ହାତୀ ଦାନ୍ତ, ହାତୀ କାନ ଓ ହାତୀ ପାଦ

ସତ୍ୟନାରାୟଣ ଗନ୍ତାୟତ

ସେଦିନ ସକାଳୁ ସକାଳୁ ଗୋଟେ ନୂଆ ସ୍ପୋର୍ଟସ୍ ସାଇକେଲ ଧରି ସତ୍ୟେନ୍ଦୁ ଘରେ ହାଜର ହୋଇଯାଇ ବାବୁରାଓ ସଦର୍ପ ଘୋଷଣା କଲା: ଆଜିଠୁ ଆଉ ମର୍ଣ୍ଣିଂ ଉଆକ୍ ନାଇଁ ବାବୁ, ଏଣିକି କରିବା ମର୍ଣ୍ଣିଂ ସାଇକ୍ଲିଂ!
କିରେ, ଗତ ଜାନୁଆରି ପହିଲାରୁ ତ ସବୁ ଦିନ ମର୍ଣ୍ଣିଂ ଉଆକ୍ ଆରମ୍ଭ କରି ଚାଲୁଥିଲେ। ହଠାତ୍ ଏ ସାଇକ୍ଲିଂ ପୁଣି କାହିଁକି?, ସତ୍ୟେନ୍ଦୁ ପଚାରିଲା।
ବାବୁରାଓ କହିଲା, ‘ହଁ ସେଇଟା ଗୋଟେ କି ଚଲା ଯେ! ଏଣ୍ଡୁଅ ଦୌଡ଼ ଦୌଡ଼ି ସିଜୁ ବୁଦା ମୂଳକୁ ଭଳିଆ ଚାଲିଚାଲି ମାତ୍ର କିଲୋମିଟର ଦୂରରେ ସେ ପ୍ରମୋଦ ଉଦ୍ୟାନକୁ ଯାଅ ଆଉ ଥମ୍ ହୋଇ ବସି ଯାଅ ସିମେଣ୍ଟ ବେଞ୍ଚରେ! ସେଠି ମହଜୁଦ ଥିବେ ଗପଖୋର ଆମ ପରି କିଛି ସିନିଅର ସିଟିଜନ। ସେମାନଙ୍କ ସଙ୍ଗେ ହେଁହେଁ ଫେଁଫେଁ ହୋଇ ସାରିବା ପରେ ଚା’ କପେ ପିଇ ଫେରି ଆସ।। ଏତିକି କଲେ କ’ଣ ସ୍ୱାସ୍ଥ୍ୟ ସୁନ୍ଦର ହୋଇ ଯିବ? ଆଜିଠୁ ନୂଆ ନିୟମ। ତୋ ଝିଅର ସାଇକେଲ ବାହାର କର। ଆମେ ଏଣିକି ସବୁ ଦିନ ସାଇକେଲ ଚଳାଇ ପାଞ୍ଚ କିଲୋମିଟର ଯିବା। ସହର ଶେଷରେ ପିତାପୁର ଗାଁକୁ ଯାଇ ସେଠୁ ଫେରିବା। ବଢ଼ିଆ ଏକ୍‌ସରସାଇଜ୍ ହୋଇ ଯିବ।
ଅଗତ୍ୟା ସାଇକେଲ ବାହାର କଲା ସତ୍ୟେନ୍ଦୁ ଏବଂ ପଚାରିଲା: ଖାସ୍ ସେଇ ଗାଁକୁ ସବୁଦିନ ଯିବା? କାହିଁକି ଶୁଣେ!
ବାବୁରାଓ କହିଲା: ଆରେ ବାବୁ, ଚାଲ। ଆମେ ଯିବା ଓ ଆମର ଗୋଟେ ଗୋଟେ ଇଚ୍ଛା ପୂରଣ କରିବା।
ସତ୍ୟେନ୍ଦୁ କହିଲା: ତୋ କଥା ମୁଁ ଠିକ୍‌ ଭାବେ ଧରି ପାରୁ ନାହିଁରେ ବାବୁ। ସେ ଗାଁରେ କ’ଣ ଅଛି ଓ ତୋର କି ଇଚ୍ଛା ପୂରଣ କରିବୁ ସେଠି?
ଏଥର ବାବୁରାଓ ମୁହଁରେ ଚିରାଚରିତ ଚମକାଇବାର ଦୁଷ୍ଟାମି ଭରା ହସ ଫୁଟାଇ କହିଲା: ସେଠି ବଢ଼ିଆ ହାତୀ ଦାନ୍ତ, ହାତୀ କାନ ଓ ହାତୀ ପାଦ ମିଳୁଚି ବୋଲି ଶୁଣିଚି। ମୁଁ ସେଠାକାର ଜଣକୁ କହି ଦେଇଚି ଆମ ପାଇଁ ସେ ସବୁଥିରୁ ରଖିବା ପାଇଁ। ଆଜି ଯିବା ଓ ସେସବୁ ଆଣିବା। ଏଇ ଭିତରେ ଆମର ସାଇକ୍ଲିଂ ବି ହୋଇଯିବ।
ସତ୍ୟେନ୍ଦୁ ସତକୁ ସତ ଚମକି ପଡ଼ିଲା। ତା’ ପାଟିରୁ ବାହାରି ଗଲା: ଏଁ ହାତୀ ଦାନ୍ତ, ହାତୀ କାନ ଆଉ ହାତୀ ପାଦ? ତୁ କ’ଣ ଯେ କହୁ? ପାଗଳା କରିଦେବୁ!
ଏ କଥା ଶୁଣିବାକୁ କିନ୍ତୁ ବାବୁରାଓ ସେଠି ନ ଥିଲା। ସୁତରାଂ, ସତ୍ୟେନ୍ଦୁ ବି ତା’ ପଛରେ ସାଇକେଲ ଛୁଟାଇ ଦେଲା।
ଦୁହେଁ ପହଞ୍ଚିଲେ ପିତାପୁରରେ। ଗାଁ ଶେଷରେ ଯେଉଁଠି ବାବୁରାଓ ସାଇକେଲ ରଖିଲା, ସେଠି ସତ୍ୟେନ୍ଦୁ ଦେଖିଲା ଜଙ୍ଗଲ ଘେରରେ ଥିବା ଭଳି ଦିଶୁଥିବା ଗୋଟିଏ ଫାର୍ମ ହାଉସ। ଚାରି ପଟେ ଖାଲି ବଗିଚା, ଚାଷ ଜମି, ଛୋଟ ଗୋଟେ ପୋଖରୀ। ବିଜୁଳି ପାଇଁ ଲାଗିଛି ବଡ଼ ବଡ଼ ସୋଲାର ପ୍ୟାନେଲ। ଗାଈ ଓ ଛେଳି ଗୁହାଳ ସମ୍ବଳିତ ଏକ ସୁଦୃଶ୍ୟ ସବୁଜିମାମୟ ପରିବେଶ।
ଏ ଦୁହିଁଙ୍କୁ ଦେଖି ଯିଏ ଗେଟ୍ ଖୋଲି ସ୍ୱାଗତ କଲେ ତାଙ୍କୁ ଦେଖି ଚମକି ଗଲା ସତ୍ୟେନ୍ଦୁ। ଆରେ ହେ, ଇଏ ତ ସେମାନଙ୍କ ସ୍କୁଲ ସାଙ୍ଗ ଆନନ୍ଦର ବଡ଼ଭାଇ ବାଦଲ ଭାଇନା। କୃଷି ବିଭାଗରେ ବଡ଼ ପଦାଧିକାରୀ ଭାବେ ରାଜଧାନୀରେ ଥିଲେ। ଓଃ, ତାହା ହେଲେ ଚାକିରିରୁ ଅବସର ନେବା ପରେ ସେ ଜନ୍ମମାଟିକୁ ଫେରି ଆସି ଏଠି ଏଇ ଫାର୍ମ ହାଉସ କରି ରହୁଛନ୍ତି!
ବାଦଲ ଭାଇନା ଏମାନଙ୍କୁ ଦେଖି ଆଦର କଲେ ଏବଂ ଗୋଟେ ଗୋଟେ ମୁଣା ଧରାଇ ଦେଇ କହିଲେ: ପ୍ରଥମ ଥର ଲାଗି ମୋ ବଗିଚା ଦେଖି ଆସିଲ। ମୋ ଆଡୁ ଏସବୁ ଉପହାର। ପରେ କିନ୍ତୁ ପ୍ରତି ଦିନ ଆସିବା ଆଗରୁ ଯାହା ଲୋଡ଼ା ଜଣାଇ ଆସିବ ଯେ ରଖି ଦେଉଥିବି, ନିତି ଆସି ନେଇ ଯାଉଥିବ!
ସତ୍ୟେନ୍ଦୁକୁ ଲାଗିଲା ବାବୁରାଓ କହିଥିବା ମହାର୍ଘ ଚିଜମାନ ଏହି ମୁଣାରେ ରହଛି ବୋଧହୁଏ! ବାବୁରାଓ ବି ଠିକ୍ ଠଉରାଇ ପାରିଲା। ଏବେ ମୁଣାରୁ କାଢ଼ି ଗୋଟେ ଲମ୍ବା ଓ ଡଉଲଡାଉଲ ଧଳା ମୂଳା ଦେଖାଇ କହିଲା: ଦେଖ୍ ହାତୀ ଦାନ୍ତ। ତା’ ପରେ କିଛି ପତଳା ଚାରି ଆଙ୍ଗୁଳି ମାପର ଗାଢ଼ ସବୁଜ ରଙ୍ଗର ଶିମ୍ବ ଗଣ୍ଡେ ଦେଖାଇ କହିଲା: ଆଉ କୋଉଠି ଦେଖିଚୁ ଏମିତି ଶିମ୍ବ? ହାତୀ କାନ ପରି ଦିଶୁଛି, ଦେଖୁଚୁ! ଏବେ ସତ୍ୟେନ୍ଦୁ ଠିକ୍‌ ଠଉରେଇ ପାରିଥିଲା ଯେ ହାତୀପାଦ ବୋଲି ବାବୁରାଓ କ’ଣ ବାହାର କରିବାକୁ ଯାଉଛି! ସେ ନିଜେ ତା’ ମୁଣାରୁ ବାହାର କଲା ବଡ଼ ବଡ଼ ଗୋଲଗାଲ ଖମ୍ବ ଆଳୁର ଖଣ୍ଡଟିଏ ଓ ଈଷତ୍ ହସି କହିଲା: ଆଉ ୟେ ହେଲା ହାତୀ ପାଦ!
ବାବୁରାଓ କହିଲା ଜାଣିଚୁ ନା ନାହିଁ, ଏ ସବୁର ଦେଶୀ ବିହନ ବାଦଲ ଭାଇନା ବଡ଼ କଷ୍ଟରେ ଯୋଗାଡ଼ କରି ବିନା ସାର, ବିନା ଔଷଧରେ ନିଜର ଜ୍ଞାନ ଓ ସାରା ଜୀବନର ଅନୁଭବକୁ ଖଟାଇ ଉପୁଜାଉଛନ୍ତି। ଏଭଳି ଅନେକ ବିରଳ ଚିଜ ଏଠି ପାଇବା। କୋଉ ଦିନ ପାଚିଲା ରାମ ଫଳ ତ କୋଉ ଦିନ ବନ୍ତଳ କଦଳୀ ତ କୋଉ ଦିନ ବିରଳ ପ୍ରାୟ ପୁରୁଣୀ ଶାଗ ବା ବିଶୁଦ୍ଧ କଞ୍ଚା ହଳଦୀ। ଏମିତି କି ଦେଶୀ କୁକୁଡ଼ା ଅଣ୍ଡା, ପାଳ ଛତୁ ଓ ଶୁଦ୍ଧ ଦେଶୀ ଗାଈ କ୍ଷୀର ଓ ତହିଁରୁ ତିଆରି ଛେନା ବି! ତେଣୁ ନିତି ଆସିବା ଆଉ କିଛି ନା କିଛି ନେଇ ଫେରିବା। ତାହା ହେଲେ ସାଇକେଲ ଚଳାଇ ଆସିବାକୁ ଇଚ୍ଛା ହେବ। ବ୍ୟାୟାମକୁ ବ୍ୟାୟାମ ହେଲା, ତା’ ସାଙ୍ଗକୁ ସୁଷମ ଖାଦ୍ୟ ପ୍ରସ୍ତୁତି ଲାଗି ଯାହା ଦରକାର ମିଳିଗଲା।
ଏବେ ବାବୁରାଓର ଆଇଡିଆଟି ସତ୍ୟେନ୍ଦୁର ମନକୁ ପାଇଗଲା। ବାଃ ବାଃ। ଏମିତି ସାଇକ୍ଲିଂ କଲେ ଦିହମନ ସୁସ୍ଥ ଓ ପ୍ରଫୁଲ୍ଲ ରହିବ। ଏବେ ଦୁହେଁ ଫେରିବା ବାଟରେ ସାଇକେଲ ଛୁଟାଇ ଦେଲେ।
ବାଟରେ ସତ୍ୟେନ୍ଦୁ ପଚାରିଲା: ଏ ସବୁ ନେଇ ତ ଆଜି ତମ ଘରେ ତୋ ମନ ପସନ୍ଦର ରାନ୍ଧଣା ହେବ ନିଶ୍ଚୟ! ଆଚ୍ଛା କାଲିକି କ’ଣ ନେବା କହ!
ବାବୁରାଓ କହିଲା: ଭାଇରେ ଅନେକ ବର୍ଷ ହେଲା ଛେଳି କ୍ଷୀର ପିଇନି। ଦିହ ପାଇଁ ମଧ୍ୟେ ମଧ୍ୟେ ତାହା ଭଲ ବୋଲି ଡାକ୍ତର ବାବୁ କହିଛନ୍ତି। ତେଣୁ ମୋ ପାଇଁ କାଲିର ଲକ୍ଷ୍ୟ ହେଲା ଛେଳି କ୍ଷୀର।
ସତ୍ୟେନ୍ଦୁ କହିଲା: ଆଉ ମୁଁ? ମୁଁ କ’ଣ ନେବି?
ବାବୁରାଓ କହିଲା- କାଲି ଆଇଁଷ ବାର। ବାଦଲ ଭାଇନାକୁ କହିବା ପୋଖରୀରୁ ଚୁନା ମାଛ ରଖିଥିବ। ସଜ ଚୂନା ମାଛ ଭଜା ଖାଇବା ଠାରୁ ଆଉ କିଛି ଆନନ୍ଦ ଅଛି କି?
ସତ୍ୟେନ୍ଦୁ ମଧ୍ୟ ଆସନ୍ତା କାଲିର ସାଇକ୍ଲିଂ ଲାଗି ଲକ୍ଷ୍ୟ ପାଇଗଲା।
ମୋ: ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର