କେତେଜଣ କହିବାର ଶୁଣିଛି, ସରକାରୀ କାମ କରିବାକୁ ଆସିଛ, ଯେତିକି ଦରକାର, ସେତିକି କର। ଏଠି ସବୁକିଛି ନିୟମରେ ହୁଏ। ‘‘ଇମୋସନାଲ୍ ଫିମୋସନାଲ୍’’ ହେଲେ ଚଳିବ ନାହିଁ। ସରକାରୀ କର୍ମଚାରୀ, ତା’ର ପୁଣି ଆବେଗ କ’ଣ? ଆବେଗ ତ କେବଳ ସାହିତ୍ୟିକ, କଳାକାରମାନଙ୍କ ପାଇଁ। ଆବେଗ ତଳ ଘରେ ରଖି କରି ଆସ। ଯୁକ୍ତିଯୁକ୍ତ ଭାବରେ ନିଜର ଦାୟିତ୍ବ କରିଚାଲ। ସାଧାରଣ ମଣିଷର ବେଦନା ଯଦି ତୁମକୁ ବ୍ୟଥିତ କରି ତୋଳେ, ତାହାହେଲେ ତୁମେ ସରକାରୀ କଳରେ ଅପାରଗ ସାବ୍ୟସ୍ତ ହେବ। ଆବେଗରେ ଉଦ୍‌ବେଳିତ ହେଲେ କେତେ ଜଣଙ୍କର ସମସ୍ୟା ସମାଧାନ କରିପାରିବ? ତୁମେ ପ୍ରଶାସନ ସମ୍ଭାଳିବାକୁ ଆସିଛ। ଚାରି ଅକ୍ଷର ବିଶିଷ୍ଟ ଶବ୍ଦରୁ ତିନିଟି ଅକ୍ଷର ହେଲା, ଶା, ସ, ନ। ତୁମ କାମ ଶାସନ ଜାରି ରଖିବା। ଯେଉଁ ମୁହୂର୍ତ୍ତରେ ଲୋକ ଜାଣିବେ, ତୁମ ହୃଦୟରେ ଆବେଗ ସୃଷ୍ଟି ହୁଏ, ସେମାନେ ତାହାର ଫାଇଦା ଉଠାଇବେ। ତଳ ଲୋକ, ଉପର ଲୋକ ଦୁର୍ବଳ ବୋଲି ମନେ କରିବେ। ଆଉ ଥରଟିଏ ଯଦି ସେଇ ଇମେଜ୍, ସେଇ ଛାଞ୍ଚରେ ପଡ଼ିଗଲ, ସେଇଥିରୁ ଆଉ ମୁକୁଳି ପାରିବ ନାହିଁ। ତୁମର ଭଲ ପୋଷ୍ଟିଙ୍ଗ୍, ପ୍ରମୋସନ, ସୁଖ, ସ୍ବାଚ୍ଛନ୍ଦ୍ୟ, ବିଶେଷ କରି କ୍ଷମତାର ଥାଟବାଟ ସେଇଠି ଅଟକି ଯିବ।
୨୦୧୬ ମସିହାର କଥା। ବଡ଼ଭାଇ ଦେବୀପ୍ରସାଦ ବାଗ୍‌ଚୀଙ୍କ ସାଙ୍ଗରେ ଦିନେ ସୁଖଦୁଃଖ ହେଉଥାଏ। ସାରା ଜୀବନ ଭାରତୀୟ ପ୍ରଶାସନିକ ସେବାରେ ଥିଲେ। ଓଡ଼ିଶା‌ର ମୁଖ୍ୟ ଶାସନ ସଚିବ ହେବା ପରେ ଅବସର ଗ୍ରହଣ। ୨୦୧୬ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହେଲାଣି। ସାରା ଜୀବନ ଯେଉଁ ମଣିଷଟି ପ୍ରଶାସନିକ ଅଧିକାରୀ ହିସାବରେ ସରକାରଙ୍କର କାମ କରି ବିତାଇ ଦେଇଛି, ତା’ ସାଙ୍ଗରେ ସୁଖଦୁଃଖ ଆଉ କ’ଣ? ସବୁ ସୁଖଦୁଃଖ କେବଳ କାମ କଥାରେ। କେଉଁଠି ଥିବା ବେଳେ କ’ଣ ହୋଇଥିଲା, ସେଇ ଅଭିଜ୍ଞତା, ଭଲମନ୍ଦର ସ୍ମୃତି ଅବତାରଣା। ୧୯୭୫ ମସିହା କଥାଟିଏ କହିଲେ। ସେତେବେଳେ ଦେବୀପ୍ରସାଦ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ବରେ ଥିଲେ। ଅଦିନିଆ ମରୁଡ଼ି ପଡ଼ିଗଲା। ଚାଷ ଜମିରେ ପାଣି ନାହିଁ। ଠାଏ ଠାଏ ମାଟି ଫାଟି ଗଲାଣି। ଏହି ପରିସ୍ଥିତି ଭିତରେ ଦିନେ ଋଷିକୁଲ୍ୟା ‌େକନାଲ ଦେଖିବାକୁ ଜଳସେଚନ ବିଭାଗର ଏକ୍‌ଜକ୍ୟୁଟିଭ ଇଞ୍ଜିନିଅର ଡକ୍ଟର ବିଷ୍ଣୁପ୍ରସାଦ ଦାସଙ୍କ ସଙ୍ଗରେ ବ୍ରହ୍ମପୁର ପାଖରେ ଗୋଟିଏ ଜାଗାକୁ ଯାଇଥା’ନ୍ତି। ଶୁଖିଲା ଧାନ ବିଲଟିଏ ଆଖିରେ ପଡ଼ିଲା। ଗାଡ଼ି ଅଟକାଇ, ଚାଲି ଚାଲି ବିଲ ହିଡ଼ ପର୍ଯ୍ୟନ୍ତ ଯାଇ ଚାରିଆଡ଼କୁ ଅନାଉଥା’ନ୍ତି। ଏହି ସମୟରେ ଜମିର ଚାଷୀ ଜଣକ କେଉଁଠୁ ଆସି ପହଞ୍ଚିଲା। ପାଖରେ ଠିଆ ହୋଇ କହିଲା, ‘‘ବାବୁ, ମୋର ଭେଣ୍ଡିଆ ପୁଅ ମରିଗଲା’’। କ୍ଷଣଟିଏ ସ୍ତବ୍‌ଧ ଜିଲ୍ଲାପାଳ। ପର ମୁହୂର୍ତ୍ତରେ ବୁଝିପାରିଲେ ମଣିଷଟି କ’ଣ କହୁଛି। ସାରା ବର୍ଷର ପରିଶ୍ରମ। ଧାର କରଜ, ମହାଜନୀ ସୁଧ। ଘରେ ଦରପେଟ ଖିଆ। ମୁଣ୍ଡର ଝାଳ ତୁଣ୍ଡରେ ମାରି ଫସଲ ଠିଆ କରିଥିଲା। ଆଖି ଆଗରେ ଯେତେବେଳେ ସେ ଫସଲ ଲହଲହକା, ଲାଗିଲା ଏଥର ଖମାର ଭର୍ତ୍ତି ହୋଇଯିବ, ବର୍ଷ ଯାକର ଦୁଃଖ କଷ୍ଟ ମେଣ୍ଟିଯିବ। ଆଉ ଠିକ୍ ସେତିକି ବେଳେ ଦଇବ ଦାଉ ସାଧିଲା। ମେଘ ଜଳଶୂନ୍ୟ, କିଛି ଦିନ ପରେ ଆକାଶ ମେଘଶୂନ୍ୟ। ସପ୍ତାହ ଗଲା, ଦୁଇ ସପ୍ତାହ ଗଲା। ଭେଣ୍ଡିଆ ପିଲା, ଆଖି ଆଗରେ ମରିଗଲା।
ଘଟଣାର ଅବତାରଣା ଦୀର୍ଘ ୪୦ ବର୍ଷ ପରେ। କଥାଟି କହୁ କହୁ ଦେବୀପ୍ରସାଦ ଆବେଗରେ ଉଦ୍‌ବେଳିତ ହୋଇପଡ଼ିଲେ। ଆଖିରୁ ଝର ଝର ଲୁହ। କଥା ବନ୍ଦ। ମୁଁ ସ୍ଥାଣୁ ହୋଇ ବସି ରହିଲି। ଧୀରେ ଧୀରେ ନିଜକୁ ଆଶ୍ବସ୍ତ କଲେ। ଆଖିର ଲୁହ ପୋଛିଲେ। କହିଲେ, ଏତେ ବର୍ଷ ବିତିଯିବା ପରେ ବି କଥାଟି ତାଙ୍କୁ ବ୍ୟଥିତ କରେ। ଭାରତୀୟ ସଂବିଧାନ, ଜାତୀୟ ପତାକା, ଅଶୋକ ସ୍ତମ୍ଭ, ସଚିବାଳୟର ଦାମ୍ଭିକ କୋଠା। ସବୁର ସମନ୍ବୟରେ ପ୍ରଶାସନ। ତା’ ସାମନାରେ ସାଧାରଣ ମଣିଷର ଆଖି ପାଉ ନ ଥିବା ଲମ୍ବା ଲାଇନ୍। ଲାଇନ୍‌ର ଶେଷରେ ଠିଆ, ଅର୍ଦ୍ଧ ନଗ୍ନ ମଣିଷଟିଏ, ଜିଲ୍ଲାପାଳଙ୍କୁ କହୁଛି, ମୋର ଭେଣ୍ଡିଆ ପୁଅ ଆଖି ଆଗରେ ମରିଗଲା।
ଦେବୀପ୍ରସାଦ ପୁରୁଣା କାଳର ପ୍ରଶାସନିକ ଅଧିକାରୀ। ସେତେବେଳେ ହୁଏତ ଶାସନ କଳରେ ଆବେଗର ସ୍ଥାନ ଥିଲା। ଶାସିତ ମଣିଷର ମଧ୍ୟ ସଂଭ୍ରମ ଥିଲା। ଶାସକଙ୍କ ପାଖରେ ସମୟ ଥିଲା। ଆଜି ସରକାରୀ ଚାକିରିରେ ନବନିଯୁକ୍ତ ଯୁବ ଅଧିକାରୀମାନଙ୍କ ପାଇଁ ଦେବୀପ୍ରସାଦଙ୍କର ଉଦାହରଣ କ’ଣ ସତରେ ପ୍ରଯୁଜ୍ୟ?
ରାଜ୍ୟ ସରକାରଙ୍କର ବରିଷ୍ଠ ପୁଲିସ୍ ଅଧିକାରୀ ଅରୁଣ ବୋଥ୍ରା ଜୀବନରେ ଖାକି ପୋଷାକ ପିନ୍ଧି ନ ଥିଲେ। ଗୋଟିଏ ହିନ୍ଦୀ ଖବରକାଗଜର ସାମ୍ବାଦିକ ହିସାବରେ, କୋଡ଼ିଏ ବର୍ଷ ବୟସରେ କର୍ମ ଜୀବନ ଆରମ୍ଭ। ସାମ୍ବାଦିକତା ଗୋଟିଏ ଏପରି ପ୍ରଫେସନ୍, ଏପରି ପେସା, ଯେଉଁଥିରେ ସାଧାରଣ ମଣିଷର ଦୁଃଖ କଷ୍ଟ ସାମ୍‌ନା ସାମ୍‌ନି ଦେଖି ହୁଏ। ସେଇ କଥାଟି ବିଷୟରେ ଯଦି ଜଣେ ସାମ୍ବାଦିକ ପ୍ରସ୍ତାବନା ରଖେ, ପାଠକ ପଢ଼ନ୍ତି। କିଛି ଲୋକ ପ୍ରଭାବିତ ହୁଅନ୍ତି। ସାହାଯ୍ୟର ହାତ ମଧ୍ୟ ବଢ଼ାନ୍ତି। ଏହି ମର୍ମରୁ ଅରୁଣ ବୋଥ୍ରାଙ୍କର ଗୋଟିଏ ବୃହତ୍ତର ଆତ୍ମଦର୍ଶନ ଆସିଥିଲା। ସେ ବୁଝି ପାରିଲେ, ସାମ୍ବାଦିକତା କେବଳ ନୁହେଁ। ପ୍ରତ୍ୟେକ ପେସାରେ ଗୋଟିଏ କ୍ଷମତା ଅନ୍ତର୍ନିହିତ, ଯାହାଦ୍ବାରା ସାଧାରଣ ମଣିଷର ସମସ୍ୟାର ଜଣେ ସମାଧାନ କରିପାରିବ। ପେସାଦାର ମଣିଷର ଦାୟିତ୍ବ ହେ‌ଲା ପେସାଗତ ‌କ୍ଷମତାଟିକୁ ବ୍ୟବହାର କରିବା। କ୍ଷମତାଟିକୁ ତା’ର ଗନ୍ତବ୍ୟସ୍ଥଳ, ପ୍ରାଥମିକ ଉଦ୍ଦେଶ୍ୟ ପର୍ଯ୍ୟନ୍ତ ପହଞ୍ଚାଇ ଦେବା। ଆଉ ଏଇଟିକୁ କରିବାକୁ ହେଲେ ମଣିଷର ଆବେଗ ଦରକାର।
ସେ ଦିନର ସେଇ କୋଡ଼ିଏ ବର୍ଷର ଯୁବ ସାମ୍ବାଦିକ ଏବେ ସରକାରଙ୍କର ଅତିରିକ୍ତ ମହାନିଦ୍ଦେର୍ଶକ, କ୍ରାଇମ୍ ବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ, ଅର୍ଥାତ୍ ଆଇନ, କାନୁନ୍, ଅପହରଣ, ଡକାୟତି, ଧର୍ଷଣ, ହତ୍ୟା, ଅପରାଧ, ଅପରାଧୀ। ସକାଳ ଆଉ ସନ୍ଧ୍ୟା ସାମାଜିକ କଳଙ୍କର ଇତିବୃତ୍ତି କେବଳ। ସେଠି ଆବେଗର ସ୍ଥାନ କାହିଁ?
ମାର୍ଚ୍ଚ ୨୦୨୦। ସରକାର କୋଭିଡ୍ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଭାରତବର୍ଷରେ ଯିବା, ଆସିବା, ଯାନବାହନ ବନ୍ଦ। କିଣାବିକା ବନ୍ଦ। ଅତ୍ୟାବଶ୍ୟକ ବ୍ୟତୀତ ଅନ୍ୟ କୌଣସି ଜିନିଷର ପ୍ରଶ୍ନ ଉଠୁନାହିଁ। ଏହି ସମୟରେ ସୋସିଆଲ୍ ମିଡିଆରେ ଅସହାୟ ମା’ଟିଏ, ସୁଦୂର ମୁମ୍ବାଇରୁ ବିକଳ ଆବେଦନ କରୁଛି, କିଏ ଜଣେ ମତେ ସାହାଯ୍ୟ କରିଦିଅ। ମୋ ପୁଅ ଅଟିଷ୍ଟିକ୍। ଗାଈ କ୍ଷୀର ସହ୍ୟ କରିପାରେନି। କେବଳ ଓଟ କ୍ଷୀର ପିଇପାରେ। ସାରା ଦେଶରେ ଲକ୍‌ଡାଉନ୍। ଓଟ କ୍ଷୀର ମିଳିବ କେଉଁଠି, ଆଣିବ କିଏ, ଦେବ କିଏ? ଓଡ଼ିଶାର ସମସ୍ୟା ନୁହଁ। ମୁମ୍ବାଇର। ସେଠି ପୁଣି ଲକ୍ଷ ଲକ୍ଷ ମଣିଷ। କିଏ କାହା କଥା ବୁଝିବ ଏ ଅସମୟ ଅବସ୍ଥାରେ? ମା’ଟିର ଅସହାୟତା ଅରୁଣଙ୍କୁ ସ୍ପର୍ଶ କରିଥିଲା। ତାଙ୍କୁ ଭାବପ୍ରବଣ କରିଥିଲା। ନିଜ ଟ୍ବିଟର୍ ଯୋଗେ ସମସ୍ତଙ୍କୁ ଜଣାଇଲେ। ତାଙ୍କର ଅପିଲ୍‌ର ସ୍ବର ପହଞ୍ଚିଲା ଜଣେ ଅଜଣା ରେଳବାଇ ଅଧିକାରୀଙ୍କ ପାଖରେ। ରାଜସ୍ଥାନର ଗୋଟିଏ ଗାଁରେ ଓଟ କ୍ଷୀର ମିଳିପାରିବ। ଲକ୍‌ଡାଉନ୍‌ରେ କେବଳ ମାଲ୍‌‌ ଟ୍ରେନ ଚାଲୁଛି କିନ୍ତୁ ସେଇ ଗାଁ ପାଖ ଷ୍ଟେସନ୍‌ରେ ମାଲ୍‌ ଟ୍ରେନ ଅଟକେ ନାହିଁ। ମା’ଟିର ବିନତି, ଅରୁଣଙ୍କ ଆବେଗ ଆଗରେ ମାଲ୍‌ ଟ୍ରେନ ଚକ ଅଟକିଗଲା। ଓଟ କ୍ଷୀର ମୁମ୍ବାଇ ପହଞ୍ଚିଲା। ଲକ୍‌ଡାଉନ୍ ଶେଷ ହେବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିଲା।
