ବିହଙ୍ଗ ସମ ମୁକ୍ତ ଆକାଶରେ ପରିକ୍ରମା କରିବାର ଅଭିଳାଷ ମନୁଷ୍ୟକୁ ପ୍ରାଚୀନ କାଳରୁ ମୋହାବିଷ୍ଟ କରି ରଖିଥିଲା, ଯାହାର ଅବତାରଣା ପ୍ରତ୍ୟେକ ସଭ୍ୟତାର କଳ୍ପନାଶ୍ରୟୀ ରଚନା ଏବଂ ପୁରାଣ ଆଦିରେ ଦେଖିବାକୁ ମିଳିଥାଏ। ଏହି ସ୍ବପ୍ନକୁ ପୂରଣ କରିବା ଲାଗି ଯଦିଓ ମଣିଷ ବେଲୁନ୍ରେ ଉଡ଼ାଣର ଉଦ୍ୟମ ଆରମ୍ଭ କରିଥିଲା, ତେବେ ପକ୍ଷୀ ଭଳି ଉଡ଼ିବାର ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା ୧୯୦୩ ମସିହାରେ। ସେହି ବର୍ଷ ଡିସେମ୍ବର ୧୭ ତାରିଖରେ ରାଇଟ୍ ଭ୍ରାତୃଦ୍ବୟ ବା ‘ରାଇଟ୍ ବ୍ରଦର୍ସ୍’ ଭାବେ ଆଜି ସୁଦ୍ଧା ଅମର ହୋଇ ରହିଥିବା ଦୁଇ ଭାଇ ଅରଭିଲ୍ ରାଇଟ୍ ଏବଂ ଵିଲବର ରାଇଟ୍ ଆପଣା ନିର୍ମିତ ବ୍ୟୋମଯାନକୁ ମାତ୍ର ୫୯ ସେକେଣ୍ଡ ପାଇଁ ଉଡ଼ାଇ ୮୫୨ ଫୁଟ ଦୂରତା ଅତିକ୍ରମ କରିବାରେ ସଫଳ ହୋଇଥିଲେ। କିନ୍ତୁ, ଏମାନଙ୍କ ପୂର୍ବରୁ ଆକାଶ ଉଡ଼ାଣର ଆହୁରି ଅନେକ ଉଦ୍ୟମ ହୋଇଥିଲା। ପୃଥିବୀ ପ୍ରସିଦ୍ଧ ଇଟାଲୀୟ ଚିତ୍ରକର ଓ ଇଂଜିନିଅର ଲିଓନାର୍ଡୋ ଡା ଭିନ୍ସି (ଅବିସ୍ମରଣୀୟ ‘ମୋନାଲିସା’ ଚିତ୍ରର ସ୍ରଷ୍ଟା) ଷୋଡ଼ଶ ଶତାବ୍ଦୀର ଆଦ୍ୟ ଭାଗରେ ଏକ ପୁସ୍ତକ ରଚନା କରିଥିଲେ, ଯାହାର ନାମ ଥିଲା ‘କୋଡେକ୍ସ ଅନ ଫ୍ଲାଇଟ ଅଫ ବାର୍ଡସ’। ସେହି ପୁସ୍ତକରେ ବ୍ୟୋମଯାନର ବିଜ୍ଞାନ ଓ ବାୟୁର ସୂକ୍ଷ୍ମ ଗୁଣ ସଂପର୍କରେ ଅନେକ ତତ୍ତ୍ୱ ଓ ସୂତ୍ର ସହିତ ଶହେଟି ଚିତ୍ର ରହିଥିଲା। ଗୁଡ଼ି ସହାଯ୍ୟରେ ଆକାଶରେ ଭ୍ରମଣ କରିବାର ଚେଷ୍ଟା ଚୀନରେ ୧୦୦୦ ମସିହା ବେଳକୁ କରାଯାଉଥିଲା। ବେଲୁନରେ ଉଡ଼ିବାର ପ୍ରୟାସ ୧୭୦୯ ମସିହା ବେଳକୁ ଆରମ୍ଭ ହୋଇଯାଇଥିଲା ଏବଂ ଫରାସୀ ବିପ୍ଳବ ବେଳେ ବେଲୁନ ସାହାଯ୍ୟରେ ଉପରକୁ ଉଠି ପ୍ରତିପକ୍ଷର ବଳକୁ କଳନା କରି ସେହି ଅନୁସାରେ ପ୍ରସ୍ତୁତ ରହିବାର ପ୍ରକରଣ ଆରମ୍ଭ ହୋଇଯାଇଥିଲା। ୧୭୮୩ ମସିହାରେ ଫ୍ରାନ୍ସର ଦୁଇ ଭାଇ ଯୋସେଫ ଓ ଜାକ୍ସ ବେଲୁନରେ ଗରମ ବାୟୁ ପ୍ରବେଶ କରାଇ ଗୋଟିଏ ମେଣ୍ଢା ଓ ଗୋଟିଏ ବତକକୁ ଆକାଶ ଭ୍ରମଣ କରାଇଥିଲେ। ଏହାର ଦୁଇ ମାସ ପରେ ନଭେମ୍ବର ୨୧ ତାରିଖରେ ସେମାନଙ୍କର ବେଲୁନ ୨ ଜଣ ମଣିଷଙ୍କୁ ନେଇ ଭୂପୃଷ୍ଠରୁ ୫୦୦ ଫୁଟ ଉଚ୍ଚରେ ସାଢ଼େ ପାଞ୍ଚ ମାଇଲ ବାଟ ଅତିକ୍ରମ କରିଥିଲା। ଏହାର ଠିକ୍ ଦଶ ଦିନ ଉଦଜାନ ଭରା ବେଲୁନ ଆକାଶରେ ପ୍ରାୟ ୨୫ ମାଇଲ ଦୂର ଯାଏ ଉଡ଼ିଥିଲା।
ଊନବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ବ୍ରିଟିସ ବିଜ୍ଞାନୀ ଜର୍ଜ କାଇଲେଙ୍କ ଗବେଷଣା ପ୍ରସୂତ ନିବନ୍ଧମାନ ‘ଅନ ଏରିଆଲ ନେଭିଗେସନ’ ଶୀର୍ଷକରେ ପ୍ରକାଶିତ ହେଲା, ଯହିଁରୁ ଆଧୁନିକ ବିମାନର ଡିଜାଇନର ମୂଳ ଭିତ୍ତି ପଡ଼ିଲା ଏବଂ ବ୍ୟୋମଯାନରେ ଦୁଇଟି ଡେଣାର ଅନିବାର୍ଯ୍ୟତା ବିଷୟ ହୃଦ୍ବୋଧ କରାଗଲା। ତା’ପରେ କେତେକ ଉତ୍ସାହୀ ଯନ୍ତ୍ରୀ ନିଜ ନିଜ ଡିଜାଇନରେ ବିମାନ ନିର୍ମାଣ କରି କିଛି କିଛି ବାଟ ଉଡ଼ାଇବାରେ ସମର୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଫରାସୀ ଯନ୍ତ୍ରୀ ବିଫର୍ଡ (୧୮୫୨) ଓ ଜର୍ମାନ ଯନ୍ତ୍ରୀ ନିକୋଲାର ଓଟୋ (୧୮୭୬), ଯେଉଁମାନଙ୍କ ଦ୍ବାରା ନିର୍ମିତ ବ୍ୟୋମଯାନ ପରବର୍ତ୍ତୀ କାଳରେ ରାଇଟ୍ ଭ୍ରାତୃଦ୍ବୟଙ୍କୁ ଏଭଳି ଏକ ଉଡ଼ାଜାହାଜ ନିର୍ମାଣ କରିବାର ପ୍ରେରଣା ଦେଇଥିଲା, ଯାହାକୁ ଆଧୁନିକ ଉଡ଼ାଜାହାଜର ପିତୃ ପୁରୁଷ ବୋଲି କୁହାଯାଇପାରେ।
