ଅବଶ୍ୟ ଏହି ମୌଳିକ କୌଶଳ ସେମାନେ ଅାବିଷ୍କାର କରିଥିଲେ ପ୍ରାୟ ଦୁଇ ଦଶନ୍ଧି ତଳେ, ୨୦୦୫ରେ। ଯେତେବେଳେ ୨୦୨୦ରେ କୋଭିଡ୍‌ର ମୁକାବିଲା ନିମିତ୍ତ ଟିକା ଉଦ୍ଭାବନ ପାଇଁ ଅତର୍ଚ୍ଛ ଉଦ୍ୟମ ଆରମ୍ଭ ହେଲା, ସେତେବେଳେ ‘ବା‌େୟାଏନ୍‌ଟେକ୍’ ଓ ‘ମଡର୍ନା’ ଏହି କୌଶଳ ପ୍ରୟୋଗ କରି ଏକ ‘ଏମ୍‌ଆର୍‌ଏନ୍‌ଏ’ ଟିକା ଉତ୍ପାଦନ କରିବା ଉଦ୍ୟମରେ ପ୍ରବୃତ୍ତ ଥିଲେ। ସେଇ ଉଦ୍ୟମକୁ ସେମାନେ କରୋନା ଭାଇରସ୍ ଦିଗରେ ମୋଡ଼ି ଦେଇ ତାକୁ ପ୍ରତିରୋଧ କରିବା ପାଇଁ ତୁରନ୍ତ ଫଳପ୍ରଦ ଟିକା ଉତ୍ପାଦନ କରିପାରିଲେ, ଯାହାର ପ୍ରୟୋଗ ଦ୍ବାରା କୋଟି କୋଟି ଜୀବନ ରକ୍ଷା କରାଯାଇ ପାରିଛି। ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କୁ ନୋବେଲ୍ ପୁରସ୍କାର ରୂପକ ଯୁଦ୍ଧ ପଦକରେ ଭୂଷିତ କରି ମାନବ ସମାଜ ପକ୍ଷରୁ ନୋବେଲ୍ କମିଟି ଡକ୍ଟର କାରିକୋ ଓ ଡକ୍ଟର ୱାଇସ୍‌ମ୍ୟାନ୍‌ଙ୍କୁ ସେଥିପାଇଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛି।

Advertisment

ସାରା ପୃଥିବୀ ଯେ‌ତେବେଳେ କୋଭିଡ୍-୧୯ ପାଣ୍ଡେମିକ୍ କବଳରେ ପଡ଼ିଥିଲା, ତା’ସହିତ ମୁକାବିଲାକୁ ବିଭିନ୍ନ ଦେଶର ନେତୃବୃନ୍ଦ ଏକ ଯୁଦ୍ଧ ରୂ‌େପ ଘୋଷଣା କରିବା ଦେଖା ଯାଇଥିଲା। ଉଦାହରଣ ସ୍ବରୂପ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଏହି ଭାଇରସ୍ ବିରୁଦ୍ଧରେ ଏକ ଜନଯୁଦ୍ଧ ବା ‘‘ପିପୁଲ୍‌’ସ ୱାର୍‌’’ ଚଳାଇବାକୁ ଶପଥ ନେଇଥିଲେ। ଭାଇରସ୍ ଯେତେବେଳେ ଚୀନ୍‌ରୁ ବାହାରି ତା’ର ଦିଗ୍‌ବିଜୟ ଅଭିଯାନ ଆରମ୍ଭ କଲା, ଫ୍ରାନ୍‌ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ଏକ ‘‘ଅଦୃଶ୍ୟ ଖସଡ଼ା’’ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲାର ଅଂଶ ସ୍ବରୂପ ଇଟାଲିର ସରକାର ଏକ ‘‘ଯୁଦ୍ଧକାଳୀନ ଅର୍ଥନୀତି’’ ଭଳି ସେ ଦେଶର ଅର୍ଥନୀତିକୁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପମାନ ନେଇଥିଲେ। ବ୍ରିଟେନ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ତାଙ୍କ ଦେଶବାସୀଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ସେମାନେ ‌କରୋନା ଭାଇରସ୍ ବିରୁଦ୍ଧରେ ଏହି ଯୁଦ୍ଧରେ ପ୍ରତ୍ୟେକ ହେଉଛନ୍ତି ଜଣେ ଜଣେ ‘‘ସକ୍ରିୟ ସୈନିକ’’। ଏମାନଙ୍କୁ ସମସ୍ତଙ୍କୁ ନିଷ୍ପ୍ରଭ କଲା ଭଳି ଆ‌େମରିକାର ତତ୍‌କାଳୀନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍ ଘୋଷଣା କରିଥିଲେ ସେ ହେଉଛନ୍ତି ଜଣେ ‘‘ଯୁଦ୍ଧକାଳୀନ ରାଷ୍ଟ୍ରପତି’’, ଯେମିତି ଥିଲେ ରୁଜ୍‌ଭେଲ୍‌ଟ ବା ଟ୍ରୁମ୍ୟାନ୍।
ଏଇଥିରୁ ସହଜରେ ହୃଦୟଙ୍ଗମ କରିହେବ କୋଭିଡ୍-୧୯ ପାଣ୍ଡେମିକ୍ କିପରି ପୃଥିବୀରେ ଏକ ତୃତୀୟ ବିଶ୍ବଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ଏହି ଶତ୍ରୁକୁ ପରାସ୍ତ କରିବା ପାଇଁ ଯେଉଁ ସମସ୍ତ ଉଦ୍ୟମ କରାଯାଇଥିଲା, ସେଥିରେ ଯାହା ଥିଲା ସର୍ବପ୍ରଧାନ, ତାହା ହେଲା ଶତ୍ରୁକୁ ପରାହତ କରିବା ନିମିତ୍ତ ଏକ ବ୍ରହ୍ମାସ୍ତ୍ରର ସନ୍ଧାନ: ଏକ ଫଳପ୍ରଦ ଟିକାର ଉଦ୍ଭାବନ। (ଏହି ଯୁଦ୍ଧ ରୂପକଳ୍ପର ଯଥାର୍ଥତା ସାବ୍ୟସ୍ତ କଲା ସ୍ବରୂପ ଏବେ ଭାରତରେ କୋଭିଡ୍ ଟିକା ଉଦ୍ଭାବନ ଉଦ୍ୟମ ଆଧାରିତ ଏକ ଫିଲ୍‌ମ ନିର୍ମିତ ହୋଇଛି, ଯାହାର ଶୀର୍ଷକ ହେଉଛି- ‘ଦି ଭାକ୍‌ସିନ୍‌ ୱାର୍’ ବା ‘ଟିକା ଯୁଦ୍ଧ’।) ମାନବ ସମାଜ ଯଦି କୋଭିଡ୍-୧୯ ସୃଷ୍ଟିକାରୀ କରୋନା ଭାଇରସ୍ ଉପରେ ବିଜୟ ହାସଲ କରିଥାଏ, ତାହାର ମୁଖ୍ୟ ଶ୍ରେୟ ପ୍ରଦାନ କରାଯିବ ଯଥାସମ୍ଭବ ସ୍ବଳ୍ପ ସମୟ ମଧ୍ୟରେ ସମ୍ଭବ ହୋଇ ପାରିଥିବା ଏକ ଟିକାର ଉଦ୍ଭାବନ।
ପ୍ରକୃତ ଯୁଦ୍ଧରେ ଯେଉଁମାନେ ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ କରିଥାନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ସମ୍ମାନଜନକ ଯୁଦ୍ଧ ପଦକରେ ଭୂଷିତ କରାଯିବାର ବିଧି ରହିଛି- ‌େଯମିତି ପରମ ବୀର ଚକ୍ର କିମ୍ବା ଭିକ୍‌ଟୋରିଆ କ୍ରସ୍ ଇତ୍ୟାଦି। ଏହି ଟିକା ଉଦ୍ଭାବନ ଯୁଦ୍ଧରେ ଉଲ୍ଲେଖନୀୟ ଅବଦାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଯେଉଁ ଏକ ସର୍ବୋଚ୍ଚ ପଦକକୁ ଉପଯୁକ୍ତ ବିବେଚନା କରାଯାଇଥାଏ, ତାହା ହେଉଛି ଫିଜିଓଲୋଜି ବା ମେଡିସିନ୍‌ରେ ଏକ ନୋବେଲ୍ ପୁରସ୍କାର। ଏଣୁ ପୃଥିବୀସାରା ଯେଉଁମାନେ ପ୍ରତି ବର୍ଷ ନୋବେଲ୍ ପୁରସ୍କାରକୁ ଅନୁସରଣ କରିଥାନ୍ତି, ସେମାନେ ଆଶା କରୁଥିଲେ ଯେ ଗତ ବର୍ଷର ଏହି ପୁରସ୍କାର ସେଇ ବୈଜ୍ଞାନିକମାନଙ୍କ ମଧ୍ୟରୁ କାହାରିକୁ ପ୍ରଦାନ କରାଯିବ, ଯେଉଁମାନେ ଦିନରାତି ଏକ କରି ସ୍ବଳ୍ପତମ ସମ୍ଭବ ସମୟରେ କରୋନା ଭାଇରସ୍ ବିରୁଦ୍ଧରେ ଏକ ଫଳପ୍ରଦ ‘ଏମ୍‌ଆର୍‌ଏନ୍‌ଏ’ ଟିକା ଉଦ୍ଭାବନ କରି, ପରୀକ୍ଷା କରି ବ୍ୟବହାର ନିମିତ୍ତ ଉପଲବ୍‌ଧ କରାଇ ପାରିଥିଲେ।
ଗତ ବର୍ଷ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ହତାଶ କରି ଯାହାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା, ସେ ହେଉଛନ୍ତି ସ୍ବିଡିସ୍ ଜେନେଟିସିଷ୍ଟ୍ ସ୍ବାଣ୍ଟେ ପେବୋ। ଫସିଲ୍ ଡିଏନ୍‌ଏ ଉପରେ ଗବେଷଣା କରି ପ୍ରାୟ ଏକଲା ‘ପାଲିଓଜେନମିକ୍‌ସ’ ନାମକ ଏକ ସଂପୂର୍ଣ୍ଣ ନୂତନ ବିଜ୍ଞାନ ଉଦ୍ଭାବନ କରିଥିବା ପେବୋ ଯେ ଫିଜିଓଲୋଜିରେ ନୋବେଲ୍ ପୁରସ୍କାର ପାଇବା ପାଇଁ ସଂପୂର୍ଣ୍ଣ ହକ୍‌ଦାର, ଏଥିରେ କେହି ଦ୍ବିମତ ହେବେ ନାହିଁ, କିନ୍ତୁ ଯାହା ବେଖାପ ଲାଗିଥାଏ, ତାହା ହେଲା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାର ସମୟ। ଯେଉଁ ସମୟରେ ଦୁଇ ବର୍ଷ କାଳ କୋଭିଡ୍‌ର ଉତ୍ପୀଡ଼ନରୁ ସଦ୍ୟ ସଦ୍ୟ ମୁକୁଳିଥିବା ମାନବ ସମାଜ ଟିକାର ଉଦ୍ଭାବକମାନଙ୍କୁ ମାନବ ଜାତିର ତ୍ରାଣକର୍ତ୍ତା ରୂ‌େପ ବିଚାର କରୁଥିଲା, ସେଇ ସମୟରେ ଏକ ନୋବେଲ୍ ପୁରସ୍କାର ମାଧ୍ୟମରେ ସେଇ ବୈଜ୍ଞାନିକମାନଙ୍କ ମଧ୍ୟରୁ କାହାଙ୍କୁ କୃତଜ୍ଞତା ଜଣାଇବା ପରିବର୍ତ୍ତେ ଏକ ବିଶୁଦ୍ଧ ଜ୍ଞାନ ଅନୁସନ୍ଧାନ କ୍ଷେତ୍ରରେ ଅବଦାନ ପାଇଁ ଜଣେ ଗବେଷକଙ୍କୁ ଏଥିପାଇଁ ଚୟନ କରିବା ସଂପୃକ୍ତ ଚୟନ କମିଟିର ସମୟ-ସଚେତନତାର ଅଭାବ ରୂ‌େପ ସମାଲୋଚିତ ହୋଇଥିଲା।
ଏହି ପୁରସ୍କାର ପ୍ରଦାନ କରୁଥିବା ଅନୁଷ୍ଠାନ ଷ୍ଟକ୍‌ହୋମ୍‌ସ୍ଥିତ ‘କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟ୍’ ଚଳିତ ବର୍ଷ ନିଜର ‌େସଇ ତ୍ରୁଟି ସୁଧାରିଛି। ଚଳିତ ବର୍ଷ ଯେଉଁ ଦୁଇ ଜଣ ବୈଜ୍ଞାନିକଙ୍କୁ ଉପରୋକ୍ତ ନୋବେଲ୍ ପୁରସ୍କାର ଲାଭ କରିବା ନିମିତ୍ତ ଚୟନ କରାଯାଇଛି ସେମାନେ ହେଲେ ସୁଶ୍ରୀ କାଟାଲିନ୍ କାରିକୋ ଓ ଶ୍ରୀ ଡ୍ରୁ ୱାଇସମ୍ୟାନ୍। ‘ଏମ୍‌ଆର୍‌ଏନ୍‌ଏ’ ଟିକା ଉଦ୍ଭାବନ ଉଦ୍ୟମରେ ଅନେକ ଗବେଷକଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲେ ହେଁ, ଏକଦା ଆମେରିକାର ପେନ୍‌ସିଲ୍‌ଭାନିଆ ବିଶ୍ବବିଦ୍ୟାଳୟରେ ସହକର୍ମୀ ଥିବା ଏହି ବୈଜ୍ଞାନିକ ଦ୍ବୟଙ୍କର ନିର୍ଣ୍ଣାୟକ ଅନ୍ତର୍ଦୃଷ୍ଟି ଯୋଗୁଁ ଯେ ‘ଏମ୍‌ଆର୍‌ଏନ୍‌ଏ’ ଟିକା ଉଦ୍ଭାବନ ସମ୍ଭବ ହୋଇଥିଲା, ତାହା ସେ କ୍ଷେତ୍ରରେ ସଂପୃକ୍ତ ସମସ୍ତ ବୈଜ୍ଞାନିକ ଓ ଗବେଷକମାନେ ସ୍ବୀକାର କରିଥାନ୍ତି।
ଏହି ଟିକା ଉଦ୍ଭାବନ ପଥରେ ଯେଉଁ ଏକ ବିଶେଷ ପ୍ରତିବନ୍ଧକ ଗବେଷକମାନଙ୍କୁ ହତାଶ କରୁଥିଲା, ତାହା ହେଲା ଟିକାର କେନ୍ଦ୍ରବିନ୍ଦୁ ହୋଇଥିବା ମଲିକ୍ୟୁଲ୍ ଟିକା ଗ୍ରହଣକାରୀ ଠାରେ ସୃଷ୍ଟି କରୁଥିବା କ୍ଷତିକାରକ ପ୍ରତିକ୍ରିୟା। କାରିକୋ ଓ ୱାଇସ୍‌ମ୍ୟାନ୍ ସେଇ ମଲିକ୍ୟୁଲ୍‌ର ଗଠନରେ ଏକ ଚତୁର ପରିବର୍ତ୍ତନ ଘଟାଇ ସେଇ ପ୍ରତିକୂଳ ପ୍ରତିକ୍ରିୟା ଘଟିବାର ସମ୍ଭାବନାକୁ ଦୂରୀଭୂତ କରିବାର କୌଶଳ ଆବିଷ୍କାର କରିଥିଲେ। ଅବଶ୍ୟ ଏହି ମୌଳିକ କୌଶଳ ସେମାନେ ଅାବିଷ୍କାର କରିଥିଲେ ପ୍ରାୟ ଦୁଇ ଦଶନ୍ଧି ତଳେ, ୨୦୦୫ରେ। ଯେତେବେଳେ ୨୦୨୦ରେ କୋଭିଡ୍‌ର ମୁକାବିଲା ନିମିତ୍ତ ଟିକା ଉଦ୍ଭାବନ ପାଇଁ ଅତର୍ଚ୍ଛ ଉଦ୍ୟମ ଆରମ୍ଭ ହେଲା, ସେତେବେଳେ ‘ବା‌େୟାଏନ୍‌ଟେକ୍’ ଓ ‘ମଡର୍ନା’ ଏହି କୌଶଳ ପ୍ରୟୋଗ କରି ଏକ ‘ଏମ୍‌ଆର୍‌ଏନ୍‌ଏ’ ଟିକା ଉତ୍ପାଦନ କରିବା ଉଦ୍ୟମରେ ପ୍ରବୃତ୍ତ ଥିଲେ। ସେଇ ଉଦ୍ୟମକୁ ସେମାନେ କରୋନା ଭାଇରସ୍ ଦିଗରେ ମୋଡ଼ି ଦେଇ ତାକୁ ପ୍ରତିରୋଧ କରିବା ପାଇଁ ତୁରନ୍ତ ଫଳପ୍ରଦ ଟିକା ଉତ୍ପାଦନ କରିପାରିଲେ, ଯାହାର ପ୍ରୟୋଗ ଦ୍ବାରା କୋଟି କୋଟି ଜୀବନ ରକ୍ଷା କରାଯାଇ ପାରିଛି। ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କୁ ନୋବେଲ୍ ପୁରସ୍କାର ରୂପକ ଯୁଦ୍ଧ ପଦକରେ ଭୂଷିତ କରି ମାନବ ସମାଜ ପକ୍ଷରୁ ନୋବେଲ୍ କମିଟି ଡକ୍ଟର କାରିକୋ ଓ ଡକ୍ଟର ୱାଇସ୍‌ମ୍ୟାନ୍‌ଙ୍କୁ ସେଥିପାଇଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛି।