୧୯୪୨ ମସିହା ମାର୍ଚ୍ଚ ମାସରେ ସାର୍ ଷ୍ଟାଫୋର୍ଡ କ୍ରିପସ୍ ଇଂରେଜ ସରକାରଙ୍କ ଏକ ଘୋଷଣାନାମା ନେଇ ଭାରତ ଆସିଥିଲେ। ଘୋଷଣାନାମାରେ ଥିଲା, ଦ୍ବିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଭାରତକୁ ଡୋମିନିଅନ୍ ଷ୍ଟାଟସ୍ ମିଳିବ ଏବଂ ଶାସନ ପାଇଁ ଏକ ସ୍ୱତନ୍ତ୍ର ସଂବିଧାନ ପ୍ରସ୍ତୁତି ନିମନ୍ତେ ଭାରତୀୟଙ୍କୁ ସୁଯୋଗ ଦିଆଯିବ। ଏ ସମ୍ପର୍କରେ ଆଲୋଚନା ପାଇଁ କ୍ରିପ୍ସ ପ୍ରଥମେ ଗାନ୍ଧୀଜୀଙ୍କୁ ଆମନ୍ତ୍ରଣ କରିଥିଲେ। ପ୍ରଥମ ସାକ୍ଷାତରେ ଗାନ୍ଧୀ କ୍ରିପ୍ସଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ସେ (କ୍ରିପ୍ସ) ଏକ ‘ପୋଷ୍ଟ ଡେଟେଡ୍ ଚେକ୍’ ଧରି ଭାରତ ଆସିଛନ୍ତି ବୋଲି ଗାନ୍ଧୀ ଏକ ଗମ୍ଭୀର ମନ୍ତବ୍ୟ ଦେଇଥିଲେ।
କ୍ରିପ୍ସଙ୍କ ମିଶନ ବିଫଳ ହୋଇ ଯାଇଥିଲା। ସେ ଭାରତରୁ ଫେରିଗଲା ପରେ ଇଂରେଜ ସରକାର ଗାନ୍ଧୀଙ୍କ ‘ହରିଜନ’ ପତ୍ରିକା ଉପରେ ତୀକ୍ଷ୍ଣ ନଜର ରଖିଲେ। ପତ୍ରିକାରେ ପ୍ରକାଶ ପାଉଥିବା ଗାନ୍ଧୀଙ୍କ ପ୍ରବନ୍ଧ, ମନ୍ତବ୍ୟ ଏବଂ ବିଦେଶୀ ପତ୍ରକାରଙ୍କ ସହ ଗାନ୍ଧୀଙ୍କ ସାକ୍ଷାତକାରକୁ ସରକାରୀ ପଦାଧିକାରୀମାନେ ତନ୍ନତନ୍ନ କରି ପଢ଼ି ବିଶ୍ଳେଷଣ କରୁଥିଲେ। ଏଥିନେଇ ପ୍ରତ୍ୟେକ ରାଜ୍ୟର ଗଭର୍ନର ଭାରତର ବଡ଼ଲାଟଙ୍କୁ ନିୟମିତ ରିପୋର୍ଟ ଦେଉଥିଲେ ଯାହାକୁ ବଡ଼ଲାଟ ଲଣ୍ଡନର ଇଣ୍ଡିଆ ଅଫିସକୁ ପଠାଉଥିଲେ। ରିପୋର୍ଟରେ କେବଳ ପ୍ରକାଶିତ ସମ୍ବାଦର ସାରାଂଶ ଯାଉ ନ ଥିଲା; ‘ହରିଜନ’ ପତ୍ରିକାର ମୂଳ କପି ବ୍ୟାଗରେ ଭର୍ତ୍ତି ହୋଇ ଲଣ୍ଡନ ପଠାଯାଉଥିଲା।
‘ହରିଜନ’ରେ ପ୍ରକାଶ ପାଇଥିବା ଗାନ୍ଧୀଙ୍କ ଅନେକ ଲେଖା ଭିତରୁ ଦୁଇଟି ପ୍ରମୁଖ ମନ୍ତବ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଥିଲା। ଏ ଦୁଇଟି ଲେଖା ୧୯୪୨ ମସିହା ଜୁନ୍ ଓ ଜୁଲାଇ ମାସରେ ପ୍ରକାଶ ପାଇଥିଲା। ପ୍ରଥମଟି ଥିଲା ଆସୋସିଏଟେଡ୍ ପ୍ରେସ୍ର ଆମେରିକୀୟ ପତ୍ରକାର ପ୍ରିଷ୍ଟନ ଗ୍ରୋଭରଙ୍କ ସହ ଗାନ୍ଧୀଙ୍କ ସାକ୍ଷାତକାର ଏବଂ ଦ୍ବିତୀୟଟି ଥିଲା କଂଗ୍ରେସ ୱାର୍କିଙ୍ଗ କମିଟି ମିଟିଙ୍ଗରେ ଗାନ୍ଧୀଜୀ ଦେଇଥିବା ଭାଷଣ। କ୍ରିପ୍ସ ଭାରତୀୟ ବୌଦ୍ଧିକ କ୍ଷମତାକୁ ତାଚ୍ଛଲ୍ୟ କରି ଯେଉଁ ମନ୍ତବ୍ୟ ରଖିଥିଲେ ‘ସଂବିଧାନ ପ୍ରଣୟନ କରିବାର କ୍ଷମତା ଭାରତୀୟଙ୍କର ନାହିଁ’, ଗାନ୍ଧୀ ତାଙ୍କ ସାକ୍ଷାତକାରରେ ଏହାର ଉତ୍ତର ରଖିଥିଲେ। ଗାନ୍ଧୀଙ୍କ ଉତ୍ତର ଥିଲା, ଭାରତର ୪୦ କୋଟି ଜନତା ସ୍ୱାଧୀନତା ପାଇବା ପାଇଁ ବ୍ୟସ୍ତ ଓ ବିବ୍ରତ। ଇଂରେଜମାନେ ଜାଣିବା ଦରକାର, ଭାରତୀୟମାନେ ଅସଭ୍ୟ କିମ୍ବା ଅମାର୍ଜିତ ନୁହନ୍ତି। ସେମାନଙ୍କର ଏକ ପ୍ରାଚୀନ ତଥା ସମୃଦ୍ଧ ସଂସ୍କୃତି ରହିଛି। ସମୃଦ୍ଧ ସଭ୍ୟତାଟିଏ ଅଛି ଏବଂ ଭିନ୍ନ ଭିନ୍ନ ସମୃଦ୍ଧ ଭାଷା ରହିଛି। ସେମାନଙ୍କୁ ଦୀର୍ଘ ଦିନ ଭୃତ୍ୟ କରି ରଖି ଇଂରେଜମାନେ ଏକ ଜଘନ୍ୟ ଅପରାଧ କରୁଛନ୍ତି।
ଗାନ୍ଧୀଜୀଙ୍କ ଅନ୍ୟ ଏକ ଗମ୍ଭୀର ଭାଷଣ ଥିଲା ୧୯୪୨ ମସିହା ଜୁଲାଇ ୭ ତାରିଖରେ। ଭାଷଣରେ ସେ କହିଥିଲେ, “ଶହେ ପଚାଶ ବର୍ଷର ଦାସତ୍ବ ସମାପ୍ତ ହେବାର ସମୟ ଆସିଯାଇଛି। ଭିନ୍ନ ଏକ ବ୍ୟାପକ ସତ୍ୟାଗ୍ରହ ପାଇଁ ଆମେ ପ୍ରସ୍ତୁତ ହୋଇସାରିଛୁ। ଅସହଯୋଗ ଆନ୍ଦୋଳନ ବେଳେ ଚୌରିଚୌରା ହିଂସା ଯୋଗୁଁ ମୋତେ ସେ ଆନ୍ଦୋଳନକୁ ବନ୍ଦ କରିବାକୁ ପଡ଼ିଥିଲା। ସେ ନିଷ୍ପତ୍ତି ପାଇଁ ମୁଁ କେବେ ଦୁଃଖିତ ବି ହୋଇନି। ମୁଁ ନିଶ୍ଚିତ, ଚୌରିଚୌରା ଘଟଣାର ପୁନରାବୃତ୍ତି ଏଥର ହେବନି। ଇଂରେଜ ସରକାର ଏ ଆନ୍ଦୋଳନରେ ସମ୍ପୃକ୍ତ ସତ୍ୟାଗ୍ରହୀଙ୍କୁ କେବଳ ଜେଲ୍ ପଠାଇ କିମ୍ବା ଲାଠିଚାର୍ଜ କରି ସନ୍ତୁଷ୍ଟ ରହିବେନି; ସେମାନେ ହୁଏତ ଗୁଳି କରି ପାରନ୍ତି। ମୋର କିନ୍ତୁ ଗୋଟିଏ ସର୍ତ୍ତ ଅଛି, ତାହା ହେଉଛି ଅହିଂସା। ସ୍ୱରାଜ ପାଇଁ ଏହା ଆମର ଶେଷ ରାଜନୈତିକ ଲଢ଼େଇ ହେବ। ଏଥିରେ ହିଂସା ହେବ ନାହିଁ। ମୋର ସ୍ପଷ୍ଟ ମତ ହେଲା, ଇଂରେଜମାନେ ଭାରତୀୟଙ୍କୁ କ୍ଷମତା ହସ୍ତାନ୍ତର କରି ଏ ଦେଶ ଛାଡ଼ି ଚାଲି ଯାଆନ୍ତୁ।’’
ଏପରି ଖବର ‘ହରିଜନ’ରେ ପ୍ରକାଶ ପାଇବା ପରେ ଇଂରେଜ ସରକାର ପତ୍ରିକା ଉପରେ କିଛି ଦମନମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଦେବାର ଖବର ଆସିଲା। ୧୯୪୨ ମସିହା ଜୁଲାଇ ୧୯ ତାରିଖ ‘ହରିଜନ’ରେ ଗାନ୍ଧୀ ଏକ ପ୍ରବନ୍ଧ ଲେଖିଥିଲେ। ଏହାର ଶିରୋନାମା ଥିଲା ‘ହରିଜନ ଟୁ ବି ସପ୍ରେସ୍ଡ’। ‘ହରିଜନ’ ବନ୍ଦ ହେବ। ଏ ପ୍ରବନ୍ଧରେ ଗାନ୍ଧୀ ଲେଖିଥିଲେ,“ଗୁଜବ ହେଉଛି, ‘ହରିଜନ’ ପତ୍ରିକା ବିରୋଧରେ ସରକାର କିଛି କାର୍ଯ୍ୟାନୁଷ୍ଠାନ କରିବେ। ଏହାକୁ ନିଷେଧ କରିବେ। ଏଥିନେଇ ଯେକୌଣସି ସମୟରେ ସରକାରୀ ନିର୍ଦ୍ଦେଶନାମା ଆମ ପାଖରେ ପହଂଚି ପାରେ। ମୁଁ କିନ୍ତୁ ସେଥିପାଇଁ ବିଚଳିତ ନୁହେଁ। ଅନ୍ୟ ସାଥୀମାନେ ବିବ୍ରତ କିମ୍ବା ବିଚଳିତ ନ ହେବାକୁ କହୁଛି। ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ, ‘ହରିଜନ’ ପତ୍ରିକା ମୋର ନିର୍ଭୀକ ପତ୍ରକାରିତାର ଏକ ବାହକ। ମୁଁ ଏଥିରେ ମୋର ସମ୍ପାଦକୀୟ ଏବଂ ଲେଖକୀୟ ସ୍ୱାଧୀନ ମତ ରଖେ। ମୋ ସତ୍ୟାଗ୍ରହ ଆନ୍ଦୋଳନ ଠାରୁ ଏହା ପୃଥକ। ତଥ୍ୟ ସହ ସତ୍ୟ ପରିବେଷଣ କରିବାରେ ‘ହରିଜନ’ ହେଉଛି ସର୍ବଭାରତୀୟ ସ୍ତରରେ ସର୍ବାଧିକ ପ୍ରସାରିତ ଏକ ଖବର ସାପ୍ତାହିକୀ। ଏଥିରେ ଖବର ସହିତ ପତ୍ରିକାର ସମ୍ପାଦକ ଏବଂ ବିଭିନ୍ନ ଲେଖକଙ୍କର ସୁଚିନ୍ତିତ ତଥା ବିଦ୍ୱାନ ମତ ଥାଏ। ଲକ୍ଷ ଲକ୍ଷ ଲୋକଙ୍କର ଏହା ମାର୍ଗଦର୍ଶକ ହୋଇଥାଏ। ଏହାକୁ ବନ୍ଦ କରିଦେବା ବା ଏଥିରେ କଟକଣା ଲଗାଇ ଦମନ କରିବାକୁ ଚେଷ୍ଟା କରିବା ଏତେ ସହଜ ନୁହେଁ। ଏହାର ସଂସ୍କାରଧର୍ମୀ ସନ୍ଦେଶ ବହୁଳ ପ୍ରସାରିତ ହୋଇ ସାରିଛି।’’
ପ୍ରବନ୍ଧରେ ଗାନ୍ଧୀଙ୍କ ଶେଷୋକ୍ତି ଥିଲା- ‘ହରିଜନ’ ପତ୍ରିକା ସରକାରଙ୍କ କେବେ ଅହିତ ଚିନ୍ତା କରିନାହିଁ। କୌଣସି ଶତ୍ରୁତା ଆଭିମୁଖ୍ୟ ନେଇ ଏହା କିଛି ଲେଖେ ନାହିଁ। ଏହା କେବଳ ସରକାରଙ୍କ ତ୍ରୁଟି କଥା କହେ ଯାହା ସତ୍ୟ ଉପରେ ଆଧାରିତ। ଏବଂ ଏ ତ୍ରୁଟି ସଂଶୋଧିତ ହୋଇ ଏକ ସୁଶାସନ ଯେ ପ୍ରତିଷ୍ଠିତ ହେଉ, ଆଶା ରଖେ। କୌଣସି ବାହ୍ୟ ଚାପରେ ମୁଁ କିଛି ଲେଖେ ନାହିଁ। ମୁଁ ମୋ ପ୍ରବନ୍ଧରେ ବ୍ୟବହୃତ ଭାଷା ପ୍ରତି ଧ୍ୟାନ ରଖିଥାଏ। ବିଡ଼ମ୍ବନା ଯେ, ସତ୍ୟ ଲୁଚାଇ ଏବଂ ମିଛ ପ୍ରଶଂସା କରୁଥିବା ଇଂରେଜୀ ଖବରକାଗଜକୁ ଏ ସରକାର ବିଶ୍ୱାସ କରନ୍ତି ଏବଂ ପରମ ଆତ୍ମତୃପ୍ତ ଓ ଆତ୍ମବିଭୋର ଥାଆନ୍ତି। ଏହା ହିଁ ଏ ସରକାରଙ୍କ ପତନର କାରଣ ହେବ। ‘ଇଣ୍ଡିଆନ ଓପନିଅନ୍’, ‘ୟଙ୍ଗ୍ ଇଣ୍ଡିଆ’, ‘ହରିଜନ’, ‘ନବଜୀବନ’ ପତ୍ରିକା ଥିଲା ଗାନ୍ଧୀଙ୍କର ନିର୍ଭୀକତାର ପ୍ରତୀକ। ୧୯୩୧ ମସିହାରେ ଲଣ୍ଡନରେ ଅନୁଷ୍ଠିତ ଦ୍ବିତୀୟ ଗୋଲ ଟେବଲ ବୈଠକ ସମୟରେ ଯେତେବେଳେ ଶ୍ରମିକ ଦଳର ସାଂସଦ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ପ୍ରଶ୍ନ କରିଥିଲେ, ‘ମିଷ୍ଟର ଗାନ୍ଧୀ, ଏତେ ବର୍ଷର ସତ୍ୟାଗ୍ରହ ଓ ପତ୍ରକାରିତା ଭିତରେ ଆପଣଙ୍କ ବିଶେଷ ଅନୁଭୂତି କ’ଣ ଯେଉଁଥିରୁ ଆପଣ କିଛି ଶିଖିଛନ୍ତି ଏବଂ ଅନ୍ୟକୁ ଶିଖେଇଛନ୍ତି?’ ଗାନ୍ଧୀଙ୍କ ଉତ୍ତର ଥିଲା,‘କୌଣସି ଅନ୍ୟାୟ ଏବଂ ସାମାଜିକ ତଥା ନୈତିକ ବିଲକ୍ଷଣ ଦେଖିଲେ ତା’ ବିରୋଧରେ ଛିଡ଼ା ହୁଅ, ପ୍ରତିବାଦ କର ଏବଂ ନା କୁ ନା କୁହ’, ଏହି କଥା ହିଁ ଶିଖିଛି ଆଉ ଶିଖେଇଚି।’
‘ଷ୍ଟାଣ୍ଡ ଅପ୍ ଆଣ୍ଡ୍ ସ୍ପିକ୍ ଆଉଟ୍’। ଛିଡ଼ା ହୋଇ ପ୍ରତିବାଦ କର।
ମୋ: ୯୮୬୧୪୬୯୩୨୮