ସରଳ ବିଚାର: ‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ସରଳ କୁମାର ଦାସ

‘ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା’ ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ। ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କ ଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି। କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି। ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି। ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ।
ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କାରଣ ଦର୍ଶାଇ ତାହା ଗ୍ରହଣ କରିନାହାନ୍ତି। ସେହିପରି ପଦ୍ମ ସମ୍ମାନରେ ଭୂଷିତ ବୃନ୍ଦାବନଲାଲ ବର୍ମା, ଶିବରାମ କରନ୍ଥ, ପ୍ରକାଶ ସିଂହ ବାଦଲଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିଜ ବିରୋଧ ପ୍ରଦର୍ଶନ କରି ସମ୍ମାନକୁ ଫେରାଇ ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପଦ୍ମ ସମ୍ମାନ ପ୍ରଦାନ କରାଯାଇଥିବା ୪୬୦୦ରୁ ଅଧିକ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କ ଠାରୁ ସରକାରୀ ଭାବେ ସମ୍ମାନ ପ୍ରତ୍ୟାହାର କରାଯାଇନାହିଁ। ଭାରତରତ୍ନ, ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ବିଧି ଓ ନିୟମାବଳୀର ନିୟମ ୧୦ ଅନୁଯାୟୀ ଏହି ସମ୍ମାନପ୍ରାପ୍ତ ଯେ କୌଣସି ବ୍ୟକ୍ତିଙ୍କ ସମ୍ମାନକୁ ରାଷ୍ଟ୍ରପତି ରଦ୍ଦ ଓ ପ୍ରତ୍ୟାହାର କରିପାରିବେ। ସେ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏଥି ପାଇଁ ଉଦ୍ଦିଷ୍ଟ ପଞ୍ଜିକାରୁ ବାଦ ଦିଆଯାଇଥାଏ ଓ ପ୍ରଦତ୍ତ ଅଳଙ୍କରଣ ଏବଂ ସନନ୍ଦକୁ ତାଙ୍କୁ ଫେରାଇବାକୁ ହୋଇଥାଏ। ତେବେ କେଉଁ କେଉଁ କାରଣରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ, ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନାହିଁ।