ଫ୍ରାନ୍ସର ଯନ୍ତ୍ରୀ ପଲ କର୍ନ ୧୯୦୭ ମସିହାରେ ପ୍ରଥମ ହେଲିକପ୍ଟର ନିର୍ମାଣ କରିଥିଲେ। ସେମିତି ପ୍ରଥମ ଯୁଦ୍ଧ ବିମାନର ବିକାଶ ଘଟାଇଥିଲେ ଇଟାଲୀୟ ଯନ୍ତ୍ରୀମାନେ। ପ୍ରଥମ ବିଶ୍ୱ ଯୁଦ୍ଧରେ ଉଡ଼ାଜାହାଜ ଜରିଆରେ ବୋମା ବର୍ଷଣ କରିବାର ଦକ୍ଷତା ମିତ୍ର ପକ୍ଷକୁ ବିଜୟୀ କରାଇଥିଲା। ୧୯୧୪ ଜାନୁଆରି ପହିଲାରେ ଟନୀ ଜାନଓ ନାମକ ଜଣେ ପାଇଲଟ ଜଣେ ମାତ୍ର ଯାତ୍ରୀଙ୍କୁ ନେଇ କରିଥିବା ୨୩ କିଲୋମିଟର ଯାତ୍ରାକୁ ବିମାନର ପ୍ରଥମ ବ୍ୟାବସାୟିକ ଉଡ଼ାଣ ବୋଲି କୁହାଯାଏ। ୧୯୪୭ରେ ଜେଟ୍ ଇଞ୍ଜିନ ଉଦ୍ଭାବିତ ହୋଇଥିଲା। ଏହା ଯାତ୍ରୀ ନେବା ଆଣିବା କରୁଥିବା ଉଡ଼ାଜାହାଜ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଲା। ଏହା ପରେ ବୋଇଂ କଂପାନି ଦ୍ବାରା ନିର୍ମିତ ବିମାନ ଆସି ବିମାନ ଯାତ୍ରାର ଆଧୁନିକ ଯୁଗର ଆରମ୍ଭ ଘଟାଇ ଥିଲା। ଶବ୍ଦର ବେଗ ଅତିପ୍ରମୀ ଯାତ୍ରୀବାହୀ ବିମାନ ଭାବେ ‘କଂକୋର୍ଡ୍’ର ଆବିର୍ଭାବ ସମସ୍ତଙ୍କୁ ହତଚକିତ କରି ଦେଇଥିଲା, ଏହା ଦ୍ବାରା ଦୂର ସ୍ଥାନକୁ ଯାତ୍ରା ଅତି କମ୍ ସମୟରେ ସଂପନ୍ନ ହୋଇପାରିଲା। ତେବେ ଉଡ଼ିବାକୁ ଆରମ୍ଭ କରିବା ଏବଂ ଅବତରଣ କରିବା ସମୟରେ ଏଥିରୁ ସୃଷ୍ଟ ଭୀଷଣ ଶବ୍ଦ ଏବଂ କଂପନ କାରଣରୁ ଏବେ ଆଉ ‘କଂକୋର୍ଡ’ ବିମାନ ଆକାଶରେ ଉଡୁନାହିଁ। କିନ୍ତୁ ଏବେ ଆକାଶରେ ବିମାନର ଟ୍ରାଫିକ୍ ଏଭଳି ବଢ଼ିଛି ଯେ ଦିନର ସବୁ ସମୟରେ ଆକାଶରେ ପ୍ରାୟ ୮ ହଜାରରୁ ୧୩ ହଜାରଟି ବିମାନ ଉଡ଼ନ୍ତା ଅବସ୍ଥାରେ ରହୁଛନ୍ତି।
ମୋ: ୯୯୩୭୮୬୩୫୨୮