ଛନ୍ଦା ମିଶ୍ର
କଥା କହିବା ପାଇଁ ପଇସା ପଡ଼େନା ବୋଲି ଆମେ ଖୁବ୍ ଉତ୍ସାହିତ ହୋଇ କହି ପକାଉ, ପୁଅ-ଝିଅ ସବୁ ସମାନ। କିନ୍ତୁ ତା’ କ’ଣ ସତ? ଛୋଟ କଥାଟିଏ କହୁଚି। ନିକଟରେ ପରିଚିତ ଜଣେ ଫୋନ କରି ନିଜ କ୍ଷୋଭ ପ୍ରକାଶ କରିଥିଲେ, ‘ମୁଁ ମୋ ସ୍ତ୍ରୀ ସହିତ ରହିବା ଆଉ ସମ୍ଭବ ନୁହେଁ। ମୋ ଶଶୁର ଘର ଲୋକେ ମୋତେ ଅସମ୍ମାନ କଲେ, କଟୁ କଥା କହିଲେ। ତା’ ସତ୍ତ୍ୱେ ସେ ତା’ ବାପଘରକୁ ଯାଉଚି! ମୁଁ ତାକୁ ସିଧା ସିଧା ଶୁଣେଇ ଦେଇଛି, ତୁ ମୋତେ ଆଉ ତୋ ବାପ ଘର ଭିତରୁ ଗୋଟିକୁ ବାଛ। ଯଦି ବାପଘର ସହିତ ସମ୍ପର୍କ ରଖିବୁ ତା’ ହେଲେ ମୋତେ ଛାଡ଼ିବା ପାଇଁ ପଡ଼ିବ!’
ବୁଝାଇବାକୁ ଯାଇ କହିଲି, ‘ଆପଣ ଯାହା କହୁଛନ୍ତି ତା’ କ’ଣ ସମ୍ଭବ! ଆପଣଙ୍କ ସ୍ତ୍ରୀଙ୍କର ଭାଇ ନାହାନ୍ତି (ଭାଇ ଥିଲେ ବି!); ତେଣୁ ତାଙ୍କ ଉପରେ ବାପାମା’ଙ୍କ ଦାୟିତ୍ବ, ତାକୁ ସେ ଏଡ଼ାଇବେ କେମିତି? ଆଉ ରହିଲା ଆପଣଙ୍କ କଥା, ସ୍ବାମୀକୁ ସ୍ତ୍ରୀ କ’ଣ ଏତେ ସହଜରେ ଛାଡ଼ି ଦେଇପାରେ?’
ମୋ କଥା ଶୁଣି ସେ କହିଲେ, ‘ମୁଁ ଏପରି ଅନେକ ସ୍ତ୍ରୀ ଲୋକଙ୍କୁ ଜାଣିଛି, ଯେଉଁମାନେ ନିଜ ସ୍ୱାମୀର ସମ୍ମାନ ହାନି ହେଲେ ବାପଘରକୁ ଛାଡ଼ି ଦେଇଛନ୍ତି।’
ତାଙ୍କ କଥା ଶୁଣି କହିଲି, ‘ହଁ ତା’ ତ ସତ! ଏହି ଭଳି କିଛି ଘଟଣା ସଂପର୍କରେ ମୁଁ ମଧ୍ୟ ଜାଣିଛି। କିନ୍ତୁ କହିଲେ ଦେଖି ଶାଶୁଘରେ ପତ୍ନୀଙ୍କୁ ଅସମ୍ମାନ କରାଯାଉଛି ବୋଲି କୋଉ ସ୍ବାମୀ ନିଜ ବାପଘର ତ୍ୟାଗ କରି ଦେଇଚି କି?
ସେ କହିଲେ, ‘ସେ କଥା ତ ଅଲଗା!’
କଥା ଆଗକୁ ନ ବଢ଼ାଇ ମୁଁ କହିଲି, ‘ବର୍ତ୍ତମାନ ଆପଣ ଉତ୍ତେଜିତ ଅଛନ୍ତି, ଟିକେ ସମୟ ଦିଅନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ।’
କିନ୍ତୁ, କଥାଟି ମନକୁ ଘାରିଲା। ଏପରି କାହିଁକି ହୁଏ? ସ୍ବାମୀର ସମ୍ମାନ, ତା’ର ପସନ୍ଦ-ଅପସନ୍ଦ ଜଗିବା ଯେପରି ସ୍ତ୍ରୀର କର୍ତ୍ତବ୍ୟ, ଠିକ୍ ସେମିତି ସ୍ତ୍ରୀର ସମ୍ମାନକୁ ଗୁରୁତ୍ବ ଦେବା ସ୍ବାମୀର ଦାୟିତ୍ବ ନୁହେଁ କି? ଜ୍ୱାଇଁଙ୍କୁ ଶଶୁର ଘରେ ଦେବତାର ଆଖ୍ୟା ଦିଆଯାଏ, ଆଉ ସେହିଭଳି ସମ୍ମାନ ମଧ୍ୟ। ଏଣେ, ବୋହୂକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ସିନା, ସେହି ମର୍ଯ୍ୟାଦା ଦିଆଯାଏ କି? ସ୍ତ୍ରୀଟି ପତିବ୍ରତା ହେଉ ବୋଲି ବାପଘର ଠାରୁ ଶାଶୂଘର ଯାକେ ସମସ୍ତେ ଆଶା କରନ୍ତି; ମାତ୍ର ସ୍ବାମୀ ଯଦି ସ୍ତ୍ରୀର ଉଚିତ କଥାକୁ ବି ସମର୍ଥନ କଲା, ତାକୁ ପତ୍ନୀବ୍ରତ ବୋଲି ନ କହି ମାଇପବୋଲା ବୋଲି ଟାପରା କରାଯାଏ କାହିଁକି? ସ୍ବାମୀର ରାଗ, ତା’ର ଗାଳିମାଡ଼ ତଥା ବଦ୍ ମିଜାଜକୁ ମୁଣ୍ଡ ପୋତି ସହି ଯାଉଥିବା ସ୍ତ୍ରୀ ସହନଶୀଳ ବୋଲି ସମାଜରୁ ପ୍ରଶଂସା ପାଏ ଏବଂ ଅନ୍ୟ ଦିଗରେ ଏପରି ରାଗିବାଟା ସ୍ବାମୀର ମରଦପଣିଆ ବୋଲି ମଧ୍ୟ ସମାଜ ଧରି ନେଇଚି। ଯଦି ସ୍ବାମୀ ଅଗତ୍ୟା ତା’ ସ୍ତ୍ରୀର ଗାଳିମନ୍ଦ ସହିଯାଏ, ତେବେ ଆମ ଢଗ ରହିଛି, ମାଇଚିଆ ଗୋଖେଇ ସାହୁ, ମାଇପ ହାତରୁ କହୁଣି ଖାଉ!
ଧୈର୍ଯ୍ୟ, ସହନଶୀଳତା, ବିନମ୍ରତା, ସଣ୍ଠଣା ପରି ଗୁଣଗୁଡ଼ିକ ବୋହୂ ନିକଟରେ ରହିବା ନିହାତି ଆବଶ୍ୟକ। ଏହି ସଦ୍ଗୁଣଗୁଡ଼ିକ ଯେକୌଣସି ପୁରୁଷକୁ ସୁପୁରୁଷରେ ପରିଣତ କରୁଥିଲେ ହେଁ ଏ ସବୁ ଗୁଣଧାରୀ ପୁରୁଷ କଦର୍ଥନାର ଶିକାର ହୁଏ କାହିଁକି? ଆମେ କଥାରେ କହୁ ଯେ ‘ଦୁହିତା, ଦୁଇ କୁଳକୁ ହିତା’। କିନ୍ତୁ, ବାପଘରକୁ ଅଣଦେଖା କରି ଶାଶୂଘର କଥା ବୁଝିଲେ ସେ ଭଲ ବୋହୂ ହୁଏ। କିନ୍ତୁ ପୁରୁଷଟିଏ ଦରକାର ସମୟରେ ବି ଯଦି ଶାଶୂଘରର କୌଣସି କଥା ସମାଧାନ କରିଦିଏ, ତେବେ ଲୋକେ କହନ୍ତି ‘ପୁଅ ତ ଆମର ବିକ୍ରି ହୋଇଯାଇଚି!’
ପୁଅ ପାଇଁ କୁହାଯାଏ, ‘ଯାହା ପାଇଥିବ ବେଦି ଉପରେ, ଯାହା ଖାଇଥିବ ଶଶୁର ଘରେ’; ଆଉ ଝିଅ ପାଇଁ ‘ଶାଶୁଘର ନୁହେଁ ତ ଯମପୁର’ର ବର୍ଣ୍ଣନା ଦିଆଯାଏ। ଝିଅ ତା’ର ଭାଗ୍ୟ ନେଇ ଆସିଛି ବୋଲି ବିଚାର କରି ‘ଦେଲି ନାରୀ ହେଲି ପାରି’ ଭଳି କଥା ଆମ ସମାଜରେ ପ୍ରଚଳିତ ଅଛି।
ମନେ ପଡ଼ିଯାଏ ଗୋଦାବରୀଶ ମିଶ୍ରଙ୍କ କବିତା:
‘ଏଡ଼େ ହୀନିମାନ କରିବାକୁ ଯେବେ ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେଠି କିମ୍ପାଇଁ ବାପା ହେ ତଣ୍ଟି ଚିପି ନ ମାରିଲ!’
କାହିଁକି ଝିଅଟିଏ ଶାଶୁଘରକୁ ବିଦା ହେଲା ବେଳେ କାନ୍ଦେ? କାହିଁକି, ଗେଲବସରର ଦିନ ସରିଗଲା ବୋଲି କୁହାଯାଏ? କାହିଁକି କୁହାଯାଏ, ଝିଅ ଲୋ ବାପଘର ସହିତ ତୋ ସମ୍ପର୍କ ଏଇଠି ସରିଲା। ଆଉ ବିଶ୍ବାସ କରାଯାଏ ଯେ ଏବେ ସେ, ପାଲିଙ୍କିରେ ବସି ଯାଉଚି, କୋକେଇରେ ଫେରିବ ସେଠାରୁ! ଝିଅର ନାମ, ଗୋତ୍ର, ଘର ଓ ପରିବାର ସବୁ ବଦଳିଯାଏ କାହିଁକି?
ଆଉ ଗୋଟିଏ କରୁଣ ବାସ୍ତବତା େହଲା, ଧର୍ମଗୁଡ଼ିକ ମଧ୍ୟ ନାରୀ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଯେଉଁଥି ପାଇଁ ନାରୀକୁ ‘ନରକର ଦ୍ବାର’ ବୋଲି କୁହାଯାଏ। ଆମେ ଦୁର୍ଗା ଓ କାଳୀଙ୍କୁ ଆରାଧନା କରୁ, ଘରେ ଲକ୍ଷ୍ମୀ, ସରସ୍ବତୀ, ସୀତା ଓ ସାବିତ୍ରୀଙ୍କ ପରି ନାରୀଙ୍କ ଉପସ୍ଥିତି ଆବଶ୍ୟକ କରୁ, କିନ୍ତୁ ନାରୀଙ୍କୁ ହେୟ ଦୃଷ୍ଟିରେ ଦେଖୁ। ଆଜି ବି ଝିଅଙ୍କୁ ଆଶୀର୍ବାଦ ମିଳେ ଯେ ‘ଅଖଣ୍ଡ ସୌଭାଗ୍ୟବତୀ, ପୁତ୍ରବତୀ ହୁଅ।’ ସୌଭାଗ୍ୟବତୀ ଓ ପୁତ୍ରବତୀ ହେବା ପଛରେ ମଧ୍ୟ ରହିଛି ଅସ୍ତିତ୍ବରେ ସ୍ବାମୀ ପ୍ରତି ଅବଲମ୍ବନଶୀଳତା। ସତେ ଯେମିତି ନାରୀର ଏକ ସ୍ବତନ୍ତ୍ର ଅସ୍ତିତ୍ବ ନାହିଁ!
ଖୁବ୍ ଲୋକପ୍ରିୟ ଓ ବହୁଳ ବ୍ୟବହୃତ ଶ୍ଳୋକଟିଏ କହିଥାଏ;
‘କାର୍ଯ୍ୟେଷୁ ଦାସୀ,
କରଣେଷୁ ମନ୍ତ୍ରୀ,
ଭୋଜ୍ବୈଷୁ ମାତା,
ଶୟନେଷୁ ରମ୍ଭା,
ରୂପେଷୁ ଲକ୍ଷ୍ମୀ,
କ୍ଷମୟା ଧରିତ୍ରୀ,
ଷଟ୍ ଧର୍ମ ଯୁକ୍ତ କୁଳ ଧର୍ମ ପତ୍ନୀ।’
ଏହାର ଅର୍ଥାନ୍ତର ହେଲା: କାର୍ଯ୍ୟ କଲାବେଳେ ଦାସୀ ଭଳି, କରାଇବାବେଳେ ମନ୍ତ୍ରୀ ଭଳି, ଖୁଆଇଲାବେଳେ ମାତା ଭଳି, ଶଯ୍ୟା ସଙ୍ଗୀ ଭାବେ ରମ୍ଭା ଭଳି, ରୂପରେ ଲକ୍ଷ୍ମୀଙ୍କ ଭଳି ଏବଂ କ୍ଷମା ଗୁଣରେ ଧରିତ୍ରୀ ଭଳି; ଏହି ଛଅ ଗୁଣ ଜଣେ ଆଦର୍ଶ ଧର୍ମ ପତ୍ନୀର।
ଏହି ଶ୍ଳୋକରେ ହିଁ ନିହିତ ଅଛି ନାରୀର ବିଡ଼ମ୍ବନା!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୪୫୩୬୧୦