ସମ୍ୱିଧାନର ଧାରା ୧୮(୧) ଅନୁଯାୟୀ କେବଳ ସାମରିକ ଓ ଶୈକ୍ଷିକ ଉପାଧି ବ୍ୟତୀତ ରାଷ୍ଟ୍ର କାହାକୁ ଅନ୍ୟ କୌଣସି ଉପାଧିରେ ଭୂଷିତ କରି ପାରୁ ନ ଥିବାରୁ ପଦ୍ମ ପୁରସ୍କାରଗୁଡ଼ିକ ଉପାଧି ନୁହେଁ। ତେଣୁ ସେଗୁଡ଼ିକୁ ନାମର ଆଗରେ ବା ପଛରେ ଉପାଧି ଭାବେ ବ୍ୟବହାର କରି ହେବନାହିଁ ବୋଲି ବାଲାଜୀ ରାଘବନ ଓ ଏସ୍‌. ପି. ଆନନ୍ଦ ମାମଲା (୧୯୯୫)ରେ ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରି ସାରିଛନ୍ତି। ଆଜିକାଲି ବିନମ୍ର ପୃଷ୍ଠଭୂମିରୁ ଆସିଥିବା ଅନେକଙ୍କୁ ପଦ୍ମ ପୁରସ୍କାର ମିଳୁଛି। ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରୁ ହୁଏ’ତ କିଛି ବ୍ୟକ୍ତି ବା ସେମାନଙ୍କ ଅନୁଗାମୀମାନେ ଏହି ନିୟମ ସମ୍ପର୍କରେ ଅବଗତ ନ ଥାଇ ପ୍ରାପ୍ତ ପଦ୍ମ ସମ୍ମାନକୁ ନାମ ପୂର୍ବରୁ ଉପାଧି ଭାବେ ବ୍ୟବହାର କରୁଥିବା ପରିଲକ୍ଷିତ ହେଉଛି। ଏପରିକି ଅଜ୍ଞତାବଶତଃ କିଛି ଗଣମାଧ୍ୟମରେ ଓ ନିମନ୍ତ୍ରଣ ପତ୍ରରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ‘ପଦ୍ମଶ୍ରୀ ଅମୁକ’, ‘ପଦ୍ମଭୂଷଣ ଅମୁକ’ ଭାବେ ସମ୍ୱୋଧନ କରାଯାଉଛି ବା ଲେଖାଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ। ସେହି କାରଣରୁ ପଦ୍ମ ସମ୍ମାନ ବିଧି ଓ ନିୟମାବଳୀର ନିୟମ ୧୦ ଅନୁଯାୟୀ ସମ୍ମାନ ପ୍ରତ୍ୟାହାର ପାଇଁ ଅଭିଯୋଗ ହେଲେ ପ୍ରଦତ୍ତ ସମ୍ମାନ ପ୍ରତ୍ୟାହାର କରାଯାଇ ପାରିବ। ଉଦାହରଣ ସ୍ୱରୂପ, ତେଲୁଗୁ ଅଭିନେତା ମୋହନବାବୁ ଓ ବ୍ରହ୍ମାନନ୍ଦମ ‘ଦେନିକାଇନା ରେଡି’ ଚଳଚ୍ଚିତ୍ରର ପ୍ରଚାର ଉଦ୍ଦେଶ୍ୟରେ ସେମାନଙ୍କୁ ପ୍ରଦତ୍ତ ପଦ୍ମଶ୍ରୀକୁ ଉପାଧି ରୂପେ ଅପବ୍ୟବହାର କରିଥିବାର ଅଭିଯୋଗ ଆସିବା ପରେ ମାମଲା ସୁପ୍ରିମ୍‌କୋର୍ଟ ଯାଏଁ ପହଞ୍ଚିଥିଲା। ସୁପ୍ରିମ୍‌କୋର୍ଟ ସେମାନଙ୍କୁ ଏପରି କରିବାରୁ ନିବୃତ୍ତ ରହିବା ପାଇଁ ତାଗିଦ କରି ଛାଡ଼ି ଦେଇଥିଲେ।

ଗତ କିଛି ବର୍ଷ ଧରି ପଦ୍ମ ପୁରସ୍କାର ପ୍ରାପ୍ତ କିଛି ବ୍ୟକ୍ତିଙ୍କ ଆଚରଣ ପ୍ରଦତ୍ତ ମର୍ଯ୍ୟାଦାର ସମ୍ମାନ ରକ୍ଷା କରୁ ନ ଥିବା ପରିଲକ୍ଷିତ ହେଉଛି। ଏହି କାରଣରୁ ଅତୀତରେ ଅଭିନେତା ସୈଫ ଅଲ୍ଲି ଖାଁ ଓ ସାମାଜିକ କର୍ମୀ ତିସ୍ତା ସିତଲଭାଦଙ୍କ ନିକଟରୁ ପଦ୍ମଶ୍ରୀ ପ୍ରତ୍ୟାହାର ପାଇଁ ଦାବି ଉଠିଥିଲା। ୨୦୧୦ରେ ପଦ୍ମଭୂଷଣ ପ୍ରାପ୍ତ ଆମେରିକାସ୍ଥିତ ବ୍ୟବସାୟୀ ସନ୍ଥ ସିଂହ ଚଟୱାଲ ଆମେରିକା ଅଦାଲତ ଦ୍ୱାରା ୨୦୧୪ରେ ଦଣ୍ଡିତ ହେବା ପରେ ତାଙ୍କ ନିକଟରୁ ପଦ୍ମଭୂଷଣ ପ୍ରତ୍ୟାହାର ପାଇଁ ଦାବି ଉଠିଥିଲା। ସେହିପରି ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ପଦ୍ମବିଭୂଷଣ ପ୍ରାପ୍ତ ରାଜେନ୍ଦ୍ର କୁମାର ପଚୌରୀ ଓ ବ୍ୟାଙ୍କ୍‌ ଠକେଇ ମାମଲାରେ ଅଭିଯୁକ୍ତ ପଦ୍ମଭୂଷଣ ପ୍ରାପ୍ତ ଚନ୍ଦା କୋଚ୍ଚରଙ୍କ ଠାରୁ ସମ୍ମାନ ପ୍ରତ୍ୟାହାର ପାଇଁ ବି ଦାବି ଉଠିଥିଲା। ପଦ୍ମଶ୍ରୀ ପ୍ରାପ୍ତ ପହିଲମାନ ସୁଶୀଲ କୁମାର ୨୦୨୧ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିବାରୁ ତାଙ୍କ ସମ୍ମାନ ପ୍ରତ୍ୟାହାର ପାଇଁ ଦାବି ହେଉଛି। ନିକଟରେ ପାଣ୍ଡୋରା ପେପର୍‌ସରେ ଭାରତରତ୍ନରେ ସମ୍ମାନିତ ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସର୍ବାଧିକ ବ୍ୟାଙ୍କ୍‌ ଋଣ ଖିଲାପକାରୀଙ୍କ ତାଲିକାରେ ଥିବା ଶିଳ୍ପପତି ରାଘବେନ୍ଦ୍ର ରାଓ ଓ ଦୀପକ ପୁରୀଙ୍କ ନାମ ଏବେ ବି ପଦ୍ମଶ୍ରୀ ତାଲିକାରେ ଶୋଭା ପାଇବା ଲଜ୍ଜାଜନକ। କ୍ରମଶଃ ଏହି ଭଳି ଘଟଣା ବୃଦ୍ଧି ପାଇ ଚାଲିଥିବାରୁ ବିଦେଶର କିଛି ଦେଶଙ୍କ ପରି ପଦ୍ମ ସମ୍ମାନ ପ୍ରତ୍ୟାହାର ପାଇଁ ‘ସମ୍ମାନ ବାଜ୍ୟାପ୍ତି କମିଟି’ର ଗଠନ ପୂର୍ବକ ସୁନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରଣୟନ କରାଯିବା ଆବଶ୍ୟକ। ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ରଦତ୍ତ ଡିଗ୍ରି ବା ସମ୍ମାନ ପ୍ରତ୍ୟାହାରର ନିୟମ ସୁନିର୍ଦ୍ଦିଷ୍ଟ ହେବା ଉଚିତ।

ବିଦେଶରେ ପୁରସ୍କାର ବା ସମ୍ମାନ ପ୍ରତ୍ୟାହାର ପାଇଁ ଭିନ୍ନ ଭିନ୍ନ ନୀତି ଅବଲମ୍ୱନ ହୋଇଥାଏ। ନୋବେଲ ପୁରସ୍କାର ନିୟମରେ ପ୍ରତ୍ୟାହାରର ପ୍ରାବଧାନ ନ ଥିବାରୁ ମ୍ୟାନ୍‌ମାରର ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଙ୍ଗ ସାନ ସୁ ଚିଙ୍କ ରୋହିଙ୍ଗିଆ ବିରୋଧୀ ମନ୍ତବ୍ୟ ପରେ ତାଙ୍କ ଠାରୁ ପୁରସ୍କାର ପ୍ରତ୍ୟାହାର ପାଇ ଦାବି ଉଠିଥିଲେ ବି ତାହା କରାଯାଇନଥିଲା। ଅବଶ୍ୟ ତାଙ୍କ ଠାରୁ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରଦତ୍ତ ‘ଆମ୍ୱାସାଡର ଅଫ୍‌ କନ୍‌ସାଇନସ୍‌’ ପୁରସ୍କାର ପ୍ରତ୍ୟାହାର କରାଯାଇଥିଲା। ବ୍ରୁନେଇର ସୁଲତାନଙ୍କ ଏଲ୍‌ଜିବିଟି ଆଇନ ବିରୋଧୀ ମନ୍ତବ୍ୟ ଯୋଗୁଁ ତାଙ୍କୁ ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦତ୍ତ ସମ୍ମାନସୂଚକ ଆଇନ ଡିଗ୍ରି ଫେରସ୍ତ କରିବାକୁ ଲେଖାଯିବା ପରେ ସେ ତାହା ଫେରାଇ ଦେଇଥିଲେ। ବିଭିନ୍ନ ଅପରାଧରେ ଦଣ୍ଡିତ ବା ନିନ୍ଦିତ ହୋଇଥିବା ଯୋଗୁଁ ଅତୀତରେ ଯେଉଁ ପ୍ରମୁଖ ବ୍ୟକ୍ତିଙ୍କ ନିକଟରୁ ସେମାନଙ୍କ ସମ୍ମାନ ପ୍ରତ୍ୟାହାର କରାଯାଇଛି, ସେମାନଙ୍କ ମଧ୍ୟରେ ଥିଲେ ବେନିଟୋ ମୁସୋଲିନି, ରୋମାନିଆର ଏକଛତ୍ରବାଦୀ ନିକୋଲାଇ ଚାଉସେସ୍କୁ, ଜିମ୍ୱାୱେର ରବର୍ଟ ମୁଗାବେ, ଅଷ୍ଟ୍ରେଲିଆର ରଲଫ ହାରିସ, ବ୍ରିଟିସ୍‌ ଉପସ୍ଥାପକ ଷ୍ଟୁଆର୍ଟ ହଲ୍‌ ଇତ୍ୟାଦି। ବ୍ରିଟିସ୍‌ ଆଇନ ଅନୁସାରେ କୌଣସି ସମ୍ମାନିତ ବ୍ୟକ୍ତି ଯଦି ଅପରାଧ ପାଇଁ ଦଣ୍ଡିତ ହୁଅନ୍ତି ଓ ସମ୍ମାନ ବ୍ୟବସ୍ଥାର ମର୍ଯ୍ୟାଦା ହାନିର କାରଣ ପାଲଟନ୍ତି, ତେବେ ତାଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ। ସେଥିପାଇଁ କୌଣସି ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଅନ୍ତତଃ ତିନି ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଥିଲେ, କୌଣସି ନିୟନ୍ତ୍ରକ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଦ୍ୱାରା ବାଛନ୍ଦ ହୋଇଥିଲେ, ଯୌନ ଅପରାଧରେ ଦଣ୍ଡିତ ହୋଇଥିଲେ ‘ଅନର୍‌ ଫୋର୍‌ଫିଚର କମିଟି’ ସମ୍ମାନ ପ୍ରତ୍ୟାହାର ପାଇଁ ବିବେଚନା କରିଥାଆନ୍ତି। ନିଉଜିଲାଣ୍ଡ୍‌ରେ ତ ମର୍ଯ୍ୟାଦାହୀନ ଆଚରଣ ପାଇଁ ଜନମତ ଦ୍ୱାରା ନିନ୍ଦିତ ହେବା ମଧ୍ୟ ସମ୍ମାନ ପ୍ରତ୍ୟାହାରର କାରଣ ହୋଇଥାଏ।

କଙ୍ଗନା ରଣାୱତ୍‌ଙ୍କ ‘ଭିକରେ ମିଳିଥିବା ସ୍ୱାଧୀନତା’ ମନ୍ତବ୍ୟଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣଦାନ କରିଥିବା, ଜେଲ୍‌ଦଣ୍ଡ ଭୋଗିଥିବା, ପରିବାର ଛାଡ଼ି ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ବିଦ୍ରୂପ ସଦୃଶ ଅଟେ। ଏହା କେବଳ ଯେ ନୈତିକତା ଦୃଷ୍ଟିରୁ ଅଗ୍ରହଣୀୟ ତାହା ନୁହେଁ, ବରଂ ଏହା ସମ୍ୱିଧାନର ମୋଳିକ କର୍ତ୍ତବ୍ୟ ସଂକ୍ରାନ୍ତ ପ୍ରାବଧାନର ମଧ୍ୟ ବିରୋଧାଚରଣ କରୁଛି। ସମ୍ୱିଧାନର ଧାରା ୫୧(ଏ)(ବି) ଅନୁଯାୟୀ ଆମ ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିବା ମହାନ ଆଦର୍ଶଗୁଡ଼ିକୁ ଆଦର କରିବା ଓ ଅନୁସରଣ କରିବା ଏକ ସୁନାଗରିକର କର୍ତ୍ତବ୍ୟ। ପଦ୍ମ ପୁରସ୍କାରରେ ସମ୍ମାନିତ ପ୍ରତ୍ୟେକ ବ୍ୟକ୍ତି ଜଣେ ସୁନାଗରିକ ଭାବେ ସମ୍ୱିଧାନ ଉଲ୍ଲିଖିତ ମୌଳିକ କର୍ତ୍ତବ୍ୟଗୁଡ଼ିକ ସମ୍ପାଦନ କରିବା ଜରୁରୀ। ସମ୍ୱିଧାନରେ ଯେଉଁ ସଂଗ୍ରାମର ଆଦର୍ଶ କଥା ଉଲ୍ଲେଖ ରହିଛି, ତାହା ନିଶ୍ଚିତ ରୂପେ ୧୯୪୭ରେ ଭାରତ ହାସଲ କରିଥିବା ସ୍ୱାଧୀନତା ପାଇଁ ଅଟେ, କଙ୍ଗନାଙ୍କ ଅନୁଯାୟୀ ୨୦୧୪ରେ ହାସଲ ହୋଇଥିବା ତଥାକଥିତ ସ୍ୱାଧୀନତା ପାଇଁ ନୁହେଁ, ତାହା ସ୍ପଷ୍ଟ। ପଦ୍ମଶ୍ରୀରେ ସମ୍ମାନିତ ହେଲା ପରେ ସର୍ବସାଧାରଣରେ ଏହି ଉକ୍ତି ଦ୍ୱାରା କଙ୍ଗନା ଦୁଇଟି ଭୁଲ୍‌ କରିଥିଲା ପରି ପ୍ରତୀତ ହେଉଛି। ପ୍ରଥମତଃ, ସେ ୧୯୪୭ର ସ୍ୱାଧୀନତାକୁ ପୂର୍ଣ୍ଣ ପ୍ରାଣରେ ଗ୍ରହଣ କରି ପାରୁନାହାନ୍ତି ଓ ତାକୁ ଏକ ପ୍ରକାର ଅସ୍ୱୀକାର କରୁଛନ୍ତି ବୋଲି ସୂଚାଇ ଦେଇଛନ୍ତି। ଭାରତ ପ୍ରକୃତରେ ୨୦୧୪ରେ ସ୍ୱାଧୀନତା ହାସଲ କରିଛି ବୋଲି କହି ସେ ପରୋକ୍ଷରେ ସମ୍ୱିଧାନକୁ ମଧ୍ୟ ପରାଧୀନ ଭାରତରେ ପ୍ରଣୀତ ବୋଲି କହିଛନ୍ତି, ଯାହା ସମ୍ୱିଧାନର ଅବମାନନା। ଦ୍ୱିତୀୟତଃ, ଉପରୋକ୍ତ ମୌଳିକ କର୍ତ୍ତବ୍ୟ ପାଳନ କରି ସ୍ୱାଧୀନତା ସଂଗ୍ରାମର ମହାନ ଆଦର୍ଶକୁ ଆଦର ଓ ଅନୁସରଣ କରିବା ତ ଦୂରର କଥା, ବରଂ ସେଗୁଡ଼ିକୁ ନିନ୍ଦିତ କରିବାର ଅପଚେଷ୍ଟା କରି ଏକ ସୁନାଗରିକର କର୍ତ୍ତବ୍ୟ ସମ୍ପାଦନରେ ସେ ବିଫଳ ହୋଇଛନ୍ତି। ଯେ କୌଣସି ବ୍ୟକ୍ତିର ଭିନ୍ନ ମତ ଥାଇପାରେ। ମାତ୍ର ରାଷ୍ଟ୍ର ଦ୍ୱାରା ସମ୍ମାନିତ ଜଣେ ବ୍ୟକ୍ତି ନିକଟରୁ କୌଣସି ମତେ ସମ୍ୱିଧାନ ବିରୋଧୀ ମତପୋଷଣ ଗ୍ରହଣୀୟ ହୋଇ ନ ପାରେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ସାରା ଯେତେବେଳେ ‘ଅମୃତ ମହୋତ୍ସବ’ର ଆୟୋଜନମାନ କରାଯାଉଛି, ସେହି ସମୟରେ ତାଙ୍କର ଏ ଭଳି ଉକ୍ତି ଆମ ସ୍ୱାଧୀନତା ଲାଭ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ତାହା ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଦେଶବାସୀଙ୍କୁ ବି ବ୍ୟଥିତ କରିଛି। ତାଙ୍କର ଏ ଭଳି ଉକ୍ତି ପାଇଁ କ୍ଷମା ପ୍ରାର୍ଥନା ବା ଅନୁତାପ ନ କରି ସେ ତାଙ୍କ ମତରେ କାଏମ ରହିଥିବାରୁ ସେ ନିଜେ ‘ପଦ୍ମଶ୍ରୀ’ ସମ୍ମାନଟିକୁ ଫେରାଇ ଦେଲେ ଭଲ ହୁଅନ୍ତା। ତା’ ଛଡା ତାଙ୍କ କଥାନୁସାରେ ପରାଧୀନ ଭାରତରେ ସ୍ଥାପିତ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହେବାକୁ କ’ଣ ସେ ନିଜେ ଗ୍ରହଣ କରିପାରୁଛନ୍ତି! ସେ ନିଜେ ପଦ୍ମଶ୍ରୀ ଫେରାଇବାକୁ ଆଗଭର ହେଉ ନ ଥିବାରୁ ଜନମତକୁ ସମ୍ମାନ ଜଣାଇ ସରକାର ତାଙ୍କ ପଦ୍ମଶ୍ରୀ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ କରିବା ହୁଏ’ତ ଅଧିକ ସମୀଚୀନ ହେବ।

ବ୍ୟକ୍ତିର ସମ୍ମାନ ବୃଦ୍ଧି ସହ ତା’ର ଉଚ୍ଚାରଣ ଓ ଆଚରଣ ଅଧିକ ପରିମାର୍ଜିତ ହେବା ଉଚିତ। ପଦ୍ମ ପୁରସ୍କାର ପରି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ବ୍ୟକ୍ତି ତ ନିଜକୁ ଜଣେ ସୁନାଗରିକ ଭାବେ ଉପସ୍ଥାପିତ କରି ରଖିବା ସହ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବା ନିହାତି ଆବଶ୍ୟକ। ଅବଶ୍ୟ ନିଜ ଉଚ୍ଚାରଣ ଓ ଆଚରଣ ଉପରେ ଲଗାମ ଲଗାଇବାକୁ ଅସମର୍ଥ ହୋଇ ଦେଶର ଆଇନ ବା ସମ୍ୱିଧାନର ଅବମାନନା କରି ବସିଲେ ତାହା ପ୍ରଦତ୍ତ ସମ୍ମାନ ପ୍ରତି ମଧ୍ୟ ଅସମ୍ମାନ ହୋଇଥାଏ। ଏ ପରିସ୍ଥିତିରେ ରାଷ୍ଟ୍ର ମୂକ ଦର୍ଶକ ନ ସାଜି ପଦ୍ମ ପୁରସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମାନର ମର୍ଯ୍ୟାଦାହାନି ନ ହେବା ଲାଗି ସମ୍ମାନ ପ୍ରତ୍ୟାହାର ପାଇଁ ମଧ୍ୟ ନିୟମ ପ୍ରଣୟନ କରିବା ଉଚିତ।
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର