ଅଭିରାମ ବିଶ୍ବାଳ
ପୃଥିବୀର ଅନ୍ୟତମ ପ୍ରସିଦ୍ଧ ଶାସ୍ତ୍ରରେ ଉଲ୍ଲେଖ ଅଛି- ପବନର ମଂଜି ବୁଣିଲେ ଘୂର୍ଣ୍ଣିବାତ୍ୟାର ଫସଲ ଅବଶ୍ୟ ଅମଳ କରିବାକୁ ପଡ଼େ। ଏ କଥା ଉଭୟ ହମାସ୍ ଓ ଇସ୍ରାଏଲ୍ ବୁଝୁଥିଲେ କଥା ଏତେ ବାଟକୁ ଯାଇନଥାନ୍ତା। ପ୍ରଥମେ ହମାସ୍ ଆଡୁ ଇସ୍ରାଏଲ୍ ଉପରେ ଅତର୍କିତ ସନ୍ତ୍ରାସୀ ଆକ୍ରମଣ ହେଲା ଗଲା ୭ ତାରିଖରେ। ଘୃଣା, ହିଂସା ଓ ଆତଙ୍କର ବୀଜ ବପନ କରିବା କ୍ଷେତ୍ରରେ ହମାସ୍ର କୁଖ୍ୟାତି ରହିଛି। ଆତ୍ମରକ୍ଷା ନାଁରେ ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍ ତରଫରୁ ଯୁଦ୍ଧ ଘୋଷଣା ଯୋଗୁଁ ଗାଜା ପଟିରେ ନାହିଁ ନଥିବା କ୍ଷୟକ୍ଷତି ଘଟିଲାଣି ଏବଂ ସେଥିରେ ସର୍ବାଧିକ ପ୍ରଭାବିତ ନିରୀହ ସାଧାରଣ ଜନତା- ଶିଶୁ ଓ ମହିଳାଙ୍କ ସମେତ। ପଚାଶ ହଜାର ପାଖାପାଖି ଆସନ୍ନପ୍ରସବା ନାରୀ ଘନଘୋର ଅସୁବିଧାରେ, ପ୍ରାୟ ୧୦ ଲକ୍ଷ ଲୋକ ବିସ୍ଥାପିତ। ହମାସ୍ କବଳରେ ଅନେକ ଇସ୍ରାଏଲୀ ଏବଂ ଏପରିକି ପାଲେଷ୍ଟିନୀୟ ଓ ଆମେରିକୀୟ ପଣବନ୍ଦୀ। ଆଶଙ୍କା କରାଯାଉଛି ଯୁଦ୍ଧ ଯଦି ସଂକ୍ଷିପ୍ତ ନ ହୁଏ ଓ ଅତି ଶୀଘ୍ର ନ ସରେ ତେବେ ଆଗକୁ ଆଗକୁ ସେଥିରେ ଇସ୍ରାଏଲ୍ ବିରୋଧରେ ଧର୍ମ ଓ ଆରବ ଭ୍ରାତୃତ୍ବ ଆଧାରରେ ଅନେକ ରାଷ୍ଟ୍ର ଏକଜୁଟ ହୋଇଯାଇପାରନ୍ତି! ଖାଦ୍ୟ, ପାନୀୟ ଓ ଔଷଧର ଉତ୍କଟ ଅଭାବ ଏବଂ ଅଗଣିତ ସଂଖ୍ୟାରେ ଅନ୍ୟତ୍ର ଗମନକାରୀ ପାଲେଷ୍ଟିନୀୟଙ୍କ ଦୁର୍ଦ୍ଦଶାର ଦୃଶ୍ୟରୁ ସାରା ବିଶ୍ବ ଗାଜାରେ ସୃଷ୍ଟ ମାନବୀୟ ସଂକଟର ଯଥେଷ୍ଟ ଆଭାସ ପାଇ ସାରିଲାଣି। ଏ କଥା ସତ େଯ ହମାସ୍ର ତାଣ୍ଡବଲୀଳାକୁ କେହି ବି ସମର୍ଥନ କରିପାରିବେ ନାହିଁ ଏବଂ ଇହୁଦୀଙ୍କ ଐତିହାସିକ ଅଭିଳାଷ ଓ ଆବଶ୍ୟକତାକୁ ନେଇ ୧୯୪୮ରୁ ଗଠିତ ଇସ୍ରାଏଲ୍ର ଅସ୍ତିତ୍ବକୁ ଅସ୍ବୀକାର କରିବାର କୌଣସି ଯଥାର୍ଥତା ନାହିଁ। ହେଲେ ଏ କଥା ମଧ୍ୟ ସତ ଯେ ସବୁ ପାଲେଷ୍ଟିନୀୟ ହମାସୀ ନୁହନ୍ତି ଏବଂ ହାତୀ ଲଢ଼ିଲେ ମୁଖ୍ୟତଃ ଘାସର ଓ ପିମ୍ପୁଡ଼ିଙ୍କର ଯାତନାର ଅନ୍ତ ଘଟେନି।
ଉପରୋକ୍ତ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ପ୍ରବାହର ପୃଷ୍ଠଭୂମିରେ ଏକ ଭ୍ରାନ୍ତ ଧାରଣା ଜାତ ହୋଇପାରେ ଯେ ମଧ୍ୟପ୍ରାଚ୍ୟରେ, ପଶ୍ଚିମ ଏସିଆରେ ଭିନ୍ନ ଭିନ୍ନ ପ୍ରକାରର ଦମନ, ଉତ୍ପୀଡ଼ନ, ଅତ୍ୟାଚାର, ସନ୍ତ୍ରାସ ଓ ସମର ବିରୋଧରେ ଶାନ୍ତିର ସ୍ବର ଉଠୁନି କିମ୍ବା ଶୁଣିବାକୁ ମିଳୁନି। ହମାସ୍ର ଅନ୍ୟତମ ଦୃଢ଼ ସମର୍ଥକ ହେଲା ଇରାନ୍। ଇରାନ୍ କହିଲାଣି ଇସ୍ରାଏଲ୍ ଯଦି ଗାଜା ଯୁଦ୍ଧରୁ ସଅଳ ଓହରି ନ ଯାଏ ତେବେ ଇସ୍ରାଏଲ୍ ଭୀଷଣ ଭୂକଂପର ସମ୍ମୁଖୀନ ହେବ। ବିଡ଼ମ୍ବନାର ବିଷୟ ସେଇ ଇରାନ୍ ଭିତରେ ହିଂସା, େମୗଳବାଦ, ଗଣତନ୍ତ୍ର ବିରୋଧୀ ଶାସକୀୟ ସଂସ୍କୃତି, ମାନବିକ ଅଧିକାରର ବ୍ୟାପକ ଉଲ୍ଲଂଘନ, ପୁରୁଷତନ୍ତ୍ରର ପ୍ରଭୁତ୍ବ ଏବଂ ନାରୀ ସ୍ବାଧୀନତା-ସମାନତା ବାବଦରେ ବିଦ୍ବେଷ ଏମିତି ଯେ ସେ ଭଳି ଶ୍ବାସରୁଦ୍ଧକାରୀ ମାନସିକତା ତଥା ବାତାବରଣର ପ୍ରତିରୋଧ ନାରୀ ନେତୃତ୍ବରେ ସଂଗଠିତ ହୋଇ ଆନ୍ତର୍ଜାତିକ ସ୍ବୀକୃତି ଲାଭ କଲାଣି। ଆଉ ସେ ଭଳି ନେତୃତ୍ବ ନେଇଥିବା ଜଣେ ଅତି ସାହସୀ, ବିଦୁଷୀ ଓ ଅଂଗୀକାରବଦ୍ଧ ମହିଳା ହେଉଛନ୍ତି ୫୧ ବର୍ଷ ବୟସ୍କା ନର୍ଗିସ୍ ମହମ୍ମଦୀ, ଯାହାଙ୍କ ପ୍ରୟାସ ସକାଶେ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ତାଙ୍କୁ ମିଳିବ। ସେ ଏବେ ତେହେରାନ୍ରେ ଇଭିନ୍ ଜେଲ୍ରେ ବନ୍ଦୀ, ଯେଉଁଠି ଦେଶର ଏକ-ଚତୁର୍ଥାଂଶ ରାଜନୈତିକ ବନ୍ଦୀ ରହନ୍ତି ଏବଂ ସେମାନଙ୍କ ଭିତରେ ବିଦ୍ୟାର୍ଥୀ ଓ ବୁଦ୍ଧିଜୀବୀଙ୍କ ସଂଖ୍ୟା ଏତେ େଯ ଇଭିନ୍କୁ ଅନେକ ବିଶ୍ବବିଦ୍ୟାଳୟ କହନ୍ତି। କେତେକଙ୍କ ମତରେ ଇଭିନ୍ ଇରାନ୍ର ବାଷ୍ଟାଇଲ୍।
୧୨୨ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ଇତିହାସରେ ପଞ୍ଚମ ଥର ପୁରସ୍କାର ଯାଇଛି ଜଣେ କାରାଗାରରେ ଥିବା ବ୍ୟକ୍ତିଙ୍କୁ। ନିଜ ଦେଶର ଦ୍ବିତୀୟ ମହିଳା ନାଗରିକ ଭାବେ ନର୍ଗିସ୍ ସେ ପୁରସ୍କାରଟି ପାଇବେ, ଯାହାକୁ ଆଗରୁ ପାଇ ସାରିଛନ୍ତି ତାଙ୍କ ଦେଶର ଶିରିନ୍ ଏବାଦୀ ୨୦୦୩ ମସିହାରେ। ସଂଯୋଗର ବିଷୟ ଯେ ଦୁହେଁ ‘ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର୍ସ’ର ପ୍ରମୁଖ ସଦସ୍ୟା ଓ କର୍ମୀ। ସେଥିରେ ୨୦୦୦ ବେଳକୁ ନର୍ଗିସ୍ ଯୋଗ ଦେଲା ବେଳକୁ ଶିରିନ୍ ଥିଲେ ତା’ର ମୁଖ୍ୟା। ଇରାନ୍ରେ ନାରୀ-ଜୀବନ-ସ୍ବଧୀନତା (ଜାନ୍-ଜିନ୍ଦେଗୀ-ଆଜାଦୀ) ଆନ୍ଦୋଳନର ଅନ୍ୟତମ ଅତି ପରିଚିତ ନେତ୍ରୀ ଓ ପ୍ରବକ୍ତା ହେଲେ ନର୍ଗିସ୍। ଅନ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଭିତରେ ସିଏ ଦେଶରେ ମୃତ୍ୟୁଦଣ୍ଡ ବ୍ୟବସ୍ଥାର ଉଚ୍ଛେଦ ସାଂଗକୁ ନାରୀମାନଙ୍କ ପାଇଁ ଅନୁସୃତ ହେଉଥିବା ବାଧ୍ୟତାମୂଳକ ପରିଧାନ ହିଜାବ୍ ଉଠେଇ ଦେବାକୁ ଦାବି କରି ଆସୁଛନ୍ତି। ତାଙ୍କ ନାଁରେ ଯେଉଁସବୁ ଦୋଷ ଓ ଅପରାଧ ଆରୋପ କରାଯାଇଛି ସେ ସବୁ ଭିତରେ ଅନ୍ତର୍ଭୁକ୍ତ ଜାତୀୟ ନିରାପତ୍ତା ବିରୋଧୀ ଓ ରାଷ୍ଟ୍ର ବିରୋଧରେ ଅପପ୍ରଚାରଧର୍ମୀ କାର୍ଯ୍ୟକଳାପ। ଏକତିରିଶ ବର୍ଷର ଜେଲ୍ ଦଣ୍ଡ, ୧୩ ଥର ଗିରଫ ହେବା, ପାଞ୍ଚ ଥର ଦୋଷୀ ସାବ୍ୟସ୍ତ ହେବା ଓ ୧୫୪ ଥର ପ୍ରହାର ଖାଇବା- ଏ ସବୁ ତାଙ୍କ ବ୍ୟକ୍ତିତ୍ବର ଉଭୟ ଇସ୍ପାତ ଓ ନବନୀତ ଦିଗକୁ ପରାସ୍ତ କରି ପାରିବନି। ନାରୀ ନିର୍ଯାତନା ବିରୋଧରେ ବରଂ ତାଙ୍କ ସ୍ବର ଅହିଂସ ଉପାୟରେ ଅଧିକ ଶାଣିତ ହେବାରେ ଲାଗିଛି ଯଦିଓ ସେଥିପାଇଁ ତାଙ୍କୁ ବେଶ୍ ମୂଲ୍ୟ ଦେବାକୁ ପଡ଼ିଛି। ତାଙ୍କ ସ୍ବାମୀ ଓ ଦୁଇ ପିଲା ଏବେ ଫ୍ରାନ୍ସରେ। ଆଠ ବର୍ଷ ହେବ ସିଏ ସେମାନଙ୍କୁ ଭେଟି ପାରି ନାହାନ୍ତି। ନିଜ ବୈବାହିକ ଜୀବନର ୨୪ ବର୍ଷ ଭିତରୁ ମାତ୍ର ୫-୬ ବର୍ଷ ନର୍ଗିସ୍ ପରିବାର ସହ ଏକାଠି ରହି ପାରିଛନ୍ତି। ପୁଣି କୋଭିଡ୍, ହୃଦ୍ଘାତ ଓ ଅନ୍ୟ େକତେ ଜଟିଳ ରୋଗର କଷ୍ଟ ଭୋଗିଛନ୍ତି। ତଥାପି ସିଏ କହନ୍ତି- ଯେତେ ଆମକୁ ଅଟକ ରଖାଯିବ ଆମେ ସେତେ ଶକ୍ତିଶାଳୀ ହେବାରେ ଲାଗିଥିବୁ।
ନିଜର ଓ ବିଶେଷ କରି ନିଜର ୧୨ ଜଣ ସହବନ୍ଦିନୀଙ୍କ ଅନ୍ତର ଥରା ଅନୁଭବ ପରିପ୍ରକାଶ କରିଥିବା ସାକ୍ଷାତ୍କାର ସମ୍ବଳିତ ଏକ ପୁସ୍ତକ ରଚନା କରିଥିଲେ ନର୍ଗିସ୍। ସେ ବହିଟିର ନାଁ ‘‘ହ୍ବାଇଟ୍ ଟର୍ଚର୍’’। ତାଙ୍କର ଉପଲବ୍ଧି ଏଇଆ- ସଂଗ୍ରାମ ପାଇଁ ଖାଲି ନିର୍ଯାତନା ଓ କାରାବାସ ଭୋଗିବାକୁ ପଡ଼େନି; ହୃଦୟ ଭାଂଗିରୁଜି ଗଲା ଭଳି ଲାଗେ; ଯନ୍ତ୍ରଣା ଅସ୍ଥି ଓ ମଜ୍ଜା ଯାଏ ପହଞ୍ଚିଯାଏ। ଅସହଯୋଗ ଓ ଦୁର୍ବ୍ୟବହାର କରି ଚାଲିଥିବା ଜେଲର୍ ତଥା ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ଭରସା ରଖିବାକୁ ପଡ଼େ। ତାହା ଷ୍ଟକ୍ହୋମ୍ ସିଣ୍ଡ୍ରୋମ୍- ବଞ୍ଚି ରହିବା ପାଇଁ ଆଦରି ନେବାକୁ ପଡୁଥିବା ଏକ ଅପରିହାର୍ଯ୍ୟ ଜୀବନ କୌଶଳ।
