ସୁପ୍ରିମ୍ କୋର୍ଟ କହିଛନ୍ତି କୋର୍ଟ ବିଶ୍ବାସ କରେ ନାହିଁ ଯେ ଭାରତ ସହିତ ମିଶ୍ରଣ ପରେ ଜାମ୍ମୁକାଶ୍ମୀର ତଥାପି କୌଣସି ଆଭ୍ୟନ୍ତରୀଣ ସାର୍ବଭୌମତ୍ବର ଅଧିକାରୀ ହୋଇ ରହିଲା। ସଂବିଧାନର ଧାରା-୧ ଓ ଧାରା-୩୭୦ ଅନୁସାରେ ଜାମ୍ମୁକାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି ବୋଲି କୋର୍ଟ କହିଛନ୍ତି। ସେ ସମୟରେ ସେ ରାଜ୍ୟରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ରୂପେ ଧାରା-୩୭୦ର ପରିକଳ୍ପନା କରାଯାଇଥିଲା ଏବଂ ସଂବିଧାନ ପାଠ କଲେ ଜଣାପଡ଼େ ଯେ ଏହା ଥିଲା ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ରାୟରେ ସ୍ପଷ୍ଟ କରି ଦିଆଯାଇଛି। ରାୟରେ ଏହା ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି ଯେ ଏଣିକି ଭାରତୀୟ ସଂବିଧାନର ସମସ୍ତ ବ୍ୟବସ୍ଥା ଜାମ୍ମୁକାଶ୍ମୀର ପ୍ରତି ମଧ୍ୟ ଲାଗୁ ହେବ।

Advertisment

ଏବେ ମଧ୍ୟ ରାଜନୀତି ବିଜ୍ଞାନର ଛାତ୍ରମାନେ ଯେତେବେଳେ ରାଷ୍ଟ୍ର ଓ ସାର୍ବଭୌମତ୍ବର ସ୍ବରୂପ ସମ୍ବନ୍ଧରେ ଏକ ପ୍ରାଞ୍ଜଳ ଧାରଣା ସଂଗ୍ରହ କରିବାକୁ ବାହାରନ୍ତି, ସେତେବେଳେ ସେମାନେ ଯାହାଙ୍କର ଓ ଯାହାର ସାହାଯ୍ୟ ଲୋଡ଼ିଥାନ୍ତି, ସେମାନେ ହେଲେ ସପ୍ତଦଶ ଶତାବ୍ଦୀର ଇଂରେଜ ଦାର୍ଶନିକ ଥମାସ୍ ହବ୍‌ସ ଓ ୧୬୫୨ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଲେଭିଆଥାନ୍’। ତାଙ୍କ ସମସାମୟିକ ଫରାସୀ ଦାର୍ଶନିକ ଡେକାର୍ଟ‌୍ଙ୍କ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇ ହବ୍‌ସ ସେଥିରେ କହିଥିଲେ ଯେ ମନୁଷ୍ୟର ଶରୀର ଯେମିତି ହେଉଛି ଈଶ୍ବରଙ୍କ ଦ୍ବାରା ଡିଜାଇନ୍ କରା ହୋଇଥିବା ଏକ ମେସିନ୍, ରାଷ୍ଟ୍ର ନାମକ ରାଜନୈତିକ ଶରୀର ସେଇଭଳି ହେଉଛି ମନୁଷ୍ୟମାନଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଏକ ମେସିନ୍- ହବ୍‌ସଙ୍କ ଭାଷାରେ, ‘‘କୃତ୍ରିମ ଜୀବନ ବହନ କରୁଥିବା ଏକ କୃତ୍ରିମ ଜନ୍ତୁ।’’
ଏହି ବାଇବଲ୍ ବର୍ଣ୍ଣିତ ଲେଭିଆଥାନ୍ ଭଳି ବିଶାଳକାୟ ଜନ୍ତୁ ବା ରାଷ୍ଟ୍ର ସମ୍ବନ୍ଧରେ ସେ ଯେଉଁ ଚିତ୍ର ପ୍ରଦାନ କରିଥିଲେ, ତାହା ହେଲା, ଏହି କୃତ୍ରିମ ଜନ୍ତୁ ହେଉଛି ତାକୁ ସୃଷ୍ଟି କରିଥିବା ପ୍ରାକୃତିକ ଜୀବ ମନୁଷ୍ୟମାନଙ୍କ ଠାରୁ ବହୁ ଅଧିକ ଶକ୍ତିଶାଳୀ କିନ୍ତୁ ଯାହାର ଲକ୍ଷ୍ୟ ହେଉଛି ସେଇ ପ୍ରାକୃତିକ ଜୀବମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯେଉଁ ଆତ୍ମା ସେଇ ବିଶାଳ ଜନ୍ତୁକୁ ଜୀବନ ଦାନ କରି ତାକୁ ଚଳମାନ କରିଥାଏ, ସେ ଆତ୍ମା ହେଉଛି- ସାର୍ବଭୌମତ୍ବ। ହବ୍‌ସ ପୁଣି କହିଥିଲେ, ମନୁଷ୍ୟମାନେ ଏହି ସାର୍ବଭୌମତ୍ବଯୁକ୍ତ କୃତ୍ରିମ ଜନ୍ତୁକୁ ସୃଷ୍ଟି କରି ନ ଥାନ୍ତି ନିଜର ମନୋରଂଜନ ପାଇଁ; ସେମାନେ ଏହାକୁ ସୃଷ୍ଟି କରିଥିବାର କାରଣ ହେଲା ‌ଏହା ଯେ ରାଷ୍ଟ୍ର ରୂପକ ଏହି ଜନ୍ତୁ ତା’ର ସାର୍ବଭୌମ କ୍ଷମତା ପ୍ରୟୋଗ କରି ମନୁଷ୍ୟମାନଙ୍କୁ ଅର୍ଥାତ୍ ନାଗରିକମାନଙ୍କୁ ଶୃଙ୍ଖଳିତ କରି ରଖିବ ଯେପରି ସେମାନେ ନିରାପଦରେ ଜୀବନଯାପନ କରିପାରିବେ। ନଚେତ୍ ରାଷ୍ଟ୍ରର ଆବର୍ତ୍ତମାନରେ ମନୁଷ୍ୟମାନେ ଯେଉଁ ବିପଦସଂକୁଳ ଜଙ୍ଗଲୀ ପରିବେଶରେ ବାସ କରିବେ, ସେଥିରେ ‘‘ମନୁଷ୍ୟର ଜୀବନ ହେବ ନିଃସଙ୍ଗ, ଦରିଦ୍ର, କଦର୍ଯ୍ୟ, ପଶୁସୁଲଭ ଓ ସଂକ୍ଷିପ୍ତ’’।
ଭାରତୀୟ ସଂବିଧାନ ଭାରତୀୟ ରାଷ୍ଟ୍ରର ନାଗରିକମାନଙ୍କ ପାଇଁ ଏକ ଶୃଙ୍ଖଳିତ ସଭ୍ୟ ଜୀବନ ନିଶ୍ଚିତ କରିବା ନିମିତ୍ତ ଏହି ରାଷ୍ଟ୍ର ରୂପକ ଲେଭିଆଥାନ୍‌କୁ ତା’ର ଉପରୋକ୍ତ ଆତ୍ମା ରୂପକ ସାର୍ବଭୌମତ୍ବ ପ୍ରଦାନ କରିଛି। କିନ୍ତୁ ଏକ ବିଚିତ୍ର ବିଡ଼ମ୍ବନା ସଦୃଶ ୨୦୧୯ ଅଗଷ୍ଟ ୫ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରର ଏହି ସାର୍ବଭୌମତ୍ବ ରାଷ୍ଟ୍ରର ସମଗ୍ର ଇଲାକାକୁ ପରିବ୍ୟାପ୍ତ ହୋଇପାରି ନ ଥିଲା, ଯାହାର କାରଣ ଥିଲା ସେଇ ସଂବିଧାନର ଏକ ବିବଦମାନ ଧାରା, ଧାରା-୩୭୦। ଅକ୍‌ଟୋବର ୧୭, ୧୯୪୯ରେ ସଂବିଧାନରେ ଅନ୍ତର୍ଭୁକ୍ତ କରାଯାଇଥିବା ଏହି ଧାରା ଭାରତୀୟ ରାଷ୍ଟ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଜାମ୍ମୁକାଶ୍ମୀର ରାଜ୍ୟ ପାଇଁ ରାଷ୍ଟ୍ରର ସାର୍ବଭୌମ କ୍ଷମତାକୁ ଗୁରୁତର ଭା‌ବରେ ସଂକୁଚିତ କରି ଦେଇଥିଲା, ବା ଅନ୍ୟ ଭାଷ‌ାରେ କହିଲେ, ଲେଭିଆଥାନ୍‌ର ଆତ୍ମାକୁ ସଂକୁଚିତ କରି ଦେଇଥିଲା। ଏହି ଧାରା ଅନୁଯାୟୀ ଭାରତୀୟ ସଂବିଧାନର ମାତ୍ର ଦୁଇଟି ଧାରା ଜାମ୍ମୁକାଶ୍ମୀର ପ୍ରତି ଲାଗୁ ହୋଇ ପାରିବ: ଭାରତର ସଜ୍ଞା ନିରୂପଣ କରୁଥିବା ଧାରା-୧ ଓ ଖୋଦ୍ ଏହି ଧାରା- ୩୭୦। ଧାରା-୩୭୦ ଅନୁସାରେ କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ବିତ୍ତ ଓ ଯୋଗାଯୋଗ ବ୍ୟତୀତ ଅନ୍ୟ ସମସ୍ତ ଇଲାକାରେ ପ୍ରଣୟନ କରାଯାଉଥିବା ଆଇନ ଜାମ୍ମୁକାଶ୍ମୀର ପ୍ରତି ଲାଗୁ ହେବା ପାଇଁ ପାର୍ଲିଆମେଣ୍ଟ୍ ସେ ରାଜ୍ୟର ସହମତି ଲାଭ କରିବା ଆବଶ୍ୟକ। ସଂପତ୍ତି ମାଲିକାନା, ମୌଳିକ ଅଧିକାର ଓ ନାଗରିକତ୍ବ ଭଳି ପ୍ରସଙ୍ଗମାନ ଜାମ୍ମୁକାଶ୍ମୀର ପାଇଁ ଉଦ୍ଦିଷ୍ଟ ଏକ ପୃଥକ୍ ଆଇନ୍ ଦ୍ବାରା ନିୟନ୍ତ୍ରିତ ହେଉଥିଲେ।
ତେବେ‌ ଭାରତୀୟ ପାର୍ଲିଆମେଣ୍ଟ୍‌ର କ୍ଷମତାକୁ ସୀମିତ କରି ଜାମ୍ମୁକାଶ୍ମୀର ରାଜ୍ୟକୁ ଏଭଳି ସ୍ବୟଂଶାସନ ଅଧିକାର ପ୍ରଦାନ କରୁଥିବା ଏହି ଧାରା-୩୭୦ ସଂବିଧାନର ଭାଗ-୨୧ରେ ‘‘ଜାମ୍ମୁକାଶ୍ମୀର ପାଇଁ ଉଦ୍ଦିଷ୍ଟ ଏକ ଅସ୍ଥାୟୀ ବ୍ୟବସ୍ଥା’’ ରୂପେ ଶ୍ରେଣୀଭୁକ୍ତ ହୋଇ ଅନ୍ତର୍ଭୁକ୍ତ ହୋଇଥିଲା। ଏକ ସାର୍ବଭୌମ ର‌ାଷ୍ଟ୍ର ଭିତରେ ଏକ ସାର୍ବଭୌମତ୍ବ-ଅପହଞ୍ଚ ରାଜ୍ୟର ଉପସ୍ଥିତି ଯେ ଏକ ବିକୃତି ଥିଲା, ତାହା ହୃଦୟଙ୍ଗମ କରି ସଂବିଧାନରେ ଏହାକୁ ଏକ ଅସ୍ଥାୟୀ ବିକୃତି ବୋଲି ସ୍ପଷ୍ଟ କରି ଦିଆଯାଇଥିଲେ ହେଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଓ ତୁଷ୍ଟୀକରଣ ରାଜନୀତିର ଚାପରେ ସ୍ବାଧୀନତା ପର ଠାରୁ କୌଣସି ସରକାର ଏହାକୁ ଛୁଇଁବାକୁ ସାହସ କରି ନ ଥିବାରୁ ଏହା ବସ୍ତୁତଃ ଏକ ସ୍ଥାୟୀ ବ୍ୟବସ୍ଥା ରୂପେ ଗୃହୀତ ହୋଇ ସାରିଥିଲା। ଦୀର୍ଘ କାଳ ଧରି ଲେଭିଆଥାନ୍‌ର ପହୁଞ୍ଚ ବାହାରେ ରହିବା ଦ୍ବାରା କାଶ୍ମୀରରେ ଯେଉଁଭଳି ଅରାଜକତା, ଆତଙ୍କବାଦ, ହିଂସା, ରକ୍ତପାତ ଆଦି ଦୈନନ୍ଦିନ ଜୀବନର ଅଂଶ ପାଲଟି ଯାଇଥିଲେ, ତାହା ସେ ରାଜ୍ୟକୁ ହବ୍‌ସ ବର୍ଣ୍ଣିତ ଉପରୋକ୍ତ ଜଙ୍ଗଲୀ ରାଜ୍ୟରେ ପରିଣତ କରି ଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅବଶେଷରେ ନିଜର ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ଏନ୍‌ଡିଏ ସରକାର ଦ୍ବିତୀୟ ପାଳି କ୍ଷମତାକୁ ଆସିବା ପରେ ପରେ ଅଗଷ୍ଟ ୫, ୨୦୧୯ରେ ଧାରା-୩୭୦ର ଉଚ୍ଛେଦ ଘଟାଇ ସେ ବିକୃତିରେ ଅନ୍ତ ଘଟାଇଥିଲେ। ତଥାପି କିନ୍ତୁ ତା’ର ସଂକୁଚିତ ଆତ୍ମାକୁ ପୂର୍ଣ୍ଣାଙ୍ଗ ଅବସ୍ଥାରେ ଫେରି ପାଇବା ନେଇ ଲେଭିଆଥାନ୍ ସଂପୂର୍ଣ୍ଣ ନିଶ୍ଚିତ ହୋଇପାରି ନ ଥିଲା। ଏହି ଅନିଶ୍ଚିତତାର କାରଣ ହେଲେ ଧାରା-୩୭୦ର ଉଚ୍ଛେଦକୁ ବିରୋଧ କରି ବିଭିନ୍ନ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନଙ୍କ ଦ୍ବାରା ସୁପ୍ରିମ୍ କୋର୍ଟରେ ଆଗତ କରାଯାଇଥିବା ୨୦ଟିରୁ ଅଧିକ ଆବେଦନ। ଏହି ଆବେଦନଗୁଡ଼ିକର ବିଚାର କରି ସୁପ୍ରିମ୍ କୋର୍ଟର ଏକ ପାଞ୍ଚଜଣିଆ ସାଂବିଧାନିକ ବେଞ୍ଚ୍‌ ସୋମବାର ଦିନ ପ୍ରଦାନ କରିଥିବା ରାୟ ଶେଷରେ ସେ ଅନିଶ୍ଚିତତାକୁ ସଂପୂର୍ଣ୍ଣ ରୂପେ ଦୂରୀଭୂତ କରି ଧାରା-୩୭୦ର ଉଚ୍ଛେଦକୁ କାଏମ ରଖିଛି। ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ବେଞ୍ଚ୍‌ ‌ଶୁଣାଣି ପରେ ପ୍ରଦାନ କରିଥିବା ତିନିଟିଯାକ ପୃଥକ୍ ପୃଥକ୍ ରାୟରେ ସଂପୂର୍ଣ୍ଣ ସହମତି ପ୍ରଦର୍ଶିତ ହୋଇ ଏ ସମ୍ବନ୍ଧରେ ଆଉ କ୍ଷୀଣତମ ସନ୍ଦେହର ଅବକାଶ ରହି ନାହିଁ। ରାୟଗୁଡ଼ିକର କେତେକ ଗୁରୁତ୍ବପୂର୍ଣ୍ଣ ଅଂଶ ଉପରେ ଏକ କ୍ଷୀପ୍ର ନଜର ପକାଇଲେ ଏହା ସହଜରେ ହୃଦୟଙ୍ଗମ କରି ହୋଇଥାଏ।
ସୁପ୍ରିମ୍ କୋର୍ଟ କହିଛନ୍ତି କୋର୍ଟ ବିଶ୍ବାସ କରେ ନାହିଁ ଯେ ଭାରତ ସହିତ ମିଶ୍ରଣ ପରେ ଜାମ୍ମୁକାଶ୍ମୀର ତଥାପି କୌଣସି ଆଭ୍ୟନ୍ତରୀଣ ସାର୍ବଭୌମତ୍ବର ଅଧିକାରୀ ହୋଇ ରହିଲା। ସଂବିଧାନର ଧାରା-୧ ଓ ଧାରା-୩୭୦ ଅନୁସାରେ ଜାମ୍ମୁକାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି ବୋଲି କୋର୍ଟ କହିଛନ୍ତି। ସେ ସମୟରେ ସେ ରାଜ୍ୟରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ରୂପେ ଧାରା-୩୭୦ର ପରିକଳ୍ପନା କରାଯାଇଥିଲା ଏବଂ ସଂବିଧାନ ପାଠ କଲେ ଜଣାପଡ଼େ ଯେ ଏହା ଥିଲା ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ରାୟରେ ସ୍ପଷ୍ଟ କରି ଦିଆଯାଇଛି। ରାୟରେ ଏହା ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି ଯେ ଏଣିକି ଭାରତୀୟ ସଂବିଧାନର ସମସ୍ତ ବ୍ୟବସ୍ଥା ଜାମ୍ମୁକାଶ୍ମୀର ପ୍ରତି ମଧ୍ୟ ଲାଗୁ ହେବ। ସୁପ୍ରିମ୍ କୋର୍ଟ ରାଷ୍ଟ୍ରପତିଙ୍କର ଏ ବାବଦରେ ଥିବା କ୍ଷମତା ସମ୍ବନ୍ଧରେ ସ୍ପଷ୍ଟୀକରଣ ପ୍ରଦାନ କରି କହିଛନ୍ତି ଯେ ଜାମ୍ମୁକାଶ୍ମୀର ସଂବିଧାନ ସଭା‌ର ଅନ୍ତ ଘଟିବା ପରେ ମଧ୍ୟ ଧାରା-୩୭୦ର ଉଚ୍ଛେଦ ଘଟିଲା ବୋଲି ବିଜ୍ଞପ୍ତି ଜାରି କରିବା ପାଇଁ ରାଷ୍ଟ୍ରପତିଙ୍କର ପୂର୍ଣ୍ଣ ଅଧିକାର ରହିଛି। ବୋଧହୁଏ ଯାହା ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା, ସୁପ୍ରିମ୍ କୋର୍ଟ କହିଛନ୍ତି ଧାରା-୩୭୦ ଜାମ୍ମୁକାଶ୍ମୀରର ଭାରତୀୟ ରାଷ୍ଟ୍ର ସହିତ ସାଂବିଧାନିକ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ଥିଲା, ବିଚ୍ଛିନ୍ନୀକରଣ ପାଇଁ ନୁହେଁ; ସେଇ ଧାରାର ଉଚ୍ଛେଦ ସେଇ ମିଶ୍ରଣକୁ ସଂପୂର୍ଣ୍ଣ କରିଛି।
ସ୍ବାଧୀନତାର ୭୫ ବର୍ଷ ପରେ ବର୍ତ୍ତମାନ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିବା ଭାରତର ସାର୍ବଭୌମତ୍ବ ଅଖଣ୍ଡ ବୋଲି, ଲେଭିଆଥାନ୍‌ର ଆତ୍ମା ଅକ୍ଷୁଣ୍ଣ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ସ୍ବୀକୃତି ପ୍ରଦାନ କରି ଅମୃତକାଳକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛନ୍ତି।