ବିଜୟ ନାୟକ
କେଉଁଆଡ଼େ ଗଲେ ରାଜାମାନେ? ରାଜକୀୟ ଆଟୋପ, ଆଡ଼ମ୍ବର ଆଉ କାହିଁ? କାହିଁ ସେ ବିଳାସବ୍ୟସନ? ରାଜସିଂହାସନ, ସୁବର୍ଣ୍ଣ କିରୀଟ, ରାଜଉଆସ, ରାଜ୍ୟାଭିଷେକ, ପାଟପୀତାମ୍ବରୀ- ସବୁ ଆଜି ଇତିହାସ। ଭୂଗୋଳରୁ ନିଶ୍ଚିହ୍ନ ସେଦିନର ରାଜ୍ୟସମୂହର ସୀମାସରହଦ। ସ୍ୱାଧୀନତା ସମୟରେ ଦେଶରେ ୫୬୫ଟି ଦେଶୀୟ ରାଜ୍ୟ ଥିଲା। ଭାରତରେ ସେସବୁର ମିଶ୍ରଣ ଚୂଡ଼ାନ୍ତ ହୋଇଛି। ତା’ ସହିତ ବିଲୁପ୍ତ ହୋଇଛି ରାଜତନ୍ତ୍ର। ଗଣତନ୍ତ୍ର ଓ ରାଜତନ୍ତ୍ର ପରସ୍ପର ପରିପନ୍ଥୀ ଯେମିତି!
ଯୁକ୍ତରାଜ୍ୟର ସଂବିଧାନ ଚର୍ଚ୍ଚା କରାଗଲାବେଳେ କିନ୍ତୁ ରାଜତନ୍ତ୍ର ଓ ଗଣତନ୍ତ୍ରର ନିବିଡ଼ ବନ୍ଧନ ଦୃଷ୍ଟିକୁ ଆସେ। ତୁଳନାତ୍ମକ ସଂବିଧାନ ଅଧ୍ୟୟନର ପ୍ରାଧ୍ୟାପକମାନେ କହନ୍ତି, ଯାବତ୍ ଚନ୍ଦ୍ରାର୍କେ ‘ପଞ୍ଚରାଜ’ ତିଷ୍ଠି ରହିଥିବେ ମହୀମଣ୍ଡଳରେ- ସେମାନଙ୍କ ମଧ୍ୟରୁ ଚାରିଜଣ ତାସ୍ ରାଜା ଓ ଅନ୍ୟ ଜଣକ ଇଂଲାଣ୍ଡର ରାଜା ବା ରାଣୀ। ପୃଥିବୀର ଅନ୍ୟତମ ଖୁବ୍ ପ୍ରାଚୀନ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ନିର୍ବାଚିତ ପ୍ରତିନିଧି ନୁହନ୍ତି। ସେଠାରେ ରଜା ରାଜତ୍ୱ କରନ୍ତି ଯଦିଓ ଶାସନ କରନ୍ତି ପ୍ରଧାନମନ୍ତ୍ରୀ। ‘କିଙ୍ଗ୍ ଇଜ୍ ଡେଡ୍, ଲଙ୍ଗ୍ ଲିଭ୍ ଦି କିଙ୍ଗ୍’ ଉକ୍ତିଟି ଯଥାର୍ଥ ଯୁକ୍ତରାଜ୍ୟରେ ଯାହାର ମର୍ମ ଏହି ଯେ ରାଜାଙ୍କ ମୃତ୍ୟୁ ଅବଶ୍ୟମ୍ଭାବୀ କିନ୍ତୁ ରାଜପଦର ମୃତ୍ୟୁ ନାହିଁ। ଗଣତନ୍ତ୍ର-ସମୃଦ୍ଧ ଆହୁରି ଅନେକ ପାଶ୍ଚାତ୍ୟ ଦେଶରେ ସାଂବିଧାନିକ ରାଜତନ୍ତ୍ର ପ୍ରଚଳିତ। କାନାଡା ଓ ଅଷ୍ଟ୍ରେଲିଆ ତା’ର ଉଦାହରଣ। ଏସିଆ ଓ ଆଫ୍ରିକାର କେତେକ ଦେଶରେ ରାଜାଙ୍କ ରାଜୁତି ଚାଲୁରହିଥିବା କାହାକୁ ବା ଅଜଣା? ମଧ୍ୟପ୍ରାଚ୍ୟର ଅଧିକାଂଶ ଦେଶରେ ସୁଲତାନମାନଙ୍କ ହୁକୁମତ୍ କାଏମ୍ ରହିଛି। କିନ୍ତୁ ପ୍ରାୟ ସର୍ବତ୍ର ରାଜନ୍ୟବର୍ଗ ଆଳଙ୍କାରିକ ମୁଖ୍ୟ ଏବଂ ନିର୍ବାଚିତ ପ୍ରତିନିଧିଗଣ ଶାସନ ପ୍ରମୁଖ।
ଭାରତ ଶାସନରେ ରାଜତନ୍ତ୍ରର ସ୍ଥାନ ନାହିଁ। କିନ୍ତୁ ଭାରତୀୟ ଜନଜୀବନରୁ ରାଜଭକ୍ତିର ଅନ୍ତ କାହିଁ? ଭାରତର ଶିଶୁମାନେ ରଜାରାଣୀଙ୍କ ସହିତ ଆବାଲ୍ୟ ଜଡ଼ିତ, ଜେଜେମା’ କାହାଣୀ ମାଧ୍ୟମରେ। ‘ଥିଲେ ଯେ ଜଣେ ରଜା ଯାହାଙ୍କର ଥିଲେ ଅନେଶତ ରାଣୀ’, ଜେଜେମା’ କହନ୍ତି, କହନ୍ତି ପୁଣି ରଜାପୁଅର ବାରହାତ ଖଣ୍ଡା କଥା ତ ରାଜପ୍ରାସାଦର ଉପର ମହଲା ଅନ୍ତଃପୁରରୁ ଭୂଇଁ ଛୁଉଁଥିବା ରଜାଝିଅର ବେଣୀ କଥା। ଆମ ଦୁଇ ମହାକାବ୍ୟରେ ପୁଣି ରଜାରାଣୀ ଭର୍ତ୍ତି। ରଘୁ, କୁରୁ, ପାଣ୍ଡବ ଓ ଯାଦବ ବଂଶର ଗାଥାରେ ‘ରାମାୟଣ’ ଓ ‘ମହାଭାରତ’ ଉଚ୍ଛଳ। ହିନ୍ଦୁ ଧର୍ମର ଦୁଇ ଭଗବାନ ରାମ ଓ କୃଷ୍ଣ ରଜା। ହିନ୍ଦୁ ଧର୍ମ ତିଆଗି ନୂତନ ଧର୍ମ ସଂସ୍ଥାପନା କରିଥିବା ମହାକାରୁଣିକ ବୁଦ୍ଧ ମଧ୍ୟ ରାଜତନୟ। ବିକ୍ରମାଦିତ୍ୟ, ଚନ୍ଦ୍ରଗୁପ୍ତ, ଅଶୋକ, ଖାରବେଳ, ହର୍ଷବର୍ଦ୍ଧନ ଓ ପୁଲକେଶୀ ବା ପରବର୍ତ୍ତୀ କାଳର ଶିବାଜୀ ଓ ରାଣାପ୍ରତାପଙ୍କ ପରି ରାଜାମହାରାଜାମାନେ ଭାରତ ଇତିହାସରେ ପ୍ରେରଣାର ପ୍ରଖର ସ୍ରୋତ। ସୁତରାଂ ରାଜବନ୍ଧନରୁ ଆମ୍ଭମାନଙ୍କର ମୁକ୍ତି କାହିଁ? ବ୍ରିଟିଶ୍ ରଜାରାଣୀଙ୍କ ବିରୋଧରେ ଲଢୁଥିଲାବେଳେ ଗାନ୍ଧୀଜୀ ଦୈନିକ ‘ରାଜାରାମ’ ନାମ ଜପୁ ନ ଥିଲେ କି?
ଆମ ଚେତନାର ଏକ ନିର୍ଦ୍ଦିଷ୍ଟ ଇଲାକା ବୋଧେ ରଜାରାଣୀଙ୍କ ପାଇଁ ସଂରକ୍ଷିତ। ସପନ ରଜା ସପନ, ମିଞ୍ଜାସ ରଜା ମିଞ୍ଜାସ ତ ଚେହେରା ରଜା ଚେହେରା। ପୁଣି କିଙ୍ଗ୍ ସାଇଜ୍ ରୁମ୍ ତ କ୍ୱିନ୍ ସାଇଜ୍ ବେଡ୍। ରୟାଲ୍ ହୋଟେଲ୍, ରୟାଲ୍ କଲେଜ୍, ରୟାଲ୍ ଗାର୍ଡେନ୍- ‘ରୟାଲ୍’କୁ ବାଦ୍ ଦେଇ ଚଳଣି କାହିଁ? ନିଜ ପୁଅଝିଅଙ୍କୁ ‘ରଜା’, ‘ରାଣୀ’ ଡାକିବାରେ କି ଆନନ୍ଦ ବାପମା’ଙ୍କର! ଓଃ, ଏମନ୍ତ ଡାକରେ ଅବା କୋଟିନିଧି ମିଳେ। କ୍ରିକେଟ୍ ଟିମ୍ଗୁଡ଼ିକ ମଧ୍ୟ ରଜାମନସ୍କତାରୁ ମୁକ୍ତ ନୁହନ୍ତି। ‘କିଙ୍ଗ୍’, ‘ରୟାଲ୍’, ‘ନାଇଟ୍’ ଆଦି ପ୍ରତି ପ୍ରୀତିର ତୁଳନା ନାହିଁ କ୍ରିକେଟ୍ ଜଗତରେ।
ରାଜତନ୍ତ୍ର ତନ୍ତ୍ର ନୁହେଁ ମନ୍ତ୍ର ହୋଇ ରହିବାରେ ଆପତ୍ତି ନାହିଁ। କିନ୍ତୁ କୌଣସି ବି ଦେଶର ଶାସନତନ୍ତ୍ର ରାଜତନ୍ତ୍ରର ପ୍ରଭାବରୁ ମୁକୁଳି ପାରିଛି କି? ଏକାଧିପତ୍ୟ ଓ ଆଭିଜାତ୍ୟ ରାଜତନ୍ତ୍ରର ଯାଉଁଳି କବାଟ। ଶାସନତନ୍ତ୍ର ଏଥିରୁ ନିଜକୁ ଦୂରେଇ ରଖିପାରିଛି କି? ଲୋକମାନେ ଭୋଟ ଦିଅନ୍ତି ସିନା କେବେ କ’ଣ କେଉଁଠି ଶାସନ କଲେଣି? ଗଣତନ୍ତ୍ର ହେଉ ବା ହେଉ କମ୍ୟୁନିଷ୍ଟ ଶାସନ, ସବୁଠି ଲୋକଙ୍କ ନାଁରେ ଶାସନ ଚାଲେ, ଲୋକେ ଶାସନ କରନ୍ତି ନାହିଁ। ଲୋକମାନଙ୍କ ତରଫରୁ ଚର୍ଚ୍ଚିଲ୍, ରୁଜଭେଲ୍ଟ, ଷ୍ଟାଲିନ୍ ଓ ନେହରୁମାନେ ଶାସନର ମଙ୍ଗ ଧରନ୍ତି। ପାର୍ଲିଆମେଣ୍ଟ, ପଲିଟ୍ବ୍ୟୁରୋ, କ୍ୟାବିନେଟ୍ ଆଦିର ଭୂମିକା ସୀମିତ। ସବୁରି ଊର୍ଦ୍ଧ୍ୱରେ ରାଜକଳାରେ ନିପୁଣ ବ୍ୟକ୍ତି। ସେହି ସର୍ବଗୁଣସମ୍ପନ୍ନ ବ୍ୟକ୍ତି ଲୋକପ୍ରିୟତାର ଶୀର୍ଷ ମଣ୍ଡନ କରନ୍ତି। ଶାସନ ଶିଖରରେ ଅବସ୍ଥାପିତ ହୁଅନ୍ତି। ଏଥିରେ ଅବଶ୍ୟ ଗୋଟିଏ ପାର୍ଥକ୍ୟ ପରିଲକ୍ଷିତ ହୁଏ। ରାଜତନ୍ତ୍ରରେ ଉତ୍ତରାଧିକାର ତ ଗଣତନ୍ତ୍ରରେ ଜନମତ ଗୁରୁତ୍ୱପୂର୍ଣ୍ଣ। ଦଳୀୟ ବହୁଳତାର ଅନୁପସ୍ଥିତି ଯୋଗୁଁ ପୁଣି କମ୍ୟୁନିଷ୍ଟ ଶାସନ ସୀମିତ ଜନମତ ଉପରେ ପର୍ଯ୍ୟବସିତ। ତେବେ ଗଣତନ୍ତ୍ରରେ ଉତ୍ତରାଧିକାର ପ୍ରଚ୍ଛନ୍ନ ଭାବରେ ବେଶ୍ ଜୀବନ୍ତ। ରଜାପୁଅ ରଜା ହେବା ପରିବର୍ତ୍ତେ ମନ୍ତ୍ରୀପୁଅ ମନ୍ତ୍ରୀ ହେବା ପ୍ରଥା ପ୍ରଜାତନ୍ତ୍ର ନା ରାଜତନ୍ତ୍ରର ନିକଟବର୍ତ୍ତୀ? ଆହା- ଦଳପତିମାନେ ଆଜିକାଲି ଅଧିପତି ବା ସୁପ୍ରିମୋ ଭାବରେ ପରିଚିତ। ଏହା ରାଜତନ୍ତ୍ରାନୁକୂଳ ପ୍ରୟୋଗ ନୁହେଁ କି?
ସେହିପରି ଆଭିଜାତ୍ୟ ଶାସନତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ‘ମହାଭାଗ’ ‘ମଣିମା’ର ସ୍ଥାନ ନେଇଛି, ‘ମାନ୍ୟବର’ ‘ବୀରବର’ର ପ୍ରତିଶବ୍ଦ ପାଲଟିଛି। ସିଂହାସନରୁ ସିଂହ କେବଳ ହଟିଛି! ପାତ୍ରପାରିଷଦ, ସୈନ୍ୟସାମନ୍ତ ଓ ପାଟପଟୁଆର ଭିନ୍ନ ରୂପରେ ତିଷ୍ଠି ରହିଛି। ‘ଜୟକାର’ ଓ ‘ସ୍ତୁତିପାଠ’ ଅବ୍ୟାହତ ଅଛି। ଶାସନତନ୍ତ୍ରରେ ଆଭିଜାତ୍ୟ ଯେ ଲୁକ୍କାୟିତ ଭାବରେ ଥାଏ, ଏହା ଅନସ୍ୱୀକାର୍ଯ୍ୟ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ‘ପ୍ରଜାଶକ୍ତି’ ଶକ୍ତିରହିତ। ଫରାସୀ ରାଷ୍ଟ୍ରବିପ୍ଳବ, ଆମେରିକାର ମୁକ୍ତିଯୁଦ୍ଧ, ରୁଷିଆରେ ଜାର୍ ବିରୋଧୀ ଗଣସଂଘର୍ଷ ଠାରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ, ସବୁଠି ପ୍ରଜାଶକ୍ତି ନିକଟରେ ରାଜଶକ୍ତିର ପରାଜୟ ପ୍ରମାଣିତ। ବିନା ପ୍ରଜାଶକ୍ତି, ରାଜାର କି ଗତି? କିନ୍ତୁ ଅପ୍ରିୟ ହେଲେ ବି ଏହା ସତ୍ୟ ଯେ ‘ଗଣ’ ଦ୍ୱାରା ନୁହେଁ, ‘ଜଣ’ ବା ‘କେତେଜଣ’ଙ୍କ ଦ୍ୱାରା ପ୍ରକୃତରେ ଶାସନ ଚାଲେ। ଆଧିପତ୍ୟ ଓ ଆଭିଜାତ୍ୟର ଅନ୍ତ କାହିଁ?
ତେବେ ରାଜତନ୍ତ୍ର ଓ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ କ’ଣ? ଏମନ୍ତ ପ୍ରଶ୍ନର ଉତ୍ତର ଅତି ସହଜ: ଆଗକାଳରେ ରଜାମାନେ ନେତା ଥିଲାବେଳେ ଆଜିକାଲି ନେତାମାନେ ରଜା।
ମୋ: ୯୪୩୭୧୪୩୮୯୬