କଲିଜାରେ କଣା କଲା ଭଳି ଆତ୍ମ ଜୀବନୀ ଶୈଳୀରେ ଜେଲ୍ ଜୀବନ ପୁଣି ଏମିତି ବଖାଣିଛନ୍ତି ନର୍ଗିସ୍- କାରାଗାରରେ ସାଂଗ ବୋଇଲେ ଖାଲି ଚାରି କାନ୍ଥ ଓ ଗୋଟିଏ ଛୋଟିଆ ଲୁହାର କବାଟ। ସବୁ ପୁଣି ଏକ ରଂଗର, ଯାହା ଅନେକ ସମୟରେ ଧଳା। ଭିତରେ ନା ଥାଏ ଆଲୁଅ, ପବନ, ଶବ୍ଦ, ଅନ୍ୟ କାହାର ସ୍ବର ଓ ସଖ୍ୟ। ସେଠି କିଛି ପହଞ୍ଚେନି- ଖବର, ସୂଚନା, ପତ୍ରିକା, ଖବରକାଗଜ, ବହି, ଲେଖିବା ପାଇଁ କାଗଜ ଓ କଲମ- କିଛି ବୋଲି କିଛି ପହଞ୍ଚେନି। କେବଳ ଯାହା ତିନିଟି ପତଳା, ଚିରାମିରା କମ୍ବଳ; ହଳେ ଦି ହଳ ପୋଷାକ; ଜେଲ୍ ବାଲାଏ ଚାହିଁଲେ ପାଇଖାନା ଓ ଗାଧୁଆ ଘର ଯିବାର ସୁଯୋଗ ମିଳେ, ନୋହିଲେ ନାହିଁ। ଯଦିଓ କାରାଗାରର ଚାରି କାନ୍ଥ ଦୃଷ୍ଟି ପଥରେ ପ୍ରତିବନ୍ଧକ ସାଜେ ତଥାପି ଦିଗ୍ବଳୟ ଓ ଭବିଷ୍ୟତ ଦିଶିଯାଏ। କାରଣ ଦମନର ଦାସୀ ହୋଇ ବଞ୍ଚିବା ଅପେକ୍ଷା ମରଣ ଶତଗୁଣେ ଭଲ। ବାନ୍ଧି ନେବା, ଅଧିକାର ଆଗ୍ରାହ୍ୟ କରିବା ଓ ମାରିଦେବା କେବଳ ଜଣେ ବ୍ୟକ୍ତି ବିରୋଧରେ ଅନ୍ୟାୟ ନୁହେଁ; ତାହା ସାରା ସମାଜକୁ ଜଂଜିରରେ ବାନ୍ଧି ଦେବା ସହିତ ସବୁ ଦିନ ସକାଶେ ସମାଜକୁ ନିଃଶେଷ କରିଦେବାକୁ ଚାହେଁ। ଏ ସବୁ ଭିତରେ ନର୍ଗିସ୍ ଆହୁରି କହନ୍ତି- ମୁଁ ଆଶା ଛାଡ଼ିନି କି ନିରୁତ୍ସାହିତ ହୋଇନି। ବିଶ୍ବାସ, ଦିନେ ନା ଦିନେ ଆମ ପ୍ରୟାସ ଫଳବତୀ ହେବ। କାରଣ ସ୍ବପ୍ନ କେବେ ବି ମରେନି କି ସ୍ବାଧୀନତା ଓ ନ୍ୟାୟରେ ବିଶ୍ବାସ କୌଣସି ପ୍ରକାରର କାରାବରଣ, ନିର୍ଯାତନା ଓ ମୃତ୍ୟୁଦଣ୍ଡରେ ସରିଯାଏନି। ଯେତେବେଳେ ସିଏ ମହିଳା ୱାର୍ଡର ଝର୍କା ପାଖରେ ବସିବାର ବିରଳ ସୌଭାଗ୍ୟ ଲାଭ କରନ୍ତି, ସେତେବେଳେ ନର୍ଗିସ୍ଙ୍କୁ ଦିଶିଯାଏ ଜଂଗଲରେ ଫୁଟୁଥିବା ଫୁଲ ଓ ପାହାଡ଼ ପର୍ବତର ଶିଖରରେ ତୁଷାରର ଆଚ୍ଛାଦାନ। ନିଜ ଭିତରେ ସିଏ ଫୁଲ ଓ ବରଫର, ନୂଆ ଆଶା ଓ ସ୍ବପ୍ନର ପରଶ ପାଇ ଯାଆନ୍ତି।
ବିଦ୍ୟାର୍ଥୀ ଜୀବନରେ ପଦାର୍ଥ ବିଜ୍ଞାନରେ ଉଚ୍ଚ ଶିକ୍ଷା ଲାଭ କରିଥିବା ନର୍ଗିସ୍ ସମୟ କ୍ରମେ ଯନ୍ତ୍ରୀ ଓ ପତ୍ରକାର ହୋଇଥିଲେ। ପରେ ନିଜ ପାଠ ପଦାର୍ଥ ବିଜ୍ଞାନ କଥା ଗୁରୁତ୍ବର ସହ ଚିନ୍ତା କଲାବେଳେ ତାଙ୍କ ମନକୁ ଆସିଲା- ଭୌତିକ ଜଗତର ଦେହ ଓ ମନକୁ ବୁଝିବାକୁ ପଦାର୍ଥ ବିଜ୍ଞାନ ମତେ ଯଥେଷ୍ଟ ବୁଝେଇ ସାରିଛି। ହେଲେ ମୁଁ ମୋର ଓ ମୋ ଦେଶର ମନ କଥା ବୁଝି ସେ ଦିଗରେ କିଛି ସମୁଚିତ ଉଦ୍ୟମ କରୁନି କାହିଁକି? ସେ ଭଳି ଗଭୀର ଭାବନା ଫଳରେ ତାଙ୍କ ଜୀବନ ନୂଆ ମୋଡ଼ ନେବାକୁ ଲାଗିଲା। ତାଙ୍କ ପିତା ଥିଲେ ଜଣେ କୃଷକ ଓ ପାଚକ ଏବଂ ମା’ ରାଜନୀତିକ ପରିବାରର। ନର୍ଗିସ୍ଙ୍କ ମୁକ୍ତିକାମୀ ଓ କ୍ରାନ୍ତିଧର୍ମୀ କର୍ମପ୍ରବଣତା ପାଇଁ ସେ ଦୁହିଁଙ୍କର ପ୍ରେରଣା କିଛି କମ୍ ନଥିଲା।
ଏମିତି ନୁହେଁ େଯ କାରାଗାରରେ ଥିଲା ବେଳେ ନର୍ଗିସ୍ଙ୍କୁ ନିଃସଂଗତା ଓ ତଜ୍ଜନିତ ଅସହାୟତା ଆକ୍ରାନ୍ତ କରି ନଥିଲା। ତାଙ୍କୁ ଲାଗୁଥିଲା ଜେଲ୍ରେ ଏମିତି ପରିସ୍ଥିତି ଆସିପାରେ, େଯଉଁଠି ଜଣେ କିଛି ନିଷ୍ପତ୍ତି ନେଇ ପାରେନି କି ସିଧା, ସ୍ବଚ୍ଛନ୍ଦରେ ଭାବି ପାରେନି। ହେଲେ ଦେଶ କଥା, ଅନ୍ୟ ନିର୍ଯାତିତା ନାରୀଙ୍କ ଚିନ୍ତା ଓ ନିଜ ଦୁଇ ପିଲାଙ୍କୁ ଭେଟିବାର ଇଚ୍ଛା ତାଙ୍କୁ ସବୁ ପୀଡ଼ା ଆଉ ଯନ୍ତ୍ରଣା ସହିବାରେ ସହାୟକ ହେଉଥିଲା। ବେଳେବେଳେ ମନେ ପଡ଼ିଲେ ସିଏ ଏକା ଏକା ଗାଉଥିଲେ ତୁର୍କୀ ଆଜେରୀ ଗୀତ- ‘ମୋ ବିଶିକେଶନ, ମୋ ଧନ ଆସି ଚାଲି ଯାଉଥିବ। ଗପସପ, ଗପଫପ ପାଇଁ ତର କାହିଁ? ମୋ ଧନ ଯାଇଛି ଯେ ଯାଇଛି, ମୁଁ ପୂରା ଏକୁଟିଆ। ମୋ ପ୍ରାଣର ପିତୁଳା ନାହିଁ ବୋଲି ମୁଁ ଏତେ ଏକୁଟିଆ।’ ନର୍ଗିସ୍ଙ୍କ ଅକଥନୀୟ କଷଣ ଓ ଅବର୍ଣ୍ଣନୀୟ କରୁଣ ଜୀବନାନୁଭବ ତାଙ୍କୁ ତାଙ୍କ ମାନବୀୟ କରୁଣା ଏବଂ ଅନ୍ୟ ପ୍ରତି ସୁଭାବନା (ଏପରିକି ଉତ୍ପୀଡ଼ନକାରୀ ପ୍ରତି) ପ୍ରତ୍ୟାଖାନ କରିବାକୁ କହି ନାହିଁ। ବରଂ ସିଏ ଅହିଂସା ଓ ଗଣତନ୍ତ୍ର ସାଙ୍ଗକୁ ଦରଦ ଓ ମାନବିକତା ପଥରେ ଅବିଚଳିତ ରହିଛନ୍ତି। ତାଙ୍କର ଏତାଦୃଶ ବିଚାରଧାରା ସ୍ମରଣକୁ ଆଣେ ଦୁଇ ପୂର୍ବସୂରୀ ନୋବେଲ୍ ବିଜେତା ଏଲି ଉଇଜେଲ୍ (୧୯୮୬) ଓ ନେଲ୍ସେନ୍ ମାଣ୍ଡେଲା (୧୯୯୩)ଙ୍କ ଅାଭିମୁଖ୍ୟ କଥା। ଉଇଜେଲ୍, ମାଣ୍ଡେଲା ଓ ନର୍ଗିସ୍ଙ୍କ ବିରୋଧରେ ବିଦ୍ବେଷର ଅଯଥାର୍ଥ ଆଧାର ହେଉଛି ଯଥାକ୍ରମେ ସେମାନଙ୍କ ଇହୁଦୀ, କୃଷ୍ଣକାୟ ଓ ନାରୀ ଅସ୍ମିତା। ସେ ବିଦ୍ବେଷ ଆଗରୁ ଉଇଜେଲ୍ ଓ ମାଣ୍ଡେଲାଙ୍କ ମଣିଷପଣିଆ କ୍ଷୁଣ୍ଣ କରିପାରି ନଥିଲା କି ଏବେ ନର୍ଗିସ୍ଙ୍କ ମାନବିକତା ଭରା ପରାକ୍ରମୀ ଓ ବିବେକବନ୍ତ ସ୍ବରକୁ କ୍ଷୁଣ୍ଣ କରିପାରୁନି। ଯାହା ଶାନ୍ତି ପାରେ, ତାହା କେବେ ବି ସନ୍ତ୍ରାସ ଓ ସମର ପାରିନି କିମ୍ବା ପାରିବନି। କାରଣ ହିଂସାର ପ୍ରତିଯୋଗିତାରେ କୌଣସି ଅଂଶଗ୍ରହଣକାରୀ ବିଜୟୀ ହୋଇପାରେନି। ସେଥିରେ ସବୁ ପକ୍ଷ ହାରନ୍ତି।
ମୋ: ୯୪୩୭୩୦୭୦୭୯