ପେଟେଣ୍ଟ ମେଡିସିନ୍‌

ଦାଶ ବେନହୁର

କିଏ କହେ ପେଟେଣ୍ଟ୍‌। କିଏ କହେ ପାଟେଣ୍ଟ୍‌। ଇ˚ରେଜୀ ଶବ୍ଦ। ଉଚ୍ଚାରଣରେ ଏକଡ଼ ସେକଡ଼ ହୁଏ। ତେବେ ଏ ଶବ୍ଦଟିକୁ ଲୋକପ୍ରିୟ କରେଇଥିଲେ ଆମର ଓଡ଼ିଆ ଗଳ୍ପ-ସମ୍ରାଟ୍‌ ଫକୀରମୋହନ ସେନାପତି। ଗଳ୍ପଟିରେ ସେ ଯେଉଁକଥାର ଅବତାରଣା କରାଇଥିଲେ ତାହା ହିଁ ଆଜି ଆମପାଇଁ ଅଧିକ ପ୍ରାସଙ୍ଗିକ। ମଦୁଆ ସ୍ବାମୀ ଚନ୍ଦ୍ରମଣିଙ୍କର ମଦ ଅଭ୍ୟାସ ଛଡେ଼ଇବା ପାଇଁ ସ୍ତ୍ରୀ ସୁଲୋଚନା ଯେଉଁ ଦୃଢ଼ ପଦକ୍ଷେପ ନେଇଥିଲେ ତାହାକୁ ଏକ ନୂଆ ଔଷଧ ବୋଲି ବିବେଚନା କରି ସେନାପତି ଆପଣେ ଗଳ୍ପଟିକୁ ଲେଖିଥିଲେ। ପେଟେଣ୍ଟ୍‌ କ’ଣ କି? ମୌଳିକ ସ୍ବତ୍ବାଧିକାର। ଯେ ଯେଉଁ ଆବିଷ୍କାର ବା ଉଦ୍ଭାବନଟି କରେ ତା’ର ମାଲିକାନା ସେ ବ୍ୟକ୍ତିର। ଏହା ଏକ ସ୍ବତ୍ବସ୍ବୀକୃତି। ଅତଏବ ଫକୀରମୋହନଙ୍କ ଗଳ୍ପ ଅନୁସାରେ ଏ ପେଟେଣ୍ଟ୍‌ର ମାଲିକାଣୀ ହେଉଛନ୍ତି ସୁଲୋଚନା।

ପ୍ରଶ୍ନ ଉଠିବ, ଏ ସୁଲୋଚନା କିଏ? ସେ କଥା ତ ଶହେ ବରଷରୁ ଅଧିକ ପୁରୁଣା ହେଲାଣି! କାହା ପାଖରେ ଏବେ ଏ ପେଟେଣ୍ଟ୍‌ ଅଛି? କିଏ ସେ ଭାଗ୍ୟବାନ ବା ଭାଗ୍ୟବତୀ ଦାୟାଦ, ଦାୟାଦିନୀ?
