ଭୋଜି ପ୍ରସଙ୍ଗରେ ମଦନା

ସତ୍ୟନାରାୟଣ ଗନ୍ତାୟତ

ବୋକା ସୁଲଭ କଥାମାନ କହି ସବୁବେଳେ ହେଁ ହେଁ ହେଉଥିବା ବ୍ୟାଙ୍କ୍‌ର ଆଟେଣ୍ଡାଣ୍ଟ ମଦନା ସେଦିନ ବଡ଼ ପାଟିରେ ‘ମୋର କ’ଣ ଭାସିଗଲା ଯେ?’ ବୋଲି ଗଜଗଜ ହେଉଥିଲା। ସତ୍ୟେନ୍ଦୁ ତାକୁ କ’ଣ ହୋଇଚି ବୋଲି ପଚାରନ୍ତେ ମଦନା କହିଲା: ଆମ ସିକ୍ୟୁରିଟି ପ୍ରକାଶ ସାର୍; ମୋତେ ଟିହାଉଛି ଭୋଜି ଦେବାକୁ। ମାସେ ତଳେ ମୋ ବଡ଼ପୁଅ ବଳିଆ ବାହା ହେବା ବେଳେ ମୁଁ କ’ଣ ଭୋଜି ଦେଇନି? ହେଲେ ଏବେ ଏ ସାନ ପୁଅ ଜଗାଟା ତ ମୋ ନାକ ଆଉ ନିଶ କାଟିଦେଲା! ଭୋଜି ଦେବି ନା ଚୋପା, ମୁଁ ତ ନିଜେ ଲାଜରେ ଚେପା ହୋଇ ଯାଇଚି!
ତମ ସାନ ପୁଅ ଜଗା ଯିଏ ଆଇଟିଆଇରୁ ଫିଟର୍ ପାସ କରି ନିଜର ଗ୍ୟାରେଜ୍‌ କରିଛି, ସିଏ? ସେ ତ ଭଲ ପିଲାଟେ! ଯେବେ ଦେଖିଲେ ପୂରା ନଇଁ ପଡ଼ି ହାତ ଯୋଡ଼ି ଓଳିଗି ହୁଏ।
ସେ ସବୁ ସିନା ଭଲ ସାର୍, ବାପା କଥା ନ ମାନିଲେ କି ପୁଅ? ଆପଣ ଜାଣନ୍ତି, ଭିଲାଇରେ ଥିବା ମୋ ବଡ଼ ଶଳାଙ୍କ ବଡ଼ ଝିଅକୁ ମୁଁ ମୋ ବଡ଼ ବୋହୂ କରିବାକୁ କଥା ଦେଇଥିଲି, ଆଉ କଲି ବି। ସେଠି ଥିବା ସାନ ଶଳାଙ୍କୁ ବି ସେମିତି କଥା ଦେଇଥିଲି ତାଙ୍କ ଏକମାତ୍ର ଝିଅଟିକୁ ବୋହୂ କରି ଆଣିବି। ହେଲେ ଜଗା କ’ଣ କରିଚି ଜାଣନ୍ତି? ମୋତେ ଭାଇଜାଗ୍‌ ଯାଉଚି ବୋଲି କହି ଭିଲାଇ ଯାଇ ମୋ ବଡ଼ ଶଳାଙ୍କ ଶଳାର ସାନ ଝିଅଟିକୁ ସେଠିକା ମନ୍ଦିରରେ ଫୁଲମାଳ ଦିଆନିଆ କରି ବାହା ହୋଇ ଉଠାଇ ନେଇ ଆଜି ସକାଳେ ଆସି ପହଞ୍ଚିଛି। ମୋ ଶଳା କିଛି ନ ଜାଣିବା ଭଳି ଆକ୍ଟିଂ କରୁଛନ୍ତି ଓ ଏଣେ ମୋ ମିସେସ୍ ବି! ଆଉ ବଡ଼ ବୋହୂ ବି ଖୁସି ଖୁସି ଦିଶୁଚି! କାଇଁକି ବୋଇଲେ ତା’ ସମ୍ପର୍କୀୟାଟିଏ ହିଁ ତା ଜାଆ ହେବ ବୋଲି! ମୋତେ ସାର୍ କିନ୍ତୁ ଏ ଟୋକା ଉପରେ ରାଗ କାହିଁରେ କ’ଣ? ବଡ଼ ଭାଇର ବାହାଘର ବେଳୁ ଯଦି ତୋର ପହିଲି ଦେଖାରେ ଏ ଟୋକୀ ସହ ଲଭ୍ ହୋଇ ଯାଇଥିଲା, ମୋତେ ପଦେ ଜଣାଇଲୁନି? ଏବେ ତୋ କାଣ୍ଡ ଏମିତି ଯେ କାହାକୁ ଜଣାଇବା ବେଳକୁ ଲାଜ ଲାଗୁଛି। ଏଣେ ଦେଖ, ଏ ପ୍ରକାଶ କେମିତି କୋଉ ଛଟକରେ ଜାଣି ଯାଇଚି କେଜାଣି ମୋତେ ଦେଖିଲେ ଭୋଜି ଦେ ଭୋଜି ଦେ ବୋଲି ରଡୁଚି।
ସତ୍ୟେନ୍ଦୁ କହିଲା: ଆଜିକାଲିକା ପିଲାଙ୍କ କଥା କ’ଣ ଜାଣିନ ମଦନା! ଏ ସବୁ ଚଳିଲାଣି। ଫେର୍ ତମ ପରିବାର ପରିଜନ ଭିତରର ଝିଅ। ତେବେ ଝିଅଟି ଦେଖିବାକୁ କେମିତି?
ମଦନା କହିଲା: ସାର୍ ତହିଁରେ ଊଣା ନାହିଁ। ଟିଉବ୍ ଲାଇଟ୍ ପରି କଲର ଝିଅଟାର। ମୋ ବଡ଼ ବୋହୂ ସିଲେଇ କୋର୍ସ କରିଛି। ମୁଁ ଶୁଣୁଛି ଇଏ ତା’ ମାଆ ସହ ମିଶି ଘରେ ଗୋଟେ ଲେଡିଜ୍ କର୍ନର୍‌ ଚଳାଉଥିଲା ପୁଣି।
: ତା’ ହେଲେ ତ ଅତି ଭଲ ହୋଇଛି ମଦନା। ତୁମେ କାହିଁକି ରାଗୁଚ?
: ନାଇଁ ସାର୍, ସାନ ଶଳା ପରା ସକାଳେ ଶୁଣୁଶୁଣୁ ମୋତେ ଏମିତି କଥାଏ ଶୁଣାଇ ଦେଇଚି ଯେ ମୋ ମନ ବିଗିଡ଼ି ଯାଇଚି। ସତ କଥା। ମୋ କର୍ମ ମୋ ପାଇଁ ହିଁ ଦିନେ ଏମିତି ଫଳିଛି ବୋଲି ଜାଣିବା ପରଠୁ ମନ ମୋର କ’ଣ ହୋଇ ଯାଉଛି! ଭୋଜି ଆଉ ଦେବି କ’ଣ, କାହା ଆଗରେ କହିବାକୁ ବି ଲାଜ ଲାଗୁଚି ସାର୍।
ତା’ କଥା ଶୁଣି ସତ୍ୟେନ୍ଦୁ ତଥାପି ଅବୁଝା ହୋଇ ରହିବା ଦେଖି ମଦନା ପାଖେଇ ଆସିଲା। ଧୀର ସ୍ୱରରେ କହିଲା: ଆପଣ ଜାଣି ନାହାନ୍ତି ସାର୍। ଏ ମଦନା ବି ସ୍କୁଲ ପଢ଼ିବା ବେଳୁ ହିଁ ରେଳବାଇ କଲୋନିରେ ରହୁଥିବା ଗୋଟେ ଧୋବ ଧାଉଳିଆ ପାତଳୀ ଝିଅକୁ ଭଲ ପାଉଥିଲା। ଆଉ ସେ ଝିଅକୁ ଏମିତି ଉଡ଼େଇ ନେଇ ପଳାଇ ଯାଇଥିଲା ଯେ ସାରା ସହରରେ ହୋ ହଲ୍ଲା ଶୁଭିଥିଲା।
ସତ୍ୟେନ୍ଦୁ ଏଥର ରୀତିମତ ଆଗ୍ରହ ଭରେ ପଚାରିଲା, ‘ସେଇଠୁ?’
ମଦନା କହିଲା, ‘କ’ଣ ଆଉ ହେବ ସାର୍। ବାପାମାନେ ରାଗ ହେଲେ, ହେଲେ ଦି ଘରର ମାଆମାନେ ଶେଷରେ ସବୁ ସଜାଡ଼ି ଆମକୁ ଗ୍ରହଣ କଲେ। ତା’ ପରଠୁ ଚାଲିଲା ସଂସାର। ଆପଣ ଦେଖୁଛନ୍ତି ତ ସାର୍!
ଏବେ ସତ୍ୟେନ୍ଦୁ କହିଲା: ତାହା ହେଲେ ଏବେ ତମ ପୁଅ ସେଇ କାମ କଲା ଆଉ ଯାହାକୁ ଭଲ ପାଉଥିଲା ତାକୁ ବାହା ହେଲା। ପୁଣି ଲାଜ କିଆଁ କରୁଛ ମଦନା?
ମଦନା ଟିକିଏ ଅପ୍ରତିଭ ଦିଶିଲା। ତା’ ପରେ କହିଲା: ‘ସେ କଥା ନାଇଁ ଯେ ସାର୍, ମୋତେ ଜାଣିବା ଲୋକେ କହି ବୁଲିବେନି ଯେମିତି ବାପର ସେମିତି ପୁଅ? ମୋ ସାନ ଶଳା ବି ସେଇଆ ଆଜି ସକାଳୁ ସକାଳୁ କହିବା ପରଠୁ ମନଟା ଖାଲି ଘାଣ୍ଟି ହେଉଚି!
ସତ୍ୟେନ୍ଦୁ କହିଲା: କ୍ଷତି କ’ଣ? ତୁମେ ଭାବିଲ ଦେଖି ପୁଅ ହିସାବରେ ତୁମ ବାପାଙ୍କ ପ୍ରତି ତୁମେ କି ସେବାଯତ୍ନ ନ କରିଛ? ଆମ ବ୍ୟାଙ୍କ ସାରା ସେ କଥା ସମସ୍ତେ ଜାଣନ୍ତି। ଏବେ ଯଦି ତୁମ ପୁଅ ବି ତୁମ ଭଳି ହେଲା, ତେବେ ତୁମ ଭାଗ୍ୟ ଭଲ ବୋଲି ଜାଣ, ଏଥିରେ ଲାଜ କ’ଣ?
ମଦନା ଏହି ଉତ୍ତରରେ ତୁଷ୍ଟ ଦିଶିଲା। ସେ କହିଲା: ଓଃ, ଧୈର୍ଯ୍ୟ ଦେଲେ ସାର୍। ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ।
ତା’ ପରେ ପ୍ରକାଶ ଆଡ଼କୁ ଚାହିଁ ମଦନା କୁହାଟ ମାରିଲା- ହଉ, ଜମାଣିଆ ଭୋଜି ଦେବି, ରହ!
ମୋ: ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର