‘ଲୋକାଲ ସର୍କଲ’ ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅନ୍ୟୂନ ୬୧% ଭାରତୀୟ ବିଗତ ୧୨ ମାସ ମଧ୍ୟରେ ରାତିରେ ଅବିରତ ୬ ଘଣ୍ଟାରୁ କମ୍ ସମୟ ଶୋଇପାରିଛନ୍ତି। ସର୍ବେକ୍ଷଣରେ ପଚରାଯାଇଥିଲା, ‘ଗତ ୧୨ ମାସ ମଧ୍ୟରେ ଆପଣ ସାଧାରଣତଃ କେତେ ଘଣ୍ଟା ଲଗାତାର ଶୋଇବାର ସୁଯୋଗ ପାଇଛନ୍ତି?’ ୧୩,୫୫୭ ଉତ୍ତରଦାତାଙ୍କ ମଧ୍ୟରୁ ୩୮% କହିଥିଲେ ଯେ ସେମାନେ ମାତ୍ର ୪ରୁ ୬ ଘଣ୍ଟା ଅବିରତ ନିଦ୍ରାର ସୁଯୋଗ ପାଇଛନ୍ତି। ସେହିପରି ୨୩% ଅଂଶଗ୍ରହଣକାରୀଙ୍କ ପାଇଁ ଏହି ଅବଧି ୪ ଘଣ୍ଟାରେ ସୀମିତ। ୨୮% ଲୋକ ୬ରୁ ୮ ଘଣ୍ଟା; ୬% ଲୋକ ୮ରୁ ୧୦ ଘଣ୍ଟା ଏବଂ ମାତ୍ର ୫% ଲୋକ ୧୦ ଘଣ୍ଟାରୁ ଅଧିକ ସମୟ ଅବିରତ ଭାବେ ନିଦ୍ରା ଯିବାର ସୁଯୋଗ ପାଇଥିଲେ। ଗତ ତିନି ବର୍ଷର ସର୍ବେକ୍ଷଣରୁ ଏକ ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ରାତିରେ ୬ ଘଣ୍ଟାରୁ କମ୍ ଅବିରତ ଶୋଉଥିବା ଭାରତୀୟଙ୍କ ଭାଗ ୨୦୨୨ରେ ୫୦% ଥିବା ବେଳେ ୨୦୨୩ରେ ଏହା ୫୫% ଓ ୨୦୨୪ରେ ୬୧%କୁ ବୃଦ୍ଧି ପାଇଛି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ ଅନ୍ୟୂନ ୮ ଘଣ୍ଟା ଶୋଇବା ପାଇଁ ବିଶେଷଜ୍ଞମାନେ ଉପଦେଶ ଦେଉଥିବା ବେଳେ ଅଧିକାଂଶ ଭାରତୀୟଙ୍କ ନିଦ୍ରାର ମାନ ଉତ୍କୃ‌ଷ୍ଟ ନୁହେଁ; ଯାହା ଚିନ୍ତାଜନକ।