ଠିକ୍ ସେହିପରି ଦିନେ ଖବର ଆସିଲା, ଦିଲ୍ଲୀର ଜଣେ ମହିଳାଙ୍କୁ ବଞ୍ଚାଇବାକୁ ହେଲେ ତୁରନ୍ତ ବୋନ୍ ମ୍ୟାରୋ ଦରକାର। ବୋନ୍ ମ୍ୟାରୋ ଅର୍ଥାତ୍ ଅସ୍ଥିଗତ ମଜ୍ଜା। ଦେଇପାରି‌ବେ‌ କେବଳ ନିଜ ଭଉଣୀ। ଆସିବାକୁ ପଡ଼ିବ ସୁଦୂର ମେଘାଳୟରୁ। ଏୟାରପୋର୍ଟକୁ ଆସିଥିଲେ। ଫ୍ଲାଇଟ୍ ବାତିଲ ହୋଇଗଲା। ଲକ୍‌ଡାଉନ୍‌ରେ ସାଧାରଣ ବିମାନ ସେବା ବନ୍ଦ। ପୁଣି ଅରୁଣ ବୋଥ୍ରାଙ୍କର ବିଭିନ୍ନ ଜାଗାରେ ଥିବା ବନ୍ଧୁବାନ୍ଧବ ଖୋଜା, ଯୋଗାଯୋଗ। ଏହିସବୁ ଭିତରେ ଅକସ୍ମାତ ଫୋନ୍ ଆସିଲା, ଏନ୍.ଡି.ଆର୍.ଏଫ୍. ସଂସ୍ଥାର ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନଙ୍କ ଠାରୁ। ପ୍ରଧାନ କହିଲେ, ‘‘ଅରୁଣ ତୁମ କାମ ସରିଲା। ଏବେ ମୋ ଦାୟିତ୍ବ।’’ ମେଘାଳୟରୁ ଗାଡ଼ି ଚକ ଗଡ଼ିଲା। ବାଟରେ ଯେଉଁଠି ଯେଉଁଠି ଏନ୍.ଡି.ଆର୍.ଏଫ୍‌.ର ଛାଉଣି, ସେଇଠି ରାତି ରହିବାର ବ୍ୟବସ୍ଥା କରିଦେଲେ। ଚାରି ଦିନ ପରେ ଭଉଣୀଟି ଦିଲ୍ଲୀ ପହଞ୍ଚିଲା। ବୋନ୍ ମ୍ୟାରୋ ଟ୍ରାନ୍‌ସପ୍ଲାନ୍‌ଟେସନ୍‌ ପରେ ମହିଳା ଜଣକ ବଞ୍ଚିଗଲେ। ଏହି ଘଟଣାଟି ପରେ ପ୍ରତ୍ୟେକ ବର୍ଷ ଭଉଣୀଟି, ମହିଳାଙ୍କ ଜନ୍ମଦିନରେ ଅରୁଣଙ୍କୁ ଫଟୋଟିଏ ପଠାନ୍ତି। ଜଣାନ୍ତି, ହେଇଟି ଦେଖନ୍ତୁ ମୋ ନାନୀ ଭଲ ଅଛି।
ଏହିସବୁ ଭିତରେ, ଚେନ୍ନାଇରୁ ଆଉ ଏକ ଅସହାୟ ସ୍ବର ଆସି ପହଞ୍ଚିଲା। ଅଢ଼େଇ ବର୍ଷର ଶିଶୁ ଇସ୍‌ମାଇଲ୍‌ର ବାପା କହୁଛନ୍ତି, ମୋ ପୁଅର ଏପିଲେପ୍‌ସି ଅର୍ଥାତ୍ ମୃଗଶିର ରୋଗ। ଔଷଧ ସରି ଯିବାରୁ ପୁଣି ଆରମ୍ଭ ହୋଇଗଲାଣି। ପିଲାଟିକୁ ସାବ୍‌ରିଲ୍ ବଟିକା ଦିଆଯାଏ। ମିଳୁ ନାହିଁ। ପୁଣି ଥରେ ଅରୁଣ ଉଦ୍‌ବେଳିତ। ଚାରିଆଡ଼କୁ ଖବର ଗଲା। ବେଙ୍ଗାଲୁରୁ ସହରରୁ ଜଣେ ଭଦ୍ର ବ୍ୟକ୍ତି ଜଣାଇଲେ, ମୋ ପୁଅର ମଧ୍ୟ ମୃଗଶିର ରୋଗ। ‌ତା’ ପାଇଁ ସାବ୍‌ରିଲ୍ ରଖିଛି। ଦେଇପାରିବି। ପହଞ୍ଚାଇବ କିଏ? ବେଙ୍ଗାଲୁରୁ ପୁଲିସ୍ ରାତି ଗୋଟାଏ ବେଳେ ତାଙ୍କ ଘରୁ ସାବ୍‌ରିଲ୍ ବଟିକା ଆଣିଲେ। ଗୋଟିଏ ମଟର୍ ସାଇକେଲ୍ କ୍ଲବ୍‌ର ସଦସ୍ୟମାନେ କହିଲେ, ଆମକୁ ଅନୁମତି ଦିଅନ୍ତୁ। ଆମେ ଚେନ୍ନାଇ ପର୍ଯ୍ୟନ୍ତ ଔଷଧ ନେଇଯିବୁ। ଘଟଣାଟି ସମସ୍ତଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ‌ଲୋକମାନେ ବାଂଲାଦେଶ, ଜର୍ମାନୀ, ସୁଇଜର୍‌ଲ୍ୟାଣ୍ଡରୁ ସାବ୍‌ରିଲ୍ ବଟିକା ପହଞ୍ଚାଇଲେ। କେହି କାହାକୁ ଚିହ୍ନି ନାହାନ୍ତି। କିନ୍ତୁ ଆବେଗରେ ବନ୍ଧା, ସମସ୍ତେ ସମସ୍ତଙ୍କର।
ଆବେଗର ଅର୍ଥ ନୁହେଁ, ପ୍ରଶାସନରେ ନୀତି ନିୟମର ସ୍ଥାନ ନ୍ୟୂନ। ଆବେଗର ଅର୍ଥ ଅନ୍ୟର ଦୁଃଖ କଷ୍ଟ‌େର ପ୍ରଭାବିତ ହେବା ଏବଂ ସେଇ ଦୁଃଖ କଷ୍ଟକୁ ଦୂର କରିବା ପାଇଁ ସବୁ ନୀତି ନିୟମକୁ ଠୁଳ କରିବା। ଇଂରେଜୀ ଶବ୍ଦ ‘‘ଇମୋସନ୍’’ରେ ରହିଛି ଆଉ ଗୋଟିଏ ଶବ୍ଦ- ‘‘ମୋସନ୍’’। ଅର୍ଥାତ୍ ଗତିଶୀଳତା। ଇମୋସନ୍ ହେଲା ସେଇ ମାନବିକ ଗୁଣ ଯାହା ଆମକୁ ଗତିଶୀଳ, ତତ୍ପର କରି ତୋଳେ। ଇମୋସନ୍‌କୁ ଛାଡ଼ିଦେଲେ, ନିଜ ଆବେଗକୁ ଚାପିଦେଲେ, କେବଳ ନୀତି ନିୟମ, ଚେତନା, ବୌଦ୍ଧିକ ବିଶ୍ଳେଷଣର କୌଣସି ଅର୍ଥ ରହେ ନାହିଁ। ମଣିଷ ଆବେଗରେ ଗଢ଼ା। ସମାଜ ମଣିଷର ସାମୂହିକ ଉପସ୍ଥାପନା। ସରକାର ସମାଜ ପରିଚାଳନାର ଏକ ମାଧ୍ୟମ ମାତ୍ର। ନିଜ ସ୍ବାର୍ଥ ନୁହେଁ, ପରୋପକାର ପାଇଁ ଆବେଗରେ ଅନ୍ଦୋଳିତ ନ ହୋଇ ପାରିଲେ ସରକାରୀ ଅଧିକାରୀର କି ଆବଶ୍ୟକତା?
ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା