ବାକ୍‌ ସ୍ବାଧୀନତାର ସରହଦ

ଜୟଦେବ ସାହୁ

୨୧ ନଭେମ୍ବର ୨୦୨୦ରେ କେରଳ ସରକାର ସାମାଜିକ ଗଣମାଧ୍ୟମରେ ନାରୀ ଏବ˚ ଛୁଆମାନଙ୍କୁ ନିର୍ଯାତନା ତଥା ଅପମାନରୁ ରକ୍ଷା କରିବା ପାଇଁ ‘ପୁଲିସ୍‌ ଏକ୍‌ଟ ଆମେଣ୍ତମେ˚ଟ୍‌ ଅର୍ଡିନାନ୍‌ସ’ ଜାରି କରିଛନ୍ତି। କିନ୍ତୁ କେରଳର ସାମ୍ବାଦିକମାନେ କହୁଛନ୍ତି ଯେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ସରକାର ଏହି ଅର୍ଡିନାନ୍‌ସ ଆଣିଛନ୍ତି। ଏହି ନିୟମ ଅନୁସାରେ ଗଣମାଧ୍ୟମ ବା ସାମାଜିକ ଗଣମାଧ୍ୟମ ଦ୍ବାରା ଯଦି କୌଣସି ବ୍ୟକ୍ତିର ଅପମାନ ଏବ˚ ସମ୍ମାନ ହାନି ହୁଏ, ତେବେ ସେପରି କରିଥିବା ବ୍ୟକ୍ତିଙ୍କୁ ଦଶ ହଜାର ଟଙ୍କା ଜୋରିମାନା ଓ ପା˚ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ତ ଦିଆଯାଇପାରିବ। କେରଳ ସାମ୍ବାଦିକ ୟୁନିଅନ ଏହାକୁ ଧାରା ୧୯(୧) ଅପହରଣ ବୋଲି କହି ତୀବ୍ର ବିରୋଧ କରୁଛି। ଭାରତୀୟ ସମ୍ବିଧାନ ଦ୍ବାରା ପ୍ରଦତ୍ତ ଧାରା ୧୯(୧) ସମସ୍ତଙ୍କୁ ସ୍ବାଧୀନ ଭାବରେ ମତ ବ୍ୟକ୍ତ କରିବାର ଅଧିକାର ପ୍ରଦାନ କରିଛି। ମାତ୍ର ଏହି ଅଧିକାର ଏକ ଅଖଣ୍ତ ଅଧିକାର ନୁହେଁ। ସମ୍ବିଧାନର ଧାରା ୧୯(୨) ଅନୁସାରେ ଭାରତ ସରକାର ଚାହିଁଲେ ବାକ୍‌ ସ୍ବାଧୀନତାକୁ କେତେକ କ୍ଷେତ୍ରରେ ସ˚କୁଚିତ କରିପାରିବେ। ଯଦି କୌଣସି ବ୍ୟକ୍ତିର ବକ୍ତବ୍ୟ ଦ୍ବାରା ଦେଶର ନିରାପତ୍ତା, ସାଧାରଣ ଶାଳୀନତା ଓ ନୈତିକତା, ସାର୍ବଭୌମତା, ବିଦେଶ ସଂପର୍କ, ଦେଶର ସଂହତି ବ୍ୟାହତ ହୁଏ ଅବା ନ୍ୟାୟାଳୟର ଖିଲାପ ହୁଏ, ତେବେ କେନ୍ଦ୍ର ସରକାର ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇ ପାରିବେ। ବର୍ତ୍ତମାନ ଦେଖାଯାଉଛି ଯେ ଏହି ମୌଳିକ ଅଧିକାରର ଅପବ୍ୟବହାର ଉଭୟ ରାଷ୍ଟ୍ର ଓ ବ୍ୟକ୍ତିବିଶେଷ କରି ଚାଲିଛନ୍ତି। ନିକଟରେ ‘ତବଲିଘି’ (ଜମାତ) କେସ୍‌ର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ସ୍ବୀକାର କରିଛନ୍ତି ଯେ ସର୍ବାଧିକ ଅପବ୍ୟବହୃତ ଅଧିକାରଟି ହେଲା ‘ବାକ୍‌ ସ୍ବାଧୀନତା’ର ଅଧିକାର। ତେଣୁ ଗଲା ଅକ୍ଟୋବର ୨୩ ତାରିିଖରେ ସୁପ୍ରିମ୍‌କୋର୍ଟର ମୁଖ୍ୟ ନ୍ୟାୟାଧୀଶଙ୍କ ଅଧୀନରେ ଗଠିତ ଏକ ବେ˚ଚ ଏହି ଅଧିକାର ଅପବ୍ୟବହାର ଉପରେ ଅଙ୍କୁଶ ଲଗାଇବା ଦିଗରେ ବଚାର ବିମର୍ଶ କରୁଛନ୍ତି। ଦେଖାଯାଉଛି ଯେ ସରକାର, ଗଣମାଧ୍ୟମ ଓ ନାଗରିକ; ସମସ୍ତେ ଏହି ଅଧିକାରର ହନନ କରୁଛନ୍ତି। ଯାହା ଫଳରେ ଅନେକ ସମୟରେ ଉତ୍ତେଜନା, ଏପରିକି ଦଙ୍ଗା ପ୍ରଭୃତି ସୃଷ୍ଟି ହେଉଛି। ଅନେକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧାରା ୧୯(୨)ର ମନମୁଖୀ ବ୍ୟବହାର କରି ଅନେକ ନିର୍ଦ୍ଦୋଷଙ୍କୁ ଜେଲ୍‌ ଭିତରେ ପୂରାଇ ଦେଉଛନ୍ତି। କାହା କାହା ବିରୋଧରେ ଅଯଥାରେ ଦେଶଦ୍ରୋହୀର ଆରୋପ ଲଗାଯାଉଛି।

‘ଦି ହୁଟ୍‌’ ତାଙ୍କ ବାର୍ଷିକ ରିପୋର୍ଟରେ ୨୦୧୭ ମସିହାରେ ଭାରତୀୟ ଗଣମାଧ୍ୟମର ବାକ୍‌ ସ୍ବାଧୀନତା ସର୍ବାଧିକ ସ˚କୁଚିତ ହୋଇଥିବା କଥା ପ୍ରକାଶ କରିଥିଲେ। ସେହି ସମୟରେ ମୁକ୍ତ ମତ ରଖିଥିବା ଅନେକ ସାମ୍ବାଦିକ ଆତତାୟୀମାନଙ୍କ ଦ୍ବାରା ନିହତ ହୋଇଛନ୍ତି। ଏହି ରିପୋର୍ଟ ଅନୁସାରେ ୨୦୧୬ ଏବ˚ ୨୦୧୭ର ପ୍ରଥମ ତିନି ମାସ ମଧ୍ୟରେ ୫୪ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶକୁ ଛାଡ଼ି ପ୍ରାୟ ସବୁ ରାଜ୍ୟରେ ସ୍ବାଧୀନ ଭାବେ ମତବ୍ୟକ୍ତ କରୁଥିବା ସାମ୍ବାଦିକଙ୍କୁ ହଇରାଣ ହରକତ କରାଯାଉଛି। କାଶ୍ମୀରରେ ବୁରହାନ୍‌ ୱାନୀଙ୍କ ହତ୍ୟା ପରେ ପ୍ରାୟ ସବୁ ସମ୍ବାଦପତ୍ର ଓ ଟିଭି ଚାନେଲକୁ ସେନ୍‌ସର କରାଯାଇଥିଲା। ‘କାଶ୍ମୀର ରିଡର୍‌’ ସମ୍ବାଦପତ୍ରକୁ ରାଷ୍ଟ୍ର ବିରୋଧୀ ଆଖ୍ୟା ଦେଇ ତିନି ମାସ ପର୍ଯ୍ୟନ୍ତ ବନ୍ଦ କରିଦିଆଗଲା। ସେମିତି ସ୍ବାଧୀନ ମତ ରଖୁଥିବା ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କୁ ଦେଶଦ୍ରୋହୀ କହି ଜେଲ୍‌କୁ ପଠେଇ ଦିଆଯାଇଥିଲା। ୨୦୧୨ ମସିହାରେ ଜଣେ ରାଜନେତାଙ୍କ ମୃତ୍ୟୁ ପରେ ସରକାର ଛୁଟି ଘୋଷଣା କରିଥିବାରୁ ଫେସ୍‌ବୁକ୍‌ରେ ଜଣେ ଯୁବତୀ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତାଙ୍କୁ ଆଉ ଜଣେ ଯୁବତୀ ସମର୍ଥନ କରିଥିଲେ। ସରକାର ଏ ଦୁହିଁଙ୍କୁ ଅଯଥାରେ ସମାଜରେ ଘୃଣା ଓ ବିଦ୍ବେଷ ବୃଦ୍ଧି କରୁଥିବା ଆଳରେ ଗିରଫ କଲେ। ସେମିତି ୨୦୨୦ ମାର୍ଚ୍ଚ ୨୫ରୁ ୩୧ ମଇ ମଧ୍ୟରେ କୋଭିଡ୍ ସ˚ପର୍କିତ ସମ୍ବାଦ ପରିବେଷଣ କରିଥିବା ୫୫ ଜଣ ସାମ୍ବାଦିକଙ୍କ ନାମରେ ମକଦ୍ଦମା କରାଯାଇଛି। କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପ୍ରକାଶ କରୁଥିବା ବ୍ୟକ୍ତି ବା ଗଣମାଧ୍ୟମର ସ୍ବରକୁ ବିଭିନ୍ନ ଆଳରେ ବନ୍ଦ କରିବାର ପ୍ରୟାସ କରାଯାଉଛି।

ବ୍ୟକ୍ତିର ବାକ୍‌ ସ୍ବାଧୀନତା ଓ ଅଭିବ୍ୟକ୍ତିକୁ ଦମନ କରିବାର ଚେଷ୍ଟା ଯୁଗେ ଯୁଗେ ସବୁ ସରକାରଙ୍କର ରହି ଆସିଛି। ଭାରତ ଇ˚ରେଜମାନଙ୍କ ଉପନିବେଶ ଥିଲା ବେଳେ ଏହା ଅଧିକ ମାତ୍ରାରେ ହେଉଥିଲା। ଇ˚ରେଜମାନେ ଧାରା ୨୯୫(କ)କୁ ୧୮୭୦ ମସିହାରେ ପ୍ରଚଳନ କରିଥିଲେ, ଯଦ୍ଦ୍ବାରା ଭାରତୀୟମାନଙ୍କ ମୁକ୍ତ ଚିନ୍ତନ ଏବ˚ ଅଭିବ୍ୟକ୍ତିର ଅଧିକାର ରହିଲା ନାହିଁ। ୧୯୦୭ ମସିହାରେ ‘ପ୍ରିଭେନ୍‌ସନ୍‌ ଅଫ୍‌ ସେଡିସିଅସ୍‌ ମିଟି˚ ଏକ୍‌ଟ’ ବଳରେ ସାଧାରଣ ସଭା ଏବ˚ ସ˚ଗଠନ କରିବାର ଅଧିକାର ଅପହରଣ କରି ନିଆଗଲା। ମାତ୍ର ବିଡ଼ମ୍ବନା ହେଲା ପରାଧୀନ ଭାରତ ଭଳି ସ୍ବାଧୀନ ଭାରତରେ ମଧ୍ୟ ବାକ୍‌ ସ୍ବାଧୀନତା ଉପରେ ଅଯଥା ଅଙ୍କୁଶ ଲଗାଯାଉଛି। ତେବେ ଏହା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମଧ୍ୟ ବାକ୍‌ ସ୍ବାଧୀନତାର ସୀମା ଲଂଘନ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ଆକ୍ଷେପ, କୁତ୍ସା, ସାମାଜିକ ଓ ସାଂପ୍ରଦାୟିକ ବିଦ୍ବେଷ, ଅଶ୍ଳୀଳତା ଆଦିର ନିରଙ୍କୁଶ ପ୍ରସାର କରୁଛନ୍ତି। ଏହା ଏବେ ଅତ୍ୟନ୍ତ ଚିନ୍ତାର କାରଣ ହେଲାଣି। କେଦାରନାଥ ଭର୍ସେସ୍‌ ଷ୍ଟେଟ୍‌ ଅଫ୍‌ ବିହାର କେସ୍‌ରେ ସୁପ୍ରିମକୋର୍ଟ ମତ ଦେଇଥିଲେ ଯେ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ନିୟମର ପରିଧି ଭିତରେ ହିଁ ତାହା ହେବା ଉଚିତ। ସେମିତି କୌଣସି ଧର୍ମ ସ˚ପର୍କରେ ଆକ୍ଷେପ କରିବାର ଅଧିକାର ଧାରା ୧୯(୧) ଦିଏ ନାହିଁ ା

ଆଜିକାଲି ଗଣମାଧ୍ୟମ ମଧ୍ୟ ବାକ୍‌ ସ୍ବାଧୀନତାର ଅପବ୍ୟବହାର କରୁଥିବା ଦେଖାଯାଉଛି। ବିଭିନ୍ନ ସମୟରେ ଗଣମାଧ୍ୟମ ଘୃଣା ଉଦ୍ରେକକାରୀ ମନ୍ତବ୍ୟ ଦେଉଥିବାର ଲକ୍ଷ୍ୟ କରାଯାଏ। ଅନେକ ସମାଜ କର୍ମୀଙ୍କୁ ‘ଅର୍ବାନ୍‌ ନକ୍‌ସଲ’ ବୋଲି କହୁଥିବା ଦେଖାଯାଏ। ଏଭଳି ଆଭିମୁଖ୍ୟ ଉଦ୍‌ବେଗଜନକ ବୋଲି ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ସମୟରେ ନିଜର ଚିନ୍ତା ପ୍ରକଟ କରୁଥିବା ଦେଖାଯାଉଛି। ଏହି ମର୍ମରେ ଆଇଭର ଜେନିଙ୍ଗସ୍‌ଙ୍କ କଥା ମନେ ପଡ଼େ। ସେ କହିଥିଲେ, ‘ବାକ୍‌ ସ୍ବାଧୀନତା ବିନା ଗଣତନ୍ତ୍ରର ସ୍ଥିତି ନାହିଁ। ଗଣତନ୍ତ୍ରର ମୂଳଦୁଆ ହେଲା ସ୍ବାଧୀନ ଚିନ୍ତାଧାରାର ପରିପ୍ରକାଶ। ତେଣୁ ବାକ୍‌ ସ୍ବାଧୀନତା ଅଧିକାରର ସୁରକ୍ଷା କରିବା ଉଭୟ ରାଷ୍ଟ୍ର ଓ ନାଗରିକର ପ୍ରଥମ କର୍ତ୍ତବ୍ୟ।’ ଏହା ସତ। କିନ୍ତୁ ଏହି ଅଧିକାର ଲାଗି ଦାବି କରୁଥିବା ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଏହି ଅଧିକାର ସହିତ ‌େଯାଡ଼ି ହୋଇ ରହିଥିବା ଦାୟିତ୍ବବୋଧକୁ ମଧ୍ୟ ବୁଝିବା ଦରକାର। ଏହାର ସରହଦ ଅତିକ୍ରମ କରିବା ଅନୁଚିତ।
କଳାହାଣ୍ତି ବିଶ୍ବବିଦ୍ୟାଳୟ, ଭବାନୀପାଟଣା
ମୋ: ୭୯୭୮୯୯୦୦୧୬

ସମ୍ବନ୍ଧିତ ଖବର