ଜୟନ୍ତ କୁମାର ବିଶ୍ବାଳ
ଅନେକ ଲୋକଙ୍କ ପାଇଁ ବୃଦ୍ଧାବସ୍ଥା କଷ୍ଟକର ଏବଂ କେତେକଙ୍କ ପାଇଁ ଏହା ଅତି କରୁଣ ମଧ୍ୟ ହୋଇଯାଇଥାଏ। ଦେହର ବଳ ଭାଙ୍ଗିଯାଏ; ନାନାଦି ରୋଗ ଆସି ଜୀବନକୁ ବିପର୍ଯ୍ୟସ୍ତ କରିଦିଏ। ବଞ୍ଚିବା ପାଇଁ କେତେଗୁଡ଼ିଏ କଥା, ଯେଉଁଗୁଡ଼ିକ ଆଗରୁ ଅତି ସହଜ, ସାଧାରଣ ଲାଗୁଥିଲା କିନ୍ତୁ ଅପରିହାର୍ଯ୍ୟ - ଚାଲିବା, ବସିବା, ଖାଇବା, ଦେଖିବା, କେଉଁଆଡ଼େ ବୁଲିଯିବା ଇତ୍ୟାଦି - ସେଗୁଡ଼ିକ ପାଇଁ ବି ସାମର୍ଥ୍ୟ ରହେ ନାହିଁ। ପୂର୍ବରୁ ଅଭ୍ୟସ୍ତ ଥିବା କ୍ଷମତା, ପ୍ରତିପତ୍ତି ରହେ ନାହିଁ; ପାଖରେ ପିଲାମାନେ ବି ରହନ୍ତି ନାହିଁ; ସଂସାରର ଗହଳିଚହଳି କମିଯାଏ। ସଂସାର ଛାଡ଼ିବା ପାଇଁ ସମୟ ହୋଇଯାଇଥିଲେ ମଧ୍ୟ ସାଂସାରିକ ଦାୟିତ୍ବଗୁଡ଼ିକ ସରି ନ ଥାଏ। ଏଣେ, ସାଙ୍ଗସାଥୀ, ଆତ୍ମୀୟସ୍ବଜନଙ୍କ ମୃତ୍ୟୁର ନିରବଚ୍ଛିନ୍ନ ଯାତ୍ରା ଲାଗି ରହିଥାଏ ଏବଂ ନିଜର ଦିନଗୁଡ଼ିକ ମଧ୍ୟ ମୃତ୍ୟୁ-ଆଚ୍ଛନ୍ନ ହୋଇ ରହିଥାଏ। ପିଲାବେଳେ ‘‘ବୁଢ଼ାଟିଏ ହେଇଥା’’ ବୋଲି ଆଶୀର୍ବାଦ ସିନା ଆମେ ପାଇଥାଉ; ମାତ୍ର ପ୍ରକୃତରେ ବୁଢ଼ା ହୋଇଗଲା ବେଳେ ଦେହ ଓ ମନ ନିସ୍ତେଜ ହୋଇଯାଇଥାଏ; ସବୁ ଦମ୍ଭ ଭାଙ୍ଗି ଯାଇଥାଏ। ଉତ୍ସାହର ସହ ବୃଦ୍ଧାବସ୍ଥାକୁ ବଞ୍ଚୁଥିବା ମଣିଷ ଏକ ବିରଳ ଦୃଶ୍ୟ।
କାହିଁକି ବୃଦ୍ଧାବସ୍ଥା ଆମ ପାଇଁ ନୈରାଶ୍ୟ ଓ ଅବସାଦର ସମୟ ହୋଇଥାଏ? ଏହାର ଏକ ମୁଖ୍ୟ କାରଣ ଯେ ଆମେ ଆଗର ବୃଦ୍ଧାବସ୍ଥାକୁ ଆମେ ଏ ପର୍ଯ୍ୟନ୍ତ ବଞ୍ଚି ଆସିଥିବା ଜୀବନର ଏକ ସଂପ୍ରସାରିତ ଅଧ୍ୟାୟ ବୋଲି ଭାବିଥାଉ। ସେମିତି ମଉଜ ମସ୍ତି ଚାଲିଥିବ; ସେମିତି ଆତ୍ମୀୟସ୍ବଜନମାନଙ୍କର ଗହଳିଚହଳି ଲାଗି ରହିଥିବ; ସେମିତି ସଂପତ୍ତି ଗୋଟାଇବା ଏବଂ ତାହାର ରକ୍ଷଣବେକ୍ଷଣ ଚାଲିଥିବ; ସେମିତି ପ୍ରଶଂସା, ପୁରସ୍କାର ପାଇଁ, ଦେଖା ଯିବା ପାଇଁ, ଅାଦୃତ ହେବା ପାଇଁ କାମନା ରହିଥିବ; ସେମିତି ଆମର ମୋହସକ୍ତ ଜୀବନ ସହଜ ଭାବେ ବହି ଚାଲିଥିବ। କିନ୍ତୁ ଏହା ତ କଦାଚିତ ସମ୍ଭବ ହୁଏ ନାହିଁ ପୂର୍ବରୁ ଆଲୋଚନା କରିଥିବା କାରଣମାନଙ୍କ ଯୋଗୁଁ। ପ୍ରକୃତି ଆମକୁ ଏହିପରି ଜୀବନ ପାଇଁ ଆସ୍ତେ ଆସ୍ତେ ଅସମର୍ଥ କରିଦିଏ। ଆମର ଅନେକ ଦେହଗତ ବା ଇନ୍ଦ୍ରିୟଜନିତ ସୁଖ, ଯାହା ଆମ ଜୀବନର ଅଂଶ ହୋଇ ରହିଗଲା, ସେ ସବୁଥିରୁ ଆମକୁ ବାରଣ କରାହୁଏ ଅଥବା ବୟସାଧିକ୍ୟ କାରଣରୁ ସ୍ବାଭାବିକ ଭାବେ ଆମେ ସେଥିପାଇଁ ଅସମର୍ଥ ହୋଇଯାଉ। ଜୀବନରେ ଏହି ମୋଡ଼କୁ ଆମେ ଗ୍ରହଣ କରି ନ ପାରିବା ଯୋଗୁଁ ଆମକୁ କଷ୍ଟ ହୋଇଥାଏ। କିନ୍ତୁ ଏପରି ଆମକୁ ଅସମର୍ଥ କରିବା ପଛରେ ପ୍ରକୃତିର ଗୋଟିଏ ଉଦ୍ଦେଶ୍ୟ ନିହିତ ଥାଏ। ଏହା ହେଉଛି, ଦେହଗତ ଜୀବନ ଓ ତା’ର ସଂଲଗ୍ନ ସମସ୍ତ କାମନା, ସୁଖର ଅଧ୍ୟାୟ ସରିଲା ଏବଂ ସଂପୂର୍ଣ୍ଣ ଭାବେ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିବାକୁ ହେବ।
ଏହି ନୂତନ ଅଧ୍ୟାୟ ପାଇଁ ମାନସିକ ସ୍ତରରେ ମଧ୍ୟ ଆମର ଏକ ପ୍ରସ୍ତୁତି ହୋଇଯାଇଥାଏ। ଏତେ ବର୍ଷ ବଞ୍ଚିବାର ଅଭିଜ୍ଞତା ପରେ - ଏତେ ସଫଳତା, ବିଫଳତା, ଶତ୍ରୁ-ମିତ୍ର, ସୁଖ-ଦୁଃଖ, ସ୍ବପ୍ନ-ସ୍ବପ୍ନଭଙ୍ଗକୁ ଅନୁଭବ କରିସାରିଲା ପରେ - ଏକ ପ୍ରକାର ସ୍ଥିର, ଗଭୀର ଅନ୍ତର୍ଦୃଷ୍ଟି ଆସି ଯାଇଥାଏ ଯେଉଁଠି ସଂସାରର ସମସ୍ତ କଥାକୁ ଏକ ସାମଗ୍ରିକ, ଉଦାର ଭାବରେ ଗ୍ରହଣ କରାଯାଇ ପାରିବ। ଏହା ଏକ ପ୍ରକାର ସ୍ଥିତପ୍ରଜ୍ଞତା। ଅନେକ କଥା ଆଉ ପୂର୍ବ ପରି ବିଚଳିତ କରେନାହିଁ, କାରଣ ଏ ସବୁ କଥା ସେ ଦେଖିସାରିଛି। ତା’ର ଲମ୍ବା ଜୀବନରେ ସେ କେତେକେତେ ଜନ୍ମ ଦେଖିଛି, କେତେକେତେ ମୃତ୍ୟୁ ଦେଖିଛି, ଏପରିକି କେତେ ନିବିଡ଼ ଅାତ୍ମୀୟଙ୍କର ଅକାଳ ମୃତ୍ୟୁକୁ ବି ସହିଛି। ଜୀବନରେ କେତେକେତେ ଲୋକ ଆସି ପରମ ଅନ୍ତରଙ୍ଗ ହୋଇଯାଇଛନ୍ତି, ପୁଣି ପରେ ସଂପୂର୍ଣ୍ଣ ଅଜଣା ହୋଇଯାଇଛନ୍ତି; କେତେ ସଂପର୍କ ଅପୂର୍ବ ସରାଗରେ ଗଢ଼ିଉଠି ପୁଣି ଶୂନ୍ୟରେ, ବିସ୍ମୃତିର ଗର୍ଭରେ ମିଳେଇ ଯାଇଛି। ଦୀର୍ଘ ଅବଧିର ଏହି ଜୀବନରେ ଏତେ ସବୁ କଥାକୁ ଦେଖିସାରିଲା ପରେ, ଅଙ୍ଗେ ନିଭେଇ ସାରିଲା ପରେ ତା’ର ଏକମାତ୍ର ଉପଲବ୍ଧି ହୋଇଛି ଯେ ସଂସାରର ସମସ୍ତ କଥା କ୍ଷଣଭଙ୍ଗୁର। ଜଣେ ବୃଦ୍ଧ ହିଁ ଏହି କ୍ଷଣଭଙ୍ଗୁରତାର ଦୃଷ୍ଟି ନେଇ ପୃଥିବୀକୁ ଦେଖିପାରେ ଏବଂ ସେଥିପାଇଁ ସବୁ ପ୍ରକାର ମଣିଷଙ୍କୁ, ସବୁ ଦୁଃଖ, କଷ୍ଟକୁ, ବଞ୍ଚନାକୁ ଗ୍ରହଣ କରିପାରେ। ଏହି ହେତୁ, ବାର୍ଦ୍ଧକ୍ୟ ଗୋଟିଏ ଅପୂର୍ବ ସାମର୍ଥ୍ୟ ଆଣି ଦେଇଥାଏ- ନିଜ ଜୀବନର ଦୁଃଖ କଷ୍ଟ ସହ ବୁଝାମଣା କରିବା, ତାକୁ ଗ୍ରହଣ କରିବା। ଏହି ଦାର୍ଶନିକ ଦୃଷ୍ଟିକୋଣଟି ତରୁଣ ଅବସ୍ଥାରେ ମଧ୍ୟ କେତେଙ୍କର ଥାଏ; ମାତ୍ର ସ୍ବାଭାବିକ ଭାବରେ ଏହା ବାର୍ଦ୍ଧକ୍ୟର ଉପଲବ୍ଧି ହୋଇଥାଏ। ଏଥିପାଇଁ ଯେଉଁ କଥାଗୁଡ଼ିକ ପୂର୍ବରୁ ଅତି ମୂଲ୍ୟବାନ, ଗୁରୁତ୍ବପୂର୍ଣ୍ଣ ଲାଗୁଥିଲା - ଯେପରି ପ୍ରଚୁର ଅର୍ଥ, ଉଚ୍ଚ ଜୀବିକା, ସମାଜରେ ପ୍ରତିଷ୍ଠା - ତାହା ଆଉ ସେପରି ଲାଗେ ନାହିଁ। ଏହି କଥାଗୁଡ଼ିକ ନ ଥିଲା ବୋଲି ଯେଉଁ ହୀନମନ୍ୟତା ମନରେ ଥିଲା, ତାହା ମଧ୍ୟ ଅାଉ ରହେ ନାହିଁ। ମନକୁ ଯେଉଁ କଥାଗୁଡ଼ିକ ବାନ୍ଧି ରଖି ଭାରାକ୍ରାନ୍ତ କରୁଥିଲା, ସେଥିରୁ ସେ ମୁକ୍ତ ହୋଇଯାଏ।
ଏଣୁ ଯେତେବେଳେ ଦେହଜ କାମନା, ଉତ୍ତେଜନା ରହେ ନାହିଁ, ଦେହ ଦୁର୍ବଳ, ଶିଥିଳ ହୋଇଯାଏ ଏବଂ ମନ, ଏକ ଦାର୍ଶନିକ ଉପଲବ୍ଧି ସହ ସତେଜ, ଉନ୍ମୁକ୍ତ ହୋଇଯାଏ, ସେତେବେଳେ ଏହା ଏକ ସ୍ପଷ୍ଟ ସୂଚନା ଦେଇଥାଏ ଯେ ଜୀବନର ବହିଃମୁଖୀ ଯାତ୍ରା ସମାପ୍ତ ହୋଇଗଲା ଏବଂ ଏବେ ଅନ୍ତର୍ମୁଖୀ ଯାତ୍ରାକୁ ଆରମ୍ଭ କରିବାକୁ ହେବ। କିନ୍ତୁ ଏହି ଉପଲବ୍ଧି, ଏହି ସ୍ପଷ୍ଟ ସୂଚନା ସତ୍ତ୍ବେ, ଆମମାନଙ୍କ ପାଇଁ ଏହା ସମ୍ଭବ ହୋଇ ନ ଥାଏ, କାରଣ ପରିଚିତ, ଅଭ୍ୟସ୍ତ ଥିବା ଜୀବନର ଆକର୍ଷଣ ଆମକୁ ଟାଣି ଧରି ରଖିଥାଏ। ପ୍ରକୃତରେ ବାର୍ଦ୍ଧକ୍ୟ ଆମକୁ ପ୍ରସ୍ତୁତ କରିସାରିଥାଏ ଗୋଟିଏ ନୂତନ ଜନ୍ମ ପାଇଁ। ଏହା ଏକ ଅତି ସାହସିକ ଅତିକ୍ରମଣ କାରଣ ଜୀବନ ସାରାର ମୋହ ଏବଂ ମୋହସକ୍ତ ଚିନ୍ତାଧାରାକୁ ପରିତ୍ୟାଗ କରିବା ସହଜ କଥା ନୁହେଁ। ସେଥିପାଇଁ, ବୃଦ୍ଧାବସ୍ଥା ଆମର ସାହସ ପାଇଁ ସବୁଠାରୁ ବଡ଼ ଆହ୍ବାନର ସମୟ; କାରଣ ଷାଠିଏ, ସତୁରି ବର୍ଷ ଧରି ଅସ୍ଥିମଜ୍ଜାଗତ ହୋଇଯାଇଥିବା, ଚେତନା, ଅବଚେତନର ଅଂଶ ହୋଇଯାଇଥିବା ସାଂସାରିକ ଜୀବନକୁ ପ୍ରତ୍ୟାଖ୍ୟାନ କରି ଗୋଟିଏ ସଂପୂର୍ଣ୍ଣ ଭିନ୍ନ, ଅଜଣା ଜୀବନକୁ ଆଦରି ନେବା ଜଣେ ମଣିଷର ଜୀବନରେ ଭୂଚଳନ ପରି କଥା ହୋଇଥାଏ। ଗ୍ରାହସ୍ଥ୍ୟରୁ ବନପ୍ରସ୍ଥକୁ ଯାତ୍ରା, ଚେତନାର ସ୍ତରରେ ମଧ୍ୟ, ଆମ ପକ୍ଷରେ ସମ୍ଭବପର ହୋଇ ନ ଥାଏ।
ବାର୍ଦ୍ଧକ୍ୟ ଆମକୁ ଭୌତିକ ଜୀବନ ପାଇଁ ଅସମର୍ଥ କରି ଏକ ଅାଧ୍ୟାତ୍ମିକ ଜୀବନ ପାଇଁ ଚେତନାର ସ୍ତରରେ ଏକ ପ୍ରସ୍ତୁତି ଦେଇଥାଏ। ଆଧ୍ୟାତ୍ମିକ ଅର୍ଥ କେବଳ ଭଗବତ୍ ସଂପର୍କୀୟ ନୁହେଁ; ଏହା ହେଉଛି ଏକ ଆତ୍ମିକ ଅନ୍ବେଷା, ଯେଉଁଥିରେ ଆମ ସମାଜର ଏବଂ ଏହାର ବିଷୟାଗତ ମୂଲ୍ୟବୋଧଗୁଡ଼ିକର ସାମାନ୍ୟତମ ପ୍ରଭାବ ବି ନ ଥାଏ। ପୂର୍ବେ ସମାଜ ଦ୍ବାରା ସ୍ବୀକୃତ ହେବା ପାଇଁ ଯେଉଁ ବ୍ୟାକୁଳତା ଥିଲା, ଥରେ ଜୀବନର ଏହି ଅନ୍ତର୍ମୁଖୀ ଯାତ୍ରା ଆରମ୍ଭ ହେଲେ, ତାହା ଅର୍ଥହୀନ, ଅବାନ୍ତର ଲାଗେ। ମଣିଷ ବନ୍ଧନହୀନ, ଉନ୍ମୁକ୍ତ ହୋଇଯାଏ ଏବଂ ସେତେବେଳେ ସଂପୂର୍ଣ୍ଣ ଏକ ନୂତନ ଯାତ୍ରାର ଆରମ୍ଭ ହୁଏ। ଆମ ଭିତରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ବୃଦ୍ଧାବସ୍ଥାକୁ ଆଶୀର୍ବାଦ ବୋଲି ଭାବି, ପ୍ରଜାପତି କୋଷ ପରିତ୍ୟାଗ କଲା ପରି, ନିଜର ସାଂସାରିକ କୋଷକୁ ପରିତ୍ୟାଗ କରି, ଆତ୍ମାର ଜୀବନର ଅନ୍ବେଷାରେ ବାହାରି ଯାଇଛନ୍ତି। ସମସ୍ତଙ୍କ ପାଇଁ ଏ ଅନ୍ବେଷା ସମାନ ହୋଇ ନ ଥାଏ; କିଏ କେଉଁ ପ୍ରକାରରେ ଜୀବନର ଅର୍ଥ ଖୋଜିପାରେ। କଥାକାର ରାମଚନ୍ଦ୍ର ବେହେରା ଏକ ଅନ୍ତରଙ୍ଗ ଗପସପ ବେଳେ କହୁଥିଲେ ଯେ ସବୁ ହସଖୁସି, ସମସ୍ତ ପ୍ରାପ୍ତି, ସଫଳତା ପରେ ମଧ୍ୟ ଏକ ଭିନ୍ନ ଅଭାବ- ଏକ ଆଧ୍ୟାତ୍ମିକ ବ୍ୟାକୁଳତା ହୃଦୟ ଭିତରେ ରହିଯାଇଥାଏ। ବାର୍ଦ୍ଧକ୍ୟ ପାଇଁ ଏହି ବ୍ୟାକୁଳତା ହିଁ ଆଶୀର୍ବାଦ, କାରଣ ଏହା ହିଁ ଜୀବନକୁ ତା’ର ଗତାନୁଗତିକ ଦ୍ବନ୍ଦ୍ବ, ଉତ୍ତେଜନା ଓ ଅବସାଦର ଘୂର୍ଣ୍ଣି ଭିତରୁ ବାହାର କରି ଏକ ଅନନୁଭୂତ ପ୍ରଶାନ୍ତି ଆଡ଼କୁ ନେଇଯାଇପାରେ।
ଏଣୁ ବାର୍ଦ୍ଧକ୍ୟ ଜୀବନର ଅସହାୟ ଅବସ୍ଥା ନୁହେଁ; ବରଂ ଏହା ଅପୂର୍ବ ସମ୍ଭାବନାରେ ପୂର୍ଣ୍ଣ। ଏହା ଅସହାୟ ଭଳି ଲାଗେ ସେତେବେଳେ, ଯେତେବେଳେ ଆମେ ସେହି ପୁରୁଣା ସାଂସାରିକ ହିସାବ ଅନୁସାରେ ଏହାର ମୂଲ୍ୟାଙ୍କନ କରୁ। କିନ୍ତୁ ବୃଦ୍ଧାବସ୍ଥାରେ ଚେତନାର ଯେଉଁ ଉନ୍ମେଷ ଘଟିଥାଏ, ତାହାକୁ ଉପଜୀବ୍ୟ କରି ଯଦି ଆମେ ବଞ୍ଚିବାକୁ ଆରମ୍ଭ କରନ୍ତୁ, ତେବେ ଦୁଃଖ ଆମକୁ ସେପରି ବ୍ୟଥିତ, ବିଚଳିତ କରନ୍ତା ନାହିଁ; ସାରା ସଂସାର ଅନ୍ତରଙ୍ଗ ଲାଗନ୍ତା ଏବଂ ଏକ ନୂତନ ସ୍ବର୍ଗୀୟ ବା ଆତ୍ମିକ ଅନୁଭବରେ ଜୀବନ ଉଦ୍ଭାସିତ ହୋଇ ଉଠନ୍ତା।
ସତ କହିବାକୁ ଗଲେ, ଆମେ ସମସ୍ତେ ବୃଦ୍ଧାବସ୍ଥା ବେଳେ ଜୀବନକୁ ବଞ୍ଚୁ ନାହୁଁ; କେବଳ ସହିଯାଉ। ଭୁଲି ଯାଇଥାଉ ଯେ, ବୃଦ୍ଧାବସ୍ଥା ହିଁ ଜୀବନର ସବୁଠାରୁ ଗଭୀର, ସୁନ୍ଦର ସମୟ ହୋଇପାରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୯୨୧୧୩
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/25/sfshhfshf-2025-11-25-00-29-00.jpg)