ଚର୍ଚ୍ଚାରେ କୁଳପତି ଚୟନ ଓ ଅଧ୍ୟାଦେଶ

ବିକଳ୍ପ ବିଶ୍ବ/ ଭଗବାନପ୍ରକାଶ

ନିକଟରେ ଓଡ଼ିଶା ରାଜ୍ୟ କ୍ୟାବିନେଟ ଓ ରାଜ୍ୟପାଳ ତଥା କୁଳାଧିପତିଙ୍କର ଦୁଇଟି ନିଷ୍ପତ୍ତିକୁ ନେଇ ଶିକ୍ଷାବିତ୍‌ ଓ ଶିକ୍ଷାପ୍ରେମୀଙ୍କ ମଧୢରେ ଚିନ୍ତା ଓ ଚହଳ ସୃଷ୍ଟି ହୋଇଛି; ଯଦିଓ ଅନେକ ଜଣାଶୁଣା ବିଦ୍ୟାପତି ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି। ପ୍ରଥମଟି ହେଲା- ଓଡ଼ିଶା ବିଶ୍ବବିଦ୍ୟାଳୟ ସ˚ଶୋଧନ ଅଧୢାଦେଶ-୨୦୨୦। ଏହି ଅଧୢାଦେଶ ଅନୁସାରେ ଏଣିକି ବିଶ୍ବବିଦ୍ୟାଳୟରେ ଅଧୢାପକ ନିଯୁକ୍ତି କରିବେ ଓଡ଼ିଶା ପବ୍ଲିିକ୍‌ ସର୍ଭିସ୍‌ କମିସନ ଓ ଅଣଶିକ୍ଷକ କର୍ମଚାରୀଙ୍କ ଚୟନ ଓ ନିଯୁକ୍ତି କରିବେ ରାଜ୍ୟ ଷ୍ଟାଫ୍‌ ସିଲେକ୍‌ସନ ବୋର୍ଡ। ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବା ପାଇଁ ବିଶ୍ବବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମାବଳୀ, ଗାଇଡ୍‌ ଲାଇନ୍‌ ମଧୢ ପ୍ରସ୍ତୁତ ହୋଇଚି। ଶିକ୍ଷାବିତ୍‌ମାନେ ଏପରି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ବାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଅମଲାତନ୍ତ୍ରର ପ୍ରଭାବ ଓ ନିୟନ୍ତ୍ରଣ ବଢ଼ିବ ବୋଲି ଆଶଙ୍କା କରାଯାଉଚି। କାରଣ ଉପରୋକ୍ତ ଦୁଇ ସରକାରୀ ସ˚ସ୍ଥାଙ୍କର ଅଧୢାପକ ଚୟନରେ କୌଣସି ଅଭିଜ୍ଞତା ନାହିଁ। ଏହାଛଡ଼ା ଆମ ବିଚାରାଳୟ ଭଳି ଏହିି ଦୁଇ ସ˚ସ୍ଥାରେ ହଜାର ହଜାର ପଦ ଖାଲି ପଡ଼ିରହୁଚି। ଏପରି ହେଲେ ବିଶ୍ବବିଦ୍ୟାଳୟ ଅଧୢାପକ ଦୁର୍ଭିକ୍ଷଗ୍ରସ୍ତ ହେଇଯିବ ଓ ଶିକ୍ଷା ପ୍ରଶାସନ ଭୁଶୁଡ଼ି ପଡ଼ିବ। ଠିକ୍‌ ସମୟରେ ପରୀକ୍ଷା ହୋଇପାରିବ ନାହିଁ, ଫଳ ବାହାରି ପାରିବ ନାହିଁ। ବିଶ୍ବବିଦ୍ୟାଳୟମାନେ ନିଜର ସ୍ବାତନ୍ତ୍ର୍ୟ, ସ୍ବାଧୀନତା ହରାଇବେ। କୁଳପତି ଅସହାୟ ବୋଧ କରିବେ। ଅପରପକ୍ଷରେ ଏପରି ଆଶଙ୍କା ଅମୂଳକ ବୋଲି କହୁଥିବା ବିଶେଷଜ୍ଞଙ୍କ ମତରେ ଏହି ଅଧୢାଦେଶ ଲାଗୁ ହେଲେ ଚୟନ ପ୍ରକ୍ରିୟା ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ ଏବଂ ତ୍ବରାନ୍ବିତ ହେବ, କ୍ୟାମ୍ପସ୍‌ ରାଜନୈତିକ ପ୍ରଭାବରୁ ମୁକ୍ତ ରହିବ। ସେମାନଙ୍କର ଦ୍ବିତୀୟ ପ୍ରଶ୍ନ ହେଲା ସବୁ ସ୍ବତନ୍ତ୍ରତା ସତ୍ତ୍ବେ ବିଶ୍ବବିଦ୍ୟାଳୟରେ ଏବେ ବି ଶହ ଶହ ପଦ ଖାଲି ପଡ଼ିଚି, ଜାତୀୟ ସ୍ତର ତୁଳନାରେ ଆମ ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନମାନେ ବହୁତ ତଳେ ଅଛନ୍ତି। ଗବେଷଣା ଓ ପାଟେଣ୍ଟ ଅବସ୍ଥା ଆହୁରି ଶୋଚନୀୟ। ତେଣୁ ଉଚ୍ଚ ଶିକ୍ଷାୟତନମାନଙ୍କର ଶିକ୍ଷକମାନଙ୍କର କ୍ରମାଗତ ଅନୁପସ୍ଥିତି ଏବ˚ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ବିଶ୍ବବିଦ୍ୟାଳୟମାନଙ୍କର ଭୂମିକା ସ˚ପର୍କରେ ଆତ୍ମ ସମୀକ୍ଷାର ଆବଶ୍ୟକତା ରହିଚି। ଏବ˚ କାହିଁକି ମୋଟା ଦରମା ପ୍ରାପ୍ତ ବୁଦ୍ଧିଜୀବୀଙ୍କ ଚରାଭୂଇଁ ଓଡ଼ିଶାର ଉଚ୍ଚ ଶିକ୍ଷା ଗବେଷଣା ଅନୁଷ୍ଠାନମାନେ ଏ ପର୍ଯ୍ୟନ୍ତ ଜଣେ ବି ନୋବେଲ୍‌ ପୁରସ୍କାର ବିଜୟୀ ସୃଷ୍ଟି କରିପାରି ନାହାନ୍ତି, ସେ ସମ୍ପର୍କରେ ମଧୢ ପ୍ରଶ୍ନ ହେଉଚି।

ଦ୍ବିତୀୟ ପ୍ରସଙ୍ଗଟି ହେଲା ଓଡ଼ିଶାରେ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କରେ ଆଶାୟୀ କୁଳପତି ଚୟନ ପ୍ରକ୍ରିୟା। ଏହା ଯେତିକି ହାସ୍ୟାସ୍ପଦ, ସେତିକି ଦୁଃଖ ଓ ଦୁର୍ଭାଗ୍ୟଜନକ। ଆଗ ପ୍ରାର୍ଥୀ ହେବାର ଯୋଗ୍ୟତାରେ ପାସ୍‌ କଲେ ଦରଖାସ୍ତ, ତା’ପରେ ପ୍ରାର୍ଥୀଙ୍କ ଦରଖାସ୍ତର ଯାଞ୍ଚ, ତା’ପରେ ମନୋନୟନ, ତା’ପରେ ବଡ଼ ତାଲିକା ତିଆରି, ତା’ପରେ ପୁଣି ଯାଞ୍ଚ ଓ ଛୋଟ ତାଲିକା ତିଆରି ବା ସର୍ଟଲିଷ୍ଟ। ତା’ପରେ ସାକ୍ଷାତକାର ବା ମୌଖିକ ପରୀକ୍ଷା, ତା’ପରେ ଲିଖିତ ପରୀକ୍ଷା। ପ୍ରଶ୍ନପତ୍ରରେ ଥିଲା ପିଲାଳିଆ ପ୍ରଶ୍ନ ସବୁ। ଯଥା- ଯଦି ଈଶ୍ବର ତମ ସାମ୍‌ନାକୁ ଆସନ୍ତି, ତାଙ୍କୁ କି ବର ମାଗିବ? ଇତ୍ୟାଦି। ସେତିକିବେଳେ କାଳେ କୁଳପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରଫେସର ମହୋଦୟ କପି କରିବେ, ତାଙ୍କୁ ଜଗିବା ପାଇଁ ଜଣେ ନିରୀକ୍ଷକ ଥିଲେ ଏଥର। ଏବ˚ ସେ ମହାଶୟ ନିଜେ ଥିଲେ ଜଣେ ପ୍ରଶାସକ, ଶିକ୍ଷାବିତ୍‌ ନୁହେଁ। ଏବ˚ ସବୁଠାରୁ ବିଡ଼ମ୍ବନାର କଥା ଯେ ଏ ଘଟଣାଟି ଘଟିଥିଲା ଏପରି ଜଣେ ରାଜ୍ୟପାଳ ଓ ଚ୍ୟାନସେଲର‌୍‌ଙ୍କ ଜ୍ଞାତ ସାରରେ, ଯେ ନିଜେ ଜଣେ ଖ୍ୟାତନାମା ପ୍ରଫେସର। କେହି ଜଣେ ଏହାର ପ୍ରତିବାଦ କରିନଥିଲେ। ସୁନାପିଲା ହେଇ ସ୍କୁଲ ପିଲାଙ୍କ ଭଳି ଲିଖିତ ପରୀକ୍ଷା ଦେଇଥିଲେ। କାହିଁକି ଏପରି ଅପଦସ୍ଥ କରାଗଲା ଭାବୀ କୁଳପତିମାନଙ୍କୁ? ପଚାରିଥିଲି କେତେକ ପୂର୍ବତନ କୁଳପତିଙ୍କୁ। ଏହି ଘଟଣାରେ ସମସ୍ତେ ଥିଲେ ମର୍ମାହତ। ୟୁଜିସି ଗାଇଡ୍‌ ଲାଇନ୍‌ରେ ମଧୢ ଲିଖିତ ପରୀକ୍ଷା ବ୍ୟବସ୍ଥା ନାହିଁ। ଶୁଣାଯାଏ ପ୍ରାୟ ଦୁଇବର୍ଷ ପୂର୍ବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ କୁଳପତି ଚୟନ ବେଳେ ମଧୢ ଏହି ପ୍ରକ୍ରିୟା ଲାଗୁ ହେଇଥିଲା। ଏଥର ପରୀକ୍ଷାରେ ଥିଲେ ଛ’ଟି ବିଶ୍ବବିଦ୍ୟାଳୟ ପାଇଁ ୨୮୩ ପ୍ରାର୍ଥୀ, ଲିଖିତ ପରୀକ୍ଷାରେ ୧୬ ଜଣ ବଛା ବରିଷ୍ଠ ପ୍ରଫେସର। ଯେଉଁ ବିଶ୍ବବିଦ୍ୟାଳୟମାନଙ୍କ ପାଇଁ କୁଳପତି ଚୟନ କରାଗଲା ସେମାନେ ହେଲେ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଫକୀରମୋହନ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ।

ଏହି ପରିପ୍ରେକ୍ଷୀରେ ମନେ ପଡ଼ିଲା ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର ପ୍ରାଣକୃଷ୍ଣ ପରିଜାଙ୍କ କଥା। ଏହି ପଦ୍ମଭୂଷଣ ଓ ବିଶ୍ବବିଖ୍ୟାତ ଉଦ୍ଭିଦ ବିଜ୍ଞାନୀ ତଥା ‘‘ପରିଜା ପ୍ଲାଣ୍ଟ ରେସ୍‌ପିରେସନ’’ ଥିଓରିର ଜନକ ଥିଲେ ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି। ଯଦି ତାଙ୍କୁ କୁଳପତି ପଦ ପାଇଁ ଦରଖାସ୍ତ ଦେବାକୁ କୁହାଯାଇଥାନ୍ତା, କ’ଣ ହୋଇଥାନ୍ତା ତାଙ୍କର ପ୍ରତିକ୍ରିୟା? ଥରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ତାଙ୍କୁ ଏକ ସଭାକୁ ଡାକି ନିଜେ ଦଶ ମିନିଟ୍‌ ଡେରିରେ ଆସିବାରୁ ପ୍ରଚଣ୍ତ ସ୍ବାଧୀନନେତା ପରିଜା ସଭା ଛାଡ଼ି ଚାଲିଯାଇଥିଲେ। ସେତେବେଳେ ଜାତୀୟ ସ୍ତରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ସର୍ଚ୍ଚ କମିଟି, ଦେଶ ବିଦେଶ ଖୋଜି ବିଜ୍ଞ ବ୍ୟକ୍ତିମାନଙ୍କୁ କୁଳପତି ପଦ ଗ୍ରହଣ ପାଇଁ ଆମନ୍ତ୍ରଣ କରୁଥିଲେ। ଭାରତ ରତ୍ନ, ସ୍ବାଧୀନତା ଆନ୍ଦୋଳନର ଜଣେ ବିଶିଷ୍ଟ ନେତା ପଣ୍ତିତ ମଦନ ମୋହନ ମାଲବ୍ୟ ବନାରସ୍‌ ହିନ୍ଦୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ବେଳେ ପ୍ରଫେସର ପଦ ପାଇଁ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଖୋଜି ଆଣୁଥିଲେ। ଦର୍ଶନ ବିଭାଗ ମୁଖ୍ୟ ପାଇଁ ଜଣେ ଯୋଗ୍ୟ ପ୍ରଫେସର ଖୋଜୁଥିଲେ ଯେ କି ତାଙ୍କର ଉତ୍ତରାଧିକାରୀ ଭାବେ କୁଳପତି ଦାୟିତ୍ବ ନେବେ। ସେତେବେଳେ ଖବର ପାଇଲେ ଯେ ଏହିପରି ଜଣେ ବ୍ୟକ୍ତି କଲିକତା ବିଶ୍ବବିଦ୍ୟାଳୟ ଓ ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ ଲଣ୍ତନରେ ଭିଜିଟିଙ୍ଗ୍‌ ଫାକଲ୍‌ଟି ଅଛନ୍ତି (୧୯୩୯)। ତାଙ୍କ ନାଁ ସର୍ବପଲ୍ଲୀ ରାଧାକୃଷ୍ଣନ୍‌। ମହାମନା ମାଲବ୍ୟ ରାଧାକୃଷ୍ଣନ୍‌ଙ୍କୁ ଭେଟି ହିନ୍ଦୁ ବିଶ୍ବବିଦ୍ୟାଳୟ ଦାୟିତ୍ବ ନେବା ପାଇଁ ଆମନ୍ତ୍ରଣ ଜଣାଇଲେ। ରାଧାକୃଷ୍ଣନ୍‌ ପ୍ରଥମେ ମନା କରି ଦେଇଥିଲେ; କିନ୍ତୁ ଶେଷରେ ମାଲବ୍ୟଙ୍କର ବାରମ୍ବାର ଅନୁରୋଧ ରକ୍ଷା କରି ରାଜି ହେଇଥିଲେ। ପରବର୍ତ୍ତୀ କାଳରେ ସେ ହେଲେ ସ୍ବାଧୀନ ଭାରତର ଦ୍ବିତୀୟ ରାଷ୍ଟ୍ରପତି। ନୋବେଲ୍‌ ପୁରସ୍କାର ପାଇଁ ତାଙ୍କ ନାଁ ୨୨ଥର ସୁପାରିସ ହେଇଥିଲା। କୁଳପତି ପଦର ମର୍ଯ୍ୟାଦା ଓ ମହତ୍ତ୍ବ କେତେ ଏହା ତାହାର ଦୁଇଟି ଉଦାହରଣ। କିନ୍ତୁ ଏକଥା ମଧୢ ସତ ଯେ କୁଳପତି ପଦର ସେଇ ଗରିମା ଆଉ ନାହିଁ। ଅତୀତରେ ବହୁ ପୁୁରୁଣା ଦିଲ୍ଲୀ ବିଶ୍ବବିଦ୍ୟାଳୟ, ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶା ଓ ପଣ୍ତିଚେରୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରି ଅନେକ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ବିଭିନ୍ନ ଅଭିଯୋଗରେ ସସ୍‌ପେଣ୍ତ, ଡିସ୍‌ମିିସ୍‌ କରାଗଲାଣି। ପ୍ରତିବର୍ଷ ଏପରି ଘଟଣା ଘଟୁଛି। ଆମ ଦେଶରେ ଏବେ ୧୦୦୦ରୁ ଅଧିକ ବିଶ୍ବବିଦ୍ୟାଳୟ ଓ ପ୍ରାୟ ୫୦ ହଜାର ମହାବିଦ୍ୟାଳୟ। ନୂଆ ଜାତୀୟ ଶିକ୍ଷାନୀତି (୨୦୨୦) କହୁଚି ୨୦୪୦ ସୁଦ୍ଧା ଦେଶର ସବୁ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନକୁ ବହୁମୁଖୀ ଏବ˚ ‘ଇଣ୍ଟର ଡିସିପ୍ଲିନାରି’ କରାଯିବ। ଏହାର ନେତୃତ୍ବ ନେବେ କୁଳପତିମାନେ। ଉଚ୍ଚମାନର ଶିକ୍ଷା ତାଲିକାରେ ୧୫୩ ଦେଶ ମଧୢରେ ଆମ ସ୍ଥାନ ୧୧୨। ଚାଇନା, ନେପାଳ, ଶ୍ରୀଲଙ୍କା, ବା˚ଲାଦେଶ ଆମ ଉପରେ।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ହାର୍ଭାର୍ଡ‌୍ ୟୁନିଭର୍ସିଟିର ପ୍ରଥମ ନିଷ୍ପତ୍ତି ଥିଲା କୁଳପତି ଓ ପ୍ରଫେସର ସମେତ କୌଣସି ସିନିଅର ପଦ ବାହାର ଆର୍ଥିକ ସମର୍ଥନ ଉପରେ ନିର୍ଭର କରିବ ନାହିଁ। ଏହି ନିଷ୍ପତ୍ତି ଫଳରେ ହାର୍ଭାର୍ଡ‌୍ ଏ ପର୍ଯ୍ୟନ୍ତ ତା’ର ସ୍ବତନ୍ତ୍ରତା ବଜାୟ ରଖିଚି। ଏହାର ବାର୍ଷିକ ବଜେଟ୍‌ ଭାରତୀୟ ମୁଦ୍ରାରେ ୨୮ ହଜାର କୋଟି। ଷ୍ଟାନ୍‌ଫୋର୍ଡ ଓ ଏମ୍‌ଆଇଟିର ବାର୍ଷିକ ବଜେଟ୍‌ ପାଖାପାଖି ୪୮ ହଜାର କୋଟି। ଏସବୁ ଦାନ ସୂତ୍ରରେ ମିଳିଥାଏ। ଇ˚ରେଜୀରେ କହନ୍ତି ଏଣ୍ତାଓମେଣ୍ଟ୍‌ ଫଣ୍ତ୍‌। ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟର ୪୦ ପ୍ରତିଶତ ବିଦ୍ୟାର୍ଥୀ ଶତାଧିକ ଦେଶରୁ ଆସିଥାନ୍ତି। ଏଥିରୁ ଅନେକଙ୍କୁ ୟୁନିଭର୍ସିଟିର ନିଜ ପାଣ୍ଠିରୁ ମିଳେ ଫେଲୋସିପ୍‌, ସ୍କଲାରସିପ୍‌। କୋଉଠୁ ଆସେ ଏ ପଇସା? ଅଧା ଖର୍ଚ୍ଚ ଆସେ ଗବେଷଣା ଲବ୍‌ଧ ଜ୍ଞାନ ବିକ୍ରିରୁ। ଅକ୍‌ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ ବର୍ଷକୁ ଛ’ହଜାର ପ୍ରକାର ବହି ଛାପନ୍ତି ଓ ବିକନ୍ତି। ବିଶ୍ବବିଦ୍ୟାଳୟ ବିଦ୍ୟା ବିକି ବର୍ଷକୁ ପାଏ ୧୨ ହଜାର କୋଟି। ଏହାଛଡ଼ା ପୁରାତନ ଛାତ୍ରମାନେ ମଧୢ ମୁକ୍ତ ହସ୍ତରେ ଦାନ କରିଥାନ୍ତି। ତେଣୁ ସରକାରୀ ଅନୁଦାନ ଉପରେ ନିର୍ଭରଶୀଳତା ନ ଥାଏ। ଭାରତରେ ବେସରକାରୀ, ପ୍ରାଇଭେଟ୍‌ ୟୁନିଭର୍ସିଟି ଏମିତି ଚାଲେ। ତେଣୁ କୁଳପତି ଓ ଅଧୢାପକ ନିଯୁକ୍ତିରେ ଏମାନଙ୍କ ପାଇଁ ସରକାରୀ ଅନୁମୋଦନ ଆବଶ୍ୟକ ପ‌େ‌ଡ଼ ନାହିଁ। ପ୍ରାଚୀନ ଭାରତରେ ତକ୍ଷଶୀଳା, ନାଳନ୍ଦା, ବିକ୍ରମଶୀଳା, ପୁଷ୍ପଗିରି, ରତ୍ନଗିରି ଭଳି ବିଶ୍ବବିଦ୍ୟାଳୟର ଏହିପରି ସମ୍ପୂର୍ଣ୍ଣ ସ୍ବାଧୀନତା ଥିଲା। ଆମେରିକା, ୟୁରୋପର ଅନେକ ବିଶ୍ବବିଦ୍ୟାଳୟ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ। କୁଳପତି ଚୟନରେ ସରକାରଙ୍କର କୌଣସି ଭୂମିକା ନ ଥାଏ। କାର୍ଯ୍ୟକାଳ ୭ ବର୍ଷ, ୭୦ ବର୍ଷରେ ଅବସର। କୁଳାଧିପତି ଫୁଲ୍‌ଟାଇମ୍‌ କାମ ଓ କାର୍ଯ୍ୟକାଳ ଆଜୀବନ ବା ଲାଇଫ୍‌ ଟାଇମ୍‌। ଯୋଗ୍ୟତା- ଅଧୢାପନା, ଗବେଷଣା ଓ ପରିଚାଳନାରେ ଦକ୍ଷତା, ଲିଡରସିପ୍‌ ଓ ଦୂରଦୃଷ୍ଟି ଏବ˚ ଅର୍ଥାଗମରେ ପାରଙ୍ଗମତା ଓ ବିଭିନ୍ନ ବିଭାଗର ଅଧୢକ୍ଷ, ଡିନ୍‌ଙ୍କ ସହଯୋଗରେ କାମ କରିବା ଦକ୍ଷତା। ଦରମା ଚାରି ଲକ୍ଷ ଡଲାର। ମନୋନୟନ କରନ୍ତି ବିଶ୍ବବିଦ୍ୟାଳୟର ସର୍ଚ୍ଚ କମିଟି। ବିଶ୍ବବିଦ୍ୟାଳୟ ନିଜ ସମ୍ବିଧାନ ଦ୍ବାରା ପରିଚାଳିତ ହୁଏ। ଏକାଡେମିକ୍‌ ଫ୍ରିଡମ୍‌ ବା ସ୍ବତନ୍ତ୍ରତା ତଥା ଇନୋଭେସନ ବା ସୃଜନଶୀଳତାକୁ ଉତ୍ସାହିତ କରାଯାଇଥାଏ। ଫଳରେ ଏ ପର୍ଯ୍ୟନ୍ତ ହାର୍ଭାର୍ଡ‌୍ ଦେଇଚି ସବୁଠାରୁ ଅଧିକ ସଂଖ୍ୟକ ଆମେରିକା ରାଷ୍ଟ୍ରପତି ଓ ୧୬୧ ନୋବେଲ୍‌ ପୁରସ୍କାର ବିଜେତା। କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଦେଲାଣି ୧୨୧, ଅକ୍‌ସଫୋର୍ଡ ୭୨ ନୋବେଲ୍‌ ବିଜେତା।

୧୯୮୮ ମସିହା ସେପ୍‌ଟେମ୍ବର ୧୮ ତାରିଖରେ ପୃଥିବୀର ୪୩୦ ବିଶ୍ବବିଦ୍ୟାଳୟର ମୁଖ୍ୟମାନେ ଇଟାଲିର ବୋଲୋନା ସହରରେ ଏକାଠି ହୋଇ ଯେଉଁ ଘୋଷଣା ପତ୍ରରେ ଦସ୍ତଖତ କରିଥିଲେ ତା ନାଁ ଥିଲା- ମାଗ୍‌ନା କାର୍ଟା ୟୁନିଭରସିଟାଟମ୍‌। ଅଙ୍କୁଶ ବିହୀନ ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାର ବିକାଶ ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ସେମାନେ ଦେଇଥିଲେ ସମୂହ ପ୍ରତିଶ୍ରୁତି। ୨୦୨୦ରେ ତାକୁ ଆଉ ଥରେ ଦୋହରା ଯାଇଥିଲା। ୟୁନିଭର୍ସିଟି ଏକ ଲାଟିନ୍‌ ଶବ୍ଦ। ଏହାର ଅର୍ଥ ହେଲା ସମଗ୍ର ଓ ସମ୍ପୂର୍ଣ୍ଣ। ଏହା ଜ୍ଞାନୀ, ବିଜ୍ଞାନୀ, ବିଶେଷଜ୍ଞ, ବିଦ୍ବାନ, ଗବେଷକ, ଗୁରୁ ଓ ପଣ୍ତିତଙ୍କର ବଡ଼ ଦେଉଳ। ଆଉ କେହି କହନ୍ତି ବିଶ୍ବବିଦ୍ୟାଳୟର ଅନ୍ୟ ନାମ ଲାଇଟ୍‌ ହାଉସ୍‌ ବା ବତିଘର, ଯେ ସାରା ବିଶ୍ବକୁ ଦିଗ୍‌ଦର୍ଶନ ଦିଏ, ବାଟ ଦେଖାଏ। ସେଇଠି ଥାଆନ୍ତି ରାଜ୍ୟର ଆଚାର୍ଯ୍ୟକୁଳ। କୁଳାଧିପତି ନିଜେ ଜଣେ ବରିଷ୍ଠ ଆଚାର୍ଯ୍ୟ। ତେଣୁ କୁଳପତି ପଦ ପାଇଁ ଭବିଷ୍ୟତରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଅଧିକ ସମ୍ମାନଜନକ କରି ସେଥିରୁ ଲିଖିତ ପରୀକ୍ଷା ଓ ପରୀକ୍ଷକଙ୍କୁ ହଟାଇ ଦିଅନ୍ତୁ। ଏହା ଆଚାର୍ଯ୍ୟ କୁଳପତି ପ୍ରତି ଅସମ୍ମାନ ଓ ଲଜ୍ଜାଜନକ। ବିଶ୍ବବିଦ୍ୟାଳୟମାନଙ୍କର ସ୍ଥାନ ସଚିବାଳୟ, ରାଜଭବନ ଓ ରାଜନୀତିରୁ ଊର୍ଦ୍ଧ୍ବରେ ରହିବା ଆବଶ୍ୟକ। ଜ୍ଞାନପୀଠ, ବିଦ୍ୟାପତି ଓ ଗୁରୁକୁଳଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଆମ ସମସ୍ତଙ୍କର ଏକ ସାମାଜିକ ଦାୟିତ୍ବ। ନବନିର୍ବାଚିତ କୁଳପତିମାନଙ୍କୁ ଅଭିନନ୍ଦନ ଓ ସ୍ବାଗତ। ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ପାରିତ ହେଲା ପରେ ସେମାନଙ୍କର ଦାୟିତ୍ବ ବଢ଼ି ଯାଇଛି। ଏହା ତୁଲାଇବା ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ଯଥେଷ୍ଟ ନୁହେଁ।

-୨୯-ବି, ବିଡିଏ ଡୁପ୍ଲେକ୍‌ସ, ପ୍ରଜ୍ଞାବିହାର, ବରମୁଣ୍ତା, ଭୁବନେଶ୍ବର-୭୫୧୦୦୩
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର