୋହନଙ୍କ ପୁସ୍ତକ; ଅଥବା ଭଗବତୀ ଚରଣ ବା କାହ୍ନୁଚରଣ କି ଗୋପୀନାଥ ମହାନ୍ତି ବା ମନୋଜ ଦାସଙ୍କ ବହି ବା ଲେଖା। ଗାନ୍ଧୀଜୀ ଯେତେବେଳେ ଦକ୍ଷିଣ ଆଫ୍ରିକାରେ ଟ୍ରେନ୍ରେ ପ୍ରିଟୋରିଆ ଗସ୍ତ କରୁଥିଲେ ସେତେବେଳେ ସେ ଯେଉଁ ଦୁଇ ଖଣ୍ତ ବହି ପାଠ କରୁଥିଲେ ଏବ˚ ଯାହା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା- ତାହା ଥିଲା ଜନ ରସ୍କିନଙ୍କ ‘ଅନ ଟୁ ଦିସ୍ ଲାଷ୍ଟ’ ଓ ଲିଓ ଟଲଷ୍ଟୟଙ୍କ ‘ୱାର ଏଣ୍ତ ପିସ୍’। ଯେତେବେଳେ ରକେଟ ବିଜ୍ଞାନୀ ଏଲୋନ ମସ୍କଙ୍କୁ ପଚରାଗଲା ଯେ ରକେଟ ସାଇନ୍ସରେ ତାଙ୍କ ସଫଳତାର ରହସ୍ୟ କ’ଣ? ସେ କହିଥିଲେ- ‘ମୁଁ ବହି ପଢ଼େ’। ମାର୍କ ଜୁକରବର୍ଗ ଦୁଇ ସପ୍ତାହରେ ଗୋଟିଏ ବହି ପଢ଼ନ୍ତି ବୋଲି କହନ୍ତି। ଆଇନଷ୍ଟାଇନ କହିଥିଲେ ମୁଁ ଯାହା ସବୁ ଶିଖିଛି ବହିରୁ ହିଁ ଶିଖିଛି।
ଛପା ପୁସ୍ତକର ଜନ୍ମ ପଞ୍ଚଦଶ ଶତାବ୍ଦୀରୁ। ଗୁଟେନବର୍ଗଙ୍କ ଦ୍ବାରା ମୁଦ୍ରିତ ବାଇବେଲ ବିଶ୍ବର ପ୍ରଥମ ଛପା ପୁସ୍ତକ। ଫରାସୀ ଶାସକ ମାର୍ସେଲ ପ୍ରୁସ୍ତଙ୍କ ଲିଖିତ ‘ଇନ ସର୍ଚ ଅଫ ଲଷ୍ଟ ଟାଇମ’ ହେଉଛି ବିଶ୍ବର ବୃହତ୍ତମ ଉପନ୍ୟାସ, ଯାହା ତେର ଲକ୍ଷ ଶବ୍ଦ ବିଶିଷ୍ଟ। ସ୍କଟଲାଣ୍ତର କବି ତଥା ଔପନ୍ୟାସିକ ରବର୍ଟ ଲୁଇ ଷ୍ଟିଭେନସନ କହିଥିଲେ- ‘ବହିରେ ସିନା ରକ୍ତ ପ୍ରବାହିତ ହୋଇ ନ ଥାଏ, କିନ୍ତୁ ତାହା ହେଉଛି ଜୀବନର ବିକଳ୍ପ’। ଟଲଷ୍ଟୟ ବଞ୍ଚିବା ଲାଗି କେବଳ ତିନିଟି ଜିନିଷ ଚାହିଁଥିଲେ। ତାହା ଥିଲା ବହି, ବହି ଏବ˚ ବହି। ଫରାସୀ ଲେଖକ ବାଲ୍ଜାକ୍ ବାହାରେ ବହୁ ସମୟ ବିତାଇ ଘରକୁ ଫେରି ପଢ଼ା ଘରକୁ ପଶି କହୁଥିଲେ- ଯାହା ହେଉ ଏତେବେଳେ ଯାଇ ମୁଁ ପ୍ରକୃତ ବନ୍ଧୁମାନଙ୍କ ମେଳକୁ ଫେରିଆସିଛି। ଆମେରିକୀୟ ଲେଖକ ଥମାସ ପେନ୍ ଥିଲେ ମାନବ ଅଧିକାର ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା। ପେନ୍ଙ୍କ ଦ୍ବାରା ରଚିତ ‘କମନସେନ୍ସ’ ପୁସ୍ତକର ପ୍ରାୟ ୧ ଲକ୍ଷ ୨୦ ହଜାର କପି ଦେଶରେ ବଣ୍ଟା ଯାଇଥିଲା। ଜର୍ଜ ୱାସିଂଟନଙ୍କ ଉତ୍ତରାଧିକାରୀ ତଥା ଆମେରିକୀୟ ଦ୍ବିତୀୟ ରାଷ୍ଟ୍ରପତି ଜନ୍ ଆଡମ୍ସ ଏକଦା କହିଥିଲେ- ପେନ୍ଙ୍କ ପେନ୍ (କଲମ) ବିନା ୱାସି˚ଟନଙ୍କ ଖଣ୍ଡା ମୂଲ୍ୟହୀନ ହୋଇଥାଆନ୍ତା।
ବ୍ୟାସ କବି ଫକୀରମୋହନ ଲେଖିଛନ୍ତି ‘ପଢ଼ିଲି ନାନା ଦେଶ ଭାଷା, କାହିଁ ତ ନ ପୂରିଲା ଆଶା, ଦେଖିଲି ବୁଲି ବହୁ ଦୂର, କାଞ୍ଚି, କାମାଖ୍ୟା କାନପୁର। ପାଇଲି ନାହିଁ ଘୂରିଘୂରି, ମୋ ମାତୃଭାଷାର ମାଧୁରୀ’। କିନ୍ତୁ ଏଣେ ସେ ଆହୁରି ଲେଖିଥିଲେ - ‘ଦେଶୀ ସାହିତ୍ୟ ଯେ ବଣିଜ କଲା ଜାଣିଥିବ ସେ ଲୋକ ମଲା’। ଏହାର ଅର୍ଥ ସେତେବେଳେ ଓଡ଼ିଆମାନଙ୍କ ବହି ପଢ଼ାର ଅଭ୍ୟାସ ନ ଥିଲା, ଯାହା ଆଜି ବି ସେହିପରି ରହିଛି। ଓଡ଼ିଶାରେ ବହି ପଢ଼ିବାକୁ ଭଲ ପାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ୍। ଅଥଚ ଓଡ଼ିଆ ହେଉଛି ଦୀର୍ଘ ୨୫୦୦ ବର୍ଷର ପ୍ରାଚୀନ ଏବଂ ଅତ୍ୟନ୍ତ ବିଭବଶାଳୀ ଭାଷା। ଏହା ଦେଶର ଷଷ୍ଠତମ ଶାସ୍ତ୍ରୀୟ ଭାଷା। ଏଣୁ ଏଭଳି ସ୍ଥଳେ କେବଳ ଅନୁରୋଧ କରିବାର କଥା େଯ ଓଡ଼ିଆ ଲୋକେ ଅଧିକରୁ ଅଧିକ ବହି କିଣନ୍ତୁ ଓ ପଢ଼ନ୍ତୁ। ନିଜ ପ୍ରକୃତ ବନ୍ଧୁଙ୍କ ସ୍ବରୂପକୁ ବହିରେ ଦେଖନ୍ତୁ।
ମୋ- ୯୪୩୭୦୯୫୯୯୪