ଓଡ଼ିଶାରେ ଅନେକ ପୂର୍ବରୁ ‘ହୀରା ସିମେଣ୍ଟ’ ଏବଂ ‘ଇଡକଲ ସିମେଣ୍ଟ’ ମିଳୁଥିଲା। ଏବେ ତାହା ନାହିଁ। ଅଥଚ, ଏବେ ରାଜ୍ୟରେ ମିଳୁଥିବା ବିଭିନ୍ନ ସିମେଣ୍ଟ ବ୍ରାଣ୍ଡ ବିଗତ ୨୫ ବର୍ଷ ତଳେ ପ୍ରାୟତଃ ଓଡ଼ିଶା ବଜାରରେ ନ ଥିଲା। ଏବେ ଏଭଳି ସିମେଣ୍ଟ ବ୍ରାଣ୍ଡର ଭିଡ଼ ଭିତରେ ଉପରୋକ୍ତ ଦୁଇଟି ବ୍ରାଣ୍ଡ ଯେମିତି ହଜି ଯାଇଛି। ‘ଇଡକଲ’ ଏବଂ ‘ହୀରା’ ସିମେଣ୍ଟ ରାଜ୍ୟ ସରକାରଙ୍କ ସଂସ୍ଥା ‘ଇଡକୋ’ ବା (ଇଣ୍ଡଷ୍ଟ୍ରିଆଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପମେଣ୍ଟ କର୍ପୋରେସନ ଲିମିଟେଡ୍‌) ଅଧୀନରେ ଥିଲା। ପରବର୍ତ୍ତୀ କାଳରେ ‘ଇଡକଲ’ ସିମେଣ୍ଟକୁ ଡାଲମିଆ ସିମେଣ୍ଟ କମ୍ପାନିକୁ ହସ୍ତାନ୍ତର କରି ଦିଆଗଲା। ସେମିତି ‘ହୀରା’ ସିମେଣ୍ଟ ମଧ୍ୟ ଏକ ଘରୋଇ କମ୍ପାନି ଅଧୀନକୁ ଚାଲିଗଲା। ତେବେ, ଦେଖା ଗଲା ଯେ କ୍ରମେ ଓଡ଼ିଶାରେ ଅନେକ ଘରୋଇ ସିମେଣ୍ଟ କମ୍ପାନି ନିଜର ବ୍ୟବସାୟ ବଢ଼ାଇ ଚାଲିଥିବା ବେଳେ ‘ଇଡକୋ’ ଏବଂ ‘ହୀରା’ ସିମେଣ୍ଟ ବଜାରରୁ ଉଭେଇ ଗଲା। କହିବା ବାହୁଲ୍ୟ ଯେ ରାଜ୍ୟରେ ସିମେଣ୍ଟର ଚାହିଦା ବଢ଼ିବଢ଼ି ଚାଲିଛି। ଏଭଳି ସ୍ଥଳେ ରାଜ୍ୟର ସିମେଣ୍ଟ ଉଦ୍ୟୋଗ, ସିମେଣ୍ଟ ବ୍ୟବସାୟ ଏବଂ ସିମେଣ୍ଟ ପାଇଁ ଆବଶ୍ୟକ କଞ୍ଚାମାଲ ଆଦିକୁ ଭିତ୍ତି କରି ଏକ ଆଲୋଚନା କରାଯାଇପାରେ।
ସିମେଣ୍ଟ ତିଆରି ପାଇଁ କଞ୍ଚାମାଲ ହିସାବରେ ମୁଖ୍ୟତଃ ଦରକାର ଚୂନ ପଥର, ସିଲିକା ବାଲି, ଲୁହାପଥର, ସେଲ, ମାର୍ଲ ଏବଂ ଫ୍ଲାଇ ଆସ୍‌ (ଚିମନିରୁ ନିର୍ଗତ ଧୂଆଁରେ ରହୁଥିବା ପାଉଁଶ) ଇତ୍ୟାଦି। ତହିଁରୁ ମୁଖ୍ୟ ହେଲା ଚୂନ ପଥର। ‘ଇଣ୍ଡିଆନ ମିନେରାଲ ଇୟର ବୁକ୍‌’ରେ ଥିବା ତଥ୍ୟ ଅନୁସାରେ ଦେଶରେ ଚୂନ ପଥର ଖଣି ମୁଖ୍ୟତଃ କର୍ଣ୍ଣାଟକ (୨୭%), ଅବିଭକ୍ତ ଆନ୍ଧ୍ର ଓ ରାଜସ୍ଥାନ (୨୨%), ଗୁଜରାଟ (୧୦%), ତାମିଲନାଡୁ (୮%), ମେଘାଳୟ (୯%), ଛତିଶଗଡ଼ ଓ ମଧ୍ୟପ୍ରଦେଶ (୧୦%) ଏବଂ ଓଡ଼ିଶା (୭%)ରେ ମିଳିଥାଏ। ସର୍ବାଧିକ ଚୂନ ପଥର ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ଓ ଅବିଭକ୍ତ ଆନ୍ଧ୍ରରେ ଉପଳବ୍‌ଧ ଥିବାରୁ ଦେଶର ପ୍ରାୟ ୭୫% ସିମେଣ୍ଟ କାରଖାନା ସେହି ସବୁ ରାଜ୍ୟରେ ଅବସ୍ଥିତ। ଭାରତର ପୂର୍ବ ଅଂଶ‌େର ମେଘାଳୟ ଏବଂ ଓଡ଼ିଶା ଚୂନ ପଥର ଖଣିରେ ସମୃଦ୍ଧ ବୋଲି କୁହାଯାଇପାରେ। ପୁଣି ଓଡ଼ିଶାରେ ‘ଫ୍ଲାଏ ଆସ’ ପ୍ରଚୁର ପରିମାଣରେ ଓ ସହଜରେ ଉପଲବ୍‌ଧ। ତା’ ସହିତ ଓଡ଼ିଶାର ସୁବ୍ୟବସ୍ଥିତ ରେଳପଥ ଏବଂ ବନ୍ଦର ହେତୁ ବାହାରୁ କଞ୍ଚାମାଲ ଆମଦାନି କରିବା ଏବଂ ବାହାରକୁ ସିମେଣ୍ଟ ଯୋଗାଇବା ସହଜ। ଓଡ଼ିଶାରେ ସିମେଣ୍ଟର ଚାହିଦା ବାର୍ଷିକ ୯% ହାରରେ ବୃଦ୍ଧି ପାଉଛି; ଯାହା ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଡିଲର ସଂଖ୍ୟାରୁ ଜଣାପଡ଼େ। ତେଣୁ ଗତ ୧୦ ବର୍ଷ ଭିତରେ ଦେଶର ବଡ଼ ସିମେଣ୍ଟ କମ୍ପାନିଗୁଡ଼ିକ ଏଠାରେ କାରଖାନାମାନ ସ୍ଥାପନ କରିବାରେ ଲାଗିଛନ୍ତି।
ଓଡ଼ିଶାରେ ଗଲା ୨ ବର୍ଷରେ ସିମେଣ୍ଟ ଉଦ୍ୟୋଗ ଓ ବ୍ୟବସାୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଉଦାହରଣ ସ୍ବରୂପ ଗଲା ୨-୩ ବର୍ଷ ଭିତରେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ସିମେଣ୍ଟ କାରଖାନା ବସାଇବାକୁ ରାଜ୍ୟ ସରକାର ୧୦ଟି କମ୍ପାନିକୁ ଅନୁମତି ଦେଇଛନ୍ତି। ପ୍ରକାଶ ଥାଉ କି ବହୁ ପୂର୍ବରୁ ରାଜ୍ୟ ସରକାର ରାମକୋ ଓ ଅଲଟ୍ରାଟେକ୍‌ ସିମେଣ୍ଟକୁ କାରଖାନା ବସାଇବାକୁ ଅନୁମତି ଦେଇଥିଲେ, ଯେଉଁ କଂପାନି ଦ୍ବୟ ରାଜ୍ୟରେ ବ୍ୟବସାୟର ମୂଳଦୁଆ ସ୍ଥାପନ କରିସାରିଛନ୍ତି। ରାଜ୍ୟରେ ସିମେଣ୍ଟ ବ୍ୟବସାୟରେ ଥିବା ସୁଯୋଗର ସଦ୍‌ବ୍ୟବହାର କରିବା ଲାଗି ତାମିଲନାଡୁର ରାମକୋ ସିମେଣ୍ଟ କମ୍ପାନି ଯାଜପୁର ହରିଦାସପୁରରେ ଥିବା ‘ଗ୍ରାଇଣ୍ଡିଙ୍ଗ ପ୍ଲାଣ୍ଟ’ର କ୍ଷମତା ବୃଦ୍ଧି ସକାଶେ ୧୫.୮ ନିୟୁତ ଡଲାର ବିନିଯୋଗ କରିବାର ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ଆର୍ଥିକ ବର୍ଷ ୨୦୨୨-୨୩ରେ ଏହି କମ୍ପାନି ଓଡ଼ିଶାରେ ୨୧୫ ନିୟୁତ ଡଲାର ନିବେଶ କରିସାରିଛନ୍ତି। ଅନ୍ୟ ପକ୍ଷରେ ଅମ୍ବୁଜା ସିମେଣ୍ଟ (ଆଦାନୀ ଗ୍ରୁପର ଭଗିନୀ ଉଦ୍ୟୋଗ) ମାଲକାନଗିରି ଜିଲ୍ଲାରେ ଥିବା ଉସକାଲଭାଗୁ ଚୂନ ପଥର ଖଣିକୁ ନିଲାମୀ ନେଇଛନ୍ତି, ଯାହା ୫୪୭ ଏକର ବିଶିଷ୍ଟ ଏବଂ ସେଠାରେ ୧୪୧ ନିୟୁତ ଟନ ଚୂନ ପଥର ମହଜୁଦ ଅଛି। ସେହିଭଳି ‘ଫ୍ଲାଏ ଆସ’ କିଣିବା ଲାଗି ଡାଲମିଆ ସିମେଣ୍ଟ କମ୍ପାନି ଓଡ଼ିଶାରେ ଥିବା ବେଦାନ୍ତ ଆଲୁମିନିଅମ ସହ ୨୦୨୮ ମସିହା ପର୍ଯ୍ୟନ୍ତ ଏକ ଦୀର୍ଘକାଳୀନ ଚୁକ୍ତି ସଂପାଦନ କରିଛି। ୨୦୧୦ ମସିହାରେ ତେଲେଙ୍ଗାନାର କେତେକ ଉଦ୍ୟୋଗୀ ଯାଜପୁର କଳିଙ୍ଗ ନଗରଠାରେ ଯାଜପୁର ସିମେଣ୍ଟ ୱାର୍କସ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ କମ୍ପାନି ଆରମ୍ଭ କରି ଭଲ ବ୍ୟବସାୟ କରୁଥିଲେ। ୨୦୧୯ ମସିହାରେ ତେଲେଙ୍ଗାନାର ସାଗର ସିମେଣ୍ଟ ଏହି ସିମେଣ୍ଟ କାରଖାନାକୁ ୧୬ ନିୟୁତ ଡଲାର ବିନିମୟରେ କିଣିନେଲେ। ଯାଜପୁରର ଏହି କାରଖାନା ଏବେ ଆମ ରାଜ୍ୟରେ ବାର୍ଷିକ ୭୫ କୋଟି ଟଙ୍କା ଆୟ କରିବା ସହିତ ବାର୍ଷିକ ୧୨% ହାରରେ ବ୍ୟବସାୟ ବୃଦ୍ଧି କରିବାରେ ଲାଗିଛି। ନିକଟରେ ତୋଷାଳୀ ସିମେଣ୍ଟ କଂପାନିକୁ କୋରାପୁଟ ଠାରେ ଏକ ସିମେଣ୍ଟ କାରଖାନା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହି ତଥ୍ୟରୁ ସ୍ପଷ୍ଟ ଯେ ଆମ ରାଜ୍ୟ ସିମେଣ୍ଟ ବ୍ୟବସାୟ ଲାଗି ବେଶ୍‌ ଉତ୍କୃଷ୍ଟ।
ଏହି ପରିପ୍ରେକ୍ଷୀରେ ଯାହା ଚିନ୍ତା ଉଦ୍ରେକକାରୀ ତାହା ହେଲା ଆମ ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କ ମାଲିକାନାରେ ଗୋଟିଏ ହେଲେ ସିମେଣ୍ଟ କାରଖାନା ନାହିଁ। ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବୃହତ୍‌ କମ୍ପାନିମାନ ବ୍ୟବସାୟ କରୁଥିଲେ ହେଁ ସେହି ରାଜ୍ୟର ଉଦ୍ୟୋ‌ଗୀଙ୍କ ମାଲିକାନାରେ ଅନେକ ଛୋଟ ଓ ବଡ଼ ସିମେଣ୍ଟ କାରଖାନା ରହିଛି। ତେଣୁ ମନରେ ପ୍ରଶ୍ନ ଉଠେ ଯେ ପ୍ରଚୁର କଞ୍ଚା ମାଲ, ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ଓ ଭରପୂର ଶ୍ରମିକ ଉପଲବ୍‌ଧତାର ସୁଯୋଗ ନେଇ ରାଜ୍ୟ ବାହାରର କଂପାନିଗୁଡ଼ିକ ଖୁବ୍‌ ଲାଭବାନ ହେଉଥିବା ବେଳେ ଓଡ଼ିଆ ଉଦ୍ୟୋଗୀ ଏ କ୍ଷେତ୍ରରେ ଏ ଯାବତ୍‌ ଦେଖାଯାଉନାହାନ୍ତି କାହିଁକି? ଆମ ରାଜ୍ୟର ବ୍ୟବସାୟୀମାନେ କେବଳ ‘ସିମେଣ୍ଟ ଡିଲରସିପ’ରେ ସନ୍ତୁଷ୍ଟ। ଅତି ବଡ଼ କାରଖାନା ନ ହେଲେ ମଧ୍ୟ କ୍ଷୁଦ୍ର ବା ‘ମିନି ସିମେଣ୍ଟ କାରଖାନା’ ବସାଇବାରେ ଅସୁବିଧା କେଉଁଠି? ଏହାର ଉତ୍ତର ଖୋଜିଲେ ଜଣାପଡ଼ିଥାଏ ଯେ ଏଥି ପାଇଁ ମୁଖ୍ୟତଃ ସରକାରଙ୍କ ବୃହତ୍‌ ଉଦ୍ୟୋଗୀକରଣ ନୀତି ଏବଂ ରାଜ୍ୟର ତୁଙ୍ଗ ଉଦ୍ୟୋଗୀମାନଙ୍କ ଆଭିମୁଖ୍ୟ; ଉଭୟ ମିଳିତ ଭାବେ ଦାୟୀ।
ଏବେ ଏଇ ସନ୍ଦର୍ଭରେ ମେଘାଳୟ-ନାଗାଲାଣ୍ଡକୁ ଏକ ‘କେସ୍‌ ଷ୍ଟଡି’ ହିସାବରେ ନିଆଯାଉ। ମେଘାଳୟରେ ଦେଶର ମୋଟ ଚୂନ ପଥରର ୯% ମହଜୁଦ ଅଛି। ନାଗାଲାଣ୍ଡରେ ମଧ୍ୟ ଟାଣ ଚୂନ ପଥରର ଖଣିମାନ ରହିଛି। ନାଗାଲାଣ୍ଡର ରାଜଧାନୀ କୋହିମା ଠାରୁ ୨୩୬ କିଲୋମିଟର ଦୂରରେ ଥିବା ‘ଫେକ’ ଜିଲ୍ଲାର ‘ୱାଯେହୋ’ ଅଞ୍ଚଳରେ ଗଚ୍ଛିତ ଥିବା ଚୂନ ପଥରକୁ ଭିତ୍ତି କରି ମେଘାଳୟ-ନାଗାଲାଣ୍ଡ କିଭଳି ଔଦ୍ୟୋଗିକ ଲାଭ ଉଠାଇ ପାରିଛନ୍ତି, ତାହା ଦେଖାଯାଉ। ୧୯୮୮ ମସିହାରେ ସ୍ଥିର କରାଗଲା ଯେ ୱାଯେହୋ ଅଞ୍ଚଳରେ ଦିନକୁ ୫୦ ଟନ କ୍ଷମତା ବିଶିଷ୍ଟ କ୍ଷୁଦ୍ର ବା ‘ମିନି’ ସିମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହାର ଉଦ୍ଦେଶ୍ୟ ଥିଲା ରାଜ୍ୟର ଖଣିଜ ସମ୍ପଦର ବିନିଯୋଗ ରାଜ୍ୟ ଭିତରେ ହେବା ସହିତ ଆଞ୍ଚଳିକ ଲୋକେ ଯେମିତି ଏହାର ପ୍ରାଥମିକ ଲାଭ ପାଇବେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନାଗାଲାଣ୍ଡ ସମେତ ଅନ୍ୟାନ୍ୟ ଉତ୍ତର-ପୂର୍ବୀୟ ରାଜ୍ୟରେ ଏକ ସିମେଣ୍ଟ ବିପ୍ଳବ ଆଣି ପାରିଲା ବୋଲି କୁହାଯାଇପାରିବ। ଏହି ସିମେଣ୍ଟ କାରଖାନା ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଦିନକୁ ୫୦ ଟନ ଉତ୍ପାଦନ କରୁଥିଲା। ପରବର୍ତ୍ତୀ କାଳରେ ଚାହିଦା ବଢ଼ିବାରୁ ୨୦୦୮ ମସିହାରୁ ‘ୱାଯେହୋ ସିମେଣ୍ଟ କାରଖାନା’ ଦୈନିକ ୧୦୦ ଟନ ଉତ୍ପାଦନ କରିବାକୁ ଆରମ୍ଭ କଲା। ଏହି ସିମେଣ୍ଟ କାରଖାନା ସରକାରୀ ରାଜକୋଷକୁ ଅନେକ ଅର୍ଥ ଯୋଗାଇଛି। ଏହା ପରେ ରାଜ୍ୟରେ ଅନେକ ନୂଆ ଘରୋଇ ସିମେଣ୍ଟ କଂପାନିମାନ ବ୍ୟବସାୟ କଲେଣି। ସରକାରୀ ତଥ୍ୟ ଅନୁସାରେ ଏ ଯାବତ୍‌ ମେଘାଳୟରେ ସମୁଦାୟ ୧୩ଟି ସିମେଣ୍ଟ କମ୍ପାନିର କାରଖାନା ଅଛି, ଯହିଁରୁ ୯ଟି ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ୱାରା ସ୍ଥାପିତ ଏବଂ ବାରାକ ଭ୍ୟାଲି, ମ୍ୟାକ୍ସ, ମ୍ୟାଜିକ, ଷ୍ଟାର ଭଳି ବ୍ରାଣ୍ଡ ନାମରେ ଆଞ୍ଚଳିକ ସିମେଣ୍ଟ କଂପାନିଗୁଡ଼ିକ ବାର୍ଷିକ ୫%-୭% ହାରରେ ବ୍ୟବସାୟ ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି ଏବଂ ଜାତୀୟ ସ୍ତରୀୟ ବଡ଼ କମ୍ପାନିଗୁଡ଼ିକ ସହିତ ପ୍ରତିଯୋଗିତା ମଧ୍ୟ କରିପାରୁଛନ୍ତି। କିନ୍ତୁ ଇତି ମଧ୍ୟରେ ପ୍ରଯୁକ୍ତିଗତ ପରିବର୍ତ୍ତନ ଆଣି ଏବଂ ସରକାରଙ୍କ ପ୍ରୋତ୍ସାହନ ଲାଭ କରି ସ୍ଥାନୀୟ ଘରୋଇ ଉଦ୍ୟୋଗଗୁଡ଼ିକ ଉନ୍ନତି କରି ଚାଲିଥିବା ବେଳେ ‘ୱାଯେହୋ ମିନି ସିମେଣ୍ଟ ପ୍ଲାଣ୍ଟ’ କ୍ରମେ ପୂର୍ବର ଚମକ ହରାଇଛନ୍ତି। ଏହାର କାରଣ ମୁଖ୍ୟତଃ ଦୁର୍ବଳ ପରିଚାଳନା। ତେବେ ସେ ଯାହା ହେଉ, ଏଇ ବର୍ଷ ସରକାର ପୁଣି ୱାଯେହୋ ମିନି ସିମେଣ୍ଟ ପ୍ଲାଣ୍ଟକୁ ପୂରା ଦମ୍‌ରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମେଘାଳୟ-ନାଗାଲାଣ୍ଡ ସରକାରଙ୍କ ବିଭିନ୍ନ କମିଟି ରିପୋର୍ଟ ଏବଂ ରାଜ୍ୟର ‘ସିମେଣ୍ଟ ନୀତି’କୁ ଲକ୍ଷ୍ୟ କଲେ ସରକାରଙ୍କର ଦୁଇ ପ୍ରମୁଖ ଆଭିମୁଖ୍ୟ ଦିଶିଥାଏ। ପ୍ରଥମତଃ, ରାଜ୍ୟରେ ଗଚ୍ଛିତ ଖଣିଜ ପଦାର୍ଥକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ରାଜକୋଷ ତଥା ରାଜ୍ୟର ଉଦ୍ୟୋଗୀମାନଙ୍କୁ ପରିପୁଷ୍ଟ କରିବା ଲାଗି ଉଦ୍ୟମ କରିବା। ଦ୍ବିତୀୟରେ ରାଜ୍ୟର ଉପାର୍ଜନକ୍ଷମ ଉଦ୍ୟୋଗଗୁଡ଼ିକ ଦୈବାତ୍‌ ଭଲ ପ୍ରଦର୍ଶନ କରି ନ ପାରିଲେ ସେଗୁଡ଼ିକୁ ମୃତ୍ୟୁ ମୁଖକୁ ଠେଲି ନ ଦେଇ ପୁନର୍ଜୀବିତ କରିବାକୁ ଚେଷ୍ଟା କରିବା ବା ସେଥି ଲାଗି ବିକଳ୍ପ ଅନୁସନ୍ଧାନ କରିବା। ଚୂନ ପଥର ଖଣିକୁ ଭିତ୍ତି କରି ନାଗାଲାଣ୍ଡ ପରି ରାଜ୍ୟରେ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେଇ ‘ମିନି ସିମେଣ୍ଟ ପ୍ଲାଣ୍ଟ’ର ଯୋଜନାରୁ ଆମେ ମଧ୍ୟ ଶିକ୍ଷା ଲାଭ କରିବା ଉଚିତ। ଏ ବିଷୟରେ ସରକାର ଓ ରାଜ୍ୟର ବିଶିଷ୍ଟ ଉଦ୍ୟୋଗୀମାନେ ମିଳିତ ଭାବେ ସ୍ଥିତି ଅନୁଶୀଳନ କରି ବାଟ ବାହାର କରିବା ଦରକାର।
ମୋ: ୯୭୯୧୧୨୧୦୬୮