ଆଗେ ସେ ପେଟେଣ୍ଟ୍‌ ଆବିଷ୍କାର କଥାଟା ଖୋଲା ହୋଇଯିବା ଦରକାର। ତାହାହେଲା ‘ଝାଡ଼ୁପାହାର’। ଝାଡ଼ୁପାହାର ମାଧୢମରେ ସୁଲୋଚନା, ମଦୁଆ ପତି ଶ୍ରୀମାନ୍‌ ଚନ୍ଦ୍ରମଣିଙ୍କୁ ନିଶାମୁକ୍ତି ଦେଇଥିଲେ ବୋଲି ଗଳ୍ପଟି ପ୍ରତିପାଦିତ କରେ। ପାଠକେ ଦୟାକରି ଭାବିବା ଉଚିତ୍‌ ନୁହେଁ ଯେ ଏହା ଏକ ହି˚ସାତ୍ମକ କାଣ୍ତ। କାରଣ କେତେ ପ୍ରାଣାନ୍ତକ ଭାବେ ଅତିଷ୍ଠ ହେଲେ ଜଣେ ପତିବ୍ରତା ନାରୀ ବେଶ୍ୟାଗ୍ରସ୍ତ ମଦ୍ୟପ ସ୍ବାମୀ ବିରୋଧରେ ଝାଡ଼ୁ ଉଠାଏ ତାହା ଗଳ୍ପଟିରେ ଅତି ଚମତ୍କାର ଭାବରେ ପ୍ରତିପାଦିତ। ଝାଡ଼ୁ ଉଠିଛି, ଔଷଧ କାମ ଦେଇଛି। ମାତ୍ର ହି˚ସା ହୋଇନାହିଁ। ନା’ ସ୍ବାମୀ ତାହାକୁ ହି˚ସା ଭାବରେ ଗ୍ରହଣ କରିଛନ୍ତି, ନା ସହଧର୍ମିଣୀ ହି˚ସା ବୋଲି ମନେ କରି ତାହା ପ୍ରୟୋଗ କରିଛନ୍ତି। ସେଥିପାଇଁ ଗାଳ୍ପିକ ଆବିଷ୍କାରଟିର ନାମ ଦେଇଛନ୍ତି ମେଡିସିନ୍‌। ଔଷଧ। ଔଷଧ ପୁରୁଣା। ମାତ୍ର ନୂତନ ଭାବେ ତା’ର ପ୍ରୟୋଗ ହୋଇଛି। ଏହାକୁ ଘରୋଇ ହି˚ସା ଭାବିବା ଭ୍ରମାତ୍ମକ।

ସୁଲୋଚନା ତ ଗଲେଣି ଏବେ ତା’ହେଲେ କାହା ପାଖରେ ଅଛି ଏ ସ୍ବତ୍ବାଧିକାର?
ଫକୀରମୋହନ ସତକୁ ସତ କେଉଁ ରକ୍ତମା˚ସଧାରୀ ସୁଲୋଚନା ଓ ଚନ୍ଦ୍ରମଣିଙ୍କୁ ନେଇ ଏ ଗଳ୍ପଟି ଲେଖିଥିଲେ ବୋଲି ଆମ ପାଖରେ ପ୍ରମାଣ ନାହିଁ। ହେଲେ ଏ କଥା ସତ ଯେ ସୁଲୋଚନା ସେ ସମୟର ଜଣେ ବେଶ୍ୟାସକ୍ତ ମଦ୍ୟପ ସ୍ବାମୀଙ୍କ ଦ୍ବାରା ନିର୍ଯାତିତା ଏକ ପ୍ରତୀକାତ୍ମକ ନାରୀ। ସେତେବେଳେ ବେଶ୍ୟା ଥିଲେ, ମଦ ଥିଲା, ସମାଜ ଥିଲା, ସରକାର ବି ଥିଲେ। ହେଲେ ସୁଲୋଚନାଙ୍କ ପିଠିରେ ନା ସମାଜ ପଡ଼ିଥିଲା ନା ସରକାର। ସେତେବେଳେ ଯେଉଁ ହାଣୁଆ ସରକାର ସେ ଚାହିଁଥିଲେ ଗୋଟାଏ ଫୁଟୁକିରେ ତ ପରିବର୍ତ୍ତନ ଆସିଯାଇଥାନ୍ତା। ମାଛି ପଡ଼ିଲେ ନବଖଣ୍ତ। ମାତ୍ର ସରକାର ସେ ବାଟେ ଦୁଇ ପଇସା ରୋଜଗାର ନ କରି ମଦ କାହିଁକି ହଟେଇବେ? ଜଣେ ଶାସକ ଯେତେ ଜନମଙ୍ଗଳକାରୀ ହେଲେ ବି ରାଜସ୍ବ ଆଦାୟରେ ତାଙ୍କର ଲୋଭ। ସେ ବାଟେ କେତେ କ୍ଷତି କେତେ ଲାଭ ତା’ର ହିସାବ ସରକାରମାନଙ୍କ ପାଖରେ ନ ଥାଏ। ଥିଲେ ବି ସେ ହିସାବ ଫର୍ଦ୍ଦକୁ କେହି ଓଲଟାନ୍ତି ନାହିଁ।

ଏବେ ବି କ’ଣ ବ୍ୟବସ୍ଥା ବଦଳିଛି?
ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ତୋଳିବା ଲାଗି ଘଣ୍ଟ ପିଟା ହେଉଛି। ପଚରା ହେଉଛି ଆପଣମାନେ ଖୁସି ତ? ହେଲେ ସହର ବଜାର, ଗାଁ ଗହଳ, ଜଙ୍ଗଲ ଜନଜାତି-ଜୀବନରେ ଏଇ ମଦ କାରଣରୁ କେତେ ଯେ ନିର୍ଯାତନା, ହି˚ସାକାଣ୍ତ, ଅକାଳମୃତ୍ୟୁ ଘଟୁଛି ତା’ର ହିସାବ ନାଇଁ। କିଏ ଖୁସି? ଚନ୍ଦ୍ରମଣିମାନେ ନା ସୁଲୋଚନାମାନେ? ମଦ ସେଇମିତି ଅଛି। ମଦଘଡ଼ା, ମଦ ବିରୋଧୀ ଆନ୍ଦୋଳନକାରୀ, ନିଶାମୁକ୍ତି ଅଭିଯାତ୍ରୀଙ୍କୁ ରାସ୍ତାରେ ପତାକା ଧରି ଯିବାର ଦେଖି ମୁଚୁମୁଚୁ ହସୁଚି। ଅନଶନ ଚାଲିଛି, ଲେଖାଲେଖି ଚାଲିଛି, ବୟାନବାଜି ଚାଲିଛି। ଏ କଥା କ’ଣ ଆଜି? ଗାନ୍ଧୀ ମହାତ୍ମା ସ୍ବାଧୀନତା ଆନ୍ଦୋଳନ ସମ୍ଭାଳିବା ଦିନୁ ମଦ ଦୋକାନ ଆଗରେ ପିକେଟି˚/ ଧାରଣା ଚାଲିଛି। ଏଣେ ଗାନ୍ଧୀଙ୍କ ପିକେଟି˚ ତେଣେ ତାଙ୍କ କୁଳନନ୍ଦନ ହରିଲାଲଙ୍କ ମଦଦୋକାନ ଜବରଦସ୍ତ-ମୁକୁଳା। ଏକା ସହର। କଲିକତା। ୧୯୨୧। ବାପା ସେଇଠି ପୁଅ ସେଇଠି। ମଦ କିନ୍ତୁ ଜିତିଲା ଓ ଏବଯାଏ ଜିତିଛି। ଗାନ୍ଧୀ ଗଲେଣି, ହରିଲାଲ ଗଲେଣି, ହେଲେ ମଦ ଅଛି। ମଦଘଡ଼ା ଯେ ହସୁଛି, ସେ ହସ ହେଉଛି ଶାସକର ହସ। ଶାସନ ପରେ ଶାସନ ବଦଳୁଛି। ବିଦେଶୀ ଯାଇ ଦେଶୀ ଆସିଛନ୍ତି। ସାମ୍ରାଜ୍ୟବାଦୀ ଶାସନ ଯାଇ ଉଦାର ଗଣତନ୍ତ୍ର ଆସିଛି। ଗାଆଁ ପୋଡ଼ି ପୋଛି ଯାଇ ସହରୀ ସଭ୍ୟତା ମୁଣ୍ତ ଟେକିଛି। କୃଷି ଉପରେ ଶିଳ୍ପ ହାକିମାତି କରିଛି। କରୋନା ଭଳି କୁନି ଭୂତାଣୁଟିଏ ଆସି ସବୁ ଓଲଟପାଲଟ କରି ଦେଇଛି। ତଥାପି ମଦ ଯେଉଁଠି ଥିଲା ସେଇଠି ଅଛି। ନା’ ଭୁଲ ହୋଇଗଲା, ଭାଟି ଓ ଦୋକାନରୁ ଆସି ସସମ୍ମାନ ଏବେ ହୋମ୍‌ ଡେଲିଭରିରେ ପହଞ୍ଚିଛି। ମଦ ହସୁଛି। ଶାସନ ସେବେ ଯେମିତି ହସୁଥିଲା ଏବେ ସେମିତି ହସୁଛି। ଚନ୍ଦ୍ରମଣିମାନଙ୍କର କଚେ ପୁଅ ବାର। ଫକୀରମୋହନଙ୍କ ଗଳ୍ପଟି ବାହାରିବା ପରେ ନା’ କାହାଣୀଟି ପ୍ରତି ମଦୁଆମାନଙ୍କର ବିରୋଧ କଥା ଉଠିଥିଲା ନା ମଦରୁ ଟିକସ ଉଠାଉଥିବା ସେତେବେଳର ବିଦେଶୀ ସରକାର ତାହାକୁ ନିଷିଦ୍ଧ କରିଥିଲେ। ଓଲଟି ବହୁ ଆଡ଼ୁ ବାହାବା ପାଇଥିଲେ ଫକୀରମୋହନ। ସମାଜ ତାଙ୍କର ଏ ଆବିଷ୍କାରକୁ ସମର୍ଥନ କରିଥିଲା। ଗଳ୍ପ ଆଧାରରେ ଏ ପେଟେଣ୍ଟ୍‌ ଔଷଧଟି ଯେ ସେତେବେଳେ କେଉଁଠି କେଉଁଠି ପ୍ରୟୋଗ ହୋଇନଥିବ ସେ କଥା ନୁହେଁ। ମାତ୍ର ରେକର୍ଡ ପତ୍ରରୁ ଘରୋଇ ହି˚ସାବୋଲି ଏହା କେଉଁଠି ଦରଜ ହୋଇନାହିଁ।

‘ସୁଲୋଚନା’ ଫକୀରମୋହନଙ୍କ ଗଢ଼ା କାହାଣୀ ପିତୁଳାଟିଏ। ଏ ପେଟେଣ୍ଟ୍‌ ଆବିଷ୍କାର ପ୍ରକୃତରେ ସ୍ବୟ˚ ଗାଳ୍ପିକଙ୍କର। ନିଶାପାଣି ପ୍ରତି ଦୁର୍ବଳତା ଥିବା ନିଜେ ସେ ଅନ୍ୟତ୍ର ସ୍ବୀକାର କରିଛନ୍ତି। ସେଇଥିପାଇଁ ତ କଥାଟା ଏତେ ଗରୁଆ! ଯେ ନିଶା କ’ଣ ଜାଣିନି, ତା’ ମଜା ଚାଖିନି, ତାହା ଏକ ସମ୍ଭ୍ରାନ୍ତ ପାନୀୟ ବା ତା’କୁ ପିଇଲେ ଚଉଦଭୁବନ ଦିଶେ ବୋଲି ଆବିଷ୍କାର କରିନି ସେ ମଦ ବିରୋଧରେ କହିଲେ କଥାଟା ପାଣିଚିଆ ଲାଗିବ ନିଶ୍ଚୟ। ହେଲେ ମଦ ପାଲରେ ପଡ଼ି ଯେ ମଦ ବିରୋଧରେ ପେଟେଣ୍ଟ୍‌ ଆବିଷ୍କାର କରିଛି ସେ ହିଁ ଧନ୍ୟବାଦାର୍ହ। ରାମଚନ୍ଦ୍ର ସକଳ ଐଶ୍ବର୍ଯ୍ୟ ଛାଡ଼ି ବନବାସ ଗଲେ। ବୁଦ୍ଧଦେବ ସ୍ତ୍ରୀ, ପିଲା, ରାଜସି˚ହାସନକୁ ନ ଅନାଇ ସନ୍ନ୍ୟାସ ନେଲେ। ସେଇଥିପାଇଁ ସେମାନେ ଦୀପ୍ତିସ୍ତମ୍ଭ। ଥିଲା ଓ ଛାଡ଼ିଛନ୍ତି। ଅତଏବ ସେମାନେ ଅଭିଜ୍ଞତାର ସୁନାମୁଣ୍ତା। ଫକୀରମୋହନଙ୍କ ‘ସୁଲୋଚନା’ ଓଡ଼ିଆ ନାରୀ ଜାତିର ପ୍ରତୀକ। ପ୍ରତିଟି ଓଡ଼ିଆ, ଓଡ଼ିଆ କାହିଁକି ପ୍ରତ୍ୟେକ ଭାରତୀୟ ଝିଅବୋହୂଙ୍କ ଭିତରେ ସୁଲୋଚନା ଦଣ୍ତାୟମାନା। ମଦ୍ୟପ ସ୍ବାମୀ ଯେଉଁଠି, ନିର୍ଯାତନା ସେଇଠି, ପ୍ରତିକାର ବି ହାତପାଆନ୍ତାରେ। ଅଥଚ ତା’ର ପ୍ରୟୋଗ ନାହିଁ।

‘ସୁଲୋଚନା’ ଯେମିତି ପ୍ରତୀକ, ‘ଝାଡ଼ୁପାହାର’ ବି ସେମିତି ଏକ ପ୍ରତୀକ। ସେତେବେଳକା ସମାଜ ଲାଗି ଝାଡ଼ୁପାହାରକୁ ହୁଏତ ଏକ ଔଷଧ ରୂପେ ବ୍ୟବହାର କରାଯାଇଥାଇପାରେ ମାତ୍ର ଆଜିକା ଘରୋଇ ହି˚ସା-ଆଇନ୍‌କାନୁନ୍‌ ଯୁଗରେ ତାହା ଗ୍ରହଣୀୟ ନୁହେଁ। ଏଇ ଝାଡ଼ୁ ପାହାର ଉପାଖ୍ୟାନରେ କିନ୍ତୁ ଅଛି ଆକ୍ରୋଶ ଓ ଆଦରର ଏକ ଚମତ୍କାର ମିଶ୍ରିତ ଧାରା। ନାରୀ ଯେମିତି ଭୀଷଣ ହୋଇପାରେ ସେମିତି କୋମଳ ବି ହୋଇପାରେ। ନାରୀ ଯେ ଅନେକ ସାମାଜିକ ସ˚ସ୍କାରର ଆବିଷ୍କର୍ତ୍ତ୍ରୀ ସେକଥା ସେନାପତି ମହାଶୟଙ୍କ ଗଳ୍ପର ଅସଲ ନାଦବିନ୍ଦୁ। ସରକାର ଭୁଲ କରିବେ। ସମାଜ ବିଶୃଙ୍ଖଳିତ ହେବ। ଘର ଫାଟିବ। ସେଇଥିପାଇଁ ତ ଶାସକ ଦଳ ସହ ଗଣତନ୍ତ୍ର ଯୋଡ଼ିଛି ବିରୋଧୀ ଦଳ। ପ୍ରକୃତି ସମାଜ ସଜାଡ଼ିବା ପାଇଁ କାଳେ କାଳେ ସ˚ସ୍କାରକମାନଙ୍କୁ ଜନ୍ମ ଦେଇଛି। ପରମ୍ପରା ଅନୁସାରେ ବାହାର ପରିବାରର ଝିଅଟିକୁ ଆଣି ଘରଣୀ କରି ପୂରା ହୋଇଛି। ଘର ଘରଣୀର। ‘ଘରଣୀ’ ଶବ୍ଦଟି ଆମେ ଆଜି ତିଆରି କରିନେ। ଏହା ଅନେକ କାଳର। ମହାଦେବ ଥାଉ ଥାଉ ଭୁଲଭଟକା ହେଲେ କ୍ଷିତିଶ୍ବରୀ ଯେ କ୍ଷଣରୂପା ଅଟ୍ଟହାସିନୀ ପାଲଟନ୍ତି ଏହା ଘରଣୀଙ୍କ ଟାଣପଣର ନମୁନା।

ଆଜି ବିରୋଧୀ ଦଳ କାଇଁ? ସ˚ସ୍କାରକ କାହାନ୍ତି? ଗଣତନ୍ତ୍ରରେ ଖବରକାଗଜମାନେ ସ˚ସ୍କାରକର ଭୂମିକା ନିର୍ବାହ କରନ୍ତି, ଦଣ୍ତ ଭୋଗନ୍ତି। କାହାନ୍ତି ସେମାନେ? ସୁଲୋଚନାଙ୍କ ଭଳି ଘରଣୀମାନେ ଏବେ କୁଆଡେ଼? ଫକୀରମୋହନଙ୍କ ପରେ ନୂଆ ଔଷଧ ଆବିଷ୍କାର କରି ପେଟେଣ୍ଟ୍‌ର ମାଲିକ ହେବାକୁ ସ୍ରଷ୍ଟା କାହାନ୍ତି?
