ଦି ଗଜ ଦୂରତା

ସତ୍ୟନାରାୟଣ ଗନ୍ତାୟତ

ହଁ ଏବେ ଏଠେଇଁ ଦି ଗଜ ଦୂରତା କଥା ପଡ଼ିଚି। ଖାଲି ଦି ଗଜ କଥା ପଡ଼ିନି, ବରଂ କହ ତାକୁ ନେଇ ମାହୋଲ ପଡୁଚି ଉଠୁଚି।
କି ମହାମାରୀ ଅଇଲା ଯେ ପହିଲେ ସବୁ କିଛି ଗୋଟେ ଗୋଟେ ଥାନରେ ଥମ୍ ହୋଇଗଲା। ତା’ ପରେ ଧୀରେ ଧୀରେ ଖୋଲା ମେଲା ପର୍ବ ସୁରୁ ହେଲା ପରେ ବି ଧରାଧରି, କୋଳାକୋଳି, ମିଳାମିଶାଦି ମନା ହୋଇ ରହିଛି। ଜାଣ ଯେ ସବୁ କିଛି ହେବ, ହେଲେ ଦୂରେଇ ଦୂରେଇ। ବାପ ଧନ, ଅତି କମ୍‌ରେ ଦି ଗଜ ଦୂରରେ ଥାଇ ଯାହା କରିବା କଥା କର।
ତେବେ ଦୂରତା କୁଆଡ଼େ ସଂପର୍କ ସହ ଗୁନ୍ଥା ବୋଲି ଥୋକେ କହନ୍ତି। କେହି କେହି ତ ଏମନ୍ତ କହନ୍ତି ଯେ ସମ୍ପର୍କ ଯୋଡ଼ି ହୋଇଛ ମାନେ ଦୂରେଇ ରହିଲେ ଚଳିବନି; ପାଖେଇ ଆସିବାକୁ ହେବ।
ତେବେ ଏଠେଇଁ ପ୍ରଶ୍ନ ଉଠୁଚି କେତେ ପାଖେଇବ?
ଏଥକୁ ପ୍ରେମିକା ଜଣେ କହିବା ପରି ପହିଲେ ଦିହ ଲଗା ହେବ। ତଦୁତ୍ତାରେ କପେ କପେ ବାମ୍ଫ ଉଠା କଫି ଧରି ବସିବ। ତେଣିକି ଗପି ଚାଲିବ ଯେ ଗପି ଚାଲିବ। ଏସବୁ ଯଦି ହେଲାନି ତ ତା’ କି ସମ୍ପର୍କ କିଓ? ଯଦି ଏଇ କିସମର ଅସରା ଗପମାନ ସରାଇବାକୁ ଚାହୁଁଛ, ମନ ସହ ମନ ଓ ପ୍ରାଣ ସହ ପ୍ରାଣ ମିଶାଇବା ସହ ଦି ପ୍ରାଣୀ ବି କୁଆଡ଼େ ଏକୀଭୂତ ବା ଏକାତ୍ମ ହେବାକୁ ହିଁ ହେବ। କାରଣ ମିଳନରେ ହିଁ ଖୁନ୍ଦାଖୁନ୍ଦି ହୋଇ ରହିଥାଏ ଯାବତ ମାଧୁର୍ଯ୍ୟ।
ହେଲେ ଦେଖ, ଏବେ ଦୂରରୁ ପାଖେଇ ଆସିଲେ ବି ପୂରା ପାଖରେ ପହଞ୍ଚି ହେବନି। ଯଦି ବେଳ ଏଡ଼ିକି ନିଷ୍ଠୁର, ତେବେ ବରଂ ଦୂରେଇ ରହିବା ଢେର ଭଲ ବୋଲିବାକୁ ମନ ବଳୁଚି। ଏ ଦିଗରେ ବି ଆଶ୍ୱାସନା ଦେବା ଭଳି କଥାଏ ମନେ ପଡ଼ି ଯାଉଚି। ମନେ ପଡ଼ି ଯାଉଚି ସେଇ ଅଜାଙ୍କ କଥା। ଟେଲିଫୋନ୍‌ର ଉଦ୍ଭବ ହେଉ ହେଉ ଶହେ କୋଶରୁ ଆଈ ସାଥିରେ ମଜାଦାର କଥା ହୋଇ କାଳ କାଳକୁ ସ୍ମରଣୀୟ ହୋଇ ରହି ଯାଇଥିବା ସେଇ ଅଜା ଜଣଙ୍କର କଳ୍ପିତ ରୂପ ଦିଶି ଯାଉଛି ଓ ଅବଲୀଳା କ୍ରମେ ଏମନ୍ତ ଗୁରୁଜନମାନଙ୍କ ପ୍ରସଂଗ ଆମ ମଗଜ ମଧ୍ୟକୁ ପଶି ଆସୁଚି।
ତ ଜଳଜଳ ଦିଶିଯାଉଛି ଏବ କାଳରେ ବି ଅଜା ବା ଜେଜେ ଆଦି ଜାତୀୟ ଗୁରୁଜନେ; ବେଳ ଭଲ ହୋଇଥାଉ ବା ଭେଲ ହୋଇଥାଉ, ପ୍ରାୟତଃ କେମିତି ନିଃସଂଗତାରେ ରହି ଥାଆନ୍ତି। ହଁ, ସେବକାର ଟେଲିଫୋନ୍‌ ଏବେ ମୋବାଇଲ ବନି ତହିଁରେ ଭିଡିଓ କଲ୍‌ ସୁବିଧାଦି ପାଇଯିବା ପରେ ହୁଏତ ଏମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ କେହି କେହି ଏଇନେ ଦୂରେ ଥାଇ ବି ‘ଫ୍ରିକ୍ବେନ୍‌ସି’ ବା ତରଙ୍ଗ ଜରିଆରେ ଯୋଡ଼ି ହୋଇଯାଇଛନ୍ତି। ବେଳେ ବେଳେ ମୋବାଇଲ ପର୍ଦାରେ ସେମାନଙ୍କ ମହାର୍ଘ ଦର୍ଶନଟି ମାନ ଦେଖାଇ ଦେଇ ଗୁରୁଜନମାନଙ୍କୁ କୃତାର୍ଥ କରୁଛନ୍ତି। କିନ୍ତୁ ଏବେ ବଗୁଲିଆ ପିଲାଏ କହିଲେଣି ସେ କାଳେ ଏଭଳି ଥିଲେ ଅଜା ଓ ଆଈଙ୍କ ଲାଗି ଟେଲିଫୋନ୍‌ର ମଜା ଆହୁରି କେତେ କ’ଣ ହୁଅନ୍ତା।
ତେବେ ଏ ଦିଗରୁ କିଞ୍ଚିତ୍ କପାଳିଆ ପ୍ରତେ ହେଉଥିବା ଆଉ ଜଣେ ଅଜା ବି ଆମ ମନକୁ ଆସି ଯାଉଛନ୍ତି। ଆମର ଏଇ ଅଜା ମହାଶୟ ଆଈ ସମେତ ପୁଅବୋହୂ, ନାତିନାତୁଣୀଙ୍କୁ ନେଇ ଏକ ଭରପୂର ପରିବାରର ମୁଖିଆ ହୋଇ ଥାଟବାଟରେ ରହନ୍ତି। ତା’ ସତ୍ତ୍ୱେ କେଉଁ ଅଜ୍ଞାତ କାରଣରୁ କେଜାଣି ଆଈ ମହୋଦୟାଙ୍କୁ ଆଉ ଆଗ ପରି ‘ହଇ ଗୋ, ମୋ ପାନ କାଇଁ?’ ଜାତୀୟ କଥାମାନ କହୁ ନାହାନ୍ତି। ବରଂ ସେ କହୁଛନ୍ତି, ‘ହଇରେ ନାତିଆ, ଆଜି ତୋ ଅଜାର ପାନ ଭଙ୍ଗା ହେଇଚି କି ନାଇଁ ପଚାରିଲୁଟି?’ ତହିଁକି ଆଈ ମହୋଦୟା ବି କାଟୁ କଲା ଭଳି ବାଣ ଛାଡ଼ି ଦେଉଛନ୍ତି, ‘ଆରେ ଟୋକା, ଏ ଘରେ କେବେ ଦିନେ ବି ଏ ପୋଇଲୀ ନ ଖଟି ରହିଚି ଯେ ଆଜି ରହିବ ରେ?’ ଏହା ଶୁଣିବା ପରେ ଅଗତ୍ୟା ଆମର ଏଇଆ ହୃଦ୍‌ବୋଧ ହେଉଚି ଯେ ଏ ଦୁହେଁ ତାଙ୍କ ଜୀବନରେ ଏତେ ପାଖେଇ ଆସିଥିଲେ ଯେ ପବନ ରୁନ୍ଧି ହେଲା ଭଳି ଅବସ୍ଥା ହୋଇଗଲା। ସୁତରାଂ, ଟିକିଏ ଫର୍ଚ୍ଚା ଦରକାର ପଡ଼ିଲା। ତେଣୁ ଏବେ ପାଖରେ ଥିଲେ ବି ସେମାନେ ଦୂରେଇ ରହୁଛନ୍ତି।

ଆପଣ ପଚାରି ପାରନ୍ତି ଯେ ତୁମେ ଦୂରତା ସହ ସମ୍ପର୍କକୁ ଯୋଡ଼ି ପକାଉଛ କିଆଁ? କ’ଣ ଜାଣିନା କି ଯିଏ ଯାହାର, ସିଏ ଯେଉଁଠି ଥାଉ ବି ତାହାର ବୋଲି? ଯେମିତି ହାତୀ ବନସ୍ତେ ଥିଲେ ବି ରଜାଙ୍କର! କେତେ ଦୂରେ ଚାନ୍ଦ ଆଉ କେତେ ଦୂରେ କୁମୁଦିନୀ ଦେଖୁଚଟି! କିନ୍ତୁ ଜାଣିଛଟି କବି କେମିତି ବଖାଣିଛନ୍ତି ଚାନ୍ଦ ଦୂରରେ ଥିଲେ ବି କୁମୁଦିନୀ ମନ ବେଦନା ସେ ହିଁ ବୁଝିବ!
ତଥାପି ଆମ ଭଳି ଇତର ମଣିଷ କହୁଛନ୍ତି ପାଖେଇଲେ ଯାଇ କୁଆଡ଼େ ପ୍ରେମ! ନ ମିଶିଲେ କି ନିବିଡ଼ ହେଇ ହୁଏ? ଭକ୍ତି କରୁଥିବ, ହେଲେ ପାଦ ଛୁଇଁ ପାରୁ ନଥିବ! ସେ କି ଭକ୍ତି? ଆଦର କରୁଥିବ, ଏଣେ ଆଉଁସି ଦେବା ମନା। ସେ କି ଆଦର?
ଠିକ୍ ଅଛି। ଦି ଜଣକ ଭିତରେ ଦୂରତା ରହିବା କଥା ନୁହଁ ବୋଲି ଆମେ ଯେତେ ଚାହିଁଲେ ବି ଦୂରତା ରହିଚି ଓ ରହିଥିବ। ପାଖରେ ଥାଇ ବି ଦୂରରେ ରହୁଥିବା ମଣିଷଙ୍କ ଅଭାବ ଅଛି କି? ଗୋଟିଏ ଘରେ ରହି କେହି କାହା ସହିତ କଥା ହେଉ ନ ଥିବା ବା କଥା ହେଲେ କାମୁଡ଼ି ଗୋଡ଼ାଉଥିବା ଲୋକେ ନାହାନ୍ତି କି? ସେମାନେ ପୁଣି ଏଇ ଦୁଇ ଗଜ ଦୂରତା କଥା ପଡ଼ିଲେ କାହିଁକି କୁହନ୍ତି ଯେ ଏ ରୋଗ କୁଆଡୁ ଆସିଲା ହୋ ମଣିଷକୁ ମଣିଷ ଠାରୁ ଦୂର କରିଦେଲା!
