ଭୋଜନ ଓ ଉପବାସ- ଦୁଇଟି ପରସ୍ପର ବିରୋଧୀ ବିଷୟ ହେଲେ ମଧ୍ୟ ଉଭୟର ସଂପର୍କ ପେଟ ସହିତ। ପେଟର କଥା ଉଠିଲେ ଭୋକର କଥା ସ୍ବତଃ ମନକୁ ଆସେ। ଭୋଜନ ଓ ଉପବାସ ରହିଥାନ୍ତି ଭୋକର ଦୁଇ ପାର୍ଶ୍ବରେ। ମନୁଷ୍ୟ ଯାହା ବି କରେ ତା’ର କେନ୍ଦ୍ରରେ ଥାଏ ପେଟର ଭୋକ। ପେଟ ପାଇଁ ନାଟ କରୁକରୁ ପେଟ ମାଧ୍ୟମରେ ନାଟ ହୋଇଯାଏ। ଆମେ ଖାଇବା ପାଇଁ ବଞ୍ଚିନଥାଉ କି ବଞ୍ଚିବା ପାଇଁ ଖାଇନଥାଉ। ଆମର ଖାଇବା କେବଳ ଭୋକ ମେଣ୍ଟାଇବା ପାଇଁ। ଇଚ୍ଛା ହିଁ ହେଉଛି ଆମର ଭୋକ। ଇଚ୍ଛା ନଥିଲେ ଭୋକ ନାହିଁ। ଇଚ୍ଛା ହେଉଛି ପାଇବାର ଲାଳସା ବା ଲୋଭର ଉପସର୍ଗ। ପେଟରେ ଭୋକ ଥିଲେ ସବୁ ଖାଦ୍ୟ ଆନନ୍ଦପ୍ରଦ। ଭୋକରୁ ହିଁ ଉତ୍ପନ୍ନ ହୁଏ ଭୋଗ କରିବାର ଇଚ୍ଛା। ଉପବାସ ଅଥବା ଅନଶନ, ସବୁ ସେଇ ଭୋକ ମେଣ୍ଟାଇବାର ବାହାନା।
ଅସୁସ୍ଥ ସମୟକୁ ଛାଡ଼ିଦେଲେ ମନୁଷ୍ୟ ସାଧାରଣତଃ ତିନିଟି ପରିସ୍ଥିତିରେ ପେଟକୁ ଭୋକିଲା ରଖି ଉପବାସରେ ରହେ। ଧାର୍ମିକ ଉପବାସ, ଅନଶନ ସତ୍ୟାଗ୍ରହ ଏବଂ ତୃତୀୟଟି ପେଟକୁ ଖାଦ୍ୟ ନମିଳିବା ସ୍ଥିତିରେ। ପାଖରେ ଖାଦ୍ୟର ବ୍ୟବସ୍ଥା ଥାଇ କ’ଣ ଭୋକିଲା ରହିପାରିବା ସମ୍ଭବ? ଧାର୍ମିକ ଉପବାସର କଥା ଦେଖାଯାଉ। ଭଗବାନଙ୍କ ମହିମାରୁ ଭୋକର ସୃଷ୍ଟି ଓ ତାଙ୍କରି ମହିମାରୁ ଖାଦ୍ୟର ମଧ୍ୟ ସୃଷ୍ଟି। ଆମେ କେବଳ ତାଙ୍କର ମହିମାକୁ ନିଜ ସ୍ବାର୍ଥରେ ଲଗାଇବାକୁ ଉପବାସ କରୁ। ପେଟକୁ ଭୋକରେ ଆଉଟେଇଲେ ଭଗବାନ ଦାବି ପୂରଣ କରିବେ। ତଥାପି ଭୋକକୁ ଜିତିବା କଷ୍ଟ ହୁଏ। ଉପବାସରେ କେବଳ ଖାଦ୍ୟର ପରିବର୍ତ୍ତନ ହୁଏ ସିନା ପେଟ ଭୋକରେ ରହେନି। ନିୟମିତ ଭୋଜନ ଦୁଇ ହଜାର କ୍ୟାଲୋରି ବିଶିଷ୍ଟ ହେଲେ ଉପବାସରେ ଖାଦ୍ୟ ପରିବର୍ତ୍ତନ କରି, ଫଳମୂଳ ଖାଇ ଚାରି ହଜାର କ୍ୟାଲୋରି ପେଟକୁ ଯାଏ। ଅନ୍ୟ ଏକ ଧର୍ମାବଲମ୍ବୀଙ୍କର ଉପବାସର ପରିଭାଷା ଅଲଗା। ମାଂସ ଖାଇବା ଛଡ଼ା ଉପବାସରେ ମାଛ ଇତ୍ୟାଦି ବାକିସବୁ ଚଳେ। ଅନ୍ୟ ଏକ ଧର୍ମ ଏ ବାବଦରେ ସାମାନ୍ୟ କଠୋର। ସୂର୍ଯ୍ୟ ଉଦୟଠାରୁ ଅସ୍ତ ଯିବା ପର୍ଯ୍ୟନ୍ତ ଅନ୍ନ, ଜଳ ସବୁକିଛି ବାରଣ, ସୂର୍ଯ୍ୟାସ୍ତ ପରେ ଅଥବା ସୂର୍ଯ୍ୟୋଦୟ ପୂର୍ବରୁ ଯାହା ପାଉଛ, ଯେତେ ପାରୁଛ ଖାଇ ଉପବାସ କର।
ଦ୍ୱିତୀୟ ପ୍ରକାର ଉପବାସର ଅନ୍ୟ ନାମ ଅନଶନ। ରାଜନୈତିକ ଉପବାସ। ପେଟକୁ ମୃତ୍ୟୁ ପର୍ଯ୍ୟନ୍ତ ଭୋକିଲା ରଖି ଦାବି ପୂରଣ ହେବା ପର୍ଯ୍ୟନ୍ତ ମଞ୍ଚ ଉପରେ ଫୁଲମାଳ ପକାଇ ବସିରହିବା। ସେମାନେ କହନ୍ତି ଏ ଅନଶନ ଭୋକିଲାମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ। ପୂର୍ବ କାଳରେ ରଜାଘର ଝିଅ ପିତାମାତାଙ୍କ ଠାରୁ ନିଜର ଦାବି ପୂରଣ କରାଇବାକୁ ‘ମୂଷା ଲଣ୍ଡି ପଣପଣ ଓ ବିଲେଇ ମଳ ଭଣଭଣ’ ଅନ୍ଧାରିଆ କୋଠରିଟିଏ ବାଛିନେଇ ସେହିଠାରେ ଶୋଇରହି ଅନଶନ କରୁଥିଲା। ଅନ୍ନ ଜଳ ସ୍ପର୍ଶ କରୁନଥିଲା। ଏବକାର ଅନଶନ ସତ୍ୟାଗ୍ରହ ମଞ୍ଚ ଉପରେ ଶୋଇ, ମଝିରେ ମଝିରେ ଶୌଚାଳୟ ଯିବାର ବାହାନାରେ କିଛି ବିରିୟାନି ଉଦରସ୍ଥ କରିବା। ଦାବି ପୂରଣ ହୁଏ କି ନାହିଁ ସେକଥା ଅଲଗା, କିନ୍ତୁ ପେଟ ଖାଲି ରହେନି କି ମରଣ ମଧ୍ୟ ଆସେନି। ଜଣେ ନେତା ଆମର ଦୁର୍ନୀତି ବିରୋଧରେ ଏପରି ଅନଶନ କରି ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଗଲେ। ଏବେ ସେଇ ଏକା ଦୁର୍ନୀତିର ଅଭିଯୋଗରେ ଜେଲ୍‌ରେ ରହି ଉପବାସ ଉପରେ ଗବେଷଣା କରୁଛନ୍ତି। ଅନଶନ କରି ମୁଖ୍ୟମନ୍ତ୍ରୀ ହେବା ଯଦି ସମ୍ଭବ, ପେଟପୂରା ଭୋଜନ କରି ଜେଲ୍‌ରୁ ମଧ୍ୟ ମୁକ୍ତି ମିଳିପାରିବ। ସ୍ବିଡେନର ରାଜା ଆଡଲଫ୍ ଫ୍ରେଡରିକ୍ ମରିବା ପାଇଁ ଥରକେ ବାଇଶ ପ୍ରକାରର ଖାଦ୍ୟ ଖାଇଥିବା ପରି ଆମର ଏ ମୁଖ୍ୟମନ୍ତ୍ରୀ ଜେଲ୍‌ରେ ଏବେ ମଧୁମେହ ରୋଗର ମାତ୍ରା ବଢ଼ାଇବାକୁ ଶର୍କରାବର୍ଦ୍ଧକ ଖାଦ୍ୟ ପେଟ ଭରି ଖାଉଛନ୍ତି। ମଧୁମେହ ବଢ଼ିଗଲେ ଚିକିତ୍ସା ପାଇଁ ଜାମିନ ମଧ୍ୟ ମିଳିଯିବ। ଭୋଜନକୁ ନେଇ ଏ ପରୀକ୍ଷାଟି ତାଙ୍କର ସଫଳ ହେଲେ ଏଣିକି ଆମରଣ ଅନଶନ ସତ୍ୟାଗ୍ରହ ବଦଳରେ ଆମରଣ ଭୋଜନ ସତ୍ୟାଗ୍ରହ ଲୋକପ୍ରିୟ ହୋଇଯିବ। ଉପବାସ ହେଉ କି ଅନଶନ, ଖୋଦ ରାଜନୀତିଟା ଏ ଦେଶରେ ଖାଇବାର ଏକ ସ୍ବତନ୍ତ୍ର ବିଜ୍ଞାନ।