ଏ ପ୍ରଶ୍ନଗୁଡ଼ିକ ଆତ୍ମଦହନକାରୀ ପ୍ରଶ୍ନ।
କରୋନା ଭୂତାଣୁ ପାଇଁ ଔଷଧ ଓ ଟିକା ଖୋଜିବାରେ ସମସ୍ତେ ବ୍ୟସ୍ତ। କାରଣ କରୋନା ଗ୍ରାସିଲେ ପ୍ରାଣ ଚାଲିଯିବ। ହେଲେ ମଦ ଯେ ଯୁଗ ଯୁଗ ଧରି ହି˚ସାର ଭୂତାଣୁ ମଡେ଼ଇ ସମାଜକୁ ଗ୍ରାସ କରି ଚାଲିଛି ତା’ର ପ୍ରତିକାର କାଇଁ?
ମଦ ଖାଇ ବାପ ପିଲାଟି ଆଗରେ ମାଆକୁ ନିର୍ମମ ପ୍ରହାର କରୁଛି। ପିଲା ଆଖିରେ ଠଳ ଠଳ ଲୁହ! ଅସହଣି ବେଦନା! କିଏ ତା’ର ଉପଶମ କରିବ? ମଦ ନେଇଯାଉଛି, ସ୍ବାମୀ, ରୋଜଗାରିଆ ପୁଅ, ଘର ଚଳାଉଥିବା ମୁରବି, ଘରର ମେରୁଦଣ୍ତ ବାପକୁ। ଘର ଉଜୁଡୁଛି, ସମାଜ ଉଜୁଡୁଛି। ସେଥିପାଇଁ ମେଡିସିନ୍‌ କାଇଁ?
ମନେ ରଖିବା ଆବଶ୍ୟକ ଯେ ତରୁଣୀ- ସୁଲୋଚନାମାନେ ଏବେ ମଦ ସାଙ୍ଗରେ। ଫକୀରମୋହନ ହାମୁଡ଼ି ପଡ଼ିଥାନ୍ତେ ଏ କଥା ଶୁଣି। ଚନ୍ଦ୍ରମଣି ଅବାଟକୁ ଗଲେ ସୁଲୋଚନା ସଜାଡ଼ିବେ। ମାତ୍ର ସୁଲୋଚନା ବୋତଲ ଧରିଲେ?
ସରକାର ସ˚ସ୍କାର ଆଣିବେ, ସେ କଥା ଭୁଲ। ଝାଡୁକୁ ନୂଆ ଭାବେ ଆବିଷ୍କାର କରିବାର ବେଳ ଆସିଛି। ସୁଲୋଚନାମାନେ ସମାଜର ଶତକଡ଼ା ପଚାଶ। ସେମାନେ ବାଲଟ୍‌ ଝାଡ଼ୁ ଧରିଲେ ସମାଜ ସ˚ସ୍କାରିତ ହେବାକୁ ବାଧୢ। ସଚେତନତା ଲୋଡ଼ା। ପେଟେଣ୍ଟ୍‌ ମେଡିସିନ୍‌ର ଜୟ ହେଉ।
ହେ! ସମାଜର ସୁଲୋଚନାମାନେ ନୂଆ ପ୍ରୟୋଗରେ ଧୢାନ ଦିଅନ୍ତୁ। ମଦ ଘରକୁ ଆସିଲାଣି। ଆପଣମାନେ ଘରଣୀ। ଘରଟି ଆପଣଙ୍କ ହାତରେ। ସମ୍ଭାଳିଲେ ସମ୍ଭାଳିବେ, ଉଜାଡ଼ିଲେ ଉଜାଡ଼ିବେ।
dashbenhur.53 @ gmail.com

ସମ୍ବନ୍ଧିତ ଖବର