ଏବେ ତାଇୱାନ ସାଙ୍ଗରେ ଆମେରିକା

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ତାଇୱାନର ବିମାନଘାଟିରେ ଦୁଇ ଜଣ ମହିଳା ରାତିରେ ପରସ୍ପର ପାଖାପାଖି ହୋଇ ଠିଆ ହେବା ଏକ ଅଭାବନୀୟ ଘଟଣା ପରି ମନେହେଲା। ଜଣେ ହେଲେ ନାନ୍‌ସି ପେଲୋସି ଯିଏ ଦୀର୍ଘ ୨୫ ବର୍ଷ ପରେ ଆମେରିକାର ଜଣେ ବଡ଼ ନେତ୍ରୀ ଥିଲେ ଯିଏ ତାଇୱାନ ଗସ୍ତରେ ଯାଇଥିଲେ। ଏହାକୁ ବିରୋଧ କରିବା ଏକ ବଡ଼ କଥା ଥିଲା ଚୀନ ପାଇଁ। ଏଥିପାଇଁ ଚୀନ ଏକ ଚାରିଦିନିଆ ବ୍ୟାପକ ସମରାଭ୍ୟାସର ଆୟୋଜନ କରିଥିଲା। ଚୀନ ତାଇୱାନର ଆକାଶପଥ ଓ ଜଳପଥକୁ ଏକପ୍ରକାର ବନ୍ଦ କରି ରଖିଦେଇଥିଲା। ପେଲୋସିଙ୍କ ଗସ୍ତ ସମାପ୍ତ ହେବା ପରେ ଓ ସେ ତାଇୱାନ ଛାଡ଼ି ଗଲା ପରେ ଏହି ସମରାଭ୍ୟାସ ଆରମ୍ଭ ହୋଇଥିଲା। ଚୀନ କହିଥିଲା, ଆମେ ଆମର ଭୂମିରେ ସମରାଭ୍ୟାସ କରୁଛୁ। ତେଣୁ ଏହା କାହା ବିରୋଧରେ ନୁହେଁ। ଅବଶ୍ୟ ଆମେରିକା ସହ ଯୁଦ୍ଧ ଓ ଉତ୍ତେଜନାକୁ ବଢ଼ାଇବା ଚୀନର ଉଦ୍ଦେଶ୍ୟ ନୁହେଁ ବୋଲି ବୁଝାଗଲା। ଆମେରିକା କିନ୍ତୁ ପେଲୋସିଙ୍କ ଗସ୍ତ ମାଧ୍ୟମରେ ସଙ୍କେତ ଦେଲା ଯେ ପାର୍ଶ୍ବବର୍ତ୍ତୀ ବିଜମେନ ଓ ମାକସୁ ଦ୍ୱୀପମାନଙ୍କୁ ଯଦି ଚୀନ ଦଖଲ କରିବାକୁ ଚାହେଁ ତେବେ ଆମେରିକା ତା’ର ପ୍ରତିରୋଧ କରିବ।

ଗତ ସପ୍ତାହରେ ଆମେରିକାର ହାଉସ ଅଫ୍ କମନ୍‌ସର ବାଚସ୍ପତି ନାନ୍‌ସି ପେଲୋସି ତାଙ୍କର ପୂର୍ବ ଘୋଷଣା ମୁତାବକ ଯେମିତି ତାଇୱାନ ଗସ୍ତରେ ଗଲେ ତାହା ବିଶ୍ୱରେ ଘୋର ଅସ୍ବସ୍ତି ସୃଷ୍ଟି କରିଥିଲା। ମନେହେଲା ସତେ ଯେପରି ଚୀନ ସହ ଆମେରିକାର ଏକ ଯୁଦ୍ଧ ଆରମ୍ଭ ହୋଇଯିବ ଯାହା ତୃତୀୟ ବିଶ୍ୱ ଯୁଦ୍ଧରେ ପରିଣତ ହୋଇଯିବ। ଦୁଇଟି ଯାକ ଦେଶ ହେଉଛନ୍ତି ପରମାଣୁ ଅସ୍ତ୍ର ସମ୍ପନ୍ନ। ସେମାନେ ହୁଏତ ଏହି ଯୁଦ୍ଧ ଯୋଗୁଁ ପରସ୍ପର ଉପରେ ଅବା ନିଜ ଶତ୍ରୁର ବନ୍ଧୁ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରନ୍ତି। ଚୀନର ଦାବି ହେଲା, ତାଇୱାନ ହେଉଛି ତା’ ଦେଶର ଏକ ଅଙ୍ଗ। ଅତୀତରେ ଯେତେବେଳେ ୧୯୪୯ରେ ମାଓ ସେତୁଂଙ୍କ ନେତୃତ୍ୱରେ ଚୀନରେ କମ୍ୟୁନିଷ୍ଟ ପାର୍ଟିର ସରକାର ଗଠିତ ହେଲା, ସେତେବେଳେ ଚୀନର ତଦାନୀନ୍ତନ ନେତା ଚାଙ୍ଗ କାଇ-ସେକ୍‌ ଏକ ଛୋଟ ସମୁଦ୍ର ପାର ହୋଇ ତାଇୱାନ ପଳାଇ ଯାଇଥିଲେ ଓ ସେଠାରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରିଥିଲେ ଯାହା ଏଯାଏ ମଧ୍ୟ ରହିଛି। ଚୀନ ସବୁବେଳେ ଘୋଷଣା କରିଛି ଯେ, ତା’ର ‘ୱାନ ଚାଇନା’ (ଗୋଟିଏ ଚୀନ) ନୀତି ଅଛି। ଅର୍ଥାତ୍‌, ଚୀନ ଓ ତାଇୱାନ ହେଉଛନ୍ତି ଗୋଟିଏ ଦେଶ। ସେମାନେ ମିଶିଯିବା ଉଚିତ। ଅତୀତରେ ତିବ୍ବତ ମଧ୍ୟ ଚୀନର ଏକ ଅଙ୍ଗ ବୋଲି ଦାବି କରି ଚୀନ ତାକୁ ନିଜ ଦେଶ ସହ ମିଶାଇ ଦେଇଥିଲା। ସେହିପରି ପଶ୍ଚିମ ଚୀନର ଉଇଘୁର ମୁସଲମାନ ବହୁଳ ସିଂଜିଆଂଗ ପ୍ରଦେଶକୁ ମଧ୍ୟ ଚୀନ ନିଜ ଦେଶ ସହ ମିଶାଇ ଦେଇଥିଲା। ହଂକଂକୁ ଇଂଲଣ୍ଡ୍‌ ୯୯ ବର୍ଷ ଲିଜ୍‌ରେ ଅତୀତରେ ନେଇଥିଲା। ୯୯ ବର୍ଷ ପରେ ପୁଣି ଚୀନ ସେ ଦ୍ୱୀପକୁ ନିଜ କର୍ତ୍ତୃତ୍ୱକୁ ନେଇଯାଇଛି। ସେହିପରି ଏକଦା ପର୍ତ୍ତୁଗୀଜ ଅଧୀନରେ ଥିବା ମାକଉ ଦ୍ୱୀପକୁ ଚୀନ ମଧ୍ୟ ନିଜ କର୍ତ୍ତୃତ୍ୱକୁ ନେଇ ସାରିଛି। ଭାରତ ପରି ଅନେକ ଦେଶମାନେ ଚୀନ ସହ ସୁସମ୍ପର୍କ ସ୍ଥାପନ କଲାବେଳେ ସେମାନେ ଯେମିତି ‘ୱାନ ଚାଇନା’ ନୀତିକୁ ପ୍ରକାଶ୍ୟ ଭାବରେ ଘୋଷଣା କରିବେ ତାହା ମଧ୍ୟ ଚୀନ ଦେଖିଛି। ଏବଂ ଚୀନ ସବୁବେଳେ ଚାହିଛି, ତାଇୱାନ ଘୋଷଣା କରୁ ଯେ ସେ ଦେଶ ଚୀନ ସହ ମିଶିଗଲା। ଚୀନ ସଦାସର୍ବଦା ଚେଷ୍ଟା କରିଛି ଯେ ତାଇୱାନରେ ଗୋଟିଏ ଚୀନ ସମର୍ଥିତ ସରକାର ଗଠିତ ହେଉ, ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ। ଅତୀତରେ ସେଠାକାର ଚୀନ ସମର୍ଥିତ ବ୍ୟକ୍ତି ଓ ରାଜନୈତିକ ଦଳମାନେ ନିର୍ବାଚନରେ ପରାଜିତ ହୋଇଯାଇଛନ୍ତି। ଏବେ ସେ ଦେଶର ରାଷ୍ଟ୍ରପତି ଥିବା ସାଇ ଲେଂଗ ୱେନ ଜଣେ ମହିଳା ଓ ଚୀନ ବିରୋଧୀ। ସେ ଚୀନ ସହ ମିଶିବାକୁ ଆଦୌ ଇଚ୍ଛୁକ ନୁହନ୍ତି ଓ ତାଙ୍କ ଦେଶକୁ ଗଣତାନ୍ତ୍ରିକ ଦେଶ ରୂପେ ଠିଆ କରିବାକୁ ସେ ଚାହାନ୍ତି। ଅଥଚ, ଚୀନ ହଂକଂକୁ ଏକ ପ୍ରକାର ଦଖଲ କରିନେଇଛି ଓ ସେଠାକାର ଲୋକଙ୍କ ବିଦ୍ରୋହ ସତ୍ତ୍ୱେ ନିଜ ସମର୍ଥିତ ବ୍ୟକ୍ତିଙ୍କୁ ସେଠାକାର ଶାସନ ମୁଖ୍ୟ କରିଛି। ଚୀନ ସଦା ସର୍ବଦା ଚାହିଛି ଯେ ତାଇୱାନ ବିଶ୍ୱରୁ ଅଲଗା ହୋଇ ରହୁ ଓ ତାଇୱାନ ସହ ଅନ୍ୟ କୌଣସି ଦେଶର ସମ୍ପର୍କ ନରହୁ। ଜାତିସଂଘ ବା ଅନ୍ୟାନ୍ୟ ବିଶ୍ୱ ସଂଗଠନମାନଙ୍କରେ ଚୀନ ତାଇୱାନକୁ ସଦସ୍ୟ ହେବାକୁ ଦେଉନାହିଁ। ଚୀନର ସାମରିକ ଓ ଆର୍ଥିକ ପ୍ରାଧାନ୍ୟ କ୍ରମଶଃ ବଢୁଥିବାରୁ ଅନେକ ଦେଶ ‘ୱାନ ଚାଇନା’ ନୀତିକୁ ବାଧ୍ୟହୋଇ ସମର୍ଥନ କରୁଛନ୍ତି ଓ ତାଇୱାନ ସହ ସମ୍ପର୍କ ରଖୁନାହାନ୍ତି।

ଏବେ ଚୀନ ତାଇୱାନ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରିବାକୁ ଏତେଟା ସାହସ କରିବ ନାହିଁ କାରଣ ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ କେମିତି ଅଟକି ରହିଛି ତାହା ସମସ୍ତେ ଜାଣୁଛନ୍ତି। ଏହାଛଡ଼ା ବର୍ତ୍ତମାନ ତାଇୱାନ ଯେଉଁ ଅତ୍ୟାଧୁନିକ ସେମିକଣ୍ଡକ୍ଟର୍‌ମାନ ତିଆରି କରୁଛି, ଯଦ୍ଦ୍ୱାରା ବିଶ୍ୱର ଅନେକ କମ୍ପ୍ୟୁଟର, ଗାଡ଼ି ଆଦି ଚାଲୁଛି ତାହାକୁ ମଧ୍ୟ ଧ୍ୟାନକୁ ନିଆଯାଇପାରେ। ଚୀନ ତାଇୱାନକୁ ପ୍ରତ୍ୟକ୍ଷ ଆକ୍ରମଣ କଲେ ବିଶ୍ୱକୁ ସେମିକଣ୍ଡକ୍ଟର୍‌ ଯୋଗାଣ ବନ୍ଦ ହୋଇଯିବ ଓ ସାରା ବିଶ୍ୱ ଚୀନ ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବ।

ସତୁରି ଦଶକ ବେଳୁ ଆମେରିକା ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ତାଇୱାନ ସହ ସମ୍ପର୍କ ରଖିଛି। ଦକ୍ଷିଣ କୋରିଆରେ ଆମେରିକା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସେନାବାହିନୀ ରଖିଥିବା ପରି ତାଇୱାନରେ ସେନା ରଖିନାହିଁ। କିନ୍ତୁ ଆବଶ୍ୟକ ବେଳେ ତାଇୱାନକୁ ନିଶ୍ଚୟ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହାହିଁ ହେଉଛି ଚୀନର ଅସନ୍ତୋଷର ମୁଖ୍ୟ କାରଣ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗାମୀ ନଭେମ୍ବର ମାସରେ ଚୀନର କମ୍ୟୁନିଷ୍ଟ ପାର୍ଟିର ମହାଅଧିବେଶନ (ପିପୁଲସ୍ କଂଗ୍ରେସ) ବସିବ। ଏହି ଅଧିବେଶନରେ ବର୍ତ୍ତମାନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବେ ଯାହା ଚୀନରେ ସାଧାରଣତଃ ହୁଏନାହିଁ। ତାଙ୍କ ପୂର୍ବର ରାଷ୍ଟ୍ରପତି ଜିଆଂଗ ଜେମିନ ଓ ହୁ ଜିନ ତାଓ ଦୁଇଥର ଅର୍ଥାତ୍ ଦଶ ବର୍ଷ କାଳ ରାଷ୍ଟ୍ରପତି ଥିଲେ। ସି ଜିନ୍‌ପିଙ୍ଗ ଏବେ ତୃତୀୟ ଥର ରାଷ୍ଟ୍ରପତି ହେବା ପାଇଁ କମ୍ୟୁନିଷ୍ଟ ପାର୍ଟିର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହା ଫଳରେ ସେ ମାଓ ସେତୁଂ ବା ଡେଂଗ ଜିଅଓପିଙ୍ଗଙ୍କ ପରି ଆଜୀବନ ରାଷ୍ଟ୍ରପତି ହେବାକୁ ମନସ୍ଥ କରିଛନ୍ତି। ଏହି କଂଗ୍ରେସ ଅଧିବେଶନ ବସିବାକୁ ଥିବାବେଳେ ଆମେରିକାର ଏକପ୍ରକାର ୩ ନମ୍ବର ନେତା (ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପରେ) ନାନ୍‌ସି ପେଲୋସି ଆସି ତାଇୱାନ ବୁଲିବା ଓ ସାରା ବିଶ୍ୱକୁ ଚୀନର ଅସହାୟତାକୁ ସୂଚାଇବା ସେ ସହ୍ୟ କରି ପାରୁନାହାନ୍ତି।

ତାଇୱାନକୁ ନିଜ ଦେଶର ଏକ ଅଙ୍ଗ ବୋଲି ଚୀନ ଭାବୁଥିଲେ ମଧ୍ୟ ଆମେରିକାର ଜଣେ ୩ ନମ୍ବର ନେତ୍ରୀ ସେ ଦେଶକୁ ଆସିବାକୁ ନେଇ ଚୀନର ବ୍ୟତିବ୍ୟସ୍ତତାର କେତେକ କାରଣ ଅଛି। ପ୍ରଥମତଃ, ଏହା ଆମେରିକା ସରକାରଙ୍କର ଏକ ଗସ୍ତ କାର୍ଯ୍ୟକ୍ରମ ନୁହେଁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ପେଲୋସି ଓ କେତେକ ସଂସଦର ପ୍ରତିନିଧିଙ୍କ ତାଇୱାନ ଗସ୍ତ ପ୍ରତି ସେମିତି ସମର୍ଥନ ନାହିଁ। ଏହି ଗସ୍ତ ହେଉଛି ନାନସି ପେଲେସିଙ୍କ ନିଜସ୍ୱ। ତେବେ ନାନସିଙ୍କ ତାଇୱାନ ଗସ୍ତ ଆମେରିକା-ତାଇୱାନ ସମ୍ପର୍କର ଏକ ମାଇଲଖୁଣ୍ଟ। ଏହା ଆଦୌ ପ୍ରତୀକାତ୍ମକ ନୁହେଁ। ପେଲୋସିଙ୍କ ଗସ୍ତ ତାଇୱାନର ସରକାର ଓ ଜନତାଙ୍କ ମନରେ ଅପାର ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଚୀନର ପ୍ରବଳ ଧମକ ସତ୍ତ୍ୱେ ନାନ୍‌ସି ଯେ ସେ କଥାରେ ଭୟଭୀତ ନ ହୋଇ ତାଇୱାନ ଆସିଲେ ତାହା ହେଉଛି ବଡ଼ କଥା। ନାନ୍‌ସି ପ୍ରମାଣିତ କଲେ ଯେ ବିଶ୍ୱରେ ତାଇୱାନ ଏକାକୀ ନୁହେଁ। ତା’ ସହ ଅନ୍ୟ ଦେଶମାନେ ମଧ୍ୟ ଅଛନ୍ତି। ଦ୍ୱିତୀୟତଃ, ଚୀନ ସାରା ବିଶ୍ୱରେ ତାଇୱାନ ସହ କାହାର ସମ୍ପର୍କ ସୃଷ୍ଟି କରାଇ ଦେଇନାହିଁ। ଏପରିକି କୋଭିଡ୍‌ ମହାମାରୀ ବେଳେ ମଧ୍ୟ ତାଇୱାନକୁ ଅନ୍ୟ କୌଣସି ଦେଶ ସହ ସ୍ୱାସ୍ଥ୍ୟଗତ ପ୍ରସଙ୍ଗରେ ଏକଜୁଟ ହେବାକୁ ଚୀନ ଦେଇନାହିଁ। ଯେଉଁ ଅଳ୍ପ କେତେକ ତାଇୱାନର ବନ୍ଧୁ ରାଷ୍ଟ୍ର ଅଛନ୍ତି ସେମାନଙ୍କୁ ମଧ୍ୟ ଏହି ସମ୍ପର୍କରେ ଚୀନ ନିରସ୍ତ୍ର କରିଛି। କିନ୍ତୁ ପେଲୋସିଙ୍କ ଗସ୍ତ ସେହି ଧାରଣାକୁ ବିଫଳ କଲା।

ନାନ୍‌ସିଙ୍କ ଗସ୍ତ ଅବଶ୍ୟ ପ୍ରମାଣିତ କରୁନାହିଁ ଯେ ଆମେରିକା ଓ ତାଇୱାନ ଚୀନ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଅଥବା ଏହାଦ୍ୱାରା ତାଇୱାନ ତା’ର ସ୍ୱାଧୀନତା ଘୋଷଣା କରିବ। ଏହାଦ୍ୱାରା କେବଳ ଅନ୍ୟ ଦେଶମାନଙ୍କ ସମର୍ଥନ ତା’ ପ୍ରତି ଅଛି ଏ କଥା ତାଇୱାନ ବୁଝିବ। ଏହି ଗସ୍ତ ତାଇୱାନକୁ ଆଶ୍ୱସ୍ତ କରିଛି ଯେ ଆମେରିକାର ସବୁ ପକ୍ଷ ତା’ ସପକ୍ଷରେ ଅଛନ୍ତି। ଏହି ଗସ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନ୍ୟ ଦେଶମାନଙ୍କୁ ବୁଝାଇ ଦେଲା ଯେ ଆମେରିକା ସେମାନଙ୍କ ସହ ଚୀନର ଏକାଧିପତ୍ୟ ବିରୋଧରେ ଅଛି। ଯଦି ଭବିଷ୍ୟତରେ କେବେ ଚୀନ ସେମାନଙ୍କୁ ଆକ୍ରମଣ କରେ ବା ସେମାନଙ୍କ ଉପରେ ଚାପ ସୃଷ୍ଟି କରେ ତେବେ ସେମାନଙ୍କୁ ସହାୟତା ଦେବାକୁ ଆମେରିକା ଅଛି। ଏବେ ଚୀନ ତାଇୱାନ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରିବାକୁ ଏତେଟା ସାହସ କରିବ ନାହିଁ କାରଣ ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ କେମିତି ଅଟକି ରହିଛି ତାହା ସମସ୍ତେ ଜାଣୁଛନ୍ତି। ଏହାଛଡ଼ା ବର୍ତ୍ତମାନ ତାଇୱାନ ଯେଉଁ ଅତ୍ୟାଧୁନିକ ସେମିକଣ୍ଡକ୍ଟର୍‌ମାନ ତିଆରି କରୁଛି, ଯଦ୍ଦ୍ୱାରା ବିଶ୍ୱର ଅନେକ କମ୍ପ୍ୟୁଟର, ଗାଡ଼ି ଆଦି ଚାଲୁଛି ତାହାକୁ ମଧ୍ୟ ଧ୍ୟାନକୁ ନିଆଯାଇପାରେ। ଚୀନ ତାଇୱାନକୁ ପ୍ରତ୍ୟକ୍ଷ ଆକ୍ରମଣ କଲେ ବିଶ୍ୱକୁ ସେମିକଣ୍ଡକ୍ଟର୍‌ ଯୋଗାଣ ବନ୍ଦ ହୋଇଯିବ ଓ ସାରା ବିଶ୍ୱ ଚୀନ ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବ।

ଏହି ଅବସ୍ଥାରେ ଭାରତ ତାଇୱାନ ସହ ଅନ୍ତତଃ ବାଣିଜ୍ୟ ସମ୍ପର୍କ ବଢ଼ାଉ। ଗତ ୨୦୨୧-୨୨ରେ ଏହି ଦୁଇ ଦେଶର ବାଣିଜ୍ୟ କାରବାର ୮୦୦ କୋଟି ଡଲାର ଥିଲା। ଅବଶ୍ୟ ଏଥିରେ ଅନେକ ବାଧା ରହିଛି। ତେବେ ସେମିକଣ୍ଡକ୍ଟର୍‌ଠାରୁ ଆରମ୍ଭ କରି ଗ୍ରିନ୍ ଟେକ୍‌ନୋଲୋଜି, ସ୍ମାର୍ଟ ସିଟି ନିର୍ମାଣ, ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍‌ସ ଗବେଷଣାରେ ଏହି ଦୁଇ ଦେଶ ମିଳିତ ସହଯୋଗ କରି ଚୀନର ମୁକାବଲା କରିପାରନ୍ତି।
ମୋ-୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର