ଏବେ ତରୁଣ-ତରୁଣୀମାନଙ୍କ ଭିତରେ ଆତ୍ମହତ୍ୟା ସଂଖ୍ୟାରେ ଖୁବ୍ ବୃଦ୍ଧି ଘଟିଛି। ପରୀକ୍ଷାରେ ଫେଲ ହୋଇ ବା ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇ ବା ପ୍ରେମରେ ଧୋକା ଖାଇ ଅନେକ ଆତ୍ମହତ୍ୟା କରୁଛନ୍ତି। ଏପରିକି ନିଜ ବ୍ୟବସାୟ ବା ବୃତ୍ତିରେ ଭଲ କରୁଥିବା ଯୁବକଯୁବତୀମାନେ ଅପେକ୍ଷାକୃତ ସୁଖୀ ବୋଲି ବିଚାର କରାଯାଉଥିବା ବେଳେ ଅନେକ ସମୟରେ ସେମାନଙ୍କ ଭିତରୁ ବି କେହି କେହି ଆତ୍ମହତ୍ୟା କରୁଛନ୍ତି। ତେଣୁ ପ୍ରଶ୍ନ ଉଠୁଛି ଯେ ଏହାର କାରଣ କ’ଣ?
ବିଷାଦ ବା ‘ଡିପ୍ରେସନ୍’ ଚରମ ଅବସ୍ଥାକୁ ଚାଲିଗଲେ ଏବଂ ଅସହାୟତାବୋଧ ଓ ଆଶାହୀନତାରୁ ମୁକ୍ତି ଲାଗି ସବୁ ବାଟ ବନ୍ଦ ହୋଇଗଲେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରେ ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି। କିନ୍ତୁ କଥା ହେଲା ବର୍ତ୍ତମାନ ଏଭଳି କଥା ଅଧିକ ହେଉଛି କାହିଁକି?
ଏହା ଏକ ଜଟିଳ ପ୍ରଶ୍ନ। ଅନେକ ମନୋବୈଜ୍ଞାନିକ ଏହାକୁ ଲାଳନପାଳନ ସଂପର୍କିତ କାରଣ ଭାବେ ଦେଖନ୍ତି। ଆଗରୁ ଯୌଥ ପରିବାରମାନ ଥିଲେ। ପରିବାରର ସଦସ୍ୟମାନେ ନିଃସଙ୍ଗ ବୋଧ କରୁ ନ ଥିଲେ। ପରିବାର ଭିତରେ ପ୍ରତ୍ୟେକଙ୍କ ଲାଗି କିଛି ନା କିଛି ‘ସପୋର୍ଟ ସିଷ୍ଟମ୍’ ବା ‘ଅବଲମ୍ବନ’ ଥିଲା। କିନ୍ତୁ ଏବେ ପରିବାରଗୁଡ଼ିକ କ୍ଷୁଦ୍ର ଏବଂ ଏକକ। ଅନେକ ସ୍ଥଳେ ପିତାମାତା ବୃତ୍ତିଧାରୀ। ତେଣୁ ସନ୍ତାନମାନଙ୍କ ଲାଳନପାଳନରେ ଏକ ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ପିତାମାତାମାନେ ହୃଦୟଙ୍ଗମ କରିବା ଉଚିତ। ସୁତରାଂ, ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହେଲା ସନ୍ତାନ ପ୍ରତି ପିତାମାତାଙ୍କ ମନୋଭାବ। ଯେଉଁ ପରିବାରରେ ସନ୍ତାନସନ୍ତତିଙ୍କ ପ୍ରତି ପିତାମାତାଙ୍କ ବ୍ୟବହାର ସକାରାତ୍ମକ ଏବଂ ଶ୍ରଦ୍ଧାଶୀଳ, ସନ୍ତାନମାନଙ୍କ ସଫଳତାକୁ ସେମାନେ ପ୍ରଶଂସା କରୁଥିବା ବେଳେ ବିଫଳତାରେ ବିରକ୍ତ ନ ହୋଇ ସାହସ ଓ ମନୋବଳ ଦେବାରେ ପ୍ରବୃତ୍ତ; ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ବା ସେମାନଙ୍କ ହତାଶା ଏବଂ ଖେଦକୁ ଶୁଣିବା ଲାଗି ସେମାନଙ୍କ ଠାରେ ସମୟ ଥାଏ, ସେମାନେ ସନ୍ତାନମାନଙ୍କ ସମସ୍ୟା ପ୍ରତି ସହାନୁଭୂତିଶୀଳ, ଅଯଥା ଦୋଷଦର୍ଶୀ ହୋଇ ନ ଥାଆନ୍ତି ଓ ଦୋଷ ଲାଗି ଦଣ୍ଡ ବଦଳରେ ଶ୍ରଦ୍ଧାର ସହିତ ବୁଝାନ୍ତି ଏବଂ ପ୍ରାୟଶ୍ଚିତ୍ତକୁ ଗୁରୁତ୍ବ ଦିଅନ୍ତି, ସେମାନଙ୍କୁ କେତେକ ସ୍ବାଧୀନତା ଦିଅନ୍ତି, ସେମାନଙ୍କ ଉପରେ ଅଯଥା ମାଲିକାନା ବା କର୍ତ୍ତୃତ୍ବ ପ୍ରଦର୍ଶନ କରନ୍ତି ନାହିଁ, ସେଭଳି ସ୍ଥଳେ ସନ୍ତାନସନ୍ତତିମାନଙ୍କ ଠାରେ ବ୍ୟକ୍ତିତ୍ବର ବିକାଶ ଘଟେ। କିନ୍ତୁ ଏହା ସହିତ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ପିଲାମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବା, ମାତ୍ରାଧିକ ସ୍ନେହ ଦେଖାଇ ସେମାନଙ୍କୁ ନିୟନ୍ତ୍ରଣଶୂନ୍ୟ କରି ଛାଡ଼ିଦେବା। ସୁତରାଂ, ଏକ ମାର୍ଜିତ ବିବେଚନାବୋଧ ଏବଂ ପରିପକ୍ବତାର ସହିତ ସନ୍ତାନ ପରିପାଳନ କରାଯିବା ଏକାନ୍ତ ଆବଶ୍ୟକ। ପୂରା ଢିଲା ଛାଡ଼ିଦେବା ଭଳି ଅତି କଠୋର ଅନୁଶାସନ, ଦଣ୍ଡ ଦ୍ବାରା ନିୟନ୍ତ୍ରଣ କରିବାର ମନୋବୃତ୍ତି ଏବଂ ସନ୍ତାନମାନେ ସର୍ବଦା ଆଜ୍ଞାବହ ହେବା ଜରୁରୀ ବୋଲି ବିଚାର ପିଲାମାନଙ୍କ ବ୍ୟକ୍ତିତ୍ବ ବିକାଶରେ କ୍ଷତି ପହଞ୍ଚାଇଥାଏ ଏବଂ ତାହା ନିକୃଷ୍ଟ ଲାଳନପାଳନର ଦୃଷ୍ଟାନ୍ତ ପାଲଟେ।
ଶ୍ରଦ୍ଧା, ବିବେଚନାବୋଧ, ମୃଦୁ ନିୟନ୍ତ୍ରଣ, ସତର୍କ ଦୃଷ୍ଟି ଏବଂ ସହାନୁଭୂତିଶୀଳତା ସହିତ ବଢୁଥିବା ସନ୍ତାନମାନେ ଜୀବନର କଠିନ ସଂକଟ କାଳରେ ନିଃସଙ୍ଗ ହୋଇ ପଡ଼ନ୍ତି ନାହିଁ। ପରିବାର କ୍ଷୁଦ୍ର ଏବଂ ଏକକ ହୋଇଥିଲେ ସୁଦ୍ଧା ସେମାନେ ନିଜ ପିତାମାତାଙ୍କ ଠାରେ ମାର୍ଗଦର୍ଶକ ଓ ବନ୍ଧୁର ସ୍ବରୂପ ଦେଖନ୍ତି। ସେମାନଙ୍କ ବ୍ୟକ୍ତିତ୍ବ ଏଭଳି ଗଢ଼ି ହୋଇଯାଏ ଯେ ସେମାନେ ବିଫଳତାକୁ ପରାଜୟ ବୋଲି ବିଚାର କରନ୍ତି ନାହିଁ। ସେମାନେ ବାରମ୍ବାର େଚଷ୍ଟା କରିବାକୁ ଆଗଭର ହୁଅନ୍ତି ଏବଂ ବାପାମା’ମାନଙ୍କ ଠାରୁ ପ୍ରେରଣା ମଧ୍ୟ ପାଆନ୍ତି। ଏଭଳି ଯୁବକଯୁବତୀ ଧୈର୍ଯ୍ୟର ସହିତ ସଂକଟର ମୁକାବିଲା କରି ଆତ୍ମହତ୍ୟା କରିବା ଭଳି ପଥ ସାଧାରଣତଃ ବାଛି ନ ଥାଆନ୍ତି।
ସଂପ୍ରତି ଅନେକ ପିତାମାତା ବୃତ୍ତିଜୀବୀ ଏବଂ ଅନେକ ପିତାମାତା ନିଜ ନିଜ କାମରେ ଏଭଳି ବ୍ୟସ୍ତ ଯେ ସେମାନଙ୍କ ନିକଟରେ ସନ୍ତାନ ଲାଗି ସମୟ ନ ଥାଏ। ଅନେକ ପିତାମାତା ସନ୍ତାନମାନଙ୍କୁ ନେଇ ଏଭଳି ଉଚ୍ଚାଭିଳାଷୀ ସ୍ବପ୍ନ ଦେଖନ୍ତି ଯେ ତାହା ପିଲାମାନଙ୍କ ଉପରେ ବୋଝ ଭଳି ହୋଇଯାଏ। ଏ ସବୁ ପିଲାମାନଙ୍କ ଉପରେ ଗଭୀର ଚାପ ପକାଏ। ଏଥିରୁ ମୁକ୍ତିି ଲାଗି ସେମାନେ ନିଜ ପରିବାରର ପିତାମାତାଙ୍କ ଠାରେ ଜଣେ ମାର୍ଗଦର୍ଶକ ବନ୍ଧୁ ଖୋଜି ପାଆନ୍ତି ନାହିଁ। ଏଣୁ ହତାଶା ଓ ଅସହାୟବୋଧ ଜର୍ଜର ହୋଇ ଚରମ ପନ୍ଥା ବାଛି ନିଅନ୍ତି। ଏବେ ତାହା ହିଁ ଘଟୁଛି।
ମୋ: ୯୪୩୭୧୨୧୨୭୯
ମନ ପରିଭାଷା: ପରିବାରରେ ମାର୍ଗଦର୍ଶକ ଓ ବନ୍ଧୁ
ଫକୀର ମୋହନ ସାହୁ
/sambad/media/post_attachments/wp-content/uploads/2023/11/dgdadgad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)