ବରଂ କୁହ ଯେ ଦୂରତା ଏବେ ଦି ଗଜକୁ କମି ଆସିଚି। ହଁ ଏଥିରେ ଦିହିଁଙ୍କ ମଙ୍ଗଳ ବି। ତେବେ ଏଇ ଦି ଗଜ ଦୂରତା ଭିତରେ ରହି ମଧୁବୋଳା କଥା କହି କରୁଣାଭରା କଟାକ୍ଷରେ ଚାହିଁ ପାରିଲେ ଏ ଦୂରତା ବି ମିଳେଇ ଯିବ। ତା’ ନ ହେଲେ ଦୁଇ ଗଜ ଦୂରତାରେ ଥାଇ ବି କେହି କାହାକୁ ଶୁଣି ପାରୁ ନ ଥିବ, କେହି କାହା କଥା ବୁଝି ପାରୁ ନ ଥିବ; ଦୁଇ ଗଜ ଭିତରେ ବି ଦୂରତା ଅପରିସୀମ ଭାବେ ଲମ୍ବି ଚାଲିଥିବ।
‘ଦୂର ହୋଇ ଯା’ ମୋ ଆଗରୁ’ ବୋଲି କେବେ ନା କେବେ କାହାକୁ ନା କାହାକୁ କହିବାକୁ ଭାବି ବି କହି ପାରି ନ ଥିବ ନିଶ୍ଚୟ। କିନ୍ତୁ ତାଙ୍କୁ ମନରୁ ଦୂରେଇ ପାରି ନ ଥିବ। ଶୁଣିନ କି ଗପଟିଏ। ଚେଲାଟିଏ ତା ଗରୁଙ୍କୁ ‘ଧ୍ୟାନ ଶିଖାଅ, ଧ୍ୟାନ ଶିଖାଅ’ ବୋଲି କହି ବ୍ୟତିବ୍ୟସ୍ତ କରି ପକାଇଲା। ବିକଳରେ ଗୁରୁ ତାକୁ ଧ୍ୟାନର ସବୁ ବାଗ ଶିଖେଇ ପକେଇଲେ ସିନା, ଶେଷରେ ମନ୍ତ୍ରଟିଏ ଦେବା ଭଳି କହିଲେ- ବାବୁରେ, ଧ୍ୟାନ କଲା ବେଳେ ମାଙ୍କଡ଼ମାନଙ୍କ କଥା ଭାବିବୁ ନାହିଁ। ଚେଲା ଘରକୁ ଯାଇ ଧ୍ୟାନରେ ବସିଲା। ହେଲେ, ଏବେ ମନ ଭିତରେ ଖାଲି ମାଙ୍କଡ଼ ଦିଶିଲେ। ଚେଲା ଆଖି ମୁଦି ସେମାନଙ୍କୁ ଯେତେ ଦୂରେଇବାକୁ ଚେଷ୍ଟା କଲା ସେମାନେ ଆଉ ମନରୁ ଗଲେ କି? ତେଣୁ ମନରୁ ଦୂରେଇ ଦେବାକୁ ଚାହିଁଲେ ବି ତାହା ନ ହୁଏ।
ଏବେ ଆଉ ଗୋଟେ କଥା ହେଜରେ ରଖ। ଅନ୍ୟ ଠୁ ଦୁଇ ଗଜ ଦୂରତା ରଖିବା କଥା କହୁଛନ୍ତି ତ ରଖ। କିନ୍ତୁ ନିଜ ଠାରୁ ଦୂରେଇ ରହିବାକୁ କେହି କହୁନାହିଁ ତ? ତ ଏବେ ନିଜ ସହ ଅନ୍ତରଙ୍ଗ ହୁଅ, ଏକାନ୍ତରେ ଥିବା ବେଳେ ନିଜକୁ ଭେଟ, ନିଜକୁ ଚିହ୍ନ ଓ ନିଜ ସହିତ କୋଳାକୋଳି ହୁଅ।
“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡା: ୭୬୫୦୦୧
ମୋ- ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର