ଗତ ଜୁନ୍ ୨୮ ତାରିଖରେ ‘ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ ବିଲ୍ ୨୦୨୩’ (ଏନ୍.ଆର୍.ଏଫ୍. ୨୦୨୩)କୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ଅନୁମୋଦିତ କରିଛନ୍ତି। ଏହି ବିଲ୍ଟି ସଂସଦର ଅନୁମୋଦନ ଲାଭ କରିବା ପରେ ଜାତୀୟ ଶିକ୍ଷା ନୀତିର ସୁପାରିସ ଅନୁଯାୟୀ ଆମ ଦେଶର ଅନୁସନ୍ଧାନ କ୍ଷେତ୍ରକୁ ଏକ ନୂଆ ରଣନୈତିକ ଦିଗନ୍ତ ପ୍ରଦାନ କରିବା ନିମନ୍ତେ ‘ଏନ୍.ଆର.ଏଫ୍’ ପ୍ରତିଷ୍ଠା ହେବ, ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ (୨୦୨୩-୨୦୨୫) ମଧ୍ୟରେ ମୋଟ ୫୦,୦୦୦ କୋଟି ଟଙ୍କାର ନିବେଶ ହେବ। ଏହି ସଂସ୍ଥାନ ଭାରତର ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଏବଂ ଅନୁସନ୍ଧାନ ଓ ବିକାଶ (ଆର୍ ଆଣ୍ଡ୍ ଡି) ପରୀକ୍ଷାଗାର ଗୁଡ଼ିକରେ ଉତ୍ତମ ଅନୁସନ୍ଧାନ ଏବଂ ଉଦ୍ଭାବନର ବାତାବରଣ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେବ ବୋଲି କୁହାଯାଉଛି।
‘ଏନ୍.ଆର.ଏଫ୍’ ଶିଳ୍ପ, ଶିକ୍ଷା, ସରକାରୀ ବିଭାଗ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ସ୍ଥାପନ କରିବ। ଏହା ବିଜ୍ଞାନ, ତତ୍ ସମ୍ବନ୍ଧୀୟ ମନ୍ତ୍ରଣାଳୟମାନ ତଥା ରାଜ୍ୟ ସରକାରଗୁଡ଼ିକର ଏକକ ଯୋଗଦାନ ଓ ଅବଦାନ ପାଇଁ ଏକ ମାଧ୍ୟମ ସୃଷ୍ଟି କରିବ। ଏହା ନୀତିଗତ ଢାଞ୍ଚା ସୃଷ୍ଟି କରିବା ସହ ନିୟାମକ ପ୍ରକ୍ରିୟା ସ୍ଥାପନ ଉପରେ ଧ୍ୟାନ ଦେବ ଯାହା ଦ୍ୱାରା ଶିଳ୍ପାନୁଷ୍ଠାନଗୁଡ଼ିକ ଅନୁସନ୍ଧାନରେ ସହଯୋଗ ଓ ନିବେଶ କରିବା ପାଇଁ ଉତ୍ସାହିତ ହେବେ।
ଆମେରିକାର ଜାତୀୟ ବିଜ୍ଞାନ ସଂସ୍ଥାନର ତଥ୍ୟ ଅନୁଯାୟୀ, ବୈଜ୍ଞାନିକ ପ୍ରକାଶନରେ ଭାରତ ସମଗ୍ର ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ୨୦୨୦ର ତଥ୍ୟ ଅନୁଯାୟୀ ଭାରତୀୟ ଗବେଷକମାନେ ବିଜ୍ଞାନ, ଯାନ୍ତ୍ରିକ ଓ ପ୍ରୌଦ୍ୟୋଗିକ ଜର୍ଣ୍ଣାଲ (ପତ୍ରିକା)ରେ ସମୁଦାୟ ୧,୪୯,୨୧୩ଟି ଗବେଷଣାତ୍ମକ ଆଲେଖ୍ୟ ପ୍ରକାଶ କରିଛନ୍ତି, ଯାହା ଏକ ଦଶନ୍ଧି ପୂର୍ବରୁ ହୋଇଥିବା ପ୍ରକାଶନର ପ୍ରାୟ ଅଢ଼େଇ ଗୁଣରୁ ଅଧିକ। ବିଶ୍ୱର ସମସ୍ତ ଗବେଷଣାତ୍ମକ ଆଲେଖ୍ୟ ପ୍ରକାଶନ କ୍ଷେତ୍ରରେ ଚୀନା ଗବେଷକମାନେ ୨୩% ଯୋଗଦାନ କରୁଥିବା ବେଳେ, ଆମେରିକାର ଗବେଷକମାନେ ୧୫.୫% ଯୋଗଦାନ କରିଥାନ୍ତି। ଭାରତୀୟ ଗବେଷକମାନେ ମାତ୍ର ୫% ପ୍ରତିଶତ ଯୋଗଦାନ କରିଥାନ୍ତି। ୧୯୮୦ ମସିହାରେ ଚୀନ୍, ଭାରତ ତୁଳନାରେ ବହୁତ କମ୍ ଗବେଷଣାତ୍ମକ ଆଲେଖ୍ୟ ପ୍ରକାଶ କରିଥିଲା। ଆଜି କିନ୍ତୁ ଚୀନ୍ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଭାବେ ଭାରତକୁ ପଛରେ ପକାଇ ସର୍ବାଗ୍ରେ ରହିଛି। ସେହିପରି ଗବେଷଣାତ୍ମକ ଆଲେଖ୍ୟର ସାଇଟେସନ୍ କ୍ଷେତ୍ରରେ ଭାରତର ସ୍ଥାନ ନବମ, ପେଟେଣ୍ଟ ଫାଇଲ୍ଂ କ୍ଷେତ୍ରରେ ଷଷ୍ଠ ଏବଂ ଉଭାବନ କ୍ଷେତ୍ରରେ ୪୦ତମ ରହିଛି। ଭାରତ ୨୦୨୧ ରେ ୬୧,୫୭୩ଟି ପେଟେଣ୍ଟ ଫାଇଲ୍ କରିଥିବା ବେଳେ, ଚୀନ୍ ଓ ଆମେରିକା ଯଥାକ୍ରମେ ୧୫,୮୫,୬୬୩ ଓ ୫,୯୧,୪୭୩ଟି ପେଟେଣ୍ଟ ଫାଇଲ୍ କରିଛନ୍ତି। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ୨୦୨୧ର ତଥ୍ୟ ଅନୁଯାୟୀ, ଭାରତର ସମୁଦାୟ ୨୫,୫୫୦ ଗବେଷକ ଡକ୍ଟରେଟ୍ ଡିଗ୍ରି ହାସଲ କରିଥିଲେ। ତନ୍ମଧ୍ୟରୁ କେବଳ ୧୪,୯୧୩ ଗବେଷକ ବିଜ୍ଞାନ ଓ ଇଞ୍ଜିନିୟରିଂ ବିଭାଗର। ଏହି କ୍ଷେତ୍ରରେ ମଧ୍ୟ ଆମେରିକା ଓ ଚୀନ୍ ଭାରତ ଠାରୁ ବହୁ ଆଗରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ସ୍ଥାନ ତୃତୀୟ ହେଲେ ହେଁ ଭାରତର ବୃହତ୍ ଜନସଂଖ୍ୟା ଦୃଷ୍ଟିରୁ ତାହା ଆଦୌ ପ୍ରଭାବଶାଳୀ ନୁହେଁ। ବାସ୍ତବରେ ପ୍ରତି ନିୟୁତ ଜନସଂଖ୍ୟାରେ ଗବେଷକଙ୍କ ସଂଖ୍ୟା ଭାରତରେ ୨୬୨ ହୋଇଥିଲା ବେଳେ, ଇସ୍ରାଏଲରେ ତାହା ୮୩୪୨, ଆମେରିକାରେ ୪୮୨୧, ଚୀନ୍ରେ ୧୫୮୫, ବ୍ରାଜିଲରେ ୮୮୮, ଦକ୍ଷିଣ ଆଫ୍ରିକାରେ ୪୮୪ ଏବଂ ମେକ୍ସିକୋରେ ୩୪୯। ସେହିପରି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ୨୦୨୧ର ତଥ୍ୟ ଅନୁଯାୟୀ, ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ କାମ କରୁଥିବା ୩,୬୧,୯୨୪ ବୈଜ୍ଞାନିକ ଓ ଗବେଷକଙ୍କ ମଧ୍ୟରେ ମାତ୍ର ୬୭,୪୪୧ ଜଣ ମହିଳା ଗବେଷକ ଅଛନ୍ତି। ଆମ ଦେଶରେ ସମୁଦାୟ ବୈଜ୍ଞାନିକ ଗବେଷକଙ୍କ ମଧ୍ୟରୁ ମାତ୍ର ୧୮ ପ୍ରତିଶତ ମହିଳା ଥିବା ବେଳେ ବିଶ୍ବ ସ୍ତରରେ ଏହି ହାର ୩୩ ପ୍ରତିଶତ ରହିଛି। ଏସବୁର କାରଣ ଜାଣିବା ପାଇଁ କିଛି ତଥ୍ୟ ଉପରେ ନଜର ପକାଇବା।
ଅନୁସନ୍ଧାନ ଓ ବିକାଶରେ ବ୍ୟୟ ହେଉଛି ଏକ ରାଷ୍ଟ୍ରର ବୈଷୟିକ ପରିବର୍ତ୍ତନ, ନବସୃଜନ ଏବଂ ଆର୍ଥିକ ପ୍ରଗତିର ସୂଚକ। ମୌଳିକ, ବ୍ୟାବହାରିକ ଓ ବିକାଶ- ଅନୁସନ୍ଧାନର ଏହିପରି ତିନିଟି ପ୍ରକାର ଭେଦ ରହିଛି। ନବସୃଜନ ଏବଂ ଆର୍ଥିକ ପ୍ରଗତିକୁ ସୁଗମ କରିବା ପାଇଁ ଏକ ରାଷ୍ଟ୍ର ଏହି ତିନିଟି ବିଭାଗରେ ନିବେଶ କରିବା ନିତାନ୍ତ ଆବଶ୍ୟକ।
ୟୁନେସ୍କୋ ସାଇନ୍ସ-୨୦୨୧ର ତଥ୍ୟରୁ ଜଣାପଡ଼େ ଯେ ୧୫ଟି ଦେଶ ମୋଟ ଘରୋଇ ଉତ୍ପାଦର (ଜିଡିପି) ୨ ପ୍ରତିଶତରୁ ଅଧିକ ‘ଆର୍ ଆଣ୍ଡ ଡି’ କ୍ଷେତ୍ରରେ ବ୍ୟୟ କରୁଥିବା ବେଳେ, ୩୭ଟି ଦେଶ ୧ ପ୍ରତିଶତରୁ ଅଧିକ ବ୍ୟୟ କରିଥାନ୍ତି। ବିଶ୍ୱ ଜିଡିପିର ହାରାହାରି ୧.୭୯ ପ୍ରତିଶତ ‘ଆର୍ ଆଣ୍ଡ ଡି’ କ୍ଷେତ୍ରରେ ବ୍ୟୟ ହେଉଥିବା ବେଳେ ଆମ ଦେଶ ଜିଡିପିର ମାତ୍ର ୦.୬୫ ପ୍ରତିଶତ ବ୍ୟୟ କରିଥାଏ। ଏଠାରେ ସୂଚନାଯୋଗ୍ୟ ଯେ ଭାରତରେ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ପ୍ରୋତ୍ସାହନ ଆର୍ଥିକ ଉଦାରୀକରଣ ପରେ ହିଁ ସଂଘଟିତ ହୋଇଥିଲା। ୧୯୯୦-୯୧ରେ ଅନୁସନ୍ଧାନ ଓ ବିକାଶରେ ଭାରତ ସରକାରଙ୍କ ଖର୍ଚ୍ଚ ଜିଡିପିର ୦.୬% ଥିଲା ଯାହା ୨୦୦୦ ମସିହାରେ ବୃଦ୍ଧି ପାଇ ୦.୭%ରେ ପହଞ୍ଚିଲା ଏବଂ ସେବେଠାରୁ ଏହି ହାର ପ୍ରାୟ ସ୍ଥିର ରହିଛି। ଫର୍ଚ୍ୟୁନ୍ ଇଣ୍ଡିଆ ୨୦୨୨ ରିପୋର୍ଟ ଅନୁଯାୟୀ ସମ୍ପ୍ରତି ଭାରତ ଅନୁସନ୍ଧାନ ଓ ବିକାଶ ପାଇଁ ମୁଣ୍ଡ ପିଛା ମାତ୍ର ୪୩ ଡଲାର ଖର୍ଚ୍ଚ କରୁଛି, ଯାହା ଚୀନ୍ (୩୬୮ ଡଲାର) ଓ ରୁଷିଆ (୨୮୫ ଡଲାର) ଭଳି ପ୍ରତିପକ୍ଷଙ୍କ ଠାରୁ ଢେର୍ କମ୍। ଏହାର ଅର୍ଥ ନୁହେଁ ଯେ ଭାରତରେ ଗବେଷଣା ପାଇଁ ଅନୁଦାନ ରାଶି ବୃଦ୍ଧି ପାଇ ନାହିଁ। ଗବେଷଣା କ୍ଷେତ୍ରରେ ବିଗତ ୧୫ ବର୍ଷରେ ତିନିଗୁଣରୁ ଅଧିକ ବ୍ୟୟ ବରାଦ କରାଯାଇଛି। କିନ୍ତୁ ଭାରତର ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲେ ହେଁ, ସେହି ଅନୁପାତରେ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ଅନୁଦାନ ବୃଦ୍ଧି ପାଇନାହିଁ। ଅନ୍ୟ ଅଗ୍ରଣୀ ଦେଶମାନଙ୍କରେ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ବ୍ୟୟ ଅଭିବୃଦ୍ଧି ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇଥିବା ବେଳେ ଭାରତରେ ତାହା ପରିଲକ୍ଷିତ ହୁଏ ନାହିଁ। ତେଣୁ ‘ଏନ୍.ଆର୍.ଏଫ୍.’ ଜିଡିପିର ଅଭିବୃଦ୍ଧି ଏବଂ ଅନୁସନ୍ଧାନ ଓ ବିକାଶକୁ ମିଳୁଥିବା ଅନୁଦାନ ରାଶି ମଧ୍ୟରେ ରହିଥିବା ବିଶାଳ ତାରତମ୍ୟକୁ ସୁଧାରିବା ପାଇଁ ଉଦ୍ୟମ କରିବ ବୋଲି ଆଶା କରାଯାଏ।
ସବୁ ସମୃଦ୍ଧ ଦେଶରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ମୌଳିକ ଗବେଷଣାର କେନ୍ଦ୍ରସ୍ଥଳୀ ଭାବେ ଜଣାଶୁଣା। ସେଠାରେ ଶିକ୍ଷାଦାନ ଓ ଗବେଷଣା ସମାନ୍ତରାଳ ଭାବେ ଚାଲିଥାଏ। କିନ୍ତୁ ଆମ ଦେଶରେ ଅଧିକାଂଶ ଅନୁବନ୍ଧିତ ମହାବିଦ୍ୟାଳୟ ସମେତ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଡିଗ୍ରି ପ୍ରଦାନକାରୀ ସଂସ୍ଥା ଭାବେ ପରିଗଣିତ ହୋଇଥାନ୍ତି। କିଛି ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନକୁ ବାଦ ଦେଲେ ପ୍ରାଦେଶିତ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଗବେଷଣାର ଗୁଣାତ୍ମକ ମାନ ଅତ୍ୟନ୍ତ ନିମ୍ନମାନର ବୋଲି ବିଶ୍ୱାସ କରାଯାଏ। ବର୍ତ୍ତମାନ ଭାରତରେ ୪୦୦୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଅଛି। ଏନ୍.ଆର୍.ଏଫ୍. ଆଧାରିତ ବିସ୍ତୃତ ତଥ୍ୟ ଅନୁଯାୟୀ, ଏଥି ମଧ୍ୟରୁ ମାତ୍ର ଏକ ପ୍ରତିଶତ ସକ୍ରିୟ ଗବେଷଣାରେ ନିୟୋଜିତ ଅଛନ୍ତି। ଭାରତ ସ୍ୱାଧୀନତାର ୭୬ ବର୍ଷ ପୂରଣ କରିଥିବା ବେଳେ ଦେଶରେ ଶିକ୍ଷାଦାନର ମାନ ଓ ଗବେଷଣା କ୍ଷେତ୍ରରେ ଏଇଭଳି ସ୍ଥିତି ଅତ୍ୟନ୍ତ ଦୁଃଖଦାୟକ। ସ୍ୱାଧୀନ ଭାରତରେ ନୂତନ ଭାବେ ଗଠିତ ସରକାର ଆମ ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ, ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ଠାରୁ କିପରି ପୃଥକ୍ ଭାବେ ଗବେଷଣା କରାଯାଇପାରିବ ଅନୁମାନ କରି ନୂତନ ସଂସ୍ଥାନ ମାନ ତିଆରି କରି ଚାଲିଲେ ଯାହା ଫଳରେ ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ (ସି.ଏସ୍.ଆଇ.ଆର.), ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇ.ସି.ଏସ୍.ଆର୍.), ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍ଆର୍) ସଂସ୍ଥା ମାନ ଗଢ଼ି ଉଠିଲା। ପରବର୍ତ୍ତୀ ସମୟରେ ମଧ୍ୟ ଅନେକ ଛୋଟ ଛୋଟ ସ୍ୱତନ୍ତ୍ର ଶିକ୍ଷନୁଷ୍ଠାନ ଗଢ଼ା ହୋଇଛି। ସ୍ନାତକ ସ୍ତରରେ ବିଜ୍ଞାନ ଶିକ୍ଷାଦାନ ସହିତ ମୌଳିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା କିପରି ସମାନ୍ତରାଳ ଭାବେ ଚାଲିପାରିବ ତାହାକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୦୬ରେ ସାତଟି ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥା (ଆଇଜର) ସ୍ଥାପନା କଲେ। ପରବର୍ତ୍ତୀ ସମୟରେ ମଧ୍ୟ ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନ ଗଠନ କରାଗଲା। କିନ୍ତୁ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ସହିତ ଉତ୍ତମ ମାନର ଗବେଷଣା କିପରି ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଗଲା ନାହିଁ। ଗବେଷଣା ଓ ଶିକ୍ଷାଦାନ ସର୍ବଦା ସମାନ୍ତରାଳ ଭାବେ ଚାଲିବା ଦରକାର। ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ମୁଦ୍ରା ହେଲେ, ଗବେଷକ ଓ ଶିକ୍ଷକ ତାହାର ଦୁଇଟି ପାର୍ଶ୍ୱ। ବିଖ୍ୟାତ ରସାୟନ ବିଜ୍ଞାନୀ ଗୌତମ ରାଧାକୃଷ୍ଣନ ଦେଶୀରାଜୁ ଏକଦା କହିଥିଲେ- ଅନୁସନ୍ଧାନ ଶୂନ୍ୟ ଶିକ୍ଷାଦାନ ସ୍ଥିର ଜଳର ପୋଖରୀ ସହିତ ସମାନ, ଯେଉଁଠାରେ ଜଳ କାଳକ୍ରମେ ଦୂଷିତ ହୋଇଯାଏ। ଅପରପକ୍ଷେ ଶିକ୍ଷାଦାନ ବିନା ଅନୁସନ୍ଧାନ ମରୁଭୂମିର ମୃଗତୃଷ୍ଣା ସହିତ ସମାନ। ଆମକୁ ଲାଗେ ସାମ୍ନାରେ ପାଣି ଅଛି, ହେଲେ ବାସ୍ତବରେ ତାହା କେବଳ ମରୁବାଲି। ଭାରତୀୟ ବିଜ୍ଞାନ ଓ ଅନୁସନ୍ଧାନ କ୍ଷେତ୍ରରେ ଏହା ଏକ ବ୍ୟାଧି ଯାହାକୁ ‘ଏନ୍.ଆର୍.ଏଫ୍.’ ସୁଧାରିବା ପାଇଁ ଉଦ୍ୟମ କରିବ ବୋଲି ଆଶା ଓ ବିଶ୍ୱାସ।
ମୋ: ୭୮୯୦୫୬୧୭୯୮
ଉଚ୍ଚଶିକ୍ଷାରେ ଗବେଷଣା ମହତ୍ତ୍ବ ପାଉ
ଜ୍ଞାନରଞ୍ଜନ ପଣ୍ଡା
/sambad/media/post_attachments/wp-content/uploads/2023/08/6f4h6f4fh64fh65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)