ସମୟ ଆୟୁଷ୍ମାନ ନୁହେଁ। କିନ୍ତୁ ଦୃଷ୍ଟି ଓ ସ୍ମୃତି ସମୟର ଯେଉଁ ଖଣ୍ଡିତ ଅଂଶ ପାଖରେ ଅଟକି ରହେ ସେହି କ୍ଷଣଟି ହୋଇଯାଏ ଆୟୁଷ୍ମାନ। ଦୃଷ୍ଟି ସମୟ ସହିତ ସମତାଳରେ ଗତି ନକଲେ ସ୍ମୃତି ସ୍ଥାଣୁ ହୋଇଯାଏ ଓ ପରିଣତ ହୁଏ ଭାବନା, ଭ୍ରାନ୍ତି, ବିଶ୍ବାସ ଓ କଳ୍ପନାର ଏକ ମିଶ୍ରିତ ଅବବୋଧରେ। ଅନୁଭୂତିରୁ ଉତ୍ପନ୍ନ ଏହି ଅବଧାରଣାଟି ବାସ୍ତବତା ଉପରେ ଧୂମାଭ ଆସ୍ତରଣଟିଏ ଢାଙ୍କି ଦେଇଥାଏ। ବାସ୍ତବତା ଜୀବିତ ସମୟର ଭାଷ୍ୟ ହେଲାବେଳେ ସ୍ମତିରୁ ଉତ୍ପନ୍ନ ଅବଧାରଣା ଆମର ବିିଗତ ସମୟର ସ୍ବରଲିପି, ଯାହାକୁ ଆମେ କହିଥାଉ ମନର ଭ୍ରାନ୍ତି।
ଦୀର୍ଘ ଷାଠିଏ ବର୍ଷ ଧରି ଗାଁ ଛାଡ଼ି ବାହାରେ ରହିବା ପରେ ପ୍ରଥମ ଥର ପାଇଁ ଗାଁକୁ ଆସିଛି। ଗାଁର ରାସ୍ତା, ଲୋକ ଓ ପରିବେଶ ହୋଇଯାଇଛି ମୋ ପାଇଁ ଅପରିଚିତ। ଷାଠିଏ ବର୍ଷ ତଳର ଗାଁଟା ମୋର ଏବେ କେଉଁଠି? ଭାବୁଛି ମୁଁ। ଘର ପାଖରେ ପହଞ୍ଚୁ ପହଞ୍ଚୁ ନାକରେ ବାଜିଲା ସେଇ ପରିଚିତ ଫୁଲର ମୃଦୁ ବାସ୍ନା; ଆମ ଦୁଆର ମୁହଁର ପ୍ରକାଣ୍ଡ ଚମ୍ପା ଗଛରେ ଫୁଟୁଥିବା କାଠଚମ୍ପାର। ଚମ୍ପା ଫୁଲ ବାସ୍ନା ହେଲାଣି, ଘର ଆସିଗଲା ଏଥର। କେଉଁ ଚମ୍ପା ଗଛ କଥା କହୁଛ? ଗାଡ଼ିରେ ବସିଥିବା ପୁତୁରା ପଚାରିଲା। ଏଠି ତ ଚମ୍ପା ଗଛ ନାହିଁ? ସତରେ ତ! ଯଦି ଗଛ ନାହିଁ, ତା’ ଫୁଲର ବାସ୍ନା ରହିଲା କେମିତି? ବେଳେବେଳେ ଆମର ମନର ଭ୍ରାନ୍ତି ବାସ୍ତବତା ପରି ଅନୁଭୂତ ହୁଏ। ଏଇଠି ଥିଲା ସେ ଗୋବର ଲିପା ବାରଣ୍ଡା। ଏଇ ତ, ମୁଁ ଦେଖି ପାରୁଛି। ତୃତୀୟ, ଚତୁର୍ଥ ଶ୍ରେଣୀରେ ପଢ଼ିବାବେଳେ ମୁଁ ଏଇ ବାରଣ୍ଡାରେ ବସି ପଖାଳ ଖାଇ ସ୍କୁଲ ଯାଉଥିଲି। ପାଖ ସାହିରୁ ଆସେ ମୋ ପଢ଼ା ସାଙ୍ଗ କନକ। ଫ୍ରକ୍ ତଳେ ସାରୁ ପତ୍ରରେ ବାନ୍ଧି ଲୁଚାଇ ଆଣିଥିବ ମହୁରାଳି ମାଛ ପତ୍ରପୋଡ଼ା। ପଖାଳ କଂସା ପାଖରେ ରଖିଦେଇ କହିବ, ସ୍କୁଲ ଘଣ୍ଟି ବାଜିଯିବ ଶୀଘ୍ର ଖାଇଦେ। କେଉଁ କନକ କଥା କହୁଛ କି? ପଚାରିଲେ ଭାଉଜ। କନକ ତ’ ଅନେକ ଦିନ ହେଲାଣି ଆତ୍ମହତ୍ୟା କଲାଣି। ତା’ ପିଲାମାନେ ଅଛନ୍ତି। ମତେ ଲାଗୁଛି ବାସ୍ତବତା ଯେତିକି କଷ୍ଟ ଦିଏନି ତାକୁ ସାମନା କଲାବେଳେ ଗଭୀର ଅବଧାରଣାର ପରଦାଟି ଆଖି ସାମନାରୁ ହଟିଗଲେ ତାହା ହିଁ କାମୁଡ଼ି ଗୋଡ଼ାଏ। ସାତ ବର୍ଷର ସେ ଗୋରୀ ଝିଅ କନକ ଏବେ ମୋ ଆଖି ସାମନାରେ। ଲଙ୍କାଆମ୍ବ ତୋଳିବାକୁ ହାତ ପାଏନି ବୋଲି ମୁଁ ହାମୁଡ଼େଇ ରହିଲେ ମୋ ପିଠିରେ ଚଢ଼ି ତୋଳେ। ଅତୀତର ଜୀବନ୍ତ ସ୍ମୃତିକୁ କ’ଣ ଭ୍ରମ କୁହାଯାଇ ପାରିବ? କନକ ଏବେ ନଥିବାର ବାସ୍ତବତାଟି କାହିଁକି ତା’ହେଲେ ଭ୍ରମ ନ ହେବ? ଆଖି ସାମନାର ଜଗତ ଓ ତହିଁରେ ଘଟି ଚାଲିଥିବା ଘଟଣା ସର୍ବଶେଷ ସତ୍ୟ ନ ହୋଇପାରେ। ସମାନ୍ତରାଳ ରେଳ ଧାରଣା ଦୁଇଟି ଦୂରରୁ ମିଶି ଯାଇଥିବାପରି ଦିଶେ। ଇଂରେଜୀ ‘ଛଅ’ ଅଙ୍କଟି ଭୂମିରେ ଲେଖି ତା’ର ଉଭୟ ପାର୍ଶ୍ବରେ ଠିଆ ହୋଇ ଦେଖନ୍ତୁ ତ, ଜଣକୁ ଛଅ ଓ ଅନ୍ୟ ଜଣକୁ ନଅ ଦେଖାଯିବ। ଏସବୁ ଭ୍ରମ ନୁହେଁ କି ଅବାସ୍ତବ ମଧ୍ୟ ନୁହେଁ। ବାସ୍ତବତା ଓ ସ୍ମୃତି ଠିକ୍ ସେମିତି ଆମର ଅବବୋଧ ଉପରେ ନିର୍ଭରଶୀଳ। କନକ ସାଥିରେ ମୁଁ ତ ଏଇଠି, ଏ ବାରଣ୍ଡାରେ ଠିଆ ହୋଇ ଏବେବି କଥା ହେଉଛି।
ମାଗୀ ଭଣ୍ଡାରୁଣୀ ବାଡ଼ିର ବରକୋଳି ଖୁବ୍ ସୁଆଦିଆ। ଚୋରି କରିବାକୁ ତା’ ବାଡ଼ିରେ ପଶିଲେ ଗାଳିଦିଏ। ଭାବୁଛି ଗଲାବେଳେ ତା’ଠୁ କିଛି କୋଳି ନେଇଯିବି। ଭାଉଜ କହୁଛନ୍ତି ମାଗୀ ବୁଢ଼ୀ ମରି ତା’ ପୁଅ ବି ମଲାଣି। ବାଡ଼ିରେ ନାତି ତା’ର ତୋଳିଛି କୋଠା। ଅତୀତର ସ୍ମୃତି ମନ ଦ୍ବାରା ନିୟନ୍ତ୍ରିତ ହୁଏ ଯାହାକୁ ଆମେ ପରିକଳ୍ପିତ ଚିତ୍ରଟିଏ ରୂପରେ ଦେଖିଥାଉ। ମତେ ତ ଦେଖାଯାଉଛି ମାଗୀର ସେ ଖଳାବାଡ଼ି ଓ ମଝିରେ ଥିବା ସେ ଝଙ୍କାଳିଆ କୋଳି ଗଛଟା। ପୋଖରୀ ତୁଠରେ ମୁଁ ଦେଖିପାରୁଛି ନିର୍ମଳା ତା’ ସାଙ୍ଗମାନଙ୍କ ସାଥିରେ ଗାଧୋଇବାର ଦୃଶ୍ୟ। ନିର୍ମଳା ମୋ ଖେଳ ସାଙ୍ଗ। ଏକ ନମ୍ବର ନାକ କାନ୍ଦୁରୀ। ଏଇ ଦେଖମ! ତା’ କଥା କହୁ କହୁ ଜେଜମା’ ପଛରେ ତା’ର ଡେଇଁ ଡେଇଁ ଆସିଲାଣି। ନିର୍ମଳାର ଜେଜମା’ ଭାଉଜଙ୍କୁ ଚୁପି ଚୁପି ପଚାରିଲେ, ତମ ଘରକୁ ଏ ବୁଢ଼ା ଜଣକ କିଏ ଆସିଛନ୍ତି କି? ମୁଁ ନିର୍ମଳାକୁ ପାଖକୁ ଡାକିଲି। ଆରେ ସିଏ ନିର୍ମଳା ନୁହେଁ, ତା’ର ନାତୁଣୀ। ଇଏ ହେଉଛି ନିର୍ମଳା। ବୁଢ଼ୀକୁ ଦେଖାଇ କହିଲେ ଭାଉଜ। କମ୍ ବୟସରେ ବିଧବା ହୋଇ ପୁଅ ସହିତ ବାପଘରେ ରହୁଛି। ଏ ସତୁରି ଛୁଉଁଥିବା ବୁଢ଼ୀଟା କେମିତି ଚୁଲୁବୁଲି ନିର୍ମଳା ହେବ ମ! ଅବଶ୍ୟ ଧାରଣା ସହିତ ବାସ୍ତବତାର ସାମନା ହେଲାବେଳେ କାହାକୁ ଦେଖୁଛ ତାହା ଆଉ ଗୁରୁତ୍ୱ ରଖେନି, କ’ଣ ଦେଖୁଛ ସେ ହୋଇଯାଏ ଗୁରୁତ୍ବପୂର୍ଣ୍ଣ। ନିର୍ମଳାର ନାତୁଣୀ ଭିତରେ ମୁଁ ଦେଖିପାରୁଛି ଚଗଲୀ ନିର୍ମଳାକୁ। ଯେତେବେଳେ ଆମେ ଅତୀତ କିମ୍ବା ଭବିଷ୍ୟତର କଥା ଭାବିଥାଉ ସେଠାରେ ଉପସ୍ଥିତ ଥାଏ ସ୍ବୟଂ ସମୟ। ବର୍ତ୍ତମାନର ଚଟାଣ ଉପରେ ସମୟକୁ ପାଇବା କେଉଁଠୁ? ସମୟ ତ ଲୁଚି ଯାଇଛି ନିର୍ମଳାର ନାତୁଣୀ ଭିତରେ ଏବଂ ନିର୍ମଳା ନିଜେ ପାଲଟି ଯାଇଛି ନିଜର ଜେଜେମା’ ଓ ତା’ ସାମନାରେ ଠିଆ ହୋଇଛି ମୁଁ, ଅଚିହ୍ନା ବୁଢ଼ାଟିଏ! ଆମର ସ୍ମୃତି ଓ ବାସ୍ତବତା ମଧ୍ୟରେ ଅନ୍ତର ଅନେକ। ପ୍ରଥମଟି ଥାଏ ମନ ଭିତରେ ଯେଉଁଠି ସ୍ମୃତି ଓ ଦୃଷ୍ଟି ସମୟର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ଅଟକି ରହିଥାଏ। ମନର ବାହ୍ୟ ଜଗତଟି ହେଉଛି ବାସ୍ତବତା, ଯାହାକୁ ଇଚ୍ଛା କରି ମଧ୍ୟ ମନ ବଦଳାଇ ପାରେନି। ମାୟାବୀ ଅତୀତର ଅବବୋଧ ସବୁ ହାତଛଡ଼ା କରିଦେବା ଅନୁଚିତ। ସେସବୁ ହଜିଗଲେ ଆମର ଅସ୍ତିତ୍ବ ତ’ ରହିବ, ତା’ ଭିତରୁ ପ୍ରାଣ ସତ୍ତା କିନ୍ତୁ ଉଭେଇଯିବ। ଗାଡ଼ିରେ ବସି ରେଡିଓଟା ଚାଲୁ କରିଦେଲି। କିଏ ଜଣେ କବିତାଟିଏ ଆବୃତ୍ତି କରୁଛି: “ଅଖତର୍! ଗୁଜରତେ ଲମହୋଁ କି ଆହଟ୍ ପେ ୟୁଁ ନ ଚୌଁକ୍/ ଇସ୍ ମାତମି ଜୁଲୁସ୍ ମୈ ଇକ୍ ଜିନ୍ଦଗୀ ଭି ହୈ...”। ଅଖତର! ବିତିଯାଇଥିବା ସମୟର ଶବ୍ଦ ଶୁଣି ଏମିତି ଚମକି ଯାଅନି। ମୃତ ସମୟର ନିଜସ୍ବ ଶୋକ ଶୋଭାଯାତ୍ରାର ମଧ୍ୟ ଗୋଟିଏ ଜୀବନ ଅଛି।
ଗାଁ ଓ ନିର୍ମଳା ରହିଗଲେଣି ବହୁତ ପଛରେ।
ମୋ: ୯୩୩୭୬୪୮୬୩୮