ସତ କହୁଛି: ଗ୍ୟାରେଣ୍ଟି ବନାମ ପ୍ରତିଶ୍ରୁତି

ଶ୍ୟାମସୁନ୍ଦର ଅଗ୍ରୱାଲା

ଆଜିକାଲି ଟିକିଏ ଟିକିଏ କଥାରେ ସରକାର ଗ୍ୟାରେଣ୍ଟି ଦେଇ କଥାବାର୍ତ୍ତା କରୁଛନ୍ତି। ପ୍ରତ୍ୟହ ଖବରକାଗଜଗୁଡ଼ିକରେ ଅମୁକ ସରକାରଙ୍କ ସମୁକ ଗ୍ୟାରେଣ୍ଟି କିମ୍ବା ସମୁକ ସରକାରଙ୍କ ଅମୁକ ଗ୍ୟାରେଣ୍ଟି ବୋଲି ବାର୍ତ୍ତା ପ୍ରକାଶ ପାଉଛି। ଆମ ଭାଷାରେ ‘ଶପଥ କରି କହୁଛି’ କିମ୍ବା ‘ନିର୍ଭର ପ୍ରତିଶ୍ରୁତି ଦେଉଛି’ ଭଳି ଅନେକ ସୁନ୍ଦର ଓ ସାଧୁ ଶବ୍ଦମାନ ଥିଲା ବେଳେ ସରକାର ଏହି ବିଦେଶୀ ‘ଗ୍ୟାରେଣ୍ଟି’ ଶବ୍ଦଟି କାହିଁକି ବ୍ୟବହାର କରୁଛନ୍ତି ଜଣାପଡୁନାହିଁ। ବୋଧହୁଏ ଗ୍ୟାରେଣ୍ଟିରେ ଖସିଯିବାର ଅନେକ ଗଳାବାଟ ଅଛି, ଯାହା ଶପଥ କିମ୍ବା ନିର୍ଭର ପ୍ରତିଶ୍ରୁତିରେ ନ ଥାଏ। ଆଉ ସେଇଥି ପାଇଁ ଆମ ରାଜନେତାମାନେ ଶପଥ ନେବା କିମ୍ବା ନିର୍ଭର ପ୍ରତିଶ୍ରୁତି ଦେବା ବଦଳରେ ଗ୍ୟାରେଣ୍ଟି ଦେବାକୁ ଅଧିକ ପସନ୍ଦ କରୁଛନ୍ତି। ଗ୍ୟାରେଣ୍ଟି ହେଉଛି ସାଧାରଣ ଲୋକମାନଙ୍କର ଏକ ବହୁଳ ବ୍ୟବହୃତ ଶବ୍ଦ, ଯାହାକୁ ଲୋକେ ଅନାୟାସରେ କଥାରେ କଥାରେ ଶହେରୁ ଦୁଇ ଶହ ପ୍ରତିଶତ ପର୍ଯ୍ୟନ୍ତ ଦେଇ ଦିଅନ୍ତି। ଯେଉଁଠି ପ୍ରତିଶତ ସଂଖ୍ୟା ଶହେ ପର୍ଯ୍ୟନ୍ତ ଓ ତାହାଠାରୁ ଅଧିକ ସମ୍ଭବପର ନୁହେଁ, ସେଠି ଲୋକେ ଦୁଇଶହ ପ୍ରତିଶତ ଗ୍ୟାରେଣ୍ଟି କେମିତି ଦେଇଥାନ୍ତି ବୁଝି ହୁଏନା। ଏହା ଅର୍ଥ ସେମାନେ ଗ୍ୟାରେଣ୍ଟିକୁ ଗୋଟେ ହାଲୁକା କଥା ଭାବି ଯାହା ଇଚ୍ଛା ତାହା କହିଦେଇଥାନ୍ତି ଓ ପରେ କୌଣସି ଏକ ସର୍ତ୍ତର ବାହାନା ଦେଖେଇ ସେଥିରୁ ଓହରି ଯାଇଥାନ୍ତି।
ଆପଣମାନେ ଶୁଣିଥିବେ ଅନେକ ଲୋକ କହିବାର ‘ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଯେ ଆଜି ମ୍ୟାଚରେ ଭାରତ ନିଶ୍ଚୟ ଜିତିବ; ନ ହେଲେ ମୁଁ ମୋ’ର ଫାଳେ ନିଶ କାଟିଦେବି।’ ଭାରତ ଯଦି ନ ଜିତିଲା ତେବେ ଏମାନେ ଫାଳେ ନିଶ ତ ଦୂରର କଥା, ନିଶର ଗୋଟିଏ ରୁଆ ମଧ୍ୟ ଛିଣ୍ଡେଇ ନ ଥାନ୍ତି; ଆଉ କ’ଣ ଗୋଟେ ବାହାନା ମାରି ତାଙ୍କ ଗ୍ୟାରେଣ୍ଟିରୁ ଖସି ଯାଇଥାନ୍ତି। ଦୋକାନ ବଜାରମାନଙ୍କରେ ମଧ୍ୟ ଖର୍ଦ୍ଦି ବିକ୍ରି ଉପରେ ଏମିତି ଗ୍ୟାରେଣ୍ଟିସବୁ ଦିଆଯାଇଥାଏ। ଦୋକାନୀ କହିବ ‘ଆଜ୍ଞା, ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଯେ ଏହି ଶାଢ଼ିର ରଙ୍ଗ ଛାଡ଼ିବ ନାହିଁ ଆଉ ଯଦି ଛାଡ଼ିଗଲା ତେବେ ମୁଁ ଏହାର ଦୁଇଗୁଣା ଟଙ୍କା ଫେରେଇ ଦେବି।’ ଏହି ଗ୍ୟାରେଣ୍ଟିର କିଛି ମୂଲ୍ୟ ନ ଥାଏ କାରଣ ଯଦି ରଙ୍ଗ ଛାଡ଼ିଗଲା ତେବେ ଦୁଇଗୁଣା ତ ଦୂରର କଥା, ଶାଢ଼ିଟିକୁ ବଦଳେଇଦେବା ପାଇଁ ମଧ୍ୟ ଦୋକାନୀମାନେ ଅନେକ ସର୍ତ୍ତର ଗଳାବାଟ ଦେଖେଇ ଥାନ୍ତି।
ଶପଥ କିମ୍ବା ନିର୍ଭର ପ୍ରତିଶ୍ରୁତି ସର୍ବଦା ନିଃସର୍ତ୍ତ ହୋଇଥାଏ, କିନ୍ତୁ ଗ୍ୟାରେଣ୍ଟିରେ ସାଧାରଣତଃ ଗୋଟେ ଲମ୍ବା ସର୍ତ୍ତାବଳୀର ତାଲିକା ଥାଏ। ଗ୍ୟାରେଣ୍ଟି ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥାଏ କିନ୍ତୁ ସର୍ତ୍ତାବଳୀ ତା’ ତଳକୁ କୁନି କୁନି ଅକ୍ଷରରେ ଲେଖାଯାଇଥାଏ ଯାହା ଆପଣ ଗ୍ୟାରେଣ୍ଟି ଦାବି କଲା ବେଳେ ଗୋଟି ଗୋଟି କରି ପଢ଼ା ଯାଇଥାଏ ଓ ଆପଣଙ୍କୁ ଦିଆଯାଇଥିବା ଗ୍ୟାରେଣ୍ଟିକୁ ପ୍ରତ୍ୟାଖ୍ୟାନ କରିବାକୁ ଯଥେଷ୍ଟ ହୋଇଥାଏ।
ଶପଥ ଓ ପ୍ରତିଶ୍ରୁତିରେ କୌଣସି ‘ଜୁମଲା’ ନ ଥାଏ, କିନ୍ତୁ ଗ୍ୟାରେଣ୍ଟିରେ ଅନେକ ଜୁମଲାର ପ୍ରୟୋଗ ହୋଇଥାଏ। ଜୁମଲା ଅର୍ଥ ଯାହା କେବଳ କାନକୁ ଭଲ ଶୁଣିବା ପାଇଁ କୁହାଯାଇଥାଏ କିନ୍ତୁ କାର୍ଯ୍ୟରେ ପ୍ରାୟ ପରିଣତ କରାଯାଇ ନଥାଏ। ଏହି ଜୁମଲା ସାଧାରଣଃ ପ୍ରେମ, ଯୁଦ୍ଧ ଓ ଆଧୁନିକ ନିର୍ବାଚନମାନଙ୍କରେ ବହୁଳ ବ୍ୟବହୃତ ହୋଇଥାଏ। ପ୍ରେମିକଟିଏ ପ୍ରେମିକାକୁ କହିଥାଏ ‘ମୁଁ ତୋତେ ଏତେ ଭଲ ପାଏ ଯେ ତୁ କହିଲେ ମୁଁ ତୋ’ ପାଇଁ ଆକାଶରୁ ଜହ୍ନତାରା ତୋଳି ଆଣିବି।’ ଏଠି ପ୍ରେମିକ ପ୍ରେମରେ ଜୁମଲା ପ୍ରୟୋଗ କରୁଛି। ଏହା ଅର୍ଥ ନୁହେଁ ଯେ ପ୍ରେମିକା କହିଲେ ସେ ସତରେ ଆକାଶକୁ ଯାଇ ତା’ ପାଇଁ ଜହ୍ନ ତାରା ତୋଳି ଆଣିବ। ଆଧୁନିକ ନିର୍ବାଚନ ଯୁଦ୍ଧରେ ଜୁମଲାର ବହୁଳ ପ୍ରୟୋଗ ହୋଇଥାଏ। ‘ମୁଁ ଜିତିଲେ ଦେଶରୁ ଗରିବୀ ହଟେଇଦେବି’ ବା ‘ମୁଁ ଜିତିଲେ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ କରିଦେବି’ ଇତ୍ୟାଦି। ଏହାକୁ ନିର୍ବାଚନୀ ଜୁମଲା ବୋଲି କୁହାଯାଇଥାଏ। ତେଣୁ ଜିତିଗଲା ପରେ ଏମିତି ସବୁ ନିର୍ବାଚନରେ କୁହାଯାଏ ବୋଲି କହି ଏମାନେ ଖସିଯାଇଥାନ୍ତି।
ଦଶରଥ ମହାରାଜ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମହାରାଣୀ କୈକେୟୀ ଯେତେବେଳେ ସେହି ଦୁଇଟି ବର ମାଗିଲେ, ଦଶରଥ ମହାରାଜ ଚାହିଁଥିଲେ କହିପାରିଥାନ୍ତେ ‘ସେହି ଦୁଇଟି ବର ତୁମେ ମୋତେ ଯୁଦ୍ଧ କ୍ଷେତ୍ରରେ ବଞ୍ଚେଇଥିଲ ବୋଲି ହଠାତ୍ ଖୁସି ହୋଇ ଦେଇଥିଲି, କିନ୍ତୁ ତା’ ଅର୍ଥ ନୁହେଁ ଯେ ତୁମେ ରାମଚନ୍ଦ୍ରଙ୍କୁ ବନବାସ ଓ ଭରତଙ୍କ ଲାଗି ରାଜସିଂହାସନ ମାଗିବ!’ ସେତେବେଳେ ଯଦି ପ୍ରତିଶ୍ରୁତି ବଦଳରେ ଗ୍ୟାରେଣ୍ଟି ଦିଆଯାଉଥାନ୍ତା, ତେବେ ଦଶରଥ ମହାରାଜ ଏହାକୁ ଜୁମଲା କିମ୍ବା ତାଙ୍କ ଗ୍ୟାରେଣ୍ଟିର କୌଣସି ସର୍ତ୍ତ ଦେଖେଇ ଖସିଯାଇଥାନ୍ତେ। କିନ୍ତୁ ଦଶରଥ ମହାରାଜ କୌଣସି ବାହାନା ଖୋଜି ନଥିଲେ ଓ ସେଇଥି ପାଇଁ ଆଜି ଯାଏଁ ଲୋକକଥାରେ ରହିଯାଇଛି ‘ରଘୁକୁଲ ରୀତ ସଦା ଚଲି ଆଇ, ପ୍ରାଣ ଯାଏ ପର ବଚନ ନ ଯାଇ।’
ବନ୍ଧୁଗଣ, ଏଇଥି ପାଇଁ ରାଜନେତାମାନଙ୍କର ଗ୍ୟାରେଣ୍ଟିରେ ଆଦୌ ବିଶ୍ୱାସ ହେଉ ନାହିଁ। କାରଣ ଆଧୁନିକ ଗ୍ୟାରେଣ୍ଟି ହେଉଛି ଗୋଟେ ଗୋଳମାଳିଆ ଶବ୍ଦ ଓ ଏହାକୁ ଆହୁରି ଗୋଳମାଳ କରିବା ପାଇଁ ଏଥିରେ ଅନେକ ସର୍ତ୍ତ ରହିଥାଏ। ଥରେ ଜଣେ ଲୋକ ବଜାରରେ ତାଳପତ୍ର ପଙ୍ଖା ବିକୁଥିଲା। ଗୋଟାକୁ ଦର ଦୁଇ ଶହ ଟଙ୍କା ରଖିଥିଲା ଓ ଦଶ ବର୍ଷର ଗ୍ୟାରେଣ୍ଟି ଦେଉଥିଲା। ଗରାଖଟିଏ ପଚାରିଲା, ‘ହଇହୋ, ତାଳପତ୍ର ପଙ୍ଖା ଆଉ ଗୋଟାକୁ ଦୁଇଶ କ’ଣ?’ ଲୋକଟି କହିଲା, ‘ଇୟେ ଆଜ୍ଞା, ଏମିତି ସେମିତି ପଙ୍ଖା ନୁହେଁ। ଏହାର ଗ୍ୟାରେଣ୍ଟି ହେଉଛି ଦଶ ବର୍ଷ।’ ଲୋକଟି ଏହା ଶୁଣି ପଙ୍ଖାଟିଏ ନେଇଗଲା ଆଉ ଘରେ ପଙ୍ଖାଟିକୁ ଖୋଲି ଯେମିତି ମୁଣ୍ଡ ପାଖରେ ରଖି ଟିକେ ହଲେଇ ଦେଇଛି, ହାତରେ କାଠି ଆଉ ତାଳ ପତର ସବୁ ଛିଣ୍ଡିକି ପଡ଼ିଗଲା। ଗରାଖ ଯାଇ ଲୋକଟିକୁ ଏ କଥା କହିବାରୁ ସେ କହିଲା, ‘ଆଜ୍ଞା, ଆପଣ ଗ୍ୟାରେଣ୍ଟି କାର୍ଡରେ ଥିବା ଏହାର ବ୍ୟବହାର ସର୍ତ୍ତ ପଢ଼ିଛନ୍ତି କି ନାହିଁ?’ ତା’ପରେ ସେଇଟିକୁ ବାହାର କରି ସେ ଶୁଣେଇଲା ‘ପ୍ରଥମେ ପଙ୍ଖାଟିକୁ ମୁଣ୍ଡ ପାଖରେ ସିଧା କରି ରଖନ୍ତୁ ଓ ତା’ପରେ ମୁଣ୍ଡକୁ ବାଁରୁ ଡାହାଣ ଓ ଡାହାଣରୁ ବାଁକୁ ବୁଲାନ୍ତୁ। ମନେ ରଖନ୍ତୁ ପଙ୍ଖାକୁ ସ୍ଥିର ରଖି ମୁଣ୍ଡକୁ ହଲାଇବେ। ଯଦି ମୁଣ୍ଡକୁ ସ୍ଥିର ରଖି ପଙ୍ଖାକୁ ହଲାନ୍ତି ତେବେ ଏହା ଭାଙ୍ଗି ଯାଇପାରେ ଆଉ ଗ୍ୟାରେଣ୍ଟି ଲାଗୁ ନ ହୋଇପାରେ।’
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର