ବିଗତ ବର୍ଷମାନଙ୍କରେ ଅନେକ ପୁସ୍ତକ ଓ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ହିନ୍ଦୁତ୍ବର ତତ୍ତ୍ବ ଓ ପ୍ରୟୋଗର ବିଶ୍ଳେଷଣ କରିବାର ଉଦ୍ୟମ କରାଯାଇଛି। ସେଗୁଡ଼ିକରେ ପ୍ରକାରାନ୍ତରେ ବିଜେପି ଓ ଆର୍ଏସ୍ଏସ୍ର କ୍ରମବର୍ଦ୍ଧମାନ ପ୍ରଭାବକୁ ବ୍ୟାଖ୍ୟା, ସମାଲୋଚନା କରାଯାଇଛି ଅଥବା ତାହାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଯାଇଛି। କେତେକ ଲେଖାରେ ତୃଣମୂଳ ସ୍ତରରେ ସାମାଜିକ ଗଣମାଧ୍ୟମକୁ କିପରି ଦଳୀୟ ସଂଗଠନ ଏବଂ ଭୋଟ୍ ସଂଗ୍ରହ ଲାଗି ଉପଯୋଗ କରାଯାଇଛି ତା’ ଉପରେ ଧ୍ୟାନ ଦିଆଯାଇଛି। ଅନ୍ୟ ଲେଖାଗୁଡ଼ିକରେ ମତାଦର୍ଶ ଏବଂ ହିନ୍ଦୁ ହୋଇଥିବାର ଗର୍ବବୋଧ ଉପରେ ଆସ୍ଥା ପ୍ରକଟ ଏବଂ ସଂଖ୍ୟାଲଘୁଙ୍କୁ ଖଳନାୟକ ରୂପେ ଉପସ୍ଥାପନ କରିବାର ଏକ ତନ୍ତ୍ରର ଭୂମିକା ନେଇ ଅନୁସନ୍ଧାନ କରାଯାଇଛି। ଆଉ କିଛି ଲେଖକ ବ୍ୟକ୍ତିତ୍ବ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରି ହିନ୍ଦୁତ୍ବର ଅଭ୍ୟୁଦୟରେ ଗୋଲଵଲକର, ସବରକର, ବାଜପେୟୀ, ଆଡ଼ଭାନୀ ଓ ମୋଦୀଙ୍କ ଭୂମିକା ସମ୍ପର୍କରେ ଲେଖିଛନ୍ତି।
ହିନ୍ଦୁତ୍ବ ସମ୍ପର୍କରେ ଲେଖାଯାଇଥିବା ରଚନାବଳୀକୁ ଏକାଠି କଲେ ଏକ ବିଶାଳ ଲାଇବ୍ରେରି ଭର୍ତ୍ତି ହୋଇ ଯାଇପାରେ। ଏଥିରେ ଅନ୍ତର୍ଭୁକ୍ତ ବହି ଓ ପ୍ରବନ୍ଧଗୁଡ଼ିକର ମାନ ଖୁବ୍ ବ୍ୟାପକ। ତେବେ ଏଭଳି ନିଘଞ୍ଚ ଗହଳି ଭିତରେ ବି ଅଭିନବ ଓ ରୁଚିପୂର୍ଣ୍ଣ ରଚନା ପାଇଁ ଯଥେଷ୍ଟ ସ୍ଥାନ ରହିଛି। ଗତ ମାସରେ ପ୍ରକାଶିତ ଏକ ପୁସ୍ତକରେ ତାହା ପ୍ରଦର୍ଶିତ ହୋଇଛି। ବହିର ଶୀର୍ଷକ ହେଉଛି ‘ଏଚ୍-ପପ୍: ଦି ସିକ୍ରେଟିଭ୍ ଵାର୍ଲଡ୍ ଅଫ୍ ହିନ୍ଦୁତ୍ବ ପପ୍ ଷ୍ଟାର୍ସ’ ଏବଂ ଏହାର ଲେଖକ ହେଉଛନ୍ତି ଏଭଳି ଜଣେ ବ୍ୟକ୍ତି ଯାହାଙ୍କୁ ମୁଁ କେବେ ଭେଟି ନାହିଁ କି ତାଙ୍କ ବହିଟିର ଏକ ପ୍ରୁଫ୍ ମୋ ‘ମେଲ୍ ଇନ୍ବକ୍ସ’ରେ ପହଞ୍ଚିବା ପୂର୍ବ ପର୍ଯ୍ୟନ୍ତ ତାଙ୍କ ନାମ ସୁଦ୍ଧା ଶୁଣି ନ ଥିଲି। ସେ ହେଉଛନ୍ତି ମୁମ୍ବାଇରେ ରହୁଥିବା ଯୁବ ଲେଖକ କୁନାଳ ପୁରୋହିତ।
ମୋ ଜାଣିବା ଅନୁସାରେ, ‘ଏଚ୍-ପପ୍’ ହେଉଛି ପ୍ରଥମ ପୁସ୍ତକ ଯାହା ହିନ୍ଦୁ ଦକ୍ଷିଣପନ୍ଥୀଙ୍କ ଦ୍ବାରା ‘ପପ୍’ ବା ‘ଚାଲୁ’ ସଂସ୍କୃତିର ବ୍ୟବହାର ଓ ଅପବ୍ୟବହାର ସଂଦର୍ଭରେ ଗଭୀର ଅଧ୍ୟୟନ କରିଛି। ଏଥିରେ ଥିବା ଚରିତ୍ରମାନଙ୍କର ଚିତ୍ରଣ ଖୁବ୍ ସତର୍କତାର ସହ କରାଯାଇଛି। ଏହି ପୁସ୍ତକର ସର୍ବାଧିକ ଶକ୍ତିଶାଳୀ ଭାଗରେ ସଂଗୀତଜ୍ଞମାନଙ୍କର ଅବତାରଣା କରାଯାଇଛି। ସେଥିରେ ସେମାନଙ୍କ ଗୀତର ଶବ୍ଦ ଓ ଭାବାବେଗ ଏବଂ ସେଗୁଡ଼ିକ ସାହାଯ୍ୟରେ କିପରି ମୁସଲମାନମାନଙ୍କୁ ଇତର ଶ୍ରେଣୀୟ ଦର୍ଶାଇବାକୁ ଚେଷ୍ଟା କରାଯାଇଛି, ତାହାର ବିଶ୍ଳେଷଣ ରହିଛି। ତେବେ ସଂଗୀତ ବ୍ୟତୀତ ହିନ୍ଦୁତ୍ବ ଦ୍ବାରା ସଂକ୍ରମିତ କବିତା ଓ ପୁସ୍ତକଗୁଡ଼ିକ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।
କୁନାଳ ପୁରୋହିତଙ୍କ ପୁସ୍ତକର ଆଉ ଏକ ସୁଗୁଣ ହେଉଛି ଏହାର ତୁଳନାତ୍ମକ ଆଭିମୁଖ୍ୟ। ଏହି ଲେଖକ ବିଶ୍ବ ସ୍ତରରେ ଦକ୍ଷିଣପନ୍ଥୀ ‘ପପ୍’ ସଂସ୍କୃତି ନେଇ ସତର୍କ ଓ ସଚେତନ ରହିଛନ୍ତି ଏବଂ ଏହି ବ୍ୟାପକ କ୍ଷେତ୍ର ମଧ୍ୟରେ ଭାରତର ସ୍ଥିତିକୁ ଠାବ କରିଛନ୍ତି। ତେଣୁ ଏହି ପୁସ୍ତକରେ ନାତ୍ସି, ଇଟାଲୀୟ ଫାସିବାଦୀ, ଅଲ-କାଏଦା, ରୁଆଣ୍ଡା ଗଣହତ୍ୟା ଏବଂ ଆଜିର ୟୁରୋପ ଓ ଉତ୍ତର ଆମେରିକାରେ ଶ୍ବେତାଙ୍ଗ-ପ୍ରାଧାନ୍ୟବାଦୀମାନେ ପ୍ରସାର କରୁଥିବା ‘ପ୍ରୋପାଗଣ୍ଡା’ ବା ପ୍ରଚାରଧର୍ମୀ କବିତା ଓ ଗୀତ ସମ୍ପର୍କରେ ଆଲୋଚନା କରାଯାଇଛି।
କୁନାଳ ନିଜେ ଗୀତ ଲେଖନ୍ତି ନା ନାହିଁ ବା ଗାଆନ୍ତି କି ନାହିଁ; ତାହା ମୁଁ ଜାଣିନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ଗୀତରେ ତାଙ୍କର ଗଭୀର ପ୍ରବେଶ ରହିଛି। ‘ଏଚ୍-ପପ୍’ ଦୁନିଆରେ ରାଜୁତି କରୁଥିବା ଗୀତଗୁଡ଼ିକର ପରିକଳ୍ପନାରୁ ଆରମ୍ଭ କରି ସେ ସବୁ ରେକର୍ଡିଂ ହେବା ପର୍ଯ୍ୟନ୍ତ ପ୍ରକ୍ରିୟାକୁ ତାଙ୍କ ପୁସ୍ତକ ଅନୁଧ୍ୟାନ କରିଛି। ସେ ପାଠକମାନଙ୍କୁ ଜଣାଇଛନ୍ତି ଯେ ଏହି ଗୀତଗୁଡ଼ିକ କିପରି ଏକ ବ୍ୟାପକ ଶ୍ରୋତା ଗୋଷ୍ଠୀଙ୍କୁ ଆବିଷ୍ଟ କରି ରଖିପାରେ। ଏହି କବିତା ଓ ଗୀତଗୁଡ଼ିକ ଜରିଆରେ ସେମାନଙ୍କ ଘୃଣା ରଂଜିତ ବାର୍ତ୍ତା ପ୍ରସାର କରିବାରେ ଇଣ୍ଟରନେଟ୍, ୟୁଟ୍ୟୁବ, ଫେସବୁକ, ହ୍ବାଟସ୍ଆପ୍ ଆଦିର ଭୂମିକା ସମ୍ପର୍କରେ ଆମେ ଜାଣୁ। ଅବଶ୍ୟ, ହିଟଲର ଓ ମୁସୋଲିନିଙ୍କ ହାତରେ ଏଭଳି ଉତ୍ତର-ଆଧୁନିକ ବୈଷୟିକ ଜ୍ଞାନକୌଶଳ ନଥିଲା, କିନ୍ତୁ ନିଓ-ନାତ୍ସି ଓ ଆଇ.ଏସ୍.ଆଇ.ଏସ୍. ପାଖରେ ଏହିସବୁ ଉପଲବ୍ଧ ଅଛି।
କୁନାଳ ପୁରୋହିତ ବିଶ୍ଳେଷଣ କରିଥିବା ଗୀତଗୁଡ଼ିକର ପଦରେ ବୋଲାଯାଇଛି ଯେ ହିନ୍ଦୁମାନେ କିପରି ତଥାକଥିତ ଭୟଙ୍କର ଶତ୍ରୁଙ୍କର ସମ୍ମୁଖୀନ ହେଉଥିଲେ ଓ ହେଉଛନ୍ତି। ଏହି ଗୀତଗୁଡ଼ିକ ଶ୍ରୋତାମାନଙ୍କୁ ଭରସା ଦେଇଥାନ୍ତି ଯେ ଶେଷରେ ହିନ୍ଦୁମାନେ ହିଁ ଜୟଯୁକ୍ତ ହେବେ। ଏହା ‘ଜାନ୍ତବ ବିଜୟୋଲ୍ଲାସ’କୁ ପ୍ରତିଫଳିତ କରିଥାଏ ଯାହା ଆଜିର ହିନ୍ଦୁତ୍ବ ଆଦର୍ଶର ଏକ ସଂଜ୍ଞା ବୋଲି ମୁଁ ଠାଏ ଉଲ୍ଲେଖ କରିଥିଲି। ହରିଆଣାର ଜଣେ ଗାୟକ ଗାଇଥିବା ଏକ ଲୋକପ୍ରିୟ ଗୀତର ପଦଗୁଡ଼ିକୁ ଦେଖନ୍ତୁ। ଏଥିରେ ମୁସଲମାନମାନଙ୍କୁ ଲକ୍ଷ୍ୟ କରି (ବା ଆଦେଶ ଦେଇ) କୁହାଯାଇଛି: ବନ୍ଦେ ମାତରମ ଗାନା ହୋଗା/ ୱରନା ୟାହାଁ ସେ ଯାନା ହୋଗା/ ନହିଁ ଗୟେ ତୋ ଜବରନ ତୁଝେ ଭଗା ଦେଙ୍ଗେ/ ହମ ତୁଝକୋ ତେରି ଔକାତ ବତା ଦେଙ୍ଗେ। (ତୋତେ ବନ୍ଦେ ମାତରମ ଗାଇବାକୁ ହେବ/ ନଚେତ ଦେଶ ଛାଡ଼ି ଯିବାକୁ ପଡ଼ିବ/ ଯଦି ତୁ ନ ଯାଉ, ଆମେ ତୋତେ ବାହାର କରିଦେବୁ/ ତୋ’ ଜାଗା କେଉଁଠି ବତାଇଦେବୁ।)
ଅନ୍ୟ ଗୀତମାନଙ୍କରେ ତୈମୁର ଭଳି ମୁସଲମାନ ଶାସକଙ୍କ ପାଶବିକତାକୁ ଉତ୍ଥାପନ କରାଯାଇଛି। ଲେଖକ କୁନାଳଙ୍କ ଦ୍ବାରା ଉଲ୍ଲିଖିତ ଏକ କବିତାରେ ଯୋଗରାଜ ସିଂହ ଗୁର୍ଜର ନାମକ ଜଣେ ସଂପୂର୍ଣ୍ଣ ମନଗଢ଼ା ଯୋଦ୍ଧାଙ୍କର ସ୍ତୁତିଗାନ କରାଯାଇଛି। ସେଥିରେ ଏହା ମଧ୍ୟ ଦାବି କରାଯାଇଛି ଯେ ସେ ତୈମୁର ସେନାବାହିନୀକୁ ପରାସ୍ତ କରିଥିଲେ ଏବଂ ହରିଦ୍ବାର ଫାଟକରେ ସେମାନଙ୍କୁ ଅଟକାଇ ଦେଇଥିଲେ। ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହି କବିତାର ଆବୃତ୍ତି ସହିତ ଉକ୍ତ ମନଗଢ଼ା କାହାଣୀ ସମ୍ବଳିତ ଏକ ଭିଡିଓକୁ ଅଭିନେତ୍ରୀ କଙ୍ଗନା ରଣାଵତ ତାଙ୍କ ଫେସବୁକ ପୃଷ୍ଠାରେ ଛାଡ଼ିଥିଲେ। କଙ୍ଗନା ସେଥିରେ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ- ‘ସାହସିକ, ଶକ୍ତିଶାଳୀ ଯୋଗରାଜ ସିଂହ ଗୁର୍ଜରଙ୍କ କାହାଣୀ ଶୁଣ ଯିଏ କ୍ରୂର ଅନୁପ୍ରବେଶକାରୀ ତୈମୁରକୁ ପରାସ୍ତ କରିଥିଲେ। ମୁଁ ସମସ୍ତ ଭୋଟଦାତାଙ୍କୁ ଅନୁରୋଧ କରୁଛି ସେମାନେ ଆମର ସାହସୀ ପୂର୍ବଜମାନଙ୍କୁ ସମ୍ମାନ ଜଣାନ୍ତୁ। ଭୋଟଦାନ ଦିନ ଦେଶର ସୁରକ୍ଷା ପାଇଁ ତୁମର ଭୋଟ ଯେପରି ପଡ଼େ ତାହା ତୁମେ ସୁନିଶ୍ଚିତ କରିବ।’
‘ଏଚ୍-ପପ୍’ର ଦୁନିଆ ଯେଉଁ ସବୁ କବିତା ଓ ଗୀତକୁ ନେଇ ଗଢ଼ା, ତାହାର ଲକ୍ଷ୍ୟ ହେଉଛି ଏପରି ଭାବେ ଇତିହାସର ପୁନର୍ଲିଖନ କରିବା, ଯାହା ଦ୍ବାରା ମୁସଲମାନମାନେ ଖଳ ରୂପେ ପ୍ରଦର୍ଶିତ ହେବେ ଏବଂ ହିନ୍ଦୁମାନେ ମହତ ଓ ଯଶସ୍ବୀ ମନେ ହେବେ। ସେମାନେ ଶ୍ରୋତାମାନଙ୍କୁ ଯୁକ୍ତି ବା ତର୍କ ତ୍ୟାଗ କରି କେବଳ ଆବେଗକୁ ଅକୁଣ୍ଠ ଗ୍ରହଣ କରିବାକୁ କହନ୍ତି। ଲେଖକ କୁନାଳଙ୍କ ଅନୁସାରେ ହିନ୍ଦୁତ୍ବ ଜୀବିତ ରହିବା ଓ ଉନ୍ନତି କରିବା ଲାଗି ତାକୁ ଶତ୍ରୁ ଦରକାର; ତେଣୁ ସମୟ ସହିତ ନୂଆ ନୂଆ ଶତ୍ରୁ ଉତ୍ପନ୍ନ କରାଯିବା ଅପରିହାର୍ଯ୍ୟ।
ଅନେକ ଗୀତ ଓ କବିତା ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧି ନେଇ ଏକ ଅଯୌକ୍ତିକ ଭୟ ଦର୍ଶାଇଥାନ୍ତି। ସେଗୁଡ଼ିକର ପଦଗୁଡ଼ିକ ସଂପୂର୍ଣ୍ଣ ବିଭ୍ରାନ୍ତିକର ଦାବିଗୁଡ଼ିକୁ ପ୍ରସାର କରିଥାନ୍ତି ଯେ ମୁସଲମାନମାନେ ଏତେ କ୍ଷିପ୍ର ବେଗରେ ପ୍ରଜନନ କରୁଛନ୍ତି ଯେ ସେମାନେ ଖୁବ୍ ଶୀଘ୍ର ହିନ୍ଦୁମାନଙ୍କୁ ପଛରେ ପକାଇଦେବେ ଓ ହିନ୍ଦୁମାନେ ନିଜ ଦେଶରେ ସଂଖ୍ୟାଲଘୁ ପାଲଟିଯିବେ। ଏହି ପଦ୍ୟାବଳୀକୁ ଲକ୍ଷ୍ୟ କରନ୍ତୁ: ‘କୁଛ ଲୋଗ କୀ ତୋ ସାଜିସ୍ ହୈ/ ହମ୍ ବଚ୍ଚେ ଖୁବ୍ ବନାୟେଙ୍ଗେ/ ଜବ୍ ସଂଖ୍ୟା ହୁଇ ହମସେ ଜ୍ୟାଦା/ ଫିର ଅପନି ବାତ ମନାୟେଙ୍ଗେ।’ (କିଛି ଲୋକ ଷଡ୍ଯନ୍ତ୍ର କରୁଛନ୍ତି/ ଯେ ସେମାନେ ଖୁବ୍ ସନ୍ତାନ ଜନ୍ମ କରିବେ/ ଯେତେବେଳେ ସେମାନଙ୍କ ସଂଖ୍ୟା ଆମଠୁ ବଳିଯିବ/ ସେମାନେ ଆମକୁ ତାଙ୍କ ଇସାରାରେ ନଚାଇବେ।)
ବହିରେ କୁନାଳ ଏକ କବିତାର ବ୍ୟାଖ୍ୟା କରିଛନ୍ତି, ଯେଉଁଥିରେ ଗାନ୍ଧୀଙ୍କ ଉପରେ ଆକ୍ରମଣ କରି ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରାଯାଇଛି। ମହାତ୍ମା ଗାନ୍ଧୀଙ୍କର ଜୀବନୀ ଲେଖକ ଭାବେ ମୋତେ ତାହା ଚକିତ କରିଥିଲା। ଉକ୍ତ କବିତାର ଆବୃତ୍ତି ସମ୍ପର୍କରେ ସେ ଲେଖିଛନ୍ତି: ‘ପରବର୍ତ୍ତୀ ୧୩ ମିନିଟ ଧରି ଗାନ୍ଧୀ ଓ ଗଡ଼ସେଙ୍କ ଉପରେ ତାଙ୍କ କବିତା ମାଧ୍ୟମରେ କୋମଲ (କବି) ସ୍ବାଧୀନତା ସଂଗ୍ରାମରେ ଗାନ୍ଧୀଙ୍କର ଭୂମିକା ଉପରେ ସଙ୍ଗୀନ ଆରୋପ ଲଗାଇବା ସଙ୍ଗେ ସଙ୍ଗେ ଗଡ଼ସେଙ୍କ କାର୍ଯ୍ୟକୁ ଠିକ୍ ଦର୍ଶାଇ ତାହାର ମହିମାଗାନ କଲେ। ଏହି କବିତା ସବୁକିଛି ପାଇଁ ଗାନ୍ଧୀଙ୍କୁ ଦାୟୀ କରିଛି- ତିନି ବିପ୍ଳବୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ଫାଶୀକୁ ନ ଅଟକାଇ ଭାରତକୁ ‘ଧୋକା’ ଦେବାରୁ ଆରମ୍ଭ କରି ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନ୍ୟାନ୍ୟ ନେତାଙ୍କ ବଦଳରେ ନେହରୁଙ୍କୁ ସମର୍ଥନ କରିବା ପର୍ଯ୍ୟନ୍ତ। ଏହି କବିତା ମାଧ୍ୟମରେ ଯାହା ସ୍ପଷ୍ଟ ରୂପେ ଅନ୍ତର୍ନିହିତ, ତାହା ହେଉଛି: ଗାନ୍ଧୀଙ୍କୁ ହତ୍ୟା କରିବା ଯୁକ୍ତିଯୁକ୍ତ ଓ ଅତ୍ୟାବଶ୍ୟକ ଥିଲା।’
କୁନାଳ ତାଙ୍କ ପୁସ୍ତକରେ ଗଡ଼ସେ ଓ ଗାନ୍ଧୀଙ୍କ ଉପରେ ରଚିତ କବିତାର ଶେଷ ଭାଗ ଉଦ୍ଧାର କରିଛନ୍ତି:
‘ଅଗର ଗଡ଼ସେ କୀ ଗୋଲି ଉତରି ନ ହୋତି ସିନେ ମୈଁ
ତୋ ହର ହିନ୍ଦୁ ପଢ଼ତା ନମାଜ, ମକ୍କା ଔର ମଦିନେ ମେଁ।
ମୂକ ଅହିଂସା କେ କାରଣ ଭାରତ କା ଆଞ୍ଚଲ ଫଟ ଯାତା,
ଗାନ୍ଧୀ ଜୀବିତ ହୋତେ ତୋ ଫିର୍ ଦେଶ ଦୋବାରା ବଟ୍ ଯାତା।’
ଏହାର ଅର୍ଥ ହେଲା: ଗଡ଼ସେ ଗାନ୍ଧୀଙ୍କ ଛାତିରେ ଗୁଳି ବସେଇ ଦେଇ ନ ଥିଲେ, ପ୍ରତ୍ୟେକ ହିନ୍ଦୁ ଆଜି ମକ୍କା ଓ ମଦିନାରେ ନମାଜ ପଢୁଥାନ୍ତା। ଦୁର୍ବଳ ଅହିଂସା ନୀତି ହେତୁ ଭାରତରେ ଫାଟ ହୁଅନ୍ତା, ଯଦି ଗାନ୍ଧୀ ଜୀବିତ ଥାନ୍ତେ ତେବେ ଦେଶ ଆହୁରି ଭାଗ ଭାଗ ହୋଇଯାଆନ୍ତା।
କୁନାଳ ପୁରୋହିତଙ୍କ ପୁସ୍ତକ ଏକ ଦସ୍ତାବିଜ ପ୍ରସ୍ତୁତ କରିଛି, ଯାହା ଦେଖାଇଥାଏ କିପରି ‘ପପ୍’ ସଂସ୍କୃତି ଅସ୍ତ୍ରରେ ପରିଣତ ହୋଇ ବିଜେପିର ରାଜନୈତିକ ଅଭ୍ୟୁତ୍ଥାନରେ ସହାୟକ ହୋଇଛି। ରୋଚକ ବିଷୟ ହେଲା, ଦକ୍ଷିଣ ଭାରତ ତୁଳନାରେ ଉତ୍ତର ଭାରତର ହରିୟାଣା ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହି ବିଷାକ୍ତ ସାଂସ୍କୃତିକ ସ୍ବରୂପ ଶ୍ରୋତାଙ୍କର ଅଧିକ ଗ୍ରହଣୀୟତା ହାସଲ କରିଥାଏ। ମୋଦୀ ଓ ଆଦିତ୍ୟନାଥଙ୍କ ସ୍ତୁତିଗାନ ପାଇଁ ଏହିସବୁ ଗୀତ ଓ କବିତାକୁ ବ୍ୟବହାର କରାଯାଏ। ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଆର୍ଥିକ ପୁରସ୍କାର ପାଇଥିବା ଜଣେ ଦକ୍ଷିଣପନ୍ଥୀ କବିଙ୍କ ବିଷୟରେ କୁନାଳ ଉଲ୍ଲେଖ କରିଛନ୍ତି, ଯିଏ ସେହି ପୁରସ୍କାର ରାଶିକୁ ସରକାରଙ୍କୁ ଫେରାଇଦେଇ କହିଛନ୍ତି ଯେ ସରକାର ତା’ ସାହାଯ୍ୟରେ ଏକ ନୂଆ ବୁଲଡୋଜର୍ କିଣନ୍ତୁ (ସମ୍ଭବତଃ ମୁସଲମାନମାନଙ୍କ ଘର ଭାଙ୍ଗିବା ଲାଗି)।
କୁନାଳ ପୁରୋହିତଙ୍କ ପୁସ୍ତକଟି ହେଉଛି ଏକ ବାତାୟନ, ଯାହା ଦେଇ ହିନ୍ଦୁ ଦକ୍ଷିଣପନ୍ଥୀଙ୍କ ମାନସିକ ବିକାର ଓ ଉଦ୍ଭଟ କଳ୍ପନାର ଦୁନିଆ ଭିତରକୁ ଉଣ୍ଡି ଦେଖିବାର ସୁଯୋଗ ମିଳିଥାଏ। ଲେଖକ ଉପସଂହାରରେ ଲେଖିଛନ୍ତି, “ପପ୍ ସଂସ୍କୃତି ସହିତ ‘ପ୍ରୋପାଗଣ୍ଡା’ ବା ପ୍ରଚାରକୁ ଗୁନ୍ଥିବାର ଉଦ୍ୟମ ଦିନକୁ ଦିନ ଅଧିକ ଖୋଲାଖୋଲି ଏବଂ ତାହାର ପ୍ରଭାବ ଅଧିକ ଅଭିସନ୍ଧିମୂଳକ ହେବାରେ ଲାଗିଛି। ହିନ୍ଦୁତ୍ବର ଏଭଳି ପ୍ରୋତ୍ସାହନ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲୋଭନୀୟ ହେଲାଣି। ହେଲେ ରୋଚକ କଥା ହେଉଛି କୌଣସି ପ୍ରମୁଖ ବିଜେପି ନେତା ଏହି ସବୁ ‘ପ୍ରୋପାଗଣ୍ଡା’-ଭିତ୍ତିିକ କବିତା, ଗୀତ ଓ ପ୍ରଚାରପତ୍ର ସହିତ ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ହୋଇନାହାନ୍ତି କି ସେଗୁଡ଼ିକର ପ୍ରସାର କରିନାହାନ୍ତି। ବରଂ, ଭିଡ଼ ଏବଂ ହିଂସା ଭିଆଇବା କାର୍ଯ୍ୟ ଅଣ-ସରକାରୀ ତତ୍ତ୍ବମାନଙ୍କୁ ହସ୍ତାନ୍ତର କରାଯାଇଛି। ସେମାନେ ସ୍ବାଧୀନ ମନେ ହୁଅନ୍ତି, କିନ୍ତୁ ହିନ୍ଦୁ ଦକ୍ଷିଣପନ୍ଥୀ ଗୋଷ୍ଠୀ ସହିତ ସେମାନେ ଏକ ଅଦୃଶ୍ୟ ନାଭି ନାଡ଼ ଜରିଆରେ ସଂଯୁକ୍ତ।’
ଏହି ପୁସ୍ତକ ପଢ଼ିବା ବେଳେ ମନରେ ବିମୋହନ ଓ ଆତଙ୍କର ମିଶ୍ରିତ ଭାବନା ସୃଷ୍ଟି ହେଲା। ମୁଁ ଭାବି ଆସୁଥିଲି ଯେ ସଂଗୀତ ଏଭଳି ଏକ କଳା କ୍ଷେତ୍ର ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୋରଂଜନ କରିବା। ସଂଗୀତ ପାଶ୍ଚାତ୍ୟ ହେଉ କି ପ୍ରାଚ୍ୟ, ଲୋକଗୀତ ହେଉ କି ଶାସ୍ତ୍ରୀୟ; ଶତାବ୍ଦୀ ଶତାବ୍ଦୀ ଧରି ତାହା ମଣିଷକୁ ଶାନ୍ତି ଓ ଆନନ୍ଦ ଦେଇଆସିଛି। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଯୋଗୁଁ ମୁଁ ଜୀବନକୁ ଗତିଶୀଳ କରି ରଖିପାରିଛି। ତଥାପି ବିସମିଲ୍ଲା ଖାଁ ଓ ଏମ୍. ଏସ୍. ସୁବ୍ବୁଲକ୍ଷ୍ମୀ, କିଶୋରୀ ଆମୋନକର ଓ କିଶୋର କୁମାରଙ୍କ ସଂଗୀତର ଏହି ଦେଶରେ ସଂଗୀତ ଏବେ ଦକ୍ଷିଣପନ୍ଥୀ ପ୍ରଚାରତନ୍ତ୍ର ତଥା ଶତ୍ରୁତା ଓ ହିଂସାର ଏକ ବାହକ ପାଲଟିଛି।
[email protected]
ସା˚ପ୍ରତିକୀ: ହିନ୍ଦୁତ୍ବ: ତତ୍ତ୍ବ ଓ ପ୍ରୟୋଗ
ରାମଚନ୍ଦ୍ର ଗୁହା
/sambad/media/post_attachments/wp-content/uploads/2022/12/sahitya-20212.jpg)