ତୃତୀୟ ଭୋକିଲା ପେଟମାନଙ୍କର ଗୋଟିଏ ଦଳ ବସିଛନ୍ତି ପାଚେରିର ଅପର ପାର୍ଶ୍ବରେ। ଏମାନେ ଉପବାସ ବା ଅନଶନର ଅର୍ଥ ବୁଝନ୍ତିନି। ପେଟ ଏମାନଙ୍କର ସଦା ଭୋକିଲା। ପେଟ ଭିତରେ ଯାହାର ‘ହଙ୍ଗର୍’ ସର୍ବଦା ‘ଷ୍ଟ୍ରାଇକ୍’ କରୁଥିବ ସେ ‘ହଙ୍ଗର ଷ୍ଟ୍ରାଇକ୍‌’ର ଅର୍ଥ କ’ଣ ବୁଝିବ? ମନ ଚାହୁଁଥିବ ଜିଇଁ ରହିବାକୁ, ଜୀବନ ଏଣେ ମନାସୁଥିବ ମୃତ୍ୟୁ ଆସିଯାଆନ୍ତା କି! ବୈଶ୍ବିକ କ୍ଷୁଧାର ସାରଣୀରେ ଦେଶ ଆମର ସର୍ବମୋଟ ଏକ ଶହ ପଚିଶରୁ ଏକ ଶହ ଏଗାରତମ ସ୍ଥାନରେ। ଦେଶରେ ଊଣେଇଶ କୋଟି ଲୋକ ଭୋକିଲା। କଥାରେ କହନ୍ତି ‘ନିଦ ନଜାଣେ ଭଙ୍ଗା ଖଟ, ଭୋକ ନଚିହ୍ନେ ଅଇଁଠା ଭାତ’। ଅଇଁଠା ଭାତ ମୁଠାଏ ବି ଏମାନଙ୍କୁ ମିଳୁଛି କେଉଁଠି! ପାଚେରି ଏପଟେ ଉପବାସ ଓ ଅନଶନରେ ବସିଥିବା ପେଟମାନଙ୍କର ଅଦୂରରେ ଅପେକ୍ଷା କରିଥାଏ ଫଳରସର ଗ୍ଲାସ ଏବଂ ଦିବ୍ୟ ଭୋଜନର ଥାଳି। କିନ୍ତୁ ପାଚେରି ଆରପଟର ଏ ଚିର ଉପବାସୀମାନଙ୍କ ଜୀବନ ତ ବରଫ ଖଣ୍ଡ ପରି। ଅତୀତଟା ଥିଲା ପାଣି, ଭବିଷ୍ୟତ ବି ପାଣି। ବର୍ତ୍ତମାନକୁ ନେଇ କେଉଁଥିପାଇଁ ସ୍ବପ୍ନ ଦେଖିବେ?
କ୍ଷୁଧାକୁ ବୁଝିପାରିବା ସମାଜକୁ ବୁଝିବାର ଚାବିକାଠି। ବଞ୍ଚିବାର କଳା ହେଉଛି କ୍ଷୁଧାକୁ ପରିଚାଳନା କରିପାରିବାର କଳା। କ୍ଷୁଧା କେବଳ ବ୍ୟକ୍ତି ସହିତ ନୁହେଁ, ସମଗ୍ର ସଂସାର ସହିତ ଯୋଡ଼ିହୋଇ ରହିଛି। ସୌଖୀନ ଉପବାସ ଓ ଅନଶନରେ ଫୁଲମାଳ ପକାଇ ବସୁଥିବା ବ୍ୟକ୍ତିମାନେ ପାଚେରି ସେପାଖ ପେଟର କ୍ଷୁଧାକୁ ଚିହ୍ନିପାରିବେନି। କଳା ଚଷମା ଲଗାଇ କଳା ରଙ୍ଗକୁ କ’ଣ ଚିହ୍ନି ହୁଏ କି? “କୁଛ୍ ଲୋଗ୍ ଇତନା ଖାତେହୈଁ କି ଉହ୍ନେ ଭୁଖ୍ ଲଗତି ନହିଁ/କୁଛ୍ ଲୋଗ୍ ଇତନା ଖାତେହୈଁ ଫିରଭି ଭୁଖ୍ ମିଟତି ନହିଁ।” କିଛି ଲୋକ ଏତେ ଖାଆନ୍ତି ଯେ ସେମାନେ ଭୋକ କ’ଣ ଜାଣନ୍ତିନି, କିଛି ଲୋକ ଯେତେ ଖାଇଲେ ମଧ୍ୟ ସେମାନଙ୍କର ଭୋକ ଶାନ୍ତ ହୁଏନି।” ପାଚେରି ସେପାଖର ମଣିଷଟି ପାପୀ ପେଟକୁ ଅନାଇଁ ଭାବୁଥାଏ, ‘ଏଥିରୁ ଆମର ଯାଏ କେତେ ଆସେ ବା କେତେ’?
ମୋ: ୯୩୩୭୬୪୮୬୩୪