କିଛିଦିନ ତଳେ ଗୋଟିଏ ଖବରକାଗଜରେ ଏକ ରୋଚକ ବୈବାହିକ ବିଜ୍ଞାପନ ବାହାରିଥିଲା, ଯାହାକି ଅଳ୍ପ କ୍ଷଣରେ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଚାଞ୍ଚଲ୍ୟ ସୃଷ୍ଟି କରିପକାଇଲା। ମୁମ୍ବାଇର ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାର ତାଙ୍କର କନ୍ୟା ପାଇଁ ବରପାତ୍ର ଖୋଜିବା ଉଦ୍ଦେଶ୍ୟରେ ଏହି ବିଜ୍ଞାପନଟି ବାହାର କରିଥିଲେ। ପୂର୍ବ ବିବାହରୁ ଛାଡ଼ପତ୍ର ହାସଲ କରିଥିବା କନ୍ୟାଟି ଥିଲା ବୁଦ୍ଧିମତୀ, ଶିକ୍ଷିତା ଓ ସୁନ୍ଦରୀ, ତା’ଛଡ଼ା ସେ ନିଜର ଅତିଥେୟତା ବ୍ୟବସାୟ ମଧ୍ୟ ଚଳାଉଥିବାର ସୂଚନା ମିଳିଥିଲା ଏହି ‘କ୍ଲାସିଫାଏଡ’ ବିଜ୍ଞାପନଟିରୁ। ବେଶ୍‌ ଭଲ କଥା, ଏପର୍ଯ୍ୟନ୍ତ ତ ପ୍ରସ୍ତାବଟି ଥିଲା ସ୍ୱାଭାବିକ ଓ ଆଜିକାଲି ସଚରାଚରେ ଦେଖିବାକୁ ମିଳୁଥିବା ବୈବାହିକ ବିଜ୍ଞାପନର ଆଉ ଏକ ଦୃଷ୍ଟାନ୍ତ। ହେଲେ ସେହି ବିଜ୍ଞାପନରେ ଥିବା ଏକ ଅଜବ ସର୍ତ୍ତ ସବୁ ପାଠକଙ୍କୁ କୌତୂହଳୀ ଓ ଚକିତ କରିଦେଇଥିଲା। ସର୍ତ୍ତଟି ଏଇୟା ଥିଲା ଯେ ଝିଅଟି ପାଇଁ ‘ସ୍ୱଳ୍ପ ଅବଧିର ବାହାଘର ପାଇଁ’ ବରପାତ୍ର ଲୋଡ଼ା।
ବିବାହ ବିଜ୍ଞାପନର ଦୁନିଆଟି ବାସ୍ତବିକ ନାନା କୌତୁକିଆ ଉପାଦାନରେ ଭରା। ବିଜ୍ଞାପନଦାତାଙ୍କର କିଛି ଇଚ୍ଛାକୃତ, କିଛି ଅନିଚ୍ଛାକୃତ, ପୁଣି କିଛି ମୁଦ୍ରଣଜନିତ ପ୍ରମାଦ ଯୋଗୁଁ ଯେଉଁ ବିଜ୍ଞାପନଟି ଆମ ଆଗରେ ଉଭା ହୁଏ, ବେଳେବେଳେ ତାହା ଆମକୁ ଉଚ୍ଚ ମାନର ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏମିତି ରୋଚକ ବିଜ୍ଞାପନଗୁଡ଼ିକ ଭିତରୁ କେବଳ ଗୋଟିଏର ଦୃଷ୍ଟାନ୍ତ ଦେଲେ ବର୍ତ୍ତମାନ ପାଇଁ ଯଥେଷ୍ଟ ହେବ। ଗତ ବର୍ଷ ଗୋଟିଏ ଇଂରେଜୀ ସମ୍ବାଦପତ୍ରରେ ପ୍ରକାଶିତ ହୋଇ ଅନେକ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏହି ବିଜ୍ଞାପନ। ବିହାର ପ୍ରଦେଶରେ ଜନ୍ମିତ ଓ ବିଜ୍ଞାପନ ଜାରି ହୋଇଥିବା ସମୟରେ ନିଯୁକ୍ତି ପାଇଁ ଅପେକ୍ଷାରତ ୩୪ ବର୍ଷୀୟ ଜଣେ ଦନ୍ତ ଚିକିତ୍ସକ, ଡାକ୍ତର ଅଭିନବ କୁମାର ତାଙ୍କର ବିଜ୍ଞାପନଟି ମାଧ୍ୟମରେ ଯେଉଁ ସର୍ବଗୁଣ ସଂପନ୍ନା ପାତ୍ରୀଟି ଖୋଜୁଥିଲେ ତା’ର ବର୍ଣ୍ଣନା ସେ ଏହିପରି ଦେଇଥିଲେ: ଝିଅଟି ଅତୀବ ଗୌରବର୍ଣ୍ଣ, ସୁନ୍ଦରୀ, ମାତ୍ରାଧିକ ଅନୁଗତ, ବିଶ୍ୱସ୍ତ, ସ୍ନେହମୟୀ, ଯତ୍ନଶୀଳା, ସାହସୀ, ଶକ୍ତିଶାଳୀ ଓ ଧନବାନ ହୋଇଥିବା ଦରକାର। ତାଙ୍କର ଆବଶ୍ୟକତା ଭଲା ଏତିକିରେ ସରିଥାନ୍ତା! ଡାକ୍ତର କୁମାରଙ୍କ ଆଶା କିନ୍ତୁ ଥିଲା ଅସରନ୍ତି। ତେଣୁ ସେ ଚାହୁଁଥିଲେ ଝିଅଟି ପୁଣି ହୋଇଥିବ ମାତ୍ରାଧିକ ଦେଶପ୍ରେମୀ, ତା’ ଭିତରେ ଥିବ ଭାରତର ସାମରିକ ଓ କ୍ରୀଡ଼ା କ୍ଷେତ୍ରରେ ସାମର୍ଥ୍ୟକୁ ଅଗ୍ରଗାମୀ କରିବାର ତୀବ୍ର ଅଭୀପ୍‌ସା, ସେ ହୋଇଥିବ ଦୃଢ଼ମନା, ଅଥଚ ଦୟାଶୀଳା, ଶିଶୁମାନଙ୍କୁ ଗଢ଼ିବାରେ ସେ ହୋଇଥିବ ଜଣେ ବିଶାରଦ ଓ ପୁଣି ରନ୍ଧନ କଳାରେ ନିପୁଣା। ହଁ, ଝିଅଟିର କୁଣ୍ଡଳୀ ପାତ୍ରଙ୍କ ସହ ରାଜଯୋଟକ ହେବା ଅପରିହାର୍ଯ୍ୟ। ମୁଁ ଅବଶ୍ୟ ଜାଣି ନାହିଁ, ବର୍ଷେ ତଳେ ଏହି ବିଜ୍ଞାପନ ଜାରି କରିଥିବା ଦନ୍ତ ଚିକିତ୍ସକଙ୍କର କନ୍ୟା ଖୋଜା ଆଜି କେଉଁ ସ୍ଥିତିରେ ପହଞ୍ଚିଛି; ହେଲେ ବିବାହ ବିଜ୍ଞାପନ ଦୁନିଆରେ ତାଙ୍କର କନ୍ୟା-ଯୋଗ୍ୟତା ସୂଚିଟି ଯେ ଏକ ‘କ୍ଲାସିକ’ର ସ୍ଥାନ ଗ୍ରହଣ କରିସାରିଛି, ଏହା ମୁଁ ଜୋର ଦେଇ କହିପାରେ।
ଏବେ ଆସନ୍ତୁ ଫେରିବା ଆମର ପ୍ରଥମ ବିଜ୍ଞାପନଟି ଉପରକୁ। ବୈବାହିକ ବିଜ୍ଞାପନର ରସାଳ ଦୁନିଆରେ ଉପରୋକ୍ତ ‘ସ୍ୱଳ୍ପ ଅବଧିର ବାହାଘର’ ବିଜ୍ଞାପନଟି ଥିଲା ସମ୍ପୂର୍ଣ୍ଣ ଅଭିନବ। ତେଣୁ ଅଳ୍ପ ସମୟରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ଭିତରେ ଗୁଞ୍ଜରଣ ଖେଳିଗଲା ଓ ଏହି ଅଜବ ସର୍ତ୍ତର ଅସଲି ଉଦ୍ଦେଶ୍ୟ ଉପରେ ଆରମ୍ଭ ହୋଇଗଲା ନାନା କଳ୍ପନାଜଳ୍ପନା। ଏହା ଅବଶ୍ୟ ଥିଲା ଏକ ସ୍ୱାଭାବିକ ପ୍ରତିକ୍ରିୟା। ମଣିଷ ସମାଜରେ ସାଧାରଣତଃ ବିବାହ ସାରା ଜୀବନର ସମ୍ପର୍କ ସୃଷ୍ଟି କରିଥାଏ। ହିନ୍ଦୁ ସଂସ୍କୃତିରେ ବିବାହ ଜନ୍ମ-ଜନ୍ମାନ୍ତରର ବନ୍ଧନର ମୂଳଦୁଆ ପକାଇଥାଏ ବୋଲି ସମସ୍ତଙ୍କ ଧାରଣା। ଏମିତିକି ଅନ୍ୟାନ୍ୟ ଧର୍ମମାନଙ୍କରେ ମଧ୍ୟ ବିବାହ ଏକ ଚିରନ୍ତନ ସମ୍ପର୍କ ବୋଲି ଧରିନିଆଯାଏ। ଖ୍ରୀଷ୍ଟିଆନ ଧର୍ମରେ ଏ ସମ୍ପର୍କକୁ ‘ମୃତ୍ୟୁ ଆମକୁ ଅଲଗା କରିବା ପର୍ଯ୍ୟନ୍ତ’ (ଟିଲ୍ ଡେଥ୍ ଡୁ ଅସ୍ ଆପାର୍ଟ‌୍) ବଜାୟ ରଖିବେ ବୋଲି ବର ଓ କନ୍ୟା ଶପଥ ନେଇଥାନ୍ତି। ହେଲେ ସଂକ୍ଷିପ୍ତୀକରଣର ଏହି ଯୁଗରେ କୌଣସି ସମ୍ପର୍କକୁ ଏତେ ଲମ୍ବା ଅବଧି ପର୍ଯ୍ୟନ୍ତ ଟାଣି ନେବାକୁ ଆଜି ଅନେକେ ରାଜି ନୁହନ୍ତି। ଦୁଇ ମିନିଟରେ ତିଆରି ହେଉଥିବା ମ୍ୟାଗି, ସଙ୍ଗେସଙ୍ଗେ ଉପଲବ୍‌ଧ ହେଉଥିବା ଫାଷ୍ଟ ଫୁଡ୍, ତତ୍କାଳ ମିଳି ଯାଉଥିବା ଯାତ୍ରା ଟିକେଟ୍ ଓ ପାସପୋର୍ଟ ଇତ୍ୟାଦି ସହ ପରିଚିତ ଆଜିର ପିଢ଼ି କାହିଁକି ବିବାହ ବନ୍ଧନ ପାଇଁ ଆଜୀବନ ପ୍ରତିଶ୍ରୁତିବଦ୍ଧ ହୋଇ ରହିବେ?
ଆଜି ଆମ ସମାଜରେ ଦ୍ରୁତ ଗତିରେ ବଢ଼ି ଚାଲିଛି ବିବାହ ବିଚ୍ଛେଦର ହାର। ଆଧୁନିକ ପିଢ଼ିର ମଣିଷ ପରମ୍ପରାଗତ ପ୍ରଥାଗୁଡ଼ିକୁ ଭାବପ୍ରବଣତାର ସହ ଆପଣେଇ ନ ନେଇ ବଦଳିଥିବା ସାମାଜିକ ଦୃଶ୍ୟପଟରେ ସେଗୁଡ଼ିକର ଯୌକ୍ତିକତା କଥା ବିଚାର କରୁଛି। ବିବାହ ବିଚ୍ଛେଦ ତ ଖାଲି ସହଜ କଥା ନୁହେଁ, ତା’ ସହିତ ଜଡ଼ିତ ଅନେକ ନ୍ୟାୟିକ, ନୈତିକ, ପାରିବାରିକ ଓ ସାମାଜିକ ପ୍ରଶ୍ନମାନ। କୋର୍ଟ କଚେରୀ, ବିଚ୍ଛେଦ ପରର ଭରଣପୋଷଣ ଜନିତ ଦାବି ଓ ଦେୟ ଇତ୍ୟାଦି ଭଳି ଅନେକ ସମସ୍ୟା ଏହି ପ୍ରକ୍ରିୟାଟିକୁ ଜଟିଳ କରି ପକାଏ। ବୈବାହିକ ସମ୍ପର୍କର ଅବଧି ଯଦି ପୂର୍ବରୁ ନିର୍ଦ୍ଧାରିତ, ତେବେ ଏ ସବୁ ଯାବତୀୟ ଝାମେଲାରୁ ମୁକ୍ତି ମିଳିଲେ କ୍ଷତି କ’ଣ? ପୂର୍ବରୁ ବିବାହ ବିଚ୍ଛେଦ ଭୋଗି ସାରିଥିବା ବିଜ୍ଞାପନର ପାତ୍ରୀ ଜଣକ ହୁଏତ ସେ ସମସ୍ୟାକୁ ଆଖିରେ ରଖି ଏମିତି ସ୍ୱଳ୍ପ ଅବଧିର ବିବାହ କଥା ଚିନ୍ତା କରିଛନ୍ତି। କିଏ ଜାଣେ ଆଜି ଆମ ଆଖିକୁ କୌତୁକପୂର୍ଣ୍ଣ ଲାଗୁଥିବା ଏହି ସର୍ତ୍ତଟି ଆଗାମୀ କାଲି ଏକ ସ୍ବୀକାର୍ଯ୍ୟ ଧାରାର ଦ୍ୟୋତକ ନ ହେବ?
ମୋ: ୯୪୩୭୦୮୯